Unknown

 

 

 

 

 

 

 

 

 

ରୋହିତର ଡାଏରୀ

(ନବମ ପର୍ବ)

ଚିତ୍ତରଞ୍ଜନ ଦାସ

 

—ଆମେ ପିଲାଦିନେ ସାଙ୍ଗ ଥିଲୁ, ଏବେ ବି ସାଙ୍ଗ ଅଛୁ । ସିଏ ପାଠପଢ଼ି ଶିକ୍ଷା ବିଭାଗରେ ଚାକିରି କଲେ, ଅଧ୍ୟାପକରୁ ଅଧ୍ୟକ୍ଷ ହୋଇ ନିର୍ଦ୍ଦେଶକ ଯାଏ ଗଲେ । ମୁଁ ନେଉଳ ଭାଇଟିଏ ହୋଇ ବାହାରେ ବାହାରେ ରହିଲି । ତଥାପି, ବିଭିନ୍ନ ପଥରେ ଥାଇ ମଧ୍ୟ, ଆମେ ପରସ୍ପରକୁ ସର୍ବଦା ଲକ୍ଷ୍ୟ କରି ଦେଖୁଥିଲୁ, ପରସ୍ପରର ଅତି ନିକଟରେ ଥିଲା ପରି ଅନୁଭବ କରୁଥିଲୁ । ଆମ ଉଭୟଙ୍କ ଭିତରେ ଏପରି କ’ଣ ସମଧର୍ମୀ ଉପାଦାନଟିଏ ଥିଲା, ଯାହାକି ଆମକୁ ଅତ୍ୟନ୍ତ ନିକଟବର୍ତ୍ତୀ କରି ରଖିଥିଲା, ଉଭୟଙ୍କୁ ଆନନ୍ଦ ଦେଉଥିଲା ।

 

ବନ୍ଧୁ ଶ୍ରୀ ଗୋପାଳ ଚନ୍ଦ୍ର ପଟ୍ଟନାୟକଙ୍କ ନାମରେ ମୁଁ ‘ରୋହିତର ଡାଏରୀ’ର ଏହି ପର୍ବଟିକୁ ଉତ୍ସର୍ଗ କରୁଛି ।

 

ଲେଖକ

☆☆☆

 

୧୩ । ୪ । ୬୫

 

କୌଣସି ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ମୁଁ ଏହି ଖାତାରେ ଲେଖିବାକୁ ଏଠାରେ ବସେ ନାହିଁ । ଜୀବନରେ କୌଣସି ସମସ୍ୟାର ସମାଧାନ ମୁଁ କେବେ କରିପାରିଚି ବୋଲି ମୋ’ର ମନେ ହେଉନାହିଁ । କିନ୍ତୁ ଜୀବନର ସମସ୍ୟାଗୁଡ଼ିକୁ ବୁଝିବା ଲାଗି ମୁଁ ଆପଣାର ଜୀବନ ଦୃଷ୍ଟିଗତ ଭାବନା ଗୁଡ଼ିକୁ ଏଥିରେ ଲେଖିବାକୁ ଚେଷ୍ଟା କରେ । ଏହାଦ୍ୱାରା ମୋ’ର ଦୁଃଖ ଯାଏନାହିଁ ବା କଷଣ ଦୂର ହୁଏ ନାହିଁ ସତ, କିନ୍ତୁ ମୁଁ ଏହାଦ୍ୱାରା ନିଜେ ନିଜକୁ ଗ୍ରହଣ କରିନେବାକୁ ସମର୍ଥ ହୁଏ-। ଅର୍ଥାତ୍, ଜୀବନର ପଥରେ ଆପଣାକୁ ମୁଁ ପ୍ରଧାନତଃ ଶ୍ରଦ୍ଧାର ସହିତ ହିଁ ଗ୍ରହଣ କରି ନେଇପାରେ-। ସଂସାରରେ ଅନେକ ମଣିଷ ଆପଣା ଉପରେ ସତତ ପହରା ଦେବାକୁ ହିଁ ଆପଣା ଜୀବନର ସର୍ବପ୍ରଧାନ ଧର୍ମ ବୋଲି ଗ୍ରହଣ କରିଥାନ୍ତି । ସେମାନେ ବଡ଼ ଅଭ୍ୟାସଗତ ଭାବରେ ନାନାପ୍ରକାର ଅଙ୍କୁଶ ନେଇ ଆପଣା ଭିତରର ଦୁଷ୍ଟ ଓ ଅବାଧ୍ୟକୁ ଶାସନ କରି ରଖିବାକୁ ହିଁ ନୈତିକତା ବୋଲି ଗ୍ରହଣ କରି ନେଇଥାନ୍ତି । ପ୍ରକାରାନ୍ତରେ ସେମାନେ ଆପଣାକୁ ଘୃଣା କରି ଶିଖନ୍ତି ଓ ସେହି ଘୃଣ୍ୟ ‘‘ମୁଁ ଗୁଡ଼ାକୁ ଘୋଡ଼ାଇ ରଖିବାକୁ ଆପଣାର କର୍ତ୍ତବ୍ୟ ବୋଲି ଗ୍ରହଣ କରି ନିଅନ୍ତି । ଅର୍ଥାତ୍, ସେମାନେ ଆପଣାକୁ ଶ୍ରଦ୍ଧାର ସହିତ ଗ୍ରହଣ କରିପାରନ୍ତି ନାହିଁ ।’’ ମୋ’ର ରୀତି ଅଲଗା । ମୁଁ ଆପଣା ଉପରେ ପହରା ଦିଏ ନାହିଁ, ଆପଣାର ଦୋଷଗୁଡ଼ାକୁ ଲୁଚାଇ ରଖିବା ଲାଗି ମୁଁ ନୀତିବାଦର ଘୋଡ଼ଣି ଦେଇ ନିଜକୁ ଆବୃତ କରି ରଖି ପାରେନାହିଁ । ମୋ’ର ଶୁଭବାସନା ଗୁଡ଼ାକୁ ହିଁ ମୁଁ ମୋ’ ଜୀବନର ସର୍ବଶ୍ରେଷ୍ଠ ସମ୍ଭାବନା ରୂପେ ଗ୍ରହଣ କରେ ।

 

୧୪ । ୪ । ୬୫

 

ଯେଉଁ ଦେଶରେ ଯେଉଁ ମୂଲ୍ୟ ଓ ଗୁଣର ସମ୍ମାନ ହୁଏ, ସେ ଦେଶରେ ସେହି ଗୁଣର ଅନୁଶୀଳନ ମଧ୍ୟ ହୁଏ । ଭାରତବର୍ଷରେ ଯଦି ମାନବିକ ମୂଲ୍ୟର ସମ୍ମାନ ହେଉଥାନ୍ତା, ତେବେ ତାହାର ଅନୁଶୀଳନ ମଧ୍ୟ ହେଉଥାନ୍ତା । ନିଷ୍ଠାପର ଭାବରେ ସାଧୁତାର ସହିତ ଆପଣାର ବ୍ୟକ୍ତିଗତ ତଥା ସାମାଜିକ ସକଳ ଦାୟିତ୍ଵ ବହନ କରିବାର ଜୀବନ ମୂଲ୍ୟକୁ ଯଦି ଆମେ ଯଥେଷ୍ଟ ସମ୍ମାନର ସହିତ ସୁନ୍ଦର ଜୀବନର ଏକ ଅବଶ୍ୟ ଗୁଣ ବୋଲି ସ୍ଵୀକାର କରିନେଇ ପାରୁଥାନ୍ତେ, ତେବେ ସେଗୁଡ଼ିକର ଅନୁଶୀଳନ କରିବାକୁ ଆମକୁ କଦାପି ବିଚିତ୍ର ଲାଗୁନଥାନ୍ତା, ଆମେ ସମସ୍ତେ ତାହାକୁ ସ୍ଵାଭାବିକ ଜୀବନର ଅଙ୍ଗ ବୋଲି ଗ୍ରହଣ କରି ନେଉଥାନ୍ତୁ । ଆମର ବିଦ୍ୟାଳୟମାନଙ୍କରେ ଯଦି ବିଦ୍ୟାକୁ ହିଁ ମୂଲ୍ୟ ବୋଲି ମାନି ନିଆ ଯାଉଥାନ୍ତା, ବିଦ୍ୟାକୁ ହିଁ ବିଦ୍ୟାର୍ଥୀ ବା ଶିକ୍ଷକ ହେବାର ଭୂଷଣ ବୋଲି ସ୍ଵୀକାର କରି ନିଆ ଯାଉଥାନ୍ତା, ତେବେ ଆଜି ବିଦ୍ୟାଳୟମାନଙ୍କରେ ବିଦ୍ୟାର ହିଁ ଅନୁଶୀଳନ ହେଉଥାନ୍ତା । ଆତ୍ମ ଉପଲବ୍‌ଧିକୁ ଯଦି ଆମେ ଧର୍ମଗତ ଜୀବନର ପ୍ରଧାନ ମୂଲ୍ୟ ରୂପେ ମାନି ନେଉଥାନ୍ତୁ, ତେବେ ଆମର ଧର୍ମ ଆତ୍ମ-ଅନୁଶୀଳନର ପଥକୁ ହିଁ ସର୍ବପ୍ରଧାନ ଧର୍ମପଥ ବୋଲି ଘୋଷଣା କରୁଥାନ୍ତା,—ଆମକୁ ଭେକରେ ବୁଡ଼ାଇଦେଇ ଆମର ଧର୍ମଗତ ଗ୍ରହଣ ପାତ୍ରକୁ ସବୁପ୍ରକାର ଧର୍ମବାସନାରୁ ବଞ୍ଚିତ କରି ରଖୁନଥାନ୍ତା, ତେଣୁ କେବଳ ଧର୍ମ, ବିଦ୍ୟା, ସାଧୁତା ଓ ମାନବିକତା ବିଷୟରେ ବଚସା କଲେ ହେବନାହିଁ, ଏଗୁଡ଼ିକୁ ମୂଲ୍ୟ ଦେଇ ଓ ସମ୍ମାନ ଦେଇ ଶିଖିବାକୁ ହେବ । ସମସ୍ତେ ଏଗୁଡ଼ିକୁ ସମ୍ମାନ କରୁଚନ୍ତି ବୋଲି ନୁହେଁ, ଏହା ସମ୍ମାନାସ୍ପଦ ବୋଲି ଏହାର ସମ୍ମାନ କରିବାକୁ ହେବ ।

 

୧୫ । ୪ । ୬୫

 

ମଣିଷର Ambition ବା ଉଚ୍ଚାକାଙ୍‍କ୍ଷା ମଣିଷକୁ ଆଗକୁ ଆଗକୁ ନେଇଯାଏ ବୋଲି ଅନେକେ କହନ୍ତି । ଭାରତର ଅଧିବାସୀମାନଙ୍କ ଭିତରେ ଏହି ଉଚ୍ଚାକାଙ୍‍କ୍ଷା ଯଥେଷ୍ଟ ପରିମାଣରେ ନାହିଁ ବୋଲି ଭାରତବର୍ଷ ଯେ ଆବଶ୍ୟକ ଗତିରେ ଆଗେଇ ପାରୁନାହିଁ, ସମାଜର ଅଧ୍ୟୟନ କରୁଥିବା ପଣ୍ଡିତମାନେ ଅନେକ ସମୟରେ ଏହିପରି ମତ ଦେଇଥାନ୍ତି । କାଲି ସନ୍ଧ୍ୟାବେଳେ ଗହମ କ୍ଷେତ ଭିତରେ ବୁଲୁ ବୁଲୁ ମୁଁ ଭାବୁଥିଲି, ମୋ’ ଭିତରେ କେଉଁ ସର୍ବପ୍ରଧାନ ambition ବା ଉଚ୍ଚାକାଙ୍‍କ୍ଷା ମୋ’ ଜୀବନର ଉତ୍‌ପ୍ରେରକ ଶକ୍ତିରୂପେ କାମ କରୁଛି ? ଯାହା ଉତ୍ତର ପାଇଲି, ଆଜି ତାହାକୁ ହିଁ ଲିପିବଦ୍ଧ କରି ରଖିବାକୁ ସ୍ଥିର କରିଚି । ମୁଁ ସବୁ ମଣିଷ ଲାଗି ମଣିଷର ଉପଯୁକ୍ତ ସମ୍ମାନ ଚାହେ । ଯେଉଁ ପୃଥିବୀରେ ମୁଁ ବାସ କରୁଚି, ସେହି ପୃଥିବୀରେ ସବୁ ମଣିଷ ଲାଗି ମନୁଷ୍ୟୋଚିତ ସମ୍ମାନ ମିଳିବା ଭଳି ଏକ ଉପଯୁକ୍ତ ଆର୍ଥିକ, ସାମାଜିକ ଓ ଭାବଗତ କ୍ଷେତ୍ର ପ୍ରସ୍ତୁତ ହୋଇରହୁ, ଏହାହିଁ ଦେଖିବାକୁ ମୁଁ ମୋ’ର ଜୀବନର ସର୍ବୋଚ୍ଚ ambition ବୋଲି ଅନୁଭବ କରୁଚି । ଅସମ୍ମାନିତ ଅନେକଙ୍କର ସମାଜ ଭିତରେ ମୁଁ ଆପଣାର ଚତୁର ବୁଦ୍ଧି ଓ ପ୍ରବଳ ପ୍ରତିଯୋଗୀ ଉଦ୍ୟମ ବଳରେ ଯଦି ଅଧିକ ଅର୍ଥ, ଅଧିକ କ୍ଷମତା ବା ଅଧିକ ବିଦ୍ୟା ଉପାର୍ଜନ କରି ପାରିଲି ଓ ତାହାର ସ୍ଵୀକୃତି ସ୍ୱରୂପ ଯଦି ମୋତେ ଆଦର ବା ଉଚ୍ଚାସନ ମିଳିଲା, ତେବେ ତାହା ଯେପରି ମୋତେ ମୋ’ ଭିତରେ ରହିଥିବା ମଣିଷ ପଣିଆର ଉଦ୍ଦେଶ୍ୟରେ ଏକପ୍ରକାର ଅତିକ୍ରୂର ବିଦ୍ରୂପ ପରି ହିଁ ମନେହୁଏ । ଲକ୍ଷେ ଦରିଦ୍ରଙ୍କ ଭିତରେ ମୁଁ ଜଣେ ଶ୍ରୀମନ୍ତ ହୋଇ ରହିଲେ, ଲକ୍ଷେ କାଙ୍ଗାଳଙ୍କର ସଭାରେ ମୁଁ ଜଣେ ଭୂରିଭୋଜୀ ହୋଇ ରହିଲେ ଜୀବନର ଆଶା ଘୋଡ଼ାଇ ହୋଇ ରହିଯିବ ସିନା, କଦାପି ମେଣ୍ଟିବନାହିଁ ।

 

୧୬ । ୪ । ୬୫

 

ଅନେକ ସମୟରେ ମୁଁ ଆପଣା ପାଖରେ ବସି ନିଜ ମନକୁ ଠିକ୍ ଏହିସବୁ ପ୍ରଶ୍ନ ପଚାରେ; ଏହି ପୃଥିବୀରେ ସବୁ ମଣିଷ କାହିଁକି ମଣିଷର ବ୍ୟବହାର ପାଇ ପାରିବେ ନାହିଁ ? ମୋ’ର ଗାଆଁ ବା ମୋ’ର ପ୍ରତିବେଶର ସବୁ ମଣିଷ କାହିଁକି ମଣିଷ ପରି ବଞ୍ଚିବାର ସୁଯୋଗ ପାଇ ପାରିବେ ନାହିଁ, ଏହି ଅଧିକାରକୁ ଅନୁଭବ କରିବା ଲାଗି ସେମାନଙ୍କ ଭିତରେ କାହିଁକି ସାମର୍ଥ୍ୟ ଆସିବ ନାହିଁ ? ଏଥିପାଇଁ ଦାୟୀ କିଏ ? ଯେଉଁ ମଣିଷ ଅପମାନିତ ଓ ଅସମ୍ମାନିତ ହୋଇ ପଡ଼ିରହିଚି, ସେ ଏଥିଲାଗି କେତେଦୂର ଦାୟୀ ? ସମାଜରେ ଯେଉଁମାନେ ସକଳ କ୍ଷମତା, ସକଳ ଅଧିକାର ବା ସକଳ ସମ୍ମାନର ସକଳ କ୍ଷେତ୍ରକୁ ଅଧିକାର କରି ବସିବାର ଧୂର୍ତ୍ତ ଓ ପ୍ରମତ୍ତ ଜୀବନ ଯାପନ କରିବାରେ ଲାଗିଚନ୍ତି, ସେମାନେ ଏଥିଲାଗି କେତେଦୂର ଦାୟୀ ? ଜଣେ ମଣିଷ ହିସାବରେ ଏଥିଲାଗି ମୁଁ କେତେଦୂର ଦାୟୀ ? ଏକ ସକଳ ସାମାଜିକ ଓ ମାନସିକ ଦୁଃସ୍ଥିତିକୁ ମୁଁ ଯଦି ପ୍ରଧାନତଃ ଏକ ବିଷଚକ୍ର ବୋଲି କହିବାରେ ଅଭ୍ୟସ୍ତ ହୋଇ ଯାଇଚି, ତେବେ ଏହି ବିଷଚକ୍ର ଭାଙ୍ଗିବ କୋଉଠି, ଏହି ବିଷଚକ୍ର ଭାଙ୍ଗିବ କିଏ ? ଆଉ ଜଣେ ବା ସମାଜରେ ସମସ୍ତେ ମଣିଷର ସମ୍ମାନ ପାଇଲେ ତଦ୍ଦ୍ଵାରା ମଣିଷ ହିସାବରେ ଯଥାର୍ଥ ସମ୍ମାନିତ ହେବାର ମୋ’ର ସମ୍ଭାବନା ମଧ୍ୟ ଅବଶ୍ୟ ବଢ଼ିବ, ଏହା ମୁଁ ଯେପରି ଜଳଜଳ କରି ଦେଖିପାରେ । ଏବଂ ଠିକ୍ ସେଇଥିଲାଗି ମୋ’ର ଅବସାଦ ଆହୁରି ବଢ଼ିଯାଏ । ମୋ’ର ଅସନ୍ତୋଷକୁ ମୁଁ ଘୋଡ଼ାଇ ରଖି ପାରେନାହିଁ । ମଣିଷର ସମ୍ମାନ ପାଇବାକୁ ସର୍ବପ୍ରଧାନ ଗୌରବ ବୋଲି ମନେ କରୁଥିବା ମନ ଅସ୍ଥିର ହୋଇଉଠେ ।

 

୧୭ । ୪ । ୬୫

 

ଯିଏ ଆଉ ପାଞ୍ଚଜଣଙ୍କୁ ଅସମ୍ମାନିତ କରି ରଖି ଆପଣାର ସମ୍ମାନ ବଢ଼ାଇବାକୁ ହିଁ ଜୀବନଧର୍ମ ବୋଲି ଗ୍ରହଣ କରି ନେଇଚି, ମୁଁ ତାକୁ ଆଦୌ ଇର୍ଷା କରୁନାହିଁ ଜୀବନଧର୍ମ ବୋଲି ଗ୍ରହଣ କରି ନେଇଚି, ମୁଁ ତାକୁ ଆଦୌ ଇର୍ଷା କରୁନାହିଁ । କିନ୍ତୁ ତା’ର ବାଟ ଯେ ମୋ’ର ବାଟ ନୁହେଁ, ଖୋଲା ମନରେ ଏତିକି କହିବାଲାଗି ମୁଁ କେବେହେଲେ କୌଣସି ସଙ୍କୋଚ ଅନୁଭବ କରିନାହିଁ । ଶୋଷକବର୍ଗଙ୍କର ଶିରଚ୍ଛେଦ ହେଲେ ଯେ ଶୋଷଣ ଦୂର ହୋଇଯିବ, ଏପରି ବିଶ୍ଵାସ କରିବାଲାଗି ଇତିହାସରୁ ମୁଁ କୌଣସି ପ୍ରମାଣ ପାଇନାହିଁ । ମୋ’ର ଓ ବିବେକ ଶକ୍ତି ଏହାକୁ ଉପାଦେୟ ବୋଲି ମାନିନେଇ ପାରୁନାହିଁ । ଅପରକୁ ଅସମ୍ମାନିତ ରଖି ଓ ଅପରକୁ ଶୋଷଣ କରି ଆପଣାର ସମ୍ମାନ ଓ ସମ୍ପଦ ବଢ଼ାଇବାକୁ ମୁଁ ମୂଳତଃ ଏକ ବିଶେଷ ଜୀବନଦୃଷ୍ଟି ବୋଲି କହିବି । ମୁଣ୍ଡ କାଟି ଦେଲେ ଏହି ଜୀବନଦୃଷ୍ଟି ସଂସାରକୁ ଲୁପ୍ତ ହୋଇ ଯିବନାହିଁ । ଆଜି ହୁଏତ ଯିଏ ଅନ୍ୟର ମୁଣ୍ଡ କାଟି ସଂସାରରେ ସବୁ ମଣିଷଙ୍କର ସମ୍ମାନ ବଢ଼ାଇବ ବୋଲି ଭାବୁଚି, ସେ କାଲି ନିଜେ ଆହୁରି କେତେପ୍ରକାର ଅସମ୍ମାନ ଓ କ୍ରୂରତାର କାରଣ ଭିଆଇ ବସିବ, ସେ ନିଜେ କେତେ ଅସମ୍ମାନ ଓ କ୍ରୂରତାର କାରଣ ହୋଇ ବସିବ । ମୋ’ର ambition ପ୍ରଧାନତଃ ମୋ’ର ନିଜକୁ ନେଇ, କାରଣ ଅପରର ମୁଣ୍ଡକଟା ହେଲେ ମୋ’ର ଏହି ambitionକୁ କୌଣସି ପ୍ରକାର ସନ୍ତୋଷ ମିଳିବ ନାହିଁ । ନିର୍ବୋଧତା ଦୂର କରିବାକୁ ଯାଇ ନିର୍ବୋଧତା ସୃଷ୍ଟି କରିବା ସାର ହେବ ।

 

୧୮ । ୪ । ୬୫

 

ସକାଳେ ବଗିଚାରେ ବୁଲୁ ବୁଲୁ ହଠାତ୍ ଉତ୍‌ଫୁଲ ମନରେ ଭାବି ପକାଇଲି, ଖାଲି ପଢ଼ନ୍ତି, ଖାଲି ଲେଖନ୍ତି ଓ ଖାଲି ବଗିଚାରେ କାମ କରନ୍ତି । ତେବେ ଆଉ ମୋ’ର କୌଣସି ଚିନ୍ତା ରହନ୍ତା ନାହିଁ । ସୁଖୀ ଓ ସମ୍ପନ୍ନ ଏକ ସଂସାରରେ ଜନ୍ମଲାଭ କରିଥିଲେ ହୁଏତ ମୁଁ ଏହିପରି ଏକ ଜୀବନକୁ ସବୁଠାରୁ ଭଲ ଜୀବନ ବୋଲି ଗ୍ରହଣ କରିନେଇ ପାରିଥାନ୍ତି । ଧର୍ମଶାସ୍ତ୍ର ପଢ଼ିବାକୁ ମୋତେ ଭାରି ଭଲ ଲାଗେ, ଧର୍ମ କଥା ଶୁଣିବାକୁ ମଧ୍ୟ ଭଲ ଲାଗେ । ସଂସାରର ଅଭାବ ଓ ଦୁଃଖ ଦେଖିବାର ଆଖି ନଥିଲେ ହୁଏତ ମୁଁ ସମସ୍ତ ଅବସର ଭରି ପ୍ରଧାନତଃ ଧର୍ମଚର୍ଚ୍ଚା କରୁଥାନ୍ତି । ମୋ’ ସହିତ ଏହି ସଂସାରରେ ବାସ କରୁଥିବା ମଣିଷଙ୍କର ଜୀବନ ସହିତ ଆପଣାର ଜୀବନ ମିଶାଇ ଏକାଠି ଜୀଇବାର ହୃଦୟ ମୋ’ର ନଥିଲେ ହୁଏତ ମୁଁ ମୋ’ର ସମସ୍ତ ସମୟ ଦେଇ ଭଗବତ୍-ଉପାସନା କରୁଥାନ୍ତି । କିନ୍ତୁ ଏହି ସଂସାରରେ ତାହା ହୋଇ ପାରିବନାହିଁ । ଅନ୍ତତଃ ଏହି ଜନ୍ମରେ ତାହା ହୋଇ ପାରିବ ନାହିଁ । ବହି ପଢ଼ିଲାବେଳେ, ବହି ଲେଖିଲାବେଳେ ବା ଆପଣା ବଗିଚାରେ ମଗ୍ନ ହୋଇ କାମ କଲାବେଳେ ମୁଁ ଏକଥା ଯେପରି ଭୁଲି ନଯାଏ ଯେ, ଏହି ସଂସାରରେ ମଣିଷ ମଧ୍ୟ ଅଛନ୍ତି । ସେମାନଙ୍କର ମାଣ ଓ ସେର ଏପର୍ଯ୍ୟନ୍ତ ପୂରିନାହିଁ, ସେମାନଙ୍କର ରାତି ଏବେ ବି ପାହିନାହିଁ । ମୋ’ ଜୀବନର ନାଡ଼ୀ ପ୍ରଧାନତଃ ସେହିମାନଙ୍କ ସହିତ ଲାଗିଚି, ମୋ’ ହୃଦୟର ଚେର ପ୍ରଧାନତଃ ସେହିଠାରୁ ମାଡ଼ି ଆସିଚି । ଅନ୍ୟାନ୍ୟ ସବୁପ୍ରକାର ସଖ୍ୟ ଅପେକ୍ଷା ପ୍ରଧାନତଃ ସେହି ସଖ୍ୟ ହିଁ ମୋ’ର ଜୀବନର ଦିଗ ନିର୍ଣ୍ଣୟ କରିବ ।

 

୧୯ । ୪ । ୬୫

 

ଏହି ଦେଶରେ ବା ଏହି ପୃଥିବୀରେ କେଉଁଦିନ ପ୍ରତ୍ୟେକ ମଣିଷକୁ ମଣିଷର ସମ୍ମାନ ମିଳିବାଭଳି ବାତାବରଣ ସୃଷ୍ଟି ହେବ, ମୁଁ ସେକଥା କହି ପାରିବି ନାହିଁ । କିନ୍ତୁ ଆଗ ସବୁଆଡ଼େ ଏପରି ଏକ ବାତାବରଣ ସୃଷ୍ଟି ହୋଇ ସାରିଲେ ଯାଇ ମୁଁ ପ୍ରତ୍ୟେକ ମଣିଷ ସମ୍ମାନର ସହିତ ଦେଖି ଶିଖିବି, ଏପରି କହିବାରେ ମୁଁ କୌଣସି ଯୁକ୍ତି ଦେଖି ପାରୁନାହିଁ । ମୋ’ର ପ୍ରତିଦିନର ସମ୍ପର୍କ ଓ ଆଚାରରେ ମୁଁ ମଣିଷକୁ ମଣିଷ ସମ୍ମାନ ଦେବାକୁ ଏକ ଆବଶ୍ୟକ ନିୟମ ବୋଲି ଗ୍ରହଣ କରିନେବି-। ମୋ’ର ବାଟ ହେଉଚି ଏହିପରି । ଆପଣା ଜୀବନର କ୍ଷେତ୍ର ଦେଇ ଏହି ବାଟ ସଂସାର ଭିତରକୁ ପଡ଼ିଚି । ମୋ’ ବୁଝିବାରେ ପରିବର୍ତ୍ତନ ମୂଳତଃ ସଂସାରରୁ ଆରମ୍ଭ ହୁଏନାହିଁ, ଏହା ମଣିଷର ଆପଣା ଜୀବନର ଆରମ୍ଭ ହୁଏ । ମୁଁ ଯେଉଁ କଥାକୁ ଜୀବନର ଅନୁକୂଳ ବୋଲି ବିଚାର କରୁଚି, ସେହିକଥା ସର୍ବପ୍ରଥମେ ମୋ’ର ଜୀବନର ହିଁ ସ୍ଥାନ ପାଇବା ଉଚିତ । ଯିଏ ବଦଳିଯାଏ, ଯାହାର ଅନ୍ତର ମୂଳରେ ପ୍ରକୃତରେ ପରିବର୍ତ୍ତନର ଆଲୋଡ଼ନ ସୃଷ୍ଟି ହୁଏ, ସିଏ ଅପେକ୍ଷା କରି ପାରେନାହିଁ-। ଯିଏ ଅପେକ୍ଷା କରି ବସେ, ଯିଏ ଆଗ ବାତାବରଣର ବଦଳିବା ଉପରେ ଜୋର ଦିଏ, ସିଏ ତଥାପି ପରିବର୍ତ୍ତନକୁ ଅଟକାଇ ରଖିବ ବୋଲି ପ୍ରକାରାନ୍ତରେ ହୁଏତ ଇଚ୍ଛା ମଧ୍ୟ କରୁଥାଏ । ମଣିଷକୁ ମଣିଷର ସମ୍ମାନ ଦେଖାଇବାର କ୍ଷେତ୍ରରେ ଆଉ ଏକ କଥା ମଧ୍ୟ ରହିଚି । ମୁଁ ଯେପର୍ଯ୍ୟନ୍ତ ଆପଣାକୁ ମନୁଷ୍ୟୋଚିତ ସମ୍ମାନ ଦେଇ ଦେଖିବାକୁ ଆରମ୍ଭ ନକରେ, ସେପର୍ଯ୍ୟନ୍ତ ଅନ୍ୟମାନଙ୍କୁ ସମ୍ମାନ ଦେଇ ଦେଖିବା ମଧ୍ୟ ସମ୍ଭବ ହୁଏନାହିଁ । ଅର୍ଥାତ୍, ସଂସାରର ମଣିଷକୁ ପ୍ରଧାନତଃ ମୁଁ କେଉଁ ଆଖିରେ ଦେଖିଚି, ତାହା ମୋ’ର ଆପଣା ପ୍ରତି ଆପଣାର ଦୃଷ୍ଟି ହିଁ ନିର୍ଣ୍ଣୟ କରିଥାଏ । ଗୋଟାକର ଅଭାବରେ ଆରଟାର ଅଭାବ ରହିଯାଏ ।

 

୨୦ । ୪ । ୬୫

 

ମୋ’ର ଦୁଃଖ, ମୋ’ର ଚିନ୍ତା ମୋତେ ଆପଣା ବିଚ୍ଛିନ୍ନ ଜୀବନର ଏକୁଟିଆ ଘରକୁ ଯେତିକି ଯେତିକି ଟାଣି ଆଣିବାର ଷଡ଼ଯନ୍ତ୍ର କରୁଥିବ, ସଂସାରର ଅନେକ ସମ୍ପର୍କ ଓ ବନ୍ଧନର ମାୟା ମୋତେ ସେତିକି ସେତିକି ଏହି ସଂସାର ସହିତ ସ୍ନେହମୟ ନିର୍ଭରରେ ବାନ୍ଧି ରଖିଥିବ । ଡେନମାର୍କ ଓ ଭାରତବର୍ଷ ଭିତରେ ସହସ୍ର ସହସ୍ର କୋଶର ବ୍ୟବଧାନ । ଆମେରିକା ତ ଆହୁରି ଦୂର । କାଲି ନବାଗତ ଜଣେ ଆମେରିକାନ୍ ବନ୍ଧୁଙ୍କୁ ଆଗ୍ରା ସହର ଦେଖାଇ ବୁଲୁଥିବା ବେଳେ ହଠାତ୍ ଡେନମାର୍କର ଏକ ଦମ୍ପତିଙ୍କ ସହିତ ଦେଖା ହେଲା । ସେମାନଙ୍କ ମଟରର ନମ୍ବରରୁ ସେମାନେ ଡେନ୍‌ମାର୍କରୁ ଆସିଚନ୍ତି ବୋଲି ଜାଣିପାରି ମୁଁ ବେଳେବଳେ ସେମାନଙ୍କ ସହିତ ପରିଚିତ ହେବାକୁ ଗଲି । ତା’ପରେ ଯାହା ହେଲା ଆଉ କହିବା ଦରକାର ନାହିଁ । ଏକାବେଳେକେ ଶେଷ ଗାଡ଼ିରେ, ଅର୍ଥାତ୍ ଯେଉଁ ଗାଡ଼ିରେ ନଫେରିଲେ ଆଉ ଘରକୁ ଆସି ହୋଇନଥାନ୍ତା, ସେହି ଗାଡ଼ିରେ ଏଠାକୁ ଫେରିଲି । କଥାବାର୍ତ୍ତା, ରଙ୍ଗରସ, ଖିଆପିଆ ସବୁ ହେଲା । ଫେରିଲା ବେଳକୁ ଭାବୁଥିଲି, ଯେପରି ମୁଁ ଡେନ୍‌ମାର୍କରୁ ଖାଲି ପାଠ ପଢ଼ିବାକୁ ଯାଇନଥିଲି । ସେଠି ବାସ କରୁଥିବା ମଣିଷ ସହିତ ଡୋର ଲଗାଇବାକୁ ଯାଇଥିଲି । ମୋ’ର ଜୀବନଘରର କାନ୍ଥଗୁଡ଼ାକୁ ଡେନ୍‌ମାର୍କର ଅନେକ ଘରକୁ ସମ୍ପ୍ରସାରିତ କରିବାକୁ ମଧ୍ୟ ଯାଇଥିଲି । ତେଣୁ, ଆଜି ଏତେବର୍ଷ ପରେ ମଧ୍ୟ ଡେନ୍‌ମାର୍କର କୌଣସି ମଣିଷକୁ ରାସ୍ତା ଉପରେ ହାବୁଡ଼ିଗଲେ ମଧ୍ୟ ସେଠି ଘର ବାନ୍ଧିହୋଇ ଗଲାପରି ମୁଁ ଅନୁଭବ କରୁଚି-। ଏହି ସଂସାରରେ ଏକୁଟିଆ ବୋଲି ଭାବିବାକୁ ମୋ’ର ଆଉ ବେଳ ନାହିଁ ।

 

୧୫ । ୮ । ୬୫

 

ଦେଶ ବିଷୟରେ ମୋ’ର କେବେ କୌଣସି ମୋହ ହୋଇନାହିଁ । ଦେଶ କହିଲେ ମୁଁ ସବୁବେଳେ ପ୍ରଧାନତଃ ଏହି ଦେଶରେ ବାସକରୁଥିବା ମଣିଷମାନଙ୍କୁ ହିଁ ବୁଝିଚି । ତଥାପି ଆଜି ମୋ’ର ଏହି ପ୍ରିୟ ଦେଶଟିକୁ ଗ୍ରାସ କରିବାଲାଗି ଭିତରୁ ବା ବାହାରୁ ଯେଉଁ ଉଗ୍ର ବିପଦମାନ ମାଡ଼ି ଆସୁଚି, ସେହି ବିପଦର ସମ୍ମୁଖୀନ ହେବାକୁ ଏବଂ ଆବଶ୍ୟକ ହେଲେ ସେଥିଲାଗି ଜୀବନପଣ କରିବାକୁ ମଧ୍ୟ ମୁଁ ପ୍ରସ୍ତୁତ ଅଛି । ଏହି ଦେଶର ଭାଗ୍ୟ ସହିତ କେତେ କେତେ ମଣିଷର ଭାଗ୍ୟ ଜଡ଼ିତ ହୋଇରହିଚି । ଏହି ଦେଶର ଉଦ୍ୟମ କେତେ ସାଂସ୍କୃତିକ ପରମ୍ପରା ଓ ମାନବିକ ମୂଲ୍ୟର ପ୍ରେରଣା ନିହିତ ହୋଇରହିଛି । ସେହି ପରମ୍ପରା ଓ ସେହି ମୂଲ୍ୟଗୁଡ଼ିକୁ ଯିଏ ଷଡ଼ଯନ୍ତ୍ର କରି ନଷ୍ଟ କରିବାକୁ ଆସୁଛି, ତାହାକୁ ହିଁ ମୁଁ ମୋ’ର ବୈରି ବୋଲି କହିବି । ଦେଶର ଭିତରେ ବା ବାହାରେ ସେ ଯେଉଁଠାରେ ଥାଉ ପଛକେ, ତାହାର ବିରୁଦ୍ଧରେ ହିଁ ମୁଁ ଯୁଦ୍ଧ ଘୋଷଣା କରିବି । ଭାରତବର୍ଷ ଭିତରେ ଏହି ମାନବିକ ପରମ୍ପରା ଓ ମୂଲ୍ୟଗୁଡ଼ିକର ରକ୍ଷା କରିବାଲାଗି ଯେତିକି ଦେଶ ଭକ୍ତି ଦରକାର ମୋ’ ଭିତରେ କେବେହେଲେ ସେହି ଦେଶଭକ୍ତ ଊଣା ହୋଇ ଯିବନାହିଁ । କୌଣସି ଭୟଭାବନା ମୋ’ର ଆପଣା ଜାତୀୟ କ୍ଷେତ୍ରରେ ମୋ’ର କର୍ତ୍ତବ୍ୟରୁ ମୋତେ ଅପସରାଇ ନେବନାହିଁ ।

 

୧୬ । ୮ । ୬୫

 

କାଲି ପତାକାତଳେ ଠିଆ ହୋଇ ଜାତୀୟ ସଙ୍ଗୀତ ଗାଇଲି, ଏହି ପତାକାକୁ ମୋ’ର ବୋଲି କହି ମୁଁ କେତେ ଗର୍ବ ଅନୁଭବ କଲି । ତଥାପି ଭିତରକୁ ଅନାଇ ଆପଣ ପାଖରେ ପଚାରୁଥାଏ, ଏହି ସ୍ଵାଧୀନତା ପ୍ରକୃତରେ କେତେ ଦୂରରେ ବର୍ତ୍ତମାନ ମଧ୍ୟ ନରହିଚି । ସଂସାରଟା ଯାକ ସବୁଦିନେ ଯେପରି ଅଧିକରୁ ଅଧିକ ଲଢ଼େଇ ଉପରେ ହିଁ ବିଶ୍ଵାସ କରି ଶିଖିଚି । ମିଛ ଓ ଚତୁରତାକୁ ହିଁ ସଫଳ ସମଷ୍ଟିଗତ ଜୀବନର ଚାବିକାଠି ବୋଲି ମାନି ନିଆଯାଉଚି । ଏଣେ ମଣିଷ ଉପରେ ମଣିଷର ଦୌରାତ୍ମ୍ୟ ଚାଲିଚି । ମଣିଷ ଦରିଦ୍ର କରି ରଖି ଦଳେ ଧନୀ ହୋଇ ରହିଛନ୍ତି, ମଣିଷକୁ ମେଣ୍ଢା କରି ରଖି ଦଳେ ନେତା ହୋଇ ରହିଚନ୍ତି । ମଣିଷକୁ ନାନାପ୍ରକାର ନିଶାରେ ଆତ୍ମବିସ୍ତୃତ କରାଇ ରଖି ଦଳେ ସଂସାରଟାକୁ ଛାରଖାର କରିବାର ଉତ୍ସାହରେ ମତିଚନ୍ତି । ଏଠି ଗୌରବ ଅନୁଭବ କରିବାର ଅବକାଶ ବା କେଉଁଠି ରହିଲା ? ବୟସ ଓ ଅଭିଜ୍ଞତାରେ ବୁଢ଼ା ହେବା ସଙ୍ଗେ ସଙ୍ଗେ ମୋ’ର ଏତିକି ଅନୁଭୂତି ହେଉଚି ଯେ, ଆପଣାର ଆଦର୍ଶ ଓ ସ୍ଵପ୍ନ ଅନୁସାରେ ହିଁ ବାଟ ଚାଲିବାର ଶକ୍ତି ଓ ସ୍ଵାଧୀନତା ମୋ’ର ଅବଶ୍ୟ ରହିଚି । ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମୁଁ ଏତିକି କରିପାରୁଥିବି କି ?

 

୧୭ । ୮ । ୬୫

 

କାଲି ସନ୍ଧ୍ୟାବେଳେ ବଗିଚାରେ କାମ କରୁଥିବା ସମୟରେ ଫୁଟି ଆସୁଥିବା ଗୋଲାପର କଢ଼ଗୁଡ଼ିକୁ ମୁଁ କେତେ ସ୍ନେହର ସହିତ ଅନାଇ ନଥିଲି ! ଭାବୁଥିଲି, ଜଗତରେ ସ୍ନେହ ଦେଇପାରିଲେ ସ୍ନେହର ଭାଜନ ହେବାକୁ ଆଉ କୌଣସି ପରିଶ୍ରମ କରିବାକୁ ପଡ଼େନାହିଁ । ଯତ୍ନ ଦେଇପାରିଲେ ଯତ୍ନର ଭାଜନ ହେବାକୁ ଆଉ କୌଣସି ପ୍ରକାର ଧନ୍ଦି ହେବାକୁ ପଡ଼େ ନାହିଁ । କାମ ସାରି ମୁଁ ଖେତଆଡ଼େ ବୁଲିଗଲି । ତେଣୁ ଆସି ଦେଖିଲି, ସଂସାରରେ ସ୍ନେହ ଓ ଯତ୍ନକୁ ଆତ୍ମସାତ୍ କରିବାକୁ ଜୀବନର ଧର୍ମ ବୋଲି ବିଶ୍ଵାସ କରୁଥିବା କେଉଁ ଅଜ୍ଞାନ ମଣିଷ ଗୋଲାପ କଢ଼ି ଗୁଡ଼ିକୁ ଚୋରି କରି ନେଇଯାଇଚି । ସେତେବେଳକୁ ଅନ୍ଧାର ହୋଇ ଯାଇଥାଏ । ଅନ୍ଧାର ଭିତରେ ଗୋଲାପଗଛ ଗୁଡ଼ିକର ଏହି ରୁଷ ରୂପ ମୋତେ ସତେ ଯେପରି ଆହୁରି ଅଧିକ ରୁକ୍ଷ ବୋଲି ମନେ ହେଲା । ରାତିଟାଯାକ ଆଉ ଭଲ ଲାଗିଲାନାହିଁ । କେତେ ଅଜ୍ଞାତ ଚୋରଙ୍କ ଉପରେ କେତେ ରାଗ ହେଲା । ଶୋଇଲାବେଳେ ଭଗବାନଙ୍କ ପରିବର୍ତ୍ତେ ହଜି ଯାଇଥିବା ଫୁଲଗୁଡ଼ିକ ଅର୍ଥାତ୍ ସ୍ନେହ ଓ ଯତ୍ନ ଓ ଆଦରକୁ ଝୁରିଝୁରି ଶୋଇଲି । ବଡ଼ି ସକାଳେ ବର୍ତ୍ତମାନ ବଗିଚାକୁ ଯାଇ ଦେଖିଲି, ଆହୁରି ଦୁଇଟି ଗଛରେ ନୂଆ କଢ଼ ଦୁଇଟି ଧରିଚି । ସବୁଜ ଆବରଣ ଭିତରୁ ମୁଁ ରଙ୍ଗର ଛଟାଗୁଡ଼ିକୁ ବେଶ୍ ଦେଖିବାକୁ ପାଇଲି । ମୋ’ର ହୃଦୟ ପୂରିଗଲା । କାଲିର କ୍ଷତ ପୂରିଗଲା ପରି ଲାଗିଲା । ଚୋରି କରିବା ମଣିଷ କେବେହେଲେ ଏହି ଆନନ୍ଦା ପାଉଥିବ କି ?

 

୧୮ । ୮ । ୬୫

 

ଯାହାକୁ ମୁଁ ସୁନ୍ଦରତର ବାଟ ବୋଲି ଅନୁଭବ କରୁଚି, ସେହି ବାଟରେ ହିଁ ମୁଁ ଯିବି, ଆଉ କାହାରିକୁ ମୋ’ରି ବାଟ ଆଡ଼କୁ ଟାଣି ଆଣିବାଲାଗି ମୁଁ କୌଣସି ପରାକ୍ରମ ବା ଉଗ୍ର ଶ୍ରଦ୍ଧା ଦେଖାଇବ ନାହିଁ । ମୋ’ର ଆପଣା ବାଟ ବା ବାଟ ଚାଲିବା ବିଷୟରେ ମୁଁ କୌଣସି କୋଳାହଳ କରିବିନାହିଁ । ଅଥଚ ଅନ୍ୟାୟ ଦେଖିଲେ ମୁଁ ତାହାକୁ ଅନ୍ୟାୟ ବୋଲି କହିବାକୁ ଅନ୍ତତଃ କଦାପି ହଟିବନାହିଁ । ମୁଁ ଭାବୁଚି, ଗୋଟାଏ ଜୀବନଲାଗି ଏହାହିଁ ଯଥେଷ୍ଟ । ମୁଁ ଭାବୁଚି ଜୀବନର ବୋଲ ମାନିବାଲାଗି ବା ଜୀବନ ଧର୍ମର ପାଳନ କରିବାଲାଗି ଏତିକି ଯଥେଷ୍ଟ । ଏହାଦ୍ୱାରା ମୋ’ର ସଂସାର ବା ମୋ’ ଜୀବନର ପ୍ରସାର ବିଷୟରେ ମୁଁ କୌଣସି ବୈରାଗ୍ୟ ବା ତୃଷ୍ଣାରହିତତାର ଆଚରଣ କରିବାକୁ ଯାଉନାହିଁ । ମୋ’ ଜୀବନ ବଞ୍ଚିବାକୁ ଓ ତାହାକୁ ସାର୍ଥକଭାବେ ବଞ୍ଚିବାକୁ ହିଁ ମୁଁ ଆତ୍ମବିକାଶ ଓ ଯେକୌଣସି ପରିବର୍ତ୍ତନର ଜନନୀ ବୋଲି ମନେ କରୁଚି । ସମାଜରେ ବି ଯେଉଁ ପରିବର୍ତ୍ତନ ହେଉ ବୋଲି ମୁଁ କାମନା କରୁଚି, ସେଥିଲାଗି ମୋ’ର କୋଳାହଳ ଲୋଡ଼ାନାହିଁ, ସେଥିଲାଗି ମୋ’ର ଉଗ୍ର ଭାଷଣ ଲୋଡ଼ାନାହିଁ । ସେହି ପରିବର୍ତ୍ତନ ଲାଗି ନିଜକୁ ମୁଁ ପ୍ରଥମେ ଉତ୍ସର୍ଗ କରିଦେବି, ମୋ’ ସହିତ କେହି ନ ଆସିଲେ ମଧ୍ୟ ମୁଁ ସେଇଥି ଲାଗି ଉତ୍ସର୍ଗ କରି ଦେଇପାରିବି, ଜୀବନର ଦାଣ୍ଡରେ ମୋ’ ଠାରୁ ଅଧିକ ଆଜି ଏହି ସାହସର ଆବଶ୍ୟକତା ହେଉଚି, ମୋ’ ନିଷ୍ପତିର ଲୋଡ଼ା ପଡ଼ିଚି ।

 

୧୯ । ୮ । ୬୫

 

ସକାଳୁ ମୁଁ ତରତର ଉଠି ଆମର Swimming Poolକୁ ପହଁରିବାକୁ ଯାଏ । ଆଉ କେହି ପହଞ୍ଚିବା ପୂର୍ବରୁ ମୁଁ ସେଠାରେ ଯାଇ ପହଞ୍ଚିଯାଏ ବୋଲି ସବୁଦିନେ ମନେ ମନେ କେତେ ଗୌରବ ଅନୁଭବ କରେ । ଏତେ ସକାଳୁ ମୁଁ ଉଠିପାରୁଚି ବୋଲି ଆପଣାର ଭାରି ପ୍ରଶଂସା ମୁଁ କରିଥାଏ । କିନ୍ତୁ ରାସ୍ତା ଡେଇଁ ଗଲାବେଳେ ସବୁଦିନ ଦୁଇଜଣ ଘାସକଟାଳିଙ୍କୁ ଦେଖେ । ସେତେବେଳକୁ ସୂର୍ଯ୍ୟ ଉଠିନଥାନ୍ତି । ଆପଣ ଗାଆଁରୁ ସେମାନେ କେତେ ସହଳ ଉଠି ଆସିଥାନ୍ତି କେଜାଣି, ମୋ’ ସହିତ ଭେଟ ହେଲାବେଳକୁ ସେମାନେ ରାସ୍ତାକଡ଼ ଅରମା ଭିତରୁ ଗୋଟାଏ ବୋଝ ଘାସ କାଟି ସାରିଥାନ୍ତି । ସେମାନେ ସ୍ଵାମୀ ସ୍ତ୍ରୀ, ବୟସ ବେଶୀ ହେବନାହିଁ । ହୁଏତ ଘରେ ସାନ ପୁଅଝିଅଙ୍କୁ ଖୁଆଇ ଦେଇ ଆସିଥାନ୍ତି । ସେମାନଙ୍କୁ ଦେଖିବା ମାତ୍ରକେ ମୋ’ର ସବୁ ଆତ୍ମଗୌରବ ଏକ ପ୍ରକାର ବିନୟରେ ମିଳାଇ ଗଲାପରି ମନେହୁଏ । ସକାଳୁ ଉଠିବାର ନିଷ୍ଠା ସେମାନଙ୍କୁ କିଏ ଦେଲା ? କେବଳ ଆର୍ଥିକ ଆବଶ୍ୟକତା କ’ଣ ସେମାନଙ୍କୁ ଏପରି ନିଷ୍ଠାପର ଭାବରେ ସବୁଦିନ ସକାଳେ ଜୀବନ ଧନ୍ଦାରେ ବାହାର କରି ଦେଇପାରୁଚି ? କେବଳ ଦାରିଦ୍ର୍ୟର ତାଡ଼ନରେ କ’ଣ ସେମାନେ ଏଡ଼େ ସରାଗରେ ସକଳ ନ ହେଉଣୁ କାମକୁ ବାହାରି ଆସୁଚନ୍ତି ?

 

୨୦ । ୮ । ୬୫

 

ଆଜି ପୁଣି ସେହି ଦୁଇଜଣ ଘାସକଟାଳିଙ୍କ କଥା ମନେପଡ଼ୁଚି । ହୁଏତ ସେମାନେ ଯଦି ଅବସ୍ଥାସମ୍ପନ୍ନ ହୋଇଥାନ୍ତେ, ତେବେ କଦାପି ଏତେ ସକାଳୁ ଉଠି ଏତେ ନିଷ୍ଠାର ସହିତ ଆପଣା କାମରେ ଲାଗି ଯାଆନ୍ତେ ନାହିଁ । ପାଞ୍ଚବର୍ଷ ପରେ ସେମାନଙ୍କର ଆର୍ଥିକ ଅଭାବ କିଞ୍ଚିତ୍ ଲଘୁ ହୋଇଗଲେ ହୁଏତ ସେମାନଙ୍କର ନିଷ୍ଠା ମଧ୍ୟ ଅନ୍ୟଆଡ଼କୁ ବିକ୍ଷିପ୍ତ ହୋଇଯିବ, ସେମାନେ ଜୀବନର ଏହି ଧନ୍ଦା ଓ ଖଟିବା ବିଷୟରେ କ୍ରମେ ବିରକ୍ତି ଅନୁଭବ କରିବେ । କୌଣସି ଅଭାବ ନଥିବା ଅନେକ ଲୋକଙ୍କୁ ମୁଁ ଦେଖିଚି, ଯେଉଁମାନେ ସବୁପ୍ରକାର ଅଭାବ ପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ତଥାପି ଜୀବନଆଡ଼କୁ ଆକୃଷ୍ଟ ହୋଇ ପାରନ୍ତିନାହିଁ, ତଥାପି ସେମାନଙ୍କୁ ଏହି ଜୀବନଟା କେବଳ ଚିକିଟା ଓ ନିରାନନ୍ଦମୟ ଲାଗେ । ସେମାନଙ୍କର ଶରୀର, ମନ ଓ ହୃଦୟ ମାଦଳ ହୋଇ ରହିଥାଏ,—ଜୀବନ ବଞ୍ଚିବାଟା ସେମାନଙ୍କୁ ପ୍ରଧାନତଃ ବୋଝ ବୋଲି ମନେହୁଏ । କିନ୍ତୁ ତଥାପି ମୁଁ କହିବି, ଦାରିଦ୍ର୍ୟ ଜୀବନନିଷ୍ଠାର କାରଣ ନୁହେଁ । ନିଷ୍ଠା ଥିଲେ ଦରିଦ୍ର ଅବସ୍ଥାରେ ମଧ୍ୟ ମଣିଷ ଜୀବନ ପ୍ରତି ଆକୃଷ୍ଟ ହୋଇପାରେ ।

 

୨୧ । ୮ । ୬୫

 

ଆଜି ସକାଳେ ଠିକ୍ ମୋ ଜୀବନର ପ୍ରଥମ ସକାଳ ପରି ଲାଗୁଚି । ପଛରେ ଗ୍ଳାନି, ପଛବାଟର ନାନା ବିଫଳତା ମୋତେ ଅନେକ ଦିନ ସକାଳେ ମଧ୍ୟ ପଛମୁହାଁ କରି ରଖିଥାଏ, ସମ୍ମୁଖରେ ପଡ଼ିଥିବା ବାଟ ଲାଗି ବଡ଼ ଅପ୍ରସ୍ତୁତ ଓ କୁଣ୍ଠିତ କରି ରଖିଥାଏ । କିନ୍ତୁ ଆଜି ପୂର୍ବଦିଗର ଶାନ୍ତ ଆକାଶକୁ ଅନାଇଦେବା ମାତ୍ରକେ ମୁଁ ଅନୁଭବ କରୁଚି, ମୋତେ ମଧ୍ୟ ଆଜିଦିନଟି ପରି ନୂଆ ହୋଇ ବାଟ ଚାଲିବାକୁ ହେବ । ସମ୍ମୁଖରେ ଅନନ୍ତ ପଥ ପଡ଼ିଚି, ହୃଦୟ ଭିତରେ ଅମିତ ବାସନା ଭରି ରହିଚି, ଖାସ୍ ବାଟ ଚାଲିବା ଲାଗି ହିଁ ମୋର ଗୋଡ଼ ଦୁଇଟା ସତେ ଯେପରି କାହାର ଆଶୀର୍ବାଦ ନେଇ ଆସିଚି । ମୋତେ ଯିବାକୁ ହେବ, ନୂତନ ପଥର ସକାଳର ସହ ପଥିକ ହୋଇ ବାହାରିବାକୁ ପଡ଼ିବ । ଯେଉଁ ବିଶ୍ୱାସରେ ମଣିଷ ଏପରି ସଜ ହୋଇ ଆପଣ ବାଟରେ ବାହାରି ଯାଇପାରେ, ତାହାକୁ ତୁମେ ଆତ୍ମବିଶ୍ଵାସ ବୋଲି କହିବ, ମୁଁ ତାକୁ ଭଗବଦ୍-ବିଶ୍ଵାସ ବୋଲି କହିବି-। ଏହି ସୃଷ୍ଟି ଭଲ ଲାଗିଲେ ଯାଇ ବାଟ ଚାଲିବାକୁ ଏତେ ଅଭୟ ମିଳେ । ଏହି ଜୀବନ ଭଲ ଲାଗିଲେ ଯାଇ ହୃଦୟ ସହଜ ହୋଇ ବାହାରି ପାରିବାର ସ୍ଵାଭାବିକତା ଅର୍ଜନ କରେ । ଭଗବଦ୍-ବିଶ୍ଵାସ ବ୍ୟତୀତ ଏହି ଭଲ ଲାଗିବାଟା କିପରି ସମ୍ଭବ ହୋଇପାରିବ ? ଭଗବଦ୍-ବିଶ୍ଵାସ ବ୍ୟତୀତ ଏହି ଜଗତ ଠିକ୍ ଆପଣାର ଘର ପରି କିପରି ମନେହେବ ?

 

୨୮ । ୮ । ୬୫

 

ଆଜି ଦିନଲିପି ହିସାବରେ ମୁଁ ଏଠି କ’ଣ ଲେଖିବ, ସେହିକଥା ଭାବି ଭାବି ପ୍ରାୟ ଦଶ ମିନିଟ ଚାଲିଗଲାଣି । ହଠାତ୍ ଭାବୁଚି, ମୁଁ କ’ଣ କରିବି ବା କ’ଣ ହେବି ଏହିକଥା ଭାବି ଭାବି ଦିନେ ମୋର ଜୀବନଟା ମଧ୍ୟ ସରି ଯିବନାହିଁ ତ ? ମୁଁ ଅବଶ୍ୟ ଏକଥା ମଧ୍ୟ ଜାଣେ ଯେ, ଜୀବନରେ ଯାହାକିଛି କରିବାକୁ ଥିଲା, ମୁଁ ତାହା ସବୁ କରିସାରିଲି, ତେଣୁ ମୋ’ର ଆଉ କିଛି କରିବାକୁ ନାହିଁ, ଏପରି କହିବାର ବେଳ କେବେହେଲେ ଆସିବନାହିଁ । କିନ୍ତୁ ଆପଣା କ୍ଷେତ୍ର ବିଷୟରେ ଏହି ଆଳସ୍ୟ ଆଦୌ ସହ୍ୟ ହୁଏ ନାହିଁ । ଯେତେବେଳେ ଆପଣା କ୍ଷେତ୍ର ଭଲ ଲାଗେ, ଆପଣା କାମ ଭଲ ଲାଗେ, ନାନା ମାୟାରେ ନାନା ମଣିଷଙ୍କ ସହିତ ସହଜ ସମ୍ବନ୍ଧରେ ସୂତ୍ରମାନ ଯୋଡ଼ି ହୋଇଯାଏ, ସେତେବେଳେ ଭାବିବାକୁ ପଡ଼େନାହିଁ । ଭାବନା ବଳେ ଆସେ । ସେତେବେଳେ ଅଳସୁଆ ହୋଇ ବସି ରହିବାକୁ ପଡ଼େନାହିଁ । ଜୀବନର ବହୁ କ୍ଷେତ୍ରରେ ନିଜକୁ ସମର୍ପଣ କରିଦେବାର ପ୍ରେରଣାର ଦିନଗୁଡ଼ିକୁ ମୁଁ ମୋ’ର ଜୀବନରେ ନିଜେ ଅନୁଭବ କରିଚି । ଏହି ଜଗତର ଆକର୍ଷଣ ଓ ଆହ୍ଵାନରେ ମୁଁ ଆପେ ଅନୁଭୂତ ହୋଇପଡ଼ିଚି । ମୁଁ ଜୀବନ ଭିତରେ ଅଭିଭୂତ ହୋଇ ରହିବାକୁ ଚାହେ । ମୁଁ ଉଦ୍‍ବୁଦ୍ଧ ହୋଇ ରହିବାକୁ ଚାହେ ।

 

୨୩ । ୮ । ୬୫

 

ଆପଣାର ଚିତ୍ତବିକ୍ଷେପରେ ବିରକ୍ତି ଓ ବିଚଳିତ ହୋଇ ସଂସାର ଭିତରୁ କେଉଁ ଏକାନ୍ତକୁ ପଳାଇଯିବାକୁ ମନ କହୁଚି । ସଂସାରରେ ସ୍ଥିର ହୋଇ ଆପଣାର ଅଭିଳଷିତ ଶ୍ରେୟ ପଛରେ ଯିବାର ଶକ୍ତି ଯେପର୍ଯ୍ୟନ୍ତ ଅର୍ଜନ ନ କରିଚି, ସେ ପର୍ଯ୍ୟନ୍ତ ସଂସାରରେ ଏଇଟା ସହିତ ବା ସେଇଟା ସହିତ ଖୁରି ଖାଇବାରେ ବା ଖେଳିବାରେ ମୋ’ର ଆଉ କି ଅଧିକାର ରହିଚି ? ମୋ’ ଦ୍ଵାରା ଏହି ସଂସାରର କାହାର କେଉଁ ଉପକାର ହେବ ? କିନ୍ତୁ ପୁଣି ଭାବୁଚି, ଏକାନ୍ତରେ ବସି କ’ଣ ମୁଁ ତଥାପି ସ୍ଥିର ହୋଇପାରିବ ? ଏକାନ୍ତ ହେବାର ସର୍ବସିଦ୍ଧ ଉପାୟ କ’ଣ ରହିଛି କି ନରହିଚି, ମୁଁ ସେକଥା କହିପାରିବି ନାହିଁ ? କିନ୍ତୁ, ଆପଣାକୁ ମୁଁ ସେତିକି ପରିମାଣରେ ବୁଝିଚି, ତାହାରି ଭୂମି ଉପରେ ଆପଣା ବିଷୟରେ ହିଁ ମୁଁ ଏକଥା କହୁଚି । ମଣିଷ ଭିତରେ ରହି ଜଣେ ମଣିଷ ହିସାବରେ ପାକଳ ହୋଇ ଶିଖିବା ହେଉଚି ମୋ’ର ବାଟ । ସଂସାର ଭିତରେ ରହି ତଥାପି ଆପଣାକୁ ଅଧିକ ପରିପକ୍ଵ ଓ ଅଧିକ ସମର୍ପିତ କରି ଶିଖିବା ହେଉଚି ମୋ’ର ସ୍ଵଧର୍ମ । ଯେତେବେଳେ ଆପଣାକୁ ସବୁଠାରୁ ଆପଣାର ମନେହୁଏ, ଯେତେବେଳେ ଆପଣାର ଶ୍ରେୟ ଓ ଆପଣାର ଚେଷ୍ଟା ମଧ୍ୟରେ କୌଣସି ପ୍ରକାର ବ୍ୟତିକ୍ରମ ବା ବିରୋଧ ରହେ ନାହିଁ, ସେତେବେଳେ ମୁଁ ଆପଣାର ଗୁପ୍ତ ରତ୍ନଗୁଡ଼ାକୁ ନେଇ କେଉଁ ଏକାନ୍ତ ଭୋଗଭଣ୍ଡାରକୁ ଦଉଡ଼ି ପଳାଇବାର କୌଣସି ଲାଳସା ଅନୁଭବ କରେ ନାହିଁ । ସେତେବେଳେ ମୋ’ର ସକାଳ ସମ୍ପଦ ହିଁ ସକଳ ଗୌରବ ନେଇ ଏକାନିଃଶ୍ଵାସକେ ମଣିଷ ଭିତରକୁ ଧାଇଁ ଆସିବାକୁ ମନ ହୁଏ ।

 

୨୪ । ୮ । ୬୫

 

କୌଣସି ଏକ ପତ୍ରିକାରେ Karl Jaspersଙ୍କର ଏକ ଲେଖା ପଢ଼ୁଥିଲା । ଆପଣାର ଜୀବନରେ ସେ କେଉଁଠାରୁ କି ପ୍ରେରଣା ପାଇଚନ୍ତି, ଜୀବନରେ ଉଦ୍ୟତ ଓ ପ୍ରେରିତ ରହିବାଲାଗି କେଉଁ ଉତ୍ସରୁ ସେ ଶକ୍ତି ସଂଗ୍ରହ କରିଚନ୍ତି, ସେ ସେହି ବିଷୟରେ ଲେଖିଚନ୍ତି । ମୋ’ ଜୀବନରେ ପ୍ରେରଣାର ଉତ୍ସ କେଉଁଠି ? ଭାବି ବସିଲେ ଅନେକ ଜାଗାରେ ମୋ’ର ପ୍ରଶ୍ନ ଅଟକି ଅଟକି ଯାଏ । ସେହି ସବୁ ଜାଗାରେ ସତେ ଯେପରି ଉତ୍ତର ପାଇଗଲା ପରି ଲାଗେ । ତଥାପି କେବଳ କେତୋଟି ଜାଗାରେ ମୋ’ର ଉତ୍ତରକୁ କ୍ଷେତ୍ରବଦ୍ଧ ସୀମିତ ରଖିବାକୁ ମଧ୍ୟ ମନ ହୁଏନାହିଁ । ସବୁଠାରୁ ଅଧିକ ପ୍ରେରଣାଶକ୍ତି ମୁଁ ଏହି ପ୍ରକୃତିରୁ ପାଇଚି । ପ୍ରକୃତି ଭିତରେ ରହିଥିବା ସୌନ୍ଦର୍ଯ୍ୟ ଓ ଐକ୍ୟତାନର ଅନୁଭବ କରି ମୁଁ ମଣିଷ ଜୀବନରେ ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଓ ଐକ୍ୟତାନର ଆବିଷ୍କାର କରିବାକୁ ପ୍ରବୃତ୍ତ ହୋଇଚି । ପ୍ରକୃତିର ଛନ୍ଦ ସହିତ ସମ୍ମିଳିତ ହେବାର ପ୍ରୟାସ କରି ମୁଁ ସବୁ ମଣିଷ ସହିତ ଓ ଏପରିକି ଭଗବାନଙ୍କ ସହିତ ଛନ୍ଦସଂଯୋଗ ଲାଗି ମଧ୍ୟ ଅନୁପ୍ରାଣିତ ହୋଇପାରିଚି । ମୋ’ର ଉତ୍ସକୁ ମୁଁ ଜୀବନର ପ୍ରବାହରେ ପରିଣତ କରିଚି ।

 

୨୫ । ୮ । ୬୫

 

ଏହି ଖାତାରେ ଆଜି ମୁଁ କ’ଣ ଲେଖିବି, ଦିନେଦିନେ ମୁଁ ଆଗରୁ ସେକଥା ସ୍ଥିର କରି ରଖିଥାଏ । ଥରେ ଥରେ ତିନିଚାରି ଦିନର ଲେଖିବା ସାମଗ୍ରୀ ହଠାତ୍ କେଉଠୁ ନିର୍ଭର ଆସି ପହଞ୍ଚି ଗଲାପରି ମୋ’ର ଗ୍ରହଣ ଓ ନିବେଦନର ଦ୍ଵାର ପାଖରେ ଆସି ପହଞ୍ଚି ଯାଇଥାଏ । ଦିନେଦିନେ ଏଠି ଆସି ବସିବା ସଙ୍ଗେ ସଙ୍ଗେ କେଉଁ ଜୀବନବିଧାତାର Conditioning ମାନି ଲେଖିବା ସାମଗ୍ରୀ ଆପେ ଆପେ ଆସି ଜୁଟିଯାଏ । ଆଉ କେଉଁଦିନ କିଛି ମନେ ପଡ଼େନାହିଁ । ସ୍ଥାନ ପୂରଣ କରିବା ଲାଗି ରୀତିମତ କସରତ ଦରକାର ହୁଏ । ସଂସାରର ଅର୍ଥାତ୍ ମୋତେ ବ୍ୟାକୁଳ ଅସ୍ଥିର କରି ରଖିଥିବା ସକଳ ସମସ୍ୟାର ସମାଧାନ ଆଗ ହୋଇସାରିଲେ ଶାନ୍ତ ବାତାବରଣ ଭିତରେ ଯାଇ ମୁଁ କିଛି ଲେଖିବାକୁ ସମର୍ଥ ହୋଇପାରିବି, ସେଦିନ ଅତି ଦୁଷ୍ଟ ପିଲାଙ୍କ ପରି କେଉଁ ଜନନୀ ପାଖରେ ଏହିପରି ଅଳି କରିବାକୁ ମନ ହୁଏ । ମନକୁ ନାନାପ୍ରକାର ଅଙ୍କୁଶ ମାରି ବା ଲୋଭ ଦେଖାଇ ମଙ୍ଗାଇକରି ଏଠି ଆଣି ବସାଇବାକୁ ହୁଏ । ଦିନେ ଦିନେ ମନ ଆପେଆପେ ଶାନ୍ତ ହୋଇଯାଏ, କଲମ ଆପେଆପେ ସ୍ଥିର ହୋଇଯାଏ, ଚିତ୍ତ ଆପେଆପେ ପ୍ରସନ୍ନ ଓ ପୂର୍ଣ୍ଣ ହୋଇଯାଏ । କେଉଁଦିନ ଏହି ସ୍ଥିରତାର ଅଭାବରେ ମୋ’ର ସମସ୍ତ ମନ ଉତ୍ତେଜିତ ହାହାକାର କରୁଥାଏ । କିନ୍ତୁ ଯେଉଁଦିନ ଯେପରି ଅବସ୍ଥାରେ ଥାଏ ପଛକେ, ଚେତା ସବୁଦିନ ଥାଏ । ଏଠି ଯେ ବସିବାକୁ ହେବ, ଜୀବନ ସହିତ ଯେ ହିଁ ଭରିବାକୁ ହେବ, ଏ ଚେତା ସବୁଦିନେ ଥାଏ ।

 

୨୬ । ୮ । ୬୫

 

ଏଠି କିଛି ଲେଖିଲାବେଳେ ମୁଁ ଭାଷା ଲାଗି ଅପେକ୍ଷା କରି ବସେ ନାହିଁ । ମୋ’ର ଭାବନାଗୁଡ଼ିକ ଯେମିତି ମନ ଭିତରକୁ ଆସେ, ମୁଁ ଠିକ୍ ସେମିତି ସେଗୁଡ଼ିକୁ ଲେଖି ପକାଏ । ଅନେକ ସମୟରେ ବ୍ୟାକରଣର ସଜଡ଼ା ଭାଷା ମଧ୍ୟ ମନେ ରହେ ନାହିଁ । ଭାଷା କେତେଦୂର ସୁନ୍ଦର ହେଉଚି ବା ନ ହେଉଚି, ସେ ବିଷୟରେ ମଧ୍ୟ ପ୍ରାୟ କୌଣସି ହୋସ୍ ନଥାଏ । ବେଳେବେଳେ ପୁନରାବୃତ୍ତି ମଧ୍ୟ ହୋଇଥାଏ । ତଥାପି ମୁଁ ଜାଣୁଛି ଯେ, ଭାଷା ଖୋଜିବାରେ ଲାଳସା ରଖିଥିଲେ ହୁଏତ ମୁଁ ଏଠି ସୁନ୍ଦର ମନୋଗ୍ରାହୀ ସାହିତ୍ୟ ଲେଖି ପାରୁଥାନ୍ତି, ମାତ୍ର ଦିନଲିପି ବା ଜୀବନର ଲିପି ଲେଖି ପାରୁନଥାନ୍ତି । ଆପଣାର ଭାବନାଗୁଡ଼ିକୁ ମୋ’ର ଜାଣିବାର ଇଚ୍ଛାଟା ହୁଏତ ସେତେବେଳେ ଆପଣାର କଥାଗୁଡ଼ାକୁ ସଜାଇ କହିବାର ଇଚ୍ଛାରେ ପରିଣତ ହୋଇଯାଆନ୍ତା-। ସଜାଇ କହିବ ଲାଗି, ସୁନ୍ଦର ଦିଶିବାଲାଗି ତ କେତେ କ୍ଷେତ୍ର, କେତେ ଅବସର ରହିଚି-। ଆପଣାକୁ ଦେଖିବାବେଳେ ପୁଣି ସୁନ୍ଦର ଦିଶିବାର ଚେଷ୍ଟା ମୁଁ କାହିଁକି କରିବି ? ମୁଁ ଭିତରେ ଠିକ୍ ଯେପରି ଭାବରେ ଯେଉଁ ଭାବନା ଦ୍ଵାରା ଆନ୍ଦୋଳିତ ହେଉଚି, ସେହି ଭାବନାଗୁଡ଼ିକୁ ଏହି ଖାତାରେ ଯଦି ଉକୁଟାଇ ପାରିବି, ତେବେ ତାହାହିଁ ସୁନ୍ଦର ହେବ, ତାହାହିଁ ଯୋଗ୍ୟ ହେବ ।

 

୨୭ । ୮ । ୬୫

 

କାଲି ଅଗଷ୍ଟ ଛବିଶି ଦିନଟାଯାକ ମନ ମୋ’ର ଏଠି ନଥିଲା । ଓଡ଼ିଶାର ସେହି ସୁନ୍ଦର ଜଙ୍ଗଲରେ ଯେଉଁଠି ମୁଁ ଚାରିବର୍ଷ କାଳ ଅନେକଙ୍କର ମେଳରେ ଆପଣାର ଆବିଷ୍କାର କରୁଥିଲି, କାଲି ଦିନଟାଯାକ ମୋ’ର ମନ ସେଇଠିକି ଚାଲି ଯାଇଥିଲା । ଅଗଷ୍ଟ ଛବିଶିକୁ ଚମ୍ପତିମୁଣ୍ଡାରେ ଆମେ ଜଙ୍ଗଲ ସ୍କୁଲର ଜନ୍ମଦିନ ରୂପେ ପାଳନ କରୁଥିଲୁ । ବର୍ଷାଦିନର ନୀଳ ଜଙ୍ଗଲ ଓ ନୀଳ ପାହାଡ଼, ସେଠି ସେଦିନ ମୋତେ ମଣିଷ ଜୀବନ ବିଷୟରେ କେତେ ସ୍ଵପ୍ନ ଦେଖାଇ ବୁଲୁଥିଲା । ସେହିଠାରେ ଦେଖିଥିବା ସ୍ଵପ୍ନକୁ ଜୀବନସାର କରି ଆଜି ମଧ୍ୟ ବୁଲୁଚି । ମଣିଷର ଅନ୍ତର୍ନିହିତ ଭଲ ଉପରେ ବିଶ୍ଵାସ କରି ଏବେ ମଧ୍ୟ ମୁଁ ସଂସାରରେ ବୁଲୁଛି । ଜୀବନରେ ଆପଣାକୁ ଏକ ସାର୍ଥକ କ୍ଷେତ୍ରରେ ସମର୍ପଣ କରିଦେବାର ଅଧିକାର ଯେ ମଣିଷର ସବୁଠାରୁ ବଡ଼ ଅଧିକାର, ଏହି ବିଶ୍ଵାସ ନେଇ ମୁଁ ସଂସାରରେ ଆଜି ମଧ୍ୟ ବୁଲୁଚି । ଏହି ବିଶ୍ଵାସ ମୋତେ ସଂସାରରେ ଶିକ୍ଷକ କରାଇଚି, ପ୍ରଚାରକ ହେବାର ପ୍ରମାଦରୁ ସେ ମୋତେ ରକ୍ଷା କରିଚି । କେଉଁଦିନ ବାହାରୁ କୌଣସି ଆଦର୍ଶବାଦ ବା ଆଦର୍ଶ ନେତା ଆସି ଆମ ସମସ୍ତଙ୍କୁ ଶୁଦ୍ଧ ସୁବର୍ଣ୍ଣରେ ପରିଣତ କରି ଦେଇଯିବା, ଏକଥା ଉପରେ ମୋ’ର ବିଶ୍ଵାସ ଦିନକୁ ଦିନ କମି ଯାଇଚି । ମୁଁ ଆଜି ବି ଭାବୁଚି, ଜଙ୍ଗଲସ୍କୁଲ ଭାଙ୍ଗିଗଲା କାହିଁକି ? ସେଠାରେ ମଣିଷ ହୃଦୟର ଏତେ ସମ୍ଭାର ଚୂନ ହୋଇଗଲା କାହିଁକି ?

 

୨୮ । ୮ । ୬୫

 

ଏଠି ଆସି ବସିବା ମାତ୍ରକେ ମୋ’ର ସବୁ ମନ ଯେପରି ଆପଣାଛାଏଁ ଏକତ୍ର ଓ ଏକାଗ୍ର ହୋଇଆସେ । କାହାର ବୋଲି ମାନିଲା ପରି କେଉଁ ଶ୍ରଦ୍ଧାଲାଳିତ ଶିଶୁଟି ପରି ଆପଣାର ଘରକୁ ବାହୁଡ଼ି ଆସେ । ଖାଲି ଏହି ଖାତାରେ କେତେ ପଦ ଲେଖିବା ସକାଶେ ଯେ ଏହି ଏକାଗ୍ରତା ଭରି ସାହାଯ୍ୟ କରେ, ତା’ ନୁହେଁ, ଦିନମାନର ଜୀବନ ବଞ୍ଚିବାଲାଗି ଓ ଦିନ ମାନର ଜୀବନକୁ ସଙ୍ଖୋଳିବା ଲାଗି ଏହି ଏକାଗ୍ରତା ମୋତେ ଅନେକ ବଳ ଓ ଉତ୍ସାହ ଦିଏ । ଏହି ଏକାଗ୍ରତା ସକାଶେ ହିଁ ମୁଁ ବାଧ୍ୟ ହୋଇ ନୁହେଁ, ଶ୍ରଦ୍ଧାର ସହିତ ଜୀବନରେ ପ୍ରବୃତ୍ତ ହୁଏ, ସବୁରି ସହିତ ସୂତ୍ର ଯୋଡ଼ିବାକୁ ପ୍ରବୃତ୍ତ ହୁଏ, ଆପଣା ଘରର ଦୁଆରଟି ଖୋଲା ରଖିବାଲାଗି ଆଉ ମୋତେ ଡର ମାଡ଼େନାହିଁ । ଡର ମାଡ଼େ ନାହିଁ ବୋଲି ମୁଁ ବୋଧହୁଏ ଏତେ ପରିପୂର୍ଣ୍ଣ ଭାବରେ ଜଗତକୁ ଓ ଜୀବନ ବଞ୍ଚିବାକୁ ଉପଭୋଗ କରିପାରେ । ହଁ, ଡର ମାଡ଼େନାହିଁ, କାରଣ ସକାଳ ମୁହୂର୍ତ୍ତରେ କେଉଁ ଆପଣାର ବନ୍ଧୁ ଆସି ମୋତେ କହିଦିଏ ଯେ, ମୁଁ ଆପଣାର ଘରେ ହିଁ ଅଛି, ମୋ’ ଲାଗି ଏହି ପ୍ରଭାତ ଆକାଶର ଆଶୀର୍ବାଦ ପ୍ରସ୍ତୁତ ହୋଇଆସିଚି । ଆଜି ଦିନଟି ମୋ’ର ସାଥି ହୋଇ ରହିବ । ଏହି ସୌନ୍ଦର୍ଯ୍ୟ ଓ ଶାନ୍ତି ମୋର ସାଥି ହୋଇ ରହିବ । ତେଣୁ ଆଉ ଡର କେଉଁଥି ଲାଗି ?

 

୨୯ । ୮ । ୬୫

 

ପଣ୍ଡିତ ପଣିଆ ବଢ଼ିଲେ ସାହସ ବଢ଼େ ନାହିଁ । ଆମ ଜଗତରେ ଭୀରୁ-ପଣ୍ଡିତଙ୍କର ଆଦୌ ଅଭାବ ନାହିଁ । ବୈଜ୍ଞାନିକ ପଦ୍ଧତି ଅନୁସରଣ କରି ନାନା ଗଣିତ ଓ ଗଣନାର କୃଚ୍ଛର ପରିଣାମ ସ୍ୱରୂପ ଅନେକ ମେଧାବୀ ଓ ବିଚକ୍ଷଣ ପଣ୍ଡିତ ଯେଉଁସବୁ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି, ଉପରିସ୍ଥ ହାକିମ ବା ପଦଧାରୀ ପାଖରେ ସେହିସବୁ ସିଦ୍ଧାନ୍ତ ଲାଗି ଦୁଇପଦ ନିର୍ଭୀକ କଥା କହିବାର ସାହସ ଯେ ଅନେକ ପଣ୍ଡିତଙ୍କର ହୁଏନାହିଁ, ମୁଁ ଅନେକ ସମୟରେ ତାହା ଅଙ୍ଗେ ନିଭାଇଚି । ସେତେବେଳେ ମନଟା ଭରି ପିତା ହୋଇ ପଡ଼ିଚି, ସମୂହ ଭାବରେ ଜ୍ଞାନ ପ୍ରତି ଏକ ଅବଜ୍ଞାଗତ ବୈରାଗ୍ୟ ମଧ୍ୟ ଜାତ ହୋଇଚି । ଅବଶ୍ୟ ପରେ ଶାନ୍ତ ହୋଇ ବିଚାର କଲାବେଳେ ମୁଁ ଏହି କଥାଟିକୁ ଅଧିକ ବୁଝିବାକୁ ସମର୍ଥ ହୋଇଚି । ଜ୍ଞାନ ବା ପାଠର କୌଣସି ଦୋଷ ନାହିଁ । ମଣିଷର ପେଟରେ ଜ୍ଞାନ ପଡ଼ିଲେ ତାହା ସଂସାରରେ ନିଆଁ ଲଗାଇଦେଇ ପାରିବି, ମାନବିକ ନାନ ସମ୍ବନ୍ଧ କ୍ଷେତ୍ରରେ ବିପ୍ଲବ ମଧ୍ୟ ଆଣିପାରିବ । ଜ୍ଞାନ ମଣିଷକୁ ନିର୍ଭୟ କରି ପାରିବ ନାହିଁ, ପାଠପଢ଼ା ବା ପାଣ୍ଡିତ୍ୟ ମଣିଷକୁ ଆପେଆପେ ଶକ୍ତିଶାଳୀ କରି ଦେଇ ପାରିବନାହିଁ । ଶକ୍ତିଶାଳୀ ମଣିଷ ଜ୍ଞାନ ଅର୍ଜନ କଲେ ବା ବିଦ୍ଵାନ ହେଲେ ଜଗତରେ ଅନେକ କିଛି ପରିବର୍ତ୍ତନ ସମ୍ଭବ କରାଇ ପାରିବ । ଅନେକ ସମୟରେ ମନେମନେ ମୁଁ ଭଗବାନଙ୍କୁ କୃତଜ୍ଞତା ଜଣାଇଥାଏ ଯେ, ସେ ମୋତେ ଅବସରବାଦୀ ଭୀରୁ ପଣ୍ଡିତ ହେବାରୁ ବଞ୍ଚାଇ ରଖିଚନ୍ତି । ସେ ମୋତେ ମଣିଷ କରିଚନ୍ତି, ମଣିଷର ଆଖି ହୃଦୟ ନେଇ ପାଠ ପଢ଼ିବାର ବଳ ଦେଇଚନ୍ତି ।

 

୩୦ । ୮ । ୬୫

 

ଏକୁଟିଆ ଥିଲାବେଳେ ମୋତେ କିଛି ଭଲ ଖାଇବାକୁ ଭଲ ଲାଗେନାହିଁ, ଅଥଚ ମୋ’ ସହିତ ଆଉ କେତେଜଣ ଥିଲାବେଳେ ଖାଇବାରେ ମୋ’ ଖରଚର ସୀମା ହିଁ ରହେନାହିଁ । ରେଳଗାଡ଼ିରେ କୁଆଡ଼େ ଏକୁଟିଆ ଯାଉଥିବା ବେଳେ ଥରେ ଥରେ ମୁଁ ଓଳିଏ ଦିନେ ଉପାସ ମଧ୍ୟ ରହିଯାଏ, ତଥାପି ଏକୁଟିଆ କୌଣସି ଭଲ ଜିନିଷ କିଣି ଖାଇବାକୁ ଆଦୌ ମନ ହୁଏନାହିଁ । ମାତ୍ର ସାଙ୍ଗରେ ଆଉ ଜଣେ ବା କେତେଜଣ ରହିଥିଲେ ବାଟଯାକ ମୋ’ ଖରଚର ସୀମା ରହେ ନାହିଁ । ଆଗ୍ରା ସହରରେ ଏକାକୀ ବୁଲୁଥିବା ବେଳେ କେବେ କେଉଁଠ ଭଲ ଜିନିଷଟାଏ କିଣି ଖାଇବାକୁ ମନ ହୁଏନାହିଁ । ଅଥଚ ସାଙ୍ଗରେ କେହି ଥିଲେ ଖାଇବା ପିଇବାରେ ହାତ ଖୋଲି ଖରଚ ହୋଇଯାଏ, ଏପରି କାହିଁକି ହୁଏ ? ଏକାକୀ ଥିଲାବେଳେ ମୁଁ ଏପରି କୃପଣ ହୁଏ କାହିଁକି, ଓ ମଣିଷର ସାଙ୍ଗ ମେଳରେ ଖରଚ କରିବା ବିଷୟରେ ମୁଁ ଏପରି ହୋଇପଡ଼େ କାହିଁକି ? ଗୋଟାଏ କାରଣ ମୋ’ର ହଠାତ୍ ମନେ ପଡ଼ିଯାଉଚି । ଏକୁଟିଆ କିଛି ଖାଇବାକୁ ମୋ’ର ମନ ହୁଏନାହିଁ । କିନ୍ତୁ ଖାଇବା ସମୟରେ ସାଙ୍ଗରେ କେହି ଥିଲେ ମୋର ସମସ୍ତ ଖୁସୀ ସତେଅବା ପେଟୁର ଅବତାର ନେଇ ବାହାରି ଆସେ । ସେତେବେଳେ ଆଉ ସଙ୍କୋଚ ରହେ ନାହିଁ ।

 

୩୧ । ୮ । ୬୫

 

ଆମେରିକା ଯୁକ୍ତରାଷ୍ଟ୍ରର ସଭାପତି କାଲି କହିଚନ୍ତି ଯେ; ଭାରତ ଓ ପାକିସ୍ଥାନ ମଧ୍ୟରେ ଲାଗିଥିବା କଳହ ଶାନ୍ତିପୂର୍ଣ୍ଣ ଭାବରେ ମୀମାଂସିତ ହୋଇଯିବା ଉଚିତ । ଭାରତବର୍ଷ ଓ ଅନ୍ୟାନ୍ୟ କେତେକ ରାଷ୍ଟ୍ର ଏକାଧିକବାର କହି ଆସିଛନ୍ତି ଯେ, ଭିଏଟ୍‍ନାମ୍‍ର କଳହ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ମୀମାଂସିତ ହୋଇଯିବା ଉଚିତ । ଅପରକୁ ରୋଗର ପାଚନ ବିତାଇବା ଆନ୍ତର୍ଜାତିକ ରାଜନୀତିରେ ଆଜିକାଲି ଭାରି ସହଜ ହୋଇଗଲାଣି । ମୁଁ ତାକୁ ପାଚନ ବତାଉଚି, ସିଏ ମୋତେ ପାଚନ ବତାଉଚି । କିନ୍ତୁ ଆପଣା ସମସ୍ୟାର ଜାଲ ଓ ଜ୍ଵଳନ ଭିତରେ ପଡ଼ି, ଏତେଦୂର ପ୍ରକୁପିତ ହୋଇ ରହିଚୁ ଯେ, ଆପଣା ଲାଗି ଏହିସବୁ ପାଚନ ଆମକୁ ଅତି ଅପାଚ୍ୟ ବୋଲି ମନେ ହେଉଚି । କାରଣ, ଏପରି ପାଚନକୁ ପ୍ରୟୋଗ କରିବା ଲାଗି ଆମ ହାତରେ ଯେପରି ଆମ ହାତରେ ଆଉ କୌଣସି ଅବସ୍ଥା ହିଁ ନାହିଁ । ତେଣୁ, ଯୁଦ୍ଧ ଜିତିବା ଉଦ୍ଦେଶ୍ୟରେ ଆମେରିକା ବାହାରୁ ଆସି ନୂଆ ଯୁଦ୍ଧ ଭିଆଉଚି, ଏଣେ ପାକିସ୍ଥାନର ଦୌରାତ୍ମ୍ୟରୁ ବଞ୍ଚିବା ଲାଗି ଭାରତ ବର୍ଷ ମଧ୍ୟ ଯୁଦ୍ଧବିରତି ସୀମା ଟପି ଘାଟି ଜାଗାମାନ ଦାଖଲ କରିବାକୁ ଆବଶ୍ୟକ ମନେ କରୁଚି । ଅର୍ଥାତ୍, ଶାନ୍ତିପୂର୍ଣ୍ଣ ଉପାୟରେ ଦେଶ ଦେଶ ମଧ୍ୟରେ ଥିବା ବିବାଦ ଗୁଡ଼ିକର ମୀମାଂସା ହେଉ ବୋଲି କହୁଥିଲେ ଆମେ ସମସ୍ତେ ଲଢ଼ାଇ ଲଢ଼ି ହିଁ ଶାନ୍ତି ରଖିବାକୁ ବାଧ୍ୟ ହେଉଚୁ ।

 

୧ । ୯ । ୬୫

 

ମୋ’ ବଗିଚାର ଏକ କେତୋଟି ସଦ୍ୟ ପ୍ରସ୍ଫୁଟିତ ଫୁଲ, ଏଗୁଡ଼ିକ ମଧ୍ୟ ମୋ’ ଜୀବନର ଏକ ଅଂଶ ସ୍ୱରୂପ । ସେମାନଙ୍କୁ ଅନାଇଦେଲା ବେଳକୁ ସତେ ଯେପରି ମୁଁ ମୋ’ର ଭିତରେ ଥିବା କେଉଁ ପ୍ରସ୍ଫୁଟିତ ଅଂଶଟିକୁ ଅବଲୋକନ କରି ପାରୁଚି । ମୋ’ର ଆଗ୍ରହ, ମୋ’ର ଯତ୍ନ ଓ ମୋ’ର ଶ୍ରଦ୍ଧାରେ ତିଆରି ଏହି ଫୁଲଗୁଡ଼ିକ, ଯେପରି ମୋ’ର ଖୁସି ହୋଇ ଏମାନେ ଆଜି ଫୁଟି ଉଠିଛନ୍ତି,–ମୋ’ର ଜୀବନପ୍ରହରକୁ ମହକରେ ଭାରି ରଖିଛନ୍ତି । ଏହି ଭାବନାକୁ ମୋ’ର ସ୍ଵାର୍ଥଭାବନା ବୋଲି କହିଲେ ଭଲ ହେବ । କାରଣ, ଏଗୁଡ଼ିକୁ ମୁଁ କେବଳ ଅଧିକୃତ ସମ୍ପତ୍ତି ହିସାବରେ ଆବୋରି ରଖିବାକୁ ଚାହେନାହିଁ । କିନ୍ତୁ ଫୁଲ ଗଛର ଚର୍ଯ୍ୟା କରି ମୁଁ ସତେଅବା ମୋ’ ଭିତରର ବିକଶମାନ ମଣିଷଟିର ଚର୍ଯ୍ୟା କରିବାକୁ ଶିଖିଚି । ଫୁଲକୁ ଶ୍ରଦ୍ଧା କରି ମୁଁ ସତେଅବା ମୋ’ ଭିତରର କେଉଁ ବିକଶିତ ଫୁଲଟିକୁ ଶ୍ରଦ୍ଧା କରି ଶିଖୁଚି । ମୋ’ଭିତରେ ସତତ ବିକାଶର ଇଚ୍ଛା ରହିଚି ବୋଲି ହୁଏତ ଫୁଲଗଛଟି ଲାଗି ଯତ୍ନ କରିବାକୁ ଏତେ ଭଲ ଲାଗୁଚି, ମୋ’ ଭିତରେ ନିତିଦିନର ବାସନାକୁ ଠୁଳ କରି କିଛି ବିକଶିତ ହୋଇ ଉଠିପାରୁଚି ବୋଲି ହୁଏତ ଫୁଲଟିକୁ ଦେଖି ମୋତେ ଏତେ ଭଲ ଲାଗୁଚି ।

 

୨ । ୯ । ୬୫

 

ଯାହା ଦେଖାଯାଉଚି, ବର୍ତ୍ତମାନ କେତେ ଦିନ ସକାଶେ ଭାରତ ଓ ପାକିସ୍ଥାନର ପ୍ରଧାନ ଧନ୍ଦା ହିଁ ହେବ । ଆମ ପ୍ରଧାନମନ୍ତ୍ରୀଙ୍କର ଭାଷାରେ ଦୁଇ ଦେଶ ମଧ୍ୟରେ ଏହି କଳହ ବର୍ତ୍ତମାନ ବେଶ ଅନେକ ଦିନଯାଏ ଲାଗି ରହିବ । ଅଠର ବର୍ଷ ସ୍ଵାଧୀନ ଦେଶ ହିସାବରେ ଆପଣାକୁ ଗଢ଼ିବାର ଅବକାଶ ପାଇବା ପରେ ଦୁଇ ପଡ଼ୋଶୀ ଦେଶ ଯଦି ଆପଣ ଭିତରେ ଯୁଦ୍ଧ ଭିଆଇ ଧନ, ଜନ ଓ ଶକ୍ତି ସାରିବାକୁ ହିଁ ଆପଣାର ପ୍ରଧାନ ଧନ୍ଦା ବୋଲି ନିଷ୍ପତ୍ତି କରୁଚନ୍ତି, ସେଥିରୁ ବୁଝିବାକୁ ହେବ, ଆମ ଦୁଇ ଦେଶରେ ମଣିଷ ଏପର୍ଯ୍ୟନ୍ତ ମଧ୍ୟ ନାନାପ୍ରକାରେ ଅନ୍ଧ ଓ ନିର୍ବୋଧ ହୋଇ ରହିଚି । କେଉଁ ପକ୍ଷର କେତେ ନ୍ୟାୟ ବା ଅନ୍ୟାୟ ରହୁଚି, ମୁଁ ତାହାର ବିବେଚନା କରିବାକୁ ଯାଉନାହିଁ । ଆମଲାଗି ପଡ଼ୋଶୀ ସହିତ ଯୁଦ୍ଧ କରିବାର ଏକ ଅପରିହାର୍ଯ୍ୟ ଆବଶ୍ୟକତା ରହିଚି କି ନାହିଁ, ସେକଥା ମଧ୍ୟ ମୁଁ ବିଚାର କରିବାକୁ ଯାଉନାହିଁ । ଦୁଇ ଦେଶ ଯଦି ଆବଶ୍ୟକତାର ଅନୁଭବ କରୁଚନ୍ତି, ତେବେ ସେଇ ଆବଶ୍ୟକତା ଅବଶ୍ୟ ରହିଚି । କିନ୍ତୁ ସେକଥା ଯାହା ହେଉ ପଛକେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଗଲେ ଯେ ଯେ ଦୁଇ ଦେଶର ହିଁ କ୍ଷତି ହେବ, ଦୁଇ ଦେଶରେ ବାସ କରୁଥିବା ମଣିଷ ପ୍ରଜାଙ୍କର ହିଁ ସବୁଠାରୁ ଅଧିକ କ୍ଷତି ହେବ, ଏ ବିଷୟରେ ମୁଁ କୌଣସି ଦ୍ଵିମତର ଆଶଙ୍କା କରି ପାରୁନାହିଁ । ବର୍ତ୍ତମାନ ଦୁଇ ଦେଶର ଜନମନ କେତେ ପ୍ରକାରେ ଉଗ୍ରତା ଓ ଉନ୍ମତ୍ତତାର ଅଫିମ ଖାଇବାକୁ ଆପେଆପେ ତିଆରି ହୋଇଯିବେ । ମଣିଷର ଆବଶ୍ୟକତାମାନ ପଛରେ ପଡ଼ିଯିବ, ଜାତୀୟ ଆବଶ୍ୟକତା ନାମରେ କେତେ ଅପ୍ରଧାନ କଥା ବର୍ତ୍ତମାନ ପ୍ରଧାନ ହୋଇ ବାହାରିବ । ମଣିଷ ପ୍ରତ୍ୟାଖ୍ୟାତ ହେବ, କିନ୍ତୁ ଅମଣିଷ ପଣିଆ ବଢ଼ିଯିବ-

 

୩ । ୯ । ୬୫

 

ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିବ, ଅର୍ଥାତ୍ ଏଣିକି ଦୁଇ ଦେଶ ତାତି କରି ରହିବେ, ତାତି କରି କଥା କହିବେ; କୂଟନୀତିକ ଶାଳୀନତା ଦୃଷ୍ଟିରୁ ସେମାନେ ଯେଉଁସବୁ ଭାଷା ଓ ଯେଉଁସବୁ ବ୍ୟବହାରକୁ ଏପର୍ଯ୍ୟନ୍ତ ଚାପି ରଖିଥିଲେ, ଏଣିକି ସେହିସବୁ ବାହାରକୁ ବାହାରିବ । ଜାତିର ବୋଲି ମାନିବାଟାକୁ ହିଁ ଏଣିକି ଜାତୀୟ ଜୀବନ ବୋଲି ଗଣାହେବ । ଏହା ଭାରତରେ ହେବ, ପାକିସ୍ତାନରେ ମଧ୍ୟ ହେବ । ଆପଣାର ଜାତିଟାକୁ ଆବଶ୍ୟକ ଓ ଉଚିତ ବୋଲି ପ୍ରମାଣ କରିବା ଲାଗି ଗୋଟାଏ ଦେଶ ଅପର ଦେଶର ଜାତିକୁ ଉଲୁଗୁଣା ଦେବାକୁ ଆରମ୍ଭ କରିବେ । ଏହି ଜାତିର ବଶବର୍ତ୍ତୀ ହୋଇ ଏଣିକି ଦୁଇଦେଶର ଅଧିକ ଲୋକ ଖବର କାଗଜ ପଢ଼ିବେ, ଅଧିକ ଲୋକ ରେଡ଼ିଓ ଶୁଣିବେ । ଏହି ଜାତି ହୁଏତ ଅନେକଙ୍କର ଜୀବଙ୍ଗତ ଓ ପ୍ରକୃତିଗତ ଆଳସ୍ୟ ଓ ଉଦାସୀନତାକୁ ଭାଙ୍ଗି ଦେଇଯିବ । କିନ୍ତୁ ସବୁ କରି ମଧ୍ୟ ଏହି ଜାତି ମଣିଷଜୀବନର ଅନେକ କିଛି ପୋଡ଼ିଜାଳି ଦେବାକୁ ଆସିବ, ଆହୁରି ଅନେକ କ୍ଷେତ୍ରରେ ବିଚରଣ କରିବାକୁ ଏହା ମଣିଷର ହୃଦୟକୁ ପଙ୍ଗୁ କରି ଦେଇଯିବ । ଏହାଦ୍ୱାରା କେବଳ ଶତ୍ରୁର କ୍ଷତି ହେବନାହିଁ, ଆମ ନିଜର ମଧ୍ୟ କ୍ଷତି ହେବ । ଜାତୀୟ ଜୀବନର ଅନେକ ସୁନ୍ଦର ମାନବିକ ଉପାଦାନକୁ ମଧ୍ୟ ଆମେ ଏଣିକି ପାସୋରିବାକୁ ଆରମ୍ଭ କରିବୁ । ଯୁଦ୍ଧ ଯିବ, ଜାତି ଯିବ, କିନ୍ତୁ ଭାଙ୍ଗି ଯାଇଥିବା ଜାତୀୟ ଜୀବନଦୃଷ୍ଟିକୁ ଗଢ଼ିବା ଆଦୌ ସହଜ ହେବ ନାହିଁ ।

 

୪ । ୯ । ୬୫

 

ପଞ୍ଜାବର ସନ୍ଥ ଫତେସିଂହ କହିଚନ୍ତି, ଭାରତବର୍ଷ ତାଙ୍କର ପ୍ରିୟ, କିନ୍ତୁ ପଞ୍ଜାବ ହେଉଚି ପ୍ରିୟତର । କିପରି କାର୍ଯ୍ୟ କରି ବା କରାମତି ଦେଖାଇ ଯେ ପ୍ରଥମ ଫତେସିଂହ ସନ୍ଥ ଫତେସିଂହ ହୋଇଚନ୍ତି, ସେକଥା ମୋତେ ଜଣାନାହିଁ । କିନ୍ତୁ ସନ୍ଥ ହୋଇ ସାରିବା ପରେ ଯେ ଏପରି ଅସନ୍ଥୋଚିତ ମତମାନ ପୋଷଣ କରା ଯାଇପାରେ, ସେ କଥା ମୋତେ ଭାରି ଆଶ୍ଚର୍ଯ୍ୟ ଲାଗୁଚି । ଆହୁରି ଆଶ୍ଚର୍ଯ୍ୟ ଲାଗୁଚି ଯେ, ଲୋକେ ତଥାପି ତାଙ୍କୁ ସନ୍ଥ ବୋଲି ମାନୁଚନ୍ତି । ରାଜନୀତିକ ବାଜି ଲଗାଇବାବାଲା ଫତେସିଂହ ବୋଲି ମାନୁଥିଲେ ସେଥିରେ ମୁଁ ହୁଏତ ଅଧିକ ସଙ୍ଗତି ଅନୁଭବ କରି ପାରୁଥାନ୍ତି । ହମାରୀ ସୁରତ୍ ବ୍ରହ୍ମସେ ଲଗା,—ସନ୍ଥ କହିଲେ ମୁଁ ବଡ଼ ଅଭ୍ୟାସଗତ ଭାବରେ ପ୍ରଧାନତଃ ଏହି କଥା ହିଁ ବୁଝିଆସିଚି । ସନ୍ଥ ଗୋଟାଏ ପ୍ରଦେଶରେ ଅଟକି ଯାଏନାହିଁ, ଗୋଟାଏ ପ୍ରଦେଶ ଭିତରେ ସନ୍ଥ ଆପଣା ଜୀବନର ବାଜି ଲଗାଏ ନାହିଁ । ଯେଉଁଠି ମଣିଷ ଗ୍ରାମ, ପ୍ରଦେଶ, ଦେଶର ଅତି ଉପରେ କେବଳ ମଣିଷ ଭାବରେ ସ୍ଵୀକୃତ ହୁଏ, ସନ୍ଥ ସ୍ଵଭାବତଃ ସେହି ଭୂମିରେ ବିଚରଣ କରିବା ଉଚିତ । ତେବେ ଯାଇ ସନ୍ଥ ଦ୍ଵାରା ସମାଜର ଓ ମଣିଷର କଲ୍ୟାଣ ହୋଇପାରନ୍ତା-। କିନ୍ତୁ ଅସନ୍ଥ ସନ୍ଥର ଜିଦ୍ ଦ୍ଵାରା ସମାଜରେ ନିଶାଧର୍ମ ପ୍ରଚାର ହିଁ ସାର ହେଉଚି ।

 

୫ । ୯ । ୬୫

 

ଓଡ଼ିଶା ଆଗ, ଭାରତ ବର୍ଷ ପଛ,—ଦେଶ ଆଗ, ମଣିଷ ପଛ ବୋଲି କହିବାର ଲୋକ ଓଡ଼ିଶାରେ ମଧ୍ୟ ଅଛନ୍ତି, କିନ୍ତୁ ଆଗେ ଯେତେ ଥିଲେ, ବର୍ତ୍ତମାନ ତା’ଠାରୁ କମ୍ ଅଛନ୍ତି । ଓଡ଼ିଶାର ସଭ୍ୟତା ଓ ସଂସ୍କୃତି ଏହି ଭାରତ ବର୍ଷର ସଭ୍ୟତା ଓ ସଂସ୍କୃତିଠାରୁ ଭିନ୍ନ ଓ ସ୍ଵତନ୍ତ୍ର, ଏପରି ପ୍ରଚାର ସାହିତ୍ୟ ଓଡ଼ିଶାରେ ଯେତେ ଲେଖାଯାଇଚି, ଓଡ଼ିଶାର ଜଗନ୍ନାଥ ଧର୍ମ ସାରା ଭାରତବର୍ଷକୁ କାହିଁକି, ସାରା ପୃଥିବୀକୁ ବାଟ ଦେଖାଇ ପାରିବ, ଓଡ଼ିଶାରେ କେତେ ଭାଷଣ ମଞ୍ଚରେ ଓ ପଣ୍ଡିତ ବିଚାରରେ ମୁଁ ଏପରି ମୋହବାଣୀ ଏକାଧିକବାର ଶୁଣିଚି; ଓଡ଼ିଶାକୁ ଦେଶ ବୋଲି କହିବାକୁ କେତେପ୍ରକାର ଅପଚେଷ୍ଟା କରାଯାଇଚି । ତଥାପି, ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ହେବା ପରେ ଓଡ଼ିଶାରେ ପ୍ରଦେଶଗତ ଜାତି ଅନେକ ପରିମାଣରେ କମ୍ ହୋଇଯାଇଚି । ଓଡ଼ିଆ ହିସାବରେ ଗୌରବ ବୋଧ ଚଢ଼ିଛି, ଓଡ଼ିଆ ଭାଷା ପ୍ରତି ଆଦର ବଢ଼ିଛି, କିନ୍ତୁ ଜାତି ଅନେକ କମି ଯାଇଚି । ଏ ଯୁଗରେ ତିଷ୍ଠି ରହିବାକୁ ହେଲେ ଏକାଠି ରହିବାକୁ ପଡ଼ିବ, ଭାଷା, ଧର୍ମ, ଓ ଆଚାରଗତ ଜୀବନର ଭିନ୍ନତାଗୁଡ଼ିକୁ ଯଥା ସମ୍ଭବ ସମନ୍ଵିତ କରି ଆମକୁ ଏକାଠି ରହିବାକୁ ପଡ଼ିବ, ଦେଶର ସୀମା ଭାଙ୍ଗି ମଧ୍ୟ ଆମକୁ ଏକାଠି ରହି ଶିଖିବାକୁ ପଡ଼ିବ । ନହେଲେ ଆଉ ଗତି ନାହିଁ ।

 

୬ । ୯ । ୬୫

 

ଆଲବର୍ଟ୍ ସ୍ଵାଇତ୍‍ଜର୍, ମୋ’ ଜଣେ ଉତପ୍ରେରକ ଗୁରୁ । କାଲି ତାଙ୍କର ଦେହାନ୍ତ ହୋଇଗଲା, କିନ୍ତୁ ମୋ’ ଲାଗି ତାଙ୍କର ଅନ୍ତ କଦାପି ହେବନାହିଁ । ମୋ’ର ଜୀବନୋଦ୍ୟମର ନାନା ସଫଳତା—ବିଫଳତା ଓ କାହାଣୀ ଜରିଆରେ ତାଙ୍କର ପ୍ରେରଣା ଅମର ହୋଇ ରହିବ । ଏବଂ, ଏହି ଆମର ପ୍ରେରଣାର ଦିବ୍ୟ କୁହୁକ ବାଜି ମୁଁ ମଧ୍ୟ ମୋ’ର କ୍ଷୁଦ୍ର ଜୀବନର ପ୍ରୟାସ ଭିତରେ ଅମରତର ଅନୁଭବ କରିପାରୁଥିବି । ଗୁରୁ କହିଲେ ଯେ ମୁଁ ଜଣକୁ ଅନ୍ଧ ଭାବରେ ଅନୁକରଣ କରିବି ତାଙ୍କରି ସନ୍ଦେଶର ସତ୍ୟକୁ ମୋ’ର ଉପଲବଧ ସତ୍ୟ ବୋଲି ଚାଳନା କରିବି, ତାହା କଦାପି ନୁହେଁ । ଅନ୍ତତଃ ମୋ’ର ଜୀବନର ଗୁରୁମାନେ ମୋତେ ଗୁରୁତ୍ଵର ଏପରି ଅପବ୍ୟବହାର କରିବାକୁ ଶିଖାଇ ନାହାନ୍ତି । ମୋ’ର ଦେବତାମାନେ ମୋତେ ପୌତ୍ତଳିକତାର ପ୍ରମାଦରୁ ବଞ୍ଚାଇ ଆଣିଛନ୍ତି, ଆଗକୁ ବାଟ କାଢ଼ିବା ଲାଗି ମୋତେ ବାଟ ଛାଡ଼ି ଦେଇଚନ୍ତି । ଆଲ୍‍ବଟ୍‍ ସ୍ଵାଇତ୍‍ଜର୍ ମୋ’ର ଜୀବନରେ ସେହିପରି ଜଣେ ପ୍ରେରକ ଗୁରୁ ହୋଇ ରହିବେ । ଶାନ୍ତିନିକେତନରେ ତାଙ୍କ ଲିଖିତ ‘ସଭ୍ୟତାର ଦର୍ଶନ’ ପଢ଼ି ମୁଁ ତାଙ୍କର ପ୍ରଥମ ଆମନ୍ତ୍ରଣ ପାଇଥିଲି । ତାଙ୍କର ଆତ୍ମଜୀବନୀକୁ ମୋ’ ନିଜ ଭାଷାରେ ଅନୁବାଦ କରି ମୁଁ ଯେପରି ଗୁରୁଦକ୍ଷିଣା ଦେଲାବେଳେ ଆପଣାର ପାତ୍ର ଖାଲି ବା ଊଣା ହେବାତ ଦୂରର କଥା, ଆପଣାର ଅଣ୍ଟି ଠିକ୍ ଭରି ଗଲାପରି ଲାଗେ । ସେହି ଦିନଠାରୁ ମୋ’ଜୀବନର ଘରେ ସ୍ଵାଇତ୍‍ଜର୍‍ଙ୍କୁ ଲାଗି ଏକ ଶ୍ରଦ୍ଧାର ଆସନ ପ୍ରତିଷ୍ଠିତ ହୋଇ ରହିଲା, ମୁଁ ବଞ୍ଚିଥିବା ଯାଏ ଏହା ଅବଶ୍ୟ ରହିଥିବ ।

 

୭ । ୯ । ୬୫

 

ପଅରି ଦିନ ଦେଶରେ ଅଧ୍ୟାପକ-ଦିବସ ପାଳିତ ହେଲା । ଏହି ଦେଶର ଜଣେ ଅଧ୍ୟାପକ ହିସାବରେ ସେଦିନ ମୁଁ ପ୍ରଧାନତଃ ଗୋଟିଏ କଥା ଭାବୁଥିଲି । କେବଳ ଅଧ୍ୟାପନା କରାଇବା ଅର୍ଥାତ୍ ପାଠ କହି ପାଠର ପରୀକ୍ଷା ନେବାରେ ଅଧ୍ୟାପକର କାମ ସରିଯାଏ ନାହିଁ । ଗ୍ରନ୍ଥର ବ୍ୟକ୍ତିତ୍ଵ, ଗ୍ରନ୍ଥର ବ୍ୟକ୍ତିଗତ ଜୀବନ, ଭୟ ଓ ଭୟମୁକ୍ତତା ଲାଗି ଗ୍ରନ୍ଥର ଅନ୍ତର୍ନିହିତ ପ୍ରବୃତ୍ତି, ଭଲପାଇବା ଲାଗି ଗ୍ରନ୍ଥର ଶକ୍ତି,—ଏସବୁକୁ ମଧ୍ୟ ଅଧ୍ୟାପକର ଦୃଷ୍ଟି ଆକର୍ଷଣ କରିବା ଉଚିତ । ଏସବୁ କ୍ଷେତ୍ରରେ ଗ୍ରନ୍ଥ ଯେତିକି ସୁସ୍ଥ ହୋଇପାରିବ, ତାର ପାଠପଢ଼ିବା ମଧ୍ୟ ସେତିକି ଭିତରକୁ ଭେଦି ପାରିବ । ସବୁଠାରୁ ବଡ଼ କଥା ହେଉଚି ଯେ, ଅଧ୍ୟାପକ ଗ୍ରନ୍ଥ ଆଗରେ ପ୍ରଧାନତଃ ଜଣେ ବିକାଶମାନ ମଣିଷ ପରି ନିଜର ପରିଚୟ ଦେବ । ଅଧ୍ୟାପକ ମଧ୍ୟ ମଣିଷ ହିସାବରେ ଆଗକୁ ଯିବାକୁ ଚେଷ୍ଟା କରୁଚି, ତା’ର ଜୀବନରେ ମଧ୍ୟ ତଥାପି ସତ୍ୟ ଖୋଜିଆ ଓ ସତ୍ୟ ପାଇବାର ଯାତ୍ରା ବନ୍ଦ ହୋଇନାହିଁ, ତା’ର ହୃଦୟରେ ମଧ୍ୟ ମଣିଷସୁଲଭ ନାନା ଭାବ ଓ ଅଭାବ ତାକୁ ଆକୃଷ୍ଟ କରାଉଚି, ତାକୁ ଝୁଣ୍ଟାଉଚି, ତଥାପି ବଳ ଦେଇ ଆଗକୁ ନେଇଯାଉଚି—ଅଧ୍ୟାପକ ବିଷୟରେ ଛାତ୍ରର ଏହି ଧାରଣା ସୃଷ୍ଟି ହୋଇଥିବା ଉଚିତ । ତେବେ ଯାଇ ସେ ଅଧ୍ୟାପକକୁ ବିଦ୍ୟାର୍ଜନ ପଥର ବିଶ୍ଵସ୍ତ ସହଚର ରୂପେ ଗ୍ରହଣ କରିପାରିବ ।

 

୮ । ୯ । ୬୫

 

ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ଯୁଦ୍ଧ ଲାଗିବାର ସବୁଠାରୁ ବଡ଼ କାରଣ କ’ଣ ? ଏହି ଯୁଦ୍ଧକୁ ମୁଁ ଭାରତବର୍ଷ ବିରୁଦ୍ଧରେ ପାକିସ୍ତାନର ଯୁଦ୍ଧ ବୋଲି କହିବି ନାହିଁ ବା ହିନ୍ଦୁମାନଙ୍କ ବିରୁଦ୍ଧରେ ମୁସଲମାନଙ୍କର ଯୁଦ୍ଧ ବୋଲି କହିବି ନାହିଁ । କାରଣ, ଭାରତ ହିନ୍ଦୁମାନଙ୍କର ଦେଶ ଆଦୌ ନୁହେଁ । କାଶ୍ମୀରର ଜନଗଣଙ୍କୁ ଆତ୍ମନିୟନ୍ତ୍ରଣ ଅଧିକାର ଦେବାଲାଗି ପାକିସ୍ତାନ ଦେଖାଇ ଏହି ଯୁଦ୍ଧ ଭିଆଇଚି ବୋଲି ମଧ୍ୟ କୁହାଯାଇ ପାରିବନାହିଁ । ଏହି ଯୁଦ୍ଧ ହେଉଚି ଗଣତନ୍ତ୍ର ବିରୁଦ୍ଧରେ ଏକଛତ୍ରଶାସନ ଯୁଦ୍ଧ, ଏକ ଶାସନ ବିରୁଦ୍ଧରେ ଏକ ଲୋକ ଶାସନର ଯୁଦ୍ଧ । ଭାରତବର୍ଷ ଦୁଇଭାଗ ହେବା ଦିନଠାରୁ ଏହି ଯୁଦ୍ଧର ସୂତ୍ରପାତ ହୋଇଥିଲା । ସେହିଦିନଠାରୁ ଗୋଟାଏ ଦେଶରେ ଧର୍ମର ଚତୁର ଛାତ୍ରତଳେ ଏକଛତ୍ର ଶାସନର ସକଳ ଆଦିମାତା ଆପଣାକୁ ପ୍ରତିଷ୍ଠିତ କରି ଆସୁଥିଲା, ଆଧୁନିକ ଅସ୍ତ୍ରଶସ୍ତ୍ର ତା’ର ଆଦିମତାକୁ ଆହୁରି ଆଦିମ କରିବାରେ ବେଶ୍ ସାହାଯ୍ୟ କରିବାରେ ବେଶ୍ ସାହାଯ୍ୟ କରୁଥିଲା । ଭାରତବର୍ଷ ଶାସନ ଓ ଶାସନଗତ ସକଳ ପ୍ରଚେଷ୍ଟାକୁ ଘୃଣା ଯେପରି ସେପାଖରେ ଏକମାତ୍ର ନୀତି ହୋଇ ରହିଥିଲା । କ୍ରମେ ସେଠାରେ ଶାସନ ଓ ସୈନ୍ୟବାହିନୀ ମଧ୍ୟରେ ଆଉ କୌଣସି ସମ୍ବନ୍ଧ ରହିଲା ନାହିଁ ଯୁଦ୍ଧ ନୀତି ହିଁ ରାଜନୀତି ହେଲା । ଅଜ୍ଞ ଲୋକଙ୍କର ଧର୍ମ ମୋହ ସେଠି ନେତାମାନଙ୍କର ଚତୁରତାକୁ ଆହୁରି ଚତୁର କଲା । ଆଜି ସେହିମାନେ ହିଁ ଏହି ଯୁଦ୍ଧର ଭିଆଣ କରିଛନ୍ତି ।

 

୯ । ୯ । ୬୫

 

ସମସ୍ତେ ଯୁଦ୍ଧ ଲାଗି ତିଆର ହେଉଚନ୍ତି, ପ୍ରତିରକ୍ଷା ପାଇଁ ତିଆରି ହେଉଚନ୍ତି । ମୁଁ ମଧ୍ୟ ସବୁପ୍ରକାର ଅବସ୍ଥା ଲାଗି ପ୍ରସ୍ତୁତ ହୋଇ ରହିବି, ଦେଶର ନାଗରିକ ହିସାବରେ ମୋ’ ଦ୍ଵାରା ଦେଶର ରକ୍ଷା ପାଇଁ ଯାହା କିଛି ହୋଇପାରିବ, ତାହା କରିବାକୁ ମୁଁ କଦାପି ପଛାଇ ଯିବିନାହିଁ । କିନ୍ତୁ ତଥାପି ମୁଁ ଏହି ଯୁଦ୍ଧକୁ ମୋ’ର ବା ମୋ’ ଦେଶର ଏକମାତ୍ର ଧ୍ୟେୟ ବୋଲି କଦାପି ମାନିଯିବି ନାହିଁ । ଭାରତବର୍ଷ କଦାପି ଯୁଦ୍ଧକୁ ଆପଣାର ଧ୍ୟେୟ ବୋଲି ମାନି ନେଇ ନାହିଁ । ଯୁଦ୍ଧ ବେଳେବେଳେ ଏକ ଜାତୀୟ କର୍ତ୍ତବ୍ୟ ହୋଇପଡ଼େ; ଯେତେବେଳେ ଆଉ ଏକ ଶକ୍ତି ଆଗ ଆସି ଦେଶରେ ସାମରିକ ଦୌରାତ୍ମ୍ୟ ଦେଖାଇବାକୁ ଆରମ୍ଭ କରେ, ସେତେବେଳେ ଯୁଦ୍ଧ ଦ୍ଵାରା ହିଁ ଦେଶର ପ୍ରତିରକ୍ଷା କରିବା ବ୍ୟତୀତ ଆଉ ଅନ୍ୟ ବାଟ ନଥାଏ । ତଥାପି ଯୁଦ୍ଧକୁ ମୁଁ କେବଳ ତତ୍କାଳୀନ ଆବଶ୍ୟକତା ବୋଲି ହିଁ ଗ୍ରହଣ କରିବି । ଯୁଦ୍ଧଦ୍ଵାରା ଯେ କେବଳ ଗୌରବ ବଢ଼େ, କେବେ କୌଣସି ନ୍ୟାୟ ବା ଧର୍ମର ପ୍ରତିଷ୍ଠା ହୁଏ, ଏକଥା ମଧ୍ୟ ମୁଁ ବିଶ୍ଵାସ କରି ପାରୁନାହିଁ । ନ୍ୟାୟ ଓ ଧର୍ମର ପ୍ରତିଷ୍ଠାକୁ ଆମେ ଜାତୀୟ ସ୍ଵାର୍ଥ ଓ ଜାତୀୟ ନୀତିର ସୀମା ଭିତରେ ବନ୍ଦ କରି ରଖି ପାରିବାନାହିଁ । ଏହାର ପଥ ଭିନ୍ନ, କାର୍ଯ୍ୟକ୍ରମ ବି ଭିନ୍ନ ।

 

୧୦ । ୯ । ୬୫

 

ତେଣେ ଯୁଦ୍ଧ କ୍ଷେତ୍ରରେ ତୋପ ଫୁଟୁଛି, ଆକାଶରୁ ବୋମା ବରଷୁଚି, ଶତ୍ରୁର ମାର୍କା ପିନ୍ଧାଇ ଦିଆଯାଇଥିବା ନିର୍ମଳ ବିବେକର ସହିତ ମଣିଷ ମରାଯାଉଚି । ଆଉ ଠିକ୍ ଏତିକିବେଳେ ମୁଁ ମାର୍ଟିନ୍ ଲୁଥର କିଙ୍ଗ୍‍ଙ୍କର ବହିକୁ ଓଡ଼ିଆରେ ଅନୁବାଦ କରିବା ଆରମ୍ଭ କରିଚି । ପ୍ରଥମେ ଭାରି ଚଞ୍ଚଳ ଓ ଇତସ୍ତତଃ ଲାଗୁଥିଲା, ଘଣ୍ଟାଘଣ୍ଟାକେ ରେଡ଼ିଓ ପାଖକୁ ବା ପଡ଼ୋଶୀ ଘରକୁ ଦଉଡ଼ି ଯିବାକୁ ମନ ହେଉଥିଲା । କିନ୍ତୁ ବର୍ତ୍ତମାନ ମନଟା କ୍ରମେ ବସି ଆସିବାପରି ଲାଗୁଚି । ମୁଁ ସୁନ୍ଦରତର ଜୀବନ ଚାହେଁ, ଏହି ପୃଥିବୀରେ ମୁଁ ଏକ ସୁନ୍ଦରତର ବ୍ୟବସ୍ଥା ଚାହେଁ—ମଣିଷ ହିସାବରେ ମୋ’ ଭିତରେ ମଧ୍ୟ ଏହି ଜିଦ୍ ରହିଚି । ଅନେକ ପ୍ରକାରର ଆଳସ୍ୟ ଓ ଉଗ୍ରତା ମୋ’ର ସେହି ଜିଦ୍‍କୁ କେତେ ତଳେ ନେଇ ପୋତି ପକାଇବାର ଚେଷ୍ଟା କରୁଚି, ମୋ’ଠାରୁ ତାକୁ ଦୂର କରି ରଖିବାର ଫିକର କରୁଚି, ତଥାପି ସେହି ଜିଦ୍ ବଞ୍ଚିରହିଚି ଓ ମୋ’ର ଭିତରେ ମୋ’ର ଆକାଙ୍‍କ୍ଷା ଭିତରେ ବଞ୍ଚି ରହିଛି । ଶ୍ରୀ ମାର୍ଟିନ୍ ଲୁଥର୍ କିଙ୍ଗ୍ ମଣିଷ ସମାଜରେ ଯେଉଁ ବିପ୍ଳବର ଆହ୍ଵାନ ଦେଉଚନ୍ତି, ସେହି ବିପ୍ଲବଦ୍ଵାରା ହିଁ ମଣିଷ ସୁନ୍ଦରତର ହୋଇପାରିବ, ଆମର ଏହି ପୃଥିବୀ ସୁନ୍ଦରତର ହୋଇପାରିବ । କିନ୍ତୁ ଦୁଇଟା ଦେଶ ଭିତରେ ଯୁଦ୍ଧ ଡାକରା ଦିଆଯାଇ ଯେଉଁ ତଥା କଥିତ ଉତ୍ତେଜନା ଓ ଉଗ୍ରତାରା ଆହ୍ଵାନ ଦିଆଯାଏ, ତଦ୍ଦ୍ଵାରା ଗୋଟାଏ ଦେଶ ଉପରେ ଆଉ ଗୋଟାଏ ଦେଶର ହେବ ସତ, କିନ୍ତୁ ଜୀବନ ବା ପୃଥିବୀ ସୁନ୍ଦରତର ହେବାର ବାଟ ଫିଟିବନାହିଁ; ସେଥିଲାଗି ଆମର ବିଶ୍ଵାସ କମିବ ସିନା, ଆଦୌ ବଢ଼ିବ ନାହିଁ । ଠେଙ୍ଗାର ଶକ୍ତି ପରୀକ୍ଷା କରାଯାଇ ଯେଉଁଠି ନ୍ୟାୟର ବିଚାର କରାଯାଏ, ସେଠି ଠେଙ୍ଗା ହିଁ ଜିତିବ ।

 

୧୧ । ୯ । ୬୫

 

ଆଜି ବିନୋବାଜୀଙ୍କର ଜନ୍ମଦିନ । ଜଗତର ସକଳ ଅଶାନ୍ତି ଓ ସକଳ ସଂତାପ ସତ୍ତ୍ୱେ ଆଜି ତଥାପି ଶାନ୍ତି ଓ ସୁଖୀଜୀବନ ଲାଗି ଶପଥ କରିବାର ଦିନ । ମଣିଷ ଭିତରେ ଭଲଟା ହିଁ ଯେ ତା’ର ମଣିଷ ହେବାର ପରିଚୟ, ଅର୍ଥାତ୍ ଆପଣା ଭିତରେ ଭଲଟା ହିଁ ଯେ ଆପଣାର ମଣିଷ ହେବାର ପରିଚୟ, ଏହି ସତ୍ୟକୁ ଅନ୍ତର୍ଗତ ଭାବେ ଆଜି ସ୍ମରଣ କରିବାର ଦିନ । ଜୀବନ ଉପରେ ବିଶ୍ଵାସ ନ କରିବାକୁ ମୋ’ର ଚାରିପାଖର ଅବସ୍ଥା ମୋତେ ନାନା ଯୁକ୍ତି ଦେଇ ବାଧ୍ୟ କରୁଥିବା ବେଳେ ମୁଁ ତଥାପି ଜୀବନ ଉପରେ ଜୀବନ ରଖିବି, ଆଜି ମୁଁ ବିନୋବାଜୀଙ୍କ କଥା ଭାବିଲା ବେଳକୁ ପ୍ରଧାନତଃ ଏହି କଥା ହିଁ ଭାବୁଚି । ଜୀବନରେ ବାଟ ଚାଲୁ ଚାଲୁ ମୁଁ କୌଣସି ଜଣକୁ ଗୁରୁ ବୋଲି ମାନିନେଇ ନାହିଁ । କାହାର ଶିଷ୍ୟତ୍ଵ ଗ୍ରହଣ କରିବାକୁ ମୁଁ କେଉଁ ଆଦର୍ଶବାଦ ଦ୍ଵାରା ଗଢ଼ା ହୋଇଥିବା ପିଞ୍ଜରା ଭିତରେ ପଶି ନିରାପଦ ଓ ଉଗ୍ର ରହିବାର କଳ୍ପନା କେବେହେଲେ କରି ନାହିଁ । ତଥାପି ବି ନେତାଜୀଙ୍କୁ ମୁଁ ମୁଁ ମୋ’ ଜୀବନରେ ଜଣେ ଗୁରୁ ବୋଲି ଗ୍ରହଣ କରିଚି । ଜଣେ ପ୍ରେରକ ଓ ସାଥି ବୋଲି ଗ୍ରହଣ କରିଚି । ମୋ’ର ନିଜର ସକଳ ଅପୂର୍ଣ୍ଣତା ସତ୍ତ୍ୱେ ମଧ୍ୟ ମୁଁ ବିନୋବାଜୀଙ୍କର ପ୍ରେରଣାକୁ ସତପ୍ରେରଣା ରୂପେ ଅନୁଭବ କରି ଶିଖିଚି, ବାଟ ଚାଲିଲାବେଳେ ପ୍ରବୀଣ ସାଥିରୂପେ ମୁଁ ଅନେକବାର ସ୍ଵଭାବତଃ ତାଙ୍କର ଆଡ଼କୁ ଅନାଇଚି । ଆଜି ଦିନଟାଯାକ ଅତି ସ୍ଵାଭାବିକ ଭାବରେ ମୋ’ ହୃଦୟ ଭିତରେ ରହିବେ ।

 

୧୨ । ୯ । ୬୫

 

ଆଜି ଜଗତରେ ସମସ୍ତେ ଶତ୍ରୁ ଜୟ କରି ବାହାରିଚନ୍ତି, ଯୁଦ୍ଧଜୟ କରି ବାହାରିଚନ୍ତି । କିଏ ଆଦର୍ଶର ଜୟ ଚାହୁଚି, କିଏ ବାଦର ଜୟ ଚାହୁଁଚି, କିଏ ଜାତି ବା ଦେଶର ଚାହୁଁଚି । ଏହି ସବୁ ଜୟ ସହିତ ଧର୍ମର ଜୟକୁ ବଡ଼ ଚତୁର ଭାବରେ ମିଶାଇ ଦିଆଯାଉଚି । ତେଣୁ, ଧର୍ମର ଚେତନା ବା ଧର୍ମର ପ୍ରେରଣା ବୋଲି କୌଣସି ସ୍ଵତନ୍ତ୍ର ସମ୍ପଦ ରହିଚି ବୋଲି ଆମେ ଏହି ଜୟମତ୍ତ ସଂସାରରେ କ୍ରମେ ଭୁଲିଯିବାକୁ ବସିଲାଣି । କିନ୍ତୁ ବିନୋବାଜୀ କାହାର ଜୟା ଚାହୁଚନ୍ତି ? ସେ ସବୁ ମଣିଷ ଭିତରେ ଶୁଭ ବାସନାର ଜୟ ଚାହୁଚନ୍ତି, ମଣିଷର ଭିତରେ ସେ ଶ୍ରେଷ୍ଠତମ ମଣିଷ ଗୁଣ ଗୁଡ଼ିକର ଜୟ କାମନା କରୁଚନ୍ତି । ଏହିସବୁ ଜୟ ଉପରେ ହିଁ ଆମ ସମସ୍ତଙ୍କର ଭବିଷ୍ୟତ ନିର୍ଭର କରୁଚି; ଆମେ ଆଗ୍ରହ କଲେ ଏହି ସବୁ ଜୟ ସମ୍ଭବ ହୋଇପାରିବ, ଏହିପରି ଏକ ବିଶ୍ଵାସ ନେଇ ସେ ବାହାରିଚନ୍ତି, ଅନେକ ସମୟରେ ଆମେ ନ ଚାହୁଥିଲେ ମଧ୍ୟ ସେ ଆପଣାର ବାଣୀ ନେଇ ଆମର ଦ୍ଵାରସ୍ଥ ହେଉଚନ୍ତି । ଯୁଦ୍ଧ କ୍ଷେତ୍ରରେ ମଲେ ବା ଶତ୍ରୁପକ୍ଷର ଏତେ ମଣିଷକୁ ମାରିଲେ ଏହି ବିଜୟ ହାସଲ ହୋଇ ପାରିବନାହିଁ । ଆପଣା ଭିତରେ ଅନେକ ପରିବର୍ତ୍ତନ କରିବାକୁ ରାଜି ହେଲେ ଯାଇ ମଣିଷ ଓ ତା’ର ସମାଜ ଭିତରେ ଏକ ନୂତନ ପ୍ରଭାତର ବିଜୟ ଘୋଷଣା ହୋଇ ପାରିବ । ସଂସାରରେ ବିଶ୍ଵାସ ବଢ଼ିବ, ସଂସାରରେ ଶ୍ରଦ୍ଧା ବଢ଼ିବ, ମଣିଷ ମଣିଷ ହେବ ।

 

୧୩ । ୯ । ୬୫

 

ବୋମା ସେଠି ପଡ଼ୁଚି, ହୁଏତ ଏଠି ବି ପଢ଼ୁଥାନ୍ତା । ମୁଁ ଓଡ଼ିଶାରେ ଜନ୍ମ ହୋଇଚି, ଆଗ୍ରାରେ ଅଛି । ହୁଏତ ଗୁରୁଦାସପୁରରେ ଜନ୍ମ ହୋଇଥାନ୍ତି ଓ ଫିରୋଜପୁରରେ ଥାଆନ୍ତି । ତେଣୁ ହୁଏତ ମୋ’ର ଯେକୌଣସି ସମୟରେ ମୃତ୍ୟୁ ହୋଇପାରିଥାନ୍ତା ଅର୍ଥାତ୍, ଜୀବନ ଓ ମୃତ୍ୟୁ ଯେ ପ୍ରଧାନତଃ ଏକ ଆକସ୍ମିକତା ଉପରେ ନିର୍ଭର କରୁଚି, ଏହି ଯୁଦ୍ଧ ଯୁଗରେ ସେକଥା ଅନୁଭବ କରିବାକୁ ମୋଟେ ବେଶୀ ସମୟ ଲାଗେ ନାହିଁ । ବର୍ତ୍ତମାନ ମୁଁ ବେଶ୍ ବୁଝିପାରୁଛି, ଯୁଦ୍ଧ କାଳୀନ ଆକସ୍ମିକତା ଓ ଅଭିଜ୍ଞତା ଦ୍ଵାରା ଗଢ଼ା ହୋଇଥିବା ଇଉରୋପୀୟ ମନ ଜୀବନ ଓ ମୃତ୍ୟୁକୁ କାହିଁକି ଏତେ ସହଜ ଭାବରେ ଆକସ୍ମିକ ବୋଲି ମନେ କରେ, ଜୀବନରେ କୌଣସି ସ୍ଥାୟୀ ମୂଲ୍ୟ ଅଛି ବୋଲି କାହିଁକି ସେ କ୍ରମେ ଅନୁଭବ କରିପାରେ ନାହିଁ । ଯୁଦ୍ଧବେଳେ ପ୍ରକୃତରେ ଜୀବନର ମୂଲ୍ୟ ଅତି କମ୍ ହୋଇଯାଏ, ଜୀବନର ବାଟରେ ଆପଣା ଜୀବନର ଉଦ୍ଦେଶ୍ୟରେ ବାଉଳା ହୋଇଗଲା ପରି ଲାଗେ । ତଥାପି ମୋ’ର ଅନୁଭବରୁ ମୁଁ କହିବି, ଠିକ୍ ଏଇଥିଯୋଗୁଁ ହିଁ ଏତିକିବେଳେ ଜୀବନଟା ଅଧିକ ମମତାର ସହିତ ଟାଣେ, ଜୀବନ ପ୍ରତି ଅଧିକ ଶ୍ରଦ୍ଧା ହୁଏ, ଏହି ଜୀବନରେ ବଞ୍ଚି ରହିବାକୁ ଅଧିକ ଜିଦ୍ ହୁଏ, ସକଳ ପ୍ରକାର ମରଣ ଓ ବିଷୟରେ ଅବିଶ୍ଵାସ ଓ ଅସନ୍ତୋଷ ମଧ୍ୟ ବଢ଼ିଯାଏ ।

 

୧୪ । ୯ । ୬୫

 

ସାମ୍ୟବାଦରୁ ମୁଁ ଆଦର୍ଶ ବୋଲି ମାନେ; କିନ୍ତୁ ସାମ୍ୟବାଦୀ ହେବାକୁ ଭୟ କରେ । ସାମ୍ୟବାଦ କହିଲେ ଯଦି ପ୍ରତ୍ୟେକ ମଣିଷକୁ ସମାନ ସୁଯୋଗ ଦେବା ଓ ସଂସାରରେ ନ୍ୟାୟ ପ୍ରତିଷ୍ଠା କରିବାକୁ ବୁଝାଏ, ତେବେ ମଣିଷର ସମାଜ ଦର୍ଶନ ହିସାବରେ ମୁଁ ସାମ୍ୟବାଦକୁ ହିଁ ସବୁଠାରୁ ଅଧିକ ଉପଯୋଗୀ ବୋଲି ଗ୍ରହଣ କରେ । କିନ୍ତୁ ସାମ୍ୟବାଦୀ ବୋଲାଇ ମୁଁ ମୋ’ର ଆଦର୍ଶଗତ ଧ୍ଵଜା ଉଡ଼ାଇବାକୁ ଚାହେଁନାହିଁ । ବାଦଠାରୁ ମୁଁ ମଣିଷକୁ ମହତ୍ତର ବୋଲି ମନେକରେ । ସମସ୍ତେ ଆଜି ସାମ୍ୟବାଦୀ ବଳରେ ଭର୍ତ୍ତି ବିଚାରଦାରିଦ୍ର୍ୟ ବୋଲି କହିବି । କିନ୍ତୁ ପ୍ରତ୍ୟେକ ମଣିଷ ଆପଣାକୁ ଯୋଗ୍ୟତାର ସାମାଜିକ ମଣିଷ ହିସାବରେ ପ୍ରତିଷ୍ଠିତ କରିପାରିଲେ ସାମ୍ୟବାଦ ଖୁବ୍‍ ବେଶୀ ଦୂରରେ ରହିବନାହିଁ । ସାମ୍ୟବାଦର ପ୍ରତିଷ୍ଠାଲାଗି ମୁଁ କୌଣସି ଆମନ୍ତ୍ରଣମୂଳକ ଓ ଅଧିକାର ମୂଳକ ଯୁଦ୍ଧ ଲଢ଼ିବାକୁ ଚାହେଁ ନାହିଁ; କିନ୍ତୁ ମୁଁ ନିର୍ଭୟ ହୋଇ ଆପଣାକୁ ମଣିଷ ହିସାବରେ ପ୍ରତିଷ୍ଠିତ କରିବାକୁ ଚାହେଁ, ଅକାତର ରହି ମୁଁ ପ୍ରତ୍ୟେକ ମଣିଷକୁ ସମ୍ମାନିତ ମଣିଷର ଆସନରେ ପ୍ରତିଷ୍ଠିତ କରିବାକୁ ଚାହେଁ । ସାମ୍ୟବାଦ ମୋତେ ଦ୍ଵେଷ ଶିଖାଏ ନାହିଁ, ଘୃଣା ଶିଖାଏ ନାହିଁ; କିନ୍ତୁ ମଣିଷକୁ ଓ ସମାଜକୁ ଅଧିକ ଶ୍ରଦ୍ଧା କରିବାକୁ ଶିଖାଏ । ନ୍ୟାୟଲାଗି, ଅର୍ଥାତ୍ ମଣିଷ ଜୀବନର ଶ୍ରେୟଗୁଡ଼ିକ ଲାଗି ଏହା ମୋତେ ଅଧିକ ଯୋଗ୍ୟ ଭାବରେ ପ୍ରସ୍ତୁତ କରେ । ସବୁରି ସହିତ ମୋତେ ଅଧିକ ସାର୍ଥକ ରୂପେ ସମ୍ମିଳିତ କରାଏ ।

 

୧୫ । ୯ । ୬୫

 

କାଲି ପାକିସ୍ତାନ ଉଡ଼ାଜାହାଜ ଆମ ଆକାଶରେ ଉଡ଼ୁଥିଲାବେଳେ ମନେ ହେଉଥିଲା, ଯେପରି ଜୀବନରେ କେବଳ ଏହି ଯୁଦ୍ଧଟା ହିଁ ସବୁଠାରୁ ଅସଲ କଥା, ଯେପରି ଆମର ଜୀବନଯାକ ଏହି ଯୁଦ୍ଧଟା ହିଁ ନିୟନ୍ତ୍ରଣ କରିବାକୁ ଆସିଚି । ତଳୁ ଯାଉଥିବା ବିମାନଭେଦୀ ତୋପମାନେ ଢୋ’ ଢୋ’ ହୋଇ ଆକାଶରେ ଯାଇ ଫୁଟୁଥାନ୍ତି । ଏଣେ ଆମେ ସମସ୍ତେ ଅତି ସୁରକ୍ଷିତ ଆଶ୍ରୟସ୍ଥଳମାନଙ୍କରେ ଗୁଞ୍ଜି ଗାଞ୍ଜି ହୋଇ ଆଶ୍ରୟ ନେଇଥିଲୁ ଓ ଜୀବନମୃତ୍ୟୁର ମୁହୂର୍ତ୍ତଗୁଡ଼ିକୁ ଗଣିବାରେ ଲାଗିଥିଲୁ । ସେତେବେଳେର ବାସ୍ତବ ସ୍ଥିତି ଯେପରି ଖାଲି ଏହିକଥା କହୁଥିଲା ଯେ, ଆକ୍ରମଣ ଓ ଆଶଙ୍କା, ଭୟ ଓ ପ୍ରତିଶୋଧ ବ୍ୟତୀତ ଜୀବନରେ ଆଉ କିଛି ସତ୍ୟକଥା ନାହିଁ । ଶତ୍ରୁପକ୍ଷ ଉପରେ ସଂଗ୍ରାମର ଜୟଲାଭ କରିବା ବ୍ୟତୀତ ଜୀବନରେ ଯେପରି ଆଉ କୌଣସି ଶ୍ରେୟ ବି ନାହିଁ । ଏହି ବୋମା, ଗୁଳିବାରୁଦ ବ୍ୟତୀତ ଜୀବନରେ ଯେପରି ଆଉ କିଛି ଅବଲମ୍ବନ ହିଁ ନାହିଁ । ଆଜି ସକାଳୁ ଉଠି ଦେଖୁଚି, ତଥାପି ସୂର୍ଯ୍ୟୋଦୟର କାନ୍ତ ପ୍ରସ୍ତୁତି ଚାଲିଚି, ତଥାପି ପକ୍ଷୀ ଗାଉଚି, ତଥାପି ନୂତନ ଜୀବନର ଜନ୍ମ ଉକୁଟିବାରେ ଲାଗିଚି । ଜୀବନରେ ଯେ ଅନେକ ସାର ଓ ସତ୍ୟ ରହିଚି, କାଲି ବୋମାମାଡ଼ ଓ ମୃତ୍ୟୁର ଭୟରେ ଯେଉଁ ଦେହଟା ଲୁଚିବାକୁ ଧାଇଥିଲା, ତା’ ଭିତରେ ସେ କେତେ ଶ୍ରେୟର ବାସନା ଓ ପୁରୁଷାର୍ଥ ରହିଚି, ଆଜି ସ୍ଵାଭାବିକ ଭାବରେ ମୁଁ ସବୁ ଅନୁଭବ କରୁଚି, ସବୁଟିର ଆହ୍ଵାନ ପାଉଚି ।

 

୧୬ । ୯ । ୬୫

 

ଆବଶ୍ୟକ ପଡ଼ିଲେ ଆମେ ଯୁଦ୍ଧ ଲଢ଼ିବା, କିନ୍ତୁ ଯୁଦ୍ଧକୁ ସବୁ ବୈର ଓ ବୈଷମତାର ଔଷଧ ବୋଲି କେବେହେଲେ ଗ୍ରହଣ କରିବା ନାହିଁ । ଯୁଦ୍ଧ ଦ୍ଵାରା କଦାପି କୌଣସି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବନାହିଁ, ଏକଥା କାଲି ଯେମିତି ସତ୍ୟ ଥିଲା, ଆଜି ମଧ୍ୟ ସେମିତି ସତ୍ୟ ରହିଚି । ମୁଁ ତ କହିବି ଯୁଦ୍ଧ ଦ୍ଵାରା ଅର୍ଥାତ୍ ଯୁଦ୍ଧ ଶକ୍ତି ବଢ଼ାଇ, ଅସମର୍ଥ ଦେଶମାନଙ୍କର ଯୁଦ୍ଧ ସାମର୍ଥ୍ୟ ଓ ହିଂସ୍ରତା ବଢ଼ାଇବାରେ ସାହାଯ୍ୟ କରି ପୃଥିବୀର ବଡ଼ ସାମରିକ ଶକ୍ତିମାନେ ପୃଥିବୀରେ ଯୁଦ୍ଧର ଓ ସର୍ବନାଶର ଆଶଙ୍କାକୁ ଶହେଗୁଣ ବଢ଼ାଇ ଦେଇଚନ୍ତି । ତା’ ନହେଲେ ଆଜି ସାନ ଦେଶ ଭିତରେ ମଧ୍ୟ ଟିକକ ପ୍ରଶ୍ନରେ ଯୁଦ୍ଧ ଲାଗି ଯାଉନଥାନ୍ତା, ସାନ ସାନ ଦେଶ ଟିକକ କଥାରେ ଯୁଦ୍ଧର ହୁଙ୍କାର ଦେଉନଥାନ୍ତେ । କେବଳ ଆତ୍ମରକ୍ଷା ପାଇଁ ଭାରତବର୍ଷ ଯୁଦ୍ଧ କରିବାକୁ ବାଧ୍ୟ ହେଉଚି, ଏହି କାରଣରୁ ମୁଁ ବର୍ତ୍ତମାନ ଯୁଦ୍ଧରେ ମୋ’ର ସମ୍ମତି ଦେଇଚି । ଯଦି ମୋ; ଦେଶରେ ଲୁଚି ଛପି ପାଞ୍ଚହଜାର ସରିକି ବିଦେଶୀ ସୈନ୍ୟ ଆସି ପଶିଯିବେ, ସେଠି ସେମାନଙ୍କୁ ଯେକୌଣସି ପ୍ରକାରେ ଅକ୍ତିଆରରେ ଆଣିବା ବ୍ୟତୀତ ମୋ’ ପାଖରେ ଆଉ କି ଉପାୟ ରହିଚି ? ହଁ ମୁଁ ଭୀରୁ ପରି ଅନ୍ୟାୟ ଓ ଆମନ୍ତ୍ରଣକୁ ମାନିନେଇ ପାରିବି । କିନ୍ତୁ ଏହି ଭାରତବର୍ଷର ଗାନ୍ଧୀ ମୋତେ ଶିଖାଇ ଯାଇଚି ଯେ ଭୀରୁତା ହିଂସାଚରଣ ଅପେକ୍ଷା ଅଧିକ ଲଜ୍ଜାଜନକ ଓ ମନୁଷ୍ୟ ପକ୍ଷରେ ଅଧିକ ଅଶୋଭନୀୟ ।

 

୧୬ । ୯ । ୬୫

 

ଅନେକ ସମୟରେ ଅସ୍ତ୍ରଶସ୍ତ୍ର ଧରି ଶତ୍ରୁ ଯୁଦ୍ଧ କରିବା ଅତ୍ୟାବଶ୍ୟକ ହୋଇପଡ଼େ । କିନ୍ତୁ ମୁଁ ଯୁଦ୍ଧକୁ ତଥାପି ଏକ ଅହିତ ବୋଲି ହିଁ କହିବି । ଯଦି ଅନ୍ୟ କେଉଁ ଦେଶରେ ପାଞ୍ଚହଜାର ସୈନ୍ୟ ଛଦ୍ମ ବେଶରେ ମୋ’ ଦେଶରେ ପଶିଯାଆନ୍ତି, ମୋ’ ଦେଶର ଅନିଷ୍ଟ କରିବାର ମତଲବରେ ଯଦି ସେମାନଙ୍କୁ ଏଠାକୁ ପଠା ଯାଇଥାଏ, ତେବେ ଅସ୍ତ୍ରଶସ୍ତ୍ର ସହିତ ସେମାନଙ୍କ ସହିତ ଲଢ଼ି ସେମାନଙ୍କୁ ଦେଶରୁ ବାହାର କରିବା ବ୍ୟତୀତ ମୋ’ ଦେଶର ଆଉ କି ଚାରା ରହିବ ? ଗତ ଅଠର ବର୍ଷ ହେଲା ଭାରତବର୍ଷ ପାକିସ୍ତାନି ସରକାରର ଏହି ସବୁ ଅଭିସନ୍ଧିମାନ ସହି ଆସୁଥିଲା । ଆଜି ଅଠରବର୍ଷର ଧୈର୍ଯ୍ୟ ତୁଟାଇଦେଲା ଭଳି ଘଟଣା ଘଟିଲାବେଳେ ଓ ଆମ ବିଭକ୍ତି ଭୟବିଜଡ଼ିତ ପୃଥିବୀର ତଥାକଥିତ ବଡ଼ବଡ଼ ଶକ୍ତିମାନେ ସିଆଣିଆ ନୀତିରେ ଚୁପ୍ ହୋଇ ମଜା ଦେଖିଲାବେଳେ ଭାରତ ଆଉ କ’ଣ କରନ୍ତା ? ଭାରତବର୍ଷକୁ ଏହି ଯୁଦ୍ଧ ଅବଶ୍ୟ ନିଶ୍ଚୟ ଲଢ଼ିବାକୁ ପଡ଼ିବ । ତଥାପି ଏହାକୁ ଏକ ଶ୍ରେୟ ହିସାବରେ ନୁହେଁ, ଏକ ଆବଶ୍ୟକତା ହିସାବରେ ଲଢ଼ିବାକୁ ପଡ଼ିବ । ଏହି ଯୁଦ୍ଧ ଦ୍ଵାରା ଅହିତ ଅନେକ ହେବ, ଯୁଦ୍ଧ ପରେ ଯୁଦ୍ଧ ଜନିତ ଦୁର୍ଦ୍ଦଶା ଅନେକ ଭୋଗିବାକୁ ପଡ଼ିବ । ଏ ବିଷୟରେ କାହାରି କୌଣସି ଭ୍ରମ ରହିବା ଉଚିତ ନୁହେଁ ।

 

୧୮ । ୯ । ୬୫

 

ଠିକ୍ ଘଣ୍ଟାକ ପୂର୍ବରୁ ଶୋଇ ଶୋଇ ମୁଁ ସ୍ଵପ୍ନ ଦେଖୁଥିଲି । ଶତ୍ରୁର ବ୍ୟୁହ ଭେଦ କରି ଶତ୍ରୁର ନାଶ କରିବାର ସ୍ଵପ୍ନ ନୁହେଁ, ଆପଣା ମିତ୍ରତା ବା ଆପଣାର ଜୀବନ କହିଲେ ମୁଁ ନାନା ଦେଶରେ ଯୋଡ଼ି ଦେଇ ଆସିଥିବା ଯେଉଁ ମମତାର ପରିସରକୁ ବୁଝାଏ, ସେହି ପରିସର ସ୍ଵପ୍ନ । ଗତ କେତେଦିନ ହେଲା ମୁଁ ପ୍ରଧାନତଃ ଯୁଦ୍ଧର କଥା ଭାବି ଆସିଚି । ମୋ’ ଦେଶ ଉପରେ କିପରି ଅନ୍ୟାୟ ଭାବରେ ଆକ୍ରମଣ ହୋଇଚି ଓ କିପରି ସେହି ଅନ୍ୟାୟର ପ୍ରତିଶୋଧ ନେବାକୁ ହେଲେ ଆକ୍ରମଣକାରୀଙ୍କୁ ଠିକଣା ଶିକ୍ଷାଟାଏ ଦେବାକୁ ହେବ, ପ୍ରଧାନତଃ ଏହିକଥା ହିଁ ମୁଁ ଭାବି ଆସିଚି । ସଂକ୍ଷେପରେ କହିବାକୁ ଗଲେ, ମୁଁ ମୋର ସମସ୍ତ ବିଚାର ଓ ଭାବନାକୁ ଖାଲି ଗୋଟାଏ ଦେଶର, ଖାଲି ମୋ’ର ଦେଶର ଭାଗ୍ୟ ଓ ଭବିଷ୍ୟତ ଭିତରେ ସୀମାବଦ୍ଧ କରି ରଖିଚି । ହଠାତ୍ ସ୍ଵପ୍ନରେ ମୋ’ର ସକଳ ସତର୍କ ଜାତୀୟତାର ବାଡ଼ ଭାଙ୍ଗିଦେଇ ମୋ’ର ଜୀବନଦେବତା ମୋତେ ଚିଆଇଁ ଦେବାକୁ ଆସିଥିଲା ପରି ଲାଗୁଚି । ହୁଏତ କାଲି ରାତିଟା ସାରା ମୁଁ ଇଉରୋପରେ ସ୍ଵପ୍ନ ହିଁ ଦେଖୁଥିଲି । ସେଠି ପ୍ରତ୍ୟେକଟି ଗଛ ଓ ପ୍ରତ୍ୟେକଟି ଫୁଲ ସହିତ କାଲି ରାତିରେ ମୁଁ ପୁରୁଣା ସଖାକୁ ସଙ୍ଖୋଳି ଆସିବାକୁ ଯାଇଥିଲି । କାଲି ସେଠି କେତେ ମଣିଷଙ୍କ ସହିତ ଦେଖା ହେଲା, କେତେ ପୁରୁଣା ସୂତ୍ର ଯୋଡ଼ା ହେଲା । ଆଜି ସକାଳେ ଆପଣାକୁ ବସି ପଚାରୁଚି, ମୁଁ କ’ଣ କେବଳ ଗୋଟାଏ ଦେଶର ମଣିଷ ? ମୋ’ର ଜୀବନ କହିଲେ କ’ଣ କେବଳ ଗୋଟାଏ ଦେଶର ସୁଖ, ଦୁଃଖ ଓ ସ୍ଵାର୍ଥସମ୍ବନ୍ଧ ବୁଝାଏ, ନା ମୋ’ର ପରିଚିତ ଏହି ବୃହତ୍ତର ପୃଥିବୀକୁ ନେଇ ମୋତେ ଜୀବନ ବଞ୍ଚିବାକୁ ହେବ ?

 

୧୯ । ୯ । ୬୫

 

କାଲି ଭୋର ସମୟର ସ୍ଵପ୍ନରୁ ମୁଁ ମୋ’ ମନର ଅନ୍ତତଃ ଗୋଟାଏ ପରିଚୟ ପାଇଚି । ମୁଁ ହିଂସା ଚାହେଁ ନାହିଁ, ଲଢ଼େଇ ବା ମଣିଷମରାରେ ମୋ’ର ଅସଲ ମନ କୌଣସି ଆଗ୍ରହ ପ୍ରକାଶ କରେ ନାହିଁ । ସଂସାରରେ ଏକ ବଡ଼ ଲଢ଼େଇର ସୂତ୍ରପାତ ହେଉଥିବା ବେଳେ ମୋ’ର ସ୍ଵାଧୀନତା ପାଇଲେ ମଣିଷର ଦ୍ଵାରସ୍ଥ ହୋଇ ମମତା ଓ ମୈତ୍ରୀ ଖୋଜି ବୁଲୁଥାଏ । ମୋ’ ଦେଶ ଉପରେ ଆକ୍ରମଣ ହୋଇଚି, ସ୍ଥିର ମନରେ ଶେଷ ସମ୍ବଳ ରହିଥିବା ପର୍ଯ୍ୟନ୍ତ ମୋତେ ଏହି ପ୍ରମତ୍ତତାର ପ୍ରତିରୋଧ ଅବଶ୍ୟ କରିବାକୁ ହେବ । କିନ୍ତୁ ତଥାପି ମୋ’ର ଜୀବନର ଅସଲ ଭୂମି ଉପରେ ମୁଁ ସେପରି ମଣିଷ ମଣିଷ ଓ ଦେଶ ଦେଶ ଭିତରେ କୌଣସି ବୈର ବା ହିଂସ୍ରତା ଦେଖିବାକୁ ଚାହେ ନାହିଁ । ମୋ’ର ମନର ଏହି ପ୍ରବୃତ୍ତିଟିର ଖିଅ ବଢ଼ାଇ ଆଜି ଏକଥା ମଧ୍ୟ କହିବାକୁ ସାହସ ହେଉଚି ଯେ, କୌଣସି ଦେଶରେ ମଣିଷର ଅସଲ ମନ ଯୁଦ୍ଧ ଚାହେ ନାହିଁ । ତଥାପି ଆମେ ଯୁଦ୍ଧ କରୁଚୁ, ଆମେ ତଥାପି କେତେପ୍ରକାର ତ୍ରାସ ଓ କେତେପ୍ରକାର ଦ୍ଵେଷରେ ଉତ୍ତପ୍ତ ହୋଇ ବସୁଚୁ । ଏହାର କାରଣ ଅନେକ । ଆମର ଇତିହାସ, ଆମର ଧର୍ମ, ଆମର ଶିକ୍ଷା ଓ ସବୁ କ୍ଷେତ୍ରରେ ଅହଂକାରକୁ ଏକାଠି ତୋଳି ତିଆରି ହୋଇଥିବା ଆମର ଉଗ୍ର ଜାତୀୟତା,—ଏହିସବୁ ଆମ ହିଂସାବୃତ୍ତି ଓ ଯୁଦ୍ଧ ବୃତ୍ତିର କାରଣ ହୋଇପାରେ । ତଥାପି ମୁଁ କହିବି ଯେ, ଆପଣାର ଅସଲ ମନ ଅନୁସାରେ ଜୀବନ ବଞ୍ଚିବା ଓ ଜୀବନ ଗଢ଼ିବା ଲାଗି ଶକ୍ତି ଏହି ମଣିଷ ଭିତରେ ରହିଚି । ଜାତିର ଜୟ ଲାଗି ନୁହେଁ, ସେହି ଶାନ୍ତିର ଉଦବୋଧନ ପ୍ରାର୍ଥନା କରି ଆଜି ମୁଁ ଭଗବାନଙ୍କୁ ଡାକିବି ।

 

୨୦ । ୯ । ୬୫

 

ହିଂସା ଓ ଦ୍ଵେଷକୁ ରବୀନ୍ଦ୍ରନାଥ ଛଦ୍ମବେଶ ବୋଲି କଳ୍ପନା କରିଚନ୍ତି । ସଂସାରର ନାନା କ୍ଷେତ୍ରରେ ବର୍ତ୍ତମାନ ହିଂସା ଓ ଦ୍ଵେଷ ହିଁ ଜୀବନଯାକ ଆବୋରି ରହିଚି । ଅନେକ ସମୟରେ ହିଂସା ଓ ଦ୍ଵେଷ ବ୍ୟତୀତ ଜଣେ ମଣିଷ ବା ଗୋଟାଏ ଗୋଟାଏ ଦେଶ ଆପଣା ଆଦର୍ଶ ସିଦ୍ଧିରେ କଳ୍ପନା ହିଁ କରି ପାରୁନାହାନ୍ତି । ହିଂସା ଓ ଦ୍ଵେଷର ଆଶ୍ରୟ ଗ୍ରହଣ କରାଯାଇ ନଥିଲେ ଇତିହାସର ଅନେକ ଧର୍ମର ଯେ ପ୍ରତିଷ୍ଠା ସମ୍ଭବ ହୋଇନଥାନ୍ତା, ଧର୍ମସ୍ପର୍ଦ୍ଧା ରଖିଥିବା ଉତ୍ସାହୀମାନେ ସେକଥା ଅବଶ୍ୟ କହିବେ । କିନ୍ତୁ ମୁଁ ତଥାପି କହିବି ଯେ, ହିଂସା ବା ଦ୍ଵେଷ ମଣିଷର ଅସଲ ବେଶ ନୁହେଁ, ଏହା ମଣିଷର ଛଦ୍ମବେଶ । ସେତେବେଳେ ମୁଁ ଅନ୍ୟଜଣେ ଲୋକ, ଅନ୍ୟ ଏକ ଦେଶ, ଜାତି ବା ଧର୍ମକୁ ଦ୍ଵେଷ ବା ହିଂସା କରେ, ସେତେବେଳେ ଉତ୍ତାପର ବଶବର୍ତ୍ତୀ ହୋଇ ରହିଥିବାରୁ ମୁଁ କିଛି ଅନୁଭବ କରି ପାରେନାହିଁ ସତ, କିନ୍ତୁ ସେହି ଉତ୍ତପ୍ତତା ଦ୍ଵାରା ମଣିଷ ତା’ର ଅସଲ ଜୀବନର ଗତିପଥ ସହିତ ସ୍ପର୍ଶ ଓ ସମ୍ପର୍କ ହରାଇବସେ, ତା’ର ଦୁଆର ବନ୍ଦ ହୋଇଯାଏ । ଭାରତବର୍ଷ ଉପରେ ବର୍ତ୍ତମାନ ବିଦେଶୀ ପଡ଼ୋଶୀର ଆକ୍ରମଣ ଚାଲିଚି, ଭାରତବର୍ଷର ତଥାକଥିତ ମିତ୍ରମାନେ ବି ଯେପରି ଦୂରରେ ଠିଆ ହୋଇ ଖେଳ ହିଁ ଦେଖୁଛନ୍ତି । ତଥାପି ଆମେ ଯେପରି କଦାପି ଏକଥା ବିଶ୍ଵାସ କରିବାକୁ ଆରମ୍ଭ ନକରୁ ଯେ, ସଂସାରରେ ସମସ୍ତେ ଖାଲି ଆପଣା ସ୍ଵାର୍ଥଲାଗି କାର୍ଯ୍ୟ କରୁଛନ୍ତି । ତେଣୁ ହିଂସା ଓ ଦ୍ଵେଷ କରିବା ବର୍ତ୍ତମାନ ସଂସାରରେ ଏକ ଆବଶ୍ୟକ କର୍ତ୍ତବ୍ୟ ହୋଇପଡ଼ିଚି । ଅବସ୍ଥା ବଦଳିଯିବ, କେବଳ ଆମର ନୁହେଁ, ଶତ୍ରୁଦେଶର ଛଦ୍ମବେଶ ମଧ୍ୟ ଖସି ପଡ଼ିବ, ହିଂସାଦ୍ଵେଷ ଚାଲିଯିବ ।

 

୨୧ । ୯ । ୭୫

 

ସଂସାରଯାକ ସମସ୍ତେ ଆଜି ଭାରତବର୍ଷକୁ ଯୁଦ୍ଧ ବନ୍ଦ କର, ଯୁଦ୍ଧ ବନ୍ଦ କର, ବୋଲି ଡାକରା ଦେବାରେ ଲାଗିଚନ୍ତି । ସଂସାରର ବିଭିନ୍ନ ଦେଶ, ବିଶେଷ କରି ବଡ଼ବଡ଼ ଦେଶ ଯୁଦ୍ଧ ଚାହୁଁ ନାହାନ୍ତି ବୋଲି ଯେ ଯୁଦ୍ଧର ବନ୍ଦ ହେବା ଚାହୁଚନ୍ତି, ତା’ ନୁହେଁ । ଭାରତବର୍ଷର ଯୁଦ୍ଧ ପୃଥିବୀ ଯୁଦ୍ଧରେ ପରିଣତ ହେବାରେ ଯେ ଭୟ ରହିଚି ସେହି ତ୍ରାସରେ ସେମାନେ ଏହି ଯୁଦ୍ଧକୁ ଅଟକାଇବା ଲାଗି ଏତେ ଅସ୍ଥିର ହୋଇ ପଡ଼ିଚନ୍ତି । କିନ୍ତୁ ମୁଁ ପଚାରୁଚି, ସଂସାରରେ ଏହି ଅଞ୍ଚଳକୁ ଆଧୁନିକ ଯୁଦ୍ଧକୁ ଡାକି ଆଣିଲା କିଏ ? ଏପାଖରେ ପୃଥିବୀକୁ ଯୁଦ୍ଧନୀତି ଓ ସାଜସଜ୍ଜାର ବିଶ୍ଵାସ କରି ଶିଖାଇଲା କିଏ ? ଭାରତବର୍ଷ ଛାଡ଼ିବା ପୂର୍ବରୁ ଇଂରେଜ ସରକାର ଦେଶକୁ ଦୁଇ ଭାଗରେ ବାଣ୍ଟି ଯାଇଥିଲେ, ସେହି ବିଭାଗ ଜନିତ ଖେଳକୁ ସେ ଏପର୍ଯ୍ୟନ୍ତ ଖେଳିବାରେ ଲାଗିଛନ୍ତି । ଏହି ଅଞ୍ଚଳରେ କମ୍ୟୁନିଷ୍ଟବାଦର ପ୍ରତିରୋଧ କରିବା ମତଲବରେ ଆମେରିକା କୁଢ଼କୁଢ଼ ଅସ୍ତ୍ର ଆଣି ଜମା କରିଚି । ଏବଂ ବର୍ତ୍ତମାନ ସେହି ଅସ୍ତ୍ର କମ୍ୟୁନିଷ୍ଟ ଦେଶର ପୃଷ୍ଠପୋଷକତାରେ ଭାରତବର୍ଷର ଗଣତନ୍ତ୍ର ବିରୁଦ୍ଧରେ ବ୍ୟବହୃତ ହେଉଚି,—ଏବଂ ଇଂଲଣ୍ଡ, ଆମେରିକା ଦୂରରେ ଥାଇ ମୌନ ହୋଇ ତାହା ଦେଖୁଚନ୍ତି । ଏମାନେ ଯୁଦ୍ଧ ଚାହାନ୍ତି ନାହିଁ ବୋଲି ମୁଁ କିପରି କହିବାକୁ ଯିବି ?

 

୨୨ । ୯ । ୭୫

 

ଭିତରେ ଭିତରେ ଗତ କେତେଦିନ ହେଲା ମୁଁ କ୍ରମେ ଅଧିକରୁ ଅଧିକ ଶକ୍ତ ହୋଇଯାଉଚି କି ? ଆଗରୁ ସାଧାରଣତଃ ଯୁଦ୍ଧ କହିଲେ ମୁଁ ଏକ ଅମାନୁଷିକ ଓ ଅନାବଶ୍ୟକ କାଣ୍ଡ ବୋଲି ବିଚାରୁଥିଲି । ଏଥର ଏହି ଦେଶରେ ମୋ’ର ଅଭିଜ୍ଞତା ହୋଇଗଲା, କିପରି ଗୋଟାଏ ଦେଶ ପାଇଁ ଯୁଦ୍ଧ ଦ୍ଵାରା ଯୁଦ୍ଧଲୋଲୁପତାର ଜବାବ ଦେବା ବ୍ୟତୀତ ଆଉ କୌଣସି ରାସ୍ତା ହିଁ ରହେନାହିଁ । ମଣିଷର ମଣିଷ-ପଣିଆ ବଞ୍ଚାଇ ରଖିବା ପାଇଁ ଭୀରୁତା ଓ ହିଂସା ମଧ୍ୟରୁ ଯେ ହିଂସାକୁ ହିଁ ବାଛି ନେବାକୁ ପଡ଼େ, ସେ କଥାକୁ ସିଦ୍ଧାନ୍ତ ହିସାବରେ ଜାଣିଥିଲି, କିନ୍ତୁ ସତ୍ୟ ହିସାବରେ ଏଇଥର ହିଁ ଜାଣିଲି । ପ୍ରତ୍ୟେକ ଦିନ ତେଣେ ସମରକ୍ଷେତ୍ରରେ ଯୁବକ ସୈନ୍ୟ ଓ ଯୁବକ ଅଫିସର ମରୁଚନ୍ତି ଓ ଆହତ ହେଉଚନ୍ତି । ଭାରତ ପକ୍ଷରୁ ମରୁଚନ୍ତି ଓ ପାକିସ୍ତାନ ପକ୍ଷରୁ ମରୁଚନ୍ତି । ଏହିସବୁ ନିଧାନ ସମ୍ବାଦମାନ ପ୍ରତିଦିନ ଶୁଣି ଶୁଣି ମୋ’ର ହୃଦୟଟା ଯେପରି କ୍ରମେ ଶକ୍ତ ହୋଇଯିବାପରି ବୋଧ ହେଉଚି । ଏହି ଖବର ହୁଏତ ବର୍ତ୍ତମାନ ବେଶ୍ କିଛିଦିନ ପାଇଁ ଶୁଣିବାକୁ ହେବ, ଦିନେ ହୁଏତ ନିଜକୁ ମଧ୍ୟ ସେହି ସମରାଙ୍ଗନରେ ଆପଣା କର୍ତ୍ତବ୍ୟ କରିବାକୁ ହେବ । ତେଣୁ ନରମ ହେଲେ ଚଳିବ ନାହିଁ, ଆପଣାର ସଂକଳ୍ପକୁ ଦୃଢ଼ ରଖି କାର୍ଯ୍ୟରେ ଅଗ୍ରସର ହେବାକୁ ପଡ଼ିବ । ଏହିପରି ଏକ ବିଚାର ଗତ କେତେଦିନ ହେଲା ମୋତେ ଭାରି ଶକ୍ତ କରି ପକାଉଚି । ଏହି ସକାଳ, ଏହି ଶିଶିରସିକ୍ତ ପୃଥିବୀ, ମହାନୁଭୂତିସିକ୍ତ ମୋ’ ଭିତରର ଏହି ମଣିଷହୃଦୟ,—ଏଗୁଡ଼ିକ ସବୁ ସୁନ୍ଦର, ସବୁ କାମ୍ୟ, ଜୀବନର ପରିପାର୍ଶ୍ଵିକୁ ସୁନ୍ଦର ରହିବାକୁ ହେଲେ ଏଗୁଡ଼ିକ ସବୁ ଦରକାର । କିନ୍ତୁ ତଥାପି ଆପଣାର କର୍ତ୍ତବ୍ୟ କରିବାକୁ ହେବ, ଏବଂ ସ୍ଥିର ହୋଇ କର୍ତ୍ତବ୍ୟ କରିବାକୁ ହେବ ।

 

୨୩ । ୯ । ୬୫

 

କାଲି ଭାରତ ଓ ପାକିସ୍ତାନ ଉଭୟେ ଯୁଦ୍ଧ ବନ୍ଦ ପାଇଁ ରାଜି ହେଲେ । ଆଜି ପାହାନ୍ତା ସାଢ଼େ ତିନିଟା ସମୟରେ ବୈଧାନିକ ଭାବରେ ଏମାନଙ୍କର ଗୁଳି, ତୋପ ଓ ବୋମା ସବୁ ବନ୍ଦ ହୋଇଯିବାର କଥା ଥିଲା । ଏହି ନିର୍ଦ୍ଦିଷ୍ଟ ସମୟର ମାତ୍ର ଏଗାରଘଣ୍ଟା ପୂର୍ବରୁ ପାକିସ୍ତାନର ଉଡ଼ାଜାହାଜ ଆସି ଅମୃତସରର ବଜାର ଭିତରେ ବୋମା ପକାଇଗଲା । ସେତେବେଳେ ଯୁଦ୍ଧବନ୍ଦ ଲାଗି ଉଭୟ ପକ୍ଷ ରାଜି ହୋଇ ସାରିଲେଣି ଓ ପାକିସ୍ତାନର ସର୍ବେସର୍ବା ଆୟୁବ୍ ଖାଁ ଏହି ବିଷୟରେ ରେଡ଼ିଓରେ ଭାଷଣ ଦେଉଚନ୍ତି । ବ୍ୟୋମଯାନର ଏହି ବୋମା ପକାଇବା ଫଳରେ ଶହେରୁ ବେଶୀ ଲୋକ ମରିଚନ୍ତି ଓ ଆହୁରି ଅନେକ ଆହତ ହୋଇଚନ୍ତି । ଯେ କୌଣସି ମଣିଷ ଦଳେ ମଣିଷଙ୍କର ଏହି କାଣ୍ଡରେ ଅବଶ୍ୟ ଲଜ୍ଜା ଅନୁଭବ କରିବ । ପାକିସ୍ତାନ କେତେଦୂର ଆନ୍ତରିକତା ସହିତ ଯୁଦ୍ଧ ବନ୍ଦ କରିବାକୁ ଯେ ରାଜି ହୋଇଚି, ଏଇଥିରୁ ତାହାର କିଞ୍ଚିତ୍ ସୂଚନା ମଧ୍ୟ ମିଳିବ । ମଣିଷ ମାରି, ବିଶେଷ କରି ଅସାମରିକ ମଣିଷ ମାରି ଜଗତରେ ଆପଣାର ମତଲବ ସିଦ୍ଧ କରିବାର ଜିଦ୍‍କୁ କେବଳ ଏକ ଅସଭ୍ୟ ଜିଦ୍‍ ବୋଲି କୁହାଯାଇପାରିବ । ପୁଣି, ଯେଉଁ ଦେଶ ଆପଣାକୁ ଏକ ଧର୍ମଶାସିତ ଦେଶ ବୋଲି ବଡ଼ାଇ କରୁଚି, ତା’ର ଆଚରଣରେ ଧର୍ମର ଯେତେ ସ୍ଥାନ ନାହିଁ, ବର୍ବରତା ଓ ଅସଭ୍ୟତା ଲାଗି ତା’ଠାରୁ ଯଥେଷ୍ଟ ଅଧିକ ସ୍ଥାନ ରହିଚି । ଏହି ବର୍ବରତା ଆହ୍ଵାନ ସତ୍ତ୍ୱେ ଆମକୁ ତଥାପି ମଣିଷ ହୋଇ ରହିବାକୁ ପଡ଼ିବ ।

 

୨୪ । ୯ । ୬୫

 

ଆକ୍ରମଣକାରୀ ପଡ଼ୋଶୀର ସମ୍ମୁଖୀନ ହେବାଲାଗି ଗତ କେତେଦିନ ହେଲା ଦେଶଟାଯାକ ଏକଜୁଟ୍‍ ହୋଇ ରହିଥିଲା । ଆପଣାର ସବୁ କଳହ, କନ୍ଦଳ ଓ ଦ୍ଵେଷବିଦ୍ଵେଷକୁ ଛାଡ଼ି ସମସ୍ତେ ଦେଶରକ୍ଷା ଲାଗି ପ୍ରସ୍ତୁତ ହୋଇ ରହିଥିଲେ । ବର୍ତ୍ତମାନ ଆକ୍ରମଣର ଭୟ ଆପାତତଃ ଅପସରି ଯିବାପରି ମନେ ହେଉଚି, କିନ୍ତୁ ଦେଶର ଏହି ଏକତାକୁ ଆମେ ଚିରସ୍ଥାୟୀ କରି ରଖି ପାରିବା ତ ? ଦେଶର ଓ ସମୂହର ରକ୍ଷାକୁ ଯେପରି ଆପଣାର ସବୁଠାରୁ ବଡ଼ କର୍ତ୍ତବ୍ୟ ବୋଲି ଆମେ କାଲି ଅନୁଭବ କରୁଥିଲୁ, ଏହି ସଂକଟକାଳ ବ୍ୟତୀତ ହୋଇ ଗଲାପରେ ଆମେ ସେହିପରି ଅନୁଭବ କରିବା ତ ? ଦେଶ ବିଦେଶୀ ଶାସନର ବୋଝକୁ ଦୂର କରି ରାଜନୀତିକ ସ୍ଵାଧୀନତା ପାଇବା ପରେ ସମସ୍ତ ଦେଶରେ ଏହିପରି ଏକ ଶୁଭ ଉନ୍ମାଦନା ଓ ଉତ୍ସାହର ସୃଷ୍ଟି ହୋଇଥିଲା । ଦେଶବାସୀଙ୍କ ମନରେ ସେତେବେଳେ ନାନାପ୍ରକାର କର୍ମୋତ୍ସାହ ଭାରି ରହିଥିଲା, ବିଶ୍ଵାସ ଭାରି ରହିଥିଲା । ତିନିବର୍ଷ ତଳେ ଚୀନର ଆକ୍ରମଣ ସମୟରେ ମଧ୍ୟ ଦେଶରେ ଏହିପରି ଏକତା ଓ ଉନ୍ମାଦନା ସୃଷ୍ଟି ହୋଇଥିଲା । ନାନା କାରଣରୁ ଅଧିକ ସ୍ଥାୟୀ ହେବାଲାଗି ଏହି ଏକତା ଓ ଉତ୍ସାହକୁ ଏହି ଦେଶରେ ନିଷ୍ଠାପର ସବଳ ନେତୃତ୍ଵ ମିଳି ପାରିଲାନାହିଁ । ତେଣୁ ସଙ୍କଟ କଟିଯିବା ପରେ ପରେ ଆମେ ସମସ୍ତେ ପୁଣି ସେହି ପୁରୁଣା ଦଦରା ପ୍ରାଦେଶିକତା ଗୁଡ଼ାକ ଭିତରେ ଜର୍ଜର ହୋଇ ରହିଲୁ । ଦେଶର ସମୂହଭାବନା ନେଇ ଯାହା କରିବା ସମ୍ଭବ ହୋଇଥାନ୍ତା, ତାହା କରିବା ଆମ ପକ୍ଷରେ ସମ୍ଭବ ହେଲାନାହିଁ ।

 

୨୫ । ୯ । ୬୫

 

ଅନେକ ଦିନରୁ ଗୀତ ନଗାଇ ଏବେ କେତେଦିନ ହେଲା ମନେ ହେଉଚି, ଯେପରି ମୋ’ର କଣ୍ଠ ଭିତରେ ଗୀତ ହିଁ ନାହିଁ, ଯେପରି ମୋତେ ଆଦୌ ଗୀତ ଗାଇ ଆସେ ନାହିଁ । ଆଗେ, ବିଶେଷତଃ ଶାନ୍ତିନିକେତନରେ ଥିଲାବେଳେ ମୋତେ ଗୀତ ଗାଇ ଆସେ କି ନାହିଁ ବିଚାର କରିବା ପୂର୍ବରୁ ମୁଁ ଆପେଆପେ ଗୀତ ଗାଇ ପାରୁଥିଲି, ଏହି କଣ୍ଠ ଆପେଆପେ ଦ୍ଵାରୋଦ୍‍ଘାଟନ କରି ଦେଉଥିଲା ଓ ଏହାକୁ ମୁଁ ଆତ୍ମପରିଚୟର ଦ୍ଵାରୋଦ୍‍ଘାଟନ ବୋଲି ଅନୁଭବ କରୁଥିଲି । ପିଲାଦିନେ କେବେ ଗୀତ ଗାଇ ନଥିଲି । କିନ୍ତୁ ମୋ’ର ବେଶ୍ ମନେଅଛି, ତରୁଣ ବୟସରେ ଦିନେ ହୃଦୟ ପ୍ରସ୍ତୁତ ହେବା ସଙ୍ଗେ ସଙ୍ଗେ ସହଚରଧର୍ମ ପାଳନ କରି ମୋ’ର କଣ୍ଠଟା ମଧ୍ୟ ଆପେଆପେ ଖୋଲି ଯାଇଥିଲି । ସେହି ଦିନଠାରୁ ପ୍ରଧାନତଃ ସଂଗୀତ ଗାଇବା ପରି ହିଁ ମୁଁ ଜୀବନର ତୀର୍ଥରେ ପ୍ରବେଶ କରି ବୁଲିଚି । ମୋ’ର କାର୍ଯ୍ୟ, ମୋ’ର ଆକାଙ୍‍କ୍ଷା ଓ ଅଭିଳାଷ, ମୋ’ର ସଂଗ୍ରହ ଓ ସଞ୍ଚୟ କରିବାର ସକଳ ବାସନା ପ୍ରଧାନତଃ କେଉଁ ସଙ୍ଗୀତର ନିର୍ଭର ଓ ନିର୍ମଳ ସ୍ଵାଭାବିକତାର ସନ୍ତକ ଗ୍ରହଣ କରିଚି । —ହୁଏତ ସେଇଥିଲାଗି ମୁଁ ଏତେ ଆନନ୍ଦ ପାଉଥିଲି । ସେଇଥିଲାଗି ହୁଏତ ଜୀବନରେ ପ୍ରଧାନତଃ ଖୁସୀ ହୋଇ ପ୍ରବେଶ କରିଚି । ଖୁସୀ ହୋଇ ଦେଇ ଓ ନେଇ ପାରୁଚି, ଖୁସୀ ହୋଇ ଡୋର ଗଅଣ୍ଠାଇ ପାରୁଚି ଓ ଖୁସୀ ହୋଇ ଅପେକ୍ଷା କରି ପାରୁଚି । ସଂଗୀତ ଛାଡ଼ିଦେଲେ ଶେଷକୁ ବୁଢ଼ା ହୋଇଯିବା ହିଁ ସାର ହେବ ।

 

୨୬ । ୯ । ୬୫

 

ଭାରତବର୍ଷର ଜଣେ ନାଗରିକ ହିସାବରେ ଏହି ଲଢ଼େଇରେ ପ୍ରାଣବଳି ଦେଇଥିବା ଯୋଦ୍ଧାମାନଙ୍କ ସକାଶେ ମୋ’ର ମସ୍ତକ ଆପେଆପେ ନତ ହୋଇ ପଡ଼ୁଚି । ମଣିଷର ଯଥୋଚିତ ଜୀବନର ମାନଚିତ୍ରରେ ହିଂସା ଓ ଲଢ଼ାଇ ଲାଗି ଏକ କ୍ଷେତ୍ର ରହିବାର ଯେ କୌଣସି ଆବଶ୍ୟକତା ନାହିଁ, ମୁଁ ସେକଥା ଜାଣେ; ତଥାପି ଦେଶର ରକ୍ଷା ଲାଗି ଆପଣାର କର୍ତ୍ତବ୍ୟ କରିବାକୁ ଯାଇ ଏହି ଯୋଦ୍ଧାମାନେ ପ୍ରାଣବଳି ଦେଇଚନ୍ତି । ପାକିସ୍ତାନରେ ମଧ୍ୟ ଅନେକ ଯୋଦ୍ଧା ଏହିପରି ପ୍ରାଣବଳି ଦେଇଥିବେ । କିନ୍ତୁ ସେମାନଙ୍କ ସକାଶେ ମୋ’ର ହୃଦୟ ଭିତରେ କୌଣସି ଶ୍ରଦ୍ଧା ଉତ୍ପନ୍ନ ହେଉନାହିଁ କାହିଁକି ? ସଂସାରରେ ସଂକୀର୍ଣ୍ଣ ଏକ ଭୂଖଣ୍ଡକୁ ମୋ’ର ନିଜର ଦେଶ କହି ଅପର ଦେଶର ଆଉଜଣେ ସନ୍ତାନର ଦେଶଭକ୍ତିକୁ ବୁଝି ନପାରିବାର ପାଷଣ୍ଡତା ମୋ’ର ଏପର୍ଯ୍ୟନ୍ତ ହୋଇନାହିଁ । ଆପଣା ଦେଶକୁ ନିଜର ଶ୍ରଦ୍ଧା ଜଣାଇବା ବେଳେ ମୁଁ କେବଳ ଏକ ଭୂଖଣ୍ଡକୁ ଶ୍ରଦ୍ଧା ଜଣାଏ ନାହିଁ । କାହାକୁ ବା କେଉଁ ଦେଶର ମାନଚିତ୍ରକୁ ମୋ’ର ବୋଲି କହି ଯାବୁଡ଼ି ଧରିବାର ଆସକ୍ତି ଓ ଲାଳସାକୁ ମୁଁ ଶ୍ରଦ୍ଧା ଜଣାଏନାହିଁ । ମୋ'ର ଦେଶ ଯେଉଁ କେତୋଟି ମାନବିକ ନୀତି ଉପରେ ପ୍ରତିଷ୍ଠିତ ହୋଇ ରହିବାକୁ ପଣ କରିଚି, ସେହି ମାନବିକ ନୀତି ପ୍ରତି ମୁଁ ମୋ’ର ଶ୍ରଦ୍ଧା ଜଣାଇଥାଏ । କାରଣ, ମୁଁ ଏହିସବୁ ନୀତିକୁ ବ୍ୟକ୍ତିଗତ ତଥା ସାମୂହିକ ଜୀବନବିକାଶର ଆଧାର ବୋଲି ବିଶ୍ଵାସ କରେ । ସମସ୍ତ ପ୍ରକାର ଦୋଷ ଓ ଅଭାବ ସତ୍ତ୍ୱେ ଭାରତବର୍ଷରେ ଆଜି ଏହି ନୀତିର ପ୍ରୟୋଗ ଓ ପରୀକ୍ଷା ହେଉଚି । ଏହି ଦେଶରେ ଜଣେ ଭାଗ୍ୟବାନ୍ ନାଗରିକ ହିସାବରେ ମୁଁ ଏହି ପ୍ରୟୋଗରେ ସମ୍ମିଳିତ ହୋଇପାରିଚି । ଆପଣାକୁ ଓ ଆପଣାର ସାମୂହିକ ଜୀବନକୁ ଯଥାର୍ଥ ଭାବେ ଆବିଷ୍କାର କରିବାର ସୁଯୋଗ ମୁଁ ଦେଶରେ ପାଇଚି ।

 

୨୭ । ୯ । ୬୫

 

ଗଙ୍ଗାନଦୀ ମୋ’ ଲାଗି ଅତି ପବିତ୍ର, ହିମାଳୟ ପର୍ବତ ଅତି ମହାନ୍ । ମୋ’ ଦେଶର ଭାଷା ମୋ'ର ଅତି ପ୍ରିୟ, ମୋ' ଦେଶର ମଣିଷ ସମସ୍ତେ ମୋ’ର ଅତି ଆପଣାର, ମୋ’ ଦେଶର ମନ୍ଦିର ମୋ’ ଆଖିରେ ଭାରି ସୁନ୍ଦର । କିନ୍ତୁ କେବଳ ଏହି ଗୁଡ଼ାକ ଲାଗି ମୁଁ ମୋ’ ଦେଶକୁ ଭଲ ପାଏନାହିଁ ବା ମୋ’ ଦେଶ ଲାଗି ଜୀବନ ଦେବାକୁ ଉତ୍ସାହିତ ହୋଇ ପଡ଼େନାହିଁ । ମୋ’ ଦେଶର ରାଷ୍ଟ୍ର ଗଣତନ୍ତ୍ରର ନିର୍ବାଚିତ ରାଷ୍ଟ୍ର, ଏହି ରାଷ୍ଟ୍ରର ଆଖିରେ ସବୁ ଧର୍ମ ସମାନ, ସବୁ ମଣିଷ ସମ୍ମାନର ଅଧିକାରୀ ଓ ସବୁ ଜାତି ମଣିଷଜାତିର ଏକ ସୁନ୍ଦର ଅଙ୍ଗ ସ୍ୱରୂପ,—ମୋ’ ରାଷ୍ଟ୍ରର ସମ୍ବିଧାନ ଓ ଜାତୀୟ ଉଦ୍ୟମ ପ୍ରଧାନତଃ ଏହି ଦିଗରେ ଉଦ୍ଦିଷ୍ଟ ହୋଇରହିଚି । ପ୍ରଧାନତଃ ସେଇଥିଲାଗି ମୁଁ ପ୍ରାଣପଣ କରି ଏହି ଦେଶକୁ ବଞ୍ଚାଇ ରଖିବାକୁ ଚାହେ । ପାକିସ୍ତାନରେ ଯେଉଁ ସରକାର ଲୋକଙ୍କ ଉପରେ ରାଜତ୍ଵ କରୁଚି, ମଣିଷର ଅନୁରକ୍ତି ପାଇବାକୁ ତାହା ଯଥେଷ୍ଟ ଯୋଗ୍ୟ ବୋଲି ମୁଁ ବିଚାରି ପାରୁନାହିଁ । ସେଠାରେ ମୁସଲମାନ ଧର୍ମର ଅନ୍ଧତା ପ୍ରଚାର କରାଯାଇ ଧର୍ମକୁ ଯେପରି କୌଶଳର ସହିତ ବ୍ୟବହାର କରାଯାଉଚି, ମଣିଷକୁ ମଧ୍ୟ ସେହିପରି ଭୟବଶ ବାଧ୍ୟ କରି ରଖାଯାଇଚି । ନିଶା ଖାଇ ଅନ୍ଧ ହେବାକୁ ମୁଁ କଦାପି ରାଷ୍ଟ୍ରୀୟତା ବୋଲି କହିବି ନାହିଁ । ଏପରି ନିଶାଖିଆ ରାଷ୍ଟ୍ରୀୟତାର ଗର୍ଜନ ଇତିହାସରେ ଅନେକ ହୋଇଚି । ତଦ୍ଦ୍ଵାରା ମଣିଷ ପ୍ରମାଦଗ୍ରସ୍ତ ହୋଇଚି । ତଥାପି ସକଳ ଆତଙ୍କ ସତ୍ତ୍ୱେ ମଣିଷର ହିଁ ଜୟ ହୋଇଚି, ଅନ୍ଧତା ପଛକୁ ହଟିଯାଇଚି । ଅନ୍ଧତାକୁ ପଛକୁ ହଟିବା ଲାଗି ମୁଁ ଜୀବନପଣ କରିବାକୁ ରାଜି ଅଛି, ଗଣତନ୍ତ୍ର ଲାଗି ଧର୍ମଶକ୍ତି ବଢ଼ାଇବା ଲାଗି, ମଣିଷର ଜୟ ଲାଗି ମୁଁ ସବୁ କରିବାକୁ ତିଆରି ଅଛି ।

 

୨୮ । ୯ । ୬୫

 

ପାକିସ୍ତାନରେ ଯେଉଁପରି ଶାସନ ଓ ସରକାର ଚାଲୁଚି, ଭାରତବର୍ଷରେ ଯଦି ସେହିପରି ସରକାର ଓ ଶାସନ ଚାଲୁଥାନ୍ତା, ତେବେ ମୁଁ ମୋ’ର ଦେଶକୁ ସ୍ଵାଧୀନ ଦେଶ ବୋଲି କହୁନଥାନ୍ତି ଓ ଏହି ସରକାରକୁ ବଦଳାଇବାକୁ ମୁଁ ମୋ’ର ସର୍ବପ୍ରଧାନ ନାଗରିକ କର୍ତ୍ତବ୍ୟ ବୋଲି ଗ୍ରହଣ କରିଥାନ୍ତି-। ହୁଏତ ଏପରି ଏକ ଦେଶରେ କାରାଗାରକୁ ହିଁ ମୁଁ ମୋ’ର ବାସସ୍ଥାନ ରୂପେ ନିର୍ବାଚିତ କରିଥାନ୍ତି-। ପାକିସ୍ତାନର ଯୋଦ୍ଧା ଆଜି କେଉଁଥିପାଇଁ ଲଢ଼ୁଚି ? ସେ କ’ଣ ଧର୍ମାନ୍ଧତା ପାଇଁ ଲଢ଼ୁଛି, ଏକଛତ୍ର ସାମରିକ ଶାସନ ପାଇଁ ଲଢ଼ୁଚି ? ଭଗବାନଙ୍କର ଗୋଟାଏ ନାମକୁ ଘୃଣାବୃତ୍ତି ସହିତ ଏକାଠି ଗୋଳିଲେ ଯେଉଁ ଆଦିମତା ଓ ଉଗ୍ରତା ଉତ୍ପନ୍ନ ହୁଏ ଓ ଧର୍ମ ନାମରେ ଦୌରାତ୍ମ୍ୟ କରିବାକୁ ଆରମ୍ଭ କରେ, ସେଇ ଧର୍ମ ସକାଶେ ଲଢ଼ୁଚି ? ସେହି ଦେଶର ପତାକା ଓ ଜାତୀୟ ସଙ୍ଗୀତ କେଉଁପରି ଭବିଷ୍ୟତର ପ୍ରତୀକ ହୋଇ ରହିଚି ଓ ବର୍ତ୍ତମାନ ସ୍ଥିତିରେ ତାହା ମଣିଷକୁ ପ୍ରଧାନତଃ କେଉଁ ଦୃଷ୍ଟିରେ ଦେଖୁଚି ? ପାକିସ୍ତାନରୁ ମୁଁ ପ୍ରଧାନତଃ ମୁସଲମାନ ରାଜ୍ୟ ବୋଲି ବିଚାର କରେ ନାହିଁ-। ମୁସଲମାନ ଧର୍ମକୁ ଆପଣା ବନ୍ଧୁକ ଲାଗି passport କରି ବ୍ୟବହାର କରି ସେଠି ଦଳେ ସାମରିକ କର୍ତ୍ତା ଯେଉଁ ପ୍ରମାଦ ଭିଆଉଚନ୍ତି, ସେହି ପ୍ରମାଦରୁ ମୁଁ ବଞ୍ଚିବାକୁ ଚେଷ୍ଟା କରୁଥାନ୍ତି, ସେହି ପ୍ରମାଦଙ୍କୁ ଆନ୍ତର୍ଜାତିକ ସ୍ତରକୁ ବଢ଼ାଇବା ଲାଗି ମୁଁ ଆଲ୍ଲାଙ୍କର ନାମ ନେଇ ଯୁଦ୍ଧ ଭୂଇଁକୁ ଯାଆନ୍ତି ନାହିଁ । ଏହିସବୁ କାରଣରୁ ପାକିସ୍ତାନର ନିହତ ସୈନିକ ଓ ଯୋଦ୍ଧାମାନଙ୍କୁ ଦେଶଭକ୍ତ ବୋଲି କହିବାକୁ ବା ଅନୁଭବ କରିବାକୁ ମୋ’ର ଆଗ୍ରହ ହୁଏ ନାହିଁ । ବିଂଶ ଶତାବ୍ଦୀର ପୃଥିବୀରେ ସେମାନେ କେତେ ନିକୃଷ୍ଟ ଉଦ୍ଦେଶ୍ୟ ଲାଗି ପ୍ରାଣ ଦେଉଚନ୍ତି ? ସେହି ଆଦର୍ଶ ଲାଗି ପ୍ରାଣ ଦେଇ ସେମାନେ ମଣିଷ ଓ ମାନବିକ ପୃଥିବୀର କି କ୍ଷତି କରୁନାହାନ୍ତି ?

 

୨୯ । ୯ । ୬୫

 

ଆପଣାକୁ ହିନ୍ଦୁ ବୋଲି କୌଣସି ଦିନ ଗର୍ବ ଅନୁଭବ କରି ପାରିନାହିଁ, ମଣିଷ ବୋଲି ଗର୍ବ ଅନୁଭବ ଅନେକ କରିଚି । ପ୍ରଧାନତଃ ମଣିଷର ଦୃଷ୍ଟି ରଖିପାରିଚି ବୋଲି ମୁଁ ହିନ୍ଦୁ ଧର୍ମରୁ ମାନବିକ ସାରପ୍ରେରଣାମାନ ଗ୍ରହଣ କରିବାର ଶ୍ରଦ୍ଧା ଓ ସଞ୍ଜାମ ଅବଲମ୍ବନ କରିଚି, ଏହି ଧର୍ମକୁ ମୋ’ର ବୋଲି କହି ମୁଁ ଏହାରି ଭିତରେ ପୋକ ପରି ଲଟରପଟର ହେବାର ପ୍ରମାଦକୁ ରକ୍ଷା ପାଇଚି । ଜଣେ ମଣିଷର ଗୌରବ ନେଇ ଜୀବନ ସମ୍ପର୍କ ବହୁଳ ତୀର୍ଥରେ ବିଚରଣ କରୁକରୁ ମୁଁ ଯେଉଁଠି ଯାହା ସମ୍ପଦ ପାଇଚି, ସବୁ ସାଉଁଟି ଆଣିଚି । ମୁସଲମାନ ଧର୍ମରୁ ଆଣିଚି, ଖ୍ରୀଷ୍ଟିଆନ୍ ଓ ଅନ୍ୟାନ୍ୟ ଧର୍ମରୁ ମଧ୍ୟ ଆଣିଚି । ଏହି ଆଣିବା ଓ ସଂଗ୍ରହ କରିବା ଦ୍ଵାରା ମୋ’ର ଜନ୍ମଲବଧ ହିନ୍ଦୁତ୍ଵ ପୁଷ୍ଟ ହୋଇଚି ସିନା, କୌଣସି ପ୍ରକାରେ କ୍ଷୁବଧ ହୋଇନାହିଁ । ଯେଉଁ ରାଜନୀତିକ ବା ଜାତୀୟ ଭୂମି ମୋତେ ଏହି ମନୁଷ୍ୟ ହେବାଲାଗି ଅଧିକ ପରିସର ଦେବ, ଅଧିକ ଉତ୍ସାହକ୍ଷେତ୍ର ଯୋଗାଉଥିବ, ସେହି ଭୂମିକୁ ହିଁ ମୁଁ ମୋର ଭୂମି ବୋଲି କହିବି ଓ ସେହି ଭୂମିର ରକ୍ଷା ଲାଗି ମୁଁ ଆବଶ୍ୟକ ସମସ୍ତ ସାହସ ଅବଲମ୍ବନ କରିବି । ଯେଉଁ ଭୂମିରେ ମୋତେ ଠିଆ ହେବାର ଅବକାଶ ମିଳିପାରିବ, ମୁଁ ସେଠାରେ ମଧ୍ୟ ଭୂମି ପାଇଁ ନୁହେଁ, ମୋ’ର ମଣିଷସୁଲଭ ଗୌରବ ପ୍ରତିଷ୍ଠା ଲାଗି ଲଢ଼ିବାକୁ ପ୍ରସ୍ତୁତ ହେବି ।

 

୩୦ । ୯ । ୬୫

 

ମଣିଷ ପାଖରେ ଥିଲେ ମୋତେ ସଂସାରଟାଯାକ ଭରପୂର ହୋଇ ରହିଥିବା ପରି ଲାଗେ । ମଣିଷ ପାଖରେ ଥିଲାବେଳେ ଆପଣାର ବିଶାଳ ହୃଦୟ ଗର୍ଭଟା ମଧ୍ୟ ଭରପୂର ହୋଇ ରହିଥିବା ପରି ଲାଗେ । ତଥାପି, ମଣିଷ ପାଖରେ ନଥିବାବେଳେ ଯଦି ମୁଁ ଏକୁଟିଆ ଅନୁଭବ କରେ, ତେବେ କହିବାକୁ ହେବ ଯେ, ମଣିଷର ମେଳ ଭିତରେ ରହିଥିବା ବେଳେ ମୋତେ ତଥାପି ଏକାକୀ ଲାଗିବାର ଆଶଙ୍କା ମଧ୍ୟ ସବୁବେଳେ ଅବଶ୍ୟ ରହିଚି । ମଣିଷର ମେଳ ଭିତରେ ହେଉ ବା ମଣିଷ ମେଳର ବାହାରେ ହେଉ, ହଠାତ୍ ସବୁଠାରୁ ବିଚ୍ୟୁତ ଓ ଅଯୁକ୍ତ ହୋଇ ପଡ଼ିବାର ଅନେକ ଅନୁଭୂତି ମୋ’ର ରହିଚି । ଜୀବନରେ ଏହି ମୁହୂର୍ତ୍ତଗୁଡ଼ିକ ହିଁ ମୋତେ ସବୁଠାରୁ ଅଧିକ କନ୍ଦାଇଚି । ଦୁଃଖ, ବିପଦ ବା କ୍ଷତି ବି ଏତେଦୂର କନ୍ଦାଇନାହିଁ । ଡୋର ବାହାରେ ଛିଡ଼େ ନାହିଁ, ଡୋର ସେହି ଭିତରେ ହିଁ ଛିଡ଼େ । ଭିତରୁ ଡୋର ଛିଣ୍ଡି ଗଲାବେଳେ ହିଁ ଏକୁଟିଆ ଲାଗେ, ବାହାର ସଂସାରରେ ମଧ୍ୟ ସବୁଠାରୁ ଡୋର ଛିଡ଼ିଗଲା ପରି ମନେହୁଏ । ଆପଣାର ଦୟନୀୟ ଓ ହୀନତାଜର୍ଜର ପରିଚୟ ମୁଁ ଠିକ୍ ସେତିକିବେଳେ ପାଏ । ଏ ଦୀପ ନଥିବା ଦେଉଳକୁ ଛାଡ଼ି ପଳାଇଯିବାକୁ ଇଚ୍ଛା ହୁଏ, ବାସନା ନଥିବା ଫୁଲକୁ ଛାଡ଼ି ପଳାଇ ଯିବାକୁ ଗୋଟାଏ ଉଗ୍ର କ୍ଷୋଭ ମଧ୍ୟ ସେତିକିବେଳେ ଘାରି ରହେ । ମୋ’ର ପାଖେ ପାଖେ ଭଗବାନ ରହିଚନ୍ତି, ଏତିକି ଅନୁଭବ କରୁଥିବା ପର୍ଯ୍ୟନ୍ତ ସବୁଠାରେ ଡୋର ଲାଗି ରହିଥାଏ, ଆପଣାର ପାଲ ମେଲାଇ ଆଗ୍ରହର ସବୁ ଦଉଡ଼ି ଫଟାଇ ମିତ୍ରତା ଓ ବନ୍ଧନ ସ୍ଥାପନର ଆବିଷ୍କାର ଯାତ୍ରାରେ ବାହାରି ପଡ଼ିବାକୁ କୌଣସି ଡର ସେତେବେଳେ ରହେ ନାହିଁ । ଭିତରେ ଖିଅ ଲାଗିଥିଲେ ବାହାରେ ମଧ୍ୟ ଖିଅ ଲାଗିଥାଏ, ବାହାରେ ବି ଯୋଗ ରହେ ।

 

୦୧ । ୧୦ । ୬୫

 

ଶୀତଦିନ ଆସୁଚି, ହୃଦୟ ଲାଗି ଉଷ୍ମ ଦିନ ଆସୁଚି । ଶୀତ ଦିନକୁ ଅନେକ ଶୁଷ୍କ ଦିନ ବୋଲି କହନ୍ତି । କିନ୍ତୁ ପ୍ରକୃତି ସହିତ ଭଲ ପାଇବାର ଫନ୍ଦାରେ ପଡ଼ି ଯାଇଥିବା ମୋ’ ପରି ଏକ ମଣିଷ ଲାଗି ଶୀତଦିନ ବେଶ୍ ସରସ ବୋଲି ମନେ ହୁଏ । ଗହମ ଖେତରେ ଗହମ ବଢ଼େ, ସିକ୍ତ ସକାଳେ ବାଟ ଚାଲିଲା ବେଳେ ପାଦ ଧୋଇ ହୋଇଯାଏ, ପୂର୍ବ ଦିଗକୁ ଆଶା ଓ ଅଭିଳାଷରେ ନାଲି କରି ସୂର୍ଯ୍ୟ ଉଠେ, ମୋ’ର ବଗିଚା ଫୁଲରେ ପୂର୍ଣ୍ଣ ହୋଇଯାଏ, ସକାଳୁ ଉଠିବା ବେଳକୁ ପ୍ରସନ୍ନ ଅଥଚ ତରତର ମନରେ ଦିନମାନର କାମ ଆରମ୍ଭ କରିବା ଲାଗି ଏହି ଦେହଟି ନୂଆବୋହୂ ପରି କୌଣସି କୋଳାହଳ ନକରି ଅଥଚ ଏକ ସ୍ଵଭାବସୁଲଭ ସତ୍ଵରାତ ସହିତ ବାହାରିପଡ଼େ, ମନଇଚ୍ଛା କାମକରି ତଥାପି କ୍ଳାନ୍ତ ଲାଗେନାହିଁ, ରାତିରେ ଇଉରୋପର ସବୁ ତୁଷାରସୁନ୍ଦର ଦେଖାଜାଗାମାନ ସ୍ଵପ୍ନରେ ଦୃଷ୍ଟିଗୋଚର ହୁଏ,—ଏତେକଥା ଥାଉଥାଉ ମୁଁ ତଥାପି ନୀରସ ବୋଧ କରିବି କାହିଁକି ? ଶୀତଦିନର କୁହୁଡ଼ିକାକର ମୋତେ ଜୀବନ-ଅନ୍ଵେଷଣର ନାନା ଭୂମିରେ ରହିଥିବା ରହସ୍ୟ ପରି କେତେପ୍ରକାରେ ଉଦ୍ୟତ ଓ ପ୍ରେରିତ ହେବାର ଆହ୍ଵାନ ଦିଏ । ସକାଳୁ ଗାଧୋଇ ସାରିବା ପରେ ସିକ୍ତ ଧରଣୀର ସ୍ନାତକତୁଲ୍ୟ ପରିବେଶକୁ ଅଧିକ ଉଜ୍ଜ୍ଵଳ କରି ଯେତେବେଳେ ସିଧା ମୋ’ ଦେହ ଉପରେ ଆସି ଖରା ବିଞ୍ଚି ହୋଇଯାଏ, ସେତେବେଳେ ଯେପରି ମୁଁ ଏହି ସ୍ଵଚ୍ଛ ଦେହର ତଳେ କେତେକ’ଣ ଅନୁଭବ କରିପାରେ, ଆପଣାର ସମ୍ପଦବତ୍ତାର କେତେ ପ୍ରେରଣାମୟ ପରିଚୟ ପାଏ, କେଉଁ ସମର୍ପଣର ଇଚ୍ଛାରେ ମୁଁ ଧନ୍ୟ ହୋଇଯାଏ ।

 

୦୨ । ୧୦ । ୬୫

 

ଏହି ଦେଶ ଗାନ୍ଧୀଠାରୁ ହୁଡ଼ିଯାଇଚି ବା ହୁଡ଼ିଯିବାକୁ ଚାହୁଚି ବୋଲି ମୁଁ କଦାପି କହିପାରିବି ନାହିଁ । ମୁଁ ଜାଣେ, ଅହିଂସାର ଉଲୁଗୁଣା ଦେଇ ଅନେକ ବିଦେଶୀ ଅଭିଯୋଗବାଦୀ (ସେମାନଙ୍କୁ ମୁଁ ନୀତିବାଦୀ ବୋଲି କହିବାକୁ ମଧ୍ୟ କୁଣ୍ଠାବୋଧ କରୁଚି ।) ବର୍ତ୍ତମାନ ଯୁଦ୍ଧରତ ଭାରତବର୍ଷକୁ ଗାଳିଦେଇ କହୁଥିବେ ଯେ ଭାରତବର୍ଷ ଗାନ୍ଧୀପଥରୁ ହୁଡ଼ିଯିବାକୁ ଚାହୁଚି । ଗୋଆ ଦଖଲ ବେଳେ ମଧ୍ୟ ବିଦେଶର ନାକଟେକାଳିମାନେ ଏହିପରି କହି ଭାରି ଆନନ୍ଦ ପାଇଥିଲେ । ବାହାରୁ ଆକ୍ରମଣ ହେବ, ଆମେ ଏଣେ ସଂସାରରେ ବଦନାମ ଅର୍ଜିବା ଭୟରେ ଆକ୍ରମଣର ପ୍ରତିରୋଧ କରିବୁ ନାହିଁ । ପାକିସ୍ତାନର ସ୍ଵତନ୍ତ୍ର ରାଜ୍ୟ ନାମରେ ସେଠି ଧର୍ମତନ୍ତ୍ର ଓ ଏକାଧିକାର ତନ୍ତ୍ରର ସକଳ ପରତନ୍ତ୍ର ଉଗ୍ରରୁ ଉଗ୍ରତର ହୋଇ ଆମର ସୀମାକୁ କାମୁଡ଼ିବାକୁ ଆସୁଥିବ ଓ ଗଣତନ୍ତ୍ର ନାମରେ ଆପଣାର ସ୍ଵାର୍ଥଲାଗି ସଂସାରର ଶକ୍ତିଶାଳୀ ସମର ଶକ୍ତିମାନେ ତାକୁ ସେଥିଲାଗି ପୂର୍ଣ୍ଣଭାବେ ସାହାଯ୍ୟ କରୁଥିବେ ଏବଂ ଏଣେ ଆମେ ଶାନ୍ତିଭଙ୍ଗ ନକରିବାର ମାଳା ଜପ କରୁଥିବୁ, ଗାନ୍ଧୀ ଏପରି ଅହିଂସା ଆମକୁ କଦାପି ଶିଖାଇ ନାହିଁ । ଆଜି ବିନୋବା ଓ ଜୟପ୍ରକାଶ ଯାହା କହୁଚନ୍ତି, ଗାନ୍ଧୀ ଏ ଦେଶରେ ବଞ୍ଚି ଏହି ଦେଶର ମଙ୍ଗୁଆଳ ହୋଇ ବସିଥିଲେ ଠିକ୍ ତାହାହିଁ କହୁଥାନ୍ତେ । ଆମେ ଏଠାରେ ମନୁଷ୍ୟୋଚିତ ମାର୍ଗରେ ଆପଣାର ବିକାଶ କରିବାକୁ ଚାହୁ ଏବଂ ପ୍ରଧାନତଃ ସେଇଥିଲାଗି ଆମେ ସଂସାରରେ ଶାନ୍ତି ଚାହୁ । ପୃଥିବୀର ସବୁ ଦେଶ ସହିତ ଆମେ କେବଳ ଅଭିସନ୍ଧିମୂଳକ ବନ୍ଧୁତା ନୁହେଁ, ପ୍ରକୃତ ବନ୍ଧୁତା ହିଁ ଚାହୁ । କିନ୍ତୁ ଆମର ଉଦ୍ୟମ ଓ ଆମର ପ୍ରଚେଷ୍ଟାକୁ ବ୍ୟର୍ଥ କରିବା ଲାଗି ଧର୍ମ ଓ ଆତ୍ମରକ୍ଷା ନାମରେ ଯେଉଁ ଅନ୍ଧ ମିଥ୍ୟାଶ୍ରୟୀ ଶାସନ ଆମକୁ ପଛରୁ ଛୁରୀ ମାରିବାକୁ ଆସେ, ଆମେ ପ୍ରାଣପଣ କରି ତାହାର ପ୍ରତିରୋଧ ବି କରିବାକୁ ଚାହୁ । ଗାନ୍ଧୀ ଆମକୁ ଜୀବନ ବଞ୍ଚି ଓ ଜୀବନ ଦେଇ ଶିଖାଇଚି, ମିଥ୍ୟାଶ୍ରୟୀ ହେବାକୁ ଶିଖାଇନାହିଁ-

 

୦୩ । ୧୦ । ୬୫

 

ଅବସ୍ଥାର ଭ୍ରମରେ ପଡ଼ି ଓ ଅବସ୍ଥା ଦ୍ଵାରା କାତର ହୋଇ ଆମେ ଗାନ୍ଧୀ ପାଖରୁ ଯେତେ ହୁଡ଼ିବାର ଉପକ୍ରମ ଦେଖାଇଲେ ମଧ୍ୟ ପୁଣି ବାରବାର ଆମକୁ ଗାନ୍ଧୀ ପାଖକୁ ଫେରି ଆସିବାକୁ ପଡ଼ିବ । ତାହାର କାରଣ ହେଉଚି ଯେ, ଗାନ୍ଧୀ କୌଣସି ନିର୍ଦ୍ଦିଷ୍ଟ ବାଦ ପ୍ରଚାର କରୁନଥିଲେ, କୌଣସି ସମ୍ପ୍ରଦାୟ ବସାଇ ନଥିଲେ ବା ସମାଜର ଓ ମଣିଷ ହୃଦୟର ରୋଗଗୁଡ଼ିକ ଲାଗି ସେ କୌଣସି ପେଟେଣ୍ଟ୍ ମେଡ଼ିସିନର ବରାଦ କରୁନଥିଲେ । ସେ ଆପଣାର ଜୀବନକୁ ଆପଣା ଆବିଷ୍କୃତ ଶ୍ରେୟଗୁଡ଼ିକ ଲାଗି ହିଁ ବଞ୍ଚୁଥିଲେ, ଜୀବନର ଶ୍ରେୟଗୁଡ଼ିକ ଉପରେ ସେ ଅଟଳ ବିଶ୍ଵାସ ରଖିଥିଲେ, ଏହି ଶ୍ରେୟକୁ ସେ ସତ୍ୟ ଓ ଈଶ୍ଵର ବୋଲି ମାନୁଥିଲେ, ସେ ନିର୍ଭୟ ହୋଇ ବାଟ ଚାଲୁଥିଲେ । ନିର୍ଭୟ ହୋଇ ଆପଣାର କାର୍ଯ୍ୟ ଲାଗି ସମସ୍ତ ଦାୟିତ୍ଵ ଗ୍ରହଣ କରୁଥିଲେ । ସଂସାର ଲାଗି ସବୁ ଯୁଗରେ ଏହି ଜୀବନ ଶ୍ରଦ୍ଧା, ଜୀବନ ଜିଜ୍ଞାସା ଓ ଜୀବନ ପ୍ରେରଣାର ଆବଶ୍ୟକତା ପଡ଼ୁଥିବ । ଭେକ ହିସାବରେ ନୁହେଁ, ନିରାପଦ ହୋଇ ବାଟ ଚାଲିବାର ଏକ ଅନ୍ଧ ଗଳି ହିସାବରେ ନୁହେଁ, ସାଥୀ ହିସାବରେ ଗାନ୍ଧୀ ସବୁଦିନ ଜୀବନର ବାଟ ଚାଲିବା ଲାଗି ସକଳ ଶ୍ରଦ୍ଧାଶୀଳ ଓ ଇଚ୍ଛୁକ ମଣିଷଙ୍କୁ ଅବଶ୍ୟ ପ୍ରେରଣା ଦେଉଥିବ । ଗାନ୍ଧୀବାଦର ଭସ୍ମକୁ କିଏ କେତେ ଚତୁର ଓ ଅଭିଜ୍ଞ ଭାବରେ ବୋଳି ହୋଇପାରିଲେ, ସଂସାରରେ ତାହାରି ଭିତ୍ତିରେ ଗାନ୍ଧୀ ଜୀବନର ମୀମାଂସା ହେବନାହିଁ ।

 

୦୪ । ୧୦ । ୬୫

 

ରାଷ୍ଟ୍ର ହିସାବରେ ଭାରତକୁ ଏଣିକି ଅତି ଶକ୍ତ ହେବାକୁ ପଡ଼ିବ, ଅନ୍ୟାନ୍ୟ ଦେଶ ସହିତ ସମ୍ବନ୍ଧ ସ୍ଥାପନରେ ମଧ୍ୟ ଏଣିକି ତାକୁ ଆପଣା ସ୍ଵାର୍ଥର ଅଧିକ ବିଚାର କରିବାକୁ ପଡ଼ିବ,—ଏବେ ଏପରି କଥାମାନ ଅନେକ ଶୁଣିବାକୁ ମିଳୁଚି । ଚରମପନ୍ଥୀ ଏହିପରି ଉକ୍ତିମାନ ଶୁଣି ମୁଁ ବେଳେବେଳେ ଭାବୁଚି, ଗୋଟାଏ ମାସର ଯୁଦ୍ଧରେ ଯୁଦ୍ଧକ୍ଷେତ୍ର ନିର୍ଦ୍ଦେଶିତ ଆମର ରାଷ୍ଟ୍ରୀୟ ମନ ଯୁଦ୍ଧ ବନ୍ଦ ହେବା ପରେ ତଥାପି ଯୁଦ୍ଧକ୍ଷେତ୍ରରେ ରହିଥିବା ପରି ବିଚାର କରୁନାହଁ କି ? ଯୁଦ୍ଧକ୍ଷେତ୍ରରେ ରହିବାକୁ ବାଧ୍ୟ ହେଲେ ଯୁଦ୍ଧକ୍ଷେତ୍ରରେ ରହିବାକୁ ପଡ଼ିବ ଓ ବାହାଦୂର ପରି ଯୁଦ୍ଧ ଲଢ଼ିବାକୁ ପଡ଼ିବ । ଗତ ଦେଢ଼ମାସର ଭାରତବର୍ଷ ଏକଥା ପାକିସ୍ତାନକୁ ଓ ପୃଥିବୀକୁ ପ୍ରମାଣ କରି ଦେଖାଇ ଦେଇଚି । କିନ୍ତୁ ପ୍ରଧାନତଃ ଯୁଦ୍ଧକ୍ଷେତ୍ରରେ ରହିଥିବା ଭଳି ମନ ଓ ଦୃଷ୍ଟିକୋଣ ନେଇ ଯିଏ ଆପଣାର ରାଷ୍ଟ୍ରୀୟ ଯୋଜନା ତିଆରି ହେଉ ବୋଲି କହିବାର ଉତ୍ସାହ ପ୍ରକାଶ କରିବ, ମୁଁ ତା’ର ଶକ୍ତ ହେବାର ପରାମର୍ଶକୁ ଦେଶ ତଥା ପୃଥିବୀ ପକ୍ଷରେ ବିପଜ୍ଜନକ ବୋଲି କହିବି । କେବଳ ଯୁଦ୍ଧ ପାଇଁ ଶକ୍ତ ହେବାକୁ ପଡ଼େନାହିଁ, ଶାନ୍ତିପାଇଁ ମଧ୍ୟ ଶକ୍ତ ହେବାକୁ ପଡ଼େ । କେବଳ ଯୁଦ୍ଧ ଲାଗି ତିଆରି ହେବାକୁ ପଡ଼େନାହିଁ, ଶାନ୍ତି ପାଇଁ ମଧ୍ୟ ତିଆରି ହେବାକୁ ପଡ଼େ । କୌଣସି ଗଣତନ୍ତ୍ର କେବଳ ଯୁଦ୍ଧଲାଗି ତିଆରି ହୋଇ ପାରିବନାହିଁ । ଶତ୍ରୁ ଲଢ଼ିବାର କାର୍ଯ୍ୟ ଓ କର୍ତ୍ତବ୍ୟକୁ କୌଣସି ଗଣତନ୍ତ୍ର ଆପଣାର ଏକମାତ୍ର ନିର୍ଦ୍ଦେଶକ ନୀତି ଭାବରେ ମାନିନେଇ ପାରିବନାହିଁ । ପ୍ରଧାନତଃ ଶାନ୍ତିର premise ଉପରେ ହିଁ ତାକୁ ଆପଣାର long-term କଳ୍ପନାମାନ କରିବାକୁ ପଡ଼ିବ । ଏକଛତ୍ରବାଦ ବିରୁଦ୍ଧରେ ଯୁଦ୍ଧ ଲଢ଼ିବାକୁ ତିଆରି ହେଉହେଉ ଗଣତନ୍ତ୍ରକୁ ଅନେକ ସମୟରେ ଆପଣା ଗଣତାନ୍ତ୍ରିକ ମୂଳଗୁଡ଼ିକୁ ମଧ୍ୟ ଉତ୍ପାଟିତ କରିଦେବାକୁ ହୁଏ, ଏହି ବିଷୟରେ ଆମକୁ ସର୍ବଦା ସାବଧାନ ହେବାକୁ ପଡ଼ିବ । ନହେଲେ ଶତ୍ରୁ ଲଢ଼ୁ ଲଢ଼ୁ ଶତ୍ରୁପରି ହୋଇଯିବା ହିଁ ସାର ହେବ ।

 

୫ । ୧୦ । ୬୫

 

Let us have guns instead of butter India must become an arsenal of democracy—ସେଦିନ ଖବରକାଗଜରେ ଏହି ଶୀର୍ଷକ ଥିବା ଏକ ଲେଖା ଦେଖିବାକୁ ପାଇଲି । ଏହି ଦେଶର ସନ୍ତାନ ବୋଲି ମୁଁ ଆପଣାକୁ ଗୌରବାନ୍ଵିତ ଅନୁଭବ କରେ । ମୁଁ ଏହି ଦେଶର ମଣିଷକୁ ଭଲପାଏ, ଏହି ଦେଶର ଭାଗ୍ୟକୁ ଗଢ଼ିବାରେ ମୁଁ ମୋର ଯଥାର୍ଥ ଦାୟିତ୍ଵ ଗ୍ରହଣ କରିବାକୁ ହିଁ ମୋର ଜାତୀୟ ଜୀବନର ସର୍ବପ୍ରଧାନ ଶ୍ରେୟ ବୋଲି ମନେକରେ । ସେଇଥିଲାଗି ମୁଁ ଆପଣା ଦେଶ ଲାଗି ଆଗ ଖାଦ୍ୟ ଚାହେ, ଆଗ ଶିକ୍ଷା ଓ ସ୍ୱାସ୍ଥ୍ୟ ଚାହେ, ଆଗ ନ୍ୟାୟ ଓ ଆତ୍ମଶାସନ ଚାହେ । ତା’ପରେ ଯାଇ ଅସ୍ତ୍ର ଚାହେ । କାରଣ ମୁଁ ଜାଣେ ଯେ, ଅସ୍ତ୍ରବଳରେ ବା ଅର୍ଥବଳରେ ଗଣତନ୍ତ୍ରକୁ ରକ୍ଷା କରି ହେବନାହିଁ । ଆଧୁନିକ ଅସ୍ତ୍ରବଳ ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହୋଇ ପଡ଼ୁଥିବା ସଙ୍ଗେ ସଙ୍ଗେ ହାତରୁ ଗଣତନ୍ତ୍ରର ଦଉଡ଼ିମାନ ଖସିଯାଏ; ଯେକୌଣସି ଭେକ ବା ବାହାନାରେ ହେଉ ପଛକେ, ଅଧିକରୁ ଅଧିକ ଏକଛତ୍ରବାଦୀ ଉଗ୍ରତା ଦେଶର ମାନସିକ, ଭାବଗତ ଓ ରାଜନୀତିକ ଜଳବାୟୁକୁ ଅଧିକାର କରି ବସେ । ପୁଣି, ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ପଛରେ ରଖି ଆଗ ମୁଁ ଦୁର୍ଗ ରକ୍ଷା କରିବି ବୋଲି ଅସ୍ତ୍ରବଳ ଲାଗି ପ୍ରସ୍ତୁତ ହେବି, ଭାରତବର୍ଷ ଯେପରି କୌଣସି ଦିନ ଏହି ଉତ୍ତେଜିତ ପ୍ରଲୋଭନରେ ନ ପଡ଼େ-। ଜାତୀୟତା ଦେଶକୁ ଗଢ଼େ ଯେମିତି, ଗୋଟାଏ ଉଗ୍ର ସ୍ତରର ସୀମା ସ୍ପର୍ଶ କଲେ ଏହା ଦେଶକୁ ନଷ୍ଟ ମଧ୍ୟ କରିଦିଏ । ଦେଶରକ୍ଷା କର୍ତ୍ତବ୍ୟ ହୋଇ ରହେ ଯେମିତି, ଗୋଟାଏ ଉଗ୍ରସ୍ତରରୁ ସୀମା ସ୍ପର୍ଶ କଲେ ଏହା ଦେଶ ଲାଗି ଏକ ପ୍ରମାଦ ହୋଇ ଠିଆ ହୁଏ । ଦେଶକୁ ନେଇ ପ୍ରସାଦ ବରଣ କରିବା ମୋ’ର ଜାତୀୟ ବାଟ ନୁହେଁ ।

 

୦୬ । ୧୦ । ୬୫

 

ହିମାଳୟ ଭାରତବର୍ଷରେ ରହୁ ବା ଚୀନରେ, ସେ ସବୁଦିନ ମୋ’ର ଅନ୍ତରର ଶ୍ରଦ୍ଧାସନରେ ଅଧିରୂଢ଼ ହୋଇ ରହିଥିବ, ମୋ’ର ଧ୍ୟାନପ୍ରିୟ ମନଟି ସକାଶେ ସେ ସବୁଦିନ ପରମମିତ୍ର ହୋଇ ରହିଥିବ । ଠିକ୍ ବର୍ଷକତଳେ ମୁଁ ହିମାଳୟ ଆଡ଼େ ବୁଲି ଯାଇଥିଲି, ପ୍ରାୟ ଦୁଇଟା ସପ୍ତାହା ତାହାରି କୋଳରେ ଥିବା ଗୋଟିଏ ଗାଆଁରେ କଟାଇ ଆସିଥିଲି । ଆଜି ବଡ଼ ଭୋରୁ ମନଟା ପଛମୁହାଁ ହୋଇ ସେହି ଶ୍ରଦ୍ଧାନତ ସ୍ମରଣ ପାଖରେ ଲାଖି ଗଲାପରି ଲଗିଲା । କ୍ଲାନ୍ତ ମନକୁ ପୁଣି ତତ୍ପର ଓ ଆଗ୍ରହମୁଖ କରିଦେବାକୁ ଏମିକି ଯଥେଷ୍ଟ । ଡୋର ଲାଗିଗଲେ କ୍ଲାନ୍ତି ବା ଅବସାଦର ପ୍ରଶ୍ନ ହିଁ ଉଠେ ନାହଁ । ଡୋର ଲାଗିଗଲେ ହୃଦୟ ସମେତ ଶରୀରର ପ୍ରତ୍ୟେକ ମାଂସପେଶୀ ସତେଅବା କେଉଁ ଅନ୍ତରଙ୍ଗ ଆପଣା ଗୁରୁ ସହିତ ହିଁ ଭରି ବାହାରିଯିବା ପରି ମନେହୁଏ । ସେତେବେଳେ ଏହି ସଂସାର ଭଲଲାଗେ, ଏହି ଇହଜୀବନର ପ୍ରତ୍ୟେକ ମୁହୂର୍ତ୍ତ କେଉଁ ଭଗବତ୍ ସ୍ୱୀକୃତିରେ ପରିପୂର୍ଣ୍ଣ ଓ ଅର୍ଥମୟ ହୋଇଯାଏ, ସବୁ ଧର୍ମର ସମାବେଶ ଏହି ଅନ୍ତର ଭିତରେ ହୋଇଯାଏ, ଆପଣାର ଭୂମି ଉପରେ ମୁଁ ସକଳ ଧର୍ମର ସମର୍ପଣ-ପ୍ରେରଣାକୁ ଅନୁଭବ କରିପାରେ । ଏହଁ ଡୋର ଲଗାଇବାରେ କେତେବେଳେ କିଏ ଯେ ନିମିତ୍ତ ହୁଏ, ତାହାର କୌଣସି ଅନ୍ତ ନାହିଁ । କେତେବେଳେ ହିମାଳୟର ସ୍ମୃତି ନିମିତ୍ତ ହୁଏ ତ ପୁଣି କେତେବେଳେ ନୀରବ ସକାଳେ ରାତିଫୁଟା ଫୁଲର ପ୍ରଶାନ୍ତ ଉଦାର ସୁଗନ୍ଧ ମଧ୍ୟ ନିମିତ୍ତ ହୁଏ । କେତେବେଳେ ଏଡ଼େ ବଡ଼ ସଂସାରରେ ନାନା ବିଚିତ୍ର କ୍ଷେତ୍ରରେ ଚାଲିଥିବା ଜୀବନର ଆହ୍ଵାନ ନିମିତ୍ତ ହୁଏ, ପୁଣି କେତେବେଳେ ଏହି ସକାଳର ଆଲୁଅ ବି ନିମିତ୍ତ ହୋଇଆସେ ।

 

୦୬ । ୧୦ । ୬୫

 

ସଂସାରଯାକ ଲୋଭ ଓ ଆବୋରି ରଖିବାର ପ୍ରବୃତ୍ତିକୁ ଏକାଠି କରି ଯେତେବେଳେ ମୁଁ ଦଶଦିଶ ମନ୍ଥି ଦେବାକୁ ଯାଏ, ସେତେବେଳେ ମୋ’ର ଶ୍ରେୟର ପକ୍ଷ ହୋଇ ମୋତେ ଏପରି ସୁନ୍ଦର କରି ବଞ୍ଚିତ କରାଇରଖେ କିଏ ? ମୁଁ ଚାହେ ସଂସାରଟା ଯାକ କେବଳ ମୋ’ର ହୋଇ ରହିବ, ଯେଉଁଠାରେ ଚାହିବି ମୁଁ ସେଠାରେ ଲୋଭ କରିବି ଓ ଭୋଗ କରିବି, କିନ୍ତୁ ଠିକ୍ ସେତିକିବେଳେ ମୋ’ର ଅନ୍ତରଙ୍ଗ ବନ୍ଧୁ ମୋତେ ଖାଲି ହାତରେ ଖାଲି ପାଦରେ ପୁଣି ଆପଣା ଘରକୁ ଫେରାଇ ଆଣେ । ସବୁ ଲୋଭ କରିବାର ଆଶୟ ଏଇ ଆପଣା ଘରେ ରହିଚି । ସବୁ ହେବାର ବା ସବୁ କରିବାର ମୂଳଧନ ହଁ ଏଇଠି ରହିଚି । ତେଣୁ ଫେରି ଆସିବାକୁ ହେବ, ତେଣୁ ଆପଣାର ହୃଦୟ ଭିତରେ ଆପଣାକୁ ସିଦ୍ଧ କରିବାକୁ ହେବ, ଫୁଟି ଉଠିବାର ଆଉ ଦ୍ଵିତୀୟ ଉପାୟ ନାହିଁ । ଜୀବନର କେତେ ଉଗ୍ର ମୁହୂର୍ତ୍ତରେ ମୁଁ କେତେ ଧାଏଁ, କେତେ ଆଶା କରେ, କେତେ ସ୍ଵପ୍ନ, ଦେଖେ, କେତେ ଅନନ୍ତଭୋଗର କାମନା ଓ କଳ୍ପନା କରେ । ସେଥିପାଇଁ ମୋତେ କେତେ ଥର ଖଣ୍ଡିଆ ଖାବରା ହେବାକୁ ପଡ଼େ, ବଞ୍ଚିତ ହେବାକୁ ପଡ଼େ; ତେବେଯାଇ ଚେତା ପଶେ, ତେବେଯାଇ ଆପଣା ଘରକୁ ଫେରିଆସି ସକାଳ ଆକାଶର ଏହି ବିଭବମୟ ଇଙ୍ଗିତ ଆଡ଼କୁ ଚାହିଁ ପାରିବାର ସ୍ଥିରତା ସମ୍ଭବ ହୁଏ । ଯେଉଁ ବନ୍ଧୁ ମୋତେ ଏହିପରି ବଞ୍ଚିତ କରି ଆପଣା ଘରକୁ ବାଟ ଦେଖାଇଦିଏ, ମୁଁ ତାଙ୍କୁ ମୋ’ର ଭଗବାନ ବୋଲି କହେ । ତୁମେ ତାଙ୍କୁ ଯାହା କହ ପଛକେ, ମୁଁ ତାଙ୍କୁ ପ୍ରଧାନତଃ ମୋ’ର ସାଥୀ ବୋଲି ଗ୍ରହଣ କରେ । ପ୍ରମତ୍ତତାରୁ ବଞ୍ଚାଇଥିବା ସାଥୀ ବୋଲି ମାନେ ।

 

୦୮ । ୧୦ । ୬୫

 

ଲେଖିବାକୁ ମୁଁ ଏକ ବ୍ୟବସାୟରେ ପରିଣତ କରି ପାରିଲିନାହିଁ । ମୋ’ର, ଲେଖିବାର ପ୍ରବୃତ୍ତି ମୋ’ର ଅନ୍ତରତମ ଜୀବନ ବ୍ୟବସାୟର ହିଁ ଅନ୍ତର୍ଗତ ହୋଇରହିଲା । କେବଳ ରାଜା ବା ମହାପୁରୁଷ ଲାଗି ନୁହେଁ, ତୁମ ଆମ ଭଳି ବଞ୍ଚିବାକୁ ଚାହୁଥିବା ଓ ଜୀବନକୁ ଭଲ ପାଉଥିବା ପ୍ରତ୍ୟେକ ମଣିଷର ଲୋକ ସଂଗ୍ରହ କରିବା ଦରକାର । ଏହି ଲୋକସଂଗ୍ରହ ମାନ ଉପରେ ଜୀବନ ସଂଗ୍ରହର ମାନ ବି ଅତି ମାତ୍ରାରେ ନିର୍ଭର କରେ । ମୋ’ର ଲେଖା ମୋ’ର ଜୀବନ ସଂଗ୍ରହର ଅପରିହାର୍ଯ୍ୟ କାର୍ଯ୍ୟକ୍ରମ, ମୋ’ର ଲୋକସଂଗ୍ରହରୂପୀ ଜୀବନ ଧନ୍ଦାରେ ଏକ ଅପରିହାର୍ଯ୍ୟ ସଂସ୍କାର-। ଯଦି ମୁଁ ବରାଦ ଅନୁସାରେ ଲେଖି, ପାରୁଥାଆନ୍ତି, ଯଦି ମୁଁ କୋଠା ତୋଳିବାକୁ ବା ପଇସା କମାଇବାକୁ ଲେଖୁଥାଆନ୍ତି, ତେବେ ମୋ’ର Havingଟା ହିଁ ମୋ’ର Beingକୁ ଗ୍ରାସ କରି ରହିଥାନ୍ତା,—Being ଓ Becomingର ଆହ୍ଵାନକୁ ଚାପା ଦେଇ ରଖିବା ପାଇଁ ହୁଏତ ମୋ’ର ଚାରିପାଖରେ ମୁଁ ଜମାକରି ରଖିଥିବା ଓ ଯାବୁଡ଼ି କରି ଧରିଥିବା ସମ୍ପତ୍ତିମାନ ଗୋଟାଏ ହିରଣ୍ମୟ ପାତ୍ର ପରି କାର୍ଯ୍ୟ କରୁଥାନ୍ତା । କିନ୍ତୁ ଅଳପ ତରୁଣ ବୟସରୁ ମୁଁ ହିରଣ୍ମୟ ପାତ୍ରକୁ ଖୋଲିଦେବାର ଦୀକ୍ଷା ଗ୍ରହଣ କରି ସାରିଚି । କୌଣସି ଗୁରୁର ତାଡ଼ନାରେ ନୁହେଁ, କୌଣସି ଭେକ ନେବାର ଆଡ଼ମ୍ବର ବା ଅଳୀକ ସଂସାରଜନିତ କୌଣସି ବିରକ୍ତ ବା ବୈରାଗ୍ୟ ଲାଗି ନୁହେଁ । ଆପଣା ଶୁଭତମ ବାସନାର ଆବଶ୍ୟକତା ପୂରଣ କରିବାକୁ ମୁଁ ମୋ’ର Havingକୁ ମୋ’ର Beingର ଅନୁଗାମୀ କରି ରଖିଚି । ଯାହା ମୋ’ର ହେବାର ସମ୍ପଦକୁ ବଢ଼ାଇବ, ତାହାହିଁ ମୋ’ର ସମ୍ପଦ ହେବ;—ମୁଁ ଜୀବନରେ ସବୁଠି ତାହାରି ବିପଣି ହିଁ କରି ବୁଲିଚି । ଲେଖାବେଳକୁ ସେଇଆ, ଜ୍ଞାନଲାଭ ବେଳକୁ ସେଇଆ, ଅର୍ଥଲାଭ ବେଳେ ବି ସେଇକଥା ।

 

୦୯ । ୧୦ । ୬୫

 

ଛୁଟି ଅଳସବିନୋଦନ ଲାଗି ହୁଏ, ଛୁଟି ଆନନ୍ଦ ଲାଗି ହୁଏ । ସେଥିପାଇଁ ଛୁଟି ହେଲେ ମଣିଷ ଅଧିକରୁ ଅଧିକ ଖେଳର ଅବସର ସୃଷ୍ଟି କରେ, ଆପଣାକୁ ନିଶ୍ଚିନ୍ତ ବିସ୍ତୃତ କରି ରଖିବାର ଅବସରମାନ ଖୋଜିବାକୁ ଯାଏ । କିନ୍ତୁ ଗତ ପନ୍ଦର ଦିନର ଛୁଟିରେ ମୋତେ କ’ଣ କମ୍ ଆନନ୍ଦ ମିଳିଲା ? ଏହି ଛୁଟିରେ ମୁଁ କୁଆଡ଼େ ବୁଲି ଗଲିନାହଁ, କୌଣସି ଅଳସବିନୋଦନ କଲିନାହିଁ; ସାଧାରଣ ଦିନମାନଙ୍କରେ ମୁଁ ଯେତିକି ଶୁଏ, ଏହି ଛୁଟି ଭିତରେ ତା’ଠାରୁ ହୁଏତ କମ୍, ଶୋଇଲି । କିନ୍ତୁ ଛୁଟି ଶେଷରେ ଆଜି କୌଣସି କ୍ଲାନ୍ତ ଲାଗୁନାହିଁ ତ ! ପନ୍ଦର ଦିନ କୌଣସି ନୂଆ ଜାଗା ବୁଲି ଆସିଥିଲେ ଦେହ ଓ ମନ ଯେତିକି ଉଶ୍ୱାସ ଲାଗିଥାନ୍ତା, ବର୍ତ୍ତମାନ ବି ଦେହ ଓ ମନ ସେତିକି ଉଶ୍ଵାସ ଲାଗୁଚି । ପଅରଦିନ ପିଲାମାନେ ଆସିବେ, ପାଠପଢ଼ା ଆରମ୍ଭ ହେବ,—ଖୁସୀ ହୋଇ ମୁଁ ସେହି ନିତ୍ୟନୈମିତ୍ତିକ କର୍ତ୍ତବ୍ୟର ଅପେକ୍ଷା କରୁଚି । ଏହି ଛୁଟିଟାଯାକ ମୁଁ ଆପଣାକୁ କେତେ ଲେଖା ଓ ପଢ଼ାରେ ଲଗାଇ ପାରିଲି । କୌଣସି ଦିନ ଦେହଟା ମନର ଅବାଧ୍ୟ ହୋଇନାହିଁ ବା ଗେହ୍ଲାମନକୁ ମିଛ ପ୍ରଲୋଭନ ଦେଇ ବା ବାଧ୍ୟ କରି ଏଠାରେ ବସାଇବାକୁ ହୋଇନାହିଁ । ମୋ' ଭିତରେ ଯାହାର ଇଚ୍ଛା ଏପରି ଅନ୍ତରଙ୍ଗ ସହତର ଭାବରେ ରହି ମୋ’ର ସବୁ କାମ ଓ ସବୁ ରୁଟିନକୁ ଏପରି ସହଜ ଓ ସରସ କରି ରଖିଚି, ସବୁ ବାହାଦୂରୀ ପ୍ରକୃତରେ ତାହାରି । କୌଣସି ପ୍ରକାର ଅନ୍ତର୍ଗତ କ୍ଳେଶ ବା କ୍ଳାନ୍ତି ଅନୁଭବ ନକରି ଯେ ମୁଁ ଖୁସୀ ହୋଇ ସବୁ କରି ଯାଇପାରୁଚି । ଅର୍ଥାତ୍, ବୁଢ଼ା ହୋଇଯିବାର ପ୍ରମାଦ ଯେ ମୋତେ ଏପର୍ଯ୍ୟନ୍ତ ଗ୍ରାସ କରିନାହିଁ, ଏଥିପାଇଁ ମୁଁ ତାହାର ପାଖରେ କୃତଜ୍ଞ ହିଁ ରହିବି ।

 

୧୦ । ୧୦ । ୬୫

 

କାଲି ଲାଇବ୍ରେରୀରେ ପ୍ରାୟ ଚାରିଘଣ୍ଟା ପଢ଼ାପଢ଼ି କରିସାରି ଘରକୁ ଆସିବାବେଳେ ମୁଣ୍ଡ ଭିତରଟା ସତେଅବା ଗୋଟାଏ ଧାନ ଅମାର ପରି ପରିପୂର୍ଣ୍ଣ ମନେ ହେଉଥାଏ । ଅମାରର ଦୁଆରେ ବସି କେତେ ଆଗ୍ରହୀ, କେତେ ଜିଜ୍ଞାସୁ ଓ କେତେ ସମୀକ୍ଷକ ସତେଅବା ଗଉଣି ଧରି ଖାଲି କେତେ କ’ଣ ମାପିବାରେ ଲାଗିଥାନ୍ତି । ଦୀର୍ଘ ସମୟ ଧରି ବହି ପଢ଼ିଲେ କ୍ଳାନ୍ତ ଲାଗେ ବୋଲି ଅନେକେ କହିଥାନ୍ତି । ଆଗ୍ରହ ଥିବାବେଳେ ବହି ପଢ଼ିଲେ ମୁଁ କେବେହେଲେ କୌଣସି କ୍ଳାନ୍ତ ଅନୁଭବ କରି ପାରେନାହିଁ । କାଲି ବି କୌଣସି କ୍ଳାନ୍ତି ଅନୁଭବ କରୁନଥିଲି । ଓଲଟି ଚାହୁଥିଲି, ଜଣେ ବା କେତେଜଣ ଆଗ୍ରହୀ ସାଥୀ ବା ବନ୍ଧୁ ବର୍ତ୍ତମାନ ମିଳି ଯାଆନ୍ତେ କି, ଆଜି ପଢ଼ି ଆସିଥିବା ପାଠକୁ ମୁଁ ଏକାଠି ବସି ଆଲୋଚନା କରନ୍ତି, ସରାଗରେ ପ୍ରଶ୍ନ ପଚାରନ୍ତି, ସରାଗରେ ପ୍ରଶ୍ନର ଉତ୍ତର ଦିଅନ୍ତୁ, ସରାଗରେ କେତେ ଭଣ୍ଡାରରେ ପ୍ରବେଶ କରନ୍ତି, କେତେ ଥାନରେ କେତେ ଦିଆନିଆ କରନ୍ତି । କାରଣ ବହି ପଢ଼ିଲେ ଦୁଆର ତ ବନ୍ଦ ହୋଇଯାଏନାହିଁ, ଆହୁରି କେତେ ଦୂଆର ଲାଗି ବାଟ ଫିଟିଯାଏ । ଏଇ ବାଟ ଫିଟାଇବା ଲାଗି ଆଉ କେତେଜଣଙ୍କ ସହିତ ସାନ୍ନିଧ୍ୟ ଦରକାର ହୁଏ, ମଣିଷ ପାଖରେ ଆପଣାର ଶିକ୍ଷଣ ଓ ସଂଗ୍ରହପାତ୍ର ଗୁଡ଼କୁ ଘଷିମାଜି ନେବାକୁ ହୁଏ-। ଏଠି ଏହି ଦୃଷ୍ଟିରୁ ବେଳେବେଳେ ଭାରି ନିରାଶ ଲାଗେ । ଏଠି ପରିପୂର୍ଣ୍ଣ ହୃଦୟ ନେଇ ପାଞ୍ଚଜଣଙ୍କ ପାଖରେ ଏକାଠି ବସି କିଛି ଆଲୋଚନା କରିବାର ଅବସର ସବୁବେଳେ ମିଳେନାହିଁ-। ଗପ ଅନେକ ହୁଏ, କିନ୍ତୁ ମନବୋଧ ଆଲୋଚନା କମ୍ ହୁଏ ।

 

୧୧ । ୧୦ । ୬୫

 

ହଁ, ଏଠି ଆଲୋଚନାର ଅଭାବ ରହିଚି । ହୁଏତ ଆମ ସମସ୍ତଙ୍କ ଭିତରେ ଆଲୋଚନା ଲାଗି ଆଗ୍ରହ ରହିଥିବ, କିନ୍ତୁ ଆମେ ପରସ୍ପର ପାଖରେ ବସିଲାବେଳେ ମନଖୋଲି ସବୁ ବିଷୟରେ ଆଲୋଚନା କରି ପାରୁନାହୁଁ । ମନେହୁଏ, ଏଠାରେ ପଦ ଓ ଦାୟିତ୍ଵର ସ୍ତର ବିଭାଗ ବୋଧହୁଏ ଆମକୁ ଆପଣାର ସ୍ତର ବିଷୟରେ ଏପରି ଅତିରିକ୍ତ ସ୍ତର ସଚେତ କରି ରଖିଚି ଯେ, ଆମେ ମଣିଷ ପାଖରେ ମଣିଷ ପରି ଖୋଲ ହୃଦୟ ଓ ଖୋଲା ବୁଦ୍ଧି ନେଇ ବସିବାକୁ ଅସମର୍ଥ ପ୍ରାୟ ହୋଇପଡ଼ୁଚୁ । ମୋ’ ଉପରେ ବଡ଼ ପଦରେ ବସିଥିବା ମଣିଷର ଆଲୋଚନା ଉପରେ ସମ୍ୟକ୍, ଆଲୋଚନା କରିବାକୁ ମୁଁ ଭୟ କରୁଚି । ମୋ’ଠାରୁ ତଳ ପଦରେ ଥିବା ଯଦି କେହି ଭରସି କରି ପଦେ କହି ପକାଉଚି, ତେବେ ଆଲୋଚନା ଦ୍ଵାର ସେହି ଆଲୋଚନା ଜବାବ ନଦେଇ ମୁଁ ମୋ’ର ଉଚ୍ଚ ପଦର ଦାମ୍ଭିକତା ଦ୍ଵାରା ତାହାର ଜବାବ ଦେଉଚି, ଅର୍ଥାତ୍‌ ତାଙ୍କୁ ମୁଁ ଦବାଉ ଦେଉଚି । ଏପରି ସ୍ଥଳେ କି ଆଲୋଚନା ହୋଇପାରିବ ? ଅଭିନୟ, ତାହା ପୁଣି ଗୋଟାଏ system ଦ୍ଵାରା ନିୟନ୍ତ୍ରିତ ଅଭିନୟ ଯେଉଁଠି ମଣିଷ ସମ୍ବନ୍ଧର ପ୍ରଧାନତମ ରଙ୍ଗସୂତା ହୋଇରହିଚି, ସେଠାରେ ବୁଦ୍ଧି ଖୋଲିବ କିପରି, ବିଚାର, ହୃଦୟ ଖୋଲିବା ବା କିପରି ? ତେଣୁ ଅନେକ ସମୟରେ ଏଠାରେ ମୁଣ୍ଡ ଭିତରେ ମୁଁ ଅଜୀର୍ଣ୍ଣ ରୋଗ ଭୋଗିବା ପରି ଅନୁଭବ କରେ । ଜଳାଶୟ ମଧ୍ୟରେ ବାସ କରୁଥିଲେ ମଧ୍ୟ ଜଳ ଅଭାବରେ ଛଟପଟ ହୁଏ । ସାଙ୍ଗମେଳର କେତେ ସଜ୍ଜାରେ ବାଉଳା ହୋଇ ରହିଥିଲେ ମଧ୍ୟ ତଥାପି ନିଃସଙ୍ଗ ହୋଇ ରହିଥିବା ପରି ଲାଗେ ।

 

୧୨ । ୧୦ । ୬୫

 

ଏଠାରେ ବସି ଆଲୋଚନା ଓ ହୃଦୟ ଖୋଲି ଚର୍ଚ୍ଚା କରିବାର ଅବକାଶ ମିଳୁନାହିଁ ବୋଲି ଦୁଃଖି କରୁଥିବା ବେଳେ ମୋ’ର ଚମ୍ପତିମୁଣ୍ଡା କଥା ହିଁ ବେଶୀ ମନେ ପଡ଼ିଯାଏ । ସେଠାରେ ପ୍ରତ୍ୟେକ ପିଲାର ଜିଜ୍ଞାସା ମୋତେ ମଧ୍ୟ ମୋ’ର ସକଳ ବାଧା ସତ୍ତ୍ୱେ ସତତ ଜିଜ୍ଞାସୁ କରି ରଖିଥିଲା । ଚମ୍ପତିମୁଣ୍ଡାର ପିଲାଙ୍କ ଭିତରେ ଅସନା ମଇଳା ହେବା ପିଲା ଅନେକ ଥିଲେ, ଦରିଦ୍ର ପ୍ରାୟ ପ୍ରତ୍ୟେକ ଥିଲେ, କିନ୍ତୁ ଚୋରମୁହଁ କେହି ନଥିଲେ; ଅଳପ ଭୋଗ ଖାଇ ସେଇଥିରେ କୃତକୃତ୍ୟ ହୋଇଯିବାର ପିଲା କେହି ନଥିଲେ । ପ୍ରଥମେ ପ୍ରଥମେ କେତେଜଣ ବେଶ୍ ପଛରେ ରହି ଯିବାକୁ ଚାହୁଥିଲେ, ମୁହଁ ଟେକି କଥା କହିଲାବେଳକୁ ଲାଜ ଓ ସଙ୍କୋଚର ଭାରିରେ ସେମାନଙ୍କର ଆଖିତଳକୁ ହୋଇ ଯାଉଥିଲା ଓ ତାହାରି ତଳେ ମଣିଷ-ସୁଲଭ ଦୀପ୍ତତା ଆପଣାକୁ ଲୁଚାଇ ରଖିବାକୁ ଚାହୁଥିଲା । କିନ୍ତୁ, ସେହି ପାହାଡ଼, ଜଙ୍ଗଲ, ମୁକ୍ତ ଆକାଶ ଓ ଆହ୍ଵାନ ଛଳଛଳ ନୀରବତା ଭିତରେ ସେଠି କ’ଣ ରହିଥିଲା କେଜାଣି, ମଣିଷର ମୁହଁ ଫିଟିବାକୁ ଓ ଆଗ୍ରହ ବଢ଼ିବାକୁ ସେଠାରେ ଆଦୌ ଉଛୁର ହେଉନଥିଲା । ମାଣ୍ଡିଆ ଯାଉ ଓ ହଳଦିଆ ରଙ୍ଗର ମୋଟା ଭାତ ଖାଇ ସେଠି ଆମେ ଯେପରି ପେଟ ଓ ଭେକର ଭୋକକୁ ଅନ୍ତରର ଜିଜ୍ଞାସାରେ ରୂପାନ୍ତରିତ କରିଦେବା ବ୍ୟତୀତ ଅନ୍ୟ ବାଟ ହିଁ ପାଉନଥିଲୁ । ଚାରିଟା ବରଷ ଭିତରେ ସେହି ପିଲାଏ ମୋତେ କେତେଥର ଆପଣା ଜିଜ୍ଞାସା ଦ୍ଵାରା କାବା କରି ଦେଇଛନ୍ତି, ସେକଥା ମୁଇଁ ଜାଣେ; କାରଣ ମୋ’ର ଦୀପଟିକୁ ମଧ୍ୟ ସେମାନେ ତଦ୍ଦ୍ୱାରା ହିତୈଷୀ ବନ୍ଧୁପରି ଜଳାଇ ରଖିବାକୁ ଚାହିଚନ୍ତି । ନାନାପ୍ରକାର ଆଘାତ ସନ୍ତୋଷରେ ଘାଲେଇ ପଡ଼ୁଥିବା ବେଳେ ସେମାନେ ମୋତେ ଚେତାଇ ଦେଇ ଯାଇଚନ୍ତି । ବୟସ, ଆନୁଷ୍ଠାନିକତା ଓ ଅନୁଷ୍ଠାନବଦ୍ଧତାର ଅନେକ ପ୍ରମାଦରୁ ମୋତେ ବଞ୍ଚାଇଚନ୍ତି ।

 

୧୩ । ୧୦ । ୬୫

 

ଚମ୍ପତିମୁଣ୍ଡାରୁ ଅନଗୁଳ ଆଠମାଇଲ ବାଟ ଆମେ ଅନେକ ସମୟରେ ଚାଲିକରି ଆସୁଥିଲୁ । ଦରକାର ପଡ଼ିଲେ ଦଳଦଳ ହୋଇ ଆମେ ଉଦୁଉଦିଆ ଖରାବେଳେ ଏହି ବାଟ ଚାଲିଚୁ, ଥରେ ଅଧରାତିରେ ମଧ୍ୟ ଆମେ ଏହି ଜଙ୍ଗଲବାଟକୁ ଅତିକ୍ରମ କରି ଯାଇଥିବା କଥା ମୋ’ର ଏବେ ବି ମନେଅଛି । ଧଡ଼ିଆ ଧଡ଼ିଆ ପିଲାଗୁଡ଼ାକ, ଗୋଡ଼ରେ ଜୋତା ପିନ୍ଧବାର ପ୍ରଶ୍ନ, ହିଁ ଉଠୁନାହିଁ, ମୁଣ୍ଡ ଉପରେ ଟାଣ ଖରା ଅଜାଡ଼ି ହୋଇ ପଡ଼ୁଚି । ତଥାପି ସେମାନେ ଚାଲନ୍ତା ବାଟରେ ମଧ୍ୟ ଏକଥା ଆଉ ସେକଥା ଆଲୋଚନା କରିବେ । ସାଧାରଣତଃ ମୋତେ ଲାଗି କରି ଯେଉଁ-ପାଞ୍ଚଜଣ ପିଲା ଯାଉଚନ୍ତି, କଥାବାର୍ତ୍ତା ସେହିମାନଙ୍କ ଠାରୁ ଆରମ୍ଭ ହୁଏ । କୌଣସି ଏକ ବିଶେଷ ବିଷୟ ଊପରେ ପ୍ରଶ୍ନ-ଉତ୍ତରର ଆଗ୍ରହୀ ଅବସରମାନ ମୃଷ୍ଟି କରିବାକୁ ଆଦୌ ବେଶୀ ବେଳ ଲାଗେନାହିଁ । ଚିତ୍ତଭାଇଙ୍କ ପାଖରେ ଗୋଟାଏ କିଛି ଆଲୋଚନା ହୋଇଗଲାଣି ଭାବି ଆଗରେ ଯାଉଥିବା ପିଲାଏ ଗୋଡ଼ି ମଠାଇ ଦିଅନ୍ତି, ପୁଣି ପଛରେ ପଡ଼ିଥିବା ପିଲାମାନେ ଗୋଡ଼କୁ ସହଳ କରିଦେଇ ଆମ ସହିତ ଆସି ମିଶନ୍ତି । କିଏ ଶୁଣେ, କିଏ କହେ, କିଏ ପକ୍ଷ ସମର୍ଥନ କରେ ତ ପୁଣି କିଏ ଭିନ୍ନ ମନ୍ତବ୍ୟ ଦିଏ । ଏହିପରି ସଖ୍ୟ ଓ ଆଦାନପ୍ରଦାନ ମଧ୍ୟରେ କେତେବେଳେ ଯେ ବାଟ ସରି ଆସେ, ଅନେକ ସମୟରେ ସେକଥା ବିଷୟରେ କୌଣସି ହୋପ ନଥାଏ । ପ୍ରଚଣ୍ଡ ଖରାରେ ଷୋଳସତର ବର୍ଷର ପିଲାଏ ଅଦମ୍ୟ ଉତ୍ସାହ ନେଇ ହିନ୍ଦୁ ଧର୍ମ ଠାରୁ ଆରମ୍ଭ କରି ୟୁରୋପୀୟ ସମାଜ ପର୍ଯ୍ୟନ୍ତ ସବୁକିଛିର ଆଲୋଚନା କରି ବାହାରନ୍ତି ଓ ଏହି ମହତ କାର୍ଯ୍ୟରେ ଶିକ୍ଷକକୁ ନିମିତ୍ତ ପରି ବ୍ୟବହାର କରି ବସନ୍ତି । ସେତେବେଳେ କେଉଁ ଶିକ୍ଷକ ବୁଢ଼ା ହୋଇ ବସି ପାରିବ, କେଉଁ ଶିକ୍ଷକ କଳାଶୟଟିଏ ପରି ଆପଣାକୁ ସୁରକ୍ଷିତ କରି ରଖିପାରିବ ?

 

୧୪ । ୧୦ । ୬୫

 

ଶୀତଦିନ ଆସିଲେ ମନ ଭିତରଟା ଏଡ଼େ ଖୁସି ହୋଇଯାଏ । କିନ୍ତୁ, ଗୋଟିଏ କାରଣରୁ ଶୀତଦିନଟାକୁ ବେଶ୍ ଡର ବି ଲାଗେ । ଅବଶ୍ୟ ତାହା ଶୀତ ଦିନର ଦୋଷ ନୁହେଁ, ତାହା ହେଉଚି ମୋ'ର ଚମଡ଼ାର ଦୋଷ । ଶୀତର ପ୍ରକୋପ ବଢ଼ିବା ମାତ୍ରକେ ମୋ’ର ଗୋଡ଼ର ତଳିପା ଫାଟିକରି ଆଁ କରି ରହେ । ମୁହଁର ଚମ ଫାଟି ହାତକୁ ଠିକ୍ କଇଁଛର ପିଠି ପରି ଘଷରା ଘଷରା ଲାଗେ । ଦେହ ଉପରର ଚମଟା ହଠାତ୍ ବଡ଼ ମୋଟା ହୋଇ ପଡ଼ିଲାପରି ଲାଗେ । ଏହି ରୋଗକୁ ନେଇ ବେଳେବେଳେ ବଡ଼ ହନ୍ତସନ୍ତ ମଧ୍ୟ ଲାଗେ । ଉପରଓଳିଟା ଆସୁ ଆସୁ ମୁଁ ମୋ’ର ଗୋଡ଼ ତଳିପାରେ ତାହାର ପ୍ରତାପ ଅନୁଭବ କରିବାକୁ ଆରମ୍ଭ କରେ । ହନ୍ତସନ୍ତ ହେବାର ପରିମାଣ ଅତିରିକ୍ତ ହୋଇଗଲେ ମନଟା ବି ବଡ଼ ବିଚଳିତ ହୋଇପଡ଼େ ଓ ଭାଗ୍ୟ ଆଦରି ଅର୍ଥାତ୍ ଭାଗ୍ୟକୁ ନିନ୍ଦି ସଞ୍ଜ ନବୁଡ଼ୁଣୁ ବିଛଣା ଧରିବାକୁ ମଧ୍ୟ ଇଚ୍ଛା ହୁଏ । ହଁ, ଇଉରୋପରେ କଟିଥିବା ଶୀତଦିନ ଗୁଡ଼ିକରେ ମୋ’ର ଗୋଡ଼ ଠିକ୍ ମୋ’ର ଗୋଡ଼ ପରି ରହେ । ଏଥିରେ କୌଣସି ବିକୃତି ଘଟେ ନାହିଁ-। କାରଣ ସେଠି ଦିନମାନ ସବୁବେଳେ ଗୋଡ଼ରେ ଜୋତାମୋଜା ରହେ । କେବଳ ଶୋଇବା ସମୟଟିକୁ ଛାଡ଼ିଦେଲେ ସବୁବେଳେ ମୋ’ର ଗୋଡ଼ ସୁରକ୍ଷିତ ହୋଇ ରହିଥାଏ,—ଏତେ କଅଁଳିଆ ଓ ଚିକ୍‍ଣ ଲାଗେ ଯେ ଅନେକ ସମୟରେ ଏହାକୁ ମୁଁ ମୋର ସେହି ପୁରୁଣା ଗୋଡ଼ ବୋଲି ବିଶ୍ଵାସ କରି ପାରେନାହିଁ । ଏଠାରେ ହୁଏତ ସବୁବେଳେ ଜୋତାମୋଜାରେ ଭୂଷିତ ହୋଇ ରହିଥିଲେ ଗୋଡ଼ ମୋ’ର ଇଚ୍ଛା ସହିତ ସହଯୋଗ କରୁଥାନ୍ତା । କିନ୍ତୁ, ଏ ଦେଶରେ ଏହି ପରିଚ୍ଛଦର ଆଡ଼ମ୍ବର ମୋ’ର ହୃଦୟକୁ ସୁହାଏ ନାହିଁ ।

 

୧୫ । ୧୦ । ୬୫

 

ଜୀବନରେ ବାଟ ଚାଲିବାର ଅର୍ଥ ପଥ ସାରିବା ନୁହେଁ, ସତତ ସକଳ ମୋହ ଓ ସକଳ ପ୍ରଲୋଭନ ସତ୍ତ୍ୱେ ତଥାପି ଅବିଚଳିତ ବିଶ୍ୱାସର ସହିତ ଆଗକୁ ଆଖି ରଖିବା, ଯୁକ୍ତ ଭାବରେ ଶ୍ରଦ୍ଧାର ନିର୍ଭର ସହିତ ଆଗକୁ ଯିବା । ପଥର ଅନ୍ତ ନାହିଁ, ତେଣୁ ଆଶା ହରାଇବାର ପ୍ରଶ୍ନ ହଁ ନାହିଁ । କ୍ଷମାର ଅନ୍ତ ନାହିଁ, ତେଣୁ ବିଶ୍ଵାସ ହରାଇବାର ଦୁର୍ଗତି ବା ଆସିବ କୁଆଡ଼ୁ ? ବେଳେବେଳେ ନିଜକୁ ନାନା ପ୍ରକାରେ ଆହତ ଓ ପ୍ରତିହତ ବୋଲି ମନେକରି ମୁଁ ଏହିକଥା ଭୁଲି ଗଲାପରି ହୁଏ, ତେଣୁ ମଝିରେ କେଉଁଠି ଆସି ଅଟକି ଗଲାପରି ଲାଗେ, ଡୋର ଛିଡ଼ିଗଲା ପରି ଲାଗେ, ହୃଦୟର ଭିତରେ ସକଳ ଦ୍ଵାର ବନ୍ଦ ହୋଇଗଲା ପରି ଲାଗେ । ଡୋର ଛିଡ଼ିଯିବା ଯେ ଏହି ଜୀବନରେ ସବୁଠାରୁ ବଡ଼ କାରଣ, ସେକଥା ମୁଁ ଠିକ୍, ସେତିକିବେଳେ ବୁଝିପାରେ ! ଏପରି ପତିତ ମନ ନେଇ ମୁଁ ସକାଳର ଆହ୍ଵାନକୁ ବି ଶୁଣି ପାରେନାହିଁ, ନୂତନ ଦିନଟିର ସରସ ଆୟୋଜନ କରିବାକୁ ଯାଉଥିବା ଜୀବନବିଧାତାଙ୍କର ଇଙ୍ଗିତକୁ ମଧ୍ୟ ଅନୁଭବ କରି ପାରେନାହିଁ । ମୁଁ ତାଙ୍କର ଅତିପ୍ରିୟ,—ଏହି ହାଡ଼ ମାଂସ, ରୋଷ ଓ ଲୋଲୁପତାରେ ଜର୍ଜର ହୋଇଥିବା ମୁଁ ଓ ମୋ’ର କ୍ଷୁଦ୍ର, ଜୀବନ ତାଙ୍କର ଅତି ପ୍ରିୟ । ତା’ନହେଲେ ସେ ଏହି ସକାଳକୁ ମୋ’ର ଆଖିରେ ଏପରି ସୁନ୍ଦର କରି ଧରିଥାନ୍ତେ କାହିଁକି-? ଅନ୍ୟ ମଣିଷ ପାଖରେ ବସି ଥିଲାବେଳେ ସେ ମୋତେ ସେହିଠାରେ ହିଁ ଜୀବନର ବିରାଟ ଯୋଗ ଅନୁଭବ କରିବାଲାଗି ଏପରି ଆହ୍ଵାନ ଦେଇ ଯାଉଥାନ୍ତେ କିପରି ?

 

୧୬ । ୧୦ । ୬୫

 

ତେଣୁ ପଥ ସରୁନାହିଁ, ବାସନା ହିଁ ବଢ଼ିବାରେ ଲାଗିଚି । ବାସନା ମରୁନାହିଁ, ଗଭୀର ବାସନା ଗଭୀରତର ହେବାରେ ଲାଗିଚି; ଶୁଭ ବାସନା ଶୁଭତର ହେବାରେ ଲାଗିଚି, ବାସନାର ଦଉଡ଼ି ଦିନକୁ ଦିନ ପ୍ରଲମ୍ବିତ ହେବାକୁ ଲାଗିଚି । ଏବଂ, ମୁଁ ଭଲ କରି ବୁଝି ପାରିଚି ଯେ, ଏହି ଦଉଡ଼ିଟାର ବଢ଼ିବା ଉପରେ ହଁ ମୋ’ର ଅନ୍ତରସ୍ଥ ଓ ସଂସାରସ୍ଥ ଜୀବନଭୂମି ବଢ଼ିବାଟା ଅନେକ ପରିମାଣରେ ନିର୍ଭର କରୁଚି । ବାସନା ବଢ଼ିବା ସଙ୍ଗେ ସଙ୍ଗେ ବେଦନ ଅବଶ୍ୟ ବଢ଼ୁଚି, କିନ୍ତୁ ତାହାରି ଦ୍ଵାରା ହିଁ ପରିଚୟ ମଧ୍ୟ ଗଭୀରତର ହେବାରେ ଲାଗିଚି । ଭଗବାନ କହିଲେ ମୁଁ ଅନନ୍ତ ବାସନା,-ଅନନ୍ତ ହେବାର ଇଚ୍ଛା ଓ ଅନନ୍ତ ଦେବାର ଇଚ୍ଛାକୁ ଅନୁଭବ କରିବା ବୋଲି ବୁଝିବାକୁ ଆରମ୍ଭ କରୁଚି । ବାସନାର ତୃପ୍ତି କରି ବାସନାକୁ ମାରିଦେବା ପାଇଁ ନିଶ୍ଚୟ ବାସନାର ସୃଷ୍ଟି ହୋଇନାହିଁ । ବାସନାର କ୍ଷେତ୍ର ପ୍ରସାରିତ କରିଦେବାକୁ ଏବଂ ପରିଚୟ ଗଭୀରତର କରିବାକୁ ହିଁ ବାସନାର ସୃଷ୍ଟି ହୋଇଚି । ମୁଁ ଜାଣେ, ଯଦି ମୁଁ ସଂସାରର ଖୋଳ ଭିତରେ ଶାନ୍ତ ହୋଇ ପଶି ସଂସାରଦ୍ଵାରା ସ୍ଵୀକୃତ ଭୋଗଗୁଡ଼ିକର ଅନୁଧ୍ୟ୍ୟାନ କରି ସେଇଥିରେ ଆପଣାକୁ ସଫଳ ବୋଲି ଜ୍ଞାନ କରୁଥାନ୍ତି, ତେବେ ହୁଏତ ମୋର ଅଶାନ୍ତି କମ୍ ହେଉଥାନ୍ତା, ଚକିତ ଶଙ୍କିତ ହୋଇ ନୂତନ ପଥରେ ଗୋଡ଼ ପକାଇବାର ପ୍ରମାଦ ମଧ୍ୟ ନଥାନ୍ତା, କିନ୍ତୁ ତଦ୍ଦ୍ୱାରା ଜୀବନର adventure ହିଁ ମରି ଯାଇଥାନ୍ତା । ପୁଣି, ଯେଉଁ ଜୀବନରେ adventure ନାହିଁ, ଅର୍ଥାତ୍, ଅପ୍ରମତ୍ତ ହୋଇ ଖୋଜିବାର adventure ନାହିଁ, ସେଠି ଜୀବନଧର୍ମର କୌଣସି ଅଙ୍କୁରୋଦ୍‍ଗମ ହୋଇଚି ବୋଲି ମୁଁ ସ୍ଵୀକାର କରିବିନାହିଁ । ବିପଦହୀନ, ବେଦନାହୀନ, ବାସନାହୀନ ସିନ୍ଦୂକ ଜୀବନରେ ଧର୍ମର ଅବକାଶ ନାହିଁ-?

 

୧୭ । ୧୦ । ୬୫

 

ଆପଣାକୁ ବାନ୍ଧି ରଖିବାକୁ ହିଁ ଯଦି ନୀତିଧର୍ମ ବୋଲି କୁହାଯାଏ, ତେବେ ମୋ’ ଜୀବନରେ ସେପରି କୋଣସି ନୀତି ନାହିଁ ବୋଲି ମୁଁ ଅନୁଭବ କରୁଚି । ତଥାପି ମୁଁ ଆପଣାକୁ ନୀତିଭ୍ରଷ୍ଟ ବୋଲି କହି ମଧ୍ୟ ପାରିବନାହିଁ । ନୀତିଭ୍ରଷ୍ଟ ବା ମୂଳୋତ୍ପାଟିତ ହୋଇ ରହିଥିଲେ ଅନନ୍ତ ବାଟ ଚାଲିବାର ଓ ଅନନ୍ତ ବାସନାକୁ ହୃଦୟରେ ସଞ୍ଚି ରଖିବାର ନିଶାକୁ ମୁଁ ଜୀବନ ବଞ୍ଚିବାର ସର୍ବଶ୍ରେଷ୍ଠ ଉତ୍‍ପ୍ରେରଣା ରୂପେ ଗ୍ରହଣ କରିଥାନ୍ତି କିପରି ? ହୁଏତ ମୁଁ କେଉଁଦିନୁ ଗୋଟାଏ ସମାଜର ବୋଲି ମାନିବା ଭିତରେ ଆପଣାକୁ ଆବଦ୍ଧ କରି ରଖି ସଫଳ ହେବାର ସ୍ଵାଦ ନେବାକୁ ଆରମ୍ଭ କରି ସାରନ୍ତିଣି । ମୁଁ ନୀତିଶିଷ୍ଟ ହୋଇଥିଲେ ମଣିଷ ପାଖକୁ ଏପରି ଶକ୍ତିଶାଳୀ ଭାବରେ ଟାଣିହୋଇ ଯାଆନ୍ତି ନାହିଁ, ନୀତି ଅପେକ୍ଷା ମଣିଷକୁ ଅଧିକ ମହାନ୍, ବୋଲି ଅନୁଭବ କରି ପାରନ୍ତିନାହିଁ । ମୁଁ ନୀତିବାଦୀ ନୁହେଁ, ନୀତିଭ୍ରଷ୍ଟ ମଧ୍ୟ ଚାହେଁ । ନୀତିବାଦୀ ହେଲେ ହିଁ ଅନେକ ସମୟରେ ନୀତିଭ୍ରଷ୍ଟ ହେବାର ଭୟ ରହେ ବୋଲି ମୁଁ ଅନୁମାନ କରେ । ମୁଁ ଭୁଲ୍‍ କରିବାକୁ ଡରେ ନାହିଁ, ମୋ’ର ଚାରିପାଖରେ କେତେଟା ନିୟମାଚାରର ଫାଶ ବସାଇ ନପାରିଲେ ମଧ୍ୟ ମୁଁ ଭୀତ ହୋଉ ପଡ଼େନାହିଁ । କିନ୍ତୁ ଆପଣା ସହିତ ସୂତ୍ର ଛିଡ଼ିଗଲେ ମୋତେ ଭାରି ଭୟ ଲାଗେ, ଏହି ଶାନ୍ତି ସକାଳ ସହିତ ଡୋର ଛିଡ଼ିଗଲେ ମୋତେ ଭୟ ଲାଗେ । ଏହି ଡୋର ଲଗାଇ ରଖିବାର ବାସନା ନୀତିବାଦୀର ନୀତିକାମନା ଠାରୁ ଅନେକ ଭିନ୍ନ । ଯିଏ ବାନ୍ଧିହୋଇ ରହେ, ସିଏ ଅପରକୁ ବାନ୍ଧି ବାହାରିବାର ପ୍ରମତ୍ତତା ବି କରିଥାଏ । ଯିଏ ବନ୍ଦୀ ହୋଇ ରହେ, ସିଏ ଅପରକୁ ଆବୋରି ଯାବୁଡ଼ି ରହିବାରେ ହଁ ଭଲ ପାଇବାର କର୍ତ୍ତବ୍ୟ ସାରିଦିଏ ।

 

୧୮ । ୧୦ । ୬୫

 

ମୁଁ ସୁଖ ଚାହୁଚି ନା ପରିପୂର୍ଣ୍ଣତା ଚାହୁଚି ? ଆପଣାକୁ ନାନାକ୍ଷେତ୍ରରେ ସମର୍ପଣ କରିଦେବାକୁ ଚାହୁଚି ନା ସବୁ କ୍ଷେତ୍ରରୁ ସଂଗ୍ରହ କରି ମୁଁ ସୁଖସିଦ୍ଧି ଚାହୁଚି ନା କୌଣସି ପଥକୁ ମୋ’ର ପଥ ବୋଲି ଗ୍ରହଣ କରି ଅବିଚଳିତ ଭାବରେ ସେହି ପଥରେ ଚାଲିବାକୁ ଚାହୁଚି ? ଗୋଟିଏ ପ୍ରକାର ପାରମ୍ପରିକ ନୀତିଗତ ଭୂମି ଉପରେ ବଢ଼ି ଆସିଥିବାରୁ ହୁଏତ ମୁଁ ସୈଦ୍ଧାନ୍ତିକ ଭାବରେ କହି ପକାଇବି ଯେ, ମୁଁ ସୁଖ ଚାହୁନାହିଁ, ପରିପୂର୍ଣ୍ଣତା ଚାହୁଚି; ନେବାକୁ ଚାହୁଚି, ଦେବାକୁ ହିଁ ଚାହୁଚି; ଦେହକୁ ଦମନ କରି ମୁଁ ନିଜ ନିର୍ବାଚିତ ପଥରେ ଅବିଚଳିତ ଭାବରେ ଚାଲିବାକୁ ଚାହୁଚି-। ମୁଁ ଜୀବନରେ ଯାହା ଅନୁଭବ କରି ଆସିଚି, ସେହି ଅନୁସାରେ କହିବାକୁ ଗଲେ ମୁଁ ସବୁ ଚାହୁଚି-। କର୍ମ ଚାହୁଚି, ଯଶ ଚାହୁଚି, ଦେବା ନେବା ସବୁ ଚାହୁଚି, ଆପଣାକୁ ପରିପୂର୍ଣ୍ଣ କରିବାକୁ ଚାହୁଚି, ପୁଣି ଆପଣାକୁ ପରିପୂର୍ଣ୍ଣ ଭାବରେ ଦେଇଦେବାକୁ ଚାହୁଚି । ଲାଭକ୍ଷତିର ହିସାବ କରିବାର ବେଳ ନାହିଁ, ନୀତିଗତ ବୋଲ ମାନିବାକୁ ବେଳ ନାହିଁ,—କାରଣ କୌଣସି ଗୋଟିଏ ଚାହିବା ବା ଗୋଟିଏ ବାସନାକୁ ଅସ୍ଵୀକାର କରି ଆଗକୁ ଯିବାର ବାଟ ହିଁ ନାହିଁ, ଗୋଟିଏ ଅତୃପ୍ତିକୁ ଅବହେଳା କରି ରଖିବାରେ ତୃପ୍ତି ହିଁ ନାହିଁ । ତେଣୁ, ସ୍ଵାଭାବିକ ଭାବରେ ମୁଁ ଯାହା—କିଛି ଚାହୁଚି, ତାହାକୁ ହଁ ମୋ’ର ଜୀବନର ଭଣ୍ଡାରରେ ମୁଁ ଆପଣାର ସମ୍ପଦରୂପେ ସ୍ୱୀକାର କରି ନେଉଚି । ଜୀବନରେ ମୁଁ କୌଣସି ଭୁଲ୍ କରିନାହିଁ, ଭୃତ୍ୟ ପରି ସବୁବେଳେ ବୋଲମାନି ବିଶ୍ୱସ୍ତ ହୋଇରହିଚି, ଏପରି କହିଲେ ମୁଁ ଆପଣାର ପରିଚୟରୁ ଅଧିକ ଆଚ୍ଛନ୍ନ କରି ରଖିବି ସିନା, କିନ୍ତୁ ତଦ୍ଦ୍ୱାରା ସତକଥା କୁହା ହେବନାହିଁ ।

 

୧୯ । ୧୦ । ୬୫

 

ସନ୍ନ୍ୟାସୀ ହେବା ମୋ’ ଦ୍ଵାରା ନୋହିଲା । ଭାବିଥିଲି କ୍ରମେ ନାନା ଦାୟିତ୍ଵରୁ ମୁକ୍ତ ହୋଇଯିବି ଓ ତା’ପରେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ଓ ସ୍ଵାଧୀନ ଭାବରେ ମୁଁ ମୋ’ର ଅଭିଳଷିତ ପ୍ରିୟ ପଥରେ ପୂର୍ଣ୍ଣ ଶକ୍ତିରେ ଯିବାର ସମୟ ପାଇବି । ଆଉ ବାଧା ବା ବ୍ୟାଘାତ କିଛି ରହିବନାହିଁ । କିନ୍ତୁ, ମଣିଷ ଦାୟିତ୍ଵ ଛାଡ଼ିବାକୁ ଇଚ୍ଛା କଲେ ଦାୟିତ୍ଵ କି ମଣିଷକୁ ସହଜରେ ଛାଡ଼ୁଚି ? ଗୋଟାଏ ଦାୟିତ୍ଵ ସରୁ ନସରୁଣୁ ଆହୁରି ଗୋଟାଏ ଦାୟିତ୍ଵ ଆସି ପହଞ୍ଚିବ, ଗୋଟାଏ ବାଇଦ ବେକରୁ ନ ଓହ୍ଲାଉଣୁ ଆଉଗୋଟାଏ ବାଇଦ ପଡ଼ିବାର ଯୋଗାଡ଼ ହୋଇ ଯାଉଥିବ । ଏହାକୁ ଜଞ୍ଜାଳ ବୋଲି କହି ଗର୍ଜ୍ଜନ କରି ଉଠିବାର ଅଭକ୍ତି ମୋ’ର ଏପର୍ଯ୍ୟନ୍ତ ହୋଇନାହିଁ, ମୋ’ର ଚାରିପାଖର ଜୀବନ ପ୍ରତି ଏପର୍ଯ୍ୟନ୍ତ ଏତେଦୂର ଅଶ୍ରଦ୍ଧା ବି ହୋଇନାହିଁ । ଦାୟିତ୍ଵ ନେବାକୁ ହିଁ ପଡ଼ିବ । ଆପଣାର କର୍ମସାଧନ ମଧ୍ୟରେ ହଁ ଜୀବନର ମୁକ୍ତି ଚାଖିବାକୁ ପଡ଼ିବ, ଯଦି ସନ୍ନ୍ୟାସ ଗ୍ରହଣ କରିବାକୁ ହୁଏ, ତେବେ ଏହି ସଂସାର ଭିତରେ ରହି ଓ ଆପଣାର କର୍ତ୍ତବ୍ୟ କରି ହିଁ ସନ୍ନ୍ୟାସ ଗ୍ରହଣ କରିବାକୁ ପଡ଼ିବ । ପଳାଇଗଲେ, ଆତ୍ମକେନ୍ଦ୍ରିକ ହୋଇ କେବଳ ଅସଂଲଗ୍ନ ହୋଇ ରହିବାର ଫିକର କଲେ ତାହା କଦାପି ସନ୍ନ୍ୟାସ ହେବନାହିଁ, କେବଳ ଅହଂକେନ୍ଦ୍ରିତା ହୋଇ ରହିବ । ତେଣୁ ପଳାଇଯିବାର ଭାଗ୍ୟ ବା ଦୁର୍ଭାଗ୍ୟ ମୋ’ କପାଳରେ ହିଁ ନାହିଁ ।

 

Unknown

୨୦ । ୧୦ । ୬୫

 

ଦୋଷ ଗଣି ବସିଲେ ତ ମୋ’ପାଖରେ ଦଶହଜାର ହେବ । ତେଣୁ ଅନ୍ୟ ପାଖରେ ଦୋଷ ଦେଖିଲେ ମୁଁ କଦାପି ଗୋଟାଏ ପ୍ରକାର ବିଦ୍ଵେଷ ଅନୁଭବ କରିନାହିଁ । ଏଥର ସେଇ ଧରା ପଡ଼ିଯାଇଚି, ତେଣୁ ଗୋଟାଏ ହିଂସ୍ର ଆତ୍ମପ୍ରସାଦରେ ତାକୁ ନଚାଇ କନ୍ଦାଇ ମୁଁ ଏହି ସକଳ ନାଟ ପଛରେ ଲୁଚି କରି ରହିଯିବି, ଏପରି ସ୍ଵଭାବ ବା ପ୍ରବୃତ୍ତି ମୋ’ର କେବେହେଲେ ହୋଇନାହିଁ । ଦୋଷ କରିସାରି ଯିଏ ଦୋଷକୁ ଲୁଚାଇ ରଖିବାର ନାନା ଉଗ୍ରତା ଦେଖାଇବସେ, ମୋ’ର କଳହ କେବଳ ତାହାରି ସହିତ । ମୋ’ର ଦୋଷକୁ ମୁଁ କେବେହେଲେ ଘୋଡ଼ାଇ ରଖିବାକୁ ଚେଷ୍ଟା କରେ ନାହିଁ । ନିଜକୁ ଶୁଦ୍ଧ ଓ ପୁଣ୍ୟବାନ୍ କରି ଦେଖାଇବାର ପରିଶ୍ରମ କରିବାରେ ମୁଁ ଖୁବ୍ ବେଶୀ ଆନନ୍ଦ ପାଏ ନାହିଁ ବୋଲି ଦୋଷଗୁଡ଼ାକୁ ନରଖିବା ମଧ୍ୟ ମୋ’ପାଇଁ ଅପେକ୍ଷାକୃତ କମ୍, ଆୟାସସାଧ୍ୟ ହୋଇଯାଏ । କିନ୍ତୁ ଦୋଷଗୁଡ଼ାକୁ ହିଁ ମଣିଷର ପରିଚୟ ସର୍ବସ୍ଵ କରି ଦେଖିଇବାର ଅନ୍ଧତା ମଧ୍ୟ ମୁଁ କେବେହେଲେ ଦେଖାଏ ନାହିଁ । ମୋ'ର ସକଳ ଦୋଷ ସତ୍ତ୍ୱେ ମୁଁ ଆପଣାକୁ ଖାଲି ଦୋଷ ଓ ସ୍ଖଳନର ପତିତ ପ୍ରତ୍ୟାଖ୍ୟାନଯୋଗ୍ୟ ଭୂଇଁ ବୋଲି ମଧ୍ୟ କଦାପି ବିଚାର କରେ ନାହିଁ । ମୋ’ ଭିତରେ ଦୋଷ କରିବାର ଦୁର୍ବଳତା ରହିଚି, ଆଲୋକର ପିପାସା ମଧ୍ୟ ରହିଚି । ଆଲୋକର ପିପାସା ଉପରେ ଅଧିକତର ନିର୍ଭର ରଖି ଅନେକ ସମୟରେ ମୁଁ ଅନେକ ଜୁଗ୍‍ପସାରୁ ଆପଣାକୁ ବଞ୍ଚାଇ ରଖେ, ଅନେକ ଆତ୍ମଗ୍ଲାନିର ଦହନରୁ ବଞ୍ଚାଇ ରଖେ । ହୁଏତ ସେଇଥି ଲାଗି ମୁଁ ଜୀବନକୁ ଭଲ ପାଇବାର ବାଗଟିକୁ, ଅନୁଭବ କରି ନେଇପାରେ, ମଣିଷ ପାଖରେ ବସିବାକୁ ଏତେ ଭଲପାଏ । ସେଇଥିଲାଗି ଏହି ଶାନ୍ତି ସକାଳ ପାଖରେ ଆସି ବସୁ ନ ବସୁଣୁ ମୁଁ ଆପଣାର ଘରେ ଆସି ବସିଥିଲା ପରି ଲାଗେ, ଆପଣାର ଅତି ପ୍ରିୟ ପାଖରେ ପହଞ୍ଚିଗଲା ପରି ଲାଗେ ।

 

୨୧ । ୧୦ । ୬୫

 

ଦିନେ ଦିନେ ନଈ ଶୁଖିଯାଏ, ଭଟ୍ଟା ପଡ଼ିଯାଏ । ଭିତରକୁ ଅନାଇଦେବା ବେଳକୁ ଯେପରି ମୁଁ କିଛି ହେଲେ ସୋର ଶବ୍ଦ ପାଏନାହିଁ । ଆଖି କାନ ସମସ୍ତେ ଯେପରି ବନ୍ଦ ହୋଇ ରହିଥିବା କବାଟଗୁଡ଼ାକ ପରି ପଡ଼ି ରହିଥାନ୍ତି । ସେଠି ଯାଇ କରାଘାତ କରିବାକୁ ମଧ୍ୟ କୁଣ୍ଠା ଲାଗେ-। ପ୍ରଥମେ ପ୍ରଥମେ ମନ ଓ ହୃଦୟର ଏପରି ଅବସ୍ଥା ଦେଖିଲେ ମୁଁ ଭାରି ବିଚଳିତ ହୋଇ ପଡ଼ୁଥିଲି-। ହାତ ଭିତରୁ ଖିଅ ହଜିଗଲା ବୋଲି ଭାରି ବ୍ୟାକୁଳ ହୋଇ ପଡ଼ିଥିଲି । କ୍ରମେ ବୁଝୁଚି, ଏଇଟା ମଧ୍ୟ ଗୋଟାଏ ସ୍ଵାଭାବିକ ଅବସ୍ଥା, ହୁଏତ ଗୋଟାଏ-ସ୍ଵାଭାବିକ ଆବଶ୍ୟକତା । ବାହାରୁ ସବୁ ବନ୍ଦ ଅଛି, କୌଣସି ଦୁଆରେ କୌଣସି ଉତ୍ସାହିତ ଆହ୍ଵାନ ଶୁଭୁନାହିଁ; କିନ୍ତୁ ଭିତରେ ତଥାପି ଯେପରି ଦୁଆର ଫିଟିବାର ପ୍ରସ୍ତୁତି ଚାଲିଚି । ଏହି ପ୍ରତ୍ୟାହାରର ଅବସ୍ଥାକୁ ମୁଁ ଭୁଲ ବୁଝିବିନାହଁ, ଏହାଦ୍ଵାରା ସନ୍ତପ୍ତ ଓ ଆକୁଳ ହୋଇ ପଡ଼ିବିନାହିଁ । ମୁଁ ଜାଣେ, ପୁଣି ଯେତେବେଳେ ସମୟ ଆସିବ, ସେତେବେଳେ କେତେ ନୂଆ ଡୋର ବାନ୍ଧିବାଲଗି ମୋ’ରି ଭିତରର ଉତ୍ସାହଗୁଡ଼ିକ ଶତସହସ୍ର ଶିଶର ଏକ ବାହିନୀ ପରି ପୃଥିବୀ ଭିତରକୁ ଛୁଟି ଚାଲିବେ । ସେତେବେଳେ ହଠାତ୍ ସବୁ ଖୋଲିଯିବ; ମୋ’ର ସକଳ ଗ୍ରହଣେନ୍ଦ୍ରିୟ ଦେଇ ମୁଁ ଜୀବନକୁ ଓ ପୁଥିବୀକୁ ପୁଣି ସ୍ପର୍ଶ କରି ପାରିବି, ମୋ’ ଭଣ୍ଡାରରେ ସଂଗ୍ରହ କରି ରଖିବାକୁ ସେତେବେଳେ ଆଉ କୌଣସି ରତ୍ନର ଅଭାବ ହେବନାହିଁ-। ସେତେବେଳେ ପୁଣି ଖିଅ ଲାଗିଯିବ, ନୂଆ ଆଖିରେ ମୁଁ ସବୁ ଦେଖିବି, ନୂଆ ଭାଷାରେ ମୁଁ ସବୁରି ଲାଗି ଆମନ୍ତ୍ରଣ ଜଣାଇବି । ଆଜି ସକାଳେ ଭିତରଟା କେବଳ ଶୂନଶାନ୍, ହୋଇ ପଡ଼ିଥିଲେ ମଧ୍ୟ ମୁଁ ବର୍ତ୍ତମାନ ସେହି ପ୍ରସ୍ତୁତିଟିକୁ ହିଁ ଅନୁଭବ କରିପାରୁଚି । ମୁଁ ଏହି ପ୍ରସ୍ତୁତିକୁ କୌଣସି ପ୍ରକାରେ ଚହଲାଇ ଦେବାକୁ ଚାହେନାହିଁ । ଆପଣା ଆକୁଳତାରେ ବ୍ୟସ୍ତ କରିଦେବାକୁ ଚାହେନାହିଁ, କେବଳ ତଥାସ୍ତୁ ବୋଲି କହିବାକୁ ଚାହେ ।

 

୨୨ । ୧୦ । ୬୫

 

ଆଜି ବି ସୂର୍ଯ୍ୟ ଉଠିବ, ଆଜି ବି ସକାଳ ହେବ । ମୁଁ ମୋ’ର ହୃଦୟ ଭିତରେ ସେହି ସୂର୍ଯ୍ୟ ଉଠିବା ଲାଗି ହିଁ ଅପେକ୍ଷା କରି ରହିଚି, ଏହି ସୂର୍ଯ୍ୟ ଉଠିବାର ସନ୍ଦେଶକୁ ବହନ କରି ହିଁ ବାଟ ଚାଲିଚି । ଅନ୍ଧାର ମୋ’ ଜୀବନର ସବୁ କଥା ନୁହେଁ, ଅନ୍ଧାର କାହାର ଜୀବନର ସମସ୍ତ କଥା ନୁହେଁ-। ଆଲୋକ ଲାଗି ଅଧିକରୁ ଅଧିକ ଅନ୍ୱେଷଣ କରି ବାହାରିବା ଲାଗି, ଆପଣା ଭିତରେ ଆଲୋକ ଲାଗି ବାଟ ଫିଟାଇବା ଲାଗି ହିଁ ଅନ୍ଧାରର ଆବଶ୍ୟକତା ରହିଚି | ତେଣୁ, ଅନ୍ଧାରକୁ ମୁଁ ଡରିବିନାହି, ମାତ୍ର ଆଲୋକ ଭଲ ପାଇବି । ଅନ୍ଧାରକୁ ନିନ୍ଦିବି ନାହିଁ, ଆଲୋକ ଲାଗି ପ୍ରସ୍ତୁତ ହେବି-। ମୋ’ ତାରୁଣ୍ୟର ପ୍ରଥମ ବୟସରୁ ମୁଁ ପ୍ରଧାନତଃ ଏହାରି ଉପରେ ହଁ ବିଶ୍ଵାସ କରି ଆସିବି । ଏହି ବିଶ୍ଵାସ ହଁ ମୋ’ର ସକଳ ବାସନାକୁ ଏପରି ମହାନ୍‌ କରି ରଖିଚି । ମୋ’ର ମଣିଷଜନ୍ମକୁ ସାର୍ଥକ କରି ରଖିଚି । ଏହି ବିଶ୍ଵାସ ହେତୁ ସକାଳର ସୂର୍ଯ୍ୟୋଦୟ ଏଡ଼େ ଭଲ ଲାଗିଚି । ଆକାଶର ରଙ୍ଗମୟ ପ୍ରସନ୍ନତା ଏଡ଼େ ଭଲ ଲାଗିଚି, କାହାର କରୁଣା ଓ ଆଶୀର୍ବାଦ ଲାଭରେ କୃତଜ୍ଞତାରେ ପରପୂର୍ଣ୍ଣ ହୋଇ ମୋ’ର ନୟନ ଶ୍ରଦ୍ଧାଭାରରେ ନତ ହୋଇଯାଇଚି । ସବୁ ଅଭାବଜନିତ ସକଳ ଜ୍ଵର ଯେପର ଅତି ସହଜରେ ପ୍ରଧାନତଃ ଏକ ଶ୍ରଦ୍ଧାପ୍ଲୁତ ବିଶ୍ଵାସ ଏବଂ ଶ୍ରଦ୍ଧାପ୍ଲୁତ ଅନ୍ୱେଷଣରେ ରୂପାନ୍ତରିତ ହୋଇଯାଇଚି । ମୁଇଁ ଜିତିଚି, ମୋ’ ଭିତରେ ଜୀବନ ଜିତିଚି, ମୋ’ ଜୀବନର ଖିଅକୁ ମହତ୍ତ୍ଵରେ, ଭରି ରଖିଥିବା ମଣିଷର ଏହି ପୃଥିବୀ ଜିତିଚି । ଏହା ସୂର୍ଯ୍ୟୋଦୟ ଜିତିଚି, ମୋ’ ବଗିଚାର ଶିଶିରସିକ୍ତ ପ୍ରସନ୍ନ ଫୁଲମାନେ ଜିତିଚନ୍ତି, ଏବଂ ଏହି ବିଜୟର ଉତ୍ସବ ଭିତରରେ ମୁଁ ଖୁସୀହୋଇ ସଂକଳ୍ପ କରିନେଇଚି ଯେ, ମୋ’ର ଏ ବାସନା ମରିବନାହିଁ, ଏହି ଶ୍ରଦ୍ଧା କେବେହେଲେ ଶୁଖି ଯିବନାହିଁ ।

 

୨୩ । ୧୦ । ୬୫

 

ଗତ ଆଠ ଦଶଦିନ ହେଲା ମୁଁ ସ୍ନେହୀ ମଣିଷର ମେଳରେ ଥିଲି । ସ୍ନେହ ଓ ସଖ୍ୟରେ ମୋ’ର ସମସ୍ତ ସମୟ ଓ ହୃଦୟ ପରିପୂର୍ଣ୍ଣ ହୋଇ ରହିଥିଲା ପରି ଲାଗୁଥିଲା । କାଲି ରାତିରେ ସେହି ପର୍ଯ୍ୟାୟଟି ସରିଯିବା ପରେ ଭାରି ଏକୁଟିଆ ଲାଗିଲା । ମୋ’ର ଘର ବଡ଼ ଖାଲି ଖାଲି ଲାଗିଲା, ମୋ’ର ମୁହୂର୍ତ୍ତଗୁଡ଼ାକ ମଧ୍ୟ ଭାରି ଖାଲି ଖାଲି ଲାଗିଲା । କାଲିଠାରୁ ମନଟା ବି ଯେପରି ଏଠିନାହିଁ, ଆପଣା ମଣିଷର ପଛରେ ସେଇଟା ମଧ୍ୟ କୁଆଡ଼େ କୁଆଡ଼େ ଏଠୁ ଛାଡ଼ି ପଳାଇଚି । ଏହାକୁ ମୁଁ ଅତି ସ୍ଵାଭାବିକ ବୋଲି ମାନିନେଇଚି । ଏହା ମୋତେ ରିକ୍ତ ବା ସନ୍ତପ୍ତ କରି ପକାଉନାହିଁ ଏହା ମୋତେ ସ୍ନେହ, ପ୍ରେମ ଓ ସଖ୍ୟକୁ ଅନ୍ତରସ୍ଥ କରିବାକୁ ଶିଖାଉଚି । ସ୍ନେହୀ ମଣିଷ ସହିତ ଦିନ କେତେ ଏକାଠି ରହିବାରେ ଅଭ୍ୟସ୍ତ ହୋଇ ଯିବାପରେ ଆଜି ଯେ ମୋତେ ଖରାପ ଲାଗୁଚି, ଏହାକୁ ବି କ'ଣ conditioning ବୋଲି କୁହାଯାଇପାରିବ ? ତେବେ ମୁଁ ଏହାକୁ ହୃଦୟଧର୍ମର conditioning ବୋଲି କହିବାକୁ ଇଚ୍ଛା କରିଚି । ମୁଁ ଚିରଦିନ ଏହିପରି conditioned ହୋଇ ରହିବାକୁ ଚାହେ, ମୁଁ ଜୀବନ ସହିତ conditioned ହୋଇ ରହିବାକୁ ଚାହେ । ମଣିଷ ବା ଜୀବନ ସହିତ ଖିଅ ଛିଡ଼ିଗଲେ ମୁଁ ଆପଣା ଭିତରେ ମଧ୍ୟ ଯେପରି ଛିନ୍ନ ହୋଇ ଗଲାପରି ଅନୁଭବ କରେ । ଏହାକୁ ତୁମେ ଦୁର୍ବଳତା କହିଲେ ମଧ୍ୟ ମୁଁ ଦୁର୍ବଳ ହେବାକୁ ବି ରାଜି ଅଛି ।

 

୨୪ । ୧୦ । ୬୫

 

ଭାରତ ଆଉ ପାକିସ୍ତାନ ଦୁଇ ପ୍ରତିବେଶୀ ଦେଶ,—ଗୋଟିଏ ସାଂସ୍କୃତିକ ପରମ୍ପରାକୁ ରାଜନୀତିକ ମତଲବ ଦୁଇଖଣ୍ଡ କରି ଦୁଇଟା ରାଜ୍ୟ ତିଆରି କରିବାର ମନ୍ଦ ମତଲବ ଆମ ଦୁଇଟି ଦେଶକୁ ଆଜି ପରସ୍ପରର ଶତ୍ରୁ କରି ଠିଆ କରିଦେଇଚି । ଦୁଇ ଦେଶ ଆଜି ଉଗ୍ର ଜାତୀୟତାର ନିଶା ଖାଇ ଗରମ ହୋଇ ରହିବାକୁ ସର୍ବପ୍ରଧାନ କର୍ତ୍ତବ୍ୟ ଓ ସମୁଚିତ ତାତ୍କାଳିକ ଧର୍ମ ବୋଲି ବିଚାରୁଚନ୍ତି । ତଥାପି, ଏପାଖରେ ଥାଇ ମୁଁ କହିବି ଯେ, ମତାନ୍ଧତା ରହିବନାହିଁ, ଉଗ୍ର ଜାତୀୟତା ରହିବନାହିଁ । ସାରା ପୃଥିବୀରେ କେଉଁଠିହେଲେ ମଧ୍ୟ ମଣିଷ ମଣିଷଠାରୁ ଘୃଣା ଓ ଉତ୍ତେଜିତ ମତଲବରେ ବିଚ୍ଛିନ୍ନ ହୋଇ ରହି ପାରିବନାହିଁ । ଆଜି ରାଷ୍ଟ୍ରସଂଘକୁ କୋଡ଼ିଏ ବର୍ଷ ହୋଇଗଲା । ଜାତୀୟତା ଉପରେ ଯେ ମଣିଷ ବଡ଼, ଯୁଦ୍ଧ ଅପେକ୍ଷା ଯେ ପୃଥିବୀ ଦାରିଦ୍ର୍ୟ, ଅଶିକ୍ଷା ଓ ରୋଗ ଦୂର କରିବାର କର୍ତ୍ତବ୍ୟ ବଡ଼, ପାର୍ଥକ୍ୟ ଦେଖିବା ଅପେକ୍ଷା ଯେ ମଣିଷ ମଣିଷ ଭିତରେ ସମାନତାର ଅନୁଭବ କରି ଦେଶକାଳର ସକଳ ବିଭିନ୍ନତା ସତ୍ତ୍ଵେ ତଥାପି ସମ୍ମିଳିତ ହୋଇ ବାସ କରିବା ଅଧିକ ମନୁଷ୍ୟୋଚିତ, ଆଜି ଦିନଟିର ମହତ୍ତ୍ଵ ଆମ ସମସ୍ତଙ୍କୁ ଏହି ସତ୍ୟଟିକୁ ଜାଣି ଶିଖାଉ ହୃଦୟ ଭିତରେ ଏହି ସତ୍ୟୋପଲବଧ ସ୍ନେହର ସଞ୍ଚାର କରୁ, ତା’ହେଲେ ଆମ ଜୀବନରୁ ଓ ଆନ୍ତଜାତୀୟ ଜୀବନରୁ ଅନେକ କଠିନତା ଓ ଅନେକ ଅନମନୀୟତା ଦୂର ହୋଇଯିବ । ଆଗ ଶତ୍ରୁ ବଦଳିବ, ତେବେଯାଇ ସଂସାରରେ ଶାନ୍ତି ଆସିବ, ଆଜି ଏହି ବାକ୍ୟଟିର ଅସାର୍ଥକତା ଓ ଅର୍ଥହୀନତାକୁ ହୃଦଙ୍ଗମ କରିବାର ଦିନ । ଶତ୍ରୁ, ବଦଳିବାର ଆଗରୁ ମଧ୍ୟ ମା’ ଦେଶରେ ବଦଳିବା ଓ ମଣିଷ ପରି ବଞ୍ଚିବାର ଅନେକ କ୍ଷେତ୍ର ରହିଚି, ସୁନ୍ଦର ଭବିଷ୍ୟତ ପାଇଁ ଅନେକ କର୍ତ୍ତବ୍ୟ ରହିଚି ।

 

୨୫ । ୧୦ । ୬୫

 

ପୃଥିବୀ ବଡ଼ଶକ୍ତିମାନେ ଆଜି ରାଷ୍ଟ୍ରସଂଘକୁ ଆପଣାର, ହସ୍ତପିତୁଳା ପରି ବ୍ୟବହାର କରିବାକୁ ଫିକର କରୁଚନ୍ତି । ସାରା ପୃଥିବୀଟାକୁ ଆପଣ । ସ୍ଵାର୍ଥଦ୍ୱନ୍ଦ୍ଵ, ଅନୁସାରେ ଦୁଇଭାଗ କରିବା ସଙ୍ଗେ ସଙ୍ଗେ ସେମାନେ ବିଶ୍ୱମହାସଭାକୁ ମଧ୍ୟ ଏହି ଦ୍ୱନ୍ଦ୍ଵର ଦ୍ୟୂତକ୍ରୀଡ଼ା ଲାଗି ବ୍ୟବହାର କରିବାକୁ ନାନା ଫାଳ ପତାଇ ରହିଚନ୍ତି । ସେମାନଙ୍କର ହାତରେ ଅଧିକ ଧନ ରହିଚି ଓ ଅଧିକ ବୋମା ରହିଚି, ଏହି ଭୟତ୍ରସ୍ତ ପୃଥିବୀ ସେମାନେ ଅସ୍ତ୍ରଶସ୍ତ୍ର ଯୋଗାଇବାର ଦୟାଳୁ ଅଭିଭାବକ ହୋଇ ବାହାରିଚନ୍ତି । ତେଣୁ, ରାଷ୍ଟ୍ରସଂଘରେ ଅନେକ ସମୟରେ ମାନବିକ ଅଧିକାର ଓ ମାନବିକ ସ୍ୱାଧୀନତାର ପକ୍ଷ ହାରିଯାଉଚି, ଅଥଚ ସେହି ବଡ଼ଶକ୍ତି ମାନଙ୍କର ଦ୍ୱନ୍ଦ୍ଵଟା ହଁ ଜିତୁଚି । ଭାରତବର୍ଷ ପାଖରେ ସେହିପରି ଧନ ଓ ବୋମାଭଣ୍ଡାର ରହିଥିଲେ ଭାରତବର୍ଷ ଯେ ସେମାନଙ୍କ ଅପେକ୍ଷା ଅଧିକ ମାନବୋଚିତ ବ୍ୟବହାର କରୁଥାନ୍ତା, ଆପଣାର ଆଚରଣରେ ଉଗ୍ରତା ଦେଖାଉନଥାନ୍ତା, ମୁଁ ସେହିକଥା ଛାତିରେ ହାତ ଦେଇ କଦାପି କହି ପାରିବିନାହିଁ । ଭାରତବର୍ଷ ହାତରେ ଆଜି ବୋମା ନାହିଁ, ସାରା ପୃଥିବୀରେ ସଉଦା କରିବା ଓ ସଉଦା କରାଇବା ପାଇଁ ଅପର୍ଯ୍ୟାପ୍ତ ଧନ ନାହିଁ । ତଥାପି ବେଳେ ବେଳେ ଆମେ ଏଡେ ବଡ଼ ଦେଶର ଓ ଏତେ ଦୀର୍ଘ ଐତିହ୍ୟର ଅଧିକାରୀ ହୋଇ ରହିବୁ ବୋଲି କମ୍ ଉଗ୍ରତା ଦେଖାଉନାହୁଁ । ଆମଠାରୁ ସାନସାନ ଦେଶ ଆମରି ବୋଲରେ ଚାଲନ୍ତୁ, ଏପରି ଦମ୍ଭ କରିବାର ଲୋକଙ୍କ ଅଭାବ ଏ ଦେଶରେ ଆଦୌ ନାହିଁ । ଅବଶ୍ୟ ଭାରତ ସରକାର ଏପରି ଦମ୍ଭ ଓ ଦାମ୍ଭିକତା କଦାପି ଦେଖାଇ ନାହାନ୍ତି । କିନ୍ତୁ ଦାମ୍ଭିକମାନଙ୍କ ହାତରେ ଶାସନସତ୍ତା ଆସିଲେ ଦେଶଟାଯାକ ଦାମ୍ଭିକ ହୋଇ ବାହରିବାକୁ ଆଉ କେତେ ବା ଡେରି ଲାଗିବ-? ଭଗବାନ ମୋ’ ଦେଶକୁ ସେହି ପ୍ରମାଦରୁ ବଞ୍ଚାଇ ରଖନ୍ତୁ ।

 

୨୬ । ୧୦ । ୬୫

 

ଗୋଟାଏ ଦେଶରେ ଜନ୍ମ ହୋଇଥିଲେ ହେଁ ମୁଁ ସମସ୍ତ ପୃଥିବୀର ଜଣେ ମଣିଷ ହିସାବରେ ନିଜର କର୍ତ୍ତବ୍ୟ କରିପାରିବି, ବିଶ୍ୱରାଷ୍ଟ୍ର ସଂଘ ପ୍ରଧାନତଃ ଏହି ସତ୍ୟର ପ୍ରତିନିଧିତ୍ଵ କରୁଚି । ଗୋଟିଏ ଦେଶ, ଗୋଟିଏ ଭାଷା, ଗୋଟିଏ ଧର୍ମ ବା ଗୋଟିଏ ସଂସ୍କୃତିରୁ ହଁ ମୋ’ର ଜୀବନକୁ ଭଲପାଇବା ଆରମ୍ଭ ହୋଇଥିଲେ ହେଁ ତଥାପି ମୁଁ ସବୁ ଦେଶର ଲୋକଜୀବନ ଓ ଲୋକଭାଗ୍ୟ ସହିତ ଶ୍ରଦ୍ଧାର ସହିତ ଯୁକ୍ତ ହୋଇପାରିଚି । କଠିନ ହେଲେ ମଧ୍ୟ ମୋତେ ଏହି ମଣାଇ ରଖିବାଲାଗି ରାଷ୍ଟ୍ରସଂଘର ସର୍ବପ୍ରଧାନ ଆବଶ୍ୟକତା ରହିଚି । ଏହି ଆବଶ୍ୟକତାକୁ ଆପଣା ଜାତୀୟ ଜୀବନର ସର୍ବପ୍ରଧାନ ଆବଶ୍ୟକତା ବୋଲି ଅନୁଭବ କରିବାର ଉପଯୁକ୍ତ କ୍ଷେତ୍ର ଆଜି ସବୁ ଦେଶରେ ତିଆରି ହୋଇନାହିଁ । ଆଜି ନାନା ନାନା ଜାଗାରେ ମଣିଷକୁ ଅଧସ୍ତନ କରି ସତ୍ତାକୁ ବଡ଼ କରି ରଖାଯାଇଚି, ମଣିଷକୁ ଅସ୍ୱୀକାର କରି ପ୍ରଚଣ୍ଡ ଧର୍ମାନ୍ଧତା ରାଜତ୍ଵ କରି ରହିଚି, ମଣିଷର ପରିଚୟକୁ ବୁଡ଼ାଇ ଦେବାର ସ୍ଵାର୍ଥପ୍ରଣୋଦିତ ଫିକରରେ ନାନା ପ୍ରକାର ଖଣ୍ଡ ଆଦର୍ଶ ଆମ ପୃଥିବୀର-ଗୋଷ୍ଠୀମାନଙ୍କୁ ପରସ୍ପରର ଘରେ ଇତର କରି ରଖିଚି । ମୋ’ର ଆପଣା ଜୀବନରେ, ମୋ’ର ଆପଣା ଭାବଗତ ଭୂମି ଉପରେ ମୁଁ ଯଦି ତଥାପି ପୃଥିବୀର ଏକ ଶ୍ରଦ୍ଧାଶୀଳ ଓ ଗ୍ରହଣଶୀଳ ମଣିଷ ପରି ବଞ୍ଚି ପାରିଲି, ତେବେ ମୁଁ ଆଗାମୀ ସମାନର ସ୍ଥାପନା କରି ଅବଶ୍ୟ ସହଯୋଗ କରିପାରିବି । ମୁଁ ମୋ’ ଦେଶକୁ ଅବଶ୍ୟ ଭଲ ପାଇବି, ତଥାପି ମୋ’ ଦେଶକୁ ମୁଁ ସମଗ୍ର ମନୁଷ୍ୟ ସମାଜର ଏକ ଅଂଶ ବୋଲି ଭାବିବି,—ତାହା ହେଲେ ଦେଶ ଓ ସଂସାର ଭିତରେ ମୋ’ ଲାଗି କୌଣସି ବିରୋଧ ନାହିଁ ।

 

୨୭ । ୧୦ । ୬୫

 

ଦେଶଙ୍କୁ ଏକକ କରି ଗଢ଼ାହେଲେ ରାଷ୍ଟ୍ରସଂଘ ମଜବୁତ ହୋଇ ପାରିବନାହିଁ । ମଜବୁତ ହେବାକୁ ହେଲେ ମଣିଷକୁ ଏକକରୂପେ ଗ୍ରହଣ କରିବାକୁ ପଡ଼ିବ । ଦେଶକୁ ଏକକ କରି ମାନୁଥିବା ପର୍ଯ୍ୟନ୍ତି ଆନ୍ତର୍ଜାତିକ ମଞ୍ଚ ଉପରେ ଦେଶ ଦେଶ ଭିତରେ ଚତୁର ଲଢ଼ାଇ ଚାଲୁଥିବ, ସାମରିକ ଓ ଅନ୍ୟାନ୍ୟ କ୍ଷମତା ଦ୍ୟୋତକ ଚାପ ପକାଇ ସେଠାରେ ବିଭିନ୍ନ ଦେଶ ବା ବିଭିନ୍ନ ଗୋଷ୍ଠୀ ବିଶ୍ଵ ସମାଜର ଭାଗ୍ୟକୁ ଆପଣାର ଖୁସୀ ଅନୁସାରେ ନଚାଇବାରେ ଓ କଚାଡ଼ିବାରେ ଲାଗିଥିବେ । ଦେଶକୁ ଏକକ କରି ଯେଉଁ ଅନ୍ଧତା, ଉଗ୍ରତା ଓ ଅବିଶ୍ୱାସ ଉପୁଜିଚି, ତାହାକୁ ଏଡ଼ିବାଲାଗି ତ ରାଷ୍ଟ୍ରସଂଘ ଜନ୍ମଲାଭ କରିଚି । ତେଣୁ ଦେଶକୁ ଏକକ କରି ଧରିଥିବା ପର୍ଯ୍ୟନ୍ତ ଏହି ପ୍ରମାଦ ଲାଗି ରହିଥିବ ଓ ନାନା ପ୍ରକାର ବେଶରେ ମନୁଷ୍ୟର ଭବିଷ୍ୟତକୁ ଉଗାଳି ରଖିଥିବି । ପୃଥିବୀରେ କୌଣସି ଦେଶର ମଣିଷ ଯୁଦ୍ଧ ଚାହେନାହିଁ, କୌଣସି ଦେଶର ମଣିଷ ଦରିଦ୍ର, ରୁଗଣ ଓ ଅଶିକ୍ଷିତ ରହି ତଥାପି ଯୁଦ୍ଧ ସଜ୍ଜାର ମତ୍ତତାରେ ବଡ଼ ହେବାକୁ ଚାହେନାହିଁ । ପୃଥିବୀ ଅଧକାଂଶ ଦେଶରେ ଏହି ମଣିଷ ହାତରେ ରାଜନୀତିକ କ୍ଷମତା ଦିଆ ନଯିବା ଲାଗି ନାନାପ୍ରକାର ଫିକର ହେଉଚି । ଧର୍ମ, ଜାତି ଓ ଦେଶ ଏହି ଫିକର ପାଇଁ ସାଧନରୂପେ ବ୍ୟବହୃତ ହେଉଚନ୍ତି । ମଣିଷ ତିମିର ଭିତରେ ରହିଚି, ତାହାର ପ୍ରତିନିଧି ବୋଲାଇ ତା’ ଦେଶର ଦୁଷ୍ଟ ନେତା ତେଣେ ଦେଶ ନାମରେ କେତେ ନିଆଁରେ ଗୋଡ଼ ପୂରାଇବାକୁ ଯାଉଚି । ଦେଶ ନାମରେ କେତେ ଘୃଣାକୁ ଜୀଆଇ ରଖିଚି, କେତେ ମେଣ୍ଟ ବାନ୍ଧୁଚି, କେତେ ମେଣ୍ଟ ଫିଟାଉଚି । ଆମ ସମସ୍ତଙ୍କୁ ଲାଗି କେତେ ପ୍ରମାଦ ସୃଷ୍ଟି କରି ରଖିଚି ।

 

୨୮ । ୧୦ । ୬୫

 

ଭାରତର ପ୍ରତିନିଧି ଦଳ ନିରାପତ୍ତା ପରିଷଦର ଏକ ବୈଠକକୁ ବର୍ଜନ କରି ବାହାରକୁ ଚାଲି ଆସିଲେ ବୋଲି ଖବରକାଗଜରେ ପଢ଼ିଲି । ଆନ୍ତର୍ଜାତିକ କୌଣସି ସଭାଥଳକୁ ବର୍ଜନ କରି ଆସିବା ସମ୍ଭବତଃ ଭାରତ ପକ୍ଷରେ ଏହାହିଁ ହେଉଚି ପ୍ରଥମ ବାର । ପlକିସ୍ତାନ ସରକାର ବୈଦେଶିକ ମନ୍ତ୍ରୀ ଯେପରି ଭାଷାରେ ଅପମାନ କଲେ, ତା’ପରେ ସେହି ବୈଠକରେ ବସି ରହିବା ଭଦ୍ରଲୋକ ବା ଭଦ୍ର ଦେଶ ପକ୍ଷରେ କଦାପି ଉଚିତ ହୋଇ ନଥାନ୍ତା । ପ୍ରତିନିଧିଦଳ ବାହାରି ଆସିବା ପରେ ମଧ୍ୟ ସେମାନଙ୍କୁ କୁକୁର ବୋଲି କୁହାଗଲା । ଭାରତବର୍ଷ ନିରାପତ୍ତା କାଉନ୍‍ସିଲରେ ବୈଠକ ଛାଡ଼ି ଆସିବା କେତେଦୂର ଉଚିତ ବା ଅନୁଚିତ ହୋଇଚି, ସେଇଟାର ବିଚାର କରିବା ବଡ଼ କଥା ନୁହେଁ । ନିରାପତ୍ତା କାଉନସିଲରେ କ୍ରମେ ଏହିପରି ଘଟଣାମାନ ଘଟିଲେ ଏହା କେତେଦୂର ପୃଥିବୀର ନିରାପତ୍ତା ରକ୍ଷା କରିପାରିବ, ମୁଁ କାଲିଠାରୁ ଏହି କଥା ଭାବୁଚି ଓ ସେଥିଲାଗି ବଡ଼ ଅଶ୍ଵସ୍ତ ବୋଧ କରୁଚି । କାରଣ, ପୃଥିବୀର ନିରାପତ୍ତା ରକ୍ଷା ହୋଇ ନପାରିଲେ ଭାରତର ନିରାପତ୍ତା ବା ସମ୍ଭବ ହେବ କିପରି ? ଏହି ଆତଙ୍କର ଯୁଗରେ ସମସ୍ତ ପୃଥିବୀର ନିରାପତ୍ତା ଉପରେ ହିଁ ଯେକୌଣସି ଦେଶର ନିରାପତ୍ତା ନିର୍ଭର କରୁଚି । ପୃଥିବୀର ନିରାପତ୍ତା କହିଲେ ଏହି ପୃଥିବୀର ବଡ଼ ବଡ଼ ସାମରିକ ଶକ୍ତିମାନେ ପ୍ରଧାନତଃ ସେହିମାନଙ୍କର ନିରାପତ୍ତା ବୋଲି ବିଚାର କରିବାକୁ ଆରମ୍ଭ କଲେଣି । ଅନ୍ୟ ସାନ ଦେଶମାନେ ସେହିମାନଙ୍କର କୁହା ମାନନ୍ତୁ, ସେହିମାଙ୍କର ଅନୁଗ୍ରହ ଉପରେ ନିର୍ଭର କରି ରହନ୍ତୁ, ସେମାନେ ପରୋକ୍ଷରେ ଏହାହିଁ ଚାହୁଚନ୍ତି । ସେମାନେ ଏହିପରି ଏକ ଦୁଃଶାସନକୁ ବିଶ୍ଵଶାନ୍ତି ବୋଲି ଭାବୁଚନ୍ତି । ଏବଂ ଏହି ପ୍ରମତ୍ତତା ସକାଶେ ହଁ ଆଜି ପୃଥିବୀର ଭାଗ୍ୟ ବିପନ୍ନ ହେବାରେ ଲାଗିଚି ।

 

୨୯ । ୧୦ । ୬୫

 

ଜାତୀୟତାବାଦ ହେଉଚି ମଣିଷ ବା ମାନବିକତାବାଦର ସର୍ବପ୍ରଧାନ ଶତ୍ରୁ । ଜାତୀୟ ଗୌରବ ଏବଂ ଜାତୀୟ ପରାକ୍ରମ ବଢ଼ାଇବା ସକାଶେ ପ୍ରାୟ ସବୁଠାରେ ମଣିଷ ଓ ମାନବିକତା ସକଳ ଦୃଷ୍ଟିକୋଣକୁ ବଳି ଦିଆଯାଇଚି । ମୋ’ ଦେଶକୁ ମୁଁ ଅବଶ୍ୟ ଭଲପାଇବି, କିନ୍ତୁ ଦେଶରେ ବାସ କରୁଥିବା କୋଟି କୋଟି ମଣିଷଙ୍କର ଭାଗ୍ୟ, ଆଶା ଓ ଆକାଙ୍‍କ୍ଷା ସହିତ ଆପଣାକୁ ସମ୍ମିଳିତ କରାଇ ହଁ ମୁଁ ଦେଶଙ୍କୁ ଭଲ ପାଇବି । ଆପଣା ଦେଶର ଲୋକଙ୍କୁ ନାନାପ୍ରକାର ନିଶା ଓ ଉତ୍ତେଜନାରେ ଏକାଠି କରି ଆଉ ଗୋଟାଏ ଦେଶ ବିରୁଦ୍ଧରେ ଘୃଣା ଓ ହିଂସାର ଅଭିଯାନ ଆରମ୍ଭ କରିବାଲାଗି ବାହାରିଲେ ତାହାକୁ ମୁଁ ଦେଶପ୍ରେମ ବୋଲି କହି ପାରିବିନାହିଁ । ମୋ’ ପାଖରେ ରହିଥିବା ମଣିଷକୁ ହୀନ ଓ ଦୟନୀୟ ଅବସ୍ଥାରେ ରଖି ମୁଁ ତଥାପି ଜାତିକୁ ବଡ଼ କରି ପାରିବିନାହିଁ । କିନ୍ତୁ, ଆଧୁନିକ ଯୁଗରେ ପ୍ରାୟ ଯେତେଯେତେ ଦେଶରେ ଜାତୀୟତାର ପ୍ରବଳତା ଘୋଷଣା କରାଯାଇଚି, ସେତେସେତେ ଦେଶରେ ମଣିଷକୁ ହଁ ସେତେସେତେ ଅସ୍ଵୀକାର କରାଯାଇଚି । ଜାତୀୟତା ଯେଡ଼େ ଉଗ୍ର ହୋଇଚି, ତେଣେ ମଣିଷର ମଣିଷ ପଣିଆ ସେତେ ମରିଯାଇଚି । ଜାତୀୟତା ବିସ୍ମରଣବିଷ ଖାଇ ମଣିଷ ସାମ୍ରାଜ୍ୟ ରଚନା କରିଚି, ଆପଣାର ଧର୍ମ ଓ ସଭ୍ୟତାକୁ କେତେକେତେ ମଣିଷଙ୍କ ଊପରେ ମଡ଼ାଇବାକୁ ଯାଇ କେତେ ଅଧର୍ମ ଓ ଅସଭ୍ୟତା ଭିଆଇଚି । ଜାତୀୟତା ନାମରେ ନିଜର ଜୀବନରେ ରହିଥିବା କେତେପ୍ରକାର ସାମୂହିକ ବର୍ବରତାକୁ ସେ ପ୍ରଶୟ ଦେଇଆସିଚି । ମଣିଷର ରକ୍ଷା କରିବା ନୁହେଁ, ଆପଣା ଦେଶର ଚାରିସୀମା ଭିତରେ ରହିଥିବା ଗୋଷ୍ଠୀର ବଡ଼ତି କରିବାକୁ ହଁ ଯେପରି ମଣିଷ ଆପଣାର ବଡ଼ କର୍ତ୍ତବ୍ୟ ବୋଲି ମାନନେଇଚି,—ସେହି ଦେଶର ସାହିତ୍ୟ, କଳା, ମଣିଷକୁ ଛାଡ଼ିଦେଇ ଜାତୀୟତାର ଉଗ୍ର ଲାଙ୍ଗୁଡ଼ ଧରିବାକୁ ଯାଇଚି ।

 

୩୦ । ୧୦ । ୬୫

 

ଦୁଇଦିନ ହେଲା ଉଷାକାଶରେ ଗୋଟାଏ ଆଲୋକର ପୁଚ୍ଛ ଦେଖି ମୁଁ ତାହାକୁ ଧୁମକେତୁ ବୋଲି ଆଶଙ୍କା କରୁଥିଲି । ଆଜି ତୃତୀୟ ଦିନ ମଧ୍ୟ ସେହି ପୃଚ୍ଛଟିକୁ ଦେଖିବା ପରେ ଏହା ଯେ ଅବଶ୍ୟ ଏକ ଧୂମକେତୁ, ଏକଥା ଆହୁରି ପରିଷ୍କାର ହୋଇଗଲା । ଧୂମକେତୁ ଅଶୁଭର ସୂଚନା ଦିଏ । ଅର୍ଥାତ୍ ଧୂମକେତୁ ଉଠିଲେ ଆମେ ଅଶୁଭର ଆଶଙ୍କା କରିଥାଉ । ମହାଭାରତ ଯୁଦ୍ଧ ପୂର୍ବରୁ ଧୂମକେତୁ ଉଠିଥିଲା ବୋଲି ଶାସ୍ତ୍ରପ୍ରବାଦ ରହିଚି । ପୃଥିବୀ ମହାସମରପୂର୍ବରୁ ବି କୁଆଡ଼େ ଧୂମକେତୁ ଊଠିଥିଲା । ଆମ ସଂସାରରେ ଯେ ଭବିଷ୍ୟତ ଲାଗି ନାନାପ୍ରକାର ଅଶୁଭର ସୂଚନା ରହିଚି, ସେଥିଲାଗି ଧୂମକେତୁ ଦେଖାଯିବାରେ କୌଣସି ପ୍ରମାଣ ଖୋଜି ଯିବାର କୌଣସି ଆବଶ୍ୟକତା ନାହିଁ । ଧୂମକେତୁ ଉଠୁ ବା ନଉଠୁ, ଆମ ଆଗରେ ଅନେକ ଅଶୁଭର ଆଶଙ୍କା ରହିଚି-। ନାନାପ୍ରକାର ଘୃଣା ଓ ଜୁଗୁପସାରେ ଆମେ ଆମର ପୃଥିବୀଟାକୁ କ୍ରମେ ବଡ଼ ଅସୁନ୍ଦର କରି ପକାଉଚୁ । ତଥାପି ପୃଥିବୀର ଅନେକ ମଣିଷ ବିଶ୍ଵାସ ଛାଡ଼ିନାହାନ୍ତି । ସେମାନେ ତଥାପି ବିଶ୍ୱାସ କରୁଚନ୍ତି ଯେ, ମଣିଷ ଇଚ୍ଛା କଲେ ତାର ସଂସାର ଅବଶ୍ୟ ଅଶୁଭରୁ ବଞ୍ଚାଇ ରଖି ପାରିବ । ସେ ଇଚ୍ଛା କଲେ ତାର ସଂସାରରୁ ଯୁଦ୍ଧ ଦୂର ହୋଇ ପାରିବି,—ବିଲୋପର ଭୟ ନୁହେଁ, ଜୀବନ ପ୍ରତି ଶ୍ରଦ୍ଧା ଓ ମଣିଷ ସହିତ ସମ୍ମିଳିତ ହେବାର ଇଚ୍ଛା ତାକୁ ଜୀନବର ପଥରେ ପ୍ରବୃତ୍ତ କରିପାରିବ-। ମୋ’ର ହୃଦୟ କହୁଚି, ଏହା ନିଶ୍ଚୟ ହେବ । ଶଙ୍କିତ ମନକୁ ଆହୁରି ଅଧିକ ଭୟ ଦେଖାଇ ଆକାଶରେ ଧୂମକେତୁ ଉଠିଲେ ମଧ୍ୟ ତଥାପି ଏହା ସମ୍ଭବ ହେବ ।

 

୩୧ । ୧୦ । ୬୫

 

ଆମ ସଂସାରରେ ଯେ ନାନା ସଙ୍କଟରେ ସମ୍ଭାବନା ରହିଚି, ଏକଥା ଚେତାଇ ଦେବାରୁ ଧୂମକେତୁର ମଧ୍ୟ ଆବଶ୍ୟକତା ରହିଚି ବୋଲି ମୁଁ ବିଚାର କରୁନାହିଁ । ଭଗବାନ ମଣିଷ ଭିତରେ ରହିଥିବା ଭଲ ବିଷୟରେ ତାକୁ ଚେତାଇ ଦେବାପାଇଁ ଆସନ୍ତି, ମଣିଷ ଉପରେ ଘେରି ଆସୁଥିବା ସଂକଟ ବିଷୟରେ ତାକୁ ଭୟଭୀତ କରିବାକୁ ନୁହେଁ । ଆମ ଭିତରୁ ଯେଉଁମାନେ ତ୍ରସ୍ତଭକ୍ତିରେ ଭଗବାନଙ୍କର କଳ୍ପନା କରିଥାଉ, ସେହିମାନେ ହିଁ ଆକାଶରେ ଲଞ୍ଜାତାରାର ଆବିର୍ଭାବ ଦେଖି ହଠାତ୍ ବଡ଼ ଅଶ୍ୱସ୍ତ ହୋଇପଡ଼ିଥାଉ । ସଂସାରରେ, ଆମର ଜୀବନରେ ସବୁଠାରେ ସବୁ ଠିକ୍ ଥିଲା, ଯେପରି ଏହି ଧୂମକେତୁଟା ଆସି ସବୁ ବିଗାଡ଼ିଦେଲା ଓ ସବୁ ଶୁଭକୁ ଅଶୁଭ କରିଦେଲା, ଆମେ ଏହିପରି ଭାବି ବଡ଼ ଅଶାନ୍ତ ଅନୁଭବ କରିଥାଉ । କିନ୍ତ, ଆକାଶର ତାରାଟାଏ ଆମକୁ ଅଶାନ୍ତ କରି ପକIଇବ କାହିଁକି ? ଅଶାନ୍ତ ତ ଆମର ଅନ୍ତର ଭିତରେ ରହିଚି, ଆମର ଜୀବନ ଭିତରେ ରହିଚି, ନାନା ମନ୍ଦବାସନା ଓ ଉଗ୍ର ଲାଳସାର ଗ୍ରନ୍ଥି ଆମକୁ ଭିତରେ ବଡ଼ ଅଣନିଶ୍ଵାସୀ କରି ରଖିଚି । ସଂସାରରେ ବୈରାଗୀ ହେବାକୁ ଓ ହତାଶ ହୋଇ ଆତୁର ଚିତ୍ତରେ ଭଗବାନଙ୍କର ଶରଣ ନେବାକୁ ଅନେକ ସନ୍ତାପ ଆମର ପାରସ୍ପାରିକ ଜୀବନକୁ ରୋଧିକରି ରଖିଚି । କିନ୍ତୁ ତଥାପି ସବୁ ଅଶାନ୍ତି ସତ୍ତ୍ୱେ ଆମକୁ ଶାନ୍ତି ଉପରେ ହଁ ବିଶ୍ୱାସ ରଖିବାକୁ ପଡ଼ିବ, ଶାନ୍ତିଲାଗି ଆପଣାର ଜୀବନ ବଞ୍ଚିବାକୁ ପଡ଼ିବ, ଯଥାଶକ୍ତି ଆପଣା ଜୀବନର ମାର୍ଗକୁ ଶାନ୍ତିର ଦାବୀ ଅନୁସାରେ ପରିବର୍ତ୍ତିତ କରିବାକୁ ପଡ଼ିବ । ତେବେଯାଇ ଆପଣା ଜୀବନ ଅନେକ ପ୍ରସନ୍ନ ଓ ବିଶ୍ୱାସବଳିଷ୍ଠ ମୁହୂର୍ତ୍ତରେ ଭିତରୁ ଭଗବାନଙ୍କର ନିର୍ଭରକୁ ଅନୁଭବ କରିହେବ । ଆଉ ଆତୁର ହୋଇ ତାଙ୍କର ଶରଣ ନେବାକୁ ଅବା କେଉଁଠାକୁ ଦଉଡ଼ିବାକୁ ପଡ଼ିବନାହିଁ ।

 

୦୧ । ୧୧ । ୬୫

 

ପଇସା ନଖାଇଲେ ଆଦୌ କାମ ଚଳିବନାହିଁ, ପଇସା ନ ଖାଇଲେ ମଣିଷକୁ ସମସ୍ତେ କେବଳ ବୋକା ବୋଲି କହିବେ, ତେଣୁ ପଇସା ଖାଇବା ସବୁବେଳେ ଉଚିତ—କାଲି ଆମର ଜଣେ ଛାତ୍ରଠାରୁ ଏହିକଥା ଶୁଣିବାକୁ ପାଇଲି । ଛାତ୍ର ଉପରେ ମୁଁ କୌଣସି ବିରକ୍ତି ପ୍ରକାଶ କଲିନାହିଁ, କିନ୍ତୁ ଶିକ୍ଷା ଦେବାର ବ୍ୟବସ୍ଥା ନାମରେ ଆମେ ସେମାନଙ୍କ ଲାଗି ଯେତିକି ବାତାବରଣ ସୃଷ୍ଟି କରୁଚୁ, ସେତିକି ସେମାନଙ୍କର ଜୀବନଗଠନ ଓ ସୁସ୍ଥ ଜୀବନଦୃଷ୍ଟି ଅର୍ଜନ କରିବାଲାଗି ଯେ ଆଦୌ ଯଥେଷ୍ଟ ନୁହେଁ, ତାହାହିଁ ମୁଁ ଅନୁଭବ କରିବାକୁ ଲାଗିଲି । ଏଠୁ ବାହାରି ସେମାନେ ଓଭରସିଅର୍ ହେବାର, ତେଣୁ ଏଠାରେ ସେମାନେ ଓଭରସିଅର୍ ହେବାର ଟ୍ରେନିଂ ପାଉଚନ୍ତି । ସେତିକି ଟ୍ରେନିଂ ସେମାନଙ୍କୁ ଦେଇସାରିବା ବ୍ୟତୀତ ସେମାନଙ୍କ ପ୍ରତି ଆମର ଆଉ କୌଣସି କର୍ତ୍ତବ୍ୟ ରହିଚି ବୋଲି ଆମେ କେବେହେଲେ ଅନୁଭବ ହିଁ କରିନାହୁଁ । ଗୋଟାଏ ଯୁଗରେ ସେମାନଙ୍କୁ ଯେ ମଣିଷ ହେବାକୁ ବା ଗୋଟାଏ ସମାଜ ଭିତରେ ରହି ସେମାନଙ୍କୁ ଯେ ଆପଣା ଜୀବନ ବଞ୍ଚିବାକୁ ପଡ଼ିବ, ସେହି ବୋଧ ଯେପରି ଆମ ଶିକ୍ଷକମାନଙ୍କଠାରୁ ଚାଲି ଯାଇଥିଲା ପରି ମନେ ହେଉଚି । ଦେଶରେ ଓଭସିଅରମାନେ ଖୁବ୍ ପଇସା କମାଉଚନ୍ତି, ଅର୍ଥାତ୍ ଖୁବ୍ ପଇସା ପାଉଚନ୍ତି, ତେଣୁ ପଇସା ପାଇବାର ଏହି ସହଜ ବାଟ ଧରିବାର ଲୋଭରେ ଆମର ଅନେକ ଛାତ୍ର ଯେପରି ଏହାକୁ ପାଠ ପଢ଼ିବାର ଓ ଟ୍ରେନିଂ ପାଇବାର ଶ୍ରମ କରିବାକୁ ଆସିଚନ୍ତି । ପଇସା ରୋଜଗାର କରିବା ଓ ପୁଣି ସହଜରେ ପଇସା ରୋଜଗାର କରିବା ବ୍ୟତୀତ ଜୀବନରେ ଖୁସୀ ହେବାର ଓ ପୂର୍ଣ୍ଣକାମ ହେବାରେ ଯେପରି ଅନ୍ୟ କୌଣସି ବାଟ ହଁ ନାହିଁ ।

 

୦୨ । ୧୧ । ୬୫

 

“ଖାଇଲେ ଆମେ ସମସ୍ତେ ଖାଇବା, ଉପାସ ରହିଲେ ଆମେ ସମସ୍ତେ ଉପାସ ରହିବା”–କଲିକତାର ବିରାଟ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏବେ ଏହିକଥା କହିଚନ୍ତି । ଗତ ଅଠରବର୍ଷ ଧରି ଏହାହଁ ଏହି ଦେଶର ନୀତି ହୋଇ ରହିବା ଉଚିତ ଥିଲା । ଏହିପରି କଥାମାନ କହି ନେତାମାନେ ଆଗରୁ ମଧ୍ୟ ଲୋକମାନଙ୍କର ମଣିଷ ହୃଦୟକୁ ହଲାଇ ଦେଉଥିଲେ । କିନ୍ତୁ ଏହି ଦେଶର ଏକ ସ୍ଵୀକୃତି ଅସ୍ଵାଭାବିକତା ରୂପେ ତଥାପି ଖାଉଥିଲେ ଓ ଆଉ ଦଳେ ଉପାସ ରହୁଥିଲେ । ଦଳେ ନାନା ଖୁସୀ ଓ ନାନା ବିନୋଦନରେ ମାତି ଦେଶର ଅନ୍ନକୁ ନଷ୍ଟ କରୁଥିଲେ ଏବଂ ଆଉଦଳେ ପ୍ରଧାନତଃ ଅନୁଚିନ୍ତାରେ ହଁ ଜୀବନ ବିତାଇ ଦେଉଥିଲେ । ସ୍ଵାଧୀନ ଦେଶରେ ଯେଉଁପରି ସ୍ଥିତିର ବିଲୋପତ୍ରାଧାନ କରିବା ହିଁ ଆବଶ୍ୟକ ଥିଲା, ଆଜି ମଧ୍ୟ ସେହି ନୀତି ଆମ ଦେଶର ଜାତୀୟତା ଭିତରେ ନାନାପ୍ରକାର ଅପଳାପ ଓ ବ୍ୟଙ୍ଗ ଭରିରଖିଚି । ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଯେ ଆପଣାର ସକଳ ନିଷ୍ଠା ସହିତ ଏହି କଥାମାନ କହିଚନ୍ତି, ମୁଁ ସେଥିରେ କୌଣସି ସନ୍ଦେହ କରୁନାହିଁ । କିନ୍ତୁ, ସେ ଏ ଦେଶରେ କେବଳ ଜଣେ ଲୋକ ନୁହନ୍ତି, ସେ ହେଉଚନ୍ତି ଜଣେ ପ୍ରତିନିଧି । ସେ ଗୋଟାଏ ରାଜନୀତିକ ଦଳର ପ୍ରତିନିଧି, କ୍ଷମତାସୀନ ଏକ ସରକାରର ପ୍ରତିନିଧି, ପେଟ ପୂରୁଥିବା ସ୍ୱଳ୍ପସଂଖ୍ୟକ ବର୍ଗର ପ୍ରତିନିଧି । ତେଣୁ, ସଭାରେ ଏହିପରି ପଦେ କଥା କହିବା ପୂର୍ବରୁ କାର୍ଯ୍ୟକ୍ଷେତ୍ରରେ କିପରି ପରିବର୍ତ୍ତମାନ କରିବା ଆବଶ୍ୟକ ଥିଲା, ତାଙ୍କର ସେକଥା ମଧ୍ୟ ବିଚାର କରିବା ଉଚିତ ଥିଲା । ଆଗରୁ ଯେପରି କେବଳ କଥା କୁହା ଯାଉଥିଲା, ସେହିପରି କରି ଯେ ବର୍ତ୍ତମାନ ଦେଶର ଲୋକଙ୍କୁ କଦାପି ଭୁଲାଇ ହେବନାହିଁ,–ପ୍ରଧାନମନ୍ତ୍ରୀ ସେକଥା ଅବଶ୍ୟ ଜାଣନ୍ତି ।

 

୦୩ । ୧୧ । ୬୫

 

ଦେଶକୁ ଆପଣା ଉପରେ ନିର୍ଭର କରିବାକୁ ହେଲେ, ଆପଣାର ଖାଦ୍ୟଦ୍ରବ୍ୟ ଯଥାଶକ୍ତି ଆପଣା ଦେଶରେ ଉପୂଜାଇବାକୁ ହେଲେ ଆମକୁ ପ୍ରତ୍ୟେକକୁ ଅଧିକ କାମ କରିବାକୁ ହେବ, ଆମର ବିନୋଦନ-ସମୟରୁ କାଟି ବଗିଚାରେ ଦେବାକୁ ହେବ, ଆପଣାର ଶକ୍ତିମୁତାବକ ଫଳ ଓ ପନିପରିବା ଲଗାଇବାକୁ ପଡ଼ିବ । ଆପଣାର ଚାକର ହାତରେ ନୁହେଁ, ଆପଣା ହାତରେ ଏକଥା କରିବାକୁ ପଡ଼ିବ କେବଳ ଏହାରିଦ୍ଵାରା ହଁ ଆମେ ନିଜକୁ ଏହି ଦେଶର ନାଗରିକ ବୋଲି ସିଦ୍ଧ କରି ପାରିବା, ଏହି ଦେଶପ୍ରତି ଆମର ପ୍ରକୃତରେ ଶ୍ରଦ୍ଧା ଅଛି ବୋଲି ସିଦ୍ଧ କରି ପାରିବା । ଶାସ୍ତ୍ରୀଜୀ କହୁଚନ୍ତି ବୋଲି ଯେ ଏକଥା କରିବାକୁ ହେବ, ତାହା ଠିକ୍ ନୁହେଁ । କାରଣ, ଦେଶଟା କେବଳ ଶାସ୍ତ୍ରୀଜୀଙ୍କର ନୁହେଁ, ଏହି ଦେଶ ଆମ ସମସ୍ତଙ୍କର । ଶାସ୍ତ୍ରୀଙ୍କର କାଳ ତ ସରିଆସୁଚି, ତାଙ୍କର ପୁରୁଷ କ୍ରମେ ସରି ଆସୁଚି । ବର୍ତ୍ତମାନ ଯେଉଁମାନେ ଦେଶର ଛାତ୍ର ହୋଇଅଛନ୍ତି, ବର୍ତ୍ତମାନ ଯେଉଁମାନେ ଯୁବକ ଅଛନ୍ତି, କାଲି ସେହିମାନଙ୍କର କାଳ ଆସୁଚି, ସେହିମାନଙ୍କ ପୁରୁଷ ଆସୁଚି । ଅର୍ଥାତ୍, ଆମରିମାନଙ୍କ କାଳ ଆସୁଚି । ତେଣୁ, ଦେଶର କାମ କରିବାକୁ ବା ଦେଶର ଉଦ୍ୟମରେ ସମ୍ମିଳିତ ହେବାକୁ ଆମେ ଶାସ୍ତ୍ରୀଜୀଙ୍କର କାମ କରିବା ବୋଲି ଉଲୁଗୁଣା ଦେଲେ ଆମେ ଦେଶର ଆଗାମୀ କାଳ ଓ ଆଗାମୀ ପୁରୁଷକୁ ଆମରି ହାତରେ ବଡ଼ ଦୁର୍ବଳ ଓ ହତବୀର୍ଯ୍ୟ କରି ପକାଇବା । ଜୀବନ ପ୍ରତି ଶ୍ରଦ୍ଧାର ଅଭାବ ଥିଲେ ଏପରି ହୁଏ । ପୁଣି, ଜୀବନ ପ୍ରତି ଯାହାର ଶ୍ରଦ୍ଧାର ଅଭାବ ରହିବ, ସେ ଦେଶକୁ ଶ୍ରଦ୍ଧା କରି ପାରିବ ବା କିପରି ?

 

୦୪ । ୧୧ । ୬୫

 

ଗତ ଅଠର ବର୍ଷ ହେଲା ଆମ ଦେଶର ଏକଶ୍ରେଣୀୟ ଲୋକେ ଏହି ଦେଶରେ ଥିଲେ, ତଥାପି ଏହି ଦେଶରେ ନଥିଲେ । ଅର୍ଥାତ୍, ଦେଶର ପୁରୁଣା ବ୍ୟବସ୍ଥା ଭାଙ୍ଗି ନୂଆ କରି ଗଢ଼ିବାର କୌଣସି କାର୍ଯ୍ୟରେ ସେମାନେ ଆପଣକୁ ଲିପ୍ତ ରଖି ନଥିଲେ ଓ ସବୁବେଳେ ଏକ ପ୍ରକାର ନିରାପଦ ଦୂରତା ଅବଲମ୍ବନ କରି ରହିଥିଲେ । ତା’ର ସର୍ବପ୍ରଧାନ କାରଣ ହେଉଚି ଯେ, ସେମାନେ ପୁରୁଣା ବ୍ୟବସ୍ଥାରେ ହଁ ସୁଖୀହୋଇ ରହିଥିଲେ ଓ ତାହାରି ଦ୍ଵାରା ଲାଭବାନ୍ ହେଉଥିଲେ । ଦେଶରେ ସବୁ ଯୋଜନା ହେଉଥିଲି, ସେମାନେ ଏସବୁକୁ ଏକ ବ୍ୟଙ୍ଗପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିଲେ । ଉପରଠାଉରିଆ ଭାବରେ କାଗଜ କଲମରେ ସେମାନେ ଏସବୁକୁ ଗ୍ରହଣ କରି ନେଉଥିଲେ । କିନ୍ତୁ ପଛରେ ଥାଇ ସେମାନେ ଚତୁର ହସି ଏହିସବୁ ନୂତନ ଯୋଜନା ବ୍ୟର୍ଥ ବୋଲି କହି ଉଡ଼ାଇ ଦେଉଥିଲେ । ସ୍ୱାଧୀନ ଭାରତବର୍ଷ ଏମାନଙ୍କ ଲାଗି ସବୁପ୍ରକାର ଲାଭ ଓ ସିଦ୍ଧିର ଉପାୟ ଫିଟାଇ ଦେଉଥିବ, କିନ୍ତୁ ଏମାନେ ସ୍ଵାଧୀନ ଭାରତବର୍ଷ ନାଗରିକ ରୂପେ ଆପଣା ପେଡ଼ିରୁ ବାହାରି କୁଟାଖଣ୍ଡକୁ ମଧ୍ୟ ଦି’ଖଣ୍ଡ କରିବେ ନାହିଁ;—ଏହି ପରି ଏକ ଅବସରବାଦୀ ତତ୍ପରତା ସେମାନଙ୍କୁ ବେଶ୍ ପଚାଇ ରଖିଥିଲେ । ଦେଶର ସଙ୍କଟ ସମୟରେ ସେମାନେ ଆଜି ମଧ୍ୟ ସେହିପରି ବାହାରେ ବାହାରେ ରହିବାକୁ ଚାହାନ୍ତି, ପରିବର୍ତ୍ତିତ ପରିସ୍ଥିତିକୁ ସେମାନେ ଚିରାଚରିତ ଅଭ୍ୟାସ ପରି ଉଡ଼ାଇ ଦେବାକୁ ଚାହାନ୍ତି । କାରଣ, ଚତୁର ବାବୁ ହୋଇ ସେମାନେ ଏ ଦେଶର ଭଣ୍ଡାରରେ ସବୁଠାରୁ ବଡ଼ ଭାଗଟି ଭୋଗ କରିବାକୁ ଚାହାନ୍ତି । ସେମାନେ ସଙ୍କଟର ସୁଯୋଗ ନେଇ ଅଧିକ ଲାଭବାନ, ହେବାକୁ ଚାହାନ୍ତି ।

 

୦୫ ।୧୧ ।୬୫

 

ଚମ୍ପତିମୁଣ୍ଡାକୁ ମୋତେ ପୁଣି ଫେରିଯିବାର ଚେଷ୍ଟା କରିବାଲାଗି ଜଣେ ବନ୍ଧୁ ଅନୁରୋଧ କରିଚନ୍ତି । ସେଠୁ ଭଙ୍ଗାମନ ନେଇ ବାହାରିବାର ସାତବର୍ଷ ହୋଇଗଲାଣି । ଗତ ସାତବର୍ଷ ଭିତରେ ସେଠାରେ କେତେ କ’ଣ ବ୍ୟବସ୍ଥାକୁ ଅସଜଡ଼ା ମନେକରି ସଜାଡ଼ିବାର ଚେଷ୍ଟା କରାଯାଉଥିବ, କେତେ ଜୀବନର ଉତ୍ସକୁ ଆପଦପୂର୍ଣ୍ଣ ହାଟ ମନେକରି ମାଟି ଲେସି ବନ୍ଦ କରି ଦିଆଯାଇଥିବ । ତେଣୁ ଚମ୍ପତିମୁଣ୍ଡାକୁ ଫେରିଗଲେ ହୁଏତ ମୁଁ ମୋ’ର ମନଭିତରର ଧ୍ୟାନଭିତରର ଚମ୍ପତିମୁଣ୍ଡାକୁ ଦେଖିବାକୁ ହିଁ ପାଇବିନାହିଁ । ଗତ ସାତବର୍ଷ ଭିତରେ ମୋ’ର ତ ବି ବୃଦ୍ଧି ହୋଇଚି, ମୋ’ର ଅଭିଳାଷ ଓ ଆଗ୍ରହରେ ନୂଆ ଡ଼େଣା ବି ତ ଲାଗିଛି, ମୋ’ ଜୀବନର ମୂଳଗୁଡ଼ାକରେ ନୂଆ ଚେର ବି ଲାଗିଛି । ତେଣୁ, ଜୀବନରେ ଫେରିଯିବାକୁ ପଡ଼ିଲେ ଅନେକ ପରାସ ସହିବାକୁ ପଡ଼ିବ । ଏଠାରେ ଛଅ ବରଷ ଅଧ୍ୟାପନା କରିବା ପରେ ଏଠିକାର ମାଟିରେ ମଧ୍ୟ ଗୋଡ଼ ଲାଖି ଯିବାପରି ଲାଗୁଚି, ଏଠି ବି ମାୟା ଲାଗି ଯାଇଥିବା ପରି ଲାଗୁଚି । ଶିକ୍ଷକ ନହୋଇ ମୁଁ ଆଉକ’ଣ ହୋଇଥିଲେ ଅବା ଏପରି ଲାଖିଯିବାକୁ ଓ ମାୟା ଲାଗିଯିବାକୁ ମୁଁ ଏଡ଼ି ଦେଇ ପାରିଥାନ୍ତି । ଛାତ୍ରର ଆଖିରେ ଜୀବନକୁ ଉପଭୋଗ ନକରି ଆଉ କୌଣସି ଭାବରେ ବା ଆଉ କୌଣସି ମାର୍ଗରେ ସଉଦା କରି ବାହାରିଥିଲେ ମୁଁ ହୁଏତ ଇଚ୍ଛାମତେ ବେପାରରେ ବେଶ ବଦଳାଇ ଦେଇ ପାରିଥାନ୍ତି । ମୋ’ର ଶ୍ରଦ୍ଧା ଏହି ଦୃଷ୍ଟିରୁ । ମୋତେ ବେଶ୍ ରକ୍ଷଣଶୀଳ କରି ପକାଇଛି, ଏବଂ ଏହି ରକ୍ଷଣଶୀଳତା ସକାଶେ ମୁଁ ଆପଣାକୁ ସବୁବେଳେ ଭଗବାନ ବୋଲି ମନେ କରି ଆସିଚି । ଆଦର୍ଶ ଲାଗି ବାଇ ହୋଇ ଉଡ଼ା ଛିଣ୍ଡା ଅସ୍ଥିର ଦଉଡ଼ାକୁ ଜୀବନ ବୋଲି ଅନୁଭବ କରିବାର ବାଟରେ ଯାଉଥିଲେ ହୁଏତ ମୁଁ ଆହୁରି କେତେ କ’ଣ ହୋଇ ପାରିଥାନ୍ତି, କିନ୍ତୁ ଶିକ୍ଷକ ବା ଛାତ୍ର କୌଣସିଟି ହୋଇ ପାରିନଥାନ୍ତେ ।

 

୦୬ ।୧୧ ।୬୫

 

ପିଲାଦିନେ ଭାବୁଥିଲି, କୌଣସି ଦେଶରେ ବା ସମାଜରେ ଯେପରି ଚାହିବା ମାତ୍ରକେ ବିପ୍ଲବ ସମ୍ଭବ ହୋଇପାରିବ । ବହିରେ ଅନ୍ୟ ଅନେକ ଦେଶର ବିପ୍ଳବ ବିଷୟରେ ପଢ଼ୁଥିଲି ଏବଂ ଆମେ ଚାହିଁଲେ, ଆମର ସମାଜରେ, ମଧ୍ୟ ସତ୍ୱର ପରିବର୍ତ୍ତନମାନ ହୋଇ ପାରିବ ବୋଲି ମୁଁ କଳ୍ପନା କରିନେଉଥିଲି । ଗୋଟାଏ ପାଖରେ ଅତ୍ୟାଚାରୀବର୍ଗ ଅଛନ୍ତି ଓ ଆଉ ଗୋଟାଏ ପାଖରେ ଅତ୍ୟାଚାରିତ ମାନେ ରହିଛନ୍ତି । ଜାଗରଣର ଏକ ହାୱା ସୃଷ୍ଟି କରି ଅତ୍ୟାଚାରିତମାନଙ୍କୁ ମତାଇ ଅତ୍ୟାଚାରୀମାନଙ୍କର ବିଲୋପ ସାଧନ କରିବା ଯେ ଚାହିଁଲା ମାତ୍ରକେ ସମ୍ଭବ ହୋଇ ପାରିବ, ମୁଁ ଉତ୍ସାହିତ ମନରେ ସେତେବେଳେ ସେହିପରି କଳ୍ପନା କରୁଥିଲି । ସେହି ବୟସର ଦୃଷ୍ଟିରୁ ତାହାକୁ ସ୍ଵଭାବିକ ହିଁ କହିବାକୁ ହେବ । କିନ୍ତୁ ବର୍ତ୍ତମାନ ଦେଖୁଚି, ଅସଲ ବିପ୍ଳବ ମଣିଷ ମାରିଲେ ହୁଏ ନାହିଁ, ଅସଲ ବିପ୍ଳବ ଆପଣା ଭିତରେ ହୁଏ । ଅତ୍ୟାଚାରି ବିରୁଦ୍ଧରେ ନୁହେଁ, ଅତ୍ୟାଚାର ବିରୁଦ୍ଧରେ ଆପଣାର ଜୀବନୋଦ୍ୟମଗୁଡ଼ିକୁ ଉଦ୍ଦିଷ୍ଟ କରିପାରିଲେ ବିପଦ ସମ୍ଭବ ହୁଏ । ଆମେ ଏ ଦେଶରେ ବି ଭାବିଥିଲୁ ଯେ, ଯେକୌଣସି ଉପାୟରେ ବ୍ରିଟିଶ ସରକାରଙ୍କୁ ଦେଶରୁ ତଡ଼ିଦେଲେ ଆମ ସମାଜ ନୂତନ ହୋଇଯିବ, ଆମ ସମାଜ ଅତି ସହଜରେ ଆଦର୍ଶ ଗଢ଼ଣରେ ଗଢ଼ି ହୋଇଯିବ । କିନ୍ତୁ ବିଦେଶୀ ଶାସନକୁ ତଡ଼ିବା ବେଳର ବିପ୍ଳବୀ ଆପଣ ସମାଜକୁ ଗଢ଼ିବା ବେଳେ ଯେ ବଡ଼ ରକ୍ଷଣଶୀଳ ହୋଇପଡ଼ିବ, ସେକଥା ଆଶଙ୍କା କରିବାକୁ ସେତେବେଳେ ମୋର ପିଲାମନରେ କୌଣସି ଅବକାଶ ନଥିଲା । ଦେଶ ସ୍ଵାଧୀନ ହେବା ଦରକାର ଥିଲା, ସ୍ଵାଧୀନ ହେଲା । କିନ୍ତୁ ଦେଶରେ ଅନୁକୂଳ ବିପ୍ଳବ ହେବା ଏପର୍ଯ୍ୟନ୍ତ ବାକି ରହିଛି ।

 

୭ ।୧୧ ।୬୫

 

ମୁଁ ଗରିବ ନୁହେଁ, ତଥାପି ଏକ ଗରିବ ପୃଥିବୀରେ ମୋତେ ଆପଣା ଜୀବନରେ ଯଥାସମ୍ଭବ ସାର୍ଥକତା ଅର୍ଜନ କରିବାକୁ ହେବ । ଜୀବନରେ ମୁଁ ଖୁବ୍‍ ବେଶୀ ଆର୍ଥିକ ଅଭାବ ଅନୁଭବ କରିନାହିଁ । ଯେତେବେଳେ ଅଭାବ ପଡ଼ିଚି, ସେତେବେଳେ ଯେକୌଣସି କାରଣରୁ ହେଉ ପଛକେ, ମୁଁ ଅଭାବକୁ ଅଭାବ ବୋଲି ଜ୍ଞାନ କରିନାହିଁ । ଉପାସ ରହିବାର ବା ଅର୍ଥାଭାବରୁ ପାଠ ନପଢ଼ି ପାରିବାର ଅଭାବ ମୁଁ କେବେହେଲେ ଅଙ୍ଗେ ନିଭାଇନାହିଁ । ତଥାପି ଏପରି ଏକ ଦେଶରେ ମୁଁ ଶିକ୍ଷକ ହୋଇଚି, ଯେଉଁଠି ଲକ୍ଷଲକ୍ଷ ଛାତ୍ରଙ୍କୁ ଘୋର ଅଭାବର ଅନିଶ୍ଚୟତା ଭିତରେ ପାଠ ପଢ଼ିବାକୁ ପଡ଼ୁଚି । ଆହୁରି ଯେଉଁ ଲକ୍ଷ ଲକ୍ଷ ମଣିଷ ପିଲା ପଇସା ଅଭାବରୁ କୌଣସି ପ୍ରକାର ବିଦ୍ୟାଳୟର ଦୁଆର ବି ମାଡ଼ି ପାରୁନାହାନ୍ତି, ଆପଣା ସାମୂହିକ ଜୀବନର ଏକ ଅପମାନ ପରି ତାହାକୁ ବାଧ୍ୟ ହୋଇ ଢୋକି ନେବାକୁ ପଡ଼ୁଛି । ବେଉସା ହିସାବରେ ଶିକ୍ଷକତା କରିବାକୁ ଗ୍ରହଣ କରିଥିଲେ ହୁଏତ ମୋ’ର ଚାରିପାଖରେ ରହିଥିବା । ଏହି ଦରିଦ୍ରତା ଏତେ କର୍କଶ ଭାବରେ ମୋ’ର ହୃଦୟରେ ଆସିବାକୁ ନଥାନ୍ତା । ଶିକ୍ଷକ ହେବାଟାକୁ ଜୀବନର ମାର୍ଗ ବୋଲି ଗ୍ରହଣ କରିଥିବାରୁ ବୋଧହୁଏ ତୁଚ୍ଛା ପାଠ ପଢ଼ାଇବା ଓ ପାଠ ପଢ଼ି ଆସିଥିବା ଛାତ୍ରମାନଙ୍କର ଦାରିଦ୍ର୍ୟକୁ ଆଖି ବୁଜିଦେଇ ପାରିବା ମୋ’ ପକ୍ଷରେ ଏତେ ଅସ୍ଵାଭାବିକ ବୋଲି ମନେ ହେଉଚି । ହୃଦୟରେ ଯେତେ ଆଘାତ ଲାଗିଲେ ବି ମୁଁ ସବୁ ଛାତ୍ରଙ୍କର ଦାରିଦ୍ର୍ୟ ଦୂର କରିବାରେ ଆଦୌ ସମର୍ଥ ହୋଇ ପାରୁନାହଁ-। ତେଣୁ ଦୁଃଖ ସହିବା ହିଁ ସାର ହେଉଚି ।

 

୮ । ୧୧ । ୬୫

 

ସମସ୍ତେ କହୁଚନ୍ତି, ଋଷିଆ ହେଉଚି ଭାରତର ପ୍ରକୃତ ବନ୍ଧୁ, ଆମେରିକା ନୁହେଁ । ଆମେରିକା ହେଉଚି ଭାରତର ପ୍ରକୃତ ବନ୍ଧୁ, ଋଷିଆ ନୁହେଁ, ମୁଁ କଦାପି ଏକଥା କହିବାକୁ ଯିବିନାହିଁ-। ରୁଷିଆର ମଣିଷ ଆମ ଦେଶର ମଣିଷମାନଙ୍କର ଅବଶ୍ୟ ବନ୍ଧୁ । ଦେଶ ଦେଶର ବନ୍ଧୁ ବୋଲି କହିଲେ ଆଜିକାଲି ଦୁଇ ଦେଶର ସରକାର ପରସ୍ପର ବନ୍ଧୁପରି ରହିଥିବାକୁ ହିଁ ବୁଝାଉଛି । ଦେଶ ଦେଶ ଭିତରେ ବନ୍ଧୁତା ହୋଇ ପାରିବନାହିଁ । ମଣିଷ ମଣିଷ ଭିତରେ ହିଁ ହୋଇପାରିବ । ମୋ’ ଦେଶ ସରକାରଙ୍କ ନୀତିକୁ ସମର୍ଥନ କରୁଥିବା ଆଉ ଏକ ସରକାରକୁ ମୁଁ ମୋ’ ଦେଶର ବନ୍ଧୁ, ବୋଲି କହିବି, ଏହା ପଛରେ ଖୁବ୍‍, ବେଶି ବଳିଷ୍ଠ ଯୁକ୍ତି ନାହିଁ । କାଲି ସେହି ସମର୍ଥନ ନମିଳିଲେ ହୁଏତ ମୁଁ ଶତ୍ରୁ, ବୋଲି କହିବାକୁ ମଧ୍ୟ ଆଗଭର ହୋଇ ଆସିବି । ସଂସାରଟାଯାକ ଯେ ପ୍ରଧାନତଃ ମୋ’ର ଦେଶର ସ୍ଵାର୍ଥ ଓ ଲାଭକୁ ସମର୍ଥନ କରିବାକୁ ତିଆରି ହୋଇଚି, ମୁଁ ଏକଥା ଭାବିବାକୁ ଯିବି କାହିଁକି ? ଯେଉଁ ଦେଶରେ ମଣିଷକୁ ମଣିଷ ପରି ବ୍ୟବହାର କରାଯାଉଚି, ଦେଶରେ କୌଣସି ପ୍ରକାର ଅନ୍ଧ ବା ଉଗ୍ର ବିଶ୍ଵାସ କୌଣସି ବାହାନାରେ ଆଦର୍ଶକୁ ବଡ଼ କରି ଦେଖାଇବ ବୋଲି ମଣିଷକୁ ପଛକୁ ଠେଲି ଦେଉନାହିଁ, ମୁଁ ସେହି ଦେଶକୁ ମୋ’ର ବନ୍ଧୁ ବୋଲି କହିବି । ଜଣେ ଭାରତୀୟ ହିସାବରେ ନୁହେଁ, ଆଲେକାଭିଳାଷୀ ବିଶ୍ୱାସସମ୍ପନ୍ନ ଜଣେ ମଣିଷ ହିସାବରେ ମୁଁ ସେହି ଦେଶକୁ ଓ ତା’ର ଅଧିବାସୀଙ୍କୁ ବନ୍ଧୁ ବୋଲି କହିବି ।

 

୯ । ୧୧ । ୬୫

 

ଭାରତବର୍ଷର ଶିକ୍ଷକ ଆପଣା କର୍ମକ୍ଷେତ୍ରରେ ଖୁସି ହୋଇ ରହିବାକୁ ଖୁବ୍‍, ବେଶୀ ଉତପ୍ରେରକ ପାଏନାହିଁ । ଯାହା ଦରମା ପାଏ, ସେଥିରେ ତା’ର ପେଟ ପୂରେ ନାହିଁ । ସେହି ଦରମାଗଣ୍ଡାକ ଲାଗି ମଧ୍ୟ ତାକୁ ଅନେକ ଅଶିକ୍ଷକ ଦରବାରି ମଣିଷମାନଙ୍କର ଅନୁଗ୍ରହ ଉପରେ ନିର୍ଭର କରିବାକୁ ପଡ଼େ । ଆମ ସମାଜରେ ସେ ଖୁବ୍‍, ବେଶି ସମ୍ମାନ ବା ସ୍ଵୀକୃତି ପାଏନାହିଁ । କାରଣ, ଏହି ଦେଶରେ ଆଉ କିଛି ନଜୁଟିଲେ ଅନେକ ବାଧ୍ୟ ହୋଇ ଶିକ୍ଷକ ହୋଇଥାଆନ୍ତା । ତେଣୁ, ବ୍ରତୋତ୍ସର୍ଗର ଭାବ ନେଇ ଯିଏ ଖୁସୀହୋଇ ଶିକ୍ଷକ ହୋଇ ଆସିଥାଏ, ସିଏ ମଧ୍ୟ ଅକଞ୍ଚନତାର ସମୁଦ୍ର ଭିତରେ ଅନ୍ୟମାନଙ୍କ ସହିତ ହଜି ଉଡ଼ିଯାଏ । ସ୍କୁଲ ଘର କହିଲେ ଗାଆଁର ଏକ ଅବହେଳିତ ଘରକୁ ବି ଅନେକ ସମୟରେ ବୁଝାଇଥାଏ | ବିଦ୍ୟାଳୟର ଅନୁଷ୍ଠାନ କହିଲେ ନାନା ସତ୍ତା ଓ ସ୍ଵାର୍ଥର ସନ୍ତୋଷ ଲାଗି ଅପବ୍ୟବହୃତ ହେଉଥିବା ଏକ ଅନୁଷ୍ଠାନକୁ ବୁଝାଇଥାଏ । ତେଣୁ, ଏ ଦେଶର ଶିକ୍ଷକ ଲାଗି ଗୌରବ ଅନୁଭବ କରିବାଭଳି ଆଉ କ’ଣ ରହିଲା ? ଏ ଦେଶରେ ପିଲାଏ ହିଁ ତାକୁ ଉତ୍ସାହରେ ଭରି ରଖିପାରନ୍ତେ । ଏହି ପିଲାମାନେ ଘରେ ଓ ରାଷ୍ଟ୍ରରେ ନାନା ପ୍ରକାରେ ଅବହେଳିତ ହୋଇଥାନ୍ତି । ସବୁ ଶୁଭକାମୀମାନେ ପିଲାମାନଙ୍କୁ ହୁଏତ ସମ୍ପତ୍ତି ରୂପେ ହିଁ ଅଧିକାର କରି ରହିଥାନ୍ତି; କିନ୍ତୁ ପିଲାର ଯେ ମଣିଷ ହେବାର ଅଧିକାର ରିହିଚି, ସେକଥା ସ୍ଵୀକାର କରି ପାରନ୍ତି ନାହିଁ । ଗରିବ ଘରେ ଜନ୍ମ ହେଲେ ପିଲା ଅନେକ ସମ୍ଭାବନାରୁ ବଞ୍ଚିତ ହୁଏ । ଧନୀ ଘରେ, ଜନ୍ମ ହେଲେ ପିଲା ଅଲିଅଳରେ ପୋତିହୋଇ ପଡ଼ି ଆପଣାର ବାଟ ଭୁଲିଯାଏ । ଶିକ୍ଷକ ଇଚ୍ଛାକଲେ ଏହି ପିଲାଙ୍କୁ ଆପଣା ହାତ ବଢାଇ ଉଠାଇ ନେଇ ପାରନ୍ତା । ଏହି ପରମ ସୌଭାଗ୍ୟ ଲାଭ କରି ସେ ନିଜେ ଡରିଯାନ୍ତା, ପିଲାମାନେ ମଧ୍ୟ ମଣିଷ ହେବାର ଉତ୍ସାହ ପାଆନ୍ତେ-

 

୧୦ । ୧୧ । ୬୫

 

ଦେଶକୁ ଆପଣା ଉପରେ ନିର୍ଭର କରିବାକୁ ହେବ । ଦେଶରେ ଯେତିକି ଅନ୍ନ ଉପୁଜୁଚି, ତାହାରି ଉପରେ ହିଁ ନିର୍ଭର କରି ଶିଖିବାକୁ ହେବ । ଆଗଭଳି ଆଉ ବାହାର ଧନୀ ଦେଶମାନଙ୍କ ଉପରେ ଆଶ୍ରିତ ହୋଇ ରହିବାକୁ ପଡ଼ିବ ନାହିଁ । ସେଥିଲାଗି ଗୋଟାଏ ଉପାୟ ରୂପେ ସପ୍ତାହରେ ଓଳିଏ ଉପାସ ରହିବାକୁ କୁହାଯାଇଚି । ସୋମବାର ରାତିଟା ଆମେ ଉପାସ ରହିବା ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଚନ୍ତି । ମୁଁ କୌଣସି ପ୍ରକାର ଆଚାରବାଦରେ ବିଶ୍ଵାସ କରେନାହିଁ । କିନ୍ତୁ ଆଚାରକୁ ମୁଁ ଅବଜ୍ଞା ମଧ୍ୟ କରେ ନାହିଁ । ଆଚାରହୀନ ଜୀବନକୁ ମୁଁ ଆଦର୍ଶ ଜୀବନ ବୋଲି କଦାପି ଗ୍ରହଣ କରେନାହିଁ । ମୁଁ ଏହି ଦେଶର ଜଣେ ନାଗରିକ; ମୋ’ର ଦେଶକୁ ଅର୍ଥାତ ଆପଣାକୁ ବଞ୍ଚାଇ ରଖିବାକୁ ହେଲେ କେତେକ ଦେଶାଚାର ଅବଶ୍ୟ ମାନିବାକୁ ହେବ । ଅନ୍ୟ କୌଣସିଦିନ ଉପାସ ନ ରହି ସୋମବାର ସନ୍ଧ୍ୟାରେ ଉପାସ ରହିବାର ଆଚାରକୁ ମୁଁ ମଧ୍ୟ ଖୁସିର ସହିତ ମାନିନେବି, କିନ୍ତୁ ଏହାକୁ ନେଇ ମୁଁ କୌଣସି କୋଳାହଳ କରିବିନାହିଁ, କୌଣସି ପ୍ରଚାର ମଧ୍ୟ କରିବିନାହିଁ । ଏହି ଆଚାର ଭିତରେ ମୁଁ କୌଣସି ରାଜନୀତି ପୂରାଇ ଦେବି ନାହିଁ । ଏହି ଆଚାରକୁ ମୁଁ ମୋ’ର ଜୀବନଧର୍ମର ସର୍ବସ୍ଵ ବୋଲି ମାନି ନେବିନାହିଁ । ଏହି ଦେଶ ମୋତେ ମଣିଷ ହୋଇ ବଞ୍ଚିବାର ଓ ମଣିଷଲାଗି ବଞ୍ଚିବାର ସୁଯୋଗକ୍ଷେତ୍ର ଯୋଗାଇ ଦେଇଚି, ତେଣୁ ସେହି ଦେଶରେ ମୁଁ ନାଗରିକ ହିସାବରେ ମୋ’ର କର୍ତ୍ତବ୍ୟ ଅବଶ୍ୟ କରିବି । କିନ୍ତୁ ଆଚାର ମାନିବାର ନିଶାରେ ମୁଁ ମଣିଷତ୍ଵକୁ ଡୁବାଇ ଦେବି ନାହିଁ ।

 

୧୧ । ୧୧ । ୬୫

 

ଆମ ଦେଶର ଶିକ୍ଷକ ସାଧାରଣତଃ ଛାତ୍ରମାନଙ୍କ ଲାଗି ଆଗ୍ରହୀ ହୋଇ ପାରେନାହିଁ, ଛାତ୍ରମାନଙ୍କୁ ସେ ଆପଣା କର୍ମକ୍ଷେତ୍ରର କେନ୍ଦ୍ରବିନ୍ଦୁ, ରୂପେ ଗ୍ରହଣ କରି ପାରେନାହିଁ । ଏବଂ ସେଥିଲାଗି ସେ ଆପଣା ବେଉସାରୁ ଆନନ୍ଦ ପାଇପାରେ ନାହିଁ । ଏବଂ ସେଇଥିଲାଗି ସେ ଶିକ୍ଷାକ୍ଷେତ୍ରରେ ରହି ମଧ୍ୟ ଅନ୍ୟାନ୍ୟ ସଫଳତାର କ୍ଷେତ୍ରମାନଙ୍କର ସ୍ୱପ୍ନ ଦେଖୁଥାଏ । ସେ ଦରମା ବିଷୟରେ କଥାବାର୍ତ୍ତା କରେ, ରାଜନୀତିର ଗରମ ଚର୍ଚ୍ଚାରେ ଆପଣାର ପକ୍ଷ ଲଢ଼ିବାରେ ମସ୍ତ ହୋଇରହେ, ସିନେମାର ଚର୍ଚ୍ଚା କରେ, ଫେଶନର ଚର୍ଚ୍ଚା କରେ,—କିନ୍ତୁ ଛାତ୍ରମାନଙ୍କର ଚର୍ଚ୍ଚା ସେ କ୍ଵଚିତ୍ କରିଥାଏ । ଛାତ୍ରମାନଙ୍କର ଜୀବନ-ସମସ୍ୟା ତାକୁ କ୍ଵଚିତ୍ ବ୍ୟସ୍ତ ରଖେ, ଛାତ୍ରମାନଙ୍କର ଜିଜ୍ଞାସା ତାକୁ କ୍ଵଚିତ୍ ଆକୃଷ୍ଟ କରିଥାଏ । ତରୁଣ ବା କିଶୋର ଛାତ୍ରମାନଙ୍କ ଦ୍ଵାରା ପରିବେଷ୍ଟିତ ରହି ମଧ୍ୟ ସେ ତଥାପି ଆପଣା ଆଗ୍ରହ ଓ ମନ ଭିତରେ କାଳ ଆସିବା ପୂର୍ବରୁ ବୁଢ଼ା ହେବାକୁ ଆରମ୍ଭ କରେ । ସେ ଛାତ୍ରମାନଙ୍କୁ ଘୃଣା କରେ, ଆପଣା ଭିତରେ ରହିଥିବା ଛାତ୍ରଟିକୁ ସେ ସବୁ ପ୍ରକାରେ ଅସ୍ଵୀକାର କରିବାକୁ ଚେଷ୍ଟା କରେ; ସେ ତାରୁଣ୍ୟକୁ ଘୃଣା କରେ, ଜିଜ୍ଞାସାର ଜୀବନପ୍ରାଚୁର୍ଯ୍ୟକୁ ସେ ଭୟ କରିବାକୁ ଆରମ୍ଭ କରେ । ଶିକ୍ଷକତା କରିବାର ଜୀବନମାର୍ଗ ପ୍ରଧାନତଃ ବାଧ୍ୟ ହୋଇ ମୂଲ ଲାଗିବାର କଷଣକର୍ମ ଭିତରେ ସନ୍ତାପିତ ହୋଇରହେ । ଏପରି ଜୀବନରେ ଆନନ୍ଦ ପାଇବାର ପ୍ରଶ୍ନ ହିଁ ଉଠେନାହିଁ ।

 

୧୨ । ୧୧ । ୬୫

 

ମୁଁ ହେଉଚି ଅଫିସର ବାବୁ, ତେଣୁ ଅଫିସ୍‍ର ଚାକର ବା ଚପରାସୀ ମାନେ ହେଉଛନ୍ତି ମୋ’ର ବ୍ୟକ୍ତିଗତ ସମ୍ପତ୍ତି, ଆମ ଦେଶର ବାବୁ ଓ ଚପରାସୀ ଉଭୟେ ଏହାକୁ ଏକ ସ୍ଵାଭାବିକ କଥା-। ବୋଲି ବୁଝିଥାଆନ୍ତି । ତେଣେ ଅଫିସ୍‌ରେ ସବୁ କାମ ବନ୍ଦ ହୋଇ ରହୁ ପଛକେ, ବାବୁଙ୍କ ଘରେ ବରାଦମତେ ଆସି ନାନା ପ୍ରକାର କାମ କରିଦେଇ ପାରିଲେ ଚପରାସୀର ଆଉ କୌଣସି ଭୟ ରହେନାହିଁ । ଅବଶ୍ୟ ମୁଁ ଜାଣୁଛି, ଏଥିରେ ବାବୁର ଅଧିକ ଦାୟିତ୍ଵ ରହିବ । ଚପରାସୀ ଆପଣା ଦାନାପାଣିର ଭୟରେ ବାବୁର ସବୁ କାମ କରିଦେବାକୁ ଅନେକ ସମୟରେ ଆପଣାର ଅନିଚ୍ଛାସତ୍ତ୍ୱେ ବି ବାଧ୍ୟ ହୋଇଥାଏ । ବାବୁ ପାଠ ପଢ଼ିଚନ୍ତି, ଏ ଦେଶରେ ନାଗରିକ ହିସାବରେ ପ୍ରତ୍ୟେକ ମଣିଷର କେତେଦୂର କର୍ତ୍ତବ୍ୟ ବା ଅଧିକାର ରହିଚି, ବାବୁ ସେକଥା ମଧ୍ୟ ଜାଣିଚନ୍ତି-। ତେଣୁ ତାଙ୍କର ହିଁ ଆଗ ଆପଣାର କର୍ତ୍ତବ୍ୟର ସୀମା ଭିତରେ ରହିବା ଉଚିତ । କନ୍ତୁ ଯେକୌଣସି ପରମ୍ପରାର କାରଣରୁ ହେଉ ପଛକେ, ବାବୁ ଓ ଅଫିସରମାନେ ଏହି ଦେଶରେ ସାଧାରଣତଃ ସ୍ଵେଚ୍ଛାଚାରୀ ହୋଇଥାନ୍ତି । ଏଣେ ଲୋକତନ୍ତ୍ର ଚଳାନ୍ତି, ତେଣେ ଆପଣାର ଚପରାସୀକୁ ନେଇ ଘରେ ବେଠି ଖଟାନ୍ତି । ଏକଥା ସମସ୍ତେ ଦେଖନ୍ତି,—ତଥାପି ଏଥିଲାଗି ବାବୁ କୌଣସି ପ୍ରକାର ଅସ୍ୱାଭାବିକତା ଅନୁଭବ କରନ୍ତି ନାହିଁ । ସେ ଏଥିରୁ ହୁଏତ ଏକପ୍ରକାର ଗୌରବ ବି ପାଆନ୍ତି-

 

୧୩ । ୧୧ । ୬୫

 

ମାଭୈଃ ବଲେ ଭାସାଇ ତରୀ—ମୁଁ ନର୍ଭୟ ମନରେ ଆପଣାର ତରୀଟି ଭସାଇ ଦେବି-। ଏହି ତରୀରେ ବସି ମୁଁ କେଉଁଠାକୁ ଯିବାକୁ ଚାହୁଛି ? ମୋ’ର, ଏହି ତରୀ ଏଠୁ ଛାଡ଼ି ପଳାଇ ଯିବାର ତରୀ ନୁହେଁ, ଏହା ହେଉଚି ଆତ୍ମପ୍ରକାଶ କରିବାର ତରୀ, ନାନା ଘାଟରେ ପହଞ୍ଚି ଖିଅ ଲଗାଇବାର ସ୍ଵପ୍ନ ନେଇ ବାହାରିଥିବା ତରୀ । ଏହି, ତରୀ ମେଲାଇ ଦେଇ ମୁଁ ଅନ୍ୟ କୌଣସି ପ୍ରକାର ବାଣିଜ୍ୟ କରିବାକୁ ଇଚ୍ଛା କରୁନାହିଁ । ଆପଣାର ସମ୍ପତ୍ତି ବା ସଂଗ୍ରହ ବଢ଼ାଇବାକୁ ମୁଁ ଜୀବନର ବଣିଜ କରୁନାହିଁ, ଜୀବନର ରଣରେ କୌଣସି ପ୍ରକାର ଗଡ଼ ଜିତିବା ଲାଗି ମୋ’ର ଏତେ ଟିକିଏ ଉଚ୍ଚାକାଙ୍‍କ୍ଷା ନାହିଁ । ମୁଁ କ୍ଷମତା ଚାହେ ନାହିଁ, ମୁଁ ସ୍ଥିତି ବା ପ୍ରଶଂସା ଚାହେନାହିଁ । ମୁଁ ନିର୍ଭୀକ ତଥା ସ୍ଵତନ୍ତ୍ର ଭାବରେ ଆପଣାକୁ ପ୍ରକାଶ କରିବାକୁ ଚାହେ । ମଣିଷ ପାଖରେ ବସି ମୁଁ ଆପଣାର କଥା କହିବାକୁ ଚାହେ ଓ ଅନ୍ୟ ସାଥିମାନଙ୍କର କଥା ଶୁଣିବାକୁ ଚାହେ । ଅନେକ ସମୟରେ ଏତିକି ମଧ୍ୟ ହୋଇ ପାରେନାହିଁ । ମନ ଭିତରେ ନାନାପ୍ରକାର ଆଳସ୍ୟଜନିତ ତ୍ରାସ ହେତୁ ସ୍ରୋତ ଭିତରେ ରହିଥିଲେ ମଧ୍ୟ ମୁଁ କେଉଁ ପଠା ଭୂଇଁର ପଟୁ ଭିତରେ ଲାଖି ରହିଥିବା ପରି ଅନୁଭବ କରେ । ପୁଣି କେତେବେଳେ ମଣିଷ ପାଖରେ ବସେ, କିନ୍ତୁ ନିରାଶ ହୋଇ ଲେଉଟି ଆସେ । ହଠାତ୍ ଆବିଷ୍କାର କରେ ଯେ, ମୁଁ ଯେଉଁ ବଣିଜ କରି ବାହାରିଛି, ସେମାନଙ୍କର ଘାଟରେ ସେହି ବଣିଜ ଲାଗି କୌଣସି ଆୟୋଜନ ହିଁ ନାହିଁ । ତେଣୁ କବାଟ ବନ୍ଦ ରହିଚି । ମୁଁ ଜାଣେ ଆପଣାର କଥା କହିବାକୁ ହେଲେ ମୋତେ ଆପଣା ଭିତରୁ ହିଁ ଶକ୍ତି ସଂଗ୍ରହ କରିବାକୁ ହେବ, ଅଟଳ ବିଶ୍ୱାସ ରଖି ଆପଣାର ବାଟରେ ଚାଲିବାକୁ ହେବ, ସାଙ୍ଗରେ କେହି ନବାହାରିଲେ ମଧ୍ୟ ତଥାପି ଚାଲିବାକୁ ହେବ । ସେଥିଲାଗି ଦୃଢ଼ ବିଶ୍ୱାସ ଦରକାର । ମୁଁ ଆଜି ତାହାରି ପ୍ରାର୍ଥନା କରୁଚି ।

 

୧୪ । ୧୧ ।୬୫

 

ଆଜି ଶିଶୁଦିବସ, ଆଜି ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜନ୍ମ ଦିବସ । ଆଜି ଏ ଦେଶର ପିଲାମାନେ କେତେ ଖୁସିରେ ଖେଳିବେ, ବୁଲିବେ, ମନୋରଞ୍ଜନ କରିବେ । ଦେଶର ଶିଶୁ କହିଲେ ଦେଶର ଭବିଷ୍ୟତକୁ ବୁଝାଇଥାଏ । ଜବାହାରଲାଲ୍ ନେହେରୁଙ୍କର ଜୀବନକାଳକୁ ସ୍ମରଣ କରି ଆମେ ସ୍ଵାଧୀନ ଭାରତର ଗତ ଅଠର ବର୍ଷକୁ ଫେରିଯିବୁ । ତାହା ପୂର୍ବର ସ୍ଵାଧୀନତା ଆନ୍ଦୋଳନର ଇତିହାସ ଓ ସ୍ଵତନ୍ତ୍ର ପ୍ରକୃତି ମଧ୍ୟ ଆମ ଆଗରେ ଉଦ୍‍ଭାସିତ ହୋଇ ଉଠିବ । ଅର୍ଥାତ୍, ଆଜି ଦିନଟିରେ ଭାରତର ଗତ ଶହେ ବର୍ଷର ଅତୀତ ଓ ଭାରତର ଭବିଷ୍ୟତ ଗୋଟିଏ ଅବିଚ୍ଛିନ୍ନ ପ୍ରବାହ ରୂପେ ଅନୁଭୂତ ହେବ । ପଣ୍ଡିତ ନେହେରୁ କେବଳ ଜାତୀୟ ନେତା ନଥିଲେ ବା କେବଳ ମନୋରଞ୍ଜନ କରିବାକୁ ଶିଶୁ ଦିବସର ଅନୁଷ୍ଠାନ ଆରମ୍ଭ ହୋଇନାହିଁ ! ଭାରତବର୍ଷର ଜାଗରଣ ପର୍ବ କହିଲେ ଯେଉଁ ଆଦର୍ଶ ଓ ଯେଉଁ ସଚେତନତାକୁ ବୁଝାଏ, ପଣ୍ଡିତ ଜବାହରଲାଲ ତାହାରି ପ୍ରତୀକ ହୋଇ ରହିବେ । ଜାତୀୟତା ଯୁଗର ସବୁ ଉତ୍ତେଜନା ପୁରୁଣା ହୋଇଗଲେ ମଧ୍ୟ ଆମେ ନେହରୁଙ୍କୁ ସ୍ମରଣ କରି ପ୍ରତିବର୍ଷ ନୂତନ ପ୍ରେରଣା ଲାଭ କରୁଥିବୁ । ଆମ ଦେଶର ଶିଶୁମାନଙ୍କୁ ସ୍ମରଣ କରି ଆମେ ଏହି ଦେଶର ଭବିଷ୍ୟ ଗଢ଼ିବା ଲାଗି ଆପଣା କର୍ତ୍ତବ୍ୟ ବିଷୟରେ ସଚେତ ହେଉଥିବୁ । ଏହି ଭବିଷ୍ୟ ଲାଗି ଅନେକ କିଛି କରିବାର ରହିଛି । ଏହି ଭବିଷ୍ୟ ବିଷୟରେ ଆମେ ଏପର୍ଯ୍ୟନ୍ତ ଆପଣାର ଯଥେଷ୍ଟ କର୍ତ୍ତବ୍ୟ କରିନାହୁଁ, ଏହି ବିଷୟରେ ଆମେ ଅନେକ ଦୃଷ୍ଟିରୁ ଉଦାସୀନ ରହିଆସିଚୁ ।

 

୧୫ । ୧୧ । ୬୫

 

କାଲି ଖବରକାଗଜର ଗୋଟିଏ ବିଜ୍ଞାପନ ଦେଖିଲି । ବିଜ୍ଞପନଟି ପଶ୍ଚିମ ଜର୍ମାନୀର ଭାରତସ୍ଥ ଦୂତାବାସ ତରଫରୁ ପ୍ରଚାରିତ ହୋଇଥିଲା । ବଡ଼ ବିଜ୍ଞାପନଟିରେ ଗୋଟିଏ ପାଖରେ ସନ୍ଥ କବୀରଙ୍କର ଛବି ସହିତ ତାଙ୍କର ଦୁଇଟି ଦୋହା ଦିଆ ଯାଇଥିଲା । ଆଉ ଗୋଟିଏ ପାଖକୁ ମାର୍ଟିନ ଲୁଥରଙ୍କର ଛବି ଥିଲା । ମନ୍ତବ୍ୟରେ କୁହାଯାଇଥିଲା ଯେ, ଆଜିକୁ ଚାରିଶହ ବର୍ଷ ପୂର୍ବେ ପରେ ଦୁଇ ଦେଶରେ ଏହି ଦୁଇ ଧର୍ମସନ୍ଥଙ୍କ ଦ୍ଵାରା ଦୁଇଟି ଭାଷା ନବଜୀବନ ପାଇ ଉଠିଥିଲା । ଚାରିଶହ ବର୍ଷ ପରେ ମଧ୍ୟ ଆଜି କିପରି ଭାରତ ଓ ପଶ୍ଚିମ ଜର୍ମାନୀ ପରସ୍ପର ବିକାଶ ଓ ସଖ୍ୟପ୍ରତିଷ୍ଠାରେ ସାହାଯ୍ୟ କରୁଚନ୍ତି, ସେକଥା ଦର୍ଶାଇ ଦିଆ ଯାଇଥିଲା । ଏହି ପ୍ରଚାର ସହିତ ମୋ’ର କୌଣସି କଳହ ନାହିଁ । ଭାରତର ପୁନନିର୍ମାଣରେ ପଶ୍ଚିମ ଜର୍ମାନୀ ପ୍ରକୃତରେ ଅନେକ ସହାୟତା କରିଚି ଓ ବନ୍ଧୁର ପରିଚୟ ଦେଇଚି । ଅତୀତରେ ଜର୍ମାନୀର ଅନେକ ପଣ୍ଡିତ ଭାରତୀୟ ବିଦ୍ୟା ଓ ଭାରତୀୟ ଦର୍ଶନରୁ ଅନେକ ପ୍ରେରଣା ପାଇଛନ୍ତି । କିନ୍ତୁ, ସନ୍ଥ କବୀର ଓ ମଧ୍ୟ ଯୁଗର ଧର୍ମନେତା ମାର୍ଟିନ୍ ଲୁଥରଙ୍କୁ ଏପରି ପାଖପାଖ କରି ସଜାଇ ଜର୍ମାନୀ ଓ ଭାରତର ସଖ୍ୟ ଓ ସମାନଧର୍ମିତା ପ୍ରଚାର କରିବାର ପ୍ରକୃତ ଆବଶ୍ୟକତା ଥିଲା କି ନାହିଁ, ସେ ବିଷୟରେ ମୋ’ର ସନ୍ଦେହ ରହିଚି । କବୀର ସଂସ୍କୃତ ବିରୁଦ୍ଧରେ ପ୍ରତିବାଦ ଜଣାଇ ଲୋକ ଭାଷାରେ ଧର୍ମର ପ୍ରବଚନ କରିଥିଲେ । ଲୁଥର ଲାର୍ଟିନର ଆଧିପତ୍ୟକୁ ଅସ୍ଵୀକାର କରି ଜର୍ମାନ ଭାଷାରେ ବାଇବେଲ୍‍ର ଅନୁବାଦ କରିଥିଲେ । କିନ୍ତୁ, ଏତିକି ବ୍ୟତୀତ ଦୁହିଁଙ୍କ ଭିତରେ ଆଉ ସମଞ୍ଜସ୍ୟ କ’ଣ ଅଛି ?

 

୧୬ ।୧୧ । ୬୫

 

କବୀର ହିନ୍ଦୁ ଓ ମୁସଲମାନ ଧର୍ମକୁ ସମନ୍ଵିତ କରିବାକୁ ଚେଷ୍ଟା କରିଥିଲେ, ଅର୍ଥାତ୍, ଦୁଇ ଧର୍ମକୁ ପରିଶୁଦ୍ଧ କରିବାକୁ ଚାହିଥିଲେ, ଦୁଇ ଧର୍ମରେ ସଂସ୍କାର ଆଣିଥିଲେ । ମାର୍ଟିନ୍ ଲୁଥର ଗୋଟିଏ ଧର୍ମକୁ ଦୁଇଭାଗ କରିବାର ଜିଦ୍ ନେଇ ଧର୍ମ ପ୍ରଚାର କରିଥିଲେ । ଧର୍ମ–ସଂସ୍କାରର ଅଲଗା ବ୍ୟାଖ୍ୟା କରିଥିଲେ ଓ ଧର୍ମ ଜୀବନ ବିଷୟରେ ଅଲଗା ଦୃଷ୍ଟିକୋଣ ରଖିଥିଲେ ହୁଏତ ସେ ଧର୍ମରେ ସଂସ୍କାର ଆଣିବାଲାଗି ତାକୁ ଦୁଇଖଣ୍ଡ କରିବା ଆବଶ୍ୟକ ମନେ କରିନଥାନ୍ତେ । କବୀର କୌଣସି ସମ୍ପ୍ରଦାୟ ଗଢ଼ିବାକୁ ଚାହିନଥିଲେ, ଓଲଟି ଧର୍ମତତ୍ତ୍ଵ ଓ ଧର୍ମନୀତିର ଭୂମି ଉପରେ ସେ ବିଭିନ୍ନ ପନ୍ଥା ଓ ସମ୍ପ୍ରଦାୟକୁ ପରସ୍ପରର ନିକଟବର୍ତ୍ତୀ କରିବାର ଚେଷ୍ଟା କରିଥିଲେ । ମାର୍ଟିନ୍ ଲୁଥର ପ୍ରଧାନତଃ ଏକ ବିଭାଜନ ଥିଲେ । ଧର୍ମର ଆଚାରଗତ ବିଭିନ୍ନତାକୁ ହିଁ ସେ ସମ୍ଭବତଃ ସର୍ବପ୍ରଧାନ କରି ଦେଖୁଥିଲେ । କବୀର କ୍ଷମତାର ମଣିଷ ନଥିଲେ । ଧର୍ମଗତ ମଣିଷ ଯେ ସମ୍ଭବତଃ କ୍ଷମତାର ବାଟରେ ଜୀବନାହିଁ, କବୀର ଏହାର ପ୍ରମାଣ ଦେଖାଇ ଯାଇଚନ୍ତି । ମାର୍ଟିନ ଲୁଥରଙ୍କର ଜୀବନ-କାହାଣୀରୁ ଯଦି କ୍ଷମତାର ତାତିକୁ ବାହାର କରି ନିଆଯାଏ, ତେବେ ଆଉ ଯେ ଖୁବବେଶୀ କିଛି ଅବଶିଷ୍ଠ ରହିବ, ତାହା ମୋ’ର ମନେ ହେଉ ନାହିଁ, ଶ୍ରଦ୍ଧା ଅପେକ୍ଷା ଲୁଥର ଘୃଣାର ଅଧିକ ପ୍ରଚାର କରିଥିଲେ । ଧର୍ମ ନାମରେ ଉଗ୍ରତାରା ପ୍ରଚାର ହୋଇଥଲା । ଧର୍ମ ନାମରେ ରାଜାର ଇଚ୍ଛାକୁ ମଣିଷ ଉପରେ ଲଦି ଦିଆ ଯାଇଥିଲା ଓ ଲୁଥର ଏଥିରେ ନିମିତ୍ତରୂପେ କାର୍ଯ୍ୟ କରିଥିଲେ ।

 

୧୭ ।୧୧ । ୬୫

 

ଅଜ୍ଞାନ ପିଲା କ’ଣ ବା ଜାଣିଚି ? ତଥାପି, ହୃଦୟ ଦେଇ ଦେଖି ପାରୁଥିବା ଜଣେ ବୟସ୍କର ମନରେ ସେ କେତେକେତେ ଗଭୀର ଭାବନାର ଉଦ୍ରେକ ନ କରାଏ । କାଲି ମୁଁ ବଗିଚାରେ ପଟାଳି ହାଣୁଥିଲି । ମୋ’ ସହିତ ସାନ ପିଲାଟିଏ କାମ କରୁଥିଲା, ଅର୍ଥାତ୍ ଖୁସି ହୋଇ ପଟାଳି ଉପରେ ଖେଳୁଥିଲା । ହାତରେ ଖୁରୁପି ଧରି ସେ ମଧ୍ୟ ମୋତେ ଅନୁକରଣ କରି ମାଟି ତାଡ଼ିବାକୁ ଚେଷ୍ଟା କରୁଥିଲା । ମୁଁ ତାକୁ କୌଣସି ପ୍ରକାରେ ବାଧା ବା ନିର୍ଦ୍ଦେଶ ଦେଉନଥିଲି, ତା’ର କାମରେ ଉତ୍ସାହ ସୃଷ୍ଟି କରିବାଭଳି ତା’ ସହିତ କଥାବାର୍ତ୍ତା କରୁଥିଲି । କଥାବାର୍ତ୍ତା କରିବାର ବୟସ ତା’ର ହୋଇନାହିଁ । ତେଣୁ ସେ କେବଳ ତା’ର ଆପଣା ଉଲ୍ଲାସସୂଚକ କଣ୍ଠସ୍ୱରରେ ମୋ’ କଥାର, ଜବାବ ଦେବାରେ ଲାଗିଥିଲା । କିଛି ସମୟ ପରେ ସେ ଖୁରୁପି ଛାଡ଼ି ହାତରେ ଖେଳିବାକୁ ଲାଗିଲା-। ଏଠୁ ମାଟି ନେଇ ସେଠାରେ ପକାଇବାକୁ ଲାଗିଲା । ହାତରେ ମୁଠାଏ ମୁଠାଏ ମାଟି ନେଇ ପାଖରେ ଥୁଆ ହୋଇଥିବା ମୋ’ର ଜୋତା ଉପରେ କୁଢ଼ାଇଲା । ତା’ପରେ ସବୁଠାରୁ ଯେତେବେଳେ ଅଧିକ ଖୁସି ହୋଇପଡ଼ିଲା, ସେତେବେଳେ ମୁଠା ମୁଠା ମାଟି ନେଇ ଆପଣା ମୁଣ୍ଡରେ କୁଢ଼ାଇବାକୁ ଲାଗିଲା । ମୋ’ର ସତର୍କ ମନ କହିବାକୁ ଯାଉଥିଲା; ଛି, ଛି, ସେପରି କରନ୍ତି ନାହିଁ, ମୁଣ୍ଡ ମଇଳା ହୋଇଯିବ । କିନ୍ତୁ, ତଥାପି ମୁଁ ବାଧା ଦେଲି ନାହିଁ । ମାଟି ସହିତ ଏକାତ୍ମ ହେବାଲାଗି ଏହି ପିଲାର ଆନନ୍ଦ ମୋର ମଧ୍ୟ ଲୋଡ଼ା । ଯିଏ ଭଗବାନଙ୍କ ସହିତ ଏକାତ୍ମ ହୁଏ, ସେ ଆପଣ ଓ ଜଗତ ଭିତରେ କୌଣସି ଭେଦ ରଖି ପାରେନାହିଁ । ଯେଉଁ ପିଲା ନିଜର ମୁଣ୍ଡ ଉପରେ ଆଣି ମାଟି ଗଦା କରେ, ସେ ଆପଣା ମୁଣ୍ଡ ଓ ମାଟି ଭିତରେ କୌଣସି ଭେଦ ଠଉରାଇ ପାରେନାହିଁ । ପିଲାକୁ ବାଳଗୋପାଳ ବୋଲି କୁହାଯାଏ । କିଏ କହିପାରିବ, ହୁଏତ ପିଲାର ଅଜ୍ଞାନ ଖେଳ ମଧ୍ୟରେ ଖୁସୀ ମୟ ଭଗବାନ୍ ହିଁ ଖେଳିବାକୁ ଇଚ୍ଛା କରୁଥାନ୍ତି !

 

୧୮ । ୧୧ । ୬୫

 

ଏଠାରେ ମୁଁ ଚାକିରି କରିଚି, ଅର୍ଥାତ୍, ପାଠ ପଢ଼ାଉଚି । କିନ୍ତୁ, ପାଠ ପଢ଼ାଇବା ଲାଗି ମୋ’ର ଯେତିକି ପରିଶ୍ରମ କରିବା ଉଚିତ ବା ସେତିକି ପ୍ରସ୍ତୁତ ହେବା ଉଚିତ, ମୁଁ ତା’ ଠାରୁ ଅଧିକ ପରିଶ୍ରମ କରୁଚି ଓ ଅଧିକ ପ୍ରସ୍ତୁତ ହେଉଚି । ଅନ ଅନେକେ ବି ଅଧିକ ପରଶ୍ରମ କରୁଛନ୍ତି । ମାତ୍ର, ଆଉ କୌଣସି ଅଧିକ ଡ଼ିଗ୍ରୀ ହାସଲ କରି ଅଧିକ ବେତନର ଯୋଗ୍ୟ ହୋଇ ପାରିବାଲାଗି ସେମାନେ ବାଧ୍ୟ ହୋଇ ପରିଶ୍ରମ କରୁଚନ୍ତି । ହଁ, ବାଧ୍ୟ ହୋଇ, କାରଣ ଅଧିକ ପଇସାର ପ୍ରଲୋଭନ ନଥିଲେ ହୁଏତ ସେମାନେ ସେଥିପ୍ରତି ଆଦୌ ଧ୍ୟାନ ଦେଉନଥାନ୍ତେ । ମୁଁ ଯାହାସବୁ ଲେଖୁଚି, ଯାହାପାଇଁ ଘଣ୍ଟା ପରେ ଘଣ୍ଟା ପଢ଼ି ଯାଉଚି, ସେଥିଲାଗି ମୋତେ ହୁଏତ ପଇସା ଟାଏ ବି ମିଳିବନାହିଁ । ତଥାପି, ଏ ସବୁରେ ବ୍ୟସ୍ତ ରହି ମୁଁ କଦାପି କମ୍‍ ଆନନ୍ଦ ପାଉନାହିଁ । ମୁଁ ଯେଉଁ ବିଷୟର ଅଧ୍ୟାପନା କରୁଛି ତାହା ମୋତେ ଯେପରି ଆଗ୍ରହ ଦେଉଚି, ଯେଉଁ ବିଷୟକୁ କେବଳ ଆପଣାଲାଗି ପଢ଼ୁଚି, ସେଗୁଡ଼ିକ ମଧ୍ୟ ମୋତେ ସେହିପରି ଆନନ୍ଦ ଦେଉଚନ୍ତି । ତେଣୁ, ମୋ’ର ଅସଲ କ୍ଷେତ୍ରରୁ ପଳାଇ ଯାଇ, ଅଧ୍ୟାପନା-କ୍ଷେତ୍ରକୁ ଅବହେଳା କରି ସାହିତ୍ୟ କରିବାର ପ୍ରଶ୍ନ, ହିଁ ଉଠୁ ନାହିଁ । ମୋ’ର ବ୍ୟକ୍ତିଗତ ଲେଖାପଢ଼ା ଓ ମୋ’ର ଚାକିରି ପାଇଁ ଲେଖାପଢ଼ା ପରସ୍ପରର ପରିପୂରକ ହୋଇ ରହିଛନ୍ତି । ମୁଁ ମୋ’ର ଛାତ୍ରମାନଙ୍କ ସହିତ ଏକ ଜିଜ୍ଞାସାପୂର୍ଣ୍ଣ ବାତାବରଣରେ ଏକାଠି ବସିବାକୁ ଯେତିକି ଖୁସୀ ହୋଇଯାଉଚି, ଏଠି ଆପଣାର ଏହି ସାନ ଘରଟିରେ ମଧ୍ୟ ଜିଜ୍ଞାସାର ବାତାବରଣ ସୃଷ୍ଟି କରିବାକୁ ମୋତେ ଠିକ୍ ସେତିକି ଖୁସୀ ଲାଗୁଚି ।

 

୧୯ । ୧୧ । ୬୫

 

ମୁଁ ଖାଲି ପେଟ ପୋଷିବା ଲାଗି ଜୀବନ ବଞ୍ଚୁନାହିଁ, କେବଳ ଆପଣାର ଆୟ, ଆପଣାର ସଂଗ୍ରହ, ଆପଣାର ସ୍ଵାର୍ଥ ଓ ଆପଣାର ସମ୍ମାନ ବଢ଼ାଇବାକୁ କିଛି କରୁନାହିଁ,—ଏହା ହିଁ ମୋ’ ନିଜ ବିଷୟରେ ମୋତେ ଏକ ନିର୍ଭରଯୋଗ୍ୟ ବିଶ୍ଵାସ ଦେଇ ଯାଉଚି ଯେ, ମୋ’ ଜୀବନରେ କୌଣସି ଉଦ୍ଦେଶ୍ୟ ଅଛି ଓ ମୁଁ ସେହି ଉଦ୍ଦେଶ୍ୟ ଲାଗି ଜୀବନର ସର୍ବଶ୍ରେଷ୍ଠ ଅନ୍ୱେଷଣ ଶକ୍ତିଗୁଡ଼ିକୁ ଉଦ୍ଦିଷ୍ଠ କରି ରଖିଛି । ମୋ’ର କୌଣସି ମୁହୂର୍ତ୍ତର ଜୀବନ ସେହି ମୁହୂର୍ତ୍ତକ ଭିତରେ ସରି ଯାଉନାହିଁ । ମୁଁ ଆଉ କିଛି ଚାହୁଁଚି, ଆହୁରି କିଛି ଖୋଜୁଚି । ମୋ’ର ଅତିପ୍ରିୟ ଆପଣା ବିଷୟରେ ମଧ୍ୟ ମୋ’ର ପରିଚୟ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ । ଆପଣାର ପରିଚୟ ସମ୍ପୂର୍ଣ୍ଣତର କରି ପାଇବାକୁ ହୁଏତ ମୁଁ କେତେ ଯାଗାରୁ ଦଉଡ଼ି ଯାଉଚି, କେତେ ହୃଦୟକୁ ମନ୍ଥି ଦେବାଲାଗି ଆଗ୍ରହୀ ହୋଇପଡ଼ୁଚି, କେତେ ଦୁଆରେ ଆପଣାକୁ ଗୋଟା ସୁଦ୍ଧା ସମର୍ପିତ କରିଦେବାକୁ ଲାଳସୀ ହୋଇପଡ଼ୁଚି । ହୁଏତ ସେଥିଲାଗି ମୋ’ର ପ୍ରତ୍ୟେକଟି କାର୍ଯ୍ୟ ମୋତେ ଏପରି ଭଲ ଲାଗୁଚି । ଅର୍ଥାତ୍, ମୋତେ ଯାହା ଭଲ ଲାଗୁଚି,ଯାହାଦ୍ୱାରା ମୋ’ର ହୃଦୟ ପୁରୁଛି, ମୁଁ ସେହିପରି କାର୍ଯ୍ୟ ହିଁ କରିବାକୁ ଉଦ୍ୟତ ହେଉଚି । ଅଧ୍ୟାପନା ମୋତେ ଭଲ ଲାଗୁଚି,ମୋ’ର ଚିତ୍ରକୁ ଆପଣା ହୃଦୟକ୍ଷେତ୍ରର ପରିଧି ଭିତରକୁ ଆଣି ତାକୁ ଜଣେ ସାଥି—ମଣିଷରୂପେ ସମ୍ବୋଧନ କରିବାକୁ ଭଲ ଲାଗୁଚି । ମୋ’ର ପଢ଼ାଉଥିବା ବିଷୟ ବି ମୋତେ ଏତେ ଭଲ ଲାଗୁଚି । ସାହିତ୍ୟ ଭଲ ଲାଗୁଚି, ସଙ୍ଗୀତ ଭଲ ଲାଗୁଚି,—କାରଣ ଜୀବନ ଭଲ ଲାଗୁଚି, ମଣିଷର ସଙ୍ଗ ଭଲ ଲାଗୁଚି ।

 

୨୦ । ୧୧ । ୬୫

 

ଜୀବନର ଉଦ୍ଦେଶ୍ୟ କ’ଣ ଜାଣିନାହିଁ । ମୋ’ ଜୀବନର ଉଦ୍ଦେଶ୍ୟ କ’ଣ ସେକଥା ମୁଁ ପକ୍‍କା କରି ମୋଟେ ଜାଣିନାହିଁ । ତଥାପି ମୋ’ର ସକଳ ଜୀବନର ଯେ ଏକ ଉଦ୍ଦେଶ୍ୟ ରହିଚି, ଏହି କଥାକୁ ମୁଁ ମୋ’ର ଭୋକ ଓ ଶୋଷ ପରି ଅତି ବାସ୍ତବ ଭାବରେ ଅନୁଭବ କରି ପାରୁଚି । ହୁଏତ ଏହି ଉଦ୍ଦେଶ୍ୟ ଖୋଜି ବାହାରିବାଟା ହିଁ ଜୀବନର ସର୍ବପ୍ରଧାନ ବ୍ୟାବହାରିକ ଉଦ୍ଦେଶ୍ୟ । ତଥାପି ସେଥିଲାଗି ମୁଁ ଶୋଚନା କରିବି ନାହିଁ । କେଉଁ ଉଦ୍ଦେଶ୍ୟ ପାଖରେ ପହଞ୍ଚି ଅଟକି ଯିବାକୁ ଯଦି ମୁଁ ଉଦ୍ଦେଶ୍ୟପ୍ରାପ୍ତି ବୋଲି ମାନୁଥାନ୍ତି, ତେବେ ମୁଁ ନିର୍ବୋଧତ୍ତା କରୁଥାନ୍ତି । ଏହି ଖୋଜିବା ହିଁ ତ ମୋତେ ଅର୍ଥାତ ମୋ’ ଅନୁଭୂତିର ମୁହୂର୍ତ୍ତଗୁଡ଼ିକୁ କେତେପ୍ରକାର ପରିପୂର୍ଣ୍ଣତାରେ ମଣ୍ଡାଇଦେଇ ଯାଉଚି । ଆଗରେ ଉଦ୍ଦେଶ୍ୟରୂପୀ ଦେଉଳର ଚୂଡ଼ା ଆଜିଯାଏ ଦିଶିଲାନାହିଁ ବୋଲି ମୋତେ ଏହି ଜୀବନରେ କେବେହେଲେ ଛାନିଆ ଲାଗିନାହିଁ, କେବେହେଲେ ଏକୁଟିଆ ଲାଗିନାହିଁ । karen Horny Self-Analysis ବିଷୟରେ ଏକ ଗ୍ରନ୍ଥ ଲେଖିଚନ୍ତି । ଆପଣାର ବଡ଼ାଇ କରିବାର ପ୍ରଶ୍ନହିଁ ଉଠୁନାହିଁ, କାରଣ ତାହାର କୌଣସି ଆବଶ୍ୟକତା ମୁଁ ଏପର୍ଯ୍ୟନ୍ତ ଅନୁଭବ କରିନାହିଁ । କିନ୍ତୁ ଆପଣାର ବିଶ୍ଳେଷଣ କରି ମୁଁ ମୋ’ ଜୀବନରେ ଏକ ଅର୍ଥସନ୍ଧାନ ସର୍ବପ୍ରଧାନ ଉତପ୍ରେରକ ହୋଇ ରହିଥିବାର ମୁଁ ଅନୁଭବ କରି ପାରିଚି ।

 

୨୧ । ୧୧ । ୬୫

 

ମୋ’ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନରେ ଫରାସୀ ଦେଶର Amiel ମୋତେ ଅନେକ ପ୍ରେରଣା ଦେଇଚନ୍ତି । ଶାନ୍ତିନିକେତନରରେ ପଢ଼ୁଥିବା ବେଳେ କିପରି ମାସମାସ ଧରି ମୁଁ ତାଙ୍କର ଗ୍ରନ୍ଥଗୁଡ଼ିକ ମଧ୍ୟରେ ନିମଗ୍ନ ରହିଥିଲି, ସେକଥା ମୁଁ ଆଜି ମଧ୍ୟ ଭୁଲିନାହିଁ । ଆପଣାର ଗ୍ରନ୍ଥ କହିଲେ Amiel ଡାଏରୀ ବ୍ୟତୀତ ଆଉ କିଛିହେଲେ ଲେଖିନାହାନ୍ତି । ତାଙ୍କର ଡାଏରୀ ପଢ଼ ପ୍ରଧାନତଃ, ମୁଁ ମୋ’ର ଡାଏରୀ ଲେଖିବାର ଅଭ୍ୟାସକୁ ଶ୍ରଦ୍ଧା କରି ଶିଖିଚି, ମୁଁ ଏପରି ମଧ୍ୟ କହିପାରିବି । ତାଙ୍କର ଡାଏରୀ ପଢ଼ିବା ପୂର୍ବରୁ ଏପରି ପ୍ରେରଣାମୟ ଓ ଗଭୀର ସଂବେଦନାପୂର୍ଣ୍ଣ ଡାଏରୀ ମୁଁ କେବେହେଲେ ପଢ଼ିନଥିଲି । ଆପଣା ହୃଦୟର ଗଭୀରତମ ଭାବଗୁଡ଼ିକୁ ଯେ ଏପରି ସୁନ୍ଦର ଭାବରେ ଭାଷାରେ ପ୍ରକାଶ କରାଯାଇପାରେ, Amielଙ୍କର ଡାଏରୀରୁ ମୋତେ ତାହାରି ପରିଚୟ ମିଳିଥିଲା । ତା’ପରେ ଗତ ପନ୍ଦର ବର୍ଷ ହେଲା ମୁଁ ମୋ’ର ବାତାବରଣ ବିଷୟରେ ଅସନ୍ତୋଷଟା ହିଁ ସବୁଠାରୁ ଅଧିକ ଭାବରେ ପ୍ରକାଶ ପାଇଚି । ଏହି ଅସନ୍ତୋଷଜନିତ ଅସହିଷ୍ଣୁତାରେ ଅନେକ ସମୟରେ ମୁଁ ହୁଏତ ଆପଣା ଆଡ଼କୁ ଅନାଇ ପାରିବାର ସ୍ଥିରତା ଅର୍ଜନ କରିନାହିଁ । ଅଥଚ Amielଙ୍କର ଡାଏରୀରେ ବାତାବରଣ ଅର୍ଥାତ ସାମାଜିକ ସ୍ଥିତି ବିଷୟରେ ହୁଏତ କୌଣସି ଉଦବେଗ ହିଁ ପ୍ରକାଶ ପାଇନାହିଁ । ମଣିଷ କ’ଣ ଆପଣା ଭିତରେ ଆପେ ପ୍ରକୃତରେ ଏତେ ନିମଗ୍ନ ହୋଇ ରହିପାରିବ ? ଚାରି ପାଖରେ ଅବସ୍ଥା ଯେପରି ଥାଉ ପଛକେ, ମଣିଷ କ’ଣ ସେଆଡ଼କୁ ଆଖି ବୁଜି ଆପଣା ଜୀବନର ଅନ୍ତର୍ଗତ ଆହ୍ୱାନଗୁଡ଼ିକ ଦ୍ଵାରା ବିହ୍ଵଳ ହୋଇ ରହିପାରିବ ? Amielଙ୍କ କଥା ମନେ ପକାଇ ମୁଁ ବେଳେବେଳେ ଏହିକଥା ଭାବିଥାଏ । ପୁଣି ଭାବେ ହୁଏତ ସେ ଆମର ଏହି ଯୁଗରେ ଜନ୍ମି ଥିଲେ ଓ କୌଣସି ଦେଶରେ ରହି ଆପଣାର ଡାଏରୀ ଲେଖିଥିଲେ ପ୍ରଧାନତଃ ସମାଜ ବିଷୟରେ ହିଁ ଲେଖିଥାଆନ୍ତେ, ଆପଣାକୁ ଦେଖିବାକୁ ଯାଇ ସେ ସମାଜ ବିଷୟରେ ଅସହିଷ୍ଣୁ ହୋଇ ପଡ଼ିଥାନ୍ତେ ।

 

୨୨ । ୧୧ । ୬୫

 

ବରଷକୁ ବରଷ ଏହି ତାରିଖଟି ଦିନ ମୁଁ କେନେଡ଼ିଙ୍କୁ ସ୍ମରଣ କରିବି ଓ କେନେଡ଼ିଙ୍କୁ ଆପଣାର ମଣିଷ ବୋଲି ଭାବିଚି । ସେ ଯଦି ଖାଲି ଆମେରିକାବାସୀ ହୋଇଥାନ୍ତେ ବା କେବଳ ଭାରତବର୍ଷକୁ ମୁଁ ଯଦି ସମସ୍ତ ସଂସାର ବୋଲି ମଣୁଥାନ୍ତି, ତେବେ ସ୍ମରଣ ଦ୍ଵାରା ଏହି ସେତୁ ସ୍ଥାପନର ଖୁବ୍‍ ବେଶୀ ଆବଶ୍ୟକତାନଥାନ୍ତା । ମୋ’ର ଆପଣା ଦେଶ ଲାଗି ମୋ’ର ସକଳ ଶ୍ରଦ୍ଧା ସତ୍ତ୍ୱେ ଜଣେ ମଣିଷ ହିସାବରେ ସମଗ୍ର ମଣିଷର ଜଗତ ପ୍ରତି ମୋ’ର ଯେଉଁ ଶ୍ରଦ୍ଧା ଓ ଯେଉଁ Commitment ରହିଚି, ତାହାରି ସକାଶେ ହିଁ କେନେଡ଼ି ରହିଚି, ତାହାରି ସକାଶେ ହିଁ କେନେଡ଼ି ମୋ’ର ଏଡ଼େ ଆପଣାର ବୋଲି ମନେ ହେଉଚନ୍ତି । ଭାରତର ମଙ୍ଗଳ ମୁଁ ଅବଶ୍ୟ ଚାହେଁ ;ମାତ୍ର ସମଗ୍ର ପୃଥିବୀର ମଙ୍ଗଳ ମୁଁ ଚାହେଁ ବୋଲି ମୁଁ ଭାରତବର୍ଷର ମଧ୍ୟ ମଙ୍ଗଳ ଚାହେ । ସମଗ୍ର ପୃଥିବୀକୁ ମୁଁ ଭଲପାଏ ବୋଲି ତାହାର ଠୁଳ ନିଦର୍ଶନ ରୂପେ ମୁଁ ଭାରତବର୍ଷକୁ ଭଲପାଏ । କିନ୍ତୁ ମୋ’ ଦେଶର ମଙ୍ଗଳ ହେବ ବୋଲି ମୁଁ ସମସ୍ତ ପୃଥିବୀକୁ ବୁଡ଼ାଇ ଦେବାକୁ ଚାହେ ନାହିଁ । ଆପଣା ଦେଶକୁ ଶ୍ରଦ୍ଧା କରିବି ବୋଲି ଦେଶର ଚାରିପାଖରେ ଅଶ୍ରଦ୍ଧାର ନାନା ପ୍ରାଚୀର ଠିଆ କରିଦେଇ ମୁଁ ପୃଥିବୀଠାରୁ ଆପଣକୁ ନିର୍ବାସିତ କରି ରଖିବାକୁ ଚାହେନାହିଁ । ଆପଣା ଦେଶକୁ ଶ୍ରଦ୍ଧା କରିବି ବୋଲି ଦେଶର ଚାରିପାଖରେ ଅଶ୍ରଦ୍ଧାର ନାନା ପ୍ରାଚୀର ଠିଆ କରିଦେଇ ମୁଁ ପୃଥିବୀଠାରୁ ଆପଣାକୁ ନିର୍ବାସିତ କରି ରଖିବାକୁ ଚାହେନାହିଁ । ଆମେରିକାର କେନେଡ଼ି ଠିକ୍‍ ଏକଥା କରିବାକୁ ଚେଷ୍ଟା କରୁଥିଲେ । ସେଥିଲାଗି ସେ ଆମେରିକାରେ ବହୁ ଜନପ୍ରିୟ ହୋଇଥିଲେ, ଏଣେ ପୃଥିବୀର କେତେ କେତେ ଲୋକ ତାଙ୍କୁ ଆମେରିକାର ସବୁଠାରୁ ଅଧିକ ଶ୍ରଦ୍ଧାସ୍ପଦ ସଭାପତି ରୂପେ ଦେଖିବାକୁ ଆମ୍ଭେ କରିଥିଲେ, ତାଙ୍କ ସହିତ ଅଧିକ ଆତ୍ମୀୟତା ଅର୍ଜନ କରିଥିଲେ । ଆମେରିକାକୁ ପୃଥିବୀଠାରୁ ସ୍ଵତନ୍ତ୍ର କରି ଦେଖୁଥିବା ଏକ ଶିବିରସ୍ଵାର୍ଥ କେନେଡ଼ିଙ୍କୁ ହତ୍ୟା କରିବାର ଚକ୍ରାନ୍ତ କଲା, କେନେଡ଼ିଙ୍କୁ ଅପସରାଇ ନେଲା ।

 

୨୩ । ୧୧ । ୬୫

 

ତେଣେ ରାଜ୍ୟସଭାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ‘ହିନ୍ଦୁ’ ଶବ୍ଦ ଉଠାଇ ଦିଆଯିବାର ବିଚାର ହେଉଚି, ଏଣେ ଆଗ୍ରାର କଲେଜ ଓ ହାଇସ୍କୁଲ ଛାତ୍ରମାନେ ସେଥିଲାଗି ପାଠଧର୍ମଘଟ କରି ଶୋଭାଯାତ୍ରାରେ ବାହାରୁଚନ୍ତି । ‘ହିନ୍ଦୁ’ ଶବ୍ଦଟାକୁ ଉଠାଇ ଦିଆଗଲେ ଯେ ହିନ୍ଦୁଧର୍ମ ବା ସ୍ଵର୍ଗୀୟ ମାଲବ୍ୟଙ୍କ ପ୍ରତି କୌଣସି ଅସମ୍ମାନ ପ୍ରଦର୍ଶନ କରା ଯିବ ନାହିଁ, ସେକଥା ବୁଝିବାଲାଗି ମଧ୍ୟ ଶିକ୍ଷକମାନଙ୍କର ବେଳ ନାହିଁ । ଛାତ୍ରମାନଙ୍କୁ ସେକଥା ବୁଝାଇ ଦେବାଲାଗି ମଧ୍ୟ ଶିକ୍ଷକମାନଙ୍କର ବେଳନାହିଁ । ସ୍କୁଲ ଓ କଲେଜମାନଙ୍କରେ ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ପ୍ରଧାନତଃ ଶିକ୍ଷାଗତ ସମ୍ପର୍କ ରହିଥିଲେ ହୁଏତ ଏପରି ହେଉନଥାନ୍ତା । କାଲି ଶୋଭାଯାତ୍ରାରେ ଏପରି ଅନେକ ସାନପିଲା ବି ବାହାରିଥିଲେ, ଯେଉଁମାନେ କେଉଁଥିଲାଗି ଧର୍ମଘଟ ହେଉଚି ବା କେଉଁ କାରଣରୁ ଦେଶର ବିଧାୟକମାନେ ଏପରି ଏକ ପ୍ରସ୍ତାବ ଗ୍ରହଣ କରିବାକୁ ଯାଉଛନ୍ତି, ସେକଥା ବିଷୟରେ କିଛି ଜାଣିନଥିବେ । କଲେଜ ପିଲାଙ୍କ ସହିତ ଏକାଠି ଶୋଭାଯାତ୍ରାରେ ବାହାରିବାକୁ ହିଁ ସେମାନଙ୍କ ଭିତରୁ କେତେକ ପିଲା ଆପଣାର ସମ୍ମାନରେ ବୃଦ୍ଧି ପାଇବା ବୋଲି ବୁଝିଥିବେ । କେତେକ ଏହାଦ୍ୱାରା ଅପ୍ରିୟ ଶିକ୍ଷକମାନଙ୍କୁ ଏଡ଼ି ଦେଇଯିବାର ଏକ ଅବସର ବୋଲି ବୁଝିଥିବେ । କେତେକ ଏହାଦ୍ଵାରା ଅପ୍ରିୟ ଶିକ୍ଷକ ମାନଙ୍କୁ ଏଡ଼ିଦେଇ ଯିବାର ଏକ ଅବସର ବୋଲି ବୁଝିଥିବେ । ଆପଣା ଭିତରେ କୌଣସି ଶକ୍ତି ରହିଛି ବୋଲି ଆମ ସ୍କୁଲ କଲେଜମାନଙ୍କରେ ଛାତ୍ରକୁ କୌଣସି ପ୍ରତ୍ୟେୟ ଦିଆଯାଏନାହିଁ । ତେଣୁ ଛାତ୍ର ଆତ୍ମ-ଅବିଶ୍ଵାସରେ ବଡ଼ ଜର୍ଜର ହୋଇ ରହିଥାଏ-। ଏପରି ଧର୍ମଘଟର ଉତ୍ତେଜନାରେ ମିଶି ସେ ଆପଣା ଶକ୍ତି ବିଷୟରେ କିଞ୍ଚିତ ପରିଚୟ ବି ପାଇଯାଏ ।

 

୨୪ । ୧୧ । ୬୫

 

ଦେଶରେ ଏହି ଜରୁରୀ ଅବସ୍ଥା ଗତ, ଅଠରବର୍ଷ ହେଲା ରହିଥିଲା । କେବଳ ପାକିସ୍ଥାନୀ ବା ଚୀନ୍‍ ଭୟ ଓ ଆକ୍ରମଣ ହେତୁ ଆମକୁ ସେ ଆମର ପୂର୍ଣ୍ଣ ଶକ୍ତି ଦେଇ ଦେଶକୁ ଆତ୍ମନିର୍ଭରଶୀଳ ଓ ଶକ୍ତିଶାଳୀ କରି ତିଆରି କରିବାକୁ ହେବ ବୋଲି ଯିଏ କହୁଚି, ସିଏ ଆସ ଜାତୀୟ କର୍ତ୍ତବ୍ୟକୁ ଉଚିତ ଗଭୀରତା ଦେଇ ଦେଖି ପାରୁନାହିଁ ବୋଲି ମୁଁ କହିବି । ସ୍ଵାଧିନତା ପରେ ଆମେ ସମସ୍ତେ ଦେଶର ଅବସ୍ଥାକୁ ଏକ ଜରୁରୀକାଳିନ ଅବସ୍ଥା ବୋଲି ମନେ କରି ଆପଣା ଆପଣା କାମରେ ଲାଗି ଯାଇଥାନ୍ତୁ । ଆମେ ସମସ୍ତେ ଏହି ଦେଶର ସମ୍ପନ୍ନତା ବଢ଼ାଇବାରେ ଯତ୍ନଶୀଳ ହୋଇଥାଆନ୍ତୁ, ଏହି ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଉତ୍ପାଦନ ଓ ସମାଜପରିବର୍ତ୍ତନ ପ୍ରଭୃତି କ୍ଷେତ୍ରରେ ସୁଯୋଗ୍ୟ ନେତୃତ୍ଵ ଦେଇଥାନ୍ତୁ । ଦେଶ କହିଲେ ଆମେ ଦେଶରେ ବାସ କରୁଥିବା ସବୁ ମଣିଷକୁ ବୁଝିଥାନ୍ତୁ, ଖାଇବାରେ ଆତ୍ମନିର୍ଭରଶୀଳ ହେବା କହିଲେ ଆମେ ସବୁ ମଣିଷଙ୍କ ଲାଗି ଖାଇବା ଯୋଗାଡ଼ କରିବାର ଯୋଜନା କରିଥାନ୍ତୁ, ଆମେ ସମସ୍ତେ ଆପଣାର ପୂର୍ଣ୍ଣ ଶକ୍ତିରେ କାମ କରି ଏହି ଦେଶର ଯୋଗ୍ୟ ହୋଇଥାଆନ୍ତୁ । କିନ୍ତୁ, ଗତ ୧୮ବର୍ଷ କାଳ ଆମେ ଆପଣା କର୍ତ୍ତବ୍ୟରେ ହେଳା କରି ଆସିଚୁ । ଆପଣାର ଧନି ବଢ଼ାଇବାକୁ ଯାଇ, ଆମ ଭିତରୁ ଅନେକ ଦେଶ ନାଁମରେ, ପରିବର୍ତ୍ତନ ନାମରେ ଚୋରି କରି ଆସିଚନ୍ତି, ନିର୍ବୋଧ ନେତୃତ୍ଵ ଦେଇ ଦେଶର ଗଣମନକୁ ଦୁର୍ବଳ କରି ପକାଇଛନ୍ତି, ଭଲ ଉପରେ ଦେଶର ବିଶ୍ୱାସକୁ ନଷ୍ଟ କରି ପକାଇଚନ୍ତି ।

 

୨୫ ।୧୧ ।୬୫

 

କାହାରି ପ୍ରତି ଶତ୍ରୁତା ରଖିବା ମୋର ଇଚ୍ଛା ନୁହେଁ, ତଥାପି ମୋତେ ସତକଥା କହିବାର ଆଗ୍ରହ ବି ରଖିବାକୁ ପଡ଼ିବ । ନହେଲେ କାପୁରୁଷତାର ଏହି ସଂସାରରେ ମୁଁ ମଧ୍ୟ କ୍ରମେ ମରି ମରି ଯିବି । ଧୂଳି ସହିତ ଆପଣାର ମନକୁ ଆରେଇ ନେଲେ ବା ଧୂଳି ଭିତରେ ମିଶି କରି ରହିଲେ ମୁଁ ଧୂଳିକୁ ଧୂଳି ବୋଲି କହି ପାରିବି କିପରି ? ମହାପୁରୁଷ ହୋଇ ସାଧାରଣ ମଣିଷର ଛିଦ୍ର ଖୋଜି ବୁଲିବା ମୋର କାମ ନୁହେଁ । କିନ୍ତୁ ମଣିଷ ହୋଇ ବଞ୍ଚିବାକୁ ହେଲେ ମୋତେ ଅନେକ ପରମ୍ପରାଗତ କାତରତାକୁ ଛାଡ଼ି ଆସିବାକୁ ପଡ଼ିବ । ଆମେ ସମସ୍ତେ ନୂଆ କଥା କହୁଥିବା, ପରିବର୍ତ୍ତନ ଲାଗି ବକ୍ତୃତା ଓ ଉପଦେଶ ଦେଉଥିବା, ତଥାପି ଆମେ ଆପଣାର ସାଆନ୍ତିଆ ସମାଜରେ ଆଜିଯାଏ ଯେପରି ଥିଲେ ଠିକ୍‍ ସେହିପରି ରହିଥିବା, କୌଣସିଠାରେ ଟିକିଏ ହେଲେ ଟିପ ବାଜିବା ନାହିଁକି ଆଞ୍ଚ ଆସିବା ନାହିଁ,—ତଥାପି ସଂସାର ବଦଳିବା କିପରି ? ସଂସାରରେ, ଅର୍ଥାତ୍‍ ମୋର ଆପଣା ସମାଜରେ ଅନେକ ଅନ୍ୟାୟ, ଅଶିକ୍ଷା ଓ ଅବହେଳା ଲାଗି ମୁଁ ଯେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଅନେକାଂଶତଃ ଦାୟୀ ହୋଇରହିଚି, ସେକଥା ମଧ୍ୟ ତା’ ମୋ’ର ବୁଝିବା ଉଚିତ । ରୋଡ଼େଶଆରେ ରାଜନୀତିକ ଓ ସାମାଜିକ ଅନ୍ୟାୟ ହେଲେ ତା’ର ପ୍ରତିବାଦ କରି ମୋର ଅବଶ୍ୟ କହିବା ଉଚିତ । କିନ୍ତୁ ସେହି ଦୂରର ଅନ୍ୟାୟକୁ ମୁଁ ଯେପରି ନିଃସଙ୍କୋଚରେ କରିପାରୁଛି, ମୋ,ଆପଣା ସମାଜର ଅନ୍ୟାୟ ଗୁଡ଼ାକୁ ମଧ୍ୟ ମୋ’ର ସେହିପରି ନିଃସଙ୍କୋଚରେ କହିପାରିବା ଉଚିତ । ମୁଁ ଜାଣେ, ଏଥିଲାଗି ସାହାସା ଦରକାର—କୌଣସି ମଣିଷବ୍ୟକ୍ତିକୁ ପ୍ରିୟ ବା ଅପ୍ରିୟ କରି ରଖିବାର ପରିଶ୍ରମ ନ କରି ଜୀବନକୁ ଭଲ ପାଇବା ଉଚିତ ଓ ଆପଣା ଭିତରେ ଜୀବନ ଲାଗି ଓ ଜୀବନାଗ୍ରହ ଲାଗି ବାଟ ଛାଡ଼ିଦେବା ଉଚିତ ।

 

୨୬ । ୧୧ । ୬୫

 

ଯେଉଁ ଦେଶରେ ସମସ୍ତଙ୍କର ପେଟ ପୂରେ, ସମସ୍ତଙ୍କର ପିଲା ପାଠ ପଢ଼ିବାର ସୁଯୋଗ ପାଆନ୍ତି, ସେ ଦେଶର ପର୍ବଦିନଗୁଡ଼ିକ ମଧ୍ୟ କେଡ଼େ ଉପଭୋଗ୍ୟ ନହୁଏ । ମଣିଷକୁ ଆପଣା ପରିବେଶ, ଗାଁ, ଦେଶ ଓ ଏପରିକି ଉପାସନାରତ ମଣିଷଜାତି ସହିତ ହୃଦୟର କ୍ଷେତ୍ରରେ ସମ୍ମିଳିତ କରିବାକୁ ସମ୍ଭବତଃ ପର୍ବଦିନଗୁଡ଼ିକରେ ଭିଆଣ ହୋଇଥିଲା । ଆମ ଦେଶର ଅସମାନ ଓ ଶ୍ରେଣୀବିଦୀର୍ଣ୍ଣ ସମାଜରେ ଏହି ପର୍ବଦିନ ଗୁଡ଼ିକରେ ହିଁ ମଣିଷ ମଣିଷ ଠାରୁ ବଡ଼ ଭିନ୍ନ ବୋଲି ଜଣାଯାଏ । ଆମର ଏଠି କେବଳ କେତକଙ୍କ ଘରେ ପିଠାପଣା ହୁଏ ଓ କେତେଟା ଘରେ ଭୋଗରାଗ ହୁଏ । ଫଳରେ ପର୍ବ ସମସ୍ତଙ୍କ ଲାଗି ଏବଂ ସମସ୍ତଙ୍କୁ ଏକ ଅଭୂମିରେ ସମ୍ମିଳିତ କରିବା ଉଦ୍ଦେଶ୍ୟରେ ହୋଇଥିଲେ ମଧ୍ୟ ଏହା ସମସ୍ତଙ୍କୁ ଏକ ଆତ୍ମୀୟତାର ସୂତ୍ରରେ ଯୋଡ଼ି ପାରେନାହିଁ । କାଲି ଆମେରିକାର Thanks giving Day ଥିଲା । ଏଠାରେ ଥିବା ଆମେରିକାର ବନ୍ଧୁମାନେ ଆମ ସମସ୍ତଙ୍କୁ ନିମନ୍ତ୍ରଣ କରି ଆପ୍ୟାୟିତ କରିଥିଲେ । ଆପଣା ପରିବାର, ଆପଣା ଗାଁ ଓ ଆପଣା ଦେଶ କଥା ମନେ ପକାଇ ସେମାନେ ଯେପରି କେଉଁ ଶୁଦ୍ଧ ମଣିଷ ସୁଲଭ ଖୁସିରେ ନିମଗ୍ନ ହୋଇ ରହିଥିଲେ । କିନ୍ତୁ, ଯେପରି ଦେଶରେ ଅଧେ ମଣିଷଙ୍କର ପେଟ ପୂରେନାହିଁ, ଯେଉଁଠି ମଣିଷ ହେବାର ବାସନା ଅନେକ ମଣିଷଙ୍କର ଜୀବନରେ କେବଳ ବାସନା ହୋଇରହେ, ସେଠି ପର୍ବ ଦିନରେ ସବୁରି ସହିତ ମିଶି କି ଆନନ୍ଦ ମିଳୁଥିବ ?

 

୨୭ ।୧୧ ।୬୫

 

ପ୍ରତିଦିନ ଆମେ ଯେତିକି କାମ କରୁଚୁ, ଇଚ୍ଛା କରୁଥିଲେ ଯେ ଆମେ ତାହାର ଦଶମୁଖ ବେଶୀ କାମ କରି ପାରୁଥାନ୍ତୁ, ସେକଥା ଆମକୁ କିଏ କହି ଦେବାକୁ ଆସିବ ? ଅର୍ଥାତ୍‍, ଆପଣା ଭିତରେ ବିଶ୍ଵାସ ରଖି ଶିଖିବାଲାଗି କିଏ ଆମକୁ ଶିଖାଇ ଦେଇଯିବ ? ମୁଁ ତ ଭାବୁଛି, ଆମେ ଅଧିକାଂଶତଃ ବାଧ୍ୟ ହୋଇ ଆମର କାମ କରୁଚୁ; ତେଣୁ ଯେତିକି ନକଲେ ନଚଳେ ଆମେ ପ୍ରଧାନତଃ ସେତିକି ହିଁ କରୁଚୁ । କାମକୁ ଭଲ ପାଇବାର ପ୍ରଶ୍ନ ହିଁ ଉଠୁନାହିଁ । କାରଣ, ଆମେ ଯେଉଁ କାମକୁ ସମ୍ଭବତଃ ଭଲ ପାଇଥାନ୍ତୁ, ବର୍ତ୍ତମାନ ଆମେ ସେହି କାମ କରୁନାହୁଁ ବା ଅର୍ଥୋପାର୍ଜନ ନ ଲାଗି କାମ କରିବା ଆବଶ୍ୟକ ବୋଲି ଏକ ଭ୍ରମ ଉପରେ ନିର୍ଭର କରି ଆମେ କାମ କରୁଚୁ । ତେଣୁ, ଆପଣାର ଶକ୍ତିକୁ ଚିହ୍ନିବାକୁ ହେଲେ ଆଗ କାମକୁ ଭଲ ପାଇବାକୁ ହେବ, କାମକୁ ଜୀବନରେ ପରିପୂର୍ଣ୍ଣତା ଲାଭ କରିବାର ଏକ ମୂଲ୍ୟବାନ ମାଧ୍ୟମ ରୂପେ ଗ୍ରହଣ କରିବାକୁ ହେବ । କିନ୍ତୁ ଜୀବନ ପ୍ରତି ଶ୍ରଦ୍ଧା ନଥିଲେ କାମକୁ ଶ୍ରଦ୍ଧା କରିବା ସମ୍ଭବ ହୋଇ ପାରିବ କି ? ଜୀବନାଟାକୁ ଯିଏ ପ୍ରଧାନତଃ ଗୋଟାଏ ବୋଝ ବୋଲି ମନେ କରୁଛି, ସିଏ ତା’ର କାମକୁ ମଧ୍ୟ ବୋଝ ପରି ମନେ କରିବ, କାମ କରିବାକୁ ଜୀବନର ଏକ ସନ୍ତାପ ବୋଲି ମନେ କରିବା । ମୁଁ ଏପରି ସନ୍ତାପ ମଣିଷ ଅନେକ ଦେଖିଛି । ସେହିମାନେ ହିଁ ଗପ କରି ନିଷ୍ପ୍ରୟୋଜନ ଜୀବନାଭିନୟମାନ କରି ଘଣ୍ଟା ଘଣ୍ଟା ବିତାଇ ଦେବାକୁ ଚାହାନ୍ତି,—କାମରୁ ଢାଙ୍କି ଦିଅନ୍ତି ଅଳସୁଆ ହୋଇ ବସିବାକୁ ନିଜ ସନ୍ତାପିତ ଜୀବନର ସର୍ବପ୍ରଧାନ ଭୂଷଣ ବୋଲି ସେଇମାନେ ହିଁ ମନେ କରନ୍ତି । ଉପରେ ଯେତେ ଖୁସିର ପ୍ରଚାର କରୁଥିଲେ କି ସେମାନେ ଜୀବନକୁ ଭଲପାଇ ଥାନ୍ତି ନାହିଁ ।

 

୨୮ ।୧୧ ।୬୫

 

ବୟସ ଅନୁସାରେ ଯୌବନ ଛାଡ଼ିଯିବାକୁ ବସିଲାଣି, କିନ୍ତୁ ଚାହିବାର ଇଚ୍ଛା, ପାଇବାର ଇଚ୍ଛା ଓ ଆପଣାକୁ ଦେବାର ଇଚ୍ଛା ଅଟଳ ବିଶ୍ୱାସର ସହିତ କହୁଛି ଯେ, ଯୌବନ ଯାଇନାହିଁ, ଯୌବନ ଆସୁଛି । ଏହି ଇଚ୍ଛା କୌଣସି ପ୍ରକାର ଜ୍ୱରରେ ପୀଡ଼ିତ ହୋଇ ଆପଣାର ସଂସାରକୁ ପ୍ରପୀଡ଼ିତ କରି ରଖିବାର ଇଚ୍ଛା ନୁହେଁ । ଏହି ଇଚ୍ଛା ସମ୍ମିଳିତ ହେବାର ଇଚ୍ଛା, ସଖ୍ୟସ୍ଥାପନ କରିବାର ଇଚ୍ଛା । ମୋ’ ଭିତରେ ଏହି ଇଚ୍ଛା କମୁନାହିଁ, ବଢ଼ୁଚି । ଏହି ଶରୀର ବୃଦ୍ଧ ହୋଇଗଲେ ମଧ୍ୟ ଏହି ଇଚ୍ଛା କଦାପି କ୍ଷୀଣ ହୋଇଯିବ ନାହିଁ, ଅଶେଷ ଆତ୍ମନିର୍ଭର ସହିତ ହୃଦୟ ଏକଥା କହିବାକୁ ବି ରାଜି ଅଛି । ତେଣୁ ମୋ’ ଜୀବନରେ ଡୋର ଛିଡ଼ାଇବାର ପ୍ରଶ୍ନ ହିଁ ଉଠୁନାହିଁ, ବାନପ୍ରସ୍ଥ ନେବାର ପ୍ରଶ୍ନ ହିଁ ଉଠୁନାହିଁ । ଡୋରା ବାନ୍ଧିବାର ଓ ନାନା ବନ୍ଧନର ନୂତନ ପଥ ଫିଟାଇ ଏହି ଜୀବନ ସହିତ ଏକାଠି ଘର କରି ରହିବାର ବାସନାଟି ହିଁ ବଢ଼ି ବଢ଼ି ଚାଲୁଛି । ସେଥିଲାଗି ଆପାତତଃ ସଂସାରରେ ଭୟ ଓ ଘୃଣା ବାଢ଼ୁଥିଲେ ମଧ୍ୟ ତଥାପି ଭଲ ପାଇବା ଓ ଆପଣାର କରିବା ଉପରେ ହିଁ ମୋ’ର ବିଶ୍ଵାସ ବାଢ଼ୁଚି । ଅଲଗା ହୋଇଯିବାର, ଡୋର ଛିଡ଼ାଇ ଦେବାର ଷଡ଼ଯନ୍ତ୍ର ଯିଏ ଯୋଉଠି କରୁଥାଉ ପଛକେ, ସବୁରି ପାଖରେ ନିଜକୁ ଦେଇଦେବାକୁ ମୁଁ ଜୀବନଧର୍ମ ବୋଲି ଗ୍ରହଣ କରିବି ।

 

୨୯ । ୧୧ । ୬୫

 

ଜୀବନ ଉପରେ ଆଉ କାହାରି ନୀତି ଲଦା ହୋଇ ରହିବା ଉଚିତ ନୁହେଁ, ତଥାପି ଜୀବନରେ ନୀତି ଅବଶ୍ୟ ରହିବା ଉଚିତ । ଯେଉଁ ସମାଜ ବା ସଂସ୍କାରଗତ ବାତାବରଣରେ ସ୍ୱୀକୃତ ନୀତିଗୁଡ଼ାକୁ ମଣିଷ ଏକମାତ୍ର ନୀତିବୋଲି ମାନି ନେଇଥାଏ, ତଦ୍ଦ୍ଵାରା ତା’ର ଆପଣାର ଜୀବନ-ନୀତିଗତ ଜୀବନରେ ଖୁବ ବେଶୀ ଶୋଧନ ହୋଇପାରେ ନାହିଁ ବୋଲି ମୁଁ ମାନୁଛି, କିନ୍ତୁ କୌଣସି ଏକ ନୀତିକୁ ମାନି ଚାଲିବା ତା’ପକ୍ଷରେ ଯେ ଅନେକ ପରିମାଣରେ ସହଜ ହୋଇଯାଏ, ଏକଥା ମଧ୍ୟ ମୋତେ ମାଣିବାକୁ ପଡ଼ିବ । ତା’ର ସମାଜରେ ସ୍ୱୀକୃତ ନୀତିକୁ ସେ ଏକମାତ୍ର ନୀତି ବୋଲି ମାନି ନିଏ, ତା’ର ସମାଜରେ ସ୍ୱୀକୃତ ନୀତିକୁ ସେ ଏକମାତ୍ର ନୀତି ବୋଲି ମାନିନିଏ, ତା’ର ଚାରିପାଖରେ ବାଡ଼ ବସିଯାଏ, ଅନେକ ଗ୍ରହଣଦ୍ଵାର ବଡ଼ ସହଜରେ ବନ୍ଦ ହୋଇଯାଏ, ଭଲ ପାଇବା ଓ ଘୃଣାର ନିର୍ଣ୍ଣୟ ଅତି ସହଜରେ ଏକ ସହଜ ସୂତ୍ର ଅନୁସାରେ ହୋଇଯାଏ । ତଥାପି ତା’ର ଜୀବନକୁ ନୀତିହୀନ ବୋଲି କୁହାଯାଇପାରିବା ନାହିଁ । ଯେପର୍ଯ୍ୟନ୍ତ ସେ ଆପଣା ନୀତିରେ ଉଗ୍ର ହୋଇ ସଂସାରରେ ଦୁର୍ନୀତି ଭିଆଇ ନ ବାହାରିଚି, ସେପର୍ଯ୍ୟନ୍ତ ସେ ଉଚିତ ବାଟରେ ଯାଉଚି ବୋଲି ମୁଁ ଅବଶ୍ୟ କହିବି । କିନ୍ତୁ ଯେଉଁଠି ମଣିଷ ବାଧ୍ୟ ହୋଇ ସ୍ଵୀକାର କରିନେବାର ନୀତିକୁ ବର୍ଜନ କରିଆସେ, ଯେଉଁଠି ସେ ଆପେ ଆପଣାର ନୀତିକୁ ଆବିଷ୍କାର କରି ବାହାରେ, ସେଠି ନୀତିଗତ ଜୀବନ ଆଦୌ ସହଜ ହୁଏନାହିଁ । ଅନେକ ସମୟରେ ନୀତିଗତ ଆପେକ୍ଷିକତା ନାମରେ ଏକ ନୀତିଗତ ଉଦାସୀନତା ମଧ୍ୟ ମଣିଷକୁ ଆବୋରି ପକାଏ, ଆପଣା ଭିତରେ କୌଣସି ପ୍ରକାର ନୀତିଗତ ଆବଶ୍ୟକତାକୁ ମଣିଷ ଯଥେଷ୍ଟ ମହତ୍ଵ ଦେବାକୁ ଭୁଲିଯାଏ । ତେଣୁ ଅନେକ ସମୟରେ ଜୀବନର ପଥ ଆପେ ତିଆରି କରିବାର ଦମ୍ଭ କରୁକରୁ ଜୀବନ ଭିତରଟା ଫମ୍ପା ହୋଇଯାଏ, ଆତ୍ମଶାସନ ସମ୍ଭବ ହୁଏନାହିଁ । ଜୀବନ ଉଦ୍ଦେଶ୍ୟହୀନ ହୋଇପଡ଼େ, ତେଣୁ ଜୀବନକ୍ଷେତ୍ର ବଡ଼ ଅସୁନ୍ଦର ହୋଇପଡ଼େ ।

 

୩୦ । ୧୧ । ୬୫

 

ଜୀବନରେ ଆପଣାର କୌଣସି ନୀତି ରହିବା ଉଚିତ ନୁହେଁ, ମୁଁ ଏପରି ଦିନେ ହେଲେ ଭାବିନି । କିନ୍ତୁ ସହଜ ବା ନିରାପଦ ବାଟରେ ଯାଇ ପାରିବି ବୋଲି ମୁଁ କୌଣସି ବହି ବା କୌଣସି ସାମାଜିକ ସଂସ୍କାରର ସୂତ୍ରକୁ ମୋ’ ଜୀବନର ନୀତି ବୋଲି ମାନିନେବି, ଏପରି ଭାବିବାକୁ ମଧ୍ୟ ମୁଁ ଦିନେହେଲେ କୌଣସି ଉତ୍ସାହ ପ୍ରକାଶ କରି ନାହିଁ । ବହୁମତ ଯାହାକୁ ଠିକ୍‍ ବୋଲି କହୁଛି, ତାହାହିଁ ନୀତି,—ଏହି ଉପଦେଶ ବାକ୍ୟକୁ ମୋତେ ମାନିବାକୁ ପଡ଼ିବ ନାହିଁ ବୋଲି ମୁଁ ଅନେକ ଦିନରୁ ହୃଦୟଙ୍ଗମ କରିଚି । କିନ୍ତୁ ତଥାପି ଆପଣା ଜୀବନରେ କେତେକ ନୀତିର ଆଧାର ଉପରେ ମୁଁ ଆପଣାକୁ ଠିଆ କରି ରଖିବା ଲାଗି ଯେଉଁ ପ୍ରୟାସ କରିଆସିଚି, ସେଥିରେ ମୋତେ ଅନେକ ହରକତ ସହିବାକୁ ପଡ଼ିଚି। ଏହି ହରକତ ସଂସାରରୁ ସହିବାକୁ ପଡ଼ିବ ନାହିଁ, କୌଣସି ବହୁମତ ମୋତେ ହରକତ ଦେବାକୁ ଆସିନାହିଁ । କିନ୍ତୁ ଆପଣାର ମନ ଭିତରେ ନୀତିଗତ ଆପେକ୍ଷିକତାରେ ସ୍ଥାଣୁ କରି ରଖିବାର ମନ୍ଦ ଅଭିପ୍ରାୟ ନେଇ ମୋ’ ସହିତ ଯୁଝିବାକୁ ଆସିଚି । ସଂସାରରେ ଦେଶକେ, ସମାଜକେ ନୀତି ଭିନ୍ନ; ତେଣୁ ନୀତି ବୋଇଲେ କିଛି ନାହିଁ, ଯାହା କଲେ ମଧ୍ୟ ଆକାଶ ଭାଙ୍ଗି ପଡ଼ିବ ନାହିଁ, ତେଣୁ ବିବେକ ବୋଲି ଗୋଟାଏ କିଛି ଅଛି ବୋଲି ସ୍ଵୀକାର ନକରି ଯେତେବେଳେ ଯାହା ଇଚ୍ଛା କରିଯାଅ—ଏପରି ଏକ ପ୍ରଲୋଭନ ମୁଁ ଅନେକ ଥର ପାଇଚି । କେତେଥର ଏହି ପ୍ରଲୋଭନ ସାଥିରେ କେତେ ବାଟ ଉଡ଼ିଯାଇଚି । ତଥାପି, ଏହା ବି ବାଟ ନୁହେଁ ଜାଣି ଫେରି ଆସିବାକୁ ହୋଇଚି।

 

୦୧ । ୧୨ । ୬୫

 

ବର୍ଷର ଶେଷ ମାସଟି ହଠାତ୍‍ ବର୍ଷଶେଷରେ ଆବେଦନ ଜଣାଇ ଯାଉଚି । ଚେତାବନୀ ନୁହେଁ, ଆବେଦନ ଜଣାଇ ଯାଉଚି । ଯଦି ଏହି ବରଷଟି ମୁଁ ବୃଥା କଟାଇଥାନ୍ତି, ଯଦି ମୁଁ କେବଳ ଅଭିଯୋଗ କରି ସମୟ କଟାଇ ଥାଆନ୍ତି, ଯଦି କେବଳ ଅସନ୍ତୋଷଜନିତ ଆଳସ୍ୟରେ ଅସୁନ୍ଦର ମନ ନେଇ ବସିଥାନ୍ତି, ତେବେ ବରଷଟି ବିଦାୟ ନେଇ ଗଲାବେଳକୁ ଏଣେ ମୁଁ ଗୋଟିଏ ବରଷ ବୁଢ଼ା ହୋଇ ଗଲାପରି ଲାଗୁଥାନ୍ତା । ଜୀବନ ଚାଲିଯାଉଚି ବୋଲି ମୁଁ କୌଣସି ଦିନ ରୋଦନ କରିନାହିଁ, ଜୀବନ ଆସୁଛି ବୋଲି ଉଦ୍ୟମହୀନ ଉତ୍‍ଫୁଲ୍ଲତାର ମୁଁ କୌଣସି ଭବିଷ୍ୟବାଦୀ ଆଦର୍ଶ ଭିତରକୁ ଡେଇଁ ପଡ଼ିନାହିଁ । ଜୀବନର ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ମୁଁ ଭରାଇ ଭରାଇ ଚାଲିଚି । ଭୁଲ୍‍ ଠିକ୍ ର ହିସାବ କରିବାକୁ ବେଳ ନାହିଁ, କଳା ବାଳ ଧଳା ହେଲା ବୋଲି ଦେଖିବା ଲାଗି ବେଳ ନାହିଁ । କେବଳ ପାଦ ଚାଲିଯାଉଚି, ହୃଦୟ ଯେଉଁଠି ପାରୁଚି, ସେତେଠି ଛୁଇଁ ସଂସାରରେ ଆପଣାର ନିଦକୁ କ୍ରମେ ବହୁବ୍ୟାପୀ କରି ଚାଲିଚି । କେତେ ପରିବର୍ତ୍ତନ ହେଉଚି, କେତେ ଝୁଣ୍ଟୁଚି, କେତେପ୍ରକାରେ ନିରାଶ ଓ ଆଶାନ୍ଵିତ ହୋଇ ରହିବାର ରହସ୍ୟମୟ ପର୍ବ ଲାଗିରହିଛି,—ତଥାପି ବିଶ୍ଵାସ ବଦଳି ନାହିଁ । ମୁଁ ଏହାକୁ ଭଗବାନଙ୍କ ଉପରେ ବିଶ୍ଵାସ ବୋଲି କହୁଚି, ଆଉ କେହି ହୁଏତ ଏହାକୁ ଜୀବନ ଉପରେ ବିଶ୍ଵାସ ବୋଲି କରିବାକୁ ମନ କରିବ । ଯେଉଁ ବିଶ୍ଵାସ ରହିଥିଲେ ସଂସାରରେ ଡରମାଡ଼େ ନାହିଁ, ଧାରାପଡ଼ିଯିବାକୁ ମଧ୍ୟ ଡର ମାଡ଼େନାହିଁ, ମଣିଷ ସହିତ ଏକାଠି ହେବାକୁ ଡର ମାଡ଼େନାହିଁ, ମୋ’ର ସେହି ବିଶ୍ଵାସ ସେଇମିତି ରହିଚି ।

 

୦୨ । ୧୨ । ୬୫

 

ଭଗବାନଙ୍କୁ ନ ଭଜି ଯେତେବେଳେ ଜୀବନର ଅସନ୍ତୋଷଗୁଡ଼ାକୁ ଭଜିବା ହିଁ ଜୀବଙ୍କର ପ୍ରିୟତର ବୃତ୍ତି ହୋଇଯାଏ, ସେତେବେଳେ ଆପଣା ଉପରେ ଦୟା ହୁଏ । ସଂସାରରେ ସବୁ ଅଭାବର ପୂରଣ ହେବ, ତା’ପରେ ଯାଇ ମୁଁ ଭଗବାନଙ୍କୁ ଭଜିବି ଅର୍ଥାତ୍ ଜୀବନ ଉପରେ ବିଶ୍ଵାସ ରାଖି ଆପଣାକୁ କୌଣସି ଏକ ସମ୍ମିଳନ କ୍ଷେତ୍ରରେ ସଂପୂର୍ଣ୍ଣ ରୂପେ ସମର୍ପି ଦେଇପାରିବି,—ଏପରି ଯୁକ୍ତି କରୁଥିବା ମଣିଷକୁ ମୁଁ କେବଳ ଅପରିପକ୍ଵ ବୋଲି କହିବି । ମୋ’ର ଆପଣା ଅସନ୍ତୋଷ ତ ଆପଣାକୁ କୌଣସି କ୍ଷେତ୍ରରେ ପରିପୂର୍ଣ୍ଣ ଭାବରେ ଦେଇ ନପାରିବାର ଅସନ୍ତୋଷ ହେବା ଉଚିତ । ଯେତେବେଳେ ମୁଁ ଏହି ସଂସାରକୁ ଆପଣାର କ୍ଷେତ୍ର ବୋଲି ସ୍ଵୀକାର କରିନେବ, ସେତେବେଳେ ଏହି କ୍ଷେତ୍ରରେ କୌଣସି ପ୍ରକାରେ ଆପଣାକୁ ପ୍ରେରିତ କରିବା ହିଁ ମୋର ସର୍ବପ୍ରଧାନ କାମନା ହୋଇ ରହିବା ଉଚିତ । ହୃଦୟ ଦେଇ ଦେଖିଲେ, ହୃଦୟକୁ ନେଇ ସଂସାରରେ ବାଟ ଚାଲି ବସିଲେ, କ୍ଷେତ୍ରର ବି କୌଣସି ଅଭାବ ରହିବନାହିଁ । ହୃଦୟ ଦେଇ ଜୀବନ ବଞ୍ଚିଲେ ଆପଣାର ଅଭାବଗୁଡ଼ାକ ଆଗ ଆଖିକୁ ପ୍ରଧାନ ହୋଇ ଦିଶିବନାହିଁ । କିନ୍ତୁ ହୃଦୟ ନଥିଲେ, ଯେତେ ଭୋଗ କରୁଥିଲେ ମଧ୍ୟ ତଥାପି ଅଧିକ ଭୋଗଲାଳସାର ଅତୃପ୍ତି ବଢ଼ୁଥିବା,—ସଂସାରଯାକକୁ ଆପଣାର ପଙ୍କଗାଡ଼ିଆ ବୋଲି ମନେ ହେଉଥିବ ଓ ସେଥିରେ ମାରଣା ହାତୀ ପରି ପଶିଯିବାକୁ ସବୁବେଳେ ଆଗ୍ରହ ପ୍ରବଳ ହୋଇ ରହିଥିବ ।

 

୦୩ । ୧୨ । ୬୫

 

ମୋର ଅସନ୍ତୋଷ ହେଉଚି ଡୋର ଛିଡ଼ିଯିବାର ଅସନ୍ତୋଷ । କାରଣ, ଡୋର ଲାଗିବା ଯେ କ’ଣ ବୁଝାଏ ଓ ମୋତେ କେଉଁ ଅମୂଲ୍ୟ ସମ୍ପଦର ଅଧିକାର ଦେଇଯାଏ, ତାହାର ଆସ୍ଵାଦ ମୁଁ ଜୀବନରେ ଏକାଧିକବାର ପାଇଚି । ସେହି ଡୋର ଉପରେ ନିର୍ଭର କରି ମୁଁ ଭଲ ପାଇଚି, ଜ୍ଞାନ ଆହରଣ କରିଚି, ନିଜର ନାନା କର୍ମରେ ପ୍ରବୃତ୍ତ ହୋଇଚି । ହୁଏତ ଏହି ଡୋର ଉପରେ ମୋ’ର ନିର୍ଭର କରି ରହିବାର ବୃତ୍ତି ସକାଶେ ମୁଁ ପାଠ ପଢ଼ିବାକୁ ଓ ପାଠ ପଢ଼ାଇବାକୁ ଏପରି ଭଲପାଇ ଆସିଚି । ଏହି ଡୋରଟା ଉପରେ ମୋର ନିକଟତମ ନିର୍ଭର ରଖିବାରୁ କାହାର ଗ୍ରାସରେ ପଡ଼ିଯିବାକୁ ବା ଆପଣାର ଗ୍ରାସରେ କାହାକୁ ପକାଇ ଦେବାକୁ ମୁଁ ସବୁଠାରୁ ଅସୁନ୍ଦର ବୃତ୍ତି ବୋଲି ଅନୁଭବ କରିଆସିଚି । ଏହି ଡୋର ଲାଗିବାର ଅନୁଭୂତି ଗଭୀର ଓ ସ୍ଥାୟୀ ହୋଇ ଗଲାବେଳେ ମୁଁ ଭଗବାନଙ୍କର ଅର୍ଥାତ୍‍ ସକଳ ଜୀବନ ସହିତ ମୋ’ର ଆପଣା ଜୀବନ ବନ୍ଧାହୋଇ ରହିଥିବାର ଅନୁଭୂତି ପାଇଚି । ହଁ ଏହି ଡୋର ବେଳେବେଳେ ଛିଡ଼ି ଜେବାପରି ମାନେ ହୋଇଚି, ତାର ଛିଡ଼ିଗଲା ପରି ଲାଗୁଚି । ସେତିକିବେଳେ ମୁଁ ଅତି ଅସହାୟ ପରି ଆପଣା ଭିତରକୁ ଅନାଇ ଚିତ୍କାର କରି ଉଠିଚି । ଏକୁଟିଆ ହୋଇପଡ଼ି ମୁଁ ଆପଣାକୁ ଜଣେ ମଣିଷ ବୋଲି କହିବାର ପ୍ରତିଷ୍ଠା ହରାଇ ବସିଚି । ସେତେବେଳେ ଆଖିକୁ କିଛିହେଲେ ସୁନ୍ଦର ଦିଶିନାହିଁ, କୌଣସି ପ୍ରକାର ସାନ୍ନିଦ୍ଧ ସେତେବେଳେ ମୋତେ ସୁନ୍ଦର ଦିଶିନାହିଁ । ତାହାହିଁ ହେଉଚି ମୋର ଅସନ୍ତୋଷ । ମୁଁ ଭଲ କରି ଜାଣେ ଯେ, ବାରବାର ହରାଇ ପୁଣି ବାରବାର ପାଇବାକୁ ହୁଏ, ଆର୍ତ୍ତହରିଣୀ ପରି ସବୁ ପଥରେ ହୁଏ । ପୁଣି ଡୋର ଲଗାଇ ଶାନ୍ତ ହୋଇ ଯିବାକୁ ହୁଏ । ପୁଣି ଜନନୀ ପାଖକୁ ଅର୍ଥାତ୍‍ ଆପଣାଠାରୁ ଫେରିବାକୁ ହୁଏ ।

 

 

୦୪ । ୧୨ । ୬୫

 

ଓଡ଼ିଶାରୁ ବାହାରି ଏଠାକୁ ଆସିବା ସାତବର୍ଷ ହୋଇଗଲା । ସେତେବେଳେ ଏଠାରେ ଆପଣକୁ ବିଦେଶୀ ବୋଲି ଲାଗୁଥିଲା ମନଟା ବାରବାର ଓଡ଼ିଶା ଆଡ଼କୁ ଫେରି ଯାଉଥିଲା । କିନ୍ତୁ ଆଗ୍ରା ମଧ୍ୟ ଏହି ଦେଶ ଭିତରେ ରହିଚି, ତେଣୁ ଆପଣାକୁ ସମ୍ପ୍ରସାରିତ କରି ମୁଁ ଆଗ୍ରାକୁ ମଧ୍ୟ ଆପଣାର କର୍ମଭୂମି ବା ଜୀବନ ଭୂମି ହିସାବରେ ସ୍ଵୀକାର କରିନେଇ ସାରିଲେଣି । ବର୍ତ୍ତମାନ ତେଣେ ଓଡ଼ିଶାରେ ଅନ୍ୟ କୌଣସି କାମ ପଡ଼ିଥିଲା ବେଳେ ଯୋଗ୍ୟ ଲୋକ ଖୋଜିବାକୁ ଯାଇ ଯଦି ମୋତେ କେହି ମାନେ ପକାଉଚି, ତେବେ ସେଥିଲାଗି ମୁଁ ଅବଶ୍ୟ କୃତଜ୍ଞ ରହିବି । କିନ୍ତୁ ଗୋଟାଏ ଜାଗରୁ ଆଉ ଗୋଟାଏ ଜାଗାକୁ ଡେଇଁବା ମୋର ପ୍ରକୃତି ନୁହେଁ । ବିଶେଷତଃ ଶିକ୍ଷକ ପାଖରେ ଏହି ଡେଇଁବାର ବୃତ୍ତି ଆଦୌ ଶୋଭା ପାଇବନାହିଁ । ଚମ୍ପତିମୁଣ୍ଡା ଛାଡ଼ିବା ବେଳେ ମୋତେ ହୃଦୟର ଅନେକ ଚେର ଛିଡ଼ାଇକରି ଆସିବାକୁ ପଡ଼ିଥିଲା । ଓଡ଼ିଶା ସହିତ ଅନେକ ସ୍ଵପ୍ନ ଓ କଳ୍ପନାଗତ ଚେର ଛିଣ୍ଡାଇ ଆସିବାକୁ ପଡ଼ିଥିଲା । ଏହାମଧ୍ୟରେ ଏଠି ମଧ୍ୟ ଚେର ଲାଗି ସାରିଲାଣି । ଏହି ଚେର ଛିଡ଼ାଇବାକୁ ବସିଲେ ପୁଣି ଅନେକ ଆଘାତ ସହିବାକୁ ହେବ । ମୋ’ର ଜୀବନକୁ ଅନାଇ ମୁଁ ଅନୁଭବ କରୁଚି ଯେ, ସତେ ଅବା ଶିକ୍ଷକ ହେବାକୁ ହିଁ ମୁଁ ଜନ୍ମ ହୋଇଚି । ଏହା ହେଉଚି ମୋ’ର ରାସ୍ତା, —ମୋ’ର ଜୀବନସରାଗର ନିର୍ବାଚିତ ରାସ୍ତା । ଏହାକୁ ଛାଡ଼ିକରି ଯିବାକୁ ହେଲେ ମୋତେ ବାହାରେ ଭିତରେ ଅନେକ କିଛି ସହିତ ସମ୍ବନ୍ଧ ତୁଟାଇ ଯିବାକୁ ପଡ଼ିବ ।

 

୦୫ । ୧୨ । ୬୫

 

ଚମ୍ପତିମୁଣ୍ଡାରେ ମାୟା ଲାଗିଥିଲା, ମାୟା ଏଠାରେ ମଧ୍ୟ ଲାଗିଚି । ଆଗେ ଭାବୁଥିଲି, ଚମ୍ପତିମୁଣ୍ଡାରେ ରହି ହିଁ ମୁଁ ଆପଣାର ପୃଥିବୀ ଲାଗି ଆପଣାକୁ ପ୍ରସ୍ତୁତ କରି ଶିଖିବି । ବର୍ତ୍ତମାନ ଭାବୁଚି, ଭାରତବର୍ଷର ଯେକୌଣସି ଜାଗାରେ କାମକଲେ ମଧ୍ୟ ମୁଁ ଏହି ଦେଶରେ ଓ ଏହି ପୃଥିବୀରେ ଆପଣାର କର୍ତ୍ତବ୍ୟ କରିପାରିବି । ଓଡ଼ିଶାକୁ ଆସ ବୋଲି ଯେତେବେଳେ କୌଣସି ବନ୍ଧୁ ମୋ’ ପାଖକୁ ଲେଖନ୍ତି, ସେତିକିବେଳେ ହଠାତ ମନେହୁଏ, ଯେପରି ମୁଁ ଆପଣା ଘରୁ ଅର୍ଥାତ ଆପଣା କ୍ଷେତ୍ରରୁ ଅନେକ ଦୂରକୁ ବାହାରି ଆସିବି । ଓଡ଼ିଶାରେ ଆସି କାମକର, ବନ୍ଧୁ ବା ଗୁରୁଜନମାନେ ଏପରି ପରାମର୍ଶ ଦେଲାବେଳେ ହଠାତ ମୋ’ ଭିତରର ଘରକୁ ଫେରିଯିବାକୁ ଲୋଡ଼ୁଥିବା କେଉଁ ଶିଶୁ ବେଶ ଆତୁର ଓ ଭାବପ୍ରବଣ ହୋଇଉଠେ । ଆଗେ ଅର୍ଥାତ ପ୍ରଥମେ ପ୍ରଥମେ ଏଠାକୁ ଆସିଥିଲା ବେଳେ ଏବଂ ଚମ୍ପତିମୁଣ୍ଡାକୁ ଛାଡ଼ି, ଆସିଥିବାର ସନ୍ତାପ ଭୋଗୁଥିବା ବେଳେ ମୁଁ ଅନେକ ସମୟରେ ଏହିପରି ଭାବପ୍ରବଣ ହୋଇପଡ଼ୁଥିଲି । କିନ୍ତୁ, ମଣିଷର ସାନ୍ନିଧ୍ୟରେ ଏବଂ ଆପଣା କର୍ତ୍ତବ୍ୟର ସାନ୍ନିଧ୍ୟରେ ଆସି ଏଠି କ୍ରମେ ମନ ବସିଯାଇଚି, ଏଠି ମଧ୍ୟ ଭାସୁଥିବା ମନର ଜାଲ କ୍ରମେ ମାଟି ଛୁଇଁ ବସିଗଲାପରି ଲାଗୁଚି । ଓଡ଼ିଶା ଯେଉଁପରି ନିଜର ହୋଇ ରହିଥିଲା, ସେହିପରି ରହିଚି । ଓଡ଼ିଆରେ ଲେଖିବା ବା ଓଡ଼ିଶାର ପରିବେଶକୁ ଆଖିଆଗରେ ରାଖୀ ଲେଖିବା ବ୍ୟତୀତ ମୁଁ ଆଉ କୌଣସି ପ୍ରକାର ଲେଖିବାର କଳ୍ପନା ହିଁ କରି ପାରୁନାହିଁ । ତଥାପି, ଏଠି ମଧ୍ୟ ମୋତେ ଘର ମିଳିଚି । କ୍ଷେତ୍ର ଖୋଜୁଥିବା ମନ କ୍ଷେତ୍ର ପାଇଚି,—ତେଣୁ ଏଠୁ ଛାଡ଼ି ପଳାଇ ଓଡ଼ିଶା ଯିବାର ପ୍ରସଙ୍ଗ ଉଠୁଚି ବା କୁଆଡ଼ୁ ?

 

୦୬ । ୧୨ । ୬୫

 

ଫିନ୍‍ଲାଣ୍ଡ ଦେଶର ଅର୍ଥାତ ସେହି ଦେଶର ଅଧିବାସୀଙ୍କ ଲାଗି ଆଜି ଦିନଟି ଅତି ମହାନ । ଆଜି ସେ ଦେଶର ସ୍ଵାଧୀନତା ଦିବସ । ସକାଳୁ ଏଠି ଦିନଟି ଲାଗି ସଜ ହୋଇ ବସିଲା ବେଳକୁ ହୃଦୟ କହୁଚି, ଯେପରି ଆଜି ମୋ’ ଦେଶର ବି ସ୍ଵାଧୀନତା ଦିବସ । ସଂସାରରେ ଏତେ ଦେଶ ଥାଉ ଥାଉ ସାନା ଆଖ୍ୟାତ ଦେଶ ଫିନ୍‍ଲାଣ୍ଡ ମୋ’ର ଜୀବନ ସରଗ ଓ ଜୀବନାଗ୍ରହ କ୍ଷେତ୍ରରେ କାହିଁକି ବା କିପରି ଯେ ଏତେ ଥାନ ମାଡ଼ି ବସିଥିଲା, ମୁଁ ସେ କଥାକୁ ବିଶ୍ଳେଷଣ କରି କହି ପାରିବି ନାହିଁ । ମଣିଷ କ୍ଷେତ୍ରରେ ଯେମିତି, ଗୋଟାଏ ଦେଶର କ୍ଷେତ୍ରରେ ମଧ୍ୟ ଠିକ ସେମିତି । ଭଲପାଇବାର କାରଣ ନିର୍ଣ୍ଣୟ କରିବାକୁ ବସିଲେ ବାରବାର ନିର୍ବୋଧଙ୍କ ପରି ଅନୁଭବ କରିବାକୁ ପଡ଼େ । ଫିନ୍‍ଲାଣ୍ଡ କହିଲେ ମୋ’ର ବରଫ ମନେପଡ଼େ, ହ୍ରଦ ଓ ଆକାଶ ମନେ ପଡ଼ନ୍ତି, ସଙ୍ଗୀତ ମନେପଡ଼େ, ସେ ଦେଶର ଭାଷା ବି ମନେପଡ଼େ, ସେହି ଦେଶର ପରିଚିତ କେତେ ଘର ଓ ମଣିଷ ମନେ ପଡ଼ନ୍ତି । ମୁଁ ଅନୁଭବ କରେ, ସତେ ଅବା ମୁଁ ନିଜର ଘର ଓ ନିଜର ମଣିଷଙ୍କୁ ମନେ କରୁଚି-। ଗୋଟାଏ ଦେଶ ଓ ଗୋଟାଏ ଭାଷାକୁ ମାନେ ପକାଇବାରେ ଓ ଭଲ ପାଇବାରେ ଯଦି ଅନ୍ୟ କୌଣସି ଦେଶ ଓ ଭାଷା ପ୍ରତି କୌଣସି ଦ୍ଵେଷ ପୋଷଣ କରିବାକୁ ନ ପଡ଼େ, ତେବେ ମୁଁ କହିବି, ଏହି ଭଲ ପାଇବା ସଂସାରରେ ଉତ୍ତରୋତ୍ତର ବୁଦ୍ଧି ପାଉଥାଉ, ସଂସାରରେ ଏହି ଭଲ ପାଇବାର ଅଧିକରୁ ଅଧିକ ବିସ୍ତାର ଲାଭ କରୁଥାଉ ।

 

୦୭ । ୧୨ । ୬୫

 

ସଂସାରରେ କୌଣସି ଦେଶ, ଜାତି, ଧର୍ମ ବା ବାଦର ଅଧିକାର ରହିବା ନାହିଁ । ମଣିଷ ହିସାବରେ ଏଠି ପ୍ରତ୍ଯେକ ମଣିଷର ଅଧିକାର ରହିଛି,—ମୋ ମତରେ ମାନବିକ ଅଧିକାର କହିଲେ ଆମେ ମୂଳତଃ ଏହାହିଁ ବୁଝିବା । ଇତିହାସରେ ପ୍ରଧାନତଃ ମଣିଷକୁ ହିଁ ଅସ୍ଵୀକାର କରାଯାଇଚି, ଓ ମଣିଷକୁ ଘୋଡ଼ାଇ ରଖିବା ପାଇଁ ଜାତି, ଦେଶ ଧର୍ମ ବା ବାଦର ପୌତ୍ତଳିକତାକୁ ବାହାନା ପରି ବ୍ୟବହାର କରାଯାଇଚି । ଧର୍ମକୁ ମଣିଷ ଉପରେ ଅଧିକାରୀ କରାଇ ରଖିବାର ଅର୍ଥ ଧର୍ମର ଗାଦୀ ମାଡ଼ି ବସିଥିବା କେତେଜଣଙ୍କୁ ସ୍ଵେଚ୍ଛାଚାରୀ ହେବାର ସ୍ଵୀକାର ପାତ୍ର ଦେବାକୁ ହିଁ ବୁଝାଇଥାଏ । ଯେତେବେଳେ ମଣିଷର ଅଧିକାରକୁ ଆତ୍ମସାତ କରି ଦେଶ, ଜାତି ବା ବାଦ ଅଧିକାରୀ ହୋଇ ବସେ, ସେତେବେଳେ ଏହିସବୁ ସାମୂହିକତାର ବାହାନରେ କେତେଟା ମଣିଷଙ୍କର ପ୍ରବଳତାଟା ହିଁ ଜାରି ହୋଇ ରହେ । ପୃଥିବୀର ଇତିହାସରେ ଏପରି ପ୍ରହସନ ଅନେକବାର ହୋଇଚି । ମଣିଷ ନାମରେ ଯୁଦ୍ଧ ହୋଇଚି—ତଥାପି ମଣିଷର ମଣିଷ ପଣିଆ ଉପରେ ହିଁ ସବୁଠାରୁ ଅଧିକ ଦୁର୍ବୃତ୍ତପଣିଆ କରାଯାଉଚି । ମଣିଷର ଅଧିକାରକୁ ସ୍ଵୀକାର କରାଯାଉ ବୋଲି ଯଦି ଆମେ ଏ ଯୁଗରେ ପ୍ରକୃତରେ ଇଚ୍ଛା କରୁଥାଉ, ତେବେ ଦେଶ, ଜାତି ଧର୍ମ ବା ବାଦର ଭ୍ରମରେ ପଡ଼ିଗଲେ ମଣିଷ ହିସାବରେ ଆମର ଦୁଃଖ କଦାପି ଯିବ ନାହିଁ । ପ୍ରତ୍ୟେକ ମଣିଷର କଲ୍ୟାଣ ଯେଉଁ ଦିନ ଯେକୌଣସି ସାମୂହିକ ଦର୍ପର ପୁଷ୍ଟି ସାଧନ ଅପେକ୍ଷା ଅଧିକ ଆବଶ୍ୟକ ବୋଲି ଅନୁଭୂତ ହେବ, ହୁଏତ ସେହିଦିନ ହିଁ ମଣିଷ ହିସାବରେ ମୋ’ର ଆଉ ସମସ୍ତଙ୍କର ଭାଗ୍ୟ ଫେରିବା । ସଂସାରର ରାଜନୀତି ଆଡ଼କୁ ଅନାଇ ଆଜି ଆପଣାକୁ ଜଣେ ମଣିଷ ହିସାବରେ ବଡ଼ ହତଭାଗ୍ୟ ବୋଲି ମନେହୁଏ, ଆପଣାର ଦୁରାଗ୍ରହଗୁଡ଼କୁ ଅନାଇ ମଧ୍ୟ ଆପଣାକୁ ବଡ଼ ହତଭାଗ୍ୟ ବୋଲି ମାନେ ହୁଏ-। ମୁଁ ସମୂହ ଭିତରେ ହଜିଯିବାକୁ ଚାହିଲେ ମୋତେ ମୋ’ର ଅଧିକାର ଦେବା କିଏ ?

 

୦୮ । ୧୨ । ୬୫

 

ମୁଁ ଜଣେ ମଣିଷ, ତାହାହିଁ ମୋ’ର ଯଥେଷ୍ଟ ପରିଚୟ । ଆଉ ଜଣେ ମଧ୍ୟ ଜଣେ ମଣିଷ, ତାହାହିଁ ତା’ର ଯଥେଷ୍ଟ ପରିଚୟ । ଖ୍ରୀଷ୍ଟିଆନ ଯଦି ଖ୍ରୀଷ୍ଟିଆନ ଭାବି ଆଉଜଣକୁ ଶ୍ରଦ୍ଧା କରେ ବା ଆଦର ଦେଖାଏ, ତେବେ ତାକୁ ମୁ ଯଥାର୍ଥ ଶ୍ରଦ୍ଧା ବା ଆଦର ବୋଲି କହି ପାରିବାନାହିଁ । ହିନ୍ଦୁର ଆଚାର ଦେଖି ମୋତେ ଯଦି କୌଣସି ବାତାବରଣ ବା କୌଣସି ଘର ଭଲଲାଗେ, ତେବେ ମୁଁ ସେଠୀ ଅସଲ ମଣିଷ ପ୍ରତି ମୋ’ର ଆଦର ଦେଖାଉଚି ବୋଲି କୁହାଯାଇପାରିବ ନାହିଁ । ମଣିଷ ଭାରତରେ ଅଛନ୍ତି, ପାକିସ୍ତାନରେ ଅଛନ୍ତି । ସଭ୍ୟ ଦେଶରେ ଅଛନ୍ତି ଓ ତଥାକଥିତ ଅସଭ୍ୟ ଦେଶରେ ଅଛନ୍ତି । ସବୁ ମଣିଷ ଭିତରେ ଭଲ ରହିଚି ବା ଭଗବାନ ରହିଚନ୍ତି ବୋଲି ଗ୍ରହଣ କରିବାକୁ ହେଲେ ପ୍ରଥମେ ମୋତେ ସବୁଠାରୁ ମଣିଷକୁ ପ୍ରଧାନତଃ ମଣିଷ ବୋଲି ଗ୍ରହଣ କରି ନେବାକୁ ହେବ । ଦେଶକୁ ଭଲ ପାଇବା, ଆଚାରକୁ ଭଲପାଇବା, ଭଗବାନଙ୍କୁ ଭଲପାଇବାର ବହନରେ ଆପଣାର ଧର୍ମକୁ ଅର୍ଥାତ୍‍ ଆପଣାର ମୂର୍ତ୍ତିଗୁଡ଼ାକୁ ଭଲ ପାଇବାର ଅନ୍ତରାୟ ହୋଇରହିଛି । ଗୋଟାଏ ପାଖରେ ଖ୍ରୀଷ୍ଟିଆନ ଧର୍ମ ସବୁ ମଣିଷକୁ ମଣିଷର ସମ୍ମାନ ଦିଆଯାଉ ବୋଲି ପ୍ରଚାର କରିଚି, ଏଣେ ସଂସାର ଯାକକୁ ଖ୍ରୀଷ୍ଟିଆନ ଭେକ ପିନ୍ଧାଇଦେବ ବୋଲି ହତିଆର ଧରି ବହାରିଚି । ତଦ୍ଦ୍ଵାରା ସଂସାରରେ ଧର୍ମ ବଢ଼ିନାହିଁ, ଉଗ୍ରତା ବଢ଼ିଚି:ଅଶ୍ରଦ୍ଧା ବା ପକ୍ଷଶ୍ରଦ୍ଧା ବି ବଢ଼ିଚି । ଅଧିକାର ମଣିଷ ମାତ୍ରକେ ସମସ୍ତଙ୍କୁ ଶ୍ରଦ୍ଧା କରିବାକୁ ବୁଝାଇବା ଉଚିତ ।

 

୦୯ । ୧୨ । ୬୫

 

ଏହି ପୃଥିବୀରେ ମଣିଷର ଅଧିକାର ପ୍ରତିଷ୍ଠିତ ହେବେ, ଅର୍ଥାତ୍‍ ଯାବତୀୟ ଭେକର ଓ ଯାବତୀୟ ନାମର ସାମୂହିକ ଉତ୍ପୀଡ଼ନମାନ ଅପସରି ଯିବ । ଇତିହାସରେ ସାମୂହିକ ଉତ୍ପୀଡ଼ନଗୁଡ଼ାକ ପ୍ରଧାନତଃ କେତେଟା କ୍ଷମତାପନ୍ନ ମଣିଷ ବା ଗୋଷ୍ଠୀର ଉତ୍ପୀଡ଼ନକୁ ହିଁ ବୁଝାଇ ଆସିଚି । ରାଷ୍ଟ୍ରର ସର୍ବାଧିକାର କହିଲେ ସତ୍ତାଧାରୀ ମାନଙ୍କର ସ୍ଵେଚ୍ଛାଚାରକୁ ହିଁ ବୁଝାଇଚି, ଅନ୍ୟ ମଣିଷମାନେ ସେହିମାନଙ୍କର ଉଦ୍ଦେଶ୍ୟସିଦ୍ଧି ଲାଗି ପ୍ରଧାନତଃ ପଣ୍ୟଦ୍ରବ୍ୟ ବା ଗୋଡ଼ିମାଟି ପରି ବ୍ୟବହ୍ରୃତ ହୋଇଚନ୍ତି । ରାଷ୍ଟ୍ର ନାମରେ ଆଜି ମଧ୍ୟ ପୃଥିବୀରେ ନାନା ଦୃଶ୍ୟ ଓ ଅଦୃଶ୍ୟ ସ୍ଵେଚ୍ଛାଚାର ଚାଲିଚି, ସାମୂହିକ ଜୀବନ କହିଲେ ଆଜି ମଧ୍ୟ ମଣିଷ ବେକରେ ନାନାପ୍ରକାର ପଘା ପକାହୋଇ ତାକୁ ମଣ କରାଯାଉଚି । ଧର୍ମ ନୈତିକତା, ସମାଜଚାର ମଣିଷକୁ ସିନା ଗଭୀରତର ଓ ସାର୍ଥକତର ଜୀବନର ଅନୁଭୂତି ଲାଗି ଯୋଗ୍ୟ ହେବାରେ ସହାୟତା କରୁଥାନ୍ତେ, ସେମାନେ ଓଲଟି ମଣିଷକୁ ଉଗ୍ର ସାମୂହିକତା ପାଖରେ ବଳି ପଡ଼ିବାରେ ହିଁ ଅଧିକ ସାହାଯ୍ୟ କରୁଚନ୍ତି । ମଣିଷକୁ ମନ କରି ରଖିବା ପାଇଁ ତାର ସାମାଜିକ ଅନୁଷ୍ଠାନଗୁଡ଼ିକୁ ବଡ଼ ଚତୁରତା ସହକାରେ ମନ କରି ରଖାଯାଇଚି । ମାନବିକ ଅଧିକାରର ପ୍ରତୀକଟିକୁ ବହନ କରୁଥିବା ଦିବସରେ ଆମକୁ ଏହିସବୁ କଥାକୁ ବିଚାର କରିବାକୁ ହେବ । ଆପଣା ଭିତରକୁ ଅଧିକ ସାହସର ସହିତ ଅନାଇ ପାରିବାକୁ ହେବ । ଧର୍ମ, ଦେଶ ଓ ଜାତିର ସକଳ ପରାସ୍ତ ଭେଦି ଆପଣା ଭିତରେ ମଣିଷକୁ ହିଁ ସ୍ଵୀକାର କରି ନେବାକୁ ହେବ-। ଆପଣା ଭିତରର ମଣିଷକୁ ଶ୍ରଦ୍ଧା କରି ତାହାକୁ ହିଁ ଉଦ୍ୟତ କରାଇ ନେବାକୁ ପଡ଼ିବ ।

 

୧୦ । ୧୨ । ୬୫

 

ଏହି ଦିନଟି ମାନବିକ ଅଧିକାରର ପାଳନ ଲାଗି ଉଦ୍ଦିଷ୍ଟ ହୋଇଚି । ଏହି ଦିନଟିରେ ଶିକ୍ଷିତ ସହାନୁଭୂତି ସଂପନ୍ନ ମଣିଷ ସଂସାରର ଆହୁରି କୋଟି କୋଟି ମଣିଷଙ୍କ ପ୍ରତି ଆପଣାର ଏକ ଆଦର୍ଶ ଅଭିଳାଷ ପ୍ରକାଶ କରିବାକୁ ହିଁ ପ୍ରଧାନତଃ ଏହି ଦିନଟି ପାଳିତ ହେଉଚି । ଏହି ବାବୁ ଓ ଚାକରର ସଂସାରରେ, ନାନା ମନୁଷ୍ୟକୃତ ଅନ୍ୟାୟର ଏହି ସଂସାରରେ ମାନବିକ ଅଧିକାର ତଥାପି ସୁଦୂରପରାହତ ହୋଇରହିଚି । ସଂସାରରେ ରାଜନୀତିକ ଉଗ୍ରତା ଉଣା ହେଲେ ଯାଇ ପ୍ରତ୍ୟେକ ମଣିଷକୁ ମଣିଷ ହିସାବରେ ତା’ର ଅଧିକାର ଦେବାର ବାସ୍ତବ ପ୍ରଶ୍ନ ଉଠି ପାରିବ । ରାଜନୀତି ମଣିଷକୁ ମଣିଷ ହିସାବରେ ତା’ର ଅଧିକାର ଦେବାର ବାସ୍ତବ ପ୍ରଶ୍ନ ଉଠି ପାରିବ । ରାଜନୀତି ମଣିଷକୁ ମାଟିଗୋଡ଼ି ପରି ବ୍ୟବହାର କରିବାର ଉଗ୍ରତା ଦେଖାଇଥାଏ, ଜାତି ବା ଦେଶର କୌଣସି ଜୁଆଳିରେ ମଣିଷଙ୍କୁ ବଳଦ ପରି ଯୋଚି ତାହାକୁ ହିଁ ପ୍ରଗତି ବୋଲି କହିବାର ଫିକର କରିଥାଏ । ମଣିଷକୁ ମଣିଷ ବୋଲି ସ୍ଵୀକାର କରିବା, ଯେତେ ପ୍ରକାର ଅନ୍ତରାୟ ସୃଷ୍ଟି କରି ମୁଁ ମଣିଷର ମଣିଷ ହେବାକୁ ବ୍ୟାହତ କରି ରଖିଚି, ଆପଣା ଇଚ୍ଛାରେ ସେହିସବୁ ଅନ୍ତରାୟ ଦୂର କରିନେବା,—ଏଥିପାଇଁ ଯେଉଁ ଶିକ୍ଷା ଦରକାର, ତାହାକୁ ମୁଁ ଧର୍ମଶିକ୍ଷା ବୋଲି କହିବି । ହୁଏତ ତାହାକୁ ସର୍ବଶ୍ରେଷ୍ଠ ରାଜନୀତିକ ଶିକ୍ଷା ବୋଲି ମଧ୍ୟ କୁହାଯାଇପାରିବ । ଆଜି ଦିବସଟିର ଆହ୍ଵାନ ହେଉଚି ଧର୍ମ ଓ ଶିକ୍ଷାର ଆହ୍ଵାନ । ମାନବିକ ରାଜନୀତି ଓ ମାନବିକ ସମାଜନୀତିର ଆହ୍ଵାନ । ମୁଁ ଏହି ଆହ୍ୱାନର ଯୋଗ୍ୟ ହୋଇ ପାରିଚି ତ ? —ପ୍ରତ୍ୟେକ ମଣିଷ ଆଜି ଆପଣାକୁଏହି ପ୍ରଶ୍ନ କରିବା ଉଚିତ ।

 

୧୧ । ୧୨ । ୬୫

 

ଗୋଦାବରୀଶ ମହାପାତ୍ର ଚାଲିଗଲେ ବୋଲି ଶୁଣିଲି । ଏ କାଳର ଯୁବକମାନେ ତାଙ୍କୁ ପ୍ରଧାନତଃ ‘ନିଆଁ ଖୁଣ୍ଟା’ର ସଂପାଦକ ବୋଲି ଚିହ୍ନିବେ, କିନ୍ତୁ ଯେତେ ପିଲାଦିନରୁ ମୁଁ ତାଙ୍କର ପରିଚୟରେ ଆସିଥିଲି, ସେହି ଦୃଷ୍ଟିରୁ ଗୋଦାବରୀଶଙ୍କର କଥା ଭାବିଲେ ମୁଁ ‘ନିଆଁ ଖୁଣ୍ଟା’ର ପଢ଼ୁଥିବା ବେଳେ ବା ନିଆଁଖୁଣ୍ଟା ବିଷୟରେ କଥା ପଡ଼ୁଥିବା ବେଳେ ମୁଁ ଗୋଦାବରୀଶଙ୍କୁ ନିଆଁ ଖୁଣ୍ଟାର ଭୁମି ଉପରୁ ଅଲଗା କରି ଦେଖିବାର ଚେଷ୍ଟା ବି କରିଥାଏ । ମୁଁ ଜାଣେ ନିଜେ ଗୋଦାବରୀଶ ମଧ୍ୟ ମୋର ପ୍ରୟାସକୁ କଦାପି ପସନ୍ଦ କରିନଥାନ୍ତେ, କିନ୍ତୁ ଗୋଦାବରୀଶଙ୍କ ପ୍ରତି ମୋର ବ୍ୟକ୍ତିଗତ ଦୃଷ୍ଟି ଯେପରି ରହିଆସିଚି, ତାହାରି ଅନୁସାରେ ହିଁ ମୁଁ ତାଙ୍କୁ ମୋ’ର ମନୋଗଗନରେ ଜୀଆଇ ରଖିବାକୁ ଚେଷ୍ଟା କରି ଆସିଚି । ତରୁଣ ଉପନ୍ୟାସ ଲେଖକ ଗୋଦାବରୀଶଙ୍କୁ ମୁଁ ଚିହ୍ନିଥିଲି, ତାଙ୍କର ତରୁଣ ସାହିତ୍ୟିକ ସ୍ଵପ୍ନଦିନେ ଅତି ପିଲାକାଳରେ ମୋ’ ଭିତରେ କେଉଁ ନିର୍ଝରର ସ୍ଵପ୍ନଭଙ୍ଗ କରାଇଥିଲା । ବାରବର୍ଷ ବୟସରେ ତାଙ୍କ ସହିତ ଯେତେବେଳେ ମୋ’ର ପ୍ରଥମ ପରିଚୟ ହେଲା, ସେତେବେଳେ ମୁଁ ତାଙ୍କୁ ଆଗ ଶ୍ରଦ୍ଧା ଓ ଭକ୍ତି କରି ଶିଖିଲି, ତା’ପରେ ତାଙ୍କର ସାହିତ୍ୟିକ ପରିଚୟ ପାଇଲି । ଏହି ଶ୍ରଦ୍ଧା ହେତୁ କେବଳ ଯେ ତାଙ୍କର ସାହିତ୍ୟ ପ୍ରତି ମୋର ଶ୍ରଦ୍ଧା ଜାତ ହେଲା ତାହା ନୁହେଁ, ସମଗ୍ର ଭାବରେ ସାହିତ୍ୟ ପ୍ରତି ମୋର ଶ୍ରଦ୍ଧା ଜାତ ହେଲା । ଏବଂ ସେହି ଶ୍ରଦ୍ଧା ଦ୍ଵାରା ଅଧିକରୁ ଅଧିକ ପ୍ରେରିତ ହୋଇ ମୁଁ ଆପଣାର ଅନେକ ସାହିତ୍ୟକ ଅର୍ଥାତ କଳାତ୍ମକ ଓ ସୃଷ୍ଟିଶୀଳ ଦିଗର ଆବିଷ୍କାର କରି ପାରିଲି । ସାହିତ୍ୟକୁ ମନ ବଳିଲା, ସେହି ଅନୁସାରେ ଆପଣାକୁ ଘଷିବାକୁ ଓ ମାଜିବାକୁ ମନ ବଳିଲା, ମୋ’ର ପାଠ ପଢ଼ିବା ଭିତରେ ସାହିତ୍ୟର ଅଧ୍ୟୟନ ମଧ୍ୟ ଏକ ପ୍ରଧାନ ସ୍ଥାନ ଅଧିକାର କଲା । ମୁଁ ଏହିପରି ଭାବରେ ଗୋଦାବରୀଶଙ୍କୁ ମାନେ ରଖିଚି ।

 

୧୨ । ୧୨ । ୬୫

 

ସକାଳ ପହରରୁ ଅର୍ଥାତ ସୂର୍ଯ୍ୟ ଉଠିବା ପୂର୍ବରୁ ମୁଁ ଏହି ଖାତାରେ ମୋ’ର ଆଜି ଦିନଟିର ଲିପି ଲେଖିଥାଆନ୍ତି । କିନ୍ତୁ ଯେଉଁ ସମୟରେ ଏଠି ବସି ଦିନତି ଆରମ୍ଭ କରିବାର କଥା, ସେତେବେଳେ ମୁଁ ବିଛଣାରେ ଅଳସୁଆ ହୋଇ ପଡ଼ିଥିଲି । ଅଳସ ବିନୋଦନ କରୁଥିଲି । ନୀତିବାଦୀ ହୋଇଥିଲେ ମୋ’ର ନୀତିଭଙ୍ଗ ହେଲା ବୋଲି ମୁଁ ବର୍ତ୍ତମାନ ଆପଣା ଉପରେ କେତେପ୍ରକାରେ କ୍ଷୁନ୍ନ ଓ ରୁଷ୍ଟ ହେଉଥାନ୍ତି । କିନ୍ତୁ ଏବେ ସେସବୁ ଖୋଇ ନାହିଁ, ହୁଏତ ଆଗେ ଥିଲା-। ଆଜି ଦିନଟି ଆରମ୍ଭ ହେଲା, ସୂର୍ଯ୍ୟ ଉଠି ମୋ’ର ହୃଦୟର ଅଣ୍ଟିକୁ ପୂର୍ଣ୍ଣ କରିଦେଇ ଗଲା, ମୋ’ର ବାସନା ପୁଣି କେତେ ନୂତନ ଆକାଙ୍‍କ୍ଷାରେ ସଜୀବ ଓ ପ୍ରସନ୍ନ ହୋଇଉଠିଲା, କେତେ ସମ୍ଭାବନାର ଆଶୀର୍ବାଦ ପରଶ ମୋ’ର ମନମୂଳକୁ ଛୁଇଁଦେଇ ଚାଲିଗଲା । ତେଣୁ, କ୍ଷୋଭ ବା ରୋଷର ଅବସର ହିଁ ପାଇଲିନାହିଁ । ମୋ’ର ଖୁସି ଆଉ ମୋ’ର କାମ ମୋ ଜୀବନରେ ପରିପୂରକ ହୋଇ ରହିଥିଲେ ମୁଁ ଅନେକ ପ୍ରକାର ଆତ୍ମକ୍ଳେଶରୁ ରକ୍ଷା ପାଇ ଯାଉଥିବି । ମୋ’ର ଆଳସ୍ୟ ଓ ମୋ’ର ଆନନ୍ଦ ପରସ୍ପରର ପରିପୂରକ ହୋଇ ରହିଥିଲେ ମୁଁ ଅନେକ ବାର୍ଦ୍ଧ୍ୟକରୁ ଆପଣାକୁ ବଞ୍ଚାଇ ରଖି ପାରିବି । କାମକୁ ଖୁସି ବୋଲି ଗ୍ରହଣ କରୁଥିଲେ ମୁଁ ଆପଣା ଅଶୁଭ ମନର ଅନେକ ଉତ୍ପୀଡ଼ନରୁ ବଞ୍ଚି ରହିପାରିବି । ନିୟମସର୍ବସ୍ଵତାର ଅନେକ ଉପୀଡ଼ନରୁ ରକ୍ଷା ପାଇପାରିବି । ଦିନ ପରେ ଦିନ, ବର୍ଷ ପରେ ବର୍ଷ ଚାରି ସାଉଥିବ, ତଥାପି ବୁଢ଼ା ହେବାରେ ଲାଗିବ ନାହିଁ । କେଉଁ ଭୟରାଜ୍ୟର ଭୃତ୍ୟ ପରି ଲାଗିବ ନା ହିଁ, ଏହି ଘରେ ମୋତେ କେଉଁ ଜନକର ସନ୍ତାନ ପରି ଲାଗିବ, କେଉଁ ଅଶେଷ ପଥରେ ପଥିକ ପରି ଲାଗିବ ।

 

୧୩ । ୧୨ । ୬୫

 

ଆଗେ ସବୁକଥାରେ ପ୍ରତିବାଦ କରିବାକୁ ମନ ହେଉଥିଲା, ଆପଣାର ମତ ଲାଗି ଯୁଦ୍ଧ ଲଢ଼ି ଗଡ଼ ଜିତିବାକୁ ଭାରି ମନ ହେଉଥିଲା । ଅପରକୁ ପ୍ରତିକ୍ରିୟାଶୀଳ ବୋଲି ପ୍ରମାଣ ନକରିବା ପର୍ଯ୍ୟନ୍ତ ଆପଣା ଭିତରର ପ୍ରଗତି ପ୍ରେମର ସନ୍ତାପ ଦୂର ହୋଇ ପାରୁନଥିଲା । ଏବେ ସେପରି ହେଉନାହିଁ । ଯଦି ଆଉ ଜଣେ ମୋ’ଠାରୁ ଭିନ୍ନ ମତ ପୋଷଣ କରୁଚି, ବା ମୋ ମତରେ ପ୍ରତିକ୍ରିୟାଶୀଳ ମତ ପୋଷଣ କରୁଚି, ତେବେ ତା’ ସହିତ କଳହ କରିବାକୁ ଏବେ ଆଉ କୌଣସି ଉତ୍ସାହ ହେଉନାହିଁ । ତାକୁ ସହି ହୋଇଯାଉଚି, କାରଣ ଆପଣ ବାଟରେ ସରାଗ ଓ ସଙ୍କଳ୍ପର ସହିତ ଚାଲିବାରେ ମୁଁ ତାଙ୍କୁ କୌଣସି ପ୍ରକାରେ ଏକ ବାଧା ବୋଲି ଅନୁଭବ କରି ପାରୁନାହିଁ । ମୋ’ର କଳହପ୍ରିୟତା ମରି ଯାଇଚି, କିନ୍ତୁ ମୁଁ ଶୀତଳ ହୋଇ ଯାଇନାହିଁ । ମୁଁ ଜାଣେ, ଆପଣାର ବିଶ୍ଵାସ ଅନୁସାରେ ଏହି ସଂସାରରେ ଆପଣାର ଜୀବନ ବଞ୍ଚିଯିବାକୁ ହିଁ ପଡ଼ିବ । ସେହି ବିଷୟରେ କେଉଁଠି ଆପଣା ସହିତ ବା ଆଉ କାହା ସହିତ ସନ୍ଧି କରିବାର କୌଣସି ପ୍ରଶ୍ନ, ହିଁ ଉଠୁନାହିଁ । ନରମ ଭାବରେ ହେଉ ପଛକେ, ତଥାପି ଦୃଢ଼ ଭାବରେ ଆପଣାର କଥା କହିବାକୁ ପଡ଼ିବ । ଅନ୍ୟମାନେ ପଛକୁ ଟାଣିବେ, ଅନ୍ୟମାନେ ଶୀତଳ କରିଦେବାକୁ ଆସିବେ, ବାବୁ ହୋଇ ବସିଯିବାର ଲୋଭ ଦେବାକୁ ଆସିବେ, ତଥାପି ଆପଣା ବାଟରେ ଚାଲିଯିବାକୁ ହେବ । କିନ୍ତୁ ଏହି ଚାଲି ଯିବା ଲାଗି ସେମାନଙ୍କ ସହିତ କଳହ କରିବାକୁ ପଡ଼ିବ ନାହିଁ ! ଶାନ୍ତ ହୋଇ ସବୁ ଶୁଣିଯିବାକୁ ପଡ଼ିବ, କୌଣସି ପ୍ରକାର ଅସହିଷ୍ଣୁତା ନ ଦେଖାଇ ଶୁଣିଯିବାକୁ ପଡ଼ିବ । ଅନ୍ୟ ସହିତ କଳହ କରିବାକୁ ମୋ’ର କୌଣସି ଅଧିକାର ନାହିଁ । କିନ୍ତୁ ବାଟରେ ସ୍ଥିର ହୋଇ ଚାଲିବାର ଅଧିକାର ମୋ’ର ସବୁବେଳେ ରହିଚି ।

 

୧୪ । ୧୨ । ୬୫

 

ସଙ୍କଳ୍ପ ବଢ଼ୁ, ଜିଦ୍ କମିଯାଉ । ଆଗ୍ରହ ବଢ଼ିବାରେ ଲାଗିଥାଉ, କିନ୍ତୁ ଜ୍ଵର ଛାଡ଼ିଯାଉ । ବିଶ୍ୱାସ ବଢ଼ୁ, ଉଗ୍ରତାର ସମସ୍ତ ଖୋଳ ଖସିପଡ଼ୁ । କେଉଁ ଅପମଣିଷ ବା ଅପଦେବତାର ପ୍ରତିଶୋଧ ନେବାକୁ ମୁଁ ମୋ’ର ଆଦର୍ଶକୁ ବା ମୋ’ର ବାଟକୁ ଭଲ ପାଉନାହଁ, ବାଟ ଚଳିବାକୁ ହିଁ ମୁଁ ମୋ’ର ବାଟକୁ ଭଲ ପାଉଚି । ତେଣୁ, ଉତ୍ତେଜନା ବଢ଼ୁଥିଲେ,ଅସହିଷ୍ଣୁତା ବଢ଼ୁଥିଲେ, ମୁଁ ବାଟ ଚାଲିବାରୁ କୌଣସି ଆନନ୍ଦ ପାଇ ପାରିବିନାହିଁ । ମୋ’ର ବାଟ ଯେତିକି ମୋ’ର ଆପଣାର ହେବ, ଜୀବନକୁ ଭଲପାଇ ମୁଁ ଯେତିକି ମୋ’ର ଜୀବନ ବଞ୍ଚି ଶିଖିବି, ଜୀବନ ପ୍ରତି ମୋ’ର Humour ସେତିକି ବଢ଼ିବାରେ ଲାଗିବ । ଜୀବନ ସେତିକି ସହଜ ହେବ, ଆଦର୍ଶ ଲାଗି ଜୀବନ ବଞ୍ଚିବା ଅର୍ଥାତ ପରିପୂର୍ଣ୍ଣ ଭାବରେ ଜୀବନ ବଞ୍ଚିବା ସେତିକି ସ୍ଵାଭାବିକ ହୋଇଯିବ । ଏଥିପାଇଁ କୌଣସି କୋଳାହଳ ବା ଅସହିଷ୍ଣୁତା କୀର୍ତ୍ତନ କରିବା ଆଉ ଦରକାର ପଡ଼ିବନାହିଁ, ମୋ’ର ଗୁରୁ କୌଣସି ଅସହିଷ୍ଣୁ ପନ୍ଥାର ରାଜସିକ ଗୁରୁ ନୁହେଁ, ମୋ’ର ଆଦର୍ଶ କୌଣସି ପ୍ରକାର ପ୍ରଚାର ଆଡ଼ମ୍ବର ନୁହେଁ-। ଆଦର୍ଶ ଅନ୍ତର୍ଗତ ହେଉଥିବା ସଙ୍ଗେ ସଙ୍ଗେ ବାହାରର ଅସହିଷ୍ଣୁତା କମିଯିବା ବଡ଼ ସ୍ଵାଭାବିକ-। ତେଣୁ ପାଟି କରିବାରେ କୌଣସି ଫଳନାହିଁ । ଏଣିକି ବାଟ ଚାଲିବାକୁ ହେବ । ଅନେକ ସମୟରେ ବାଟ ନଚାଲିବାର ଫିସାଦରୁ ଅଧିକ ପାଟି କରିବାର ଲୋଭ ହୁଏତ ନିଷ୍ପନ୍ନ ହୋଇଥାଏ । ଆପଣା ଜୀବନର ଅଭିଜ୍ଞତାରୁ ବି ମୁଁ ଅନେକ ସମୟରେ ଏକଥା ଅନୁଭବ କରିଚି । ମୁଁ ସେ ଲୋଭରେ ପଡ଼ିବି ନାହିଁ । କାରଣ ବାଟ ଚାଲିବାକୁ ମୁଁ ଧର୍ମ ବୋଲି ଗ୍ରହଣ କରିଚି ।

 

୧୫ । ୧୨ । ୬୫

 

କଣ୍ଢେଇପୂଜା କରୁକରୁ ସରଳ ବାଳିକାମନ ସତ ଜୀବନର ଅନୁଭବ କଲାଭଳି କାଲି ଔପଚାରିକ ଭାବରେ ବନ୍ଧୁମେଳରେ ମହମବତୀ ଜଳାଇ ବଡ଼ଦିନ ପର୍ବର ଗୀତ ଗାଉଗାଉ ସତେ ଯେପରି ମୁଁ ଏକାବେଳେକେ ଇଉରୋପକୁ ଚାଲିଯାଇଥିଲି । ଇଉରୋପ ସହିତ ଯେ ମୋ’ର କେଉଁଠି ଏକ ଚେର ଲାଗି ରହିଚି, ଡିସେମ୍ବର ମାସ ଓ ବଡ଼ଦିନ ପର୍ବରେ ମୁଁ ସେ କଥାଟା ସବୁଠାରୁ ଅଧିକ ଅନୁଭବ କରେ । ଏହି ପର୍ବରେ ପ୍ରତିବର୍ଷ ଇଉରୋପର ବନ୍ଧୁସଂସାରରେ ଉତ୍ସବର ଅବସରରେ ସମବେତ ହୋଇ ପାରୁଥିଲେ ମୁଁ ଆପଣାକୁ କେଡ଼େ ଭାଗ୍ୟବାନ‍୍ ମନେ କରୁଥାନ୍ତି ! ଏହି ସମ୍ପର୍କ କେବଳ ଗୋଟାଏ ପର୍ବ ସହିତ ସମ୍ପର୍କ ନୁହେଁ, କେବଳ ଏକ ଭୂଖଣ୍ଡ ସହିତ ସମ୍ପର୍କ ନୁହେଁ । ହୃଦୟର ଗୋଟାଏ ନୂଆ ସଞ୍ଚାରପଥ ଖୋଲିଗଲେ ଯେଉଁ ସମ୍ପର୍କ ଲାଗିଯାଏ ଓ ଯେପରି ଅଭିଭୂତ ହୋଇ ଗଲାପରି ମନେହୁଏ, ଏହି ସମ୍ପର୍କକୁ ମୁଁ ତାହାହିଁ କହିବି । ସଂସାରଯାକ ଆମେ ଯେଉଁ ଭଗବାନ ଓ ପ୍ରତିମାମାନଙ୍କୁ ପୂଜା କରୁଚୁ, ସେସବୁ ଆମରି ସୃଷ୍ଟି, ଆମରି କଳ୍ପନା ପ୍ରଣୋହିତ ସମ୍ମିଳନେଚ୍ଛାର ସୃଷ୍ଟି । ଯେଉଁ ମଣିଷ ଏହିସବୁ ପ୍ରତିମାର ସୃଷ୍ଟି କରିଚି, ତାହାକୁ ପ୍ରକୃତରେ କବି ବୋଲି କହିବାକୁ ହେବ । ଧର୍ମ ନାମରେ ଏଠି ଭାଗବତସମ୍ମିଳନର ଅବତାରଣାମାନକରି ସେ କେତେ ଲୀଳା ଲଗାଇ ନଦେଇଚି ! ସଂସାରର ନାନା ସମୂହରେ ଜୀବନର ସ୍ୱାଦକୁ କେଡ଼େ ବିଚିତ୍ର କରି ନ ଦେଇଚି ! ଧର୍ମର ବାଟରେ ସ୍ଵର୍ଗଲାଭର ଅଧିକ ସମ୍ଭାବନା ରହିଚି କି ନାହିଁ, ସେକଥା ମୁଁ ଜାଣିନାହିଁ । ସେ ବିଷୟ ଜାଣିବାକୁ ମୋ’ଭିତରେ କୌଣସି ଶଙ୍କାପୂର୍ଣ୍ଣ ଜିଜ୍ଞାସା ମଧ୍ୟ ନାହିଁ । କିନ୍ତୁ ଏହାଦ୍ୱାରା ଏହି ଜୀବନରେ ମଣିଷ ମଣିଷର ସମ୍ପର୍କ ଭିତରେ କେତେ ଅର୍ଥ ଓ କେତେ ଶୁଭବାସନା ଭରି ଦିଆଯାଇଚି !

 

୧୬ । ୧୨ । ୬୫

 

ଶୀତରେ ହାତ କାଲୁଆ ହୋଇଯାଉଚି । କମ୍ବଳ ଭିତରୁ ହାତ ବାହାର କରି କଲମ ଧରିବାକୁ ଇଚ୍ଛା ହେଉନାହିଁ । ତଥାପି ଏ ଶୀତ ସହିହେବ । ତଥାପି ପାହାନ୍ତାର ଏହି ଶୀତ ପାହାଡ଼ରେ ଉଠି ଆପଣାର ଦେହ ଓ ମନକୁ ପ୍ରସ୍ତୁତ କରି ଆଜି ଦିନଟିର ସୂର୍ଯ୍ୟୋଦୟ ଲାଗି ଅପେକ୍ଷା କରି ରହିବା ସମ୍ଭବ ହେବ । କିନ୍ତୁ ମୋ’ହୃଦୟକୁ ବା ଆଗ୍ରହକୁ ଯେପରି କୌଣସି ପ୍ରକାର ଶୀତର ଜଡ଼ତା କୌଣସି ଦିନ ଗ୍ରାସ କରି ନପକାଉ ! ମୁଁ ଜାଣେ, ଜୀବନ ଉପରୁ ବିଶ୍ଵାସ ତୁଟିଗଲେ ଅନ୍ତର ଭିତରେ ଶୀତ ଘୋଟିଗଲା ପରି ଲାଗେ । ଆପଣା ହାତମୁଠା ଭିତରେ ସଂସାରଯାକର ସମ୍ପତ୍ତି ଓ ସମ୍ପଦକୁ ଯାବୁଡ଼ି କରି ରଖିବାକୁ ବସିଲେ ଶୀତକୁ ହିଁ ଆପଣା ଗମ୍ଭୀର ଭିତରେ ସିଂହାସନରେ ବସାଇବାକୁ ପଡ଼େ । ଅଧିକ କ୍ଷମତା ବା ଅଧିକ ସମ୍ମାନକୁ ଆପଣା ଜୀବନ୍ଵେଷଣର ପିତୁଳା କରି ଗ୍ରହଣ କରିନେଲେ ଜୀବନରେ ଆଉ ସରାଗ ରହେନାହିଁ, ଅନ୍ତରଟା ଶୀତ ଜର୍ଜର ହୋଇଯାଏ । ମୋ’ର ଜୀବନରେ ଏପରି ଦୁର୍ଦ୍ଦଶା ଯେପରି କେବେହେଲେ ନ ଘଟୁ ! ପୁଷମାଘର ଶୀତ ତ ପୁଷମାଘ ଗଲେ ସରିଯିବ,ପୁଣି ଆରବର୍ଷ ପର୍ଯ୍ୟନ୍ତ ଅପସରି ଯିବ । କିନ୍ତୁ ମୋର ହୃଦୟ ବା ଆଗ୍ରହକୁ ଶୀତ ଘାରିଲେ ମୋ’ ଜୀବନଟା ହିଁ ଏଇଠି ଅଟକି ଗଲାପରି ଲାଗିବ । ସେତେବେଳେ ଆଉ ବାଟ ଚାଲିବାର ପ୍ରଶ୍ନ ଉଠିବନାହିଁ, ବାଟ ଖୋଜିବାର ପ୍ରଶ୍ନ ବି ଉଠିବନାହିଁ, ଜୀବନର ସରାଗରେ କେଉଁଠି ଦାଣ୍ଡେ ଅଭିଭୂତ ହୋଇ ପଡ଼ିବାକୁ ସେତେବେଳେ ଭାରି ଡର ମାଡ଼ିବ, ମୋ’ ସଂକୀର୍ଣ୍ଣ ସୀମାରେ ଲାଳସା ଗୁଡ଼ାକୁ ଡେଇଁ ଆଉ କାହାରି ଦୁଆରେ ଯାଇ ପହଞ୍ଚିବାର ପ୍ରେରଣା ହିଁ ସମ୍ଭବ ହେବନାହିଁ ।

 

୧୭ ।୧୨ ।୬୫

 

ଅଧ୍ୟାପକ ହିସାବରେ ମୋତେ ବର୍ଷକୁ ଚଉଦଦିନ ବ୍ୟକ୍ତିଗତ ଛୁଟି ମିଳିବାର ନିୟମ ରହିଛି । ଘର ପାଖରେ ହୋଇଥିଲେ ହୁଏତ ଦିନେ ଦୁଇଦିନ ଛୁଟି ନେଇ ଘରକୁ ଦଉଡ଼ି ଯିବାର ମନ ହେଉଥାନ୍ତା । ତେଣୁ ମୋ’ର ଛୁଟି ନେବାର କୌଣସି ଆବଶ୍ୟକତା ପଡ଼େନାହିଁ, ତେଣୁ ମୁଁ ଏହି ଛୁଟିକୁ କାମରେ ଲଗାଇ ପାରେନାହିଁ । କେତେବେଳେ କୌଣସି ଅତିଥି ଆସି ପହଞ୍ଚିଲେ ତାଙ୍କୁ ଆଗ୍ରା ସହର ବୁଲାଇ ଦେଖାଇବାକୁ ପଡ଼େ । ହୁଏତ କେବେଳ ସେଇଥିଲାଗି ମୋତେ ଛୁଟି ନେବାକୁ ହୋଇଚି । ଫଳରେ ପ୍ରତିବର୍ଷ ମୋ’ର ଅଧିକାଂଶ ଛୁଟିଦିନ ବେକାର ହୋଇଚି । ବର୍ତ୍ତମାନ ବରଷ ସରିଆସୁଛି । ଡିସେମ୍ବର ମାସ ଯିବା ସଙ୍ଗେ ସଙ୍ଗେ ଏହି ବରସର ଛୁଟିଗୁଡ଼ାକ ମଧ୍ୟ ବେକାର ହୋଇଯିବ । ତେଣୁ ବରଷ ସାରିବା ଆଗରୁ ହୁଏତ ମୁଁ ଜାଣିଶୁଣି ବାକି ଥିବା ଛୁଟିଗୁଡ଼ାକ ନେଇ ଉପଭୋଗ କରିପାରନ୍ତି । ଅର୍ଥାତ, ଶିକ୍ଷାନୁଷ୍ଠାନକୁ ଆସନ୍ତି ନାହିଁ । ଘରେ ବସି ଆରାମରେ ବହି ପଢ଼ନ୍ତି ବା ନିଶ୍ଚିତ ହୋଇ ଆଗ୍ରା ସହରରେ ବୁଲି ଆସନ୍ତି । ନିୟମତଃ ମୋତେ କେହିହେଲେ କିଛି କହିବାକୁ ନଥାନ୍ତା । ଏକଥା ମୁଁ ଭଲ କରି ଜାଣିଛି, ତଥାପି ମୁଁ ଏକଥା ବି ଜାଣିଛି ଯେ, କାମ ନଥାଇ ଶିକ୍ଷାନୁଷ୍ଠାନକୁ ଛୁଟି ନେବା ମୋ’ ପକ୍ଷରେ ସମ୍ଭବ ହୋଇପାରନ୍ତା ନାହିଁ । ଖୁସିରେ କାମ କରିବା ଓ ମୂଲ ଲାଗିବା ଭିତରେ ଏହି ଫରକ ରହିଛି ।

 

୧୮ ।୧୨ ।୬୫

 

ଶିକ୍ଷକତା କରି ମୁଁ ଅବଶ୍ୟ ମଜୁରି ପାଉଛି, କିନ୍ତୁ ମଜୁରି ପାଇବାକୁ କଦାପି ଶିକ୍ଷକତା କରୁନାହିଁ । ସାହିତ୍ୟ ଲେଖି ମୋତେ ପଇସା ଅବଶ୍ୟ ମିଳୁଛି । କିନ୍ତୁ ପଇସା ପାଇବାକୁ ମୁଁ ସାହିତ୍ୟ ଲେଖୁନାହିଁ ମୋ’ର ଲେଖା ସାହିତ୍ୟ ବଜାରର Best Seller ହେବାର ଆକାଂକ୍ଷା କେବେହେଲେ ରଖିବନାହିଁ । ମଜୁରିଆ ହିସାବରେ ଯଦି ମୁଁ ଶିକ୍ଷକତା କରୁଥାନ୍ତି, ତେବେ ମଜୁରି ପାଇବା ଲାଗି ହିଁ ମୁଁ ସବୁ କରୁଥାନ୍ତି, ଖୁସି ହୋଇ କିଛି କରୁନଥାନ୍ତି । ମୁଁ ଟିକିଏ ଫାଙ୍କ ପାଇଲେ ଦଉଡ଼ି ଚିତା କାଟି ପଲାଉଥାନ୍ତି,—ଜୀବନକ୍ଷେତ୍ରରେ ମୋ’ର ଏହି ବେଉସାକୁ ପ୍ରଧାନତଃ ଏକ ଶ୍ରମକ୍ଲେଶ ବୋଲି ବିଚାରୁଥାନ୍ତି । ନିୟମତଃ ବରଷକରେ ମୋ’ର ଯେତେଟା ଦିନ ଛୁଟି ପାଇବାର କଥା, ମାପିଚୁପି ମୁଁ ସେତିକିଦିନ ଛୁଟି ନନେଇ କଦାପି ଛାଡ଼ୁନଥାନ୍ତି । କୌଣସି ଆବଶ୍ୟକତା ନଥିଲେ ମଧ୍ୟ ଗୋଟିଏ ଦିନର ଛୁଟିକୁ ବି ଛାଡ଼ୁନଥାନ୍ତି । ଦପ୍ତରତ କିରାଣୀ ଚଉକି, ଟେବୁଲ ଓ ଫାଇଲ ପତ୍ରକୁ ଯେପରି କ୍ଲିଷ୍ଟ ନୈବ୍ୟକ୍ତିକ ଭାବରେ ଦେଖେ, ମୁଁ ମୋ’ର ଛାତ୍ରମାନଙ୍କୁ ପ୍ରଧାନତଃ ସେହିପରି ଦେଖୁଥାନ୍ତି । ଅର୍ଥାତ, ମୋ’ର ସକାଳ ଅଳଙ୍କାର ଓ ଆଭରଣ ସତ୍ତ୍ୱେ ମୁଁ ବୟସ ଥାଉ ଥାଉ ବୁଢ଼ା ହୋଇ ଯାଆନ୍ତି । ବୟସ ହୋଇଗଲେ ମଧ୍ୟ ତଥାପି ଆପଣା ଆଗ୍ରହ, ଉତ୍ସାହ ଓ ନିବେଦନ-ଆକାଂକ୍ଷା ବଳରେ ତରୁଣା ହୋଇ ରହିବାର ପ୍ରଶ୍ନ ଉଠୁନଥାନ୍ତା ।

 

୧୯ । ୧୨ । ୬୫

 

ଏ ଶରୀରର ମୂଲ୍ୟ ଅନେକ । ଅସୁସ୍ଥ ଶରୀର ମନକୁ ଭାରି ଅସଂଯୁକ୍ତ କରି ରଖେ । ହୃଦୟ ଭିତରଟା ଶୀତରାତି ପରି ଭାରି ଜର୍ଜର ମନେହୁଏ । ଚାରିଆଡ଼ୁ ଯେପରି ଡୋର ଛିଡ଼ିଯାଏ । ମୋର ଭାରି ସୌଭାଗ୍ୟ ଯେ, ଅଧିକାଂଶ ଦିନ ଏପର୍ଯ୍ୟନ୍ତ ମୁଁ ସୁସ୍ଥ ହୋଇରହିଚି । ମୋ’ର ଶରୀର ଓ ମୋ’ର ମନ ଭିତରେ ଅଧିକାଂଶ ସମୟରେ ସଖ୍ୟ ରହିଚି । ଶରୀର ମାୟା ବୋଲି ମୁଁ ଅନେକ ଥାନାରେ ପଢ଼ିଚି, କିନ୍ତୁ ଆପଣା ଶରୀରଟା ସହିତ ବାଟ ଚାଲି ସେସବୁ ଜ୍ଞାନକଥାରେ ବିଶ୍ୱାସ କରିବାକୁ ଆଦୌ ମନ ହୋଇନାହିଁ । ଆପଣାର ଶରୀରକୁ ମୁଁ ଆପଣାର ସାଥି ରୂପେ ଚିହ୍ନି ଶିଖିଚି, ସବୁଦିନ ସୂର୍ଯ୍ୟୋଦୟ ପୂର୍ବରୁ ଏହି ଶରୀର ସତେଅବା ଧ୍ୟାନମୁଖ ହେଲାପରି ନୂତନ ଦିନଟିର ପ୍ରବେଶ ଦ୍ଵାରରେ ଯାଇ ଦଣ୍ଡାୟମାନ ହୋଇଚି । ମୋ’ର ସମସ୍ତ ଦିନଟି ସେଇଥିରେ ହିଁ ସାର୍ଥକ ହୋଇ ଗଲାପରି ଲାଗିଚି । ମୋ’ ଶରୀରର ସହଯୋଗ ପାଇ ନଥିଲେ ମୁଁ ଆଜି ଯାହା ହୋଇଚି, ତାହା କଦାପି ହୋଇ ପାରି ନଥାନ୍ତି । ଶରୀରର ସହଯୋଗ ମିଳି ନଥିଲେ ମୁଁ କଦାପି ଜୀବନକୁ ଏତେ ଭଲ ପାଇ ଶିଖି ନ ଥାନ୍ତି । ଯେଉଁ ଧର୍ମ ଶରୀରକୁ ମିଥ୍ୟା ବୋଲି କହି ଜୀବନର ବିକାଶ କରିବାକୁ ଶିଖାଇଚି । ସେହି ଧର୍ମରୁ ମୁଁ ଆଦୌ କୌଣସି ପ୍ରେରଣା ପାଇପାରି ନାହିଁ । ଯେଉଁ ଜୀବନଧର୍ମ ଶରୀରକୁ କିଳି ରଖି ଶୁଭବୃତ୍ତିର ଉନ୍ମୋଚନ କରିବାକୁ ଚାହେଁ, ସେଥିରୁ ମୁଁ ଖୁବବେଶୀ ମାର୍ଗଦର୍ଶନ ପାଇ ପାରେ ନାହିଁ । ଆଜି ଦିନମାନ ମୋ’ର ଅସୁସ୍ଥ ଶରୀରଟାକୁ ନେଇ ମୁଁ ଅନ୍ଧାର ଘରେ ବିଛଣା ଉପରେ ପଡ଼ି ରହିଥିଲି । ଜୀବନର ସକଳ ଦୁଆର ଯେପରି ବନ୍ଦ ହୋଇ ରହିଥିଲା । ବାହାରେ ଥିବା ଆଲୋକର ପୃଥିବୀ ସହିତ ମୋ’ର ସବୁ ସଂଯୋଗ ଛିଡ଼ି ଯାଇଥିଲା ।

 

୨୪ । ୧୨ । ୬୫

 

ପୂର୍ବଦିଗଟା ଯାକ ଲାଲ ହୋଇ ରହିଚି । ଆଉ କେତେଟା କ୍ଷଣ ଗଲେ ସୁର୍ଜ୍ୟୋଦୟ ହେବ । ଆଜିର ସୁର୍ଜ୍ୟଦୟ ହେଉଚି କ୍ରିସମାସର ସୁର୍ଜ୍ୟୋଦୟ । ଭାରତର ଭୂମି ଉପରେ ଖୃଷ୍ଟଜନ୍ମ ପରମ୍ପରାଟିର କଳ୍ପନା ହୋଇଥିଲେ ନିଶ୍ଚୟ ସେହି କଲ୍ପନା ଭିତରେ ସୂର୍ଯ୍ୟ ଓ ସୁର୍ଜ୍ୟୋଦୟର ଏକ ମହନୀୟ ସ୍ଥାନ ରହିଥାନ୍ତା । ଖ୍ରୀଷ୍ଟଜନ୍ମର ପରମ୍ପରା ଓ ମହତ୍ଵକୁ ଜଣେ ଭାରତୀୟ ଅଣ-ଖ୍ରୀଷ୍ଟିୟାନ ହୋଇ ଯଦି ମୁଁ ଏତେ ନିବିଡ଼ ଭାବରେ ଅନୁଭବ କରି ପାରୁଚି,ତେବେ ମୋ’ ଆଖିକୁ ଏଡ଼େ ସୁନ୍ଦର ଦିଶୁଥିବା ଓ ମୋ’ର ହୃଦୟକୁ ଏପରି ଅଭିଭୂତ କରି ଦେଉଥିବା ସୁର୍ଜ୍ୟୋଦୟ –ପ୍ରସନ୍ନ ସକାଳକୁ ପୂର୍ବଦିନର ସକାଳ ବୋଲି କହିବା କୌଣସି ପ୍ରକାରେ ଅସ୍ଵାଭାବିକ ହେବ ନାହିଁ । ଇଉରୋପରେ ଏହି ପୂର୍ବଦିନ ମୁଁ ବରଫ ବରଷିବାର ଆକାଂକ୍ଷା ରଖିଥାଏ । ଆରବଖଣ୍ଡର କୌଣସି ସ୍ଥାନରେ ଥିଲେ ହୁଏତ ମୋ’ର ପର୍ବଭାବନା ପ୍ରକୃତିର ଆଉ କୌଣସି ସ୍ଥାନୀୟ ବିଶେଷତା ସହିତ ସମ୍ମିଳିତ ହୋଇ ରହିଥାନ୍ତି । ପ୍ରତୀକ ବଡ଼ ନୁହେଁ, ଅନୁଭୂତି ବଡ଼ । ବର୍ଣ୍ଣନା କରି କହିବା ବଡ଼ ନୁହେଁ, ଅଙ୍ଗେ ନିଭାଇବା ହେଉଚି ଅସଲ କଥା ।ଅନୁଭୁତି ନଥିଲେ କୌଣସି ପ୍ରକାରର model ପ୍ରତୀକ କଦାପି ମୋ’ର ପ୍ରାଣରେ ଆଜି କୌଣସି ପର୍ବ ଭାବନାର ସଞ୍ଚାର କରି ପରନ୍ତୀନାହିଁ । କିନ୍ତୁ ମୁଁ ଭଲକରି ଜାଣିଚି, ଇଉରୋପର ଖ୍ରୀଷ୍ଟିୟାନ ପରମ୍ପରା ଓ ପ୍ରେରଣା ମୋତେ ଇଉରୋପ ସହିତ ଏକ ଦେଶାତୀତ ମାନବୀୟ ସୂତ୍ରରେ ଚିର ଜୀବନ ଲାଗି ବାନ୍ଧି ରଖିଛି ।

 

୨୫ ।୧୨ ।୬୫

 

ଦିଲ୍ଲୀରେ ଏହି ସିତା ରାତିରେ ମଧ୍ୟ ହଜାର ହଜାର ମଣିଷ ଶୋଉଚନ୍ତି । ଭାରତ ବର୍ଷର ପ୍ରତ୍ଯେକ ଛୋଟ ବଡ଼ ସହରରେ ମଧ୍ୟ ଏହିପରି ହେଉଚି । ଏହା ମୋ’ପକ୍ଷୟରେ ମଧ୍ୟ ଏକ ଲଜ୍ୟାର କଥା ମୋ’ ଦେଶ ଭାରତ ବର୍ଷରେ ଏପରି ହେଉଚି ବୋଲି ଯେ ମୋତେ ଲଜ୍ଜା ମାଡ଼ିବା ଉଚିତ ତା’ ନୁହେଁ, –ମୋ’ର ଅତି ପାଖରେ ଏହିପରି ଘଟନା ଘଟୁଛି ଓ ଯେଉଁ ପୃଥିବୀକୁ ମୁଁ ମୋ’ର ଐତିହ ବୋଲି କହି ଗର୍ବ ଅନୁଭବ କରୁଛି, ସେହି ପୃଥିବୀରେ ମଣିଷ ପ୍ରତି ଏପରି ଅପମାନ ହେଉଚି, ତାହାହିଁ ମୋର ଲଜ୍ଜ୍ୟାର କାରଣ, ତେଣେ ପୃଥିବୀକୁ ଉଧାର କରିବାକୁ ଉଗ୍ର ନିଶାଗ୍ରସ୍ତ ହୋଇ ବାହାରେ ଥିବା ଦୌତ୍ୟପକ୍ଷ୍ୟ ମାନେ ଯୀଶୁଙ୍କ ଉପରେ ଅନୁଗ୍ରହ କଳାପରି ଦିନାକା ସକାଶେ ଅସ୍ତ୍ରଚାଳନା ବନ୍ଦ କରିବେ ବୋଲି କେତେ ଆଡ଼ମ୍ବରରେ ଆଲୋଚନା କରୁଛନ୍ତି, –ସେମାନଙ୍କର ହାତ ଓଠ ଧରିଲା ପରି ପୃଥିବୀରେ କେଡ଼େ ବଡ଼ ବଡ଼ ଲୋକ ସେମାନଙ୍କୁ ଦିନେ ମାତ୍ର ଲଢାଇ ବନ୍ଦ କରିବାଲାଗି ଅନୁରୋଧ କରୁଛନ୍ତି । ଏଣେ ସେହି ପୃଥିବୀରେ ଲକ୍ଷ ଲକ୍ଷ ମଣିଷ ଖୋଲା ରାସ୍ତା ଉପରେ ଶୀତରାଟି କଟାଇବାକୁ ବାଦ୍ଧ ହେଉଛନ୍ତି । ସେମାନଙ୍କରା ଦେହଟା ହୁଏତ ଯେକୌଣସି ପ୍ରକାରେ ବଞ୍ଚି ରହିଛି, ମାତ୍ର ସେମାନେ ଯେଉଁ ମଣିଷ ପଣିଆ ବା ମାନବିକ ସମ୍ଭାବନାମାନ ନେଇ ଏହି ଦେଶରେ ବା ଏହି ସଂସାରରେ ଜନ୍ମ ହୋଇଥିଲେ, କେତେପ୍ରକାର ରାତିର କେତେପ୍ରକାର ଶୀତ ସେଗୁଡ଼ିକୁ କୌ ଦିନୂ ମାରିଦେଇ ସାରିଲେଣି । ଆରମରେ ସୌଥିବା ଆମ ଭିତରେ ମଧ୍ୟ ଆଉ କ’ନ ନାମରି ବାକି ରହିଛି ?

 

୨୬ ।୧୨ ।୬୫

 

ଏବର୍ଷ ବଡ଼ଦିନଟା ବଡ଼ ଏକା ଏକା କଟିଗଲା । ଏହି ପର୍ବଦିନରେ ଇଉରୋପରେ ମୋ’ର ପରିଚିତ ଘରମାନଙ୍କରେ କେତେ ଆନନ୍ଦ କୋଳାହଳ ଲାଗି ରହିଥିବ, ଆପଣାର କଲ୍ପନା ଭିତରେ ସେହିଗୁଡ଼ାକୁ ଅନୁଭବ କରୁକରୁ ଏହି ଦିନଉଡ଼ିକ ଗୋଟି ଗୋଟି ହୋଇ ଚାଲିଗଲା । ସଂସାରର ସମ୍ପର୍କ ଜଗତରେ ବର୍ତ୍ତମାନ ଯେପରି ଜଳବାୟୁ ରହିଛି; ସେଥିରେ ବଡ଼ଦିନପର୍ବା ଲାଗି ଯଥାର୍ଥ ଆନନ୍ଦ ଅନୁଭବ କରିବାର ଅନୁକୂଳ ପ୍ରେରଣା ହୁଏତ ମଣିଷକୁ ମିଳିବନାହିଁ । ଜୀବନପ୍ରତି ବିଶ୍ଵାସ, ମୋ’ ସହିତ ଏକାଠି ଏହି ବିରାଟ ସମ୍ବନ୍ଧରେ ବସ କରୁଥିବା ସବୁ ମଣିଷ ଉପରେ ବିଶ୍ଵାସ,–ଏହାହିଁତ ବଡ଼ଦିନର ସବୁଠାରୁ ବଡ଼ ସନ୍ଦେଶ । ଏତିକି ଅନୁଭବ କରିପାରିଲେ ସିନା ଆମେ ସମସ୍ତେ ଅତି ସ୍ଵାଭାବିକ ଭାବରେ ଆମର ଐତିହ ଭିତରେ ବଡ଼ଦିନାର ମହତ୍ବକୁ ଅନୁଭବ କରିପାରିବା । କିନ୍ତୁ ବିଶ୍ଵାସ କେଉଁଠି କାହିଁ ? ଦେଶ ଦେଶ ଭିତରେ ଜାତୀୟତାର ପୋଷାକ ପିନ୍ଧି କେବଳ ଭୟ ଓ ଅବିଶ୍ଵାସଟା ହିଁ କାମ କରୁଛି । ଆମେ ପ୍ରତ୍ଯେକେ ଭାବୁଛୁ, କେବଳ ଆମରି ଦେଶଟା ସଂସାରରେ ରହିବା, ଅନ୍ୟମାନେ କେବଳ ଆମର ବୋଲି ମନି ରହିବେ । ବ୍ୟକ୍ତିଗତ ଜୀବନରେ ସ୍ନେହମମତାର ନାନା ମୋହଜାଲରେ ଛନ୍ଦିହୋଇ ରହିଥିଲେ ମଧ୍ୟ ଆମ ଜୀବନ ଦୃଷ୍ଟିରେ ସ୍ନେହା ବା ପ୍ରେମ ଲାଗି ସ୍ଥାନ କାହିଁ, ପର୍ବଦିନ ଲାଗି ସ୍ଥାନ କାହିଁ ?

 

୨୭ । ୧୨ । ୬୫

 

ଅସୁସ୍ଥତା କାହିଁ, ତଥାପି ଅସୁସ୍ଥତା–ପର୍ଜ୍ଯାୟରେ ଘରଭଙ୍ଗା ବା ଖଣ୍ଡାପୋତା ନହୋଇଥିବା ପରି ମାନେ ହେଉଚି । ଦିନମାନର ନାନା କାର୍ଯ୍ୟରେ ମୁଁ ସାଧାରଣତଃ ଯେପରି ଖୁସିରେ ଉଦ୍ୟତ ହୋଇଯାଏ, ଯେଉଁ ଖୁସିର ଶକ୍ତିରେ ଶରୀରଟା କେଡ଼େ ହାଲୁକା ଲାଗେ, ଏପର୍ଯନ୍ତ ସେହି ଖୁସିରେ ମୁଁ ଯେପରି ଫେରି ପାଇନାହିଁ । ମୁଁ କେତେ ନୂଆ ନୂଆ କାମରେ ଆପଣାକୁ ଗଅଂଠାଇ ଦେଉଥାଏ, କେତେ ସଂସାରରେ ବିଚରଣ କରି ବୁଲୁଥାଏ । ଗତ କେତେଦିନ ହେଲା ତାହା ସମ୍ଭବ ହୋଇ ପାରୁନାହିଁ । ମୁଁ ଯାହା ଥିଲି, ଠିକ ସେହିପରି ରହିଛି, କିନ୍ତୁ ଶରୀରତା ଯାହାଥିଲା, ଠିକ ସେହିପରି ହୋଇ ନାହିଁ । ଏବେ ମୋ’ ଶରୀରଟାକୁ ଯେ କେବଳ ଶିତ ଲାଗୁଚି ଟା’ ନୁହେଁ ମନଟା ମଧ୍ୟ କେଉଁ ଆଦରି ରହିଥିବା ସାନ ଘରଟି ଭିତରେ ବଡ଼ ଶୀତକାକର ହୋଇ ପଡ଼ିରହିଛି । ଶରୀର ଉପରେ ଜବରଦସ୍ତି କରି ମୁନତାକୁ ସ୍ଵାଭାବିକ ଭାବରେ କର୍ମତତ୍ପର କରି ପାରିବିନାହିଁ । ମୋ’ର ଅସମର୍ଥତା ମୁଁ ଖୁବ ଭଲ କରି ଜାଣେ । ତେଣୁ ମୁଁ କେବେଳ ଅପେକ୍ଷା କରି ରହିଛି । ଯେତେବେଳେ ନିଜ ହୃଦୟରେ ଦ୍ଵାରା ବନ୍ଦ ହୋଇଯାଏ, ଯେତେବେଳେ ମନର ସବୁ କବାଟ ପଡ଼ିଗଲା ପରି ମନେହୁଏ, ସେତେବେଳେ ମଧ୍ୟ ମୁଁ କେବଳ ଅପେକ୍ଷା କରି ରହେ । କବାଟ ଖୋଲିବାଯାଏ ଅପେକ୍ଷା କରି ରହେ, ବିଶ୍ଵାସର ସହିତ ଅପେକ୍ଷା କରି ରହେ ଶରୀର ବେଳକୁ ମଧ୍ୟ ମୋ’ର ରୀତି ଠିକ ଏହିପରି । ମୋତେ ଅପେକ୍ଷା କରିବାକୁ ହେବ, ସ୍ଵାଭାବିକତାର ସ୍ପର୍ଶ ବାଜିବାଯାଏ ଅପେକ୍ଷା କରିବାକୁ ହେବ ।

 

୨୮ । ୧୨ । ୬୫

 

ଯେତେ ଯାହା କାହା ପଛକେ, ମନ ଏଠି ନାହିଁ ।ମନଟା ଯେ କୌଠି ଅଛି, ସେକଥା ମଧ୍ୟ ମୁଁ କହି ପାରିବିନାହିଁ । ଏହି କେତେଦିନ ହେଲା ମୁଁ ଯେପରି ନିଜେ ମଧ୍ୟ ନିଜ ମନର ଦଉଡ଼ିକୁ ଖୋଜି ପାଉନାହିଁ, ନିଜ ମନର ଅସନ୍ତୋଷକୁ ଠଉରାଇ ପାରିନାହିଁ । ଏହି ଅସନ୍ତୋଷ ବା ଉଡ଼ାନିସତାର ଏକାଧିକ କାରଣ ରହିଛି ବୋଲି ମୁଁ ଭଲ କରି ଅନୁମାନ କରି ପାରୁଛି । କିନ୍ତୁ ବରଷ ଶେଷ ହେବା ବେଳକୁ ଏହି ଉଦାସୀନତା ମୋତେ ଆଦୌ ଭଲ ଲାଗୁନାହିଁ । ପୁରୁଣା ଯାଉଚି, ନୂଆ ବର୍ଷ ଆସୁଛି, ଏଥିଲାଗି ମନ ଭିତରେ ପ୍ରସ୍ତୁତ ଦରକାର । ମୋ’ର ସେହି ପ୍ରସ୍ତୁତି ଆଜି ଯାଏ ଆରମ୍ଭ ହୋଇନାହିଁ । ଦିନପରେ ଦିନ କଟିଯାଉଚି, ମୁଁ ଯେପରି ବଡ଼ ଅସଂଯୁକ୍ତ ଅବିଚଳିତ ଭାବରେ ସମୟର ଏହି ବହିଯିବା ଭୀତରେ ଠିଆ ହୋଇ ରହିଛି । ବର୍ଷ ସରିଯିବା ଓ ନୂଆ ବର୍ଷ ଆରମ୍ଭ ହେବାର କୌଣସି ଅର୍ଥ ଯେପରି ମୋ’ଲାଗି ନାହିଁ । କାହିଁକି ଏପରି ହେଲା ? କେବଳ କେତେଟା ଦିନର ଅସୁସ୍ଥତା କ’ଣ ଏଥିଲାଗି ଦାୟୀ ? ଅସୁସ୍ଥାତାର ଆଘାତ ପାଇ ତାକୁ ମୁଁ ବୁଢ଼ା ହୋଇଯିବାର ଆଘାତ ପରି ଅନୁଭବ କଲି କି ? ଏହି ସଂସାରରେ ମୋ’ ଦ୍ଵାରା କିଛି ହୋଇ ପାରିବନାହିଁ, ସଂସାରକୁ ସୁନ୍ଦରତର ଦେଖିବାର ମୋ’ର ସବୁ କଳ୍ପନାରେ ରହି ଜୀବ, ଏହିସବୁ ଛାଡ଼ି ମୋତେ ନାନାଭାବେ କାମୁଡ଼ି ଧରିଛି କି ? ହୁଏତ ଏସବୁ ପ୍ରତ୍ଯେକଟି ଠିକ, –କିନ୍ତୁ ତଥାପି ତ ବିଶ୍ବାସର ଭଣ୍ଡାର ଖୋଲା ରଖିବାକୁ ହେବ, ସମର୍ପଣର ପାତ୍ରକୁ ପ୍ରସ୍ତୁତ ରଖିବାକୁ ହେବ, ସ୍ଵପ୍ନା ଦେଖିବାକୁ ହିଁ ହେବ ।

 

୨୯ । ୧୨ । ୬୫

 

‘ଜୀବନ ବିଡ଼ାଳୟ’ର ଦ୍ଵିତୀୟ ଭାଗ ବାହାରିଲା । ମୋ’ ଭିତରେ ଶିକ୍ଷକ ଢ଼ଳଢ଼ଳ ଆଖିରେ ଆପଣାକୁ ପଚାରୁଥିଲା । ଆଉ କ’ଣ ସେସବୁ ଦିନ ଫେରି ଆସିବ ନାହିଁ ? ଯେଉଁଠି ଆପଣାକୁ ପରିପୂର୍ଣ୍ଣ ଭାବରେ ସମର୍ପିତ ଭାବରେ ଆପଣା କାମରେ ଦେଇହେବା, ଆପଣାର କାମ ଆପଣା ଜୀବନର ବ୍ରତ ହେବ, ଅର୍ଥାତ ଆପଣା ଆନନ୍ଦ ଲାଗି ସର୍ବଶ୍ରେଷ୍ଟ ଆଧାର ହୋଇ ରହିବା ? ଯେଉଁଠି ପରିପୂର୍ଣ୍ଣ ସ୍ଵାଧିନତାରେ ନିଜକୁ ଶିକ୍ଷକ ହିସାବରେ ପ୍ରସ୍ତୁତ କରିବାର ସୁଯୋଗ ମିଳିବ । ଯେଉଁଠି ଶିକ୍ଷା କାମରେ ଆଉ କାହାର ଗୋଲାମି ଖଟିବାର ହୀନ କର୍ମ କରିବାକୁ ପଡ଼ିବ ନାହିଁ । ଯେଉଁଠି ବଡ଼ ଆସନ ଓ ବଡ଼ ପରିଚାଳକର ଭୟରେ ଶିକ୍ଷାକାର ସାହସ ଅର୍ଜନ କରିବାକୁ ତା ଶିକ୍ଷକ ସୁଲଭ ଆକାଂକ୍ଷାମାନ ପୋଷଣ କରିବାକୁ ମଧ୍ୟ ଭୟ ଲାଗିବ–ନାହିଁ । ଚମ୍ପତିମୁଣ୍ଡା ଏହିପରି ଏକ କ୍ଷେତ୍ର ଥିଲା, ମୋ’ ଲାଗି ତାହା ଏହିପରି ଏକ ତୀର୍ଥ ହୋଇ ରହିଥିଲା । ସେଥିଲାଗି ବାହାରକୁ କିଛି ନଥାଇ ମଧ୍ୟ ସେଠାରେ ସବୁ ରହିଥିଲା ପରି ଲାଗୁଥିଲା ଅଣ୍ଟି ପୁରୁନଥିଲେ ମଧ୍ୟ ହୃଦୟ ପୁରୀ ଯାଉଥିଲା । ଶେଠୀ ମୁଁ ଆଦର୍ଶ ବାଦର ଗୋଲାମି ଖଟୁନଥିଲି, ଶିକ୍ଷକ ହିସାବରେ ଅଶୀଜଣ ମଣିଷ ପିଲାଙ୍କ ସହିତ ମୁଁ ନିର୍ଭୟ ହୋଇ ଆପଣା ଘର ଏହି ସଂସାରାରେ ବାଟ ଚାଲି ସିଖୁଥିଲି । ସେହି ଦିନ ଗୁଡ଼ାକର ପ୍ରେରଣା ମୋତେ ଆଜି ମଧ୍ୟ ବଞ୍ଚାଇ ରଖିଛି । ଶିକ୍ଷକ ହିସାବରେ ସେଠାରେ ମୁଁ ଯାହାସବୁ ପାଇଥିଲି ସେହିଗୁଡ଼ାକ ହିଁ ମୋତେ ଆଜି ଅନ୍ୟ ଯେ କୌଣସି ବିଦ୍ୟାଳୟରେ ସାର୍ଥକ ଶିକ୍ଷକ ହେବାରେ ବାଟ ବଢାଇ ଦେଉଛି, ଜୀବନ ପ୍ରତି ମୋ’ର ବିଶ୍ବାସକୁ ବଢାଇ ଦେଉଛି ।

 

୩୦ । ୧୨ । ୬୫

 

ଆଜିକୁ ଚୋରୀ ହେବାକୁ ଠିକ ବରଷେ ପୂରିଯିବ । ମଝିରେ ସାନ ଚୋରୀ ଅବଶ୍ୟ ଠାରେ ହୋଇଚି, କିନ୍ତୁ ବଡ଼ ଚୋରିଟା ହିଁ ମୁଣ୍ଡ ଭିତରେ ଗୋଟାଏ ବଡ଼ ଜାଗା ମାଡ଼ି ବସିରହିଚି । ତା’ପରେ ଅନେକ ଶୁଭେଚ୍ଛୁଙ୍କ ପାଖରୁ ମଧୁର ସତର୍କବାଣୀ ଶୁଣିଛି ଯେ, ଆପଣାର ସାମଗ୍ରୀଗୁଡ଼ିକ ବିଷୟରେ ଏତେଦୂର ହୁଗୁଳା ହେଲେ ଆଦୌ ଚାଲିବନାହିଁ । ଅର୍ଥାତ ଆପଣାର ଜିନିଷପତ୍ର ବିଷୟରେ ଅଧିକ ସାବଧାନ ହେବାକୁ ପଡ଼ିବ । ସେମାନଙ୍କର ପରାମର୍ଶ ଅନୁସାରେ ମୁଁ ନିଜକୁ ଯଥାସମ୍ଭବ ମଣ କରିବାକୁ ଚେଷ୍ଟା କରିଚି । ତଥାପି, ଜୀବନରେ ସାବଧାନ ହୋଇ ରହିବାକୁ ଓ ଧ୍ୟାନ ଦେବାକୁ ଏତେପ୍ରକାର କ୍ଷେତ୍ର ରହିଚି ଯେ, ମୋ’ର ଉତ୍ସାହ ଓ ଆଗ୍ରହର ନଦୀଗୁଡ଼ିକୁ ଚାରିଆଡ଼ୁ ଶୁଖାଇଦେଇ ଆପଣାର ଜିନିଷ ଜଗିବାର ଆବଶ୍ୟକ ମାର୍ଗରେ ବୁହାଇ ଆଣିବା ମୋ’ ଦେଇ ସମ୍ଭବ ହୋଇ ପାରୁନାହିଁ । ଯାହାର ହୃଦୟ ଯେଉଁଠି ସମର୍ପିତ ହୋଇଥାଏ, ଶେଠୀ ସେ ଅତି ସ୍ଵାଭାବିକ ଭାବରେ ସାଧନ ହୋଇଯାଏ, ତା’ ଜୀବନର ସକଳ ଧ୍ୟାନ ସେଇଠି ଠୁଳ ହୋଇରହେ । ମୋ’ ଜୀବନରେ ଏପେରି ଗୋଟାଏ ଦୁଇଟା କ୍ଷେତ୍ର ରହିଚି । ଶେଠୀ କ୍ଷେତ୍ରରେ ପରିବର୍ତ୍ତନ କରିବା ଏଇ ବୟସରେ ଆଉ ସମ୍ଭବ ହେଳପରି ଲାଗୁନାହିଁ । ପିଲାଦିନରେ ମୋ’ର ପ୍ରେରଣାର ଭୂମିଗୁଡ଼ିକ ସହିତ ଯେପରି ପରିଚୟ ଘଟିଚି, ମୁଁ ପ୍ରଧାନତଃ ତାହାରି ଅନୁରୂପ ଭାବରେ ତିଆରି ହୋଇଆସିଚି-

 

୩୧ । ୧୨ । ୬୫

 

ଏଇ ବରଷଟିର ଶେଷ ଦିନ । ଜୀବନରେ ହେତୁ ହେବା ଦିନଠାରୁ ଏହିପରି ଗୋଟିକ ପରେ ଗୋଟିଏ ହୋଇ କେତେ ବରଷ କଟିଗଲା । ଏହି ବର୍ଷ ଶେଷ ଓ ବର୍ଷ ଆରମ୍ଭକୁ ନେଇ ମୁଁ କେତେ ଦର୍ଶନ କରି, କେତେ ସ୍ଵପ୍ନ ଦେଖିଲି, କେତେପ୍ରକାର ଭାବପ୍ରବଣତାରେ ଆପଣାକୁ ଅନୁସିକ୍ତ କରି ରଖିଲି । କିନ୍ତୁ, ଯେଉଁ ପୃଥିବୀର ଜଣେ ଦାୟିତ୍ଵପୂର୍ଣ୍ଣ ମଣିଷ ହିସାବରେ ମୁଁ ଏଠି ବଞ୍ଚିବାର ଅଧିକାର ନେଇ ଆସିଥିଲି, ସେହି ପୃଥିବୀର କେତେଦୂର କାମରେ ମୁଁ ଲାଗି ପାରିଲି ? ସଂସାରରରେ ସ୍ନେହ, ବିଶ୍ଵାସ ଓ ସାହସ ବଢ଼ାଇବାରେ ମୁଁ କିଞ୍ଚିତ ସହଯୋଗ କରିପାରିଲି କି ? ପୃଥିବୀରେ ଅନେକ କଥାର କେବେଳ ପୁନରାବୃତ୍ତି ହେବା ବ୍ୟତୀତ ହୁଏତ ଆଉ କିଛି ହେଉନାହିଁ । ନାନା ନୂତନ ଛାଞ୍ଚରେ ପୁରୁଣା ଘୃଣା ଓ ପୁରୁଣା ଭୟର ପୁନରାବୃତ୍ତି ହେଉଚି, ନାନା ନୂତନ ସୁତ୍ରାଡ଼ମ୍ବରରେ ପୁରୁଣା ଲାଳସା ଓ ପୁରୁଣା ଅବିଶ୍ଵାସର ବି ପୁନରାବୃତ୍ତି ହେଉଚି । ସେହି ପୁରାଣ ସଙ୍କୁଚିତ ହୃଦୟର ଗ୍ଲାନିକୁ ଘୋଡ଼ାଇ ରଖିବା ମତଲବରେ ମଣିଷ ସଭ୍ୟତା ଓ ସମ୍ପନ୍ନତା ନାମରେ ନାନାପ୍ରକାର ଅଳଙ୍କାରର ବୋଝକୁ ଆପଣା ଦେହରେ ଲଦିକରି ବସିଚି । ସ୍ଵପ୍ନ ସ୍ଵପ୍ନରେ ହିଁ ରହିଯାଉଚି, ଦର୍ଶନ କେବଳ ପୁତ୍ର ସର୍ବସ୍ଵ ପଣ୍ଡିତ ପଣିଆ ହୋଇ ରହିଯାଉଚି । କିନ୍ତୁ ଏଣେ ଯେଉଁଠି ଅସଲ ପରିବର୍ତ୍ତନ ହେବା ଉଚିତ, ଆମ ପ୍ରତ୍ୟେକଙ୍କର ଜୀବନକ୍ଷେତ୍ରରେ ସେଠି କୌଣସି ପରିବର୍ତ୍ତନ ହେଉନାହିଁ । ଓଲଟି ଆପଣାର ପୃଥିବୀକୁ ଛାରଖାର କରିବାକୁ ଆମର ପ୍ରସ୍ତୁତିମାନ ବଢିବାରେ ଲାଗିଛି,– ତେଣୁ ତ୍ରାସ ହିଁ ଜୀବନର ସର୍ବମୂଳ ପ୍ରେରଣା ପରି ହୋଇ ରହିଛି । ଏହି ସଂସାରର ସମର୍ଥିତ ମାନି ମୁଁ ମଣିଷ ହୋଇ ବଞ୍ଚି ରହିବାକୁ ପ୍ରୟାଶୀ ହେବି,– ଏହାହିଁ ଏ ଯୁଗର ସବୁଠାରୁ ବଡ଼ ଆହ୍ୱନ ।


୧୯୬୬

୦୧ । ୦୧ । ୬୬

 

ନୂତନ ବରଷର ସୂର୍ଯ୍ୟ ଉଠିବାକୁ ବର୍ତ୍ତମାନ କେତେ ଘଣ୍ଟା ଡେରି ଅଛି । ମୋ’ର ଆପଣା ଘରେ ବସି ମୁଁ ମୋ’ର ଭୁବନ ଲାଗି ନୂତନର ଆବାହନ ଜଣାଉଚି । ପୁରୁଣା ସବୁ ଭାଙ୍ଗିଯାଉ,ପୁରୁଣାର ବିଲୋପ ଘଟାଇ ନୂତନ ତାହାର ସ୍ଥାନ ଅଧିକାର କରୁ, ମୋ’ର ଆବାହନ ଦ୍ଵାରା ମୁଁ ଏପରି ମନାସିବାକୁ ଆଦୌ ଚାହୁନାହିଁ । ପୁରୁଣା ସ୍ନେହ ରହିଥାଉ, ପୁରୁଣା ପ୍ରୀତି ରହିଥାଉ, ନାନାକ୍ଷେତ୍ରରେ ଅପର ସମସ୍ତଙ୍କ ଲାଗି ନାନା ବନ୍ଧନରେ ଆବଦ୍ଧ ହୋଇ ଜୀବନର ବିପୁଳତା ଓ ପ୍ରଚୁର୍ଯ୍ୟକୁ ଅନୁଭବ କରିବାର ପୁରୁଣା ଆଗ୍ରହ ସେହିପରି ରହିଥାଉ । ତା’ ନହେଲେ ନୂଆ ଲାଗି ଆସ୍ଥାନ ଯୋଗାଇବା ଆଦୌ ସମ୍ଭବ ହୋଇ ପାରିବନାହିଁ । କିନ୍ତୁ ପୁରୁଣା ମୋହ ଭାଙ୍ଗିଯାଉ, ଆପଣାକୁ ସଂକୀର୍ଣ୍ଣ ପାଚେରି ଭିତରେ ବନ୍ଦ କରି ରଖିଥିବା ଭୟାସକ୍ତି ତୁଟିଯାଉ । ୧୯୬୫ ମସିହାରେ ଭାରତୀୟ ଲାଗି କେବଳ ଭାରତୀୟ ହେବାଲାଗି ଅର୍ଥାତ ବୃହତ୍ତର ପୃଥିବୀର ଅନ୍ୟାନ୍ୟ ଅନେକଙ୍କ ସହିତ ରହିଥିବା ସୂତ୍ର ଛିଡ଼ାଇ ଦେବାଲାଗି ଅନେକ ପ୍ରରୋଚନା ମିଳିବ । ଜାତୀୟ ସ୍ଵାର୍ଥ ନାମରେ ହୁଏତ ଅନେକ ସମୟରେ ସଂସାରରେ ସବୁଥିରୁ ଆପଣାକୁ ବିଚ୍ଛିନ୍ନ କରି ନେବାକୁ ବୁଝାଇଛି । ୧୯୬୬ ମସିହାରେ ସେଥିରେ ପରିବର୍ତ୍ତନ ଘଟୁ । ଭାରତ ଦୃଢ଼ ସଙ୍କଳ୍ପ ହୋଇ ଯାବତୀୟ ଅନ୍ୟାୟର ସମ୍ମୁଖୀନ ହେଉ, ତଥାପି ଆପଣାକୁ ରକ୍ଷା କରିବାର ମୋହରେ ଆପଣାର ସମ୍ଭବ ସୂତ୍ରମାନ ଛିଡ଼ାଇ ନଦେଉ; ସବୁ ପୃଥିବୀ ସୁଖୀ ହେବା ଉପରେ ଯେ ଭାରତର ସୁଖ ନିର୍ଭର କରୁଛି, ଏହି ବିଶ୍ଵାସ ଦୃଢ଼ତର ହେଉ ।

 

୦୨ । ୦୧ । ୬୬

 

ସେଦିନ ଦିଲ୍ଲୀରୁ ପରିଦର୍ଶକମାନେ ଆମ ଅନୁଷ୍ଠାନର ପରିଦର୍ଶନ କରି ଆସିଥିଲେ । ସେମାନେ ଆସିବେ ବୋଲି କୋଠାମାନଙ୍କରେ ଚୂନ ଧଉଳା ହେଲା, ରାସ୍ତା ସଫା ହେଲା, ପାହାଚମାନଙ୍କରେ ଫୁଲକୁଣ୍ଡ ସଜାହୋଇ ରହିଲା, ଆହାର ଓ ଉପହାରର ଆଡ଼ମ୍ବର ଖଞ୍ଜିଦେବା ଲାଗି କେତେ ଉପଚାରରେ କେତେ ଆୟୋଜନ ହେଲା । ମୋଟ ଉପରେ, ବାବୁମାନଙ୍କଠାରୁ ଆରମ୍ଭ କରି ପିଓନ ଓ ଜମାଦାର ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଦୁଇ ତିନିଦିନ କାଳ ଏସବୁ ଧନ୍ଦାରେ ବ୍ୟସ୍ତ ରହିଲେ । ହୁଏତ ଏପରି ବ୍ୟସ୍ତ ରହିବାକୁ ମଧ୍ୟ ମୁଁ ଆବଶ୍ୟକ ବୋଲି ଗ୍ରହଣ କରିବାକୁ ରାଜି ହେବି । ଆମର ଏଠାକୁ ଯେଉଁମାନେ ଅତିଥି ହୋଇ ଆସିବେ,ସେମାନେ ଭଲ ଦେଖିବେ, ଭଲ କହିବେ, ସମ୍ମାନର ସହିତ ସେମାନଙ୍କର ଚର୍ଚ୍ଚା ହେବ, ଏହା ଆବଶ୍ୟକ । କିନ୍ତୁ, ମୋ’ର କ୍ଷୁଣ୍ଣ ମନରେ ମୁଁ କେବଳ ଏତିକି ଭାବୁଥିଲି, ତାହାର ପରିଦର୍ଶକଙ୍କ ପାଇଁ ସାଜିବାରେ ଏମାନେ ଯେତିକି ଧ୍ୟାନ ଓ ଯେତିକି ଦୃଷ୍ଟି ଦେଖାଯାଉଥିଲେ ମଧ୍ୟ ଅନୁଷ୍ଠାନ ମଣିଷର ଶିକ୍ଷାରେ କେତେ ନା କେତେ ସହଯୋଗ କରିପାରନ୍ତା-। ଶିକ୍ଷାକ୍ଷେତ୍ରରେ ଉଦ୍ୟମ ଏହି ଅନୁଷ୍ଠାନର ସର୍ବପ୍ରଧାନ ଉଦ୍ୟମ, ଆମ ସମସ୍ତଙ୍କର ପରିଚୟ ପ୍ରଧାନତଃ ଶିକ୍ଷକର ପରିଚୟ । କିନ୍ତୁ ଆମର ଅଶିକ୍ଷକତତା ଓ ଅବହେଳାକୁ ଘୋଡ଼ାଇ ରଖିବାକୁ ଯଦି ପ୍ରଧାନତଃ ସାଜସଜ୍ଜା ଚାଲେ, ତେବେ ଆମ ଦେଇ କାହାର କି ମଙ୍ଗଳ ହେବ ?

 

୦୩ । ୦୧ । ୬୬

 

ଆଜି ହୃଦୟ ଭିତରେ ଏ ଉତ୍ତାପ କାହିଁକି ? ସଂସାରରେ ମୁଁ ଭଲପାଏ, ମୁଁ ମଣିଷକୁ ଭଲପାଏ । ମଣିଷ ଆଉ ସଂସାର ମୋହ ଅନେକ ସମୟରେ ଟାଣେ, ଅନେକ ସମୟରେ ଉଚ୍ଛନ୍ନ କରିପକାଏ । ମଣିଷ ଓ ସଂସାରକୁ ମୁଁ ଯେତିକି ନିବିଡ଼ ଭାବରେ ଆପଣାର ଅତି ପାଖରେ ଧରି ରଖିବି ବୋଲି ଚାହୁଥାଏ, ତାହା ହୋଇ ନପାରିଲେ ମୋତେ ସଂସାର ଓ ଜୀବନର ବାଟରେ ବଡ଼ ଏକୁଟିଆ ଲାଗେ । ଆଉ, ଏକୁଟିଆ ଅନୁଭବ କରିବା ମାତ୍ରକେ ହୃଦୟ ଉତ୍ତପ୍ତ ହୋଇପଡ଼ିଲା ପରି ଲାଗେ, ମୋ’ର ଭାଗବତ ଜୀବନରେ ଜର ଘୋଟିଯାଏ । ଏହି ଉତ୍ତାପରୁ ବୈରାଗ୍ୟ ଜନ୍ମେ, ପୁଣି ଉଗ୍ରତା ମଧ୍ୟ ଜନ୍ମେ । ଅର୍ଥାତ, ସବୁ ଡୋର ଛିଡ଼ାଇ ସବୁ ସମ୍ପକ କାଟି ବାହାରି ପଳାଇବାକୁ ଇଚ୍ଛା ହୁଏ; ପୁଣି, ମତ୍ତ ହାତୀ ପରି ସବୁ ବନରେ ପଶି ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଇବାକୁ ବି ମନ ହୁଏ । ଭଲ ପାଇବାର ସବୁ ଆଯୋଜନ ଭାଙ୍ଗିଯାଏ । କାରଣ, ଯୋଉଠି ଭଲ ପାଇବା ରହିଥାଏ, ସେଠି ବିଶ୍ଵାସ ମଧ୍ୟ ରହିବା ଉଚିତ । କାରଣ ବା ବୈରାଗ୍ୟ ଆସି ଯେତେବେଳେ ଏହି ବିଶ୍ୱାସକୁ ନଷ୍ଟ କରି ଦେଇଯାଏ, ସେତେବେଳେ ଭଲପାଇବାର ସବୁ ସମର୍ଥତା କୁଆଡ଼େ ବିଦାୟ ହୋଇ ଗଲାପରି ମନେହୁଏ । ଆଜି ହଠାତ୍‍ ଏ ଦୁର୍ଦ୍ଦଶା ଓ ଉତ୍ତପ୍ତତାର ଏକାଧିକ କାରଣ କାର୍ଯ୍ୟ କରିବାକୁ ପଡ଼ିବ, ତଥାପି ବିଶ୍ୱାସର ସହିତ ଆପଣା କାର୍ଯ୍ୟ କରିବାକୁ ପଡ଼ିବ । ଏହା ଛଡ଼ା ଅନ୍ୟ ପଥ ହିଁ ନାହିଁ ।

 

୦୪ । ୦୧ । ୬୬

 

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀ ଆଜି ଋଷିଆର ତାସକନ୍ଦଠାରେ ପାକିସ୍ତାନର ରାଷ୍ଟ୍ରପତି ସେନାଧ୍ୟକ୍ଷ ଆୟୁବ ଖାଁଙ୍କୁ ଭେଟିବେ । ସେମାନେ ଦୁଇ ଦେଶର ନାନା ସମସ୍ୟା ବିଷୟରେ କଥାବାର୍ତ୍ତ କରିବେ ଓ ଶାନ୍ତିପୂର୍ଣ୍ଣ ଉପାୟରେ ସେଗୁଡ଼ିକର ସମାଧାନ କରିବାକୁ ଚେଷ୍ଟା କରିବେ । ଭାରତ ଓ ପାକିସ୍ତାନ ଏହି ଦୁଇଟି ପ୍ରତିବେଶୀ ଦେଶ ଭିତରେ କେତେକ ବିଷୟରେ ଅବଶ୍ୟ ମତଭେଦ ରହିବ । କିନ୍ତୁ ତା’ ବୋଲି ଯେ ମତଭେଦକୁ ମୋଟ କରି ଦୁଇ ଦେଶ ବର୍ଷ ବର୍ଷ କାଳ ଯୁଦ୍ଧ ମୁହାଁ ହୋଇ ରହିଥିବେ, ତାହାର କୌଣସି କାରଣ ନାହିଁ । ଏ ଯୁଗରେ ମତଭେଦର ସମାଧାନ ଓ ବିବାଦର ମୀମାଂସା ଲାଗି ଯେ ଯୁଦ୍ଧ ଅନାବଶ୍ୟକ, ଦୁଇ ଦେଶର ଉଚ୍ଚତମ ପ୍ରତିନିଧି ଯଦି ଏତିକି ହୃଦୟଙ୍ଗମ କରି ପାରନ୍ତି, ତେବେ ତାହାହିଁ ଏହି ଉପମହାଦେଶ ପକ୍ଷରେ ସବୁଠାରୁ ଅଧିକ ମଙ୍ଗଳପ୍ରଦ ହେବ । ମୁଁ ଏହି ଭେଟ ଓ କଥାବାର୍ତ୍ତାର ସଫଳତା କାମନା କରୁଚି । ମୁଁ ଭାରତବର୍ଷର ନାଗରିକ,—ତେଣୁ ଭାରତୀୟ ପକ୍ଷର ସବୁ ଜିଦ୍‍ ରହିଲେ ଯେ ଏହି ସଫଳତା ସମ୍ଭବ ହୋଇପାରିବ, ମୁଁ କଦାପି ଏପରି କହିବିନାହିଁ । ମୁଁ କେବଳ ଏତିକି କହିବି ଯେ, ଭାରତ ଓ ପାକିସ୍ତାନ ଏହି ଦୁଇ ଦେଶ ଲାଗି କାଶ୍ମୀର ସର୍ବପ୍ରଧାନ ସମସ୍ୟା ନୁହେଁ । ଏହି ଦୁଇ ଦେଶରେ ବାସ କରୁଥିବା କୋଟି କୋଟି ମଣିଷଙ୍କ ଲାଗି ଅନ୍ନ, ବସତି ଓ ସୁଶିକ୍ଷାର ବ୍ୟବସ୍ଥା କରିବା ଓ ତଦ୍ଦ୍ଵାରା ସେମାନଙ୍କୁ ଏକ ସୁସ୍ଥତା ସାମୂହିକ ଜୀବନର ସୁଯୋଗ ଦେବା,—ଏହାହିଁ ଆମର ସର୍ବପ୍ରଧାନ ସମସ୍ୟା । ହିନ୍ଦୁ ଓ ମୁସଲମାନ, ଭାରତୀୟ ଓ ପାକିସ୍ଥାନୀ ମଣିଷ ହିସାବରେ ପ୍ରଥମେ ଏହାହିଁ ଚାହାନ୍ତି । ସେମାନଙ୍କୁ ମୂଳତଃ ଏତିକି ଯୋଗାଇଦେଇ ପାରିଲେ ଯାଇ ଆମ ସ୍ୱାଧିନତାର କୌଣସି ମୂଲ୍ୟ ରହିବ । ଦୁଇ ଦେଶର ସାଧାରଣ ଜନତା ଯୁଦ୍ଧ ଚାହାନ୍ତିନାହିଁ; କାଶ୍ମିରୀ ବୋଲି ଖଣ୍ଡେ ରାଜ୍ୟ କେଉଁଠି ଅବସ୍ଥିତ, ସେମାନଙ୍କ ମଧ୍ୟରୁ ଅନେକ ସେତିକି ମଧ୍ୟ ଜାଣନ୍ତି ନାହିଁ । ସେମାନଙ୍କୁ ଆମେ ଆଉ କେତେଦିନ ଅବହେଳା କରୁଥିବା ?

 

୦୫ । ୦୧ । ୬୬

 

ମୋ’ ଭିତରେ ଜ୍ଵର ଭରାଇ ଦେଇଯାଏ କିଏ, ପୁଣି ଜ୍ଵର ଛଡ଼ାଇ ବି ନେଇଯାଏ କିଏ ? ଜ୍ଵର ଭରି ରହିଥିବା ବେଳେ ମୁଁ ପୀଡ଼ିତ ବ୍ୟାଧିତ ମଣିଷ ପରି ଆପଣା ଉପରେ ରୁଷ୍ଟ ଓ କ୍ଷୁଣ୍ଣ ହେବାରେ ଲାଗିଥାଏ, ପୁଣି ଜ୍ଵର ଓହ୍ଲାଇଗଲେ ମୁଁ ଭଗବାନଙ୍କ ପାଖରେ କୃତଜ୍ଞତାନତ ହୋଇଗଲା ପରି ଅନୁଭବ କରେ । ମୋ’ ଭିତରର ସହସ୍ର ଗ୍ଳାନି ଓ ସହସ୍ର ମଳିନତା ସତ୍ତ୍ୱେ ତଥାପି ଯେପରି ମୋ’ଲାଗି ମଧ୍ୟ ଦୁଆର ଖୋଲିଯାଏ, ମୋ’ର ମୁଣ୍ଡ ଯାଇ ଆବେଦନର କେଉଁ ଐଶ୍ୱର୍ଯ୍ୟର ଅଧିକାରିତ୍ଵରେ ବଳୀୟାନ୍‍ ହୋଇ କେଉଁ ଶୁଭମୟ ଜୀବନ ଦେବତାର ଚରଣତଳେ ଲାଗିଗଲା ପରି ମନେ ହୁଏ । କିଏ ମୋତେ ଅଟକାଇ ରଖେ, କିଏ ମୋତେ ଏପରି ନିର୍ମମ ଭାବରେ ଜୀର୍ଣ୍ଣ ଆତୁର କରିପକାଏ । କିଏ ମୋ’ର ହାଟପାଆନ୍ତାରୁ ସକଳ ଅଧିକାର ଛଡ଼ାଇ ନେଇ ମୋତେ ଏହି ଜୀବନ ଓ ଜଗତର ସକଳ ପ୍ରକାର ପୁତ୍ରତ୍ଵରୁ ବଞ୍ଚିତ କରିଦେବାକୁ ଆସେ ? ପୁଣି ଡୋର ବା କିଏ ଲଗାଇଦେଇ ଯାଏ, କିଏ ଖିଅ ଯୋଡ଼ିଦେବାକୁ ଆସେ ? ପୁଣି ଡୋର ବା କିଏ ଲଗାଇଦେଲେ ଯାଏ, କିଏ ଖିଅ ଯୋଡ଼ିଦେଇ ଯାଏ, ଜୀବନ ବଞ୍ଚିବା ଅର୍ଥାତ୍‍ ଆପଣାର ପାତ୍ରଟିକୁ ଜଗତମୁହାଁ କରି ରଖିବାର କର୍ତ୍ତବ୍ୟକୁ କିଏ ଏପରି ସହଜ କରି ଦେଇଯାଏ ? ହୁଏତ ମୋ’ରି ଭିତରେ କଳାଧଳା ଉଭୟ ରହି ମୋତେ ଏହିପରି ଖେଳାଉଥାଏ, ନଚାଉଥାଏ, ବାଟ ହୁଡ଼ି ପୁଣି ବାଟ ଚାଲିବାର ଦ୍ଵିଗୁଣ ବ୍ୟାକୁଳତାରେ ବାଟକୁ ଆସିବାର ନିତ୍ୟାଲୀଳା ଲଗାଇ ରଖିଥାଏ । ବା, ହୁଏତ ଶୁଭକୁ ହୁଡ଼ିଲେ ବି ଭୂତ କବଳରେ ସତ୍ୟ, ଏହି ବିଶ୍ଵାସ ହିଁ ସତ୍ୟ, —ଜ୍ଵର ସତ୍ୟ ନୁହେଁ, ହୁଡ଼ିବା ସତ୍ୟ ନୁହେଁ, ଗ୍ଲାନି ବି ସତ ନୁହେଁ ।

 

୦୬ । ୦୧ । ୬୬

 

ଠିକ ଦୁଇବର୍ଷ ତଳେ ମୁଁ ଇଉରୋପରୁ ଫେରିଆସି ମୋ’ ଦେଶର ପହଞ୍ଚିଥିଲି । ମନେ ଅଛି, ସକାଳ ପହରଠାରୁ ବାରବାର ଜାହାଜର ଡେକ୍‍ ଉପରକୁ ଆସି ମୁଁ ଭାରତବର୍ଷର ଉପକୂଳ ଦିଶିଲାଣିକି ନାହିଁ, ତାହା ନିରିଖି ଯାଉଥିଲି । ଦିନ ଏଗାରଟା ପରେ ଆମର ଜାହାଜ ବମ୍ବେର ପୋତାଶ୍ରୟ ଭିତରେ ପ୍ରବେଶ କଲା, କିନ୍ତୁ ସେଦିନ ବାଡ଼ିସକାଳୁ ମୋ’ ଦେଶର ଏକ ସମଗ୍ର ପ୍ରତିଚ୍ଛବି ମୋର ସମସ୍ତ ଚେତନାକୁ ଆବୋରି ରହିଥିଲା । ଏହି ଦେଶ କହିଲେ ମୁଁ କଣ ବୁଝେ ? ଏ ଦେଶର ଚିହ୍ନା ପାହାଡ଼, ନଦୀ, ବନ ଓ ଆକାଶ ମୋତେ ଏଡ଼େ ଭଲ ଲାଗେ । କିନ୍ତୁ ଅନ୍ୟ ଦେଶମାନଙ୍କରେ ବି ତ କେଡ଼େ ସୁନ୍ଦର ପାହାଡ଼, ଅରଣ୍ୟ, ନଦୀ ଓ ହଦ୍ରମାନ ରହିଚି । ସେଠୀ ସେସବୁକୁ ଦେଖିକି କେଡ଼େ ଭଲ ନଲାଗିଛି । ମୋ’ର ଦେଶ ହେଉଛି ମୋ’ର ଜୀବନକ୍ଷେତ୍ର,—ଏହାହିଁ ହେଉଛି ମୋ’ ଦେଶପ୍ରତି ରହିଥିବା ମମତାର ସବୁଠାରୁ ବଡ଼ କଥା । ଜୀବନରେ ଯେଉଁସବୁ ମୂଲ୍ୟକୁ ମୁଁ ଉଚ୍ଚତମ ବୋଲି ଅନୁଭବ କରେ, ଯେଉଁସବୁ ମୂଲ୍ୟବୋଧ ମୋ’ର ଏହି ଦୁଇଦିନର ମାଟି ସଂସାରକୁ ଏକ ସୁନାର ଘରରେ ରୂପାନ୍ତରିତ କରି ଦେଇଯାଏ, ସେହିସବୁ ମୂଲ୍ୟ ସହିତ ଆପଣାର ଜୀବନ ବଞ୍ଚିବା ଲାଗି ମୁଁ ଏହି ଦେଶରେ ଏକ ଭୂମି ପାଇଛି, ଏକ ନିବେଦନ କ୍ଷେତ୍ର ଓ ସମର୍ପଣ ତୀର୍ଥ ପାଇଛି, ସେଥିଲାଗି ମୋ’ର ଦେଶ ମୋତେ ଏକ ତୀର୍ଥ ପରି ମନେ ହୋଇଛି ।

 

୦୭ । ୧ । ୬୬

 

ମୋ’ ଦେଶରେ ଥିବା ପାହାଡ଼, ନଦୀ ଓ ହ୍ରଦକୁ ମୁଁ ଭଲପାଏ, ଅବସର ପାଇବା ମାତ୍ରକେ ସେଗୁଡ଼ିକର ସାନ୍ନିଧ୍ୟ ପାଇବାଲାଗି ଦଉଡ଼ିଯାଏ । କିନ୍ତୁ ସେ ସବୁ ମୋ’ଦେଶରେ ଅବସ୍ଥିତ ଅଛନ୍ତି ବୋଲି ନୁହେଁ, ପ୍ରକୃତିରେ ବିଚିତ୍ର ସୌନ୍ଦର୍ଯ୍ୟ ମୋ’ର ଧ୍ୟାନକୁ ଟାଣେ ଓ ହୃଦୟକୁ ଭରାଇଦିଏ ବୋଲି ମୁଁ ସେଗୁଡ଼ିକ ଭଲପାଏ । ଦେଶକୁ ମୁଁ ଭଲପାଏ ମୋ’ର ଜୀବନ ମୂଲ୍ୟ ଗୁଡ଼ିକୁ ବଞ୍ଚିବାଲାଗି ମୋ’ଦେଶରେ ମୁଁ ଏକ ଭୂମି ପାଇଛି ବୋଲି । ଏହି ଭୂମିରେ ଉପାଦାନରେ ମୁଁ ଗଢ଼ାହୋଇଛି, ଏହି ଦେଶର ଉପାଦାନକୁ ମୁଁ ଅନ୍ତରଙ୍ଗ ଭାବେ ଚିହ୍ନିଚି; ତେଣୁ ଜୀବନରେ ମୁଁ ଯାହା ହେବାକୁ ଚାହେ ବା କରିବାକୁ ଚାହେ, ଏହି ଚିହ୍ନା ଭୂମି ଉପରେ ମୁଁ ତାହାକୁ ସବୁଠାରୁ ଅଧିକ ସାର୍ଥକ ଭାବରେ କରିପାରିବି । ମୋ’ ଦେଶରେ କୋଟି କୋଟି ମଣିଷ ରହିଛନ୍ତି, —ସମସ୍ତଙ୍କୁ ଆଜି ସଂପୂର୍ଣ୍ଣ ମଣିଷର ଆକାଂକ୍ଷା ବହନ କରି ଜୀବନ ବଞ୍ଚିବାର ପରିସର ମିଳିନାହିଁ । ଗୋଟାଏ ଭୂମି ଉପରେ କଳ୍ପିତ ହୋଇଥିଲେ ମଧ୍ୟ ଏହି ଦେଶର ମାନସିକ ଓ ଭାଗବତ ଭୂମି ନାନାଖଣ୍ତରେ ବିଭକ୍ତ ହୋଇ ରହିଚି । ସବୁ ଖଣ୍ଡିତତାର ମୂଳ କାରଣ ସ୍ଵରୂପ ତୁଚ୍ଛା ଆର୍ଥିକ ସମ୍ବଳଗତ ଦାରିଦ୍ର୍ୟ ମଧ୍ୟ ମଣିଷର ବାଟକୁ ଏ ଦେଶରେ ବଡ଼ କ୍ରୂର ଭାବରେ ଉଗାଳି ରହିଚି । ଏହି ଉଗାଳ ମାନି ଅଟକିଯିବା ବ୍ୟତୀତ ଅନେକଙ୍କ ସକାଶେ କୌଣସି ଗତ୍ୟନ୍ତର ନାହିଁ । ଏହିପରି ଏକ ଦେଶ ହେଉଛି ମୋ’ର ଜୀବନଭୂମି-। ଏଇଠି ମୋ’ର ସମସ୍ତ ଜୀବନାଗ୍ରହର ପରୀକ୍ଷା ଦେବାକୁ ହେବ, ଜୀବନର ସାହାସିକ ଯାତ୍ରା ଲାଗି ମୋତେ ଏହି ଭୂମି ଉପରେ ମଣ ହେବାକୁ ପଡ଼ିବ, ପ୍ରସ୍ତୁତ ହେବାକୁ ପଡ଼ିବ ।

 

୦୮ ।୦୧ । ୬୬

 

ଭାରତ ଆଉ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ଚୁକ୍ତି ହେଉ, ଏଇଟା ବଡ଼ କଥା ନା ଆମେ ଭାରତ ତରଫରୁ କାଶ୍ମୀର ବିଷୟରେ କାହାରି ସହିତ କଥାବାର୍ତ୍ତା କରି ଆମର ସନମାନ ନହରାଉ, ଏଇଟା ବଡ଼ କଥା ? ମୁଁ ଭଲ କରି ଜାଣେ, ଆମର ଏହି ଦରିଦ୍ର ସଂସାରରେ ପେଟର ଭୋକ ଓ ମଣିଷର ସମସ୍ୟମାନ ଭୁଲି ଜାତୀୟତାବାଦର ନିଶାରେ ଭୋଳ ହୋଇ ରହିବାର ଅନେକ ଆକର୍ଷଣ ରହିଚି; ତଥାପି ମୁଁ କହିଛି ଯେ ପୃଥିବୀର ଯେଉଁ ଭୂଖଣ୍ଡମାନଙ୍କରେ ଅଧିକରୁ ବେଶୀ ମଣିଷଙ୍କର ପେଟ ପୂରୁନାହିଁ, ସେଠ ଆର୍ଥିକ ତଥା ସାମାଜିକ ବିକାଶ ସମ୍ଭବ କରିବା ଦୃଷ୍ଟିରୁ ଆମକୁ ଅନ୍ୟାନ୍ୟ ଯାବତୀୟ ପ୍ରଶ୍ନକୁ ଅପେକ୍ଷାକୃତ କମ୍‍ ମହତ୍ତ୍ଵ ଦେଇ ଶିଖିବା ଉଚିତ । ମୁଁ ଏହି ଦେଶକୁ ମୋ’ର ଦେଶ ବୋଲି ଶ୍ରଦ୍ଧା କରେ, ଏହି ଦେଶକୁ ହିଁ ମୁଁ ମୋ’ ଜୀବନର ଭୂମିରୂପେ ଅବଶ୍ୟ ଗ୍ରହଣ କରେ । ଏହି ବିଷୟରେ ସଂପୂର୍ଣ୍ଣ ସଚେତ ଥାଇ ମୁଁ ଏକଥା କହୁଛି । ଭାରତ କାହା ବା ପାକିସ୍ଥାନ କାହା, ଉଭୟ ଦେଶରେ ମଣିଷକୁ ମଣିଷର ଆସ୍ଥାନ ରେ ପ୍ରତିଷ୍ଠିତ କରାଇବା ହେଉଛି ସର୍ବପ୍ରଧାନ ସମସ୍ୟା, ଧର୍ମ ଲଢ଼ାଇବା ବା ଯୁଦ୍ଧ ଜିତିବା ବା ଜାତୀୟ ସମ୍ମାନକୁ ଜାରି ରଖିବାକୁ ଜିଦ୍‍ ଧରି ବସିବା ସର୍ବପ୍ରଧାନ ସମସ୍ୟା ନୁହେଁ । ମଣିଷକୁ ଅର୍ଥାତ ପ୍ରତ୍ୟେକ ମଣିଷକୁ ମଣିଷ ହେବାକୁ ଦେବାର ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ଉଭୟ ଦେଶରେ ବର୍ତ୍ତମାନ ଆମର ଅନେକ ବାଟ ବାକି ରହିଚି । ଏହି ଉଭୟ ଦେଶର ଲୋକ ନେତୃତ୍ଵ ଯେ ଏହି ବାଟରେ ଆପଣାର ବେଗକୁ ବଢ଼ାଇବାକୁ ସର୍ବପ୍ରଧାନ କର୍ତ୍ତବ୍ୟ ବୋଲି ବିଚାରୁନାହିଁ, ଏହାହିଁ ଏହି ଦୁଇ ଦେଶ ପକ୍ଷରେ ଏକବାଦ ଦୁର୍ଭାଗ୍ୟର କଥା । ଗତ ଅଠର ବର୍ଷରେ ପରସ୍ପର ସହିତ କଳହ ନକରି ମଣିଷର ଅଗ୍ରଗତି ଲାଗି ସାଧୁ ଚେଷ୍ଟା କରିଥିଲେ ଦୁଇ ଦେଶର ସ୍ଥିତି ବର୍ତ୍ତମାନ ଅନ୍ୟପ୍ରକାର ହୋଇ ଯାଇଥାନ୍ତା ।

 

୦୯ । ୦୧ । ୬୬

 

ସାହିତ୍ୟ-ସାଧନା କୌଣସି ପ୍ରକାରର ଅନ୍ତର୍ଗତ କୃଚ୍ଛ୍ରରସାଧନାର ନୁହେଁ । କୃଚ୍ଛ୍ରରସାଧନା ଦ୍ଵାରା ଜୀବନରେ କିଛି ସାର୍ଥକ ସୃଷ୍ଟି ହୋଇପାରିବ ବୋଲି ମୁଁ କେବେ ହେଲେ ଅନୁଭବ କରିନାହିଁ । ଏକରସ ହୋଇପାରିଲେ ଯାଇ ସୃଷ୍ଟି କରିବା ସମ୍ଭବ ହୋଇପାରିବ, ବିଚିତ୍ର ଜୀବନର ସ୍ପନ୍ଦନକୁ ଆପଣା ଭିତରେ ଅନୁଭବ କରିପାରିଲେ ଯାଇ ସାହିତ୍ୟ ସମ୍ଭବ ହୋଇପାରିବ । ଆପଣାକୁ ଜବରଦସ୍ତି ବାନ୍ଧି ରଖି ସୁନାଚାଟ ପରି କଲମ ଧରି ବସାଇଲେ ସାହିତ୍ୟ ହେବ ନାହିଁ ମୁଁ ଜାଣେ, ସଫଳ ସାହିତ୍ୟ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଅନେକେ କେତେ କୃଚ୍ଛ୍ର କରି କୌଣସି ନିର୍ଦ୍ଦିଷ୍ଟ ଶୈଳୀକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥାନ୍ତି—ଶୈଳୀ ଶିଖିବା ହିଁ ସେମାନଙ୍କ ଜୀବନର ସର୍ବପ୍ରଧାନ ଅର୍ଜନ ହୋଇ ରହେ, କିନ୍ତୁ, ତଥାପି ଦୁଆର ଖୋଲେନାହିଁ । ହଁ, ଡାଆଣୀ ଲାଗିଲା ପରି ସେମାନେ ପହରେ ଆପଣାକୁ ଭୁଲି ସାହିତ୍ୟ ଲେଖନ୍ତି ଓ ଅବଶିଷ୍ଟ ପ୍ରହରଗୁଡ଼ାକରେ ଆପଣାର ସାହିତ୍ୟ ଓ ସୃଜନଶୀଳତାକୁ ଭୁଲି ସାହିତ୍ୟହୀନ ଏବଂ ସୌନ୍ଦର୍ଯ୍ୟହୀନ ଜୀବନ ଯାପନ କରନ୍ତି । ସେମାନଙ୍କର ଜୀବନଟା ବଡ଼ ଶୋଚନୀୟ ଭାବରେ ସଦର ମଫସଲ ପରି ଏକ ଦ୍ୱୈଧରେ ବିଭକ୍ତ ହୋଇଯାଏ । କେବଳ ସାହିତ୍ୟରେ କାହିଁକି, ଜୀବନରେ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ମୁଁ କୃଚ୍ଛ୍ରର କୌଣସି ଆକର୍ଷଣ ଅନୁଭବ କରିନାହିଁ, କୃଚ୍ଛ୍ର ଦ୍ଵାରା ଶୃଙ୍ଖଳା ଶିଖିବାରେ କେବେ ମନ ବଳାଇନାହିଁ ।

 

୧୦ । ୧ । ୬୬

 

Unknown

କାଲି ‘ଶହୀଦ’ ଫିଲିମ୍ ଦେଖିଆସିଲା ପରେ ଭାବୁଥିଲି, ସେମାନେ ତ ଶହୀଦ୍ ହେଲେ, ସେମାନଙ୍କର କର୍ତ୍ତବ୍ୟ କରିଗଲେ । କିନ୍ତୁ ଆମେ ବର୍ତ୍ତମାନ ଏ ଦେଶରେ କିପରି ଭାବରେ ଆପଣାର କର୍ତ୍ତବ୍ୟ କରୁଚୁ ? ଏ ଦେଶରେ ମଣିଷର ଜୀବନକୁ ସୁନ୍ଦରତର କରି ଗଢ଼ିବା ଲାଗି ସେମାନେ ଆପଣା ବାଟରେ ସ୍ଵାଧୀନତାର ସଂଗ୍ରାମରେ ପ୍ରାଣ ଦେଇଥିଲେ । କିନ୍ତୁ ଲାଭଖୋର ବେପାରୀ ଓ କ୍ଷମତାଖୋର ବାବୁମାନଙ୍କ ହାତରେ ଦେଶର ଭାଗ୍ୟକୁ ଛାରଖାର କରିଦେବା କ’ଣ ସେମାନେ କେବେ ସ୍ଵପ୍ନରେ ସୁଦ୍ଧା କଳ୍ପନା କରିଥିଲେ ? ଭାରତମାତା କହିଲେ ସେମାନେ ଏ ଦେଶର କୋଟି କୋଟି ମଣିଷଙ୍କର ଉଜ୍ଜ୍ଵଳ ଭାଗ୍ୟ ଓ ଭବିଷ୍ୟତକୁ ବୁଝୁଥିଲେ । ଆମର କଳ୍ପିତ ଭାରତମାତାର ପିତୁଳାକୁ ଆମେ ଯେଉଁ ଅନ୍ଧାର ଘର ଭିତରେ ଆଣି କିଳି ରଖିଚୁ, ଆପଣାର ସକଳ ଆଳସ୍ୟ ଓ ସକଳ ପ୍ରକାର ଧୂର୍ତ୍ତତା ଲାଗି ଆମେ ସେହି ଅନ୍ଧାରକୁ ବଡ଼ ଉପାଦେୟ ବୋଲି ମନେ କରୁଚୁ । ଏପରି ହେଲା କାହିଁକି ? ଯେଉଁ ପ୍ରେରଣାରେ ଆମେ ସ୍ଵାଧୀନତା ଲଢ଼ିଥିଲୁ, ସେହି ପ୍ରେରଣାକୁ ବଞ୍ଚାଇ ରଖି ଆମେ ସ୍ଵାଧୀନ ଦେଶକୁ ଗଢ଼ିବାରେ କାହିଁକି ଅସମର୍ଥ ହୋଇ ପଡ଼ିଲୁ ? ଦେଶର ସ୍ଵାଧୀନତା ଲାଗି ଲଢ଼ିବା ଦେଶକୁ ଗଢ଼ିବା ଅପେକ୍ଷା ସହଜତର ଥିଲା ବୋଲି ମୁଁ କଦାପି କହିବି ନାହିଁ । ସେତେବେଳେ ଆମେ ଉଚିତ ନେତୃତ୍ଵକୁ ମାନୁଥିଲୁ । ଆଜି ଆମର ଧ୍ୟାନ ଓ ଆମର ଅନୁରକ୍ତି ଅନ୍ୟଆଡ଼େ ହୋଇଯାଇଚି । ଏପରି ହେଲା କାହିଁକି ? ଆମେ ବାବୁମାନେ ମିଶି ଏପରି ପ୍ରତାରଣା କଲୁ କାହିଁକି ?

 

୧୧ । ୦୧ । ୬୬

 

ଭଗବାନ ଯେଉଁ ଦେଶ ବା ଯେଉଁ ଜନସମୂହକୁ ଅଧିକତର କର୍ମରେ ପ୍ରେରିତ କରାଇବାକୁ ଚାହାନ୍ତି, ତାକୁ ସେ ଅଧିକ ଆଘାତ ଦିଅନ୍ତି । ଯେଉଁ ଦେଶକୁ ସେ ଅଧିକତର କାର୍ଯ୍ୟରେ ଅବତୀର୍ଣ୍ଣ କରାଇବାକୁ ଚାହାନ୍ତି, ଆଘାତ ଦେଇ ସେ ତାକୁ ଅଧିକ ଶକ୍ତି କରିବାରେ ଲାଗିଥାନ୍ତି । ଅନ୍ୟ ସମୟରେ ଏହି କଥାପଦକ ମୋତେ ହୁଏତ ଅନ୍ଧବିଶ୍ଵାସ ପରି ଲାଗିଥାନ୍ତା । କିନ୍ତୁ ଆଜିର ଜାତୀୟ ଦୁଃଖରେ ସେହି କଥାପଦକ ହିଁ ଏକମାତ୍ର ଆଶାମୟ ଅବଲମ୍ବନ ପରି ଲାଗୁଚି । ଏତିକି ଭାବିବା ବା ଏତିକି ଅନୁଭବ କରିବା ବ୍ୟତୀତ ମୁହୂର୍ତ୍ତରେ ମୁଁ ଯେପରି ଆଉ କିଛି କରି ପାରୁନାହିଁ । ଯିଏ ଦୁଃଖରେ ପଡ଼ିଚି, ତାକୁ ପ୍ରାର୍ଥନା କରିବା ଲାଗି ବାଇବେଲରେ ଉଦବୋଧନ ଦିଆଯାଇଚି । ଆଜି ମୋ’ ଲାଗି ଓ ମୋ’ ଦେଶ ଲାଗି ମୁଁ ଏହି ପ୍ରାର୍ଥନା କରୁଚି । ମୋ’ ଉପରେ ବା ମୋ’ର ଦେଶ ଉପରେ ଆହୁରି ଅଧିକ ଆଘାତ ହେଉ ପଛକେ, ତଥାପି ହେ ଭଗବାନ୍, ଏହି ଦେଶର ଅଣ୍ଟା ଭାଙ୍ଗି ନଯାଉ, ଏହି ଦେଶର ସଙ୍କଳ୍ପ ଭାଙ୍ଗି ନଯାଉ । ପୃଥିବୀର ଚାରିଦିଗରୁ ନାନାପ୍ରକାର ଦୁଃଖ ଓ ଦୁର୍ବିପାକ ଘନାଇ ଆସିଥିବା ବେଳେ ତଥାପି ମଣିଷକୁ ମଣିଷକରି ରଖିବା ଲାଗି ଯେଉଁ ଶକ୍ତି ବାତାବରଣ ଦରକାର, ସେହି ବାତାବରଣ ଗଢ଼ି ରଖିବା ଲାଗି ଏ ଦେଶର ସଂକଳ୍ପ କଦାପି ଦୁର୍ବଳ ନଯାଉ । ଏହି ସଂକଳ୍ପକୁ ଏଇ ଦେଶର ଶୁଭତମ ସଂକଳ୍ପ ରୂପେ ସ୍ଵୀକୃତ କରି ରଖିବାଲାଗି କୌଣସି ଦିନ ଏହି ଦେଶରେ ନେତାର ଅଭାବ ନହେଉ । ଆଜି ମୋ’ର ଦୁଃଖୀ ହୃଦୟକୁ ସାନ୍ତ୍ଵନା ଦେବାକୁ ଯାଇ ମୁଁ ଏତିକି ଅନୁଭବ କରୁଚି,—ଏତିକି ଭଗବାନଙ୍କଠାରେ ପ୍ରାର୍ଥନା କରୁଚି ।

 

୧୨ । ୦୧ । ୬୬

 

ଶ୍ରୀଯୁକ୍ତ ଶାସ୍ତ୍ରୀ କାମ କରି ଚାଲିଗଲେ । ମୋତେ ମଧ୍ୟ ମୋ’ର କାମ କରି ଯିବାକୁ ହେବ । ଦିନେ ନା ଦିନେ ଆମେ ସମସ୍ତେ ଏହି ସଂସାରରୁ ବିଦାୟ ନେଇ ଚାଲିଯିବା । ଜୀର୍ଣ୍ଣ ଖୋଳକୁ ଛାଡ଼ି ନୂତନ ଜୀବନ ଭିତରେ ଜନ୍ମ ନେବା ହିଁ ହେଉଚି ଜୀବନର ନିୟମ । ସେହି ନିୟମ ଅନୁସାରେ ଆମେ ସମସ୍ତେ ଯିବା, ତଥାପି ଏହି ମଣିଷ ବଞ୍ଚି ରହିବ । ଦେଶ ପାଇଁ ଅର୍ଥାତ୍ ଏହି ଦେଶରେ ବାସ କରୁଥିବା ମଣିଷମାନଙ୍କ ପାଇଁ ଆମେ ପ୍ରତ୍ୟେକେ ଆମ ଜୀବନରେ ଯଥାଶକ୍ତି କାର୍ଯ୍ୟ କରିଯିବା, ଆପଣ ଜୀବନର ଶୁଭବାସନା ଗୁଡ଼ିକ ଅନୁସାରେ ଜୀବନ ବଞ୍ଚୁ ବଞ୍ଚୁ ପ୍ରତ୍ୟେକେ ଆପଣା ଦେଶ ବା ଆପଣାର ସମାଜକୁ ସମୃଦ୍ଧ କରିଯିବା, ଜୀବନର ସାର୍ଥକତା କହିଲେ ମୁଁ ମୂଳତଃ ଏହି କଥା ହିଁ ବୁଝିଥାଏ । ଦେଶ କେବଳ ଏକ ନିମିତ୍ତ ମାତ୍ର, ଜାତିର କଳ୍ପନା ସେହିପରି ଏକ ନିମିତ୍ତ ମାତ୍ର । ଆପଣା ଜୀବନକୁ ପରିପୂର୍ଣ୍ଣ ଭାବରେ ଓ ଶୁଭତମ ପ୍ରେରଣା ସହିତ ବହୁଜନ ସମ୍ମିଳିତ ଏକ କ୍ଷେତ୍ରରେ ପ୍ରସାରିତ ଓ ସମର୍ପଣ କରିଦେବା ହେଉଚି ଅସଲ କଥା । କ୍ଷେତ୍ର ବିଚାର ନେଇ ଝଗଡ଼ା କରିବାର ପ୍ରଶ୍ନହିଁ ଉଠୁନାହିଁ । ସମର୍ପିତ ମଣିଷ ଲାଗି କ୍ଷେତ୍ର ନେଇ ଝଗଡ଼ା କରିବାକୁ ସମୟ ନାହିଁ-? ଶ୍ରୀ ଶାସ୍ତ୍ରୀ ଯେଉଁ କ୍ଷେତ୍ରରେ ଯେତେବେଳେ ରହି ଆସିଥିଲେ, ସେତେବେଳେ ସେହି କ୍ଷେତ୍ରରେ ଆପଣାକୁ ପରିପୂର୍ଣ୍ଣ ଭାବରେ ସମର୍ପିତ କରିଦେବାକୁ ହିଁ ସେ ଆପଣାର ମହତ୍ତମ କର୍ତ୍ତବ୍ୟ ବୋଲି ଜାଣୁଥିଲେ । ସେଠି ଲାଭକ୍ଷତିର ହିସାବ ନଥିଲା, କାହାକୁ ତୁଷ୍ଟ ବା ରୁଷ୍ଟ କରିବାର ହିସାବ ନଥିଲା,–ଲୋକପ୍ରିୟତା ବଢ଼ିବା ବା କମିବାର ହିସାବ ନଥିଲା । ସେଠି ପ୍ରଧାନତଃ ମଣିଷ ପ୍ରତି ଓ ଜୀବନ ପ୍ରତି ଶ୍ରଦ୍ଧା ରହିଥିଲା, କର୍ତ୍ତବ୍ୟ ପ୍ରତି ନିଷ୍ଠା ଥିଲା, ଜୀବନକୁ କେଉଁ ଶୁଭବ୍ରତର ଆହ୍ଵାନ ଅନୁସାରେ ସମର୍ପିତ କରିବାର ଆହ୍ଵାନ ଥିଲା । ଏହି ବାସତାଜର୍ଜର ଦେଶରେ ଶାସ୍ତ୍ରୀଙ୍କର ଏହିସବୁ ବିଶେଷତ୍ଵ ବଡ଼ ବିରଳ ବୋଧ ହେଉଥିଲା ।

 

୧୩ । ୦୧ । ୬୬

 

ଆପଣାର କାର୍ଯ୍ୟ, ଆପଣାର ବିଚାର ଓ ଆପଣାର ସଖ୍ୟସମ୍ବନ୍ଧ ବ୍ୟତୀତ ଆମ ଜୀବନରେ ବଡ଼ାଇ କରିବାଲାଗି ଆଉ ପ୍ରକୃତରେ କ’ଣ ରହିଚି ? ଶରୀର ତ ଗୋଟିଏ ଯନ୍ତ୍ର, ତାକୁ ଯେପରି ତିଆରି କରିବ, ସେ ସେପରି ଚାଲିବ । ଅବହେଳା କଲେ ରୋଗରେ ପଡ଼ିବ ଓ ଯତ୍ନ କଲେ ମନ ମାନିବା ପରି କାମ ଦେବ । ଏହି ଜୀବନରେ ମୁଁ ଯେତେ ଅର୍ଥ ସଂଗ୍ରହ କଲି, ଅନ୍ୟମାନଙ୍କଠାରୁ ମୋତେ ଅଲଗା କରି ଦେଖାଇଦେବାକୁ ମୁଁ କେତେ ସାଜିଲି ବା ରାଜିଲି, ସେଥିରେ ଯଦି ମୁଁ ବଡ଼ାଇ କରି ବସେ, ତେବେ ସେଥିରେ ମୋ’ ଭିତରେ ପ୍ରଶୟ ପାଇ ରହିଥିବା ମିଛ ସମ୍ମାନବୋଧଟା ତୁଷ୍ଟ ହେବ ସିନା, କିନ୍ତୁ ମୋ’ ଭିତରେ ମୋ’ର ଯତ୍ନ ଓ ଶୁଶ୍ରୂଷା ଲାଗି ଅପେକ୍ଷା କରି ରହିଥିବା ବିଚରା ମଣିଷଟିର ଦଶା କ’ଣ ହେବ ? ମୋ’ର କାମର ଭିତର ଦେଇ ହିଁ ମୋ’ର ମଣିଷ ପ୍ରକାଶିତ ଓ ପ୍ରସ୍ପୁଟିତ ହେବ । ମୋ’ର ବିଚାର ମଧ୍ୟଦେଇ ମୋ’ ଭିତରର ମଣିଷ ପ୍ରସାରିତ ହେବ, ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସେତୁ ସ୍ଥାପନ କରିବ । ମୋ’ର ସଖା-ସମ୍ବନ୍ଧ ଦ୍ଵାରା ହିଁ ମୋ’ ଭିତରେ ରହିଥିବା ମଣିଷ ହୃଦୟ ଫୁଲପାଣି ପାଇ ସତେଜ ହୋଇ ରହିଥିବ । ତେଣୁ ମୁଁ କାମ କରିଯିବି । ଯେଉଁ କ୍ଷେତ୍ରକୁ ଆପଣା କ୍ଷେତ୍ର ବୋଲି ମୁଁ ଖୁସୀ ହୋଇ ବାଛି ନେଇଚି, ସେହି କ୍ଷେତ୍ରରେ ରହି ମୁଁ ମୋ’ର କାମଠାରୁ ସୂତ୍ର ଛଡ଼ାଇ ବାହାରି ଯିବନାହିଁ । ମୋ’ର ସଖ୍ୟ କେବଳ ଜାବୁଡ଼ି ଧରିବନାହିଁ, କିଳି ରହିବ ନାହିଁ, —ନାନା ପାତ୍ରରେ ନାନା ଘରେ ମୋତେ ପ୍ରସାରିତ କରିଦେବ ।

 

୧୪ । ୦୧ । ୬୬

 

ଲାଲ ବାହାଦୁର ଶାସ୍ତ୍ରୀ ଗତ ଚାରିଦିନ ହେଲା ଏହି ସଂସାରକୁ ବିଦାୟ ନେଇ ଚାଲିଗଲେଣି ବୋଲି ମୁଁ ଅନୁଭବ କରି ପାରୁନାହିଁ । ତାହାର ଅର୍ଥ ହେଉଚି, ଲାଲବାହାଦୁର ଶାସ୍ତ୍ରୀ ଏବେ ମଧ୍ୟ ବଞ୍ଚି ରହିଚନ୍ତି, ଏହିପରି ଅନୁଭବ କରି ମୋତେ ମୋ’ର କାର୍ଯ୍ୟ କରିଯିବାକୁ ହେବ । ମୋତେ ଏହି ସମାଜରେ ଓ ଏହି ସଂସାରରେ ମଣିଷ ଶୁଣିବାକୁ ହେବ, ସବୁରି ମତ ପ୍ରତି ସମ୍ମାନ ଦେଖାଇବାକୁ ହେବ ଓ ସବୁ ମାର୍ଗପ୍ରତି ଶ୍ରଦ୍ଧା ରଖିବାକୁ ହେବ, କିନ୍ତୁ ତଥାପି ନିଷ୍ଠାର ତରାଜୁ ଉପରେ ହିଁ ମୋତେ ସକଳ କଥା, ସକଳ ମତ ଓ ସକଳ ମାର୍ଗର ବିଚାରକରି ଶିଖିବାକୁ ହେବ । ମୁଁ ନରମ ହେବିନାହିଁ, ଚାଟୁବାକ୍ୟ ବା ଚଣ୍ଡବାକ୍ୟରେ ମୁଁ ଲେସଡ଼ି ଯିବି ନାହିଁ କି ନଇଁ ପଡ଼ିବି ନାହିଁ । କାହାରିକୁ ତୁଷ୍ଟ କରି ରଖିବାକୁ ହିସାବରେ ମୋ’ର ଦାୟିତ୍ଵ ବିଷୟରେ ସଚେତ ରହିବାକୁ ହେବ । ମୋତେ ଅପାର ଧୈର୍ଯ୍ୟ ଅବଲମ୍ବନ କରି ସବୁରି କଥା ହିଁ ମୁଁ କୌଣସି କାର୍ଯ୍ୟ କରିବି ନାହିଁ । ମୋ’ର ବିଶ୍ଵାସ ଅନୁସାରେ ମୁଁ କାର୍ଯ୍ୟ କରିଯିବି, ମୋ’ର ବିଶ୍ଵାସରେ ମୁଁ ଅବଶ୍ୟ ଦୃଢ଼ ରହିବି । ଅନ୍ୟାୟର ଜବାବ ଦେବି, କିନ୍ତୁ ସେଥିଲାଗି କୌଣସି ପ୍ରକାର ଅନାବଶ୍ୟକ ବ୍ୟାଧିତତା ବା ଜ୍ଵରଗ୍ରସ୍ତତାର ପ୍ରଦର୍ଶନ କରିବିନାହିଁ । ସଂସାରରେ ମୁଁ ସବୁ ସମସ୍ୟାର ସମ୍ମୁଖୀନ ହେବି, କିନ୍ତୁ ତଥାପି ମଣିଷ ଭିତରେ ରହିଥିବା ଭଲ ଉପରେ ମୁଁ ବିଶ୍ଵାସ ରଖିଥିବି । ଏହି ପୃଥିବୀରେ ଲାଗି ରହିଥିବା ସକଳ କୁଟନୀତି ଓ ଯୁଦ୍ଧନୀତିର ଆଘାତ ପରାକ୍ରମରେ ମୁଁ ଶାନ୍ତି ଉପରେ, ସଦ୍ଦିଚ୍ଛା ଉପରେ ଓ ମାନବିକତା ଉପରେ ମୋ’ର ବିଶ୍ଵାସ ହରାଇ ବସିବିନାହିଁ ।

 

୧୫ । ୦୧ । ୬୬

 

ଭାରତର ପ୍ରଧାନମନ୍ତ୍ରୀ ଯିଏ ହେବ, ସେ ଭାରତକୁ ଚିହ୍ନିଥିବା ଦରକାର;—ଭାରତର ଗୌରବକୁ ଚିହ୍ନିଥିବା ଦରକାର, ଭାରତର ଅଭାବକୁ ଚିହ୍ନିଥିବା ଦରକାର । ଭାରତର ଐତିହ୍ୟ, ଭାରତର ସଂସ୍କୃତି ଓ ଭାରତର ମଣିଷସମାଜ ସହିତ ତା’ର ଚେର ଲାଗିଥିବା ଦରକାର । ଭାରତର ପ୍ରଧାନତମ ସମସ୍ୟାକୁ ପ୍ରଧାନତମ ସମସ୍ୟା ବୋଲି କହି ପାରିବାର ଓ ସେହି ଅନୁସାରେ ଶାସନଯନ୍ତ୍ରକୁ ଚଳାଇ ପାରିବାର ସାହସ ତା’ର ରହିଥିବା ଦରକାର । ଭାରତର ପ୍ରଧାନତମ ସମସ୍ୟା କୌଣସି ଦେଶ ସହିତ ଲଢ଼ାଇ କରି ଯୁଦ୍ଧ କିଣିବାର ସମସ୍ୟା ନୁହେଁ । ଭାରତର ପ୍ରଧାନତମ ସମସ୍ୟା ହେଉଚି ଦାରିଦ୍ର୍ୟର ସମସ୍ୟା, ଅଶିକ୍ଷା ଓ ଅସ୍ଵାସ୍ଥ୍ୟର ସମସ୍ୟା । ଆମେ ଆପଣା ଦେଶର ସବୁ ମଣିଷଙ୍କ ପାଇଁ ଯେପର୍ଯ୍ୟନ୍ତ ଏହିସବୁ ମାନବିତ ସମସ୍ୟାର ସମାଧାନ ନକରି ପାରିବୁ, ସେତେ ଦିନଯାଏ ଆମେ ସବୁ ଯୁଦ୍ଧରେ ହାରୁଥିବୁ ଓ ଆମର ସର୍ବପ୍ରଧାନ ଆହ୍ଵାନଗୁଡ଼ିକ ପାଖରୁ ଏଡ଼ି ପଳାଇବାକୁ ଚେଷ୍ଟା କରୁଥିବୁ । ଗତ ଅଠର ବର୍ଷ ମଧ୍ୟରେ ଏହି ଦେଶର ସବୁ ମଣିଷଙ୍କ ପାଇଁ ଯେତେ ବେଶୀ କାମ ହୋଇ ପାରିଥାଆନ୍ତା, ନାନାକାରଣରୁ ତାହା ହେବା ସମ୍ଭବ ହୋଇନାହିଁ । ଏପର୍ଯ୍ୟନ୍ତ ଜାତୀୟତାବାଦକୁ ହିଁ ଆମେ ଆମର ସର୍ବଶ୍ରେଷ୍ଠ ଜାତୀୟ ସମ୍ପଦ ବୋଲି ଜ୍ଞାନ କରି ଆସୁଥିଲୁ । ମଣିଷ ହେଉଚି ଏ ଦେଶର ସର୍ବପ୍ରଧାନ ସମ୍ପଦ । ପ୍ରଧାନମନ୍ତ୍ରୀ ଯିଏ ହେଉ ପଛକେ, ସିଏ ଜାତୀୟତାବାଦଠାରୁ ଏ ଦେଶର ମଣିଷର ସମସ୍ୟାଗୁଡ଼ିକୁ ବଡ଼ କରି ଚିହ୍ନୁ, ଏହାହିଁ ସର୍ବପ୍ରଧାନ ଆବଶ୍ୟକତା ।

 

୧୬ । ୦୧ । ୬୬

 

ଏ ଦେଶର ଆର୍ଥିକ ଓ ସାମାଜିକ ବିପ୍ଳବ ପ୍ରଧାନତଃ ଏହି ଦେଶର ପ୍ରଧାନମନ୍ତ୍ରୀ ଉପରେ ନିର୍ଭର କରୁନାହିଁ; ଏହି ଦେଶର ମଣିଷ ଉପରେ ନିର୍ଭର କରୁଚି । ତଥାପି ଯେ କୌଣସି ବିପ୍ଳବର ସୁଫଳ ବା କୁଫଳ ନେତୃତ୍ଵର ଦକ୍ଷତା ବା ଦୁର୍ବଳତା ଉପରେ ଅନେକ ପରିମାଣରେ ନିର୍ଭର କରିବ ହିଁ କରିବ । ଦେଶରେ ଯିଏ ପ୍ରଧାନମନ୍ତ୍ରୀ ହେବ, ସେ ମଧ୍ୟ ଦେଶର ଗୋଟିଏ କ୍ଷେତ୍ରରେ ଦେଶକୁ ନେତୃତ୍ଵ ହେବ । ସେହି ନେତୃତ୍ଵ ଶାସ୍ତ୍ରୀଙ୍କ ପରେ କିପରି ହେବ ? ନୂଆ ହୋଇ ସ୍ଵାଧୀନ ହୋଇଥିବା ଓ ଆପଣାକୁ ସୁନ୍ଦରତର କରି ଗଢ଼ିବାର ଉଦ୍ୟମ କରୁଥିବା ଦେଶଗୁଡ଼ିକରେ ଅନେକ ପରିବର୍ତ୍ତନ ହେବାକୁ ପଡ଼ିବ । ଏହାକୁ ପରିବର୍ତ୍ତନ ନକହି ମୁଁ ବିପ୍ଳବ ବୋଲି କହିବାକୁ ଅଧିକ ପସନ୍ଦ କରିବି । ଦେଶର ଯେଉଁ ନେତୃତ୍ଵ ସରକାର ଚଳାଇବ, ତାହା ଇଚ୍ଛା କଲେ ଅର୍ଥାତ୍ ଯଥେଷ୍ଟ ସାଧୁତା ଓ ସଚେତତା ସହିତ ଆପଣାର କର୍ତ୍ତବ୍ୟକୁ ସମ୍ପନ୍ନ କରିପାରିଲେ ଏ ଦେଶର ଅବଶ୍ୟମ୍ଭାବୀ ବିପ୍ଳବ ଅଧିକତର ପରିମାଣରେ ମାନବିକ ଉପାୟରେ ସଙ୍ଘଟିତ ହୋଇପାରିବ ଓ ଏହାର ପରିଣାମ ମଣିଷ ଲାଗି ଅନେକ ପରିମାଣରେ ସୁସ୍ଥ ହେବାର ଅଧିକ ସମ୍ଭାବନା ରହିବ । କିନ୍ତୁ ଦେଶର ରାଜନୀତିକ ନେତୃତ୍ଵ ଯଦି ବାଟ ହୁଡ଼ିଯାଏ, ମଣିଷକୁ ଭୁଲି ଯଦି ତାହା ଜାତୀୟତାର ନିଶାରେ ମଣିଷକୁ ତା’ର ମାନବିକ ଭୋକ ବିଷୟରେ ଭୁଲାଇ ରଖିବାକୁ ଚେଷ୍ଟାକରେ, ତେବେ ବି ଏ ଦେଶରେ ବିପ୍ଳବ ହେବ । କିନ୍ତୁ ତାହା ହିଂସାର ବିପ୍ଳବ ହେବ, ନୂଆ ନିର୍ମାଣ ଅପେକ୍ଷା ଅଯୋଗ୍ୟ ବର୍ତ୍ତମାନର ବିଲୋପସାଧନ କରିବାରେ ଏହା ଅଧିକ ଉତ୍ସାହ ଦେଖାଇବ ଏବଂ ଏଇଥିରୁ ହିଁ ନାନପ୍ରକାର ଅସୁସ୍ଥତା ଜନ୍ମଲାଭ କରିବ । ହୁଏତ ସ୍ଲୋଗାନର ଜୟଲାଭ ହେବ, ବାଦର ଜୟଲାଭ ହେବ, ମାତ୍ର ମଣିଷ ମରିଯିବ । ଏହି ଦୃଷ୍ଟିରୁ ଭାରତର ପ୍ରଧାନମନ୍ତ୍ରୀ ବର୍ତ୍ତମାନ କିଏ ହେବ, ତାହା ମୋତେ ବଡ଼ ମହତ୍ତ୍ଵପୂର୍ଣ୍ଣ ବୋଲି ବୋଧ ହେଉଚି ।

 

୧୭ । ୦୧ । ୬୬

 

ଯିଏ ମୋ’ର ଫରମାସ ପୂରଣ କରିବ, ମୁଁ କ’ଣ ତାହାକୁ ହିଁ ଭଲ ପାଇବି ? ତେବେ ଏହି ଭଲ ପାଇବାକୁ ମୁଁ ମଣିଷକୁ ଭଲ ପାଇବା ବୋଲି କହି ପାରିବି କିପରି ? ମୋ’ର ବ୍ୟକ୍ତିଗତ ଜୀବନରେ ମୁଁ କେତେଟା କଥାକୁ ଭଲ ବୋଲି କହେ, ପୁଣି ଆଉ କେତେଟା କଥାକୁ ମନ୍ଦ ବୋଲି କହେ । କେତେଟା କଥାକୁ ମୁଁ ନୀତି ବୋଲି ମାନେ, ପୁଣି ଆଉ କେତେଟା କଥାକୁ ମୁଁ ଅନୀତି ବୋଲି ମାନେ । ମୋ’ର ଭଲ ମନ୍ଦ, ନୀତି ଅନୀତିର ଜାଲ ଦେଇ ମୋ’ର ଭଲ ପାଇବାର ସାମର୍ଥ୍ୟ କ’ଣ ଛଣା ଦେବାରେ ଲାଗିଥିବ, ନା ମୁଁ କୌଣସି ମଣିଷକୁ ଭଲପାଇ ଶିଖିବି ? ଜାଣେ, ପିଲାଦିନୁ ମୁଁ ଯାହା ଶିଖି ଆସିଚି, ତାହାରି ଅନୁସାରେ ଫରମାସ ପୂରଣ କରିବା ଓ ଭଲପାଇବା ମଧ୍ୟରେ ସମ୍ପର୍କ ରହିବା ସ୍ଵାଭାବିକ ବୋଲି ମୋ’ର ବିଶ୍ଵାସ କରିବା ମୋ’ ପକ୍ଷରେ ଅଧିକ ସହଜ । ଅନେକ ବର୍ଷ ତଳେ ଭଲ ପାଇବା କହିଲେ ମୁଁ ପ୍ରଧାନତଃ ଏହି ଫରମାସ ପୂରଣ କରିବାକୁ ବୁଝୁଥିଲି । ସଂସାର ଭିତରେ ପଶି, ମଣିଷର ଅନ୍ତରଙ୍ଗ ସଖ୍ୟକୁ ଅନୁଭବ କରି ମୁଁ ଚିରଦିନ ମୋ’ର ଶିଖିଥିବା ପାଠକୁ ଅସତ୍ୟ ବୋଲି ବୁଝିବାର ଚେଷ୍ଟାକରି ଆସିଚି । ମୋ’ ଭିତରର ନୀତିବାଦୀ ମନଟା ମଣିଷ ଅପେକ୍ଷା ନୀତିଟାକୁ ଅଧିକ ଭଲ ପାରିବାକୁ ପ୍ରରୋଚନା ଦେଉଥିଲେ ମଧ୍ୟ ମୁଁ ତଥାପି ମଣିଷକୁ ଭଲ ପାଇବା ଲାଗି ଓ ସେହି ଭଲ ପାଇବାକୁ ହୃଦୟ ଭିତରେ ରଖିବାକୁ ଚେଷ୍ଟା କରି ଆସିଚି । କେତେକ ପରିମାଣରେ ସଫଳ ହୋଇଚି, ପୁଣି କେତେକ ପରିମାଣରେ ହୋଇ ପାରିନାହିଁ । ବେଳେବେଳେ ନୀତିର ଉତ୍ତେଜିତ ବାଛବିଚାରରେ ମଣିଷକୁ ଛାଡ଼ିଯାଇଚି, ପୁଣି ହୃଦୟ କୁହା ମାନି ମଣିଷ ପାଖକୁ ଫେରି ଆସିଚି ।

 

୧୮ । ୦୧ । ୬୬

 

ତେଣେ ଦେଶରେ, ସମାଜରେ ଓ ପୃଥିବୀରେ ଅନେକ ସମସ୍ୟା ରହିଚି । ସେଗୁଡ଼ିକର ଆହ୍ଵାନକୁ ମୋତେ ଜବାବ ଦେବାକୁ ପଡ଼ିବ । ତେଣୁ, ଏ ସାନ ବ୍ୟକ୍ତିଗତ ଜୀବନର ଲାଭ ଓ କ୍ଷତିରେ କୌଣସି କାମ ନାହିଁ । ଏସବୁକୁ ଛିଡ଼ାଇ ଦେଇ ଯିବାକୁ ପଡ଼ିବ,—ସାନ କ୍ଷେତ୍ରର ଡୋର କାଟି ମୋତେ ତଥାକଥିତ ବଡ଼ କ୍ଷେତ୍ରର ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିବ । ଏପରି ଏକ ଆଣ୍ଟରେ ମୁଁ ଯେତେ ଏସବୁକୁ ଛିଡ଼ାଇ ବାହାରି ଯିବାକୁ ଚାହେଁ, ବୃହତ୍ତର ଆହ୍ଵାନଗୁଡ଼ିକର ସମ୍ମୁଖୀନ ହେବାର ଆଳ ଭିତରେ ମୁଁ ଯେତେ ମୋ’ର କ୍ଷୁଦ୍ରତର ବ୍ୟକ୍ତିଗତ ସମ୍ବନ୍ଧଗୁଡ଼ିକୁ ଭୁଲି ରହିବାକୁ ଚାହେ, ସେତେ ବେଶୀ ମୋତେ ଯେପରି ପଛରୁ କେହି ଟାଣିବାରେ ଲାଗିଥାଏ । ଆଗକୁ ଯିବାର ଜିଦ୍ ଓ ଆପଣା ଘରେ ଆପଣା ବ୍ୟକ୍ତିଗତ ସ୍ନେହ ପ୍ରେମର ପାଶ ଭିତରେ ଲାଖି ରହିଥିବା ମୋ’ର ହୃଦୟ ମଝିରେ ମୁଁ ଛଟପଟ ହେଉଥାଏ । କାହିଁକି ଏପରି ହୁଏ ? ଅନେକେ କେଡ଼େ ସହଜରେ ସବୁ ଛାଡ଼ିଯାଆନ୍ତି; ଦେଶ ଲାଗି, ଜାତି ଲାଗି, ଧର୍ମ ଲାଗି ଓ ଆଦର୍ଶ ଲାଗି ପାଚଳ ହୋଇ ଯାଆନ୍ତି,-ଆଦର୍ଶର ବାନା ଧରି ମଣିଷ ସହିତ ସବୁ ଡୋର ଓ ମଣିଷ ପ୍ରତି ସକଳ କର୍ତ୍ତବ୍ୟ ତୁଟାଇଦେଉ ଯାଆନ୍ତି । ମୁଁ ତାହା ପାରେନାହିଁ କାହିଁକି ? କାହିଁକି ମୁଁ ମୋ’ରି ସାନ ଘରେ ମୋ’ର କ୍ଷୁଦ୍ର କ୍ଷୁଦ୍ର ବ୍ୟକ୍ତିଗତ ସମ୍ପର୍କରେ ସଂସାରର ସବୁ ଶୁଭ ଓ ଉଚ୍ଚ ଆଦର୍ଶକୁ ବଞ୍ଚିବାର ଅବିରାମ ଚେଷ୍ଟା କରୁଥାଏ ? ହୁଏତ ଏହାହିଁ ମୋ’ର ସ୍ଵୀକୀୟ ପଥ,–ତେଣୁ ଏହି ପଥରେ ହିଁ ମୋତେ ଯିବାକୁ ହେବ । ଭଲ ମନ୍ଦ ବିଚାରିବାର ବେଳ ନାହିଁ । କାରଣ, ମୋ’ ହୃଦୟର ଚେରଗୁଡ଼ାକୁ ଛିଡ଼ାଇ ଚାଲିଯିବାର ଅଧିକାର ବି ମୋ’ର ନାହିଁ । ହୃଦୟକୁ ଅସ୍ଵୀକାର କରି ମୁଁ କେଉଁ ଆଦର୍ଶର କି ପୁର୍ତ୍ତି କରିପାରିବି ?

 

୧୯ । ୦୧ । ୬୬

 

ମୋ’ର ବ୍ୟକ୍ତିଗତ ସମ୍ବନ୍ଧଗୁଡ଼ିକ ହେଉଚି ମୋ’ ଜୀବନର ନିଶ୍ଚିତତମ ଭୂମିସ୍ୱରୂପ । ମୋ’ର କ୍ଷୁଦ୍ର ବ୍ୟକ୍ତିଗତ ସମ୍ବନ୍ଧଗୁଡ଼ିକର ଜରିଆରେ ହିଁ ମୁଁ ମୋ’ର ଜୀବନର ଶ୍ରେଷ୍ଠ ଅର୍ଥାତ୍ ଶ୍ରଦ୍ଧାସ୍ପଦ ଜୀବନମୂଲ୍ୟଗୁଡ଼ିକୁ ବଞ୍ଚିବାର ପ୍ରୟାସ କରିବି । ତେବେ ଯାଇ ଏହି ମୂଲ୍ୟଗୁଡ଼ିକୁ ସତ ବୋଲି ଅନୁଭବ କରି ପାରିବି । ମୁଁ ସଂସାରେ ସବୁ ମଣିଷ ଲାଗି ସୁଖ ଓ କଲ୍ୟାଣ ଚାହେ । କିନ୍ତୁ ମୋ’ର ସାନ ବ୍ୟକ୍ତିଗତ ସମ୍ପର୍କ ଗୁଡ଼ିକରେ ଯଦି ମୁଁ ମୋତେ ପରିବେଷ୍ଟିତ କରି ରହିଥିବା ଲୋକମାନଙ୍କ ଲାଗି ସୁଖ ଓ କଲ୍ୟାଣର କାରଣ ହୋଇ ନପାରିଲି, ତେବେ ସେହି ଚାହିବାରେ ଆଉ କେଉଁ ଅର୍ଥ ରହିଲା ? ମୁଁ ହୁଏତ ଚାହିବି ଯେ ମଣିଷ ଏହି ସଂସାରରେ ସୁନ୍ଦର ହେଉ, ନିର୍ଭୟ ହେଉ ଓ ସୁନ୍ଦର ଜୀବନ ଯାପନ କରିବାକୁ ଅଧିକ ଉତ୍ସାହୀ ହେଉ । କିନ୍ତୁ ମୋ’ ଜୀବନର ବିଭିନ୍ନ ଦିନମାନଙ୍କରେ ମୋ’ର ସମ୍ବନ୍ଧସୂତ୍ର ଜରିଆରେ ମୋ’ ସହିତ ବନ୍ଧାହୋଇ ରହିଥିବା ପୃଥିବୀ ଭିତରେ ଯଦି ମୁଁ ସୁନ୍ଦର ହୋଇ ନପାରିଲି, ନିର୍ଣ୍ଣୟ ହୋଇ ନପାରିଲି ବା ସୁନ୍ଦର ଜୀବନ ଯାପନ କରିବାରେ ଉତ୍ସାହୀ ହୋଇ ନପାରିଲି, ତେବେ ଏହି ସଂସାରକୁ ନିର୍ଭୟ କରିବାରେ ମୋ’ର ଆଉ କି ଭାଗ ରହିବ ? ମୁଁ ଏହି ଜୀବନକୁ ଭଲପାଏ, ଅର୍ଥାତ୍, ଜୀବନର ଶ୍ରେଷ୍ଠ ମୂଲ୍ୟଗୁଡ଼ିକୁ ମୁଁ ମୋ’ର ନିତିଦିନର ଜୀବନରେ ଓ ମୁହୂର୍ତ୍ତ ମୁହୂର୍ତ୍ତର ବ୍ୟକ୍ତିଗତ ସମ୍ବନ୍ଧ ଭିତରେ ହିଁ ବଞ୍ଚିବାକୁ ଚାହେଁ । ଆଦର୍ଶ କହିଲେ ମୁଁ ଏହି ମୁହୂର୍ତ୍ତଗୁଡ଼ିକୁ ଓ ସମ୍ବନ୍ଧଗୁଡ଼ିକୁ ପରିପୂର୍ଣ୍ଣତମ ଅର୍ଥ ଦେଇ ବଞ୍ଚିବାକୁ ଚାହେ ।

 

୨୦ । ୦୧ । ୬୬

 

ଶ୍ରୀମତୀ ଇନ୍ଦିରାଗାନ୍ଧୀ କାଲି କଂଗ୍ରେସର ନୂତନ ନେତାରୂପେ ନିର୍ବାଚିତ ହେଲେ । ଅନ୍ତତଃ ଆଗାମୀ ଦେଢ଼ ବରଷ ସକାଶେ ସେ ଭାରତର ପ୍ରଧାନମନ୍ତ୍ରୀ ରହିବେ । ଗଣତନ୍ତ୍ର ଶାସନରେ ନୂଆ ପ୍ରଧାନମନ୍ତ୍ରୀ ଆସିଲେ ଶାସନର ସ୍ଵଭାବରେ ଖୁବ୍ ବେଶୀ ଓଲଟପାଲଟ ହୋଇଯାଏ ନାହିଁ । ବିଶେଷତଃ ଯେଉଁ ଦେଶର ସର୍ବପ୍ରଧାନ ସମସ୍ୟାଗୁଡ଼ିକ ବିଷୟରେ ଦେଶବାସୀଙ୍କ ମଧ୍ୟରେ ଖୁବ୍ ବେଶୀ ଦ୍ଵିମତ ନାହିଁ, ସେଠାରେ ଏହି ଗାଦିବଦଳ ଦ୍ଵାରା କୌଣସି ଓଲଟପାଲଟ ହୋଇଯିବାର ପ୍ରଶ୍ନ ହିଁ ଉଠୁନାହିଁ । ଏ ଦେଶର ସମସ୍ୟା ହେଉଚି ଅବହେଳିତ ମଣିଷର ସମସ୍ୟା,—ଅନ୍ନବସ୍ତ୍ରର ସମସ୍ୟା, ଅଶିକ୍ଷା ଓ ଅସ୍ୱାସ୍ଥ୍ୟର ସମସ୍ୟା,—ପାରମ୍ପାରିକ ଅନ୍ୟାୟସବୁ ଦୂର କରି ମାନବିକ ନ୍ୟାୟ ତଥା ମାନବିକ ସହଯୋଗ ଉପରେ ଏକ ସୁନ୍ଦରତର ସାମୂହିକ ଜୀବନ ପ୍ରତିଷ୍ଠା କରିବାର ସମସ୍ୟା-। ଏହି ସବୁ ସମସ୍ୟା ସମାଧାନ କରିବା ଦିଗରେ କାହାରି କୌଣସି ମତଦ୍ଵୈଧ ବା କାହିଁକି ରହିବ ? ତେଣୁ, ଯେ କୌଣସି ଯୋଗ୍ୟ ଓ ସଚେତ ପ୍ରଧାନମନ୍ତ୍ରୀ ଏବଂ ଦେଶର ଶାସନ ମୁଣ୍ଡାଇଥିବା ଯେ କୌଣସି ରାଜନୀତିକ ଦଳ ଜାତୀୟତା, ଯୁଦ୍ଧ, ଆଡ଼ମ୍ବର ଓ ବଚସା ଅପେକ୍ଷା ଦେଶର ମାନବିକ ସମସ୍ୟାଗୁଡ଼ିକୁ ସମାଧାନ କରିବା ଦିଗରେ ହିଁ ଅଧିକ ଶକ୍ତି ଓ ସଂକଳ୍ପ ରଖିପାରିବା ଉଚିତ । ପଣ୍ଡିତ ନେହେରୁଙ୍କ ଅପେକ୍ଷା ଶ୍ରୀ ଶାସ୍ତ୍ରୀ ଏ ଦିଗରେ ଅଧିକ ସଚେତ ଓ ତତ୍ପର ଥିଲେ ବୋଲି ମୁଁ କହିବି । ଶାସ୍ତ୍ରୀଙ୍କ ଅମଳରେ ଭାରତ ବହିରାକାଶରେ ଉଡ଼ିବା ଛାଡ଼ି ଆପଣା ଘରର ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଅଧିକ ପ୍ରୟାସୀ ହେଉଥିଲା । ବାହାରେ ଭାରତର ନାଆଁ ବଢ଼ୁନଥିଲା କି ନାଆଁ ପଡ଼ୁନଥିଲା, କିନ୍ତୁ ଦେଶ ଭିତରେ, ନେତୃତ୍ଵ ଭିତରେ ରହି ଯାଇଥିବା ଫମ୍ପାଗୁଡ଼ାକୁ ଭରିବାରେ ଅଧିକ ନିଷ୍ଠାପର ପ୍ରଯତ୍ନ କରା ଯାଉଥିଲା । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଯେଉଁ କେତେବର୍ଷ ଲାଗି ପ୍ରଧାନମନ୍ତ୍ରୀର ଗାଦୀରେ ବସିବେ, ସେହି କେତେବର୍ଷ ଏହି ପରମ୍ପରା ରହିବ ନା ଆମେ ପୁଣି ଜାତୀୟ ଉଦ୍ଦୀପନାର ରୋମାଣ୍ଟିକ୍ ଯୁଗକୁ ଫେରିଯିବା ?

 

୨୧ । ୦୧ । ୬୬

 

ଇଂଲଣ୍ଡର ରାଣୀ ଏଲିଜାବେଥ୍ ମନ କଲେ ଏଣିକି ଆଣ୍ଠୁ ନ ଲୁଚାଇ ପୋଷାକ ପିନ୍ଧିପାରିବେ ବୋଲି ଖବରକାଗଜରେ ବାହାରିଚି । ଏ ପର୍ଯ୍ୟନ୍ତ ଇଂଲଣ୍ଡ ରାଜବଂଶର ପରମ୍ପରା ରକ୍ଷା କରି ତାଙ୍କୁ ଆଣ୍ଠୁ ଲୁଚାଇ ପୋଷାକ ପିନ୍ଧିବାକୁ ପଡ଼ୁଥିଲା । ଏକଥା କାଲି ଉଜ୍ଜ୍ଵଳ ଅକ୍ଷରରେ ଖବର କାଗଜରେ ବାହରିଚି, ଅର୍ଥାତ୍ ମୋଟା ମୋଟା କଳା କଳା ଅକ୍ଷରରେ ବାହାରିଚି । ଇଂଲଣ୍ଡର ନାରୀଜାତି କେଉଁଦିନୁ ଆଣ୍ଠୁ ଉପରକୁ ପୋଷାକ ପିନ୍ଧିବାର ସ୍ଵାଧୀନତା ହାସଲ କରି ସାରିଲେଣି । ତଥାପି ଇଂଲଣ୍ଡର ରାଣୀକୁ ଏହି ପରମ୍ପରା ଭାଙ୍ଗିବାର ସ୍ଵାଧୀନତା ଏ ପର୍ଯ୍ୟନ୍ତ ଦିଆଯାଇନାହିଁ । ହୁଏତ ଆପଣାର ଅଚେତନ ମନରେ ଇଂଲଣ୍ଡ ରୁଢ଼ିବନ୍ଧା ମଣିଷ ଆଣ୍ଠୁ ନଲୁଚାଇ ପୋଷାକ ପିନ୍ଧିବାରେ ତଥା ପାଠକ ଅଶୋଭନତାର ଗନ୍ଧ ଆଜି ମଧ୍ୟ ବାରୁଚି, ସେଥିଲାଗି ଜାତିର ସନ୍ତକ ରାଣୀକୁ ସେ ପରମ୍ପରା ଭାଙ୍ଗିବାର ସ୍ଵତନ୍ତ୍ରତା ଦେଇ ପାରୁନାହିଁ । ମୁଁ ବିଚରା ଇଂଲଣ୍ଡର ରାଣୀଙ୍କ କଥା ଭାବୁଚି । ତାଙ୍କର ଆଣ୍ଠୁ ନଲୁଚାଇ ପୋଷାକ ପିନ୍ଧିବାର ଖବର ସମ୍ବାଦପତ୍ରମାନଙ୍କରେ ବାହାରୁଚି, ଏକଥା ଦେଖି ତାଙ୍କୁ ଲାଜ ମାଡ଼ୁଥିବ ନା ଏଥିରେ ସେ ଗୌରବ ବୋଧ କରୁଥିବେ ? ଯେଉଁ ସାମ୍ବାଦିକମାନେ ଏହାକୁ ପରିବେଷଣ ଯୋଗ୍ୟ ଗୋଟିଏ ଖବର ଲାଗି ବାଛିଚନ୍ତି ଓ ଯେଉଁ ପାଠକଶ୍ରେଣୀ ଏପରି ସମ୍ବାଦ ପଢ଼ିବାର ଅପେକ୍ଷା ମଧ୍ୟ ରଖୁଚନ୍ତି, ମଣିଷ ଓ ମଣିଷପଣିଆର ଯୁଗରେ ସେମାନଙ୍କର ଆଗ୍ରହକୁ କେବଳ ଏକ ସଂଗ୍ରହାଳୟ ଭିତରେ ସାଇତି ରଖିବା ଉଚିତ ବୋଲି ମୁଁ ବିଚାରୁଚି । ରାଣୀ ଓ ରାଣୀସ୍ତୁତିର ଏହି ପର୍ଯ୍ୟାୟ କେବେ ସରିବ ?

 

୨୨ । ୦୧ । ୬୬

 

ମୋ’ ନାମ ସହିତ ଯଦି ଗୋଟିଏ ବା କେତେଟା ଡିଗ୍ରୀର ଲାଙ୍ଗୁଡ଼ ରହିଥାନ୍ତା, ତେବେ ମୁଁ କଣ ଗୋଟାଏ ଜାଗାରୁ ଏହିପରି ଆଉ ଗୋଟାଏ ଜାଗାକୁ ଡେଇଁବାରେ ଲାଗିଥାନ୍ତି ? ସଭାରେ ଭାଷଣ ଦେଲାବେଳେ ସବୁ ସ୍ଥାନକୁ ମୋ’ର ଆପଣାର ସ୍ଥାନ ବୋଲି ଭାବୁଥା’ନ୍ତି, ଶିକ୍ଷାର ଉନ୍ନତି ଲାଗି ଆମ ସମସ୍ତଙ୍କର ପ୍ରାଣ ପଣ କରି ଲାଗିପଡ଼ିବା ଉଚିତ ବୋଲି କହୁଥା’ନ୍ତି, ମାତ୍ର ଜୀବନ ସାରା ଗୋଟାଏ ଜାଗାରୁ ଆଉ ଗୋଟାଏ ଜାଗାକୁ ଧାଇଁଯାଇ ଭୋଗ ଚାଖିବା ଓ ଲାଳସା ବଢ଼ାଇବା ବ୍ୟତୀତ ମୁଁ କ’ଣ ଆଉ କିଛି ହେଲେ ଶିଖି ପାରିନଥା’ନ୍ତି ? ଅମୁକ ଜାଗାରେ ମୋତେ ଅଧିକ ସୁବିଧା ମିଳିବ, ତେଣୁ ସେଠାରେ ଯାଇ ମୁଁ ଅନେକ ଅଧିକ କାମ କରିବି; ଏଠାରେ ମୋତେ ସେପରି ସୁଯୋଗ ମିଳୁନାହିଁ, ତେଣୁ ଏଠି କୌଣସି କାମ କରି ଦେଖାଇବା ମୋ’ ପକ୍ଷରେ ସମ୍ଭବ ହେଉନାହିଁ, ମୁଁ ମଧ୍ୟ କ’ଣ ପ୍ରଧାନତଃ ଏହି ଯୁକ୍ତି ଦେଖାଇ ଆପଣାର କର୍ତ୍ତବ୍ୟକୁ ଅବହେଳା କରିବାରେ ଲାଗିଥାନ୍ତି-? ଅଧ୍ୟାପକମାନଙ୍କର ସଂସାରରେ ପଶି ଗତ କେତେବର୍ଷ ଭିତରେ ମୋ’ର ଯେଉଁ ଅଭିଜ୍ଞତା ହୋଇଚି, ପ୍ରଧାନତଃ ତାହାକୁ ହିଁ ଭୂମି କରି ବାରବାର ମୋ’ ମନରେ ଏହି ପରି ଏକ ପ୍ରତିକ୍ରିୟା ହୋଇଚି । ମୁଁ ଭାବୁଚି, ଭଲ ହୋଇଚି, ମୋ’ର ଡେଇଁବାରେ ଗୋଟାଏ ବାଧ୍ୟତାମୂଳକ ପ୍ରତିବନ୍ଧକ ରଖି ମୁଁ ହୁଏତ ଅଧ୍ୟାପକ ନହେବାର ଅନେକ ପ୍ରମାଦରୁ ନିଜକୁ ରକ୍ଷା କରି ପାରିଚି । ମୋ’ର ଡିଗ୍ରୀ ନାହିଁ ଅର୍ଥାତ୍ ମୁଁ ଡିଗ୍ରୀ ଲାଗି କଦାପି ମନ ବଳାଇନାହିଁ, ତେଣୁ ମୋ’ ଲାଗି ଏଠାକୁ ସେଠାକୁ ଡେଇଁବାର ମଧ୍ୟ ଖୁବ୍‍ ବେଶୀ ସମ୍ଭାବନା ନାହିଁ । ତେଣୁ, ମୁଁ ଯେଉଁଠି ଅଛି, ସେଇଠାରେ ହିଁ ନିଜକୁ ଯଥାଶକ୍ତି ସମର୍ପଣ କରିଦେବାକୁ ମୁଁ ଅଧିକ ପ୍ରେରଣା ପାଉଚି, ଅଧିକ ଶକ୍ତି ପାଉଚି ।

 

୨୩ । ୦୧ । ୬୬

 

ସମ୍ମୁଖରେ ଅନେକ ପଥ ବାକି ରହିଚି, ଅନେକ ହେବାକୁ ଓ ଅନେକ କରିବାକୁ ବାକି ରହିଚି । ତେଣୁ, ଆମର ପୃଥିବୀରେ ଅସଲ ପରିବର୍ତ୍ତନ କେଉଁଠି କିଛି ହେଉନାହିଁ ବୋଲି ଗୁମାନ କରି ଚୁପ୍ ହୋଇ ବସିଗଲେ ଆଦୌ ଚଳିବନାହିଁ । ମୁଁ ଜଣେ ମଣିଷ । ମଣିଷ ହିସାବରେ ମୁଁ ସମ୍ମାନିତ ଅଧିକାର ଚାହେ । ସେହିପରି ସଂସାରର ସବୁ ମଣିଷ ଲାଗି ସମ୍ମାନିତ ଅଧିକାର ଚାହେ । କିନ୍ତୁ ଆଜି ମୋ’ର ଏହି ସଂସାରରେ ନାନାପ୍ରକାର ଫିକର ଓ ଫିସାଦ ବସାହୋଇ ମଣିଷକୁ ଅନେକ କ୍ଷେତ୍ରରେ ସେହି ସମ୍ମାନରୁ ବଞ୍ଚିତ କରି ରଖାଯାଇଚି । ମଣିଷର ମନ ଓ ହୃଦୟରେ ନାନାପ୍ରକାର ବେଡ଼ି ପିନ୍ଧାଇ ଦିଆଯାଇଚି । ସେହି ବେଡ଼ି ଫିଟିବ କେଉଁଦିନ ? ହୁଏତ ମୋ’ର ଜୀବଦ୍ଦଶାରେ ଫିଟିବନାହିଁ । ଏବଂ ସେହି ଅବସାଦ ହିଁ ମୋତେ ବେଳେବେଳେ ବଡ଼ ବିବଶ କରି ପକାଇବା ପରି ଲାଗୁଚି । କେଉଁପରି ସ୍ଵଭାବ ନେଇ ମଣିଷ ଏହି ସଂସାରରେ ଜନ୍ମ ହୋଇଥାଏ, ମୁଁ ସେକଥା କହି ପାରିବିନାହିଁ । କିନ୍ତୁ ମାତ୍ର କେତେଜଣଙ୍କର ଚତୁର ଆରାମର ବିପଣି ଚାଲିବ ବୋଲି ଯେ ଆହୁରି ଅନେକ ମଣିଷଙ୍କୁ ମଣିଷ ପରି ବଞ୍ଚିବାର ବା ମଣିଷ ପରି ଆଶା କରିବାର ସୁଯୋଗ ମଧ୍ୟ ମିଳିବ ନାହିଁ, ଏକଥା ମୁଁ କଦାପି ସହ୍ୟ କରି ପାରୁନାହିଁ । ମୋ’ର ଜୀବନକୁ ନାନାଭାବେ ସମୃଦ୍ଧ କରିବାକୁ ମୁଁ ଆହୁରି ଅନେକ ଜୀବନକୁ ଗ୍ରାସ କରି ରଖିବାକୁ ମନ ବଳାଉଥିବି, ଆମ ସାମୂହିକ ଜୀବନର କ୍ଷେତ୍ରରୁ ଏହି ପ୍ରମାଦ କେବେ ଦୂର ହେବ ? ଏଥିରେ ମୋ’ର କର୍ତ୍ତବ୍ୟକୁ ମୁଁ କିପରି ସମ୍ପନ୍ନ କରି ପାରିବି ?

 

୨୪ । ୦୧ । ୬୬

 

ଆଜି ଦିଲ୍ଲୀରେ ନୂଆ ମନ୍ତ୍ରୀମଣ୍ଡଳ ଗଢ଼ା ହେବ । ମନ୍ତ୍ରୀମାନେ ଦେଶ ନାମରେ ଅର୍ଥାତ୍ ଦେଶବାସୀଙ୍କ ନାମରେ ଶପଥ ଗ୍ରହଣ କରିବେ । ଆଜିଠାରୁ ଭାରତର ଆଧୁନିକ ଇତିହାସରେ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଖବର କାଗଜମାନେ ଲେଖିଚନ୍ତି । ୧୯୪୭ ମସିହାରେ ଏହି ଦେଶ ଲାଗି ଯେଉଁ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଆମେ ସେହି ପର୍ଯ୍ୟାୟର ଯଥାଯୋଗ୍ୟ ଲାଭ ଏପର୍ଯ୍ୟନ୍ତ ଉଠାଇ ପାରିଲୁ ନାହିଁ । ଅର୍ଥାତ୍, ଏହି ପର୍ଯ୍ୟାୟରେ ଆମେ ଏ ଦେଶର ମଣିଷ ଲାଗି, ଆମ ଲାଗି ଯେତେଦୂର ଯାହା ଗଢ଼ି ପାରିଥାନ୍ତୁ, ତାହା କରି ପାରିଲୁ ନାହିଁ । ହଁ, ଯୋଜନା ଅନେକ ହେଲା, କିନ୍ତୁ କାମ ହେଲା ଅନେକ କମ୍; ବଚସା ବହୁତ ହେଲା, କିନ୍ତୁ ମଣିଷ ଯଥେଷ୍ଟ ଉପକୃତ ହୋଇ ପାରିଲାନାହିଁ । ଦେଶର ନାମରେ ସବୁ ହେଲା, କିନ୍ତୁ ଦେଶର କେବଳ କେତେକ ଲୋକ ସବୁ ଫାଇଦାର ଫସଲ କାଟିଲେ । ଆଜି ମଧ୍ୟ ଏହି ଦେଶରେ କୋଟି କୋଟି ମଣିଷ ଅସ୍ଵୀକୃତ ହୋଇ ରହିଚନ୍ତି । ସେମାନଙ୍କୁ ସ୍ଵାଧୀନ ଦେଶର ମଣିଷ ହିସାବରେ ସ୍ଵୀକାର କରିବା ତ ପରର କଥା, ଏପର୍ଯ୍ୟନ୍ତ ମଣିଷ ହିସାବରେ ମଧ୍ୟ ଆମେ ସେମାନଙ୍କୁ ସ୍ଵୀକାର କରି ପାରିଲୁନାହିଁ । ସ୍ଵାଧୀନତା ସଂଗ୍ରାମ ଚାଲିଥିଲା କେବଳ ଏହି ଦେଶର ନେତୃତ୍ଵ ସୌଭାଗ୍ୟବଶତଃ ରାଜନୀତିକ ସ୍ଵାଧୀନତା ସହିତ ଆର୍ଥିକ ଓ ସାମାଜିକ ନ୍ୟାୟର ମଧ୍ୟ ସମାନ ମହତ୍ତ୍ଵ ଦେଇ ଆସିଥିଲା । ସ୍ଵାଧୀନତା ପରେ ଜାତୀୟତାର ଯେଉଁ ପର୍ବ ବର୍ତ୍ତମାନ ମଧ୍ୟ ମହା ଆଡ଼ମ୍ବରରେ ଏହି ଦେଶରେ ଚାଲିଚି, ସେଥିରେ ଆର୍ଥକ ଓ ସାମାଜିକ ଦିଗଗୁଡ଼ିକ ବଡ଼ ପଛରେ ପଡ଼ି ଯାଇଚି । ଜାତୀୟତା କହିଲେ ବାହାର ଶତ୍ରୁ ସହିତ ଲଢ଼ିବାକୁ ଯେତେ ବୁଝାଉଚି; ନିଜ ଦେଶରେ ସବୁ ମଣିଷଙ୍କ ଲାଗି ଜୀବନକୁ ସୁନ୍ଦର କରି ଗଢ଼ିବାର ପରିସର ଦେବାକୁ ସେତେ ବୁଝାଉନାହିଁ । କିନ୍ତୁ ମଣିଷକୁ ଅସ୍ଵୀକାର କରି ଆମର ଜାତୀୟତାର ଆମକୁ କି ଫଳ ଭୁଞ୍ଜାଇବ ?

 

୨୫ । ୦୧ । ୬୬

 

ବର୍ତ୍ତମାନ ପ୍ରୟାଗ ଓ ବନାରସଠାରେ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ଚିତାଭସ୍ମ ଗଙ୍ଗାଜଳରେ ବିସର୍ଜନ କରା ହେଉଥିବ । ଶ୍ରୀ ଜବାହାରଲାଲ ନେହରୁଙ୍କର ନିଧନ ଅପେକ୍ଷା ଶ୍ରୀ ଶାସ୍ତ୍ରୀଙ୍କର ନିଧନ ଦ୍ଵାରା ମୁଁ ମୋ’ର ହୃଦୟରେ ଅଧିକ ଆଘାତ ପାଇଚି । ଏପରି କହିବାଦ୍ଵାରା ମୁଁ ସ୍ଵର୍ଗତ ନେହରୁଙ୍କ ପ୍ରତି କୌଣସି ଅଶ୍ରଦ୍ଧା ପ୍ରକଟ କରିବାକୁ ଇଚ୍ଛା କରୁନାହିଁ । କିନ୍ତୁ ଶାସ୍ତ୍ରୀଜୀଙ୍କ ଉପରେ ଯେ ମୋ’ର କେତେଦୂର ଭରସା ଓ ଶ୍ରଦ୍ଧା ରହିଥିଲା, ମୁଁ ତାହାହିଁ କହିବାକୁ ଇଚ୍ଛା କରୁଚି । ନେହରୁ ଏହି ଦେଶକୁ ରାଜନୀତିକ ସ୍ଵାଧୀନତା ଆଣି ଦେବାରେ ଅନ୍ୟତମ ନାୟକ ଓ ଅଗ୍ରଣୀ ରୂପେ କାର୍ଯ୍ୟ କରିଥିଲେ, ଏହି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହିସାବରେ ଏହି ଦେଶରେ ପ୍ରଜାତନ୍ତ୍ର ଶାସନର ମୂଳଦୁଆ ପକାଇଲେ, ସମ୍ପନ୍ନତାର ମୂଳଦୁଆ ମଧ୍ୟ ପକାଇଲେ । ତାଙ୍କର ତିରୋଧାନରେ ଦେଶ ଶୋକାଭିଭୂତ ହୋଇପଡ଼ିଲା ସତ, ମାତ୍ର ବିସ୍ମିତ ହୋଇ ନଥିଲା । ଭଙ୍ଗୁର ଗୋଟାଏ ମଣିଷ ଜୀବନଠାରୁ ଦେଶ ଆଉ କେତେ ବେଶୀ ଆଶା କରନ୍ତା ? କିନ୍ତୁ ଶାସ୍ତ୍ରୀଙ୍କ ବେଳକୁ କ’ଣ ହେଲା ? ଦେଶ ଓ ଦେଶବାସୀ ତାଙ୍କୁ ଯେଉଁ ଦାୟିତ୍ଵର ଆସନରେ ନେଇ ବସାଇଥିଲେ, ସେଠି ସେ ଆପଣାର ଲଗାମ ସମ୍ଭାଳି ଦେଶର ଗାଡ଼ିକୁ ଚଳାଇବାକୁ ଆରମ୍ଭ କଲାବେଳକୁ ତାଙ୍କୁ ବିଦାୟ ନେଇ ଯିବାକୁ ହେଲା । ତାଙ୍କର ତଥା ଦେଶର ଅନେକ ବାସନା ଓ ଆକାଙକ୍ଷା ଅପୂର୍ଣ୍ଣ ରହିଗଲା ।

 

୨୬ । ୦୧ । ୬୬

 

ମୁଁ ଯେଉଁ ସ୍ଵାଧୀନ ଦେଶକୁ ଭଲପାଇ ଶିଖିଚି, ସେହି ଦେଶ ପ୍ରଧାନତଃ ମଣିଷମାନଙ୍କର ଦେଶ । ସେହି ମଣିଷମାନଙ୍କ ସହିତ ମୁଁ ଏକାଠି ରହି ସୁନ୍ଦର ଜୀବନଯାପନ କରିବାର ସ୍ଵାଧୀନତା ପାଇବି, ସ୍ଵାଧୀନ ଦେଶ କହିଲେ ମୂଳତଃ ମୁଁ ଏହିକଥା ହିଁ ବୁଝିଥାଏ । ଏହାକୁ ରାଜନୀତିକ, ଆର୍ଥିକ ବା ସାମାଜିକ ଯେକୌଣସି ପ୍ରକାର ସ୍ଵାଧୀନତା କୁହାଗଲେ ମଧ୍ୟ ସେଥିରେ ମୋ’ର କୌଣସି ଆପତ୍ତି ନାହିଁ । ମୋ’ ଅର୍ଥରେ ଏହାକୁ ମୁଁ ମାନବିକ ସ୍ଵାଧୀନତା ବୋଲି କହିବି । ପ୍ରତ୍ୟେକ ଦେଶରେ ସ୍ଵାଧୀନତାର ଜାଗୃତ ଆଣି ଜାତୀୟତା ଓ ଜାତୀୟତାବାଦର ପ୍ରଚାର ହୋଇଚି, ତଥାପି ସ୍ଵାଧୀନତାର ମାନବିକ ଦିଗଟି ପ୍ରତି ଅଧିକାଂଶ ଦେଶରେ ବଡ଼ ଅବହେଳା କରାଯାଇଚି । ମଣିଷକୁ ମୂଳତଃ ମଣିଷ ହେବାର ଓ ମଣିଷ ପରି ସମ୍ମାନିତ ଭାବରେ ରହିବାର ସ୍ଵାଧୀନତା ଦେବା ଉଦ୍ଦେଶ୍ୟରେ ଆର୍ଥିକ, ରାଜନୀତିକ ଓ ସାମାଜିକ ସମୃଦ୍ଧି ଓ ଉତ୍କର୍ଷର ବ୍ୟବସ୍ଥା ହୋଇଥିଲେ ସମ୍ଭବତଃ ଏପରି ହୋଇନଥାନ୍ତା । ମାତ୍ର, ଇତିହାସରେ ପ୍ରାୟ ଓଲଟା ହିଁ ହୋଇଚି । ଜାତି ବା ଦେଶର ରାଜନୀତିକ, ଆର୍ଥକ ଓ ସଭ୍ୟତାଗତ ବୃଦ୍ଧି ଲାଗି ଅନେକ ସମୟରେ ମଣିଷକୁ ନ୍ୟୂନ କରି ଦିଆଯାଇଚି, ଶିକ୍ଷା, ସଂସ୍କୃତି ଓ ଦେଶାଚାରର ଅଫିମ ଖୁଆଇ ଦିଆଯାଇ ତାହାକୁ ଜାତୀୟତା ଓ ଜାତୀୟ ସ୍ଫୀତିର ଗାଡ଼ିରେ ଯୋଚି ଦିଆଯାଇଚି । ଏହାଦ୍ଵାରା ପତାକାର ଗୌରବ ବଢ଼ିଚି, କିନ୍ତୁ ମଣିଷର ଦୁର୍ଭାଗ୍ୟ ମଧ୍ୟ ବଢ଼ିଚି । ପୁଣି, ମଣିଷକୁ ଦୁର୍ଭାଗ୍ୟ କରି ରଖି ଜାତିର ଭାଗ୍ୟ କେତେଦୂର ବଢ଼ିଚି, ଜାତୀୟତାବାଦୀମାନେ ହିଁ ତାହାର ବିଚାର କରନ୍ତୁ । ଆଜି ମୋ’ ଦେଶର ପତାକା ତଳେ ଠିଆ ହୋଇ ମୁଁ ପ୍ରଧାନତଃ ଏହି କଥା ହିଁ ଚିନ୍ତା କରୁଥିଲି ।

 

୨୭ । ୦୧ । ୬୬

 

ମୋ’ ଦେଶର ମଣିଷ ଲାଗି ତା’ର ମାନବିକତା ଫେରାଇ ଆଣିବାକୁ ହିଁ ଆର୍ଥିକ, ସାମାଜିକ ଓ ରାଜନୀତିକ ପରିବର୍ତ୍ତନର ଆବଶ୍ୟକତା ରହିଚି । ବହିପାଠରୁ ପ୍ରେରଣା ପାଇଥିବା ନେତାମାନେ ଯେତେବେଳେ ଏ ଦେଶର ମାନବସମାଜ ଓ ତା’ର ଗୌରବମୟ ଅତୀତ ବିଷୟରେ ଚିତ୍ତାକର୍ଷକ ଭାଷଣମାନ ଦିଅନ୍ତି, ସେତେବେଳେ ମୁଁ ସେମାନଙ୍କର ସାଧୁତାକୁ ସନ୍ଦେହ କରି ବସିଥାଏ । ଏ ଦେଶର ମଣିଷ ବିଷୟରେ କଳ୍ପନା କଲାବେଳେ ସେମାନେ କ’ଣ ବୁଝନ୍ତି କେଜାଣି-? ଏ ଦେଶର ମଣିଷ ସଂଗ୍ରହାଳୟରେ ରଖା ଯାଇଥିବା ମଣିଷର ନମୁନା ନୁହେଁ, ଦେଶଭକ୍ତିରେ ଅନୁପ୍ରାଣିତ ହେବାଲାଗି ଯାହାକୁ ମଝିରେ ଥରେ ଥରେ ସଂଗ୍ରହାଳୟକୁ ଯାଇ ଦେଖି ଆସିବାକୁ ପଡ଼େ । ଏ ଦେଶର କୋଟିକୋଟି ମଣିଷ ହେଉଚନ୍ତି ଚମମାଂସ ଦେହରେ ମଣିଷ ହେବାର ସାଧନା କରିବାଲାଗି ଗଢ଼ା ହୋଇଥିବା ମଣିଷ, ଯେଉଁମାନେ ଆଜି ମଧ୍ୟ ଦୁର୍ଦ୍ଦମ ଭାବରେ ସେହି ମଣିଷ ହେବାର ସ୍ଵପ୍ନ ଦେଖିବାରେ ଲାଗିଚନ୍ତି । ମଣିଷ ହେବାର ଅଧିକାର ପାଇବା ଲାଗି ଅପେକ୍ଷା କରି ରହିଚନ୍ତି । ସେମାନେ ଖାଦ୍ୟ ଚାହାନ୍ତି, ବସ୍ତ୍ର ଓ ବସତି ଚାହାନ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ ଚାହାନ୍ତି, ଓ ସର୍ବୋପରି ନ୍ୟାୟ ଚାହାନ୍ତି । ଯେଉଁସବୁ ନ୍ୟାୟ ମଣିଷକୁ ମଣିଷର ଆସ୍ଥାନରେ ପ୍ରତିଷ୍ଠିତ କରେ, ସେମାନେ ସେହି ନ୍ୟାୟ ଚାହାନ୍ତି । ଦେଶ ବା ଜାତି ସ୍ଵାଧୀନତା କହିଲେ ସେମାନଙ୍କ ପାଖରେ ଏହି ନ୍ୟାୟକୁ ହିଁ ବୁଝାଏ । ଏ ଦେଶରେ ଆମେ ନେତାଏ କେବେ ସେହି ଆବଶ୍ୟକତାକୁ ବୁଝିବା ଲାଗି ସମର୍ଥ ହେବା ? କେବେ ଆମର ଦୁଆର ଖୋଲିବ ?

 

୨୮ । ୦୧ । ୬୬

 

ମୋ’ର ଧର୍ମବିଶ୍ଵାସ ମୋତେ ଅନେକ ଅନ୍ଧବିଶ୍ଵାସରୁ ବଞ୍ଚାଇ ରହିଚି । ଧର୍ମବିଶ୍ଵାସ କହିଲେ ମୁଁ ଯଦି କୌଣସି ଭେକ ବା ବାନା ଭିତରେ ବୁଡ଼ି ଯାଇଥାନ୍ତି, ତେବେ ହୁଏତ କାଳକ୍ରମେ ଧର୍ମ ଛାଡ଼ି, ଭେକ ଓ ବାନାକୁ ହିଁ ଆବୋରି ଧରିବା ହିଁ ସାର ହୋଇଥାନ୍ତା । ମୋ’ର ସେପରି ଦୁର୍ଭାଗ୍ୟ ଆଜିଯାଏ ହୋଇନାହିଁ । ଅବଶ୍ୟ ଭେକ ବା ବାନା ପ୍ରତି ମୁଁ କେବେହେଲେ କୌଣସି ପ୍ରକାର ଅସମ୍ମାନ ବା ଅବଜ୍ଞା ଦେଖାଇ ନାହିଁ । ଭେକ ଓ ବାନାରେ ବିଶ୍ଵାସ କରି ଧର୍ମବିଶ୍ଵାସକୁ ଗଭୀରତାର କରୁଥିବା ବ୍ୟକ୍ତିମାନଙ୍କୁ ମୁଁ ସବୁବେଳେ ଶ୍ରଦ୍ଧା ଓ ଆଦର ଦେଖାଇ ଆସିଚି । କିନ୍ତୁ କେଉଁଠି ଧର୍ମର ସଂଜ୍ଞା କରିବାକୁ ଯାଇ ମଣିଷ ଭେକ ଓ ବାନାର ଉଗ୍ର ବାଡ଼ମାନ ବସାଇ ରଖିଚି, ଯେଉଁଠି ଧର୍ମଜୀବନର ଅନୁଭବ କରିବା ପୂର୍ବରୁ ଭେକ ଓ ବାନାକୁ ହିଁ ଧର୍ମଗତ ଜୀବନ ବୋଲି କହିବାର ସନ୍ତାପ ଆପଣାକୁ ଜାରି କରି ରଖିଚି, ସେଠି ମୁଁ ଆଦୌ ଖୁସୀ ହୋଇ ପ୍ରବେଶ କରି ପାରିନାହିଁ । ସେଠାରେ ଏକପ୍ରକାର ଅନ୍ତର୍ଗତ ତ୍ରାସ ମୋତେ ଦୂରଛଡ଼ା କରି ନେଇଆସିଚି । ମୁଁ ମୋ’ ଅନ୍ତରର ଗଭୀରତମ ପଥରେ ସତକୁସତ ଯାହା ଖୋଜୁଚି, ତାହା ଯେପରି ଭେକ ଓ ବାନାର ବେଢ଼ା ଭିତରେ ପଶିଗଲେ ବନ୍ଦ ହୋଇଯିବ ବୋଲି ମୋ’ର ମନରେ ଏକ ଭୟ ଉତ୍ପନ୍ନ ହୋଇଚି । ଯାହା ମୁଁ ଖୋଜୁଚି, ତାକୁ କେଉଁଦିନ ହାତରେ ପାଇବି ବୋଲି ଆସ୍ପର୍ଦ୍ଧା ବି କରିନାହିଁ । ମୁଁ ଯେ ଠିକ୍ କ’ଣ ଖୋଜୁଚି ଓ କ’ଣ ଖୋଜୁ ନାହିଁ, ନ୍ୟାୟ ଓ ସଂଗତତାର ସୂତ୍ର ଅନୁସାରେ ତାହା ସଫା କରି ବୁଝାଇ କହିବାର ଶକ୍ତି ମଧ୍ୟ ମୋ’ ଭିତରେ ନାହିଁ । ତଥାପି ଏହି ଖୋଜା ଲାଗି ରହିଥାଉ, ଏହି ଦୀପଟି ଅନ୍ତରରେ ଅନୁଭୂତ କେଉଁ ଇପସିତ ଆଡ଼କୁ ଉନ୍ନୁଖ ହୋଇ ରହିଥାଉ, ଜୀବନ ଦେବତା ପାଖରେ ମୋ’ର ଏତିକି ପ୍ରାର୍ଥନା ।

 

୨୯ । ୦୧ । ୬୬

 

ସେଦିନ ବନ୍ଧୁ ମେଳରେ ବସି କହୁଥିଲି, ନୂଆ ନେତୃତ୍ଵ ଯଦି ଏ ଦେଶର ମଣିଷ ଲାଗି ଆପଣାର ସବୁ ଶକ୍ତି ଲଗାଇ କାମ ନ କରିବ, ତେବେ ଏହି ଦେଶ ଛାଡ଼ି ବାହାରକୁ ଯିବାକୁ ପଡ଼ିବ-। ଭୌଗୋଳିକ ଦୃଷ୍ଟିରୁ ଭାରତବର୍ଷ ଛାଡ଼ି ବାହାରକୁ ଚାଲି ଯିବାଦ୍ଵାରା ଯେ ବାହାରକୁ ଯିବା ସମ୍ଭବ ହେବ, ସେପରି କୌଣସି କଥା ନାହିଁ । ଆପଣା ଜୀବନର ଅନ୍ତର୍ଗତ କ୍ଷେତ୍ରରେ ତଥାପି ଆପଣାକୁ ଏହି ଦେଶର ଶାସନାଭିନୟରୁ ଅପସାରିତ କରିନେବା ସମ୍ଭବ ହେବ । ଦେଶରୁ ଅର୍ଥାତ୍ ଦେଶର ମଣିଷଠାରୁ ଆପଣାକୁ ଅପସରାଇ ନେବାର ପ୍ରଶ୍ନ ହିଁ ଉଠୁନାହିଁ । କିନ୍ତୁ ଆଦର୍ଶବାଦୀ ରୋମାଞ୍ଚବାଦୀ ଉଦାସୀନ ଶାସନଠାରୁ ଆପଣାକୁ ନିର୍ବାସିତ କରି ରଖିବା ଆଦୌ ଅସମ୍ଭବ ହେବନାହିଁ । ଦେଶ ଓ ଦେଶମଣିଷର ସର୍ବପ୍ରଧାନ ଆବଶ୍ୟକତା ସହିତ ଅଧିକ ସତତ ଭାବରେ ଆତ୍ମୀୟତା ଅର୍ଜନ କରିବାଲାଗି ସମ୍ଭବତଃ ଏହା କରିବାକୁ ପଡ଼ିବ । ମଣିଷର ଆବଶ୍ୟକତା ଗୁଡ଼ିକୁ ସର୍ବପ୍ରଧାନ ବୋଲି ବୁଝି ଓ ତାହାକୁ ସର୍ବସାର୍ଥକ ଜାତୀୟତା ବୋଲି ଗ୍ରହଣ କରି ଜାତୀୟତା ନାମରେ ଚାଲୁଥିବା ପ୍ରବଞ୍ଚନା ଓ ଭାବପ୍ରବଣତାଠାରୁ ଅପସରି ଯିବାକୁ ପଡ଼ିବ । ଏହି ପ୍ରବଞ୍ଚନା ମୁଁ ଗତ ଅଠର ବର୍ଷ ହେଲା ଦେଖିଆସିଲି, ଏହି ସ୍ଵାର୍ଥସେବୀ ଭାବପ୍ରବଣତାକୁ ମୁଁ ଗତ ଅଠର ବର୍ଷ ହେଲା ସହି ଆସିଲି । ଏଣିକି ତାହା ସହିବାଟା ବଡ଼ ଅସ୍ଵାଭାବିକ ହେବ ।

 

୩୦ । ୦୧ । ୬୬

 

ଗାନ୍ଧୀଜୀବନର ସ୍ମୃତିକୁ ମୁଁ ଯେତିକି ଗଭୀର ଭାବରେ ଆତ୍ମସ୍ଥ କରିବାକୁ ଚେଷ୍ଟା କରୁଚି, ସତ୍ୟାଗ୍ରହର ଆବଶ୍ୟକତାକୁ ମୁଁ ସେତିକି ସତ୍ୟରୂପରେ ଅନୁଭବ କରୁଚି । ବର୍ତ୍ତମାନ ପୃଥିବୀରେ, ବିଶେଷତଃ ବର୍ତ୍ତମାନ ଭାରତରେ ସତ୍ୟାଗ୍ରହ ହିଁ ମୋତେ ଏକମାତ୍ର ଫଳପ୍ରଦ ବାଟ ପରି ଦେଖାଯାଉଚି । ଏହି ପୃଥିବୀରେ ବା ଏହି ଦେଶରେ ଯିଏ ସତ୍ୟର ଆଗ୍ରହକୁ ଆପଣାର ପ୍ରଥମ ଆଗ୍ରହ ବୋଲି ଅନୁଭବ କରୁଥିବ, ସେ ଆଗ ପୃଥିବୀକୁ ଆବୋରି ଓ ଅନ୍ଧାର କରି ରହିଥିବା ଅସତ୍ୟ ଓ ଅନ୍ୟାୟଗୁଡ଼ାକୁ ମଧ୍ୟ ଅନୁଭବ କରିବ ହିଁ କରିବ । ତା’ର ସତ୍ୟ ପ୍ରତି ଆଗ୍ରହ ତାକୁ ଏହି ସତ୍ୟ ଓ ଅନ୍ୟାୟଗୁଡ଼ାକର ସମ୍ମୁଖୀନ ହେବାକୁ ଆଗଭର କରିନେବ । ସେ କଦାପି ଚୁପ୍ ହୋଇ ବସି ଯିବନାହିଁ । ସେ ଅସତ୍ୟ ଓ ଅନ୍ୟାୟକୁ ଅସତ୍ୟ ଓ ଅନ୍ୟାୟ ବୋଲି କହିବାଲାଗି ଆପଣାର ସର୍ବନିମ୍ନ କର୍ତ୍ତବ୍ୟ ବୋଲି ମନେ କରିବ । ସଂସାରକୁ ମାୟା ଓ ତେଣୁ ଅନ୍ୟାୟ ଓ ଅସତ୍ୟକୁ ମାୟା ବୋଲି କହି ସେ କୌଣସି ପ୍ରକାର ସନ୍ନ୍ୟାସ ନେବାକୁ ନାସ୍ତି କରିଦେବା ଏବଂ, ଏହି ସଂସାରରେ ସତ୍ୟ ଓ ନ୍ୟାୟର କଥା କହିବାକୁ ସେ ଆଗ ସ୍ଵେଚ୍ଛାସେବକ ହୋଇ ବାହାରିବ । ଗାନ୍ଧୀଙ୍କ ଲାଗି ଆଜି ବେସରକାରୀ ଅନେକ ମଞ୍ଚାନୁଷ୍ଠାନରେ ଅନେକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ଅନେକ ଅନେକ ପ୍ରକାର ଶପଥ ଗ୍ରହଣ କରିବେ, ଅନେକ ଭାବପ୍ରବଣତାକୁ ଆନ୍ତରିକତା ମଣି ସେଇଥିରେ କିଛି ସମୟ ପାଇଁ ଭାସିଯିବେ । କିନ୍ତୁ, ଗାନ୍ଧୀର ପ୍ରେରଣା ନେଇ ଯିଏ ସତ୍ୟାଗ୍ରହୀ ହୋଇ ବାହାରିବ, ହୁଏତ କେବଳ ସେଇ ଗାନ୍ଧୀକୁ ସାଥୀ ବୋଲି ପାଇବ । ଅନ୍ୟମାନେ ଗାନ୍ଧୀର ମୂର୍ତ୍ତି ପୂଜା କରିବେ, ଗାନ୍ଧୀ କଥାର ପୁନାରାବୃତ୍ତି କରିବେ; କିନ୍ତୁ ବର୍ତ୍ତମାନରେ ସକଳ ଅସତ୍ୟ ଓ ଅନ୍ୟାୟ ସମ୍ମୁଖରେ ଯିଏ ସତ୍ୟାଗ୍ରାହୀ ହୋଇ ବାହାରି ପାରିବ, କେବଳ ସେଇ ଗାନ୍ଧୀକୁ ବଞ୍ଚାଇ ରଖିବ ।

 

୩୧ । ୦୧ । ୬୬

 

ମୋ’ର ଦେଶ ମୋ’ର ଆପଣାର କର୍ମକ୍ଷେତ୍ର । ଦେଶ ନାମରେ ଗର୍ଜନ କରି ଗଗନ କମ୍ପାଇବା ପୂର୍ବରୁ ମୁଁ ଅବସ୍ଥା ଚକ୍ରରେ ପଡ଼ି ଓ ଆପଣା ରୁଚିର ଅନୁଧାବନ କରି ଯେଉଁ କ୍ଷେତ୍ରକୁ ଆପଣାର କ୍ଷେତ୍ର ବୋଲି ଗ୍ରହଣ କରିନେଇଚି, ସେହି କ୍ଷେତ୍ରରେ ମୋତେ ଆପଣାକୁ ପରିପୂର୍ଣ୍ଣ ଭାବରେ ସମର୍ପଣ କରିଦେବାକୁ ପଡ଼ିବ । ଏ ଦେଶରେ ଅନେକ ସମୟରେ ଏତିକି ହୋଇପାରିନାହିଁ । ଆମେ ସମସ୍ତେ ପରକୁ ବୁଦ୍ଧି ଦେଖାଉଚୁ । ଦିଲ୍ଲୀର ଦରବାରରେ ବସିଥିବା ମନ୍ତ୍ରୀ ଓ ମହାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଆମ ଅଫିସର ଚଉକିଦାର ପର୍ଯ୍ୟନ୍ତ ଆମେ ସମସ୍ତଙ୍କର ଟୀକା କରି ପକାଉଚି; କିନ୍ତୁ ଆମରି ଅବହେଳା, ଆଳସ୍ୟ ଓ ଉଦାସୀନତା ହେତୁ ଯେ ଆମର ଆପଣା କ୍ଷେତ୍ରରେ ମଣିଷର ଦୁଃଖ ଓ ସନ୍ତାପ ବଢ଼ୁଚି, ଦେଶର ପରିବର୍ତ୍ତନ ଅଟକି ରହିଚି, ସେକଥାକୁ ଆମର ହେଜ ନାହିଁ । ଏଠି ଆମେ ଅଧ୍ୟାପକ ହୋଉଚୁ, ଅଧ୍ୟାପନାକୁ ଆପଣାର କ୍ଷେତ୍ର ବୋଲି ଗ୍ରହଣ କରୁଚୁ, ଅଧ୍ୟାପନା ଦ୍ଵାରା ହିଁ ଆମେ ଜୀବନନିର୍ବାହ କରୁଚୁ,—କିନ୍ତୁ ତଥାପି ଆମରି ଅବହେଳା ଓ ଉଦାସୀନତା ଦ୍ଵାରା ଆମ ଛାତ୍ରମାନଙ୍କର ପ୍ରତିଦିନ କ୍ଷତି ହେବାରେ ଲାଗିଚି । ସେମାନେ ଯେପରି ଗଢ଼ିହୋଇ ପାରନ୍ତେ, ସେପରି ହୋଇ ପାରୁନାହାନ୍ତି । ଜୀବନ ପ୍ରତି, କର୍ତ୍ତବ୍ୟ ପ୍ରତି ସେମାନେ ଏକ ନାସ୍ତିମୂଳକ ଦୃଷ୍ଟିକୋଣ ନେଇ ହିଁ ବଢ଼ୁଚନ୍ତି । ସେମାନଙ୍କର ଦୃଷ୍ଟିକୋଣ ଆମରି ଅଯୋଗ୍ୟତାରୁ ହିଁ ଫୁଲପାଣି ପାଇଁ ବଢ଼ୁଚି ।

 

୦୧ । ୦୨ । ୬୬

 

ପ୍ରଧାନମନ୍ତ୍ରୀ କହିଲେ, ଦେଶବାସୀ ଖାଦ୍ୟ ବିଷୟରେ ଆପଣାର ଅଭ୍ୟାସ ବଦଳାଇ ନପାରିଲେ ଭାରତବର୍ଷର ଖାଦ୍ୟ ସମସ୍ୟାରେ ସମାଧାନ କଦାପି ହୋଇପାରିବ ନାହିଁ । ଏକଥା ସତ ଯେ, ଆମର ଖାଦ୍ୟ ବିଷୟକ ଅଭ୍ୟାସ ଅନେକ ସମୟରେ ଖାଦ୍ୟ ସମସ୍ୟାକୁ ଅଧିକ ଜଟିଳ କରି ପକାଉଚି । ଆମେ ସମସ୍ତେ ଚାଉଳ ବା ଗହମ ଖାଇବାରେ ଏତେ ଅଭ୍ୟସ୍ତ ହୋଇ ପଡ଼ିଚୁ ଯେ, ଅଧିକ ପନିପରିବା ଖାଇ ଦେଶରେ ହେଉଥିବା ଶସ୍ୟର ଆବଶ୍ୟକତାକୁ କମ୍ କରିବାରେ ଆମେ ଖୁବ୍ ବେଶୀ ସାହାଯ୍ୟ କରି ପାରୁନ୍ତୁ । କିନ୍ତୁ ଏହି ଅଭ୍ୟାସ ଇଚ୍ଛା କଲେ ଆଜି ବା କାଲି ବଦଳିଯାଇ ପାରିବ ନାହିଁ । ରାଜନୀତିକ ନେତାମାନେ ସଭାରେ ଭାଷଣ ଦେଲେ ବି ଏହି ଅଭ୍ୟାସ ବଦଳି ଯିବନାହିଁ । ସୁସ୍ଥ ଜୀବନ ବିଷୟରେ ଶିକ୍ଷା ବଢ଼ିଲେ ଏହି ଅଭ୍ୟାସ ଧୀରେ ଧୀରେ ବଦଳିବ । ଦେଶରେ ସବୁ ମଣିଷଙ୍କ ଲାଗି ନିମ୍ନତମ ଜୀବନମାନ ଓ ନିମ୍ନତମ ଶିକ୍ଷାମାନର ବ୍ୟବସ୍ଥା ନହେଲା ପର୍ଯ୍ୟନ୍ତ ଏ ଦେଶରେ ସୁସ୍ଥ ଜୀବନର ସ୍ଵପ୍ନ ଦେଖିବା ବା ସୁସ୍ଥ ଜୀବନ ଲାଗି ଶିକ୍ଷା ଗ୍ରହଣ କରିବା କାହାଲାଗି କିପରି ସମ୍ଭବ ହୋଇପାରିବ ? ଦେଶରେ ଉତ୍ପାଦନ ବଢ଼ୁ, ଉତ୍ପାଦନ ବଢ଼ିବା ଲାଗି ଦେଶରେ ଯେଉଁ ଅର୍ଥ ବ୍ୟୟ ହେଉଚି, ପ୍ରଧାନମନ୍ତ୍ରୀଙ୍କ ସରକାର ତାହାର ଯେପରି ଯଥାସମ୍ଭବ ସଦବ୍ୟୟ କରିପାରିବେ, ଏହି ଦାୟିତ୍ଵ ହେଉଚି ପ୍ରଧାନମନ୍ତ୍ରୀଙ୍କର । ସାଧାରଣ ପାଣ୍ଠିର ଯେତେ ପଇସା ସତ୍ତାଧାରୀ ବ୍ୟକ୍ତିମାନଙ୍କର ଉଦର ଭରାଇବାରେ ଚାଲିଯାଉଚି, ତାହାକୁ ରୋକିବା ହେଉଚି ପ୍ରଧାନମନ୍ତ୍ରୀଙ୍କର କର୍ତ୍ତବ୍ୟ । ପ୍ରଧାନମନ୍ତ୍ରୀ ଓ ତାଙ୍କର ସରକାର ସାଧାରଣଙ୍କ ପ୍ରତି ଆପଣାର ଦାୟିତ୍ଵ ତୁଲାଇ ପାରିଲେ ଜନସାଧାରଣ ଅବଶ୍ୟ ସେମାନଙ୍କର ଦାୟିତ୍ଵ ତୁଲାଇବେ । କିନ୍ତୁ ସରକାରୀ ଶାସନ ଭିତରେ ଯେଉଁଠି ଯେଉଁସବୁ ପୋଲ ଅଛି, ତାହା ସେହିପରି ରହିଥିବ, ସରକାରୀ ତଥା ବେସରକାରୀ ମହାପାତ୍ରମାନେ ଯଥାସମ୍ଭବ ସବୁ ମାରି ନେଉଥିବେ, ଆଉ ଏଣେ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଅଭ୍ୟାସ ବଦଳାଇବାର ଉପଦେଶ ଦେଉଥିବେ, ଏହି ଅଜ୍ଞାନ ଓ ଅସାଧୁଅଭିନୟ ଏହି ଦେଶରେ ଆଉ କେତେଦିନ ଲାଗି ଚାଲିବ ?

 

୦୨ । ୦୨ । ୬୬

 

ଜଗତରେ ତଥାପି ବଞ୍ଚି ରହିବାକୁ ହେବ । ବାଧ୍ୟ ହୋଇ ବିଧିନିର୍ଦ୍ଦିଷ୍ଟ ଭାବରେ କୌଣସି ଅଭିଶାପଗ୍ରସ୍ତ ହୋଇ ଆମେ ସଂସାରକୁ ଆସିଚୁ ବୋଲି ନୁହେଁ, ଆପଣାର ଗୋଟିଏ ଜୀବନରେ ଅନନ୍ତ ଜୀବନର ସୁଆଦ ପାଇବାକୁ ବଞ୍ଚି ରହିବାକୁ ହେବ । ପ୍ରତ୍ୟେକ ଦିନର ସୂର୍ଯ୍ୟୋଦୟ ସମୟରେ ଉତ୍ସବରେ ଭାଗ ନେବାକୁ ବଞ୍ଚି ରହିବାକୁ ହେବ । ପ୍ରତ୍ୟେକ ମଣିଷର ସାନ୍ନିଧ୍ୟରେ ରହି ଏକ ଗଭୀରତମ ପ୍ରାଣପ୍ରାଚୁର୍ଯ୍ୟକୁ ଅନୁଭବ କରିବାକୁ ବଞ୍ଚି ରହିବାକୁ ହେବ । ମୋଟ ଉପରେ କହିବାକୁ ଗଲେ ବଞ୍ଚିବାଲାଗି ଆପଣା ଅଧିକାରର ଯୋଗ୍ୟ ହେବାକୁ ହେଲେ ଆମକୁ ଅବଶ୍ୟ ବଞ୍ଚି ରହିବାକୁ ହେବ । ଏ ସଂସାର ଭଗବାନଙ୍କର ସଂସାର, ତେଣୁ ଏ ସଂସାର ମୋ’ର ସଂସାର । ପାପପୂଣ୍ୟର ବିବେଚନା କରି ପୁରସ୍କାର ଓ ଦଣ୍ଡର ବ୍ୟବସ୍ଥା କରୁଥିବା କୌଣସି ପୋଲିସର ସଂସାରରେ ମୁଁ ହୁଏତ ଦଣ୍ଡେ ହେଲେ ବଞ୍ଚିବାର ପରି ବଞ୍ଚି ପାରିନଥାନ୍ତି । ଅପରକୁ ଦ୍ଵେଷ କରି, ଆପଣାର ମଳିଗୁଡ଼ାକୁ ଘୋଡ଼ାଇ ରଖି ଜାଣିସିଆଣିଆ ନୀତିବାନ୍ ମଣିଷର ଜୀବନ ଯାପନ କରିବାକୁ ହୁଏତ ଆପଣା ସଂସାରରେ ପରିପୂର୍ଣ୍ଣ ସମର୍ପଣ ସହିତ ପରିପୂର୍ଣ୍ଣ ସଖ୍ୟର ସ୍ଵପ୍ନସୂତ୍ର ବିଛାଇ ବାସ କରିବାକୁ ହିଁ ମୁଁ ନିରନ୍ତର ସାର୍ଥକ ଓ ସରସ ଜୀବନ ବୋଲି ଗ୍ରହଣ କରି ଆସିଚି । ଏହି ଅନୁଭୂତି ସକାଶେ ମୁଁ ବଞ୍ଚି ରହିଚି ।

 

୦୩ । ୦୨ । ୬୬

 

ଆଜିକାଲି ସକାଳେ ପାଣି ଖୁବ୍ ବିଳମ୍ବରେ ଆସୁଚି । ତେଣୁ, ଦେହର ଆଳସ୍ୟ ଲାଗି ଅନେକ ଉପଯୋଗୀ ଅବସର ମିଳିଯାଉଚି । ଆଗେ ପାଞ୍ଚଟାବେଳେ ଉଠୁଥିଲି । ଡିସେମ୍ବରର ଶୀତ କାଟୁନଥିଲା । ସାଢ଼େ ପାଞ୍ଚଟାବେଳେ ସକାଳର ଥଣ୍ଡାପାଣିରେ ଗାଧୋଇବାକୁ ବେଶ୍ ଖୁସୀ ଲାଗୁଥିଲା । ଗାଧୋଇବା ପରେ ମନ ଓ ହୃଦୟ ଏଡ଼େ ପ୍ରସନ୍ନ ହୋଇ ଯାଉଥିଲା ଯେ, ସୂର୍ଯ୍ୟୋଦୟ ବେଳକୁ ମୋ’ର ଆସନ କରିବା, ଡାଇରି ଲେଖିବା ଓ ଆହୁରି କେତେକେତେ କାମ ଶେଷ ହୋଇ ଯାଉଥିଲା । ଆଜିକାଲି ଉଠୁ ଉଠୁ ସାତଟା ପାଖାପାଖି ହୋଇଯାଉଚି । ତରତରରେ ଆପଣାର ଅତ୍ୟାବଶ୍ୟକ ନିତ୍ୟକର୍ମମାନ ସାରି କାମରେ ବସୁ ବସୁ ପ୍ରାୟ ଆଠଟା ବାଜିଯାଉଚି । ଆସନ କରିବା ମାସେ ହେଲା ବନ୍ଦ ହୋଇ ସାରିଲାଣି । ଅବଶ୍ୟ ନିଦ ଠିକ୍ ଚାରିଟା ସମୟରେ ଭାଙ୍ଗି ଯାଉଚି । କିନ୍ତୁ ମୁହଁ ନଧୋଇ ନଗାଧୋଇ କିଛି ପଢ଼ିବା ବା ଲେଖିବାକୁ ଆଦୌ ଇଚ୍ଛା ହେଉନାହିଁ । ବେଳେବେଳେ ଆପଣା ଉପରେ ରାଗ ହେଉଚି ଯେ ମୋ’ର ଏତେଗୁଡ଼ାଏ ସମୟକୁ ମୁଁ ଦିନପରେ ଦିନ କେବଳ ନଷ୍ଟ ହିଁ କରି ଚାଲିଚି । ମନେ ହେଉଚି, ମୋ’ ଲାଗି କେତେ କେତେ କାମ ଅପେକ୍ଷା କରି ରହିଚି, କିନ୍ତୁ ତଥାପି ମୁଁ ମୋ’ର କବାଟ କିଳି ଭିତରେ ବସିଚି । ଆହ୍ଵାନକୁ ଏଡ଼ିଦେବାକୁ ହିଁ ଯେପରି ମୁଁ ଜୀବନର ଆରାମ ବୋଲି ମନେ କରୁଚି, ଆପଣାର ଯାବତୀୟ ଭୂମିରୁ ବିଚ୍ଛିନ୍ନ ହୋଇ ରହିବାକୁ ମୁଁ ଯେପରି ଭାରି ସୁଖକର ମନେ କରୁଚି । କିନ୍ତୁ, ମୁଁ ଭଲକରି ଜାଣେ, ମୋ’ର ଏହି ପର୍ଯ୍ୟାୟଟି ମଧ୍ୟ ବଦଳିଯିବ । ଅଶାନ୍ତି ବାହାରୁ ନୁହେଁ, ଭିତରୁ ଆସି ମୋତେ ପୁଣି ପ୍ରସ୍ତୁତ କରି ଦେଇଯିବ । ମୋ’ର ଦୁଆର ଖୋଲି ଦେଇଯିବ, ମୋତେ ପୁଣି ସବଳ କରାଇ ଦେଇଯିବ ।

 

୦୪ । ୦୨ । ୬୬

 

ଯେଉଁଠି ମୋ’ର ପ୍ରକୃତ ଭଲପାଇବା ଥାଏ, ସେଠାରେ ମୁଁ ସଜାଇ କହି ପାରେ ନାହିଁ । ଯେଉଁ ରୂପ ଦେଖି ମୋ’ର ପ୍ରକୃତରେ ଲୋଭ ହୁଏ, ସେହି ରୂପକୁ ମୁଁ ବର୍ଣ୍ଣନା କରି କହି ପାରେନାହିଁ । ଅନ୍ୟ କାହାରି, ବିଶେଷ କରି କୌଣସି ପ୍ରିୟଜନର ପ୍ରଶଂସା କରିବାକୁ ହେଲେ, ମୁଁ ତା’ର ଆଗରେ ନୁହେଁ, ତା’ର ପଛକେ ହିଁ ପ୍ରଶଂସା କରିଥାଏ । ଏହା ମୋ’ର ଗୋଟିଏ ଦୋଷ ବା ଗୁଣ, ମୁଁ ସେକଥା କହି ପାରିବିନାହିଁ । କାରଣ, ଏପରି କରିବାକୁ ମୁଁ ମୋ’ ଲାଗି ଅତି ସ୍ଵାଭାବିକ ବୋଲି ମନେକରେ । ମୁଁ ସଭାସମିତିକୁ ଯାଏ, କେତେ ଶବ୍ଦ ଦେଇ ଓ କେତେ ଭାବୁକତା ଦ୍ଵାରା ସ୍ନେହଯୁକ୍ତ ହୋଇ ଗଢ଼ା ଯାଇଥିବା ଭାଷଣମାନ ଶୁଣେ; କେତେ ପରିମାଣରେ ମନ ଲାଗେ, କେତେ ପରିମାଣରେ ମନ ଲାଗେନାହିଁ । ଅନେକ ସମୟରେ ମନକୁ ମଧ୍ୟ ପାଏନାହିଁ । କିନ୍ତୁ ମୁଁ ଭାଷଣ ସଭାକୁ ଏହି ଗୋଟିଏ ପ୍ରତିକ୍ରିୟା ନେଇ ବାହାରକୁ ଆସେ ଯେ, ମୋ’ ଦ୍ଵାରା ଏହା କଦାପି ହୋଇପାରନ୍ତାନାହିଁ । ମଣିଷକୁ ଆପଣା କରିବା ମୋ’ର ଧର୍ମ, ମଣିଷ ପାଖରେ ମଣିଷସଖା ପରି ବସିବାକୁ ମୁଁ କ୍ଷେତ୍ରରୁ କ୍ଷେତ୍ର ବୁଲୁଥାଏ, ଅବସର ଲୋଡ଼ିବାରେ ଲାଗିଥାଏ । କିନ୍ତୁ ଯାହା ଅନୁଭବ ନକରୁଚି, ସଜ୍ଜିତ ଶବ୍ଦଦ୍ଵାରା ତାହାକୁ ପଚିଶଜଣଙ୍କ ଆଗରେ କହିବାକୁ ମୋତେ ପ୍ରକୃତରେ ଭାରି ଲାଜ ଲାଗେ, ମୋ’ର ସାହସ ଚାଲିଯାଏ; ସତେଅବା ଧରା ପଡ଼ି ଗଲାପରି ମନେହୁଏ ।

 

୦୫ । ୦୨ । ୬୬

 

ଶିକ୍ଷକ ଓ ଅଧ୍ୟାପକମାନେ ଏକାଠି ବସି ବେତନ ଗଢ଼ିବା ବିଷୟରେ କଥାବାର୍ତ୍ତା କରନ୍ତୁ, ଏଥିରେ ମୋ’ର ପୂର୍ଣ୍ଣ ସହଯୋଗ ରହିଚି । ଅର୍ଥାତ୍ ମୁଁ ମଧ୍ୟ ସେମାନଙ୍କ ସହିତ ସେହି ସଭାରେ ବସି ବେତନ ଓ ଅନ୍ନମୟ ଜୀବନ-ସମ୍ବନ୍ଧୀୟ ସମସ୍ତପ୍ରକାର ଦୁଃଖସୁଖ ପକାଇବାକୁ ଚାହେ । ଶିକ୍ଷକ ଓ ଅଧ୍ୟାପକମାନେ ଏକାଠି ବସି କଥାବାର୍ତ୍ତା ହେଉଥିବା ବେଳେ ଆପଣାର ଧନସମ୍ପତ୍ତି ଓ ଆପଣାର ସମ୍ପନ୍ନତା ବିଷୟରେ କଥା ପକାନ୍ତି । ଅନ୍ୟ କାହାଘରେ କେତେବେଶୀ ଦାମର ରେଡ଼ିଓ ବା ମଟରଗାଡ଼ି ରହିଚି, କିଏ କେତେ ଶୀଘ୍ର କେତେ ବେଶୀ ଟଙ୍କା ରୋଜଗାର କରି ନୂଆ କୋଠୋ ତିଆରି କରିଦେଇ ପାରିଲାଣି, ଅଧ୍ୟାପକମାନେ ଏକଥାସବୁ ବି କଥାବାର୍ତ୍ତା ହୁଅନ୍ତି । ଗାଧୁଆ ତୁଠରେ ସ୍ତ୍ରୀ ଲୋକମାନେ ଘରକରଣାର ଦୁଃଖସୁଖ ପକାଇଲା ପରି ଅଧ୍ୟାପକମାନଙ୍କର ଏହିସବୁ ଗପସପରେ ମୁଁ କୌଣସି ପ୍ରକାର ଅସ୍ଵାଭାବିକତା ଥିବାର ଦେଖି ପାରେନାହିଁ । କିନ୍ତୁ ସେମାନେ କଥାବାର୍ତ୍ତା ହେଉଥିବା ବେଳେ ଯେତେବେଳେ ଭୁଲରେ ସୁଦ୍ଧା ପିଲାଙ୍କ କଥା ନପକାନ୍ତି, ସେମାନେ ପିଲାମାନଙ୍କୁ ପଢ଼ାଉଥିବା ପାଠ କଥା ନପକାନ୍ତି, ସେତେବେଳେ ମୋତେ ତାହା ବଡ଼ ଅସ୍ଵାଭାବିକ ବୋଲି ମନେହୁଏ । ପାଠ ପଢ଼ାଇବାକୁ ମୁଁ ଯେକୌଣସି ଶିକ୍ଷକ ବା ଅଧ୍ୟାପକର ଧର୍ମ ବୋଲି ମନେକରେ । ଏହାକୁ ସ୍ଵଧର୍ମ କରି ବାଛିଲେ ଯାଇ କୌଣସି ବ୍ୟକ୍ତି ଶିକ୍ଷକ ବା ଅଧ୍ୟାପକ ହେବାର ଅଧିକାର ପାଇପାରେ । ତେଣୁ ଆମ ଭିତରେ କଥା ପଡ଼ିଲାବେଳେ ଆମର ଆପଣା କ୍ଷେତ୍ରର ପ୍ରସଙ୍ଗମାନ ନପଡ଼ିବ କିପରି, ଆମେ ଆମ ନିଜର ଛାତ୍ରମାନଙ୍କ ବିଷୟରେ ଚିନ୍ତା ନକରିବୁ କିପରି-? ବେଳେବେଳେ ଏହା ମୋତେ ଚକିତ କରିଦିଏ ।

 

୦୬ । ୦୨ । ୬୬

 

ଜର୍ମାନୀର କୌଣସି ଲେଖକ ହିଟଲର-ଶାସନ ସମୟରେ ଆପଣା ମନଭିତରେ ଜର୍ମାନୀଦେଶର ଘଟଣା ପ୍ରବାହରୁ ଆପଣାକୁ ନେଇଥିଲେ । ତାଙ୍କ ଶରୀର ଜର୍ମାନୀରେ ରହିଥିଲା, କିନ୍ତୁ ତାଙ୍କର ମନ ଓ ତାଙ୍କର ହୃଦୟ ଜର୍ମାନୀବାହାର ହୋଇ ଯାଇଥିଲା । ଏହାକୁ ସେ Inner emigration ବୋଲି ବର୍ଣ୍ଣନା କରିଚନ୍ତି । ବେଳେବେଳେ ଭାବୁଚି, ମୁଁ ମଧ୍ୟ ଆସନ୍ତା କେତେବର୍ଷ ଲାଗି ଏହି ଦେଶରୁ ଅପସରି ଯିବି କି ? ମୁଁ ମଧ୍ୟ ଅନୁଷ୍ଠାନରୁ କିଛିଦିନ ପାଇଁ ସେହିପରି ଅପସରି ଯିବି କି ? ଅର୍ଥାତ୍, ଜଣେ ଶିକ୍ଷକ ହିସାବରେ ମୋ’ର କାର୍ଯ୍ୟ ମୁଁ କରିଚି, ମୋ’ର ଆପଣାର ନିଶ୍ଚିତ କ୍ଷେତ୍ରଟିରେ ମୁଁ ଆପଣାକୁ ସମର୍ପଣ କରିଦେବି । କିନ୍ତୁ ଏହି ଅନୁଷ୍ଠାନକୁ ନେଇ ଯିଏ ଯେତେବେଳେ ଫମ୍ପା ସ୍ଵପ୍ନମାନ ଦେଖିବ ବା ନିରର୍ଥକ କପଟପୂର୍ଣ୍ଣ ଆଡ଼ମ୍ବରମାନ କରିବ, ମୁଁ ସେଥିରେ ନିଜକୁ କୌଣସି ପ୍ରକାରେ ଲିପ୍ତ କରିବିନାହିଁ । ଅର୍ଥାତ୍, ଶିକ୍ଷା ନାମରେ ଏହିସବୁ ମିଥ୍ୟାରେ ଜାଲ ସୃଷ୍ଟି କରି ତାହାରି ଭିତରେ ନିଷ୍କ୍ରିୟ ହୋଇ ବସିବାଲାଗି ଯେ ଆମର କୌଣସି ଅଧିକାର ନାହିଁ, ମୁଁ ପରୋକ୍ଷରେ ଏହିସବୁ ଦରକାରି ଅଭିନୟ ପାଖରେ ଏହି ପ୍ରତିବାଦ ଜଣାଇବି । ଆପଣାର ଦେଶରେ ମଧ୍ୟ ଗତ କେତେଦିନ ହେଲା ମୋତେ କେତେକ ପରିମାଣରେ ଏକ ବିଦେଶୀ ବା outsider ବୋଲି ମନେହେଉଚି । ଦେଶର ଶାସନ ଓ ନେତୃତ୍ଵ ବର୍ତ୍ତମାନ ଯେଉଁପରି ମାର୍ଗରେ ଆପଣା ଜରିଆରେ ଦେଶକୁ ପରିଚାଳିତ କରିବାକୁ ଯାଉଚି, ତାହା ଯେପରି ମୋତେ ପଛକୁ ଫେରିଯିବା ପରି ମନେହେଉଚି । ଯେଉଁ ଦେଶକୁ ନେଇ ମୁଁ ଗର୍ବ କରେ, ଯେଉଁ ଭବିଷ୍ୟତ ଲାଗି ମୁଁ ଆପଣାକୁ ସମର୍ପିତ କରିଚି, ମୋ’ର ମନେହେଉଚି, ଏମାନଙ୍କର ନେତୃତ୍ଵରେ ସେହି ଦେଶ ଗଢ଼ା ହେବାତ ଦୂରେ ଥାଉ, ସେହି ଗଢ଼ା ହେବାର ଅଧ୍ୟାୟ ମଧ୍ୟ କ୍ରମେ ବନ୍ଦ ହୋଇଯିବ ।

 

୦୭ । ୦୨ । ୬୬

 

ଆପଣାର ଦେଶ ମୋ’ର ଆପଣାର କ୍ଷେତ୍ର । ତେଣୁ, ଦେଶରୁ ମନେମନେ ବାହାରି ଚାଲିଗଲେ ଦେଶ ମୋତେ ବା ଛାଡ଼ିଯିବ କେତେକେ ? ଦେଶ କହିଲେ ମୁଁ ଯାହା ବୁଝେ, ଦେଶର ମନୁଷ୍ୟ ଜୀବନରେ ମୁଁ ଯେଉଁସବୁ ମାନବିକ ମୂଲ୍ୟର ପ୍ରତିଷ୍ଠା କରିବାକୁ ଚାହେ, ମୋତେ ସେ ବିଷୟରେ କୌଣସି ପ୍ରକାରେ ବିଚଳିତ ବା ବିକ୍ଷିପ୍ତ ହେବାକୁ ପଡ଼ିବନାହିଁ । ଆପଣା ଜୀବନରେ, ଆପଣାର ସାମାଜିକ ସମ୍ବନ୍ଧରେ ମୋତେ ସେହି ମୂଲ୍ୟଗୁଡ଼ିକୁ ବଞ୍ଚିବାକୁ ହେବ, ସେହି ମୂଲ୍ୟଗୁଡ଼ିକୁ ମୋତେ ଉଚ୍ଚ କରି ଧରି ରଖିବାକୁ ହେବ । ମୁଁ ଜାଣେ, ଦେଶରେ ଏଣିକି ଅନେକ ଆଡ଼ମ୍ବର ଚାଲିବ, କଥାର ଆଡ଼ମ୍ବର ଓ ଭାବାବେଗର ଆଡ଼ମ୍ବର ବଢ଼ିବ । ମୁଁ ସେଥିରେ ଭାଗ ନେବିନାହିଁ, ମନେମନେ ସେହିସବୁ ଆବଶ୍ୟକତାରୁ ଅପସରି ଯିବି । ମୋ’ ଦେଶରେ ଏସବୁର ଯେ କୌଣସି ପ୍ରୟୋଜନ ନାହିଁ, ସେକଥା କହିପାରିବାର ସାହାସ ରଖିବି । ମୋ’ ଦେଶର ସବୁଠାରୁ ବଡ଼ ଆବଶ୍ୟକତା ହେଉଚି, ମଣିଷ ଆବଶ୍ୟକତାଗୁଡ଼ିକର ପୂରଣ କରିବା । ଏହି ଦେଶରେ ଆମର ଆଖି ଆଗରେ କେତେ କେତେ ମଣିଷ କେତେପ୍ରକାରେ ବଞ୍ଚିତ ହୋଇ ରହିଚନ୍ତି । ସେମାନଙ୍କୁ ମଣିଷର ପଂକ୍ତିରେ ସାମିଲ କରିବାକୁ ହିଁ ମୁଁ ସର୍ବପ୍ରଧାନ ଜାତୀୟ ଦାୟିତ୍ଵ ବୋଲି ଅନୁଭବ କରୁଚି । ସେମାନେ ଯେଉଁଠି ଅଛନ୍ତି ସେଇଠି ପଡ଼ି ରହିଥିବେ, ଏଣେ ମୁଁ ପତାକା, ଭାଷଣ ଓ ଭାବୁକତାରେ ମୋ’ର ଜାତୀୟତାର ସ୍ଵାଦ ଚାଖୁଥିବି,— ଦେଶରେ ଏହି ପ୍ରକାର ପ୍ରତ୍ୟେକ ଅଭିନୟରୁ ମୁଁ ଅପସରି ଯିବି, ଅପସରି ଯିବାରେ ହିଁ ମୁଁ ମୋ’ର ପ୍ରତିବାଦ ଜଣାଉଥିବି ।

 

୦୮ । ୦୨ । ୬୬

 

ଆପଣାର କ୍ଷେତ୍ର ଛାଡ଼ି ମୁଁ କୁଆଡ଼େ ଯିବି ? ଆପଣାର ଦେଶ ଛାଡ଼ି ମୁଁ ବିଦେଶକୁ ପଳାଇ ଯାଇ ପାରିବିନାହିଁ କି Inner Emigrationର ବାହାନା କରି ଆପଣା ଭିତରକୁ ଅପସରି ଯାଇ ପାରିବିନାହିଁ । ମୋ’ର ବ୍ୟକ୍ତିଗତ ପଦ ଓ ପଦବୀ, ମୋ’ର ବ୍ୟକ୍ତିଗତ ସଫଳତା, ମୋ’ର ବ୍ୟକ୍ତିଗତ ସମ୍ମାନ ଓ ଖ୍ୟାତି ଯଦି ମୋତେ ସନ୍ତୁଷ୍ଟ କରି ରଖିପାରୁଥାନ୍ତା, ତେବେ ହୁଏତ ମୁଁ ବାହାରର ସକଳ ଦୁଃପରିସ୍ଥିତି ସତ୍ତ୍ୱେ ଏଠି ଆପଣାକୁ ଆପଣାର ସୀମା ବୋଲି ମାନି ଶାନ୍ତ ହୋଇ ରହିପାରନ୍ତି, ଅନ୍ୟାୟ ଦେଖିକରି ସୁଦ୍ଧା ମୁଁ ତଥାପି ଅନ୍ୟାୟ ଭିତରେ ଲିପ୍ତ ହୋଇନାହିଁ ବା ଅନ୍ୟାୟର ପ୍ରତିକାର କରିବା ମୋ’ର ସାମର୍ଥ୍ୟ ଭିତରେ ନାହିଁ ବୋଲି କହି ଆପଣାକୁ ସାନ୍ତ୍ଵନା ଦେଇ ପାରୁଥାନ୍ତି । କିନ୍ତୁ ମୋ’ର ମନ ଓ ହୃଦୟ ଯେଉଁ ଉପାଦାନରେ ଗଢ଼ିବାରେ ଚାଲିଚି, ମୁଁ ସେକଥା ଜାଣେ । ମୋ’ର ଆଗ୍ରହ ବିଷୟରେ ମୋ’ର ଖୁବ୍ ଭଲଭାବରେ ଧାରଣା ରହିଚି । ତେଣୁ, କିପରି ମୁଁ ଚାରିପାଖକୁ ଅନାଇ ଏହି ସମାଜର ଏକ କ୍ଷେତ୍ରରେ ମୋ’ର ଜୀବନ ନିର୍ବାହ କରି ତଥାପି ନିର୍ଲିପ୍ତ ହୋଇ ରହି ପାରିବି ? ତେଣୁ, ଏହି ଅଶାନ୍ତିକୁ ସାଥିରେ ଧରି ମୋତେ ଏଠି ଘର କରି ରହିବାକୁ ପଡ଼ିବ ।

 

୦୯ । ୦୨ । ୬୬

 

ଶୀତଦିନ କ୍ରମେ ଚାଲିଯିବାକୁ ବସିଲାଣି । ମୋ’ର ମନେ ହେଉଚି, ଯେପରି ଏବର୍ଷ ଶୀତଦିନ ଆଦୌ ଆସିନାହିଁ । ଗତ ଚାରିମାସ ଭିତରେ ହୁଏତ ସାତଆଠଟା ଦିନ ଭଲ କରି ଶୀତ ହୋଇଥିବ କି ନାହିଁ ସନ୍ଦେହ । ଶୀତଦିନ ଭାରି ଭଲ ଲାଗେ, ତେଣୁ, ଏହି ଅଳପ ଶୀତ ମୋତେ ଶୀତ ଦିନର ସଂପୂର୍ଣ୍ଣ ଆନନ୍ଦ ଦେଇ ପାରିଲାନାହିଁ । ଇଉରୋପରେ ଅତିବାହିତ ହୋଇଥିବା ମୋ’ର କେତୋଟି ବର୍ଷ ମୋତେ ଶୀତଦିନକୁ ଭଲପାଇ ଶିଖାଇଚି । ସେଠି ବରଫ, କୁହୁଡ଼ି, ତୋଫାନ ଓ ପବନ ମୋତେ ଭାରି ଭଲ ଲାଗିଚି । ଅନେକ ସମୟରେ ମୁଁ ଏହିସବୁ ସହିତ ସଖ୍ୟ କରିବାକୁ ଏକାକୀ କେତେ ମାଇଲ ବାଟ ଚାଲିଚାଲି ଚାଲିଯାଇଚି । ପିଲାଦିନରୁ ଶୀତଦିନ ବିଷୟରେ ମୋ’ର ଖୁବ୍‍ ବେଶୀ ଅନୁଭୂତି ନଥିଲା । ଶାନ୍ତିନିକେତନରେ ପାଞ୍ଚବର୍ଷ ପାଞ୍ଚଟା ଶୀତ କଟାଇଲି, ତଥାପି ଦିନେ ସୁଏଟର ପିନ୍ଧିବାର ଆବଶ୍ୟକତା ହିଁ ଅନୁଭବ କରିନଥିଲି । ଅଭାବ ବା ଦାରିଦ୍ର୍ୟ ହେତୁ ଯେ ମୁଁ ସୁଏଟର ଖଣ୍ଡେ କିଣି ପାରିନଥିଲି, ତା’ ନୁହେଁ । କିନ୍ତୁ ସୁଏଟର ଦରକାର ବୋଲି ଅନୁଭବ କରିନଥିଲି । ବିଦେଶ ଗଲାବେଳକୁ ମୋ’ ଜୀବନର ପ୍ରଥମ ସୁଏଟର କିଣାହେଲା-। ପ୍ରଥମ କରି ମୋ’ଦେହର ମାପରେ ଗରମ ପୋଷାକରେ ତିନି ଚାରି ପରସ୍ତ ମଣ୍ଡିତ ହୋଇ ମୁଁ ଇଉରୋପରେ ପହଞ୍ଚିଲି, ସେଦିନ ଆପଣାକୁ ଅନାଇ ପ୍ରକୃତରେ ବଡ଼ ଅଦ୍‍ଭୂତ ମନେ ହୋଇଥିଲା-। କ୍ରମେ ସେଠାରେ ମଧ୍ୟ ଗରମ ପୋଷାକର ଲାଳସା କମି ଆସିଲା, ଶୀତ ପ୍ରତି ଶ୍ରଦ୍ଧା ବଢ଼ିଲା-। କ୍ରମେ ବରଫ, ପବନ ଓ ଶୀତ ସବୁ ଭଲ ଲାଗିଲା । ଶୀତପ୍ରସନ୍ନ ପ୍ରକୃତିର ପ୍ରସାର ଭିତରେ ସହଜ ମନରେ ବୁଲିବାକୁ ଭାରି ଭଲ ଲାଗିଲା । ଇଉରୋପରେ ଛାଡ଼ି ଆପଣା ଦେଶକୁ ଆସିଲି, ତଥାପି ଶୀତ ପ୍ରତି ଏହି ଅନୁରକ୍ତି ଜୀବନରେ ସ୍ଥାୟୀ ହୋଇ ରହିଲା ।

 

୧୦ । ୦୨ । ୬୬

 

କ୍ଷେତ୍ର ଖୋଲି ବୁଲି ବୁଲି ଯଦି ଜୀବନଟା ଯାକ ଚାଲିଯାଏ, ତେବେ ଜୀବନକୁ ଅସାର ବୋଲି କହିବାକୁ ମୁଁ ହୁଏତ ଅନେକ ପ୍ରରୋଚନା ପାଇବି । ସଫଳ ହେବା, ଅର୍ଥାତ୍ ଜୀବନରେ ଉତ୍ତରୋତ୍ତର ଅଧିକ ଟଙ୍କା କମାଇବାକୁ ମୁଁ ଯଦି ମୋ’ର ଧ୍ୟେୟ ବୋଲି ଗ୍ରହଣ କରିଥାନ୍ତି, ତେବେ ଗୋଟାଏ ଜାଗା ଛାଡ଼ି ଆଉ ଗୋଟାଏ ଜାଗାକୁ ଯିବାବେଳେ ମୋତେ କୌଣସି ପରାସ ଲାଗୁନଥାନ୍ତ । ସେହି ବାଟ ବା ସେହି ମନୋଦୃଷ୍ଟିକୁ ମୁଁ ସ୍ଵଭାବତଃ ଅନେକ ଦିନରୁ ଛାଡ଼ି ଆସିଚି । କୌଣସି ଏକ କ୍ଷେତ୍ରକୁ ଆପଣାର କ୍ଷେତ୍ର ବୋଲି ବାଛିନେଇ ମୁଁ ସେଇଠି ହିଁ ଆପଣାକୁ ସମର୍ପଣ କରିଦେବାକୁ ସାର୍ଥକ ଜୀବନ ବୋଲି ଅନୁଭବ କରି ନେଇଚି । ଗୋଟାଏ ଥାନାରେ ବସି ସମଗ୍ର ବିଶ୍ଵକୁ ଆପଣାର କର୍ମସାଧନା ଓ ଶ୍ରଦ୍ଧାସାଧନା ଭିତରେ ପାଇବାର ମାର୍ଗକୁ ମୁଁ ମୋ’ର ରୁଚି ଅନୁଯାୟୀ ଭକ୍ତିମାର୍ଗ ବୋଲି ମାନି ନେଇଚି । ଆପଣାକୁ ସେତିକି ବୁଝିଚି, ସେଇଥିରୁ ଜାଣିଚି ଯେ, ଶିକ୍ଷାର କ୍ଷେତ୍ର ହେଉଚି ମୋ’ର ଆପଣାର କ୍ଷେତ୍ର । ଶିକ୍ଷାବିଭାଗରେ ରହି ଶିକ୍ଷକମାନଙ୍କ ଉପରେ ଶାସନ କରିବାର କ୍ଷେତ୍ର ନୁହେଁ, ଆପେ ଜଣେ ଶିକ୍ଷକ ହୋଇ ଆପଣାକୁ ସେହି କାର୍ଯ୍ୟରେ ଖୁସୀ ହୋଇ ସମର୍ପଣ କରିବାର କ୍ଷେତ୍ର । ବେତନ ଅପେକ୍ଷା ମୁଁ ଏହି କ୍ଷେତ୍ରରୁ ଆପଣା ମନ ଓ ଆପଣା ହୃଦୟ ଲାଗି ଅନେକ ଧନ ପାଇବି । କିନ୍ତୁ ଯେଉଁଠି ଉପର ସ୍ତରର କର୍ତ୍ତାମାନଙ୍କର ଅଯୋଗ୍ୟତାରୁ ମୋତେ ଶିକ୍ଷକ ହେବାର ସୁଯୋଗ ଯେଉଁଠି ଦିଆ ଯାଉନାହିଁ, ସେଠି ମୁଁ କ’ଣ କରିବି ? ଯେଉଁଠି ଶିକ୍ଷକ ଉପରେ ପଇସା ଲୋଭୀ, ପଦଲୋଭୀ ଅଥଚ ଅଶିକ୍ଷିତ ମନ ମାଲିକ ହୋଇ ବସିଚି, ସେଠି ଶିକ୍ଷକ କ’ଣ କରିବ ?

 

୧୧ । ୦୨ । ୬୬

 

ଦଶବର୍ଷ ତଳେ ଆପଣା ଆଡ଼କୁ ଠିକ୍ ଯେଉଁପରି ଅନାଇବାକୁ ଇଚ୍ଛା ହେଉଥିଲା, ଆଜି ମଧ୍ୟ ଠିକ୍ ସେହିପରି ଆପଣା ଆଡ଼କୁ ଅନାଇବାକୁ ଇଚ୍ଛା ହେଉଚି । ଦଶବର୍ଷ ତଳେ ଜୀବନର ପଥରେ ମୁଁ ଯେଉଁଠି ଥିଲି, ସେଠୁ ଏହା ଭିତରେ କେତେ ଦୂର ଆଗକୁ ଆସିଚି କି ନାହିଁ, ଦୋଷଗୁଡ଼ାକୁ ଛାଡ଼ି ଗୁଣରୁ ବେଶୀ ଅର୍ଜନ କରି ପାରିଚି କି ନାହିଁ, ସେକଥା ମୁଁ କହି ପାରିବିନାହିଁ । ସେକଥା ମାପିବାର ମାନଦଣ୍ଡ ମୋ’ ପାଖରେ ନାହିଁ । କାରଣ ଆପଣା ଉପରେ ପୋଲିସ୍ ହେବା ମୋ’ର ସ୍ଵଭାବରେ ହିଁ ନାହିଁ । ଭଲ ହେଉ କି ମନ୍ଦ ହେଉ, ଦଶବର୍ଷ ତଳେ ଯେତିକି ସହାନୁଭୂତି ସହିତ ମୁଁ ଆପଣାକୁ ଦେଖୁଥିଲି, ଆଜି ମଧ୍ୟ ଠିକ୍ ସେତିକି ସହାନୁଭୂତି ସହିତ ଦେଖୁଚି । ଆପଣା ପ୍ରତି ଘୃଣା ଯେମିତି ନାହିଁ, ଅବଜ୍ଞା ମଧ୍ୟ ସେମିତି ନାହିଁ । ଆପଣାକୁ ଘୃଣା କରି ମୁଁ ସଂସାରରେ କେଉଁନୀତି ବା କେଉଁ ଶାସନ ଭିତରେ ଆଶ୍ରୟ ନେବି ? ଆପଣାକୁ ଅବଜ୍ଞା କରି ମୁଁ ସଂସାରରେ କେଉଁଠି କାହାକୁ ଆପଣାର କରି ପାରିବି ? ତେଣୁ ଆପଣାକୁ ଆପଣାର ସଖା ବୋଲି ମୁଁ କେଉଁଦିନୁଁ ଗ୍ରହଣ କରିନେଇଚି । ଏହାଦ୍ୱାରା ମୋ’ର ନିଜ ପ୍ରତି ଓ ସମାଜ ପ୍ରତି ମୋ’ର କର୍ତ୍ତବ୍ୟ ଜ୍ଞାନ ବଢ଼ିବ, ଜୀବନରେ ଅଭିନୟ କରିବ ବା ଦେଖାଇ ହେବାର ପ୍ରବୃତ୍ତି ଅନେକ ପରିମାଣରେ କମି ଯାଇଚି, ଜୀବନାଗ୍ରହ ବଢ଼ିବ, ଅନେକ ପ୍ରକାର ଆତ୍ମକୃତ ଭୟାର ଦୌରାତ୍ମ୍ୟରୁ ମୁଁ ରକ୍ଷା ପାଇଚି । ମଣିଷକୁ ଭଲ ଲାଗିଚି, ସଂସାରକୁ ଭଲ ଲାଗିଚି ଓ ସର୍ବୋପରି ଭଗବାନଙ୍କ ଉପରେ ଅର୍ଥାତ୍ ଜୀବନର ଶୁଭ ଉପରେ ବିଶ୍ଵାସ ଦିନକୁ ଦିନ ବଳବତ୍ତର ହେବାରେ ଲାଗିଚି ।

 

୧୨ । ୦୨ । ୬୬

 

ଦେଶର ଶାସନରେ ଗଲତି ରହିଯାଇଚି, ଦେଶର ଶାସନରୁ ଦେଶର ନାଗରିକ ସାଧାରଣତଃ ଯେଉଁ ନ୍ୟାୟପାଇବାର କଥା, ସେହି ନ୍ୟାୟ ସେ ପାଇ ପାରୁନାହିଁ । ଅନେକ ଅନ୍ୟାୟକୁ ଘୋଡ଼ାଇ ଦିଆଯାଉଚି, ପଇସା ବା କ୍ଷମତାର ଲାଞ୍ଚ ଦେଖାଇ ନ୍ୟାୟ କିଣାଯାଉଚି ଓ ବିକାଯାଉଚି । ଏଥିଲାଗି ଅନେକ ଦିନରୁ ସରକାର ଭାବୁଥିଲେ ଯେ, ଶାସନ ବିଭାଗରେ ଆବଶ୍ୟକ ଶୋଧନ ଓ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ଗୋଟିଏ କମିଟି ବସାଯିବ । ସେହି କମିଟି ଶାସନର ବିଭିନ୍ନ ସ୍ତରରେ ଅନୁସନ୍ଧାନ ଚଳାଇବେ ଓ ଶାସନ ସଂସ୍କାର ସମ୍ବନ୍ଧରେ ସରକାରଙ୍କୁ ସୁପାରିଶ ଦେବେ । ଏହି କମିଟିର ସଭାପତି ଅଡ଼ି ବସିଚନ୍ତି ଯେ, ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରେ ଶାସନ ସିଡ଼ିରେ ସର୍ବୋଚ୍ଚ ପାହିଆ ଦିଆନଗଲେ ସେ ଏହି କମିଟିର ସଭାପତିତ୍ଵ କରିବେ ନାହିଁ । ଦେଶର ଶାସନ ସଂସ୍କାର ବିଷୟରେ ତାଙ୍କର ଉତ୍ସାହ ବେଶୀ ବା ଆପଣା ପାହିଆ ସ୍ଥିର କରିବାରେ ଉତ୍ସାହ ବେଶୀ, ସେହିକଥା ଭାବି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଚି । ବ୍ୟକ୍ତିଗତ ଭାବରେ ତାଙ୍କୁ ହିଁ ଯେ ମୁଁ ଏହି ଅପବାଦ ଦେଉଚି ତା’ ନୁହେଁ, ମାତ୍ର ମୁଁ ଭାବୁଚି, ସେ ଏକ ବିଗତ ପୁରୁଷର ରାଜନୀତିର ପ୍ରତିନିଧିତ୍ଵ କରୁଚନ୍ତି, ଯେଉଁ ପୁରୁଷ କି ବର୍ତ୍ତମାନ ସମାଜକୁ ନେତୃତ୍ଵ ଦେବାକୁ ଏକାବେଳେକେ ଅସମର୍ଥ ହୋଇପଡ଼ିଚି । ବର୍ତ୍ତମାନ ଏକ ଜାତିକୁ ନେତୃତ୍ଵ ଦେବାକୁ ହେଲେ କେଉଁଟା ସବୁଠାରୁ ଅଧିକ ଜରୁରୀ, ସେକଥା ବୁଝିବାର ଶକ୍ତି କି ତାଲିମ ମଧ୍ୟ ଏହି ପୁରୁଷର ନାହିଁ । ଏମାନଙ୍କର ଦିନ ସରିଗଲାଣି ।

 

୧୩ । ୦୨ । ୬୬

 

ଉପର ଧାଡ଼ିରେ ଶ୍ରୀଯୁକ୍ତ କାମରାଜଙ୍କର କଂଗ୍ରେସ ଅଧିବେଶନରେ ସଭାପତିଙ୍କ ଭାଷଣର ଶୀର୍ଷକରେ ଲେଖାଯାଇଚି; Concerted efforts to bring in socialism;—ତଳେ ଦିଲ୍ଲୀ ସହରର ଏକ ଛବି ବାହାରିବି । ରାଜଧାନୀରେ ନଳା ପକ୍‍କା ହେବବୋଲି ଯେଉଁ ବଡ଼ ବଡ଼ ପାଇପ୍ ଆସିଚି, ଗୋଟିଏ ଶ୍ରମିକ-ପରିବାର ତାହାକୁ ହିଁ ଘର ବୋଲି ତିଆରି କରି ସେଇଠି ଆପଣାର ସଂସାରକୁ ନେଇ ବାସ କରୁଚି । ଖବର କାଗଜର ପ୍ରଥମ ପୃଷ୍ଠାରେ ହିଁ ଏହି ଦୁଇଟିଯାକ ସମ୍ବାଦର ପରିବେଷଣ କରାଯାଇଚି । ଗୋଟିଏ ଚିତ୍ରରେ ଏବଂ ଅନ୍ୟଟି ଶବ୍ଦରେ । ରକ୍ଷା ହୋଇଚି, ପାଇପ ଭିତରେ ସମ୍ଭବ ହେଉଥିବା ସଂସାରକୁ ଆଦରି ନେଇ ପରିବାର ସହିତ ବାସ କରୁଥିବା ଶ୍ରମିକର କାମରାଜଙ୍କ ଭାଷଣକୁ ପଢ଼ିବାର କୌଣସି ଆଶଙ୍କା ହିଁ ନାହିଁ । ସେହି ଭାଷଣରେ ଥିବା ବଡ଼ ବଡ଼ କଥାଗୁଡ଼ାକୁ ବ୍ୟଙ୍ଗ କରିବା ତ ତା’ପକ୍ଷରେ ଏକାବେଳେକେ ଅସମ୍ଭବ । କିନ୍ତୁ, ଏହି ଦୁଇଟିଯାକ ସମ୍ବାଦ ଯେଉଁ ଦେଶରେ ଗୋଟିଏ ପୃଷ୍ଠାରେ ବାହାରୁଚି, ସେ ଦେଶର ଯୁବକ ଏହି ବ୍ୟଙ୍ଗକୁ କେତେଦୂର ଏକ ଆହ୍ଵାନ ବୋଲି ଗ୍ରହଣ କରୁଚି ? କେତେଦୂର ସେ ଏହାକୁ ଆପଣାର ଅପମାନ ବୋଲି ମନେ କରୁଚି ? ଏକଥା ସତ ଯେ, ଏହି ଦେଶର ନେତାମାନେ ସାଧାରଣତଃ ଏସବୁକୁ ଆପଣାର ଲାଜ ବୋଲି ମନେ କରିବାର କର୍ତ୍ତବ୍ୟକୁ ମଧ୍ୟ ପାଶୋରି ଗଲେଣି । ତେଣୁ, ଭାଷଣ ଚାଲିଚି, ଏଣେ ଦରିଦ୍ର ମଣିଷର ସରଣୀ ଭାଗ୍ୟର ସକଳ ବିଦ୍ରୂପକୁ ମାନିନେଇ ମଧ୍ୟ ଚାଲିଚି-। ସାମ୍ୟବାଦ କେବେ ଆସିବ କିଏ ଜାଣିଚି ? କିନ୍ତୁ ଲାଜ–proof ନେତୃତ୍ଵ ମଧ୍ୟ କେତେ ଦିନଯାଏ ଭାଷଣରେ ବଡ଼କଥା କହି ସାମ୍ୟବାଦ ଗଢ଼ିବାର ଭ୍ରମ ସୃଷ୍ଟି କରିବାରେ ଲାଗିଥିବ-?

 

 

୧୪ । ୦୨ । ୬୬

 

ଦୀର୍ଘ ଅଠରବର୍ଷ ଧରି ଏମାନେ ପ୍ରଧାନତଃ କଥା କହିଲେ । କହିଥିବା ଅନେକ କଥାକୁ କାର୍ଯ୍ୟରେ ପରିଣତ କରିବାର ଆବଶ୍ୟକତାକୁ ହିଁ ଅନୁଭବ କଲେ ନାହିଁ । ଏହିଥିରୁ ଜାଣିବାକୁ ହେବ ଯେ, ସେମାନେ ମିଛ କହିଲେ ଓ ହୁଏତ ଏବେ ମଧ୍ୟ ମିଛ କଥାକୁ ସୁନ୍ଦର ଭାବରେ କହିବାକୁ ହିଁ ସବୁଠାରୁ ନିରାପଦା ପନ୍ଥା ବୋଲି ବିଚାର କରୁଚନ୍ତି । ଏଦେଶ ଏମାନଙ୍କର କଥାକୁ ଆଉ କେତେଦିନ ଯାଏ ଶୁଣିବ, କେତେଦିନ ଯାଏ ମଣିଷ ଓ ନେତୃତ୍ଵର ଭୁଲ୍‍ ସକାଶେ ଭାଗ୍ୟ ଉପରେ ଦୋଷ ଦେଉଥିବ ? ସାମ୍ୟବାଦ କହିଲେ ଏହି ନେତାମାନେ କେବଳ ଶବ୍ଦମୟ ସ୍ଵପ୍ନ ଦେଖିବା ଓ ଆପଣାକୁ ରାଜା କରି ରଖିବା ବ୍ୟତୀତ ଆଉ କିଛି ବୁଝନ୍ତି ବୋଲି ବେଳେବେଳେ ବିଶ୍ଵାସ କରିବାକୁ ମଧ୍ୟ ଇଚ୍ଛା ହୁଏନାହିଁ । ସାମ୍ୟବାଦ କହିଲେ ଯଦି ନ୍ୟାୟକୁ ବୁଝାଏ, ସାମ୍ୟବାଦ କହିଲେ ଯଦି ସମସ୍ତଙ୍କୁ ବୁଝାଏ, ତେବେ ସାମ୍ୟବାଦ ଏ ଦେଶରେ କେଉଁଠି କିପରି ଆଲୋକ ଚାଲିଚି ? ସମସ୍ତଙ୍କର ହିତ ରଖି ନ୍ୟାୟର ପ୍ରତିଷ୍ଠା କରିବା ତ ଦୂରର କଥା, ଏହି ସରକାର ଯେତିକି ନିୟମକୁ ବା କାନୁନକୁ ଚାଲୁ ରଖିବାର ଦାୟିତ୍ଵ ଗ୍ରହଣ କରୁଚି, ଓ ସେଇଥି ସକାଶେ ନେତୃତ୍ଵ ଭୋଗ କରୁଚି, ସେତିକି କାନୁନକୁ ମଧ୍ୟ ରକ୍ଷା କରି ପାରୁନାହିଁ । ଏହି ଦେଶର ଶାସନରେ କେଉଁଠି କୌଣସି ସର୍ବଜନ ସ୍ଵୀକୃତ ରୀତି ରହିଚି କି ନାହିଁ, କ୍ରମେ ଏତିକି ବିଶ୍ଵାସ ମଧ୍ୟ ତୁଟିଯିବାକୁ ବସିଲାଣି । ନୀତି ରହିବା ନରହିବାର ପ୍ରଶ୍ନ ଉଠୁଚି କେଉଁଠି ?

 

୧୫ । ୦୨ । ୬୬

 

ଏ ଦେଶର ମାଷ୍ଟରମାନେ ଏତେ ବେଶୀ ଛୁଟି ଚାହାନ୍ତି କାହିଁକି ? କୌଣସି ଜଣେ ବ୍ୟକ୍ତି ମରିଗଲେ ସେମାନେ ଯେକୌଣସି ପ୍ରକାରେ ତାଙ୍କୁ ବାହାନା କରି ସ୍କୁଲ ଛୁଟି କରିଦେବାର ଭାରି ଆନନ୍ଦ ପାଆନ୍ତି । ବେଳେବେଳେ ସେମାନଙ୍କର ଛୁଟି ଲାଗି ଉତ୍କଣ୍ଠା ଦେଖି ମନେହୁଏ ଯେପରି ସେମାନେ ସ୍କୁଲ ଛୁଟି କରିବା ଦ୍ଵାରା ହିଁ କୌଣସି ଜଣେ ମୃତ ବ୍ୟକ୍ତିକୁ ସମ୍ମାନ ଦେଖାଇବାକୁ ଚାହାନ୍ତି । ଏଡ଼େ ବଡ଼ ଦେଶରେ ପ୍ରତିଦିନ କେତେ ମଣିଷ ମରୁଚନ୍ତି, ଏଡ଼େ ବଡ଼ ଦେଶରେ ନେତା ଓ ବିଖ୍ୟାତ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ସେହିପରି ବଡ଼ ହୋଇ ରହିଚି । ତେଣୁ, ସମସ୍ତଙ୍କୁ ଆମେ କେବଳ ଛୁଟି ଦ୍ଵାରା ସମ୍ମାନ ଦେଖାଇବାକୁ ବସିଲେ ପୁଣି ଆପଣାର କାମ କରିବା କେତେବେଳେ ? ଆମ ଦେଶରେ ସ୍କୁଲ ପିଲା ଯେପରି ସ୍କୁଲରୁ ବାହାରି ପଳାଇବାକୁ ଉଚ୍ଛନ୍ନ ହୋଇ ରହିଥାଏ, ସ୍କୁଲର ମାଷ୍ଟରମାନେ ମଧ୍ୟ ହୁଏତ ଠିକ୍ ସେହିପରି ସ୍କୁଲରୁ ଛୁଟି ପାଇ ଅନ୍ୟତ୍ର ଅବସର-ବିନୋଦନ କରିବାଲାଗି ଉଚ୍ଛନ୍ନ ହୋଇ ରହିଥାନ୍ତି । ତାହାର କାରଣ ହେଉଚି, ଆମ ଦେଶରେ ଆମେ ଅଧିକାଂଶ ଶିକ୍ଷକ ପ୍ରଧାନତଃ ଏକ ଚାକିରି କରି ପେଟ ଭରାଇବାକୁ ହିଁ ଶିକ୍ଷକ ହୋଇଥାଉ, ଶିକ୍ଷକର କାର୍ଯ୍ୟରେ ଏକ ରୁଚିଗତ ବା ମନୋଗତ ଶ୍ରଦ୍ଧା ଅଛି ବୋଲି ଆମେ ଶିକ୍ଷକ ହୋଇ ନଥାଉ-। ତେଣୁ ଆମର କାର୍ଯ୍ୟକ୍ଷେତ୍ର ଆମକୁ ମୋଟେ ଭଲ ଲାଗେ ନାହିଁ । ଆମର ବେଉସା ଆମକୁ ଭଲ ଲାଗେନାହିଁ । ଆପଣା କର୍ତ୍ତବ୍ୟକୁ ଖସି ପଳାଇବା ଆମର ଧର୍ମ ହୋଇ ରହିଥାଏ ।

 

୧୬ । ୦୨ । ୬୬

 

କାଲି ଗାଆଁର ପିଲାମାନେ ଏଠି ଆସି ଦିନଯାକ ଖେଳିଲେ, କେତେ ପ୍ରକାରର ପ୍ରତିଯୋଗିତାରେ ଭାଗ ନେଲେ । ସେମାନଙ୍କର କୋଳାହଳରେ ଏଠିକାର ଦିନମାନ ପୂରି ରହିଥିଲା । ପ୍ରତିଦିନ ସେମାନେ ଆପଣ ଗାଆଁରୁ ସ୍କୁଲକୁ ଆସନ୍ତି । ମାଷ୍ଟରମାନେ ସେମାନଙ୍କୁ ପାଠ ସେତେ ପଢ଼ାନ୍ତିନାହିଁ, ତା’ଠାରୁ ଶାସନ କରନ୍ତି ବେଶୀ । ଦେଢ଼ଶହ ପିଲାଙ୍କୁ ଦୁଇଜଣ ମାଷ୍ଟର କି ପାଠ ପଢ଼ାଇ ପାରିବେ ? ତେଣୁ ଗାଈଆଳ ପିଲା ଗୋରୁମାନଙ୍କୁ ଆୟତ୍ତରେ ରଖିଲା ପରି ଆମ ସ୍କୁଲରୁ ମାଷ୍ଟରମାନେ ମଧ୍ୟ ସ୍କୁଲପିଲାଙ୍କୁ ପ୍ରଧାନତଃ ଜଗିକରି ରଖନ୍ତି । କାଲି ପିଲାମାନେ ସେହି ଖୁଆଡ଼ରୁ ମୁକ୍ତି ପାଇଥିଲେ । କିଏ ଗୀତ ଗାଇଲା, କିଏ ଡ୍ରିଲ୍ କରି ଦେଖାଇଲା, କିଏ ଚିତ୍ର ଆଙ୍କି ଥୋଇଦେଲା, କିଏ ହସ୍ତାକ୍ଷର ପ୍ରତିଯୋଗିତାରେ ଯୋଗ ଦେଲା । ସେମାନଙ୍କ ଭିତରେ ଯେ କେତେ ଗୁଣ ଲୁଚିରହିଚି, ପ୍ରତ୍ୟେକ ଦିନର ପାଠପଢ଼ା ବେଳେ ସ୍କୁଲର ମାଷ୍ଟରମାନେ ସେକଥା ଭାବିବାର ଅବସର ପାଉଥିଲେ ଏହି ପିଲାଙ୍କର ଭାଗ୍ୟରେ ହୁଏତ ନୂତନ ସୂର୍ଯ୍ୟୋଦୟ ହୋଇ ପାରନ୍ତା । ମାଷ୍ଟରମାନେ କି କି ଦରିଦ୍ର ରୀତିରେ ମାଷ୍ଟର ହୋଇ ତିଆରି ହୋଇ ନାହାନ୍ତି । ସେମାନଙ୍କୁ ବା ଶିକ୍ଷାକ୍ଷେତ୍ରରେ କେତେଜଣ ମଣିଷ ବୋଲି ଦେଖୁଚନ୍ତି ? କିନ୍ତୁ ମୁଁ ତଥାପି କହିବି, ସବୁପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଷ୍ଟରମାନେ ଇଚ୍ଛା କଲେ ଏକଥା ଅବଶ୍ୟ କରି ପାରନ୍ତେ ।

 

୨୫ । ୦୨ । ୬୬

 

କାମ ଲାଗି ମୋ’ର କୌଣସି ଡର ନାହିଁ । କିନ୍ତୁ ବେଳେବେଳେ କାମର ଜର ମୋତେ ଗ୍ରାସ କରି ପକାଇଲା ପରି ଲାଗୁଚି । ମୋ’ ଆଗରେ ଏତେ କାମ ବାକି ରହିଚି, ଏହିକଥା ଭବିଭାବି ଅତର୍ଚ୍ଛ ହୋଇ ପଡ଼ୁଚି । ଅମୁକ ସମୟ ବା ଏତେ ଦିନଭିତରେ ମୋତେ ଏତେଗୁଡ଼ିଏ କାମ ଶେଷ କରିବାକୁ ପଡ଼ିବ, ଏହିକଥା ଏକ ଆତଙ୍କ ପରି ମୋତେ ଏତେଗୁଡ଼ିଏ କାମ ଶେଷ କରିବାକୁ ପଡ଼ିବ, ଏହିକଥା ଏକ ଆତଙ୍କ ପରି ମୋତେ ଏତେଦୂର ବ୍ୟାକୁଳ କରି ରଖୁଚି ଯେ, ତାହାରି ବଶବର୍ତ୍ତୀ ହୋଇ ମୁଁ ଚିତ୍ତର ସକଳ ସ୍ଥିରତା ହରାଇ ବସୁଚି । ପୁଣି ଚିତ୍ତର ସ୍ଥିରତା ହରାଇ ବସିଲେ ମନର ଖୁସୀ ଓ ହୃଦୟର ସ୍ଵାଭାବିକତା ବା କିପରି ରହିବ ? ଏବଂ, ଏସବୁ ନଥିଲେ ମୁଁ କି କାମ ବା କରିପାରିବି ? କାମକୁ ମୁଁ ଡରୁନାହିଁ, କାରଣ ଅଳସୁଆ ହୋଇ ବସିବାକୁ ପଡ଼ିଲେ ମୋ’ର ଚିତ୍ତ କମ୍ ଅସ୍ଥିର ହେଉନାହିଁ । କାମରୁ ପଳାଇଯିବାକୁ ଚାହୁଥିଲେ ମୁଁ ଜାଣିଶୁଣି ଆପଣା ଉପରେ ଏତେ କାମ ଆଦରି ନିଅନ୍ତି ନାହିଁ । ହୁଏତ କେବଳ ବାଧ୍ୟ ହୋଇ ଆଉ କାହାରି ଚାପରେ କାମ କରୁଥାନ୍ତି । କିନ୍ତୁ ବାଧ୍ୟ ହେବ ବା ଅନ୍ୟ କୌଣସି ଆବଶ୍ୟକତାର ଚାପରେ ପଡ଼ି କାମ କରିବା ମୋ’ର ଧାତୁରେ ନାହିଁ । ଏପର୍ଯ୍ୟନ୍ତ ମୁଁ ପ୍ରଧାନତଃ କେବଳ ଆପେ ଆପଣାକୁ ହିଁ ବାଧ୍ୟ କରି ଆସିଚି, ସାଥି ପରି ଆପେ ଆପଣାର ହାତ ଧରି ନାନାବିଧ କର୍ମରେ ନିଜେ ନିଜକୁ ଉଦ୍ୟତ କରି ନେଇଚି । ମୋ’ର ଯେତିକି ବିକାଶ ହୋଇଚି, ମୋ’ ଜୀବନରେ ଯେତିକି ସହଜ ଇଚ୍ଛା ବା ସ୍ଵାଭାବିକତା ବଢ଼ିବ, ପ୍ରଧାନତଃ ଏହାରି ସକାଶେ ହିଁ ହୋଇଚି ।ତେଣୁ, ଡରିବାର ପ୍ରଶ୍ନ ଉଠୁନାହିଁ । ଶାନ୍ତି ଓ ମୋହମୁକ୍ତ ହେବାର ପ୍ରଶ୍ନ ହିଁ ଉଠୁଚି । ବିଶ୍ୱାସରେ ପ୍ରଶ୍ନ ହିଁ ଉଠୁଚି ପ୍ରତ୍ୟେକ ଦିନ ସକାଳେ ଏହି ଶାନ୍ତ ପବନ ଓ ଆଲୋକ ପାଖରେ ଆପଣାକୁ ଶୁଦ୍ଧ ବିକାରମୁକ୍ତ ଭାବରେ ସମର୍ପଣ କରିଦେଇ ପାରିଲେ ମୋ’ରିଠାରୁ ଯେ ମୁଁ ଦଶଗୁଣ କାମ ଆଦାୟ କରିପାରିବି, ସେକଥା ମୁଁ ଭଲକରି ଜାଣେ । ତେବେ ଏ ଜ୍ଵର କାହିଁକି, ତେବେ କିଛି ନକରି ପାରିବାର ଏହି ବିଷାଦ ବା କାହିଁକି ?

 

୨୬ । ୦୨ । ୬୬

 

ଆଫ୍ରିକାରେ ଆଜି ଗୋଟାକପରେ ଗୋଟାଏ ଦେଶରେ ଫଉଜ ଶାସନ ଜାରି ହୋଇଯାଉଚି । କାଲି ଯେଉଁମାନେ ଦେଶର ନେତା ଥିଲେ, ଦେଶର ସକଳ ଉପଚାର ଦେଇ କାଲି ଯେଉଁମାନଙ୍କର ଭଳିଭଳି ପୂଜା ଓ ଭଳିଭଳି ପ୍ରଶଂସା ହେଉଥିଲା, ସେହିମାନଙ୍କୁ ଗାଦିରୁ ତଡ଼ି, ସେହିମାନଙ୍କୁ ବନ୍ଦୀ କରିନେଇ ବା ପ୍ରାଣରୁ ମାରି ସେସବୁ ଦେଶରେ ସାମରିକ କର୍ତ୍ତାମାନେ ଆପଣାର ଶାସନ ଜାରି କରି ଦେଉଚନ୍ତି । କୌଣସି ଦେଶରେ ଯେତେବେଳେ ସାମରିକ କର୍ତ୍ତାମାନେ ଅସ୍ତ୍ରବଳରେ ଦେଶର ଶାସନକୁ ଆତ୍ମସାତ୍ କରିବସନ୍ତି, ସେତେବେଳେ ତାହାକୁ ଦେଶର ଜୀବନରେ ଏକ ବିକାଶର ଲକ୍ଷଣ ବୋଲି କଦାପି କୁହାଯାଇ ପାରିବନାହିଁ । ଜାତୀୟ ଜୀବନର ନାନା ନୈରାଶ୍ୟ ଓ ଅପାରଗତା ପୁଞ୍ଜିଭୂତ ହୋଇ ଏହିପରି ଏକ ବିପର୍ଯ୍ୟୟ ସଂଘଟିତ କରାଇଥାଏ । କାଲି ଘାନାର ଶାସକନେତା ଆପଣାର ଉଗ୍ର ଉତ୍ସାହରେ କେବଳ ଆପଣା ଦେଶକୁ ନୁହେଁ, ସମସ୍ତ ଆଫ୍ରିକା ମହାଦେଶକୁ ଜବରଦସ୍ତି ଏକାଠି କରିବାର ସ୍ଵପ୍ନାଭିଳାଷ ରଖିଥିଲେ । ସେଥିଲାଗି ବହି ଲେଖିଥିଲେ, ସେଥିଲାଗି ପ୍ରଜାମଣିଷକୁ ବଶ କରି ରଖିବା ମତଲବରେ କେତେ ପ୍ରକାରର ବୀର ପୂଜାର ଆୟୋଜନ କରିଥିଲେ, କେତେ ଉଗ୍ର ଆଦର୍ଶର କେତେ ସୁତ୍ର ବାହାର କରିଥିଲେ । ଆଜି ସେସବୁ ଗଲା କୁଆଡ଼େ ? ସେସବୁର ଚେର ଜାତୀୟ ମନରେ ପ୍ରକୃତରେ କେତେଦୂର ମାଡ଼ିଥିଲା ? ଏ ନୂଆ ଶାସନ ବା କ’ଣ କରି ପାରିବ ?

 

୨୭ । ୦୨ । ୬୬

 

ଜୀବନରେ ମୁଁ ସବୁ ଆସ୍ଥାନରୁ ଖସିପଡ଼େ ପଛକେ, ଭଗବାନଙ୍କ ଆସ୍ଥାନ ପକ୍ଷରୁ ମୋ’ର ଦୃଷ୍ଟିଯେପରି କୌଣସି ପରିସ୍ଥିତିରେ ମଧ୍ୟ ଖସିନଯାଉ । ଜୀବନରେ ସବୁଠାରେ ମୁଁ ହାରିଯାଏ ପଛକେ, ଭଗବାନଙ୍କ ଉପରେ ମୋ’ର ବିଶ୍ଵାସ ଯେପରି କୌଣସି ପ୍ରକାରେ ହାର ମାନି ନଯାଏ ଓ ଜଗତକୁ ଅବିଶ୍ଵାସ କରିବାକୁ ନଶିଖେ । ଜୀବନରେ ମୋତେ ସମସ୍ତେ ଛାଡ଼ି ଚାଲିଯାଆନ୍ତୁ ପଛକେ, ଭଗବାନ ମୋତେ ଛାଡ଼ିଗଲେ ବୋଲି ଯେପରି ମୁଁ କେବେହେଲେ ସଂଶୟ କରି ନ ବସେ । ଆପଣାକୁ ଅସ୍ଵୀକାର କରିବାକୁ ଆରମ୍ଭ କଲେ ପୁଣି ମୋ’ର ଜୀବନରେ ଆଉ କ’ଣ ବା ଅବଶେଷ ରହିବ ? ସଂସାରଟାକୁ ମୋ’ର ବାଗରେ ବାଗେଇ ନେବାର ଦମ୍ଭ କରି ମୁଁ ବାରବାର ଏପରି ଅପ୍ରସ୍ତୁତ ହେବାକୁ କାହିଁକି ଏତେ ଭଲ ପାଉଚି ? ମୋ’ର ଭଲ ପାଇବାରେ ଯେତିକି ମୋହ ପଶିଯାଉଚି ମୋ’ର ଜୀବନ ସତେଅବା ସେତିକି ଦୟନୀୟ ହୋଇପଡ଼ୁଚି । ବେଳେବେଳେ ତ ମନେ ହେଉଚି, ଜୀବନରେ ତଥାପି ଭଲ ପାଇବା ଶିଖିବାକୁ ବାକୀ ରହିଗଲା । କେବଳ ମୋହର ଦୁଷ୍ଟ ବିକ୍ରମରେ ସବୁପ୍ରକାର ଭଲ ପାଇବା ଯେପରି ଭୟରେ ଅପସରି ଗଲା । ମୁଁ ମୋହ ଚାହିନଥିଲି । ଭଲପାଇବା ଚାହିଥିଲି । ମୁଁ ସଂସାରକୁ ଆପଣାର କରିବାକୁ ଚାହିଥିଲି, ସଂସାରକୁ ନିଜର ଆବୋରି ଧରିବାର ଜ୍ଵରରେ ଅଶାନ୍ତ କରି ପକାଇବାକୁ ଚାହିନଥିଲି । ମୋତେ ଭଲପାଇ ଯେଉଁ ଭଗବାନ ମୋ’ର ପଥର ପ୍ରାନ୍ତେ ପ୍ରାନ୍ତେ ଚାଲିଚି, ସେଇ ମୋତେ ଶୁଭ ବୁଦ୍ଧି ଦେଉ, ଶୁଭବାସନା ଦେଉ, —ଆଜି ମୋ’ର ଏତିକିମାତ୍ର ପ୍ରାର୍ଥନା ।

 

୨୮ । ୨ । ୬୬

 

ଜୀବନରେ ଭ୍ରମିଯିବାର, ବିସ୍ମରି ଯିବାର ଓ ହୁଡ଼ି ଯିବାର ଅନେକ ପ୍ରସଙ୍ଗ ରହିଚି, କିନ୍ତୁ ବାହୁଡ଼ି ଆସିବାର ପ୍ରସଙ୍ଗ ମଧ୍ୟ ଅନେକ ରହିଚି । ଦୁଇଟି ଭିତରୁ କେଉଁଟି ଲାଭଦାୟକ ଓ କେଉଁଟି କ୍ଷତିକାରକ, ଏକଥା ବାଛିବାର ବେଳ ବା ଜୀବନରେ କାହିଁ ? ମଣିଷ ଯେତେବେଳେ ହୁଡ଼ିଯାଏ, ସେତେବେଳେ ସେ ହୁଡ଼ିଯାଉଚି ବୋଲି ଆଦୌ ଜାଣିନଥାଏ । ଯେତେବେଳେ ଫେରିଆସେ, ସେତେବେଳେ ଫେରି ଆସିବାର ପକ୍ଷ ବିପକ୍ଷ ବିଚାର କରି ମଧ୍ୟ ଫେରେନାହିଁ । ସତେ ଅବା ଚଗଲା ଖେଳ ସାରି ଅବୋଧ ପିଲା ଆପଣାଛାଏଁ ଘରକୁ ଫେରି ଆସିବାପରେ ସେ ଫେରିଆସେ । ଭୀମଭୋଇ ସଂସାରର ମଣିଷମାନେ ମୂଳ ଛାଡ଼ି ଡାଳକୁ ଆଶ୍ରା କରି ରହିଚନ୍ତି ବୋଲି କେଉଁଠି ବଡ଼ ଖେଦ କରି କହିଚନ୍ତି । ମୂଳ ଛାଡ଼ି ଡାଳର ଆଶ୍ରା କରିବା ଏ ଜୀବନରେ ଅନେକବାର ହୁଏ, ଡାଳକୁ ଛାଡ଼ି ମୂଳକୁ ଫେରି ଆସିବାର ପର୍ଯ୍ୟାୟ ମଧ୍ୟ ଆସି ପହଞ୍ଚେ । ସେତେବେଳେ କାହାରି ଉପଦେଶ ବା କାହାରି ହିତକଥା ଶୁଣିବା ଲାଗି ଅପେକ୍ଷା କରିବାକୁ ପଡ଼େନାହିଁ । ସେତେବେଳେ ଅତି ଆପଣ ଛାଏଁ ମୂଳକୁ ମନେ ପଡ଼ିଯାଏ, ବେଳେବେଳେ ମନ ଓ ହୃଦୟ ଦୁହେଁ ଘରକୁ ବାହୁଡ଼ି ଆସନ୍ତି । ଡାଳକୁ ମୁଁ ମିଥ୍ୟା ବୋଲି କହିବନାହିଁ, —ମୂଳକୁ ବାହୁଡ଼ି ଆସିବାର ଓ ମୂଳ ପ୍ରତି ଅନୁରକ୍ତି ରଖିବାର ଆଗ୍ରହ ରହିଥିଲେ ଡାଳରେ ବିଚରଣ କରିବାକୁ ମୁଁ ଏଡ଼େବଡ଼ କ୍ଷତି ବୋଲି ବିଚାରିକି କାହିଁକି ?

 

୦୧ । ୦୩ । ୬୬

 

ସକାଳର ନିତ୍ୟପଠନୀୟ ମନ୍ତ୍ରଗୁଡ଼ିକ ଖୁବ୍ ଭଲକରି ମନେଅଛି, ତଥାପି ବେଳେବେଳେ ଭାରି ଭୁଲ୍‍ ହୋଇ ଯାଉଚି । ସକାଳର ନାନା ନିତ୍ୟକର୍ମ ଭିତରେ ମୁଁ ମନ୍ତ୍ରପାଠ ଆରମ୍ଭ କରିଦେଉଚି, କିନ୍ତୁ କଥାରେ ରତ ରହିଥିବା ସମୟରେ ମନ ଭିତରେ କେଉଁଠୁ କି ଭାବନା ଆସି ଜୁଟିଯାଉଚି କେଜାଣି, ମନ୍ତ୍ର ଛାଡ଼ି ହୋଇଯାଉଚି ଓ ମନ ଯାଇ ଅନ୍ୟ ଜାଗାରେ ଲାଖିଯାଉଚି । କାହାର ବାଧ୍ୟବାଧକତାରେ ପଡ଼ି ମୁଁ ଏସବୁ ମନ୍ତ୍ରକୁ ଆୟତ୍ତ କରନାହିଁ । ଶାନ୍ତିନିକେତନରେ ଜୀବନର ପ୍ରଥମ କୁସୁମପର୍ବରେ ମୁଁ କେଉଁ ବିଧାତାକୁ ଆପଣା ଜୀବନ ଭିତରକୁ ସ୍ଵୀକାର କରି ଆଣିଲାପରି ଏହି ମନ୍ତ୍ରଗୁଡ଼ିକୁ ମନେ ରଖିଚି । ଏପରିକି ଭଗବାନଙ୍କୁ ଦରବାରରେ ମୁକ୍ତି ପାଇବି ବା ଶାସ୍ତିରୁ ବଞ୍ଚିଯିବ ବୋଲି ମଧ୍ୟ ମୁଁ ମନ୍ତ୍ରଗୁଡ଼ିକୁ ଆୟତ୍ତ କରିନାହିଁ । ତେଣୁ, ବାଧ୍ୟବାଧକତା ହଟି ଯିବାରୁ ଯେ ମନ୍ତ୍ର ଭୁଲି ହୋଇଯାଉଚି ତା’ ନୁହେଁ । ଏପର୍ଯ୍ୟନ୍ତ ମଧ୍ୟ ଏହି ମନ୍ତ୍ରଗୁଡ଼ିକ ଉପରେ ମୋ’ର ଲୟ ରହିଚି । ନାନା ବାଟରେ ଧାବମାନ ହେଉଥିଲେ ମଧ୍ୟ ହୃଦୟ ଆଜି ମଧ୍ୟ ସେହି ମନ୍ତ୍ରର ପ୍ରାଣଗତ ଅର୍ଥ ଉପରେ ହିଁ ବିଶ୍ଵାସ ରଖିଚି । ତେଣୁ ଭୁଲିଯିବାର କାରଣ କ’ଣ ? ଜୀବନରେ କେଉଁଠି ହାରିଗଲି, କେଉଁଠି ଅପଦସ୍ଥ ହେଲି, ହୁଏତ ଏହିସବୁ ଉତ୍ତେଜନା ଓ ଜ୍ଵାଳା ବେଳେବେଳେ ମୋ’ର ମନ ଓ ହୃଦୟକୁ ସଂତ୍ରସ୍ତ ଓ ବିକ୍ଷିପ୍ତ କରି ରଖୁଚି । ହୁଏତ ପ୍ରଧାନତଃ ସେଇଠି ସକାଶେ ସକାଳର ପ୍ରାଣଟି ସହିତ ଏକତ୍ର ହୋଇ ମୋ’ର ଯେତେ ଶାନ୍ତ ହୋଇପାରିବା ଉଚିତ, ମୁଁ ତାହା ହୋଇପାରୁନାହିଁ । ଏଥିଲାଗି ଆପଣାକୁ ଧିକକାର ଦେବିନାହିଁ । ଏହି ଶାନ୍ତ ଓ ସୁନ୍ଦର ସକଳ ମୁହୂର୍ତ୍ତରେ ଆପଣାର ଶାନ୍ତ ଓ ସୁନ୍ଦର ପରିଚୟଟି ଉପରେ ମୁଁ ଅଧିକ ଧ୍ୟାନ ରଖିବାକୁ ଚେଷ୍ଟା କରିବି-। ଯେପରି କାଲିର ଜ୍ଵାଳା ଆଜି ସକାଳର ପରମ ସ୍ଵୀକୃତି ହୋଇ ଜନ୍ମଲାଭ କରିବା, ମୋତେ ଘର ଭିତରକୁ ବାଟ ବତାଇଦେବ ।

 

୦୨ । ୦୩ । ୬୬

 

ଏହି ବିଶ୍ଵାସ ବାହାରେ ଥିବା କେଉଁ ସ୍ଵର୍ଗରାଜ୍ୟର ଭଗବାନଙ୍କ ଉପରେ ବିଶ୍ଵାସ ନୁହେଁ, ଏହା ମୂଳତଃ ଆପଣା ଉପରେ ବିଶ୍ଵାସ । ଏହି ଶ୍ରଦ୍ଧା ବାହାରେ ବା ଦୂରରେ ଥିବା କେଉଁ ଭଗବାନଙ୍କ ପ୍ରତି ଶ୍ରଦ୍ଧା ନୁହେଁ, ଏହା ମୂଳତଃ ଆପଣା ଉପରେ ହିଁ ଶ୍ରଦ୍ଧା । ତାହାକୁ ବିଶ୍ଵାସ କରି ପାରିଲେ ଆପଣା ଉପରେ ଅଟଳ ବିଶ୍ଵାସ ରହିଥାଏ, ସଂସାରରେ ଅତି ନିର୍ଭୟ ଭାବରେ ସତେ ଅବା କେଉଁ ଅନ୍ତରତମର ମାରଫ୍‍ତଦାର ପରି କାର୍ଯ୍ୟ କରିବାକୁ ଏତେ ବଳ ମିଳେ । ତାହାରି ଉପରେ ଶ୍ରଦ୍ଧା ରହିଥିବା ପର୍ଯ୍ୟନ୍ତ କେବଳ ଯେ ତାହାକୁ ଆପଣାର ସମୀପବର୍ତ୍ତୀ ବୋଲି ମନେହୁଏ ତାହା ନୁହେଁ, ସାରା ସଂସାର ଓ ଏହି ସମଗ୍ର ଜୀବନ ତୀର୍ଥ ଆପଣାର ଅତି ସମୀପବର୍ତ୍ତୀ ହୋଇ ମନେହୁଏ । ଆପଣାକୁ ଆପଣାର ସକଳ ଯାତ୍ରା ତୀର୍ଥଯାତ୍ରା ପରି ମନେହୁଏ, ଆପଣା ବିଷୟରେ ଭାବୁଥିବା ବେଳେ ବା ଆପଣାକୁ କୌଣସି କାର୍ଯ୍ୟରେ ପ୍ରେରିତ କରୁଥିବା ବେଳେ ସତେଅବା କେଉଁ ପବିତ୍ର ମନ୍ଦିରର ବେଢ଼ା ଭିତରେ ବିଚରଣ କରୁଥିବା ପରି ମନେହୁଏ । ଏତିକି ଶ୍ରଦ୍ଧା ଓ ଏତିକି ବିଶ୍ଵାସ ରହିଥିଲେ ମୋତେ ସବୁ ରହିଥିବା ପରି ଲାଗେ । ଜୀବନର ଶ୍ରେୟ ପ୍ରତି ପଦେପଦେ ମିଳି ଯାଉଥିଲା ପରି ଲାଗେ । ସେତେବେଳେ ଆଉ ବୁଦ୍ଧି ଦେଇ ଭଲ ମନ୍ଦ ବା ଉଚିତ ଅନୁଚିତ ବିଚାର କରିବାର ଆବଶ୍ୟକତା ନଥାଏ । ସିଧା ହୃଦୟରୁ ବୋଲ ଆସେ, ସିଧା ହୃଦୟରୁ ସମର୍ଥନ ଓ ଅଭୟ ମିଳେ । ସଂସାରରେ ଅମାନିଆ ବା ଅନ୍ଧ ହେବାକୁ ନୁହେଁ, ଆପଣା ଜୀବନ ଭୂମିରେ ଭୁବନଯାକ ସମ୍ଭାରି ଧରିବାକୁ ଅଭୟ ମିଳେ ।

 

୦୩ । ୦୩ । ୬୬

 

ଶିକ୍ଷାନୁଷ୍ଠାନ କହିଲେ ମୁଁ ଆଗ ଏହି ଅନୁଷ୍ଠାନର ଗ୍ରନ୍ଥମାନଙ୍କୁ ବୁଝେ । ମୋ’ ଭିତରେ ରହୁଥିବା ଗ୍ରନ୍ଥକୁ ବୁଝେ । ବେତନ ପାଇବା ଅର୍ଥାତ୍ ଅର୍ଥୋପାର୍ଜନ କରିବା ଯଦି ମୋ’ର ଶିକ୍ଷକ ହେବାରେ ସର୍ବପ୍ରଧାନ ଉତପ୍ରେରକ ଭାବରେ କାର୍ଯ୍ୟ କରୁଥାନ୍ତା, ତେବେ ମୁଁ ଯେଉଁଠି ଯଥେଷ୍ଟ ବେତନ ପାଇଥାନ୍ତି ଓ ଯଥେଷ୍ଟ ଅର୍ଥୋପାର୍ଜନ କରିଥାନ୍ତି, ସେଠାକୁ ମଧ୍ୟ ଯାଇ ପାରିଥାନ୍ତି । କିନ୍ତୁ ଭିତରେ ପ୍ରଧାନତଃ ଶିକ୍ଷକ ହେବାର ଅର୍ଥାତ୍ ଶିଖିବାର ଆଗ୍ରହ ରହିଥିବାରୁ ମୁଁ ଏପରି ଅର୍ଥୋପାର୍ଜନର କ୍ଷେତ୍ରକୁ ଆପଣା ଲାଗି ନିର୍ବାଚିତ କରିନେଇଚି । ଛାତ୍ରମାନେ ପରୀକ୍ଷାରେ ଭଲ କରି ପାସ୍ କରିଗଲେ ମଧ୍ୟ ଶିକ୍ଷକ ହିସାବରେ ମୋ’ର କାର୍ଯ୍ୟ ସେତିକିରେ ଆଦୌ ଯଥେଷ୍ଟ ହୋଇ ଯିବନାହିଁ । ମୋ’ର ଛାତ୍ରମାନେ ପରୀକ୍ଷାରେ ଅବଶ୍ୟ ପାସ୍ କରିବେ, ଏହା ମୋ’ର କର୍ତ୍ତବ୍ୟପୂରଣର ନିମ୍ନତମ ପ୍ରମାଣ ହୋଇରହିବ । ମୋ’ର ଗ୍ରନ୍ଥମାନେ ପଢ଼ିବା ପ୍ରତି ଅର୍ଥାତ୍ ଶିଖିବା ପ୍ରତି ଅଧିକ ଆଗ୍ରହ ରଖିବେ, ଜୀବନ ବିଷୟରେ ସେମାନଙ୍କର ଅଧିକ ଆଗ୍ରହ ଓ ଜିଜ୍ଞାସା ରହିବ, ମୋ’ର ସହଯୋଗ ପାଇ ସେମାନେ ସଂସାରରେ ପ୍ରଧାନତଃ ଏକ ସହଯୋଗୀ ମନୋବୃତ୍ତି ନେଇ ପ୍ରବେଶ କରିବେ,ଏହି ସଂସାରର ନାନା ପ୍ରତିକୂଳ ପ୍ରବାହ ସତ୍ତ୍ୱେ ସେମାନେ ତଥାପି ସକଳ ଶକ୍ତି ସହିତ ନିଜ ବାଟରେ ଯିବାକୁ ହିଁ ସାର୍ଥକ ଜୀବନ ବୋଲି ଗ୍ରହଣ କରିବେ, ସଂସାରର ପ୍ରବାହ ଉପରକୁ କେବଳ ଆଉଜି ପଡ଼ିବେ ନାହିଁ, —ଏସବୁ ହେବାରେ ମଧ୍ୟ ଶିକ୍ଷକର ଦାୟିତ୍ଵ ରହିଛି । ଜୀବନରେ ମୁଁ ଆପଣା ଲାଗି ଠିକ୍ ଏହିସବୁ ଚାହେ । ମୋ’ଠାରୁ ଅଧିକ ତରୁଣ ଛାତ୍ରମାନଙ୍କର ମେଳରେ ମୁଁ ଜୀବନର ଏହି ଉଦ୍ୟମଗୁଡ଼ିକୁ ଜାରି ରଖିବା ଲାଗି ପ୍ରେରଣା ପାଉଥିବି ବୋଲି ମୁଁ ଶିକ୍ଷକ ହୋଇଚି ।

 

୦୪ । ୦୩ । ୬୬

 

ସମାବର୍ତ୍ତନ ଉତ୍ସବରେ ତୈତ୍ତିରୀୟ ଉପନିଷଦରୁ ସଂସ୍କୃତ ଶ୍ଳୋକ ପଢ଼ା ଯାଉଚି; କିନ୍ତୁ ତାକୁ କେହି ସତରେ ବୁଝୁଚନ୍ତି କି ନାହିଁ, ଉତ୍ସବମୋହର ଉତ୍ସାହରେ ସେକଥା ହୁଏତ କେହି ଭାବୁନାହାନ୍ତି । କଥୋଲିକ୍ ରାଜମାନଙ୍କରେ ଠିକ୍ ଏହିପରି ଧର୍ମୋପାସନା ହୁଏ । ଜରିବସ୍ତ୍ରରେ ସଜ୍ଜିତ ପାଦ୍ରୀ ଲାଟିନ୍ ଭାଷାରେ ଯାହାସବୁ ଗାଆନ୍ତି ବା ଆବୃତ୍ତି କରନ୍ତି, ସମବେତ ଉପାସକମଣ୍ଡଳୀ ସେସବୁର ରାମ ବିଷ୍ଣୁ କିଛି ବୁଝେନାହିଁ । ଅଥଚ ସମସ୍ତେ ଭକ୍ତିରେ ଗଦ୍‍ଗଦ୍‍ ହୋଇ ରହିଥାନ୍ତି । ଗାଆଁରେ ହୋମ, ବିବାହ ବା ଉପନୟନ ହେଲାବେଳେ ବ୍ରାହ୍ମଣ ପୂଜକ ମନ୍ତ୍ର ଘୋଷିଯାଆନ୍ତି । ଭକ୍ତମାନଙ୍କ କଥା ତ ଦୂରକୁ ଥାଉ, ପୂଜାପାଠ କରୁଥିବା ବ୍ରାହ୍ମଣ ହୁଏତ ସ୍ଵୟଂ ତାହା ବୁଝି ପାରନ୍ତିନାହିଁ । ଏଥିରେ ଭକ୍ତି ସମ୍ଭବ ହୁଏ, ଅବଶ୍ୟ ଜ୍ଞାନହୀନ ହୋଇଥିବାରୁ ସେହି ଭକ୍ତି କେବଳ ଆତୁର ସ୍ତରରେ ହିଁ ସୀମାବଦ୍ଧ ହୋଇ ରହିଯାଏ । ସମାବର୍ତ୍ତନରେ ଯେଉଁସବୁ ଶ୍ଳୋକର ଆବୃତ୍ତି କରାଯାଉଚି, ସେଗୁଡ଼ିକର ହିନ୍ଦୀ ଅନୁବାଦ କହି ଦିଆ ଯାଉଥିଲେ କେଡ଼େ ସୁବିଧା ହେଉନଥାନ୍ତା । ହୁଏତ ସବୁ ମଣିଷ ତାହାକୁ ଶୁଣି ତାହାକୁ ହେଜିବାର ଅବସ୍ଥାରେ ନଥାନ୍ତେ । କିନ୍ତୁ ଅନ୍ତତଃ କାନ ଥିବା ଲୋକ କେତେଜଣ ତ ଶୁଣନ୍ତେ, ହେଜନ୍ତେ; —ହୁଏତ ସେହିମାନଙ୍କର ଅନ୍ତର ଭିତରେ ଗୋଟାଏ ଦୁଇଟା ବିଚାର ବା ବାଣୀ ସ୍ଥାୟୀ ହୋଇ ରହିଯାଆନ୍ତା । ସମାବର୍ତ୍ତନର ଉତ୍ସବ ପ୍ରକୃତରେ ସାର୍ଥକ ହୁଅନ୍ତା ।

 

୦୫ । ୦୩ । ୬୬

 

କାଲି ପିଲାମାନେ N.C.C.ର ପୋଷାକପତ୍ର ଦାୟିତ୍ଵରେ ଥିବା ଅଫିସରଙ୍କ ପାଖରେ ପୋଷାକ ଜମା ଦେଉଥିଲେ । ସେହି ବାଟେ ଆସିଲା ବେଳେ ହଠାତ୍ ମୋ’ ଆଖିରେ ଯେଉଁ ଦୃଶ୍ୟଟି ପଡ଼ିଗଲା, ସେଥିରେ ମୋତେ ଭାରି ଖଟକା ଲାଗିଲା । ମନଟା ମଧ୍ୟ ଭାରି ଖରାପ ହୋଇଗଲା । ଛାତ୍ରାବାସର ଗୋଟିଏ ପିଲା ଛାତ୍ରାବାସରେ ଚାକର ହୋଇ ରହିଥିବା ଗୋଟିଏ ସାନପିଲା ହାତରେ ଆପଣାର ପୋଷାକପତ୍ର ବୋହିକରି ଜମା ଦେବାକୁ ଆସିଚି । ଏହିସବୁ ସରଞ୍ଜାମର ଓଜନ ମୋଟରେ ପାଞ୍ଚକିଲୋରୁ କଦାପି ଅଧିକ ହେବନାହିଁ । ଭାରି ଜିନିଷ ବୋଲି ଯେ ଛାତ୍ରଜଣକ ସେତିକି ଆଣି ପାରିଲାନାହିଁ ତା’ ନୁହେଁ, ଆପଣା ହାତରେ ବୋହି କରି ଆଣିଲେ ଆପଣାର କଳ୍ପିତ ସମ୍ମାନରେ ବାଧିବ ବୋଲି ସେ ଏପରି କରିଥିଲା । ଯେଉଁ ସାନପିଲା ଜିନିଷ ମୁଣ୍ଡାଇ ଆସିଥିଲା, ଆଉ କୌଣସି ସଭ୍ୟ ଦେଶ ହୋଇଥିଲେ ସେ ନିଶ୍ଚୟ ପାଠ ପଢ଼ୁଥାନ୍ତା । କିନ୍ତୁ ଆମର ଅଶିକ୍ଷିତ ଦେଶରେ ପାଠ ପଢ଼ୁଥିବା ବାବୁଙ୍କର ଲାଜ ଲୁଚାଇବା ଲାଗି ଯେ ସେ ଏପରି ସାଧନରୂପେ ବ୍ୟବହୃତ ହୋଇଚି, ତାହା ହିଁ ମୋତେ ଦୁଃଖ ଦେଲା । N.C.C. କହିଲେ ସାଧାରଣତଃ ଯେଉଁପରି ଜୀବନ ଲାଗି ପ୍ରସ୍ତୁତ ହେବାକୁ ବୁଝାଏ, ଆମର ଛାତ୍ରମାନେ କେତେଦୂର ସେହି ଜୀବନଲାଗି ପ୍ରସ୍ତୁତ ହେଉଚନ୍ତି, ଏପରି ପ୍ରସ୍ତୁତ ହେବାଲାଗି ସେମାନଙ୍କୁ ସୁଯୋଗ ବା କିଏ ଦେଉଚି ? ସବୁଠାରୁ ରାଗ ଲାଗିଲା ଯେ, ଅଫିସର ମଧ୍ୟ ଏହିପରି ଏକ ପ୍ରହସନରେ କିଛି ନିନ୍ଦନୀୟ ରହିଚି ବୋଲି ଅନୁଭବ କରି ପାରିଲେନାହିଁ । ସେ କୌଣସି ପ୍ରକାର ଦଂଶନ ଅନୁଭବ ନକରି ଗ୍ରନ୍ଥର ଉପସ୍ଥିତିରେ ଚାକର ପିଲାଟି ପାଖରୁ ପୋଷାକପତ୍ର ଗ୍ରହଣ କଲେ । ଏଣିକି ମଣିଷର ଅପମାନରେ ଆଉ ଆମ କାହାରିକୁ ଲାଜ ମାଡ଼ୁ ନାହିଁ, ତେଣୁ ନିର୍ମଳ ଅନ୍ତସ୍କରଣରେ ଏସବୁ କରିବା ସମ୍ଭବ ହେଉଚି ।

 

୦୬ । ୦୩ । ୬୬

 

ଆଜି ମନେ ହେଉଚି, ଯେପରି ଏଠାରୁ ମନ ଛାଡ଼ି ଛାଡ଼ି ଯିବାରେ ଲାଗିଚି । ଏଠାରେ ମନ ଲାଗୁନାହିଁ, ଏହି ଦେଶରେ ମନ ଲାଗୁନାହିଁ ବେଳେବେଳେ ହିଁ ନାସ୍ତିମୂଳକ ଦୃଷ୍ଟିଟା ଅଧିକ ହିଂସ୍ର ହୋଇ ଏହି ସଂସାରରୁ ମଧ୍ୟ ମନକୁ ଚଢ଼ାଇ ନେଇଯାଉଚି । ମୁଁ ଜାଣେ, ଏହି ମନୋଭାବ ମୋ’ର ସବୁବେଳେ ରହିବନାହିଁ । ପୁଣି ମନ ଲାଗିବ, କ୍ଷେତ୍ର ପ୍ରତି ପୁଣି ଶ୍ରଦ୍ଧା ଉପୁଜିବ, ପୁଣି ମୁଁ ନାନା ଡୋରରେ ନାନା ମଣିଷ ପାଖରେ ଓ ନାନା ଥାନାରେ ବାନ୍ଧି ହୋଇ ରହିବି । କିନ୍ତୁ ଏହି ଅସନ୍ତୋଷଟା ଯେ ଏକ ପ୍ରକୃତ ଅସନ୍ତୋଷ, ଏ କଥାରେ କୌଣସି ସନ୍ଦେହ ନାହିଁ । ସନ୍ତୋଷ ପାଇବାଲାଗି ଖୁବ୍ ବେଶୀ କାରଣ ମଧ୍ୟ ମୁଁ କେଉଁଠି ଦେଖି ପାରୁନାହିଁ । ସମସ୍ତେ ଜୁଆର ଆସିବାକୁ ଅପେକ୍ଷା କରି ରହିଚନ୍ତି, ବୋଲି କହୁଚନ୍ତି, ସମସ୍ତେ ପରିବର୍ତ୍ତନ ଚାହୁଚନ୍ତି, ବୋଲି କହୁଚନ୍ତି, କିନ୍ତୁ ଏଣେ ସମସ୍ତେ ପୁରୁଣାଗୁଡ଼ାକୁ କାମୁଡ଼ି ପଡ଼ିଚନ୍ତି । ତେବେ ନୂଆ ଆସିବ ଆଉ କେଉଁ ବାଟରେ ? ମୁଁ ଯଦି ନିଜେ ବଦଳିଯିବାକୁ ନ ଚାହିବି, ତେବେ ଶିକ୍ଷାର ପରିବର୍ତ୍ତନରେ ମୁଁ ସହଯୋଗ କରୁଚି ବୋଲି କିପରି କୁହାଯାଇ ପାରିବ ? ପ୍ରଧାନତଃ ବାବୁମାନଙ୍କର ଏକ ଅଳସୁଆ ବାତାବରଣରେ ଛନ୍ଦି ହୋଇ ରହି ମୁଁ ନିଜେ ମଧ୍ୟ ଯେପରି ଆପଣା ଉପରୁ ବିଶ୍ଵାସ ହରାଇ, ପରିବର୍ତ୍ତନ ଉପରୁ ବିଶ୍ଵାସ ହରାଇ, ଯାହା ଯେପରି ଅଛି ଠିକ୍ ସେହିପରି ରହିବାଟା ସବୁଠାରୁ ଅଧିକ ନିରାପଦ ବୋଲି କହିବାର ଆତ୍ମଚକ୍ରାନ୍ତରେ ଯେପରି ଦିନକୁ ଦିନ ଅଧିକ ପଡ଼ିଯାଉଚି ।

 

୦୭ । ୦୩ । ୬୬

 

ମୁଁ ଭଲକରି ଅନୁଭବ କରୁଚି ଯେ, ମୋ’ର ଏହ ଛାଡ଼ିଯିବାର ଅସନ୍ତୋଷ ମଧ୍ୟରେ କାହାରି ପ୍ରତି ଘୃଣା ନାହିଁ । ହୁଏତ ଏହି ଛାଡ଼ିଯିବାକୁ ମଧ୍ୟ ପ୍ରକୃତରେ ଛାଡ଼ିଯିବା ବୋଲି କୁହାଯାଇ ପାରିବନାହିଁ । ମୁଁ ଆହୁରି ନିବିଡ଼ ଓ ସାର୍ଥକ ଭାବରେ ମିଳିକରି ରହିବାକୁ ଚାହୁଚି, ସେଥିଲାଗି ମୋତେ ବର୍ତ୍ତମାନର ସ୍ଥିତି ଆଦୌ ଭଲ ଲାଗୁନାହିଁ । ଆପଣାର ଜୀବନକୁ ସାର୍ଥକ ଓ ପରିପୂର୍ଣ୍ଣ କରିବାକୁ ହେଲେ ମଣିଷ ଆପଣା ସମାଜ ପାଖରୁ ଆହୁରି ଅନେକ ଚାହେ । ନେବାକୁ ଚାହେ ନାହିଁ, ଦେବାକୁ ଚାହେ । ଦେଇ କରି, ସମର୍ପଣର ନାନା ପ୍ରଶସ୍ତ ମୁହୂର୍ତ୍ତ ସୃଷ୍ଟି କରି ସେ ପରିପୂର୍ଣ୍ଣ ହେବାକୁ ଚାହେ । ଶିକ୍ଷକ ହିସାବରେ ମୁଁ ଆହୁରି ଦେବାକୁ ଚାହେ । ଏହି ଯୁଗର ଜଣେ ଜାଗ୍ରତ ମଣିଷ ହିସାବରେ ମୁଁ ଅଧିକ ପରିପୂର୍ଣ୍ଣ ଭାବରେ ଅର୍ଥାତ୍ ଏକ ବିଶ୍ଵତୋମୁଖ ଭୂମି ଉପରେ ମୋ’ର ସାମାଜିକ ଜୀବନକୁ ବଞ୍ଚିବାକୁ ଚାହେ । ସେହି ଅବସର ମୁଁ ଏଠାରେ ପାଇ ପାରୁନାହିଁ । ସେହି ଅବସର ଲାଗି ହିଁ ମୁଁ ବ୍ୟାକୁଳ ହୋଇ ରହିଚି । ମୁଁ ଭାବିଥିଲି, ରାଜନୀତିକ ସ୍ଵାଧୀନତା ପରେ ଏହି ଦେଶରେ ଏପରି ଅବସର ମୋତେ ପ୍ରଶସ୍ତ ମିଳିବ । କିନ୍ତୁ ଆଜି ଭାବୁଚି, ଜୀବନ ବଞ୍ଚିବାର ବା ଆପଣାକୁ ଦେବାର ଅସଲ ବେଳ ଯେତେବେଳେ ଆସିଲା, ସେତେବେଳେ ଏପରି ଷଡ଼ଯନ୍ତ୍ର କଲାପରି ସମସ୍ତେ ଯାଇ ଶୋଇ ପଡ଼ିଲେ କାହିଁକି ?

 

୦୮ । ୦୩ । ୬୬

 

ରୁଟିନଲୋଭୀ ମନ କହୁଚି, ଶୋଇବାକୁ ଯିବା ପୂର୍ବରୁ ଆଜିକାର ଥାନଟି ଭରିବାକୁ ହିଁ ପଡ଼ିବ । ଆଜି ସକାଳେ ମୁଁ ଡାଏରୀ ଲେଖିବାର ସୁଯୋଗ ପାଇ ନଥିଲି । ଦିନଯାକ ନାନା କାର୍ଯ୍ୟର ବ୍ୟସ୍ତତାରେ ଅତିବାହିତ ହୋଇଯାଇଚି । ତଥାପି, ଭଗବାନଙ୍କର ନାମ ନେଇ ଶୋଇବାକୁ ଯିବା ପୂର୍ବରୁ ଦିନ ଲିପିଟି ଲେଖିକରି ଯିବାକୁ ହିଁ ପଡ଼ିବ । ନହେଲେ ଯେପରି ଆଜି ଦିନଟି ମୋ’ର ପରିପୂର୍ଣ୍ଣ ହେବାପରି ଲାଗିବନାହିଁ । ଯେଉଁ ଭ୍ରାତା ତାର ସ୍ଵାମୀକୁ ଭଲପାଏ, ଆପଣା ରାଜିରେ ଯିଏ ସ୍ଵାମୀକୁ ସବୁ କାମଗୁଡ଼ିକୁ ସମ୍ପୂର୍ଣ୍ଣ କରି ତା’ପରେ ବିଶ୍ରାମ ନେବାକୁ ଚାହେ, ତାର ଆଗ୍ରହକୁ ଖାଲି ରୁଟିନ୍‍ର ଆଗ୍ରହ ବୋଲି କୁହାଯିବ କାହିଁକି ? ରୁଟିନ୍ ଓ ମଣିଷକୁ ମେସିନ୍ କରି ପକାଏ । ରୁଟିନ୍ ଭିତରେ ଯେତେ ପରୋକ୍ଷ ଭାବରେ ହେଲେ ମଧ୍ୟ ଏକପ୍ରକାରର ବାଧ୍ୟବାଧକତା ମଧ୍ୟ ରହିଥାଏ । କିନ୍ତୁ, ଯେଉଁ କାମଟି ସାରି ପାରିଲେ ଦିନଟି ପରିପୂର୍ଣ୍ଣ ହେଲାପରି ଲାଗେ, ହୃଦୟ ଏତେ ହାଲୁକା ଲାଗେ, ହୃଦୟର ହାତ କାହାର ଚରଣସ୍ପର୍ଶ କରି ଆସିବାପରି ମନେହୁଏ, ତାକୁ ମୁଁ ରୁଟିନ୍ ବୋଲି କହିବି ନାହିଁ । ଜୀବନର ପରିକ୍ରମା ପୂର୍ଣ୍ଣ କରିବାକୁ ମୁଁ ଏହାକୁ ଏକ ଆବଶ୍ୟକତା ବୋଲି କହିବି ।

 

୦୯ । ୦୩ । ୬୬

 

କେତେବେଳେ ମୁଁ ଏହାକୁ ଫେରିଆସିବା ବୋଲି କହେ, ପୁଣି କେତେବେଳେ ନୂତନ ହେବ ବୋଲି ମଧ୍ୟ କହେ । ଯେତେବେଳେ ଯେଉଁ ନାମ ଦେଇ ମୁଁ ଏହାର ଅନୁଭବ କରେ ପଛକେ, ମୁଁ ଭଲ କରି ଜାଣେ, ସେହି ଏକ ପ୍ରକ୍ରିୟା ହିଁ ମୋ’ ଭିତରେ କାର୍ଯ୍ୟ କରୁଥାଏ । ଆପଣା ଜୀବନର ସ୍ଵାଭାବିକ ବିକାଶ ରୀତିରେ ଖୁସୀ ହୋଇ ଜୀବନ ବଞ୍ଚିବା, ଅର୍ଥାତ୍ ପ୍ରତ୍ୟେକ ମୁହୂର୍ତ୍ତରେ ନୂତନ ହେଉଥିବାର ଅନୁଭବ କରିବା,—ଏହାକୁ ଯିଏ ଯେପରି ନାମ ଦେଇ ବୁଝୁ ପଛକେ, ସେଥିରେ କିଛି ଯାଏ ଆସେ ନାହିଁ । ଅନେକ ସମୟରେ ମୁଁ ଡାଳିଛିଣ୍ଡା ହେଲାପରି କେତେ କୁଆଡ଼େ ଉଡ଼ି ବୁଲୁଥାଏ, କେତେ ଥାନାରେ ଆଶ୍ରୟ ଛୁଇଁ ପାରିବାଲାଗି ବଡ଼ ବ୍ୟାକୁଳ ହୋଇ ଧାଉଁଥାଏ । କେତେ ଆତୁର ହୁଏ, କେତେ ମ୍ରିୟମାଣ ହୁଏ । କେତେ ଦେବାକୁ ଚାହୁଥାଏ, ଦେଇ ପାରେନାହିଁ । କେତେ କଥା ହେବାକୁ ଚାହୁଁଥାଏ, ହୋଇ ପାରେ ନାହିଁ । ନାନା ଜାଗାରେ ଆଘାତ ପାଇ ଶେଷକୁ ହଠାତ୍ ବାହାରୁ ସବୁ ହିସାବନିକାଶ କରି ଆସିବା ପରି ଆପଣା ଭିତରେ ରାସ୍ତା ପାଇଯାଏ, ଆପଣା ଭିତରେ ରହିଥିବା ଅସଲ ମୁଁ’ ର ସହଯୋଗ ପାଏ । ସେତେବେଳେ ଏହି ମୁଁ ବଡ଼ ସ୍ଵାଭାବିକ ଭାବରେ ହାତ ଧରି କେଉଁ ପରମ ସଖା ପରି ବାଟକୁ ନେଇଆସେ, କେଉଁ ଜନନୀ ପରି କେଡ଼େ ସ୍ନେହରେ ପୁଣି ଘର ଭିତରକୁ ଡାକିଆଣେ । ଫେରି ଆସିବାର ଅର୍ଥାତ୍ ବାଟ ପାଇବାର ପୁଲକରେ ସେତେବେଳେ ଆପଣା ବିଷୟରେ ସବୁ ହୀନତା ଭୁଲି ହୋଇଯାଏ । ସତେଅବା କେଉଁ ନୂଆ ବାଟରେ ପାଦ ପଡ଼ିଗଲା ପରି ଲାଗେ । ସେତେବେଳେ ସଂସାରର ସମସ୍ତଙ୍କୁ ଛୁଇଁ ଆସିଲା ପରି ମନେହୁଏ । କେଉଁଠୁ ହେଲେ ଅସ୍ଵୀକାର କିମ୍ବା ହତାଦର ପାଇ ଫେରି ଆସିବାକୁ ପଡ଼େ ନାହିଁ । ଜୀବନରେ ବୈଚିତ୍ର୍ୟ ଆସେ ହୁଏତ ଏକ ନୂଆ ଅଧ୍ୟାୟ ଆରମ୍ଭ ହୁଏ ।

 

୧୦ । ୦୩ । ୬୬

 

ଶାନ୍ତିନିକେତନ ମୁଁ ଅନେକ ସମୟରେ ଆପଣା ଜୀବନର ନୀତି ବୋଲି ଅନୁଭବ କରି ଆସିଚି । ପୃଥିବୀରେ ଯେତେ ଅବସରରେ ମୁଁ ଯେତେ ଯୁଆଡ଼େ ଯାଇଚି, ଏହି ନୀଡ଼କୁ ମୁଁ ହୃଦୟ ଭିତରେ ରଖି ଯାଇଚି ବୋଲି ମୋ’ର ମନେ ହୋଇଚି । ଭଲ ମନ୍ଦ ବାଛିବାକୁ ସମୟ ନାହିଁ । ବିଦେଶର ଭଲ ମନ୍ଦ ବଛାଯାଏ, ଆପଣା ନୀଡ଼ର ଭଲମନ୍ଦ ବାଛିବା ଅର୍ଥ ଆପଣାର ଜୀବନକୁ ହିଁ ଅସ୍ଵୀକାର କରିବା, ଆପଣାର ପୁତ୍ରତ୍ଵକୁ ହିଁ ଅସ୍ଵୀକାର କରିବା । ତଥାପି ମୁଁ ଆଜି ଭାବୁଚି, ଶାନ୍ତିନିକେତନକୁ ଆପଣାର ନୀଡ଼ କରି ଗ୍ରହଣ କରିଥିବାରୁ ମୋ’ର ଜୀବନ ଅନେକ ସହଜ ଓ ସ୍ଵାଭାବିକ ହୋଇପାରିଚି । ପୃଥିବୀରେ କୌଣସି ମଣିଷ ପରି ବୋଲି ମନେ ହୋଇନାହାନ୍ତି । ସଂଶୟ, ଅବିଶ୍ଵାସ ଓ ଏକାକିତ୍ଵର କେତେ ଯୁକ୍ତି ଓ କେତେ ପ୍ରରୋଚନା ସତ୍ତ୍ୱେ ତଥାପି ମଣିଷ ଉପରେ ବିଶ୍ଵାସ ରହିଚି, ମଣିଷ ଭିତରେ ରହିଥିବା ଭଲ ଉପରେ ବିଶ୍ଵାସ ରହିଚି, ଆପଣା ଭିତରର ଭଲ ଅର୍ଥାତ୍ ମଣିଷଟା ଉପରେ ବିଶ୍ଵାସ କରି ରହିବାକୁ ହିଁ ପ୍ରବୃତ୍ତି ହୋଇଚି । ଭଲ ମନ୍ଦ ଓଜନ କରି କେଉଁଟା ବେଶୀ ଓ କେଉଁଟା କମ୍ ହିସାବ ନେଇ ତା’ପରେ ଯାଇ ଭଲକୁ ହିଁ ସାର ବୋଲି ମାନିବାର ପଦ୍ଧତି ଆଡ଼କୁ ମୋ’ର ମନ ଯାଇନାହିଁ ଆପଣାର ସହସ୍ର ମଳିନତା ସତ୍ତ୍ୱେ ତଥାପି ଭଲଟା ଉପରେ ଅଧିକ ଭରସା ରଖିବାକୁ ମୋ’ର ମନ ବଳିଚି । ଏହାକୁ ମୁଁ ଶାନ୍ତିନିକେତନ ରୂପୀ ନୀଡ଼ର କରାମତି ବୋଲି କହିବି, ଶାନ୍ତିନିକେତନର ଦୃଷ୍ଟି ବୋଲି କହିବି ।

 

୧୧ । ୦୩ । ୬୬

 

ପଞ୍ଜାବୀମାନେ ପଞ୍ଜାବୀ ସୁବା ପାଇଲେ । ସୁବା ନେଇକରି ସେମାନେ ଏ ଦେଶରୁ କୁଆଡ଼େ ପଳାଇ ଯିବେନାହିଁ । ଏହି ଦେଶରେ ହିଁ ରହିବେ । ଆପଣା ଭାଷା ଜରିଆରେ ସେମାନଙ୍କର ସଂସ୍କୃତି ଓ ସଂହତି ବଢ଼ିବ, ପାରସ୍ପରିକତା ମଧ୍ୟ ବଢ଼ିବ । ଭାଷା ଓ ସଂସ୍କୃତି ଯେଉଁଠି ଜୀବନର ଚରମମୂଲ୍ୟ ଗୁଡ଼ିକ ସହିତ ଖାପଖାଇ ଚାଲିଥାଏ, ସେ ପର୍ଯ୍ୟନ୍ତ ତଦ୍ଦ୍ଵାରା ଆମର ବ୍ୟକ୍ତିଗତ ଜୀବନଧାରା କୌଣସି ପ୍ରକାରେ ବ୍ୟାହତ ହୋଇ ପଡ଼ିବାର ଆଶଙ୍କା ନଥାଏ, କିନ୍ତୁ, ଯେଉଁଠି ରାଜନୀତି ଆସି ସଂସ୍କୃତି, ଭାଷା ଓ ଧର୍ମକୁ ବିକୃତି କରିବାକୁ ବସେ, ଏହି ସବୁର ନାମରେ ମଣିଷକୁ ନିଶା ଖୁଆଇବାକୁ ଚେଷ୍ଟା କରେ, ସେଠି ରାଜନୀତିର ଧୂର୍ତ୍ତତାଗୁଡ଼ାକ ହିଁ କେତେ ଭାଷା, ଧର୍ମ, ଓ ସଂସ୍କୃତିର ହାନି ହୁଏ । ମୁଁ ତ କହିବି, ଆମର ସମଗ୍ର ଜୀବନ ଓ ସଂସ୍କୃତିର କୌଣସି ପ୍ରକାର ବିକୃତି ଆସି ପହଞ୍ଚିଲେ ରାଜନୀତି ଆସି ଏସବୁକୁ ଆପଣାର ଫାଇଦା ଲାଗି ବ୍ୟବହାର କରିବା ଅତ୍ୟନ୍ତ ସହଜ ହୋଇଯାଏ । ମୁଁ କହେ, ମଣିଷ ଆପଣାର ଭାଷା, ଆପଣାର ଧର୍ମ ଓ ଆପଣାର ସଂସ୍କୃତିକୁ ପରିପୂର୍ଣ୍ଣ ଭାବରେ ବଞ୍ଚିବା ଲାଗି ସବୁପ୍ରକାର ସୁବିଧା ପାଉ । କିନ୍ତୁ ରାଜନୀତିର ହାତରେ ଏସବୁକୁ ସମର୍ପି ଦେଇ ସେ ସାମାଜିକ ବାତାବରଣରେ ବିଷ ବୋଳାଇ ନଦେଉ । ଏବେ ଭାଷା, ଧର୍ମ ଓ ସଂସ୍କୃତି ମାନରେ କୋଳାହଳଗୁଡ଼ାକୁ ହିଁ ଅଧିକ ଭୋଗିବାକୁ ମିଳୁଚି । ଏସବୁର ସାର୍ଥକ ପ୍ରତିନିଧି କ୍ରମେ ଆମ ଦେଶରେ ବିରଳ ହୋଇପଡ଼ୁଥିଲା ପରି ମନେ ହେଉଚି । ରାଜନୀତିକ ନେତାମାନେ ଭାଷା, ସଂସ୍କୃତି ଓ ଧର୍ମର ନେତା ବୋଲି ସ୍ଵୀକାର ପାଉଚନ୍ତି ।

 

୧୨ । ୦୩ । ୬୬

 

ଏ ଦେଶରେ ଧର୍ମ ବଢ଼ୁ, ଧର୍ମବଳ ବଢ଼ୁ । ଧର୍ମ ପଥରେ ଜୀବନକୁ ଜୁଆର ରଖିଲେ ସାଂସାରିକ କ୍ଷେତ୍ରରେ ଯେଉଁ ଅପାର ଶକ୍ତି ଉତ୍ପନ୍ନ ହୋଇଥାଏ, ସେହି ଶକ୍ତି ଜାତୀୟ ଜୀବନର ନାନା ନିର୍ମାଣ ସ୍ଵପ୍ନକୁ ଶକ୍ତିମାନ୍ କରି ରଖୁ । କିନ୍ତୁ ଧର୍ମ ଯେପରି କୌଣସି ପ୍ରକାରେ ରାଜନୀତିକ ଧୂର୍ତ୍ତତା ବା ରାଜନୀତିକ ଜିଦ୍‌ର ଖେଳନା ହୋଇନପଡ଼ୁ । ଆମ ଦେଶରେ ଏବେ ଅଧିକାଂଶତଃ ତାହାହିଁ ହେଉଚି । ମୁଁ ଭାବେ ଯେ, ରାଜନୀତିରେ ପ୍ରଭାବ ପକାଇବା ଅପେକ୍ଷା, ଅର୍ଥାତ୍ ଅମୁକ ରାଜ୍ୟକୁ ଭାଙ୍ଗି ଅମୁକ ରାଜ୍ୟକୁ ଗଢ଼ିବା ଲାଗି ଜିଦ୍‍ କରି ବସିବା ଅପେକ୍ଷା ଧର୍ମ ଲାଗି ଏ ଦେଶରେ ଅନେକ ଅଧିକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ରହିଚି । ଧର୍ମ ଲାଗି ଏ ଦେଶର ଜୀବନରେ ଆପଣାକୁ ପ୍ରତିଷ୍ଠିତ କରିବାର କାର୍ଯ୍ୟ ଦାବି ରହିଚି । ଏ ଦେଶର ପାରସ୍ପରିକ ଜୀବନକୁ ଅଧିକ ମାନବିକ ଓ ତେଣୁ ଅଧିକ ଶ୍ରୀମନ୍ତ କରିବାର କାର୍ଯ୍ୟ ମଧ୍ୟ ବାକି ରହିଚି । ଆଦର୍ଶ ହିନ୍ଦୁଧର୍ମ କେବଳ ହିନ୍ଦୁଗଣର ପରିଧି ଭିତରେ ଆପଣାକୁ ସୀମାବଦ୍ଧ ରଖି ଏ ଯୁଗରେ ଧର୍ମ ହିସାବରେ ତିଷ୍ଠି ରହିପାରିବନାହିଁ । ଆଦର୍ଶ ଇସଲାମ କେବଳ ମୁସଲମାନମାନଙ୍କୁ ଅଧିକ ଅନ୍ଧ କରି ରଖି ଧର୍ମ ହିସାବରେ ବଞ୍ଚି ରହିପାରିବନାହିଁ । ଆଦର୍ଶ ଶିଖ ଧର୍ମ କେବଳ ଶିଖମାନଙ୍କୁ ସଂସାରରେ ସକଳ ସଭାରୁ ବିଚ୍ଛିନ୍ନ ଓ ଉତ୍ତେଜିତ କରି ରଖି ଶିଖ୍‍ଧର୍ମରେ ଉଦୟ କରି ପାରିବ ନାହିଁ । ସେମାନେ ରାଜନୀତିରେ ଛନ୍ଦିହୋଇ ବିପଦ ଭିଆଇବେ ନାହିଁ, ମଣିଷର କଲ୍ୟାଣ ଲାଗି ଏକତ୍ର ମିଳିତ ହେବେ-

 

୧୩ । ୦୩ । ୬୬

 

ମୁଁ ମଣିଷର ଶତ୍ରୁ ହେବି ନାହିଁ, ଅଥଚ ମୋତେ ଅନ୍ୟାୟ, ଅସତ୍ୟ ଓ ଆଳସ୍ୟ ବିରୁଦ୍ଧରେ ମନଖୋଲି ମୋ’ର ବିରୋଧ ଓ ପ୍ରତିବାଦ ଜଣାଇବାକୁ ହିଁ ପଡ଼ିବ । କୌଣସି ମଣିଷକୁ ତୁଷ୍ଟ କରି ରଖିବି ବା କୌଣସି ମଣିଷର ପ୍ରିୟ ହୋଇ ରହିବି ବୋଲି ମୁଁ ଯଦି ଅନ୍ୟାୟକୁ ଅନ୍ୟାୟ ବୋଲି କହିବାକୁ ଆଳସ୍ୟକୁ ଆଳସ୍ୟ ବୋଲି କହିବାକୁ ସଙ୍କୋଚ କରିବି, ତେବେ ମୁଁ ଆପଣା ପ୍ରତି ଓ ସମଗ୍ରତଃ ଜୀବନ ପ୍ରତି ବଡ଼ ଅନ୍ୟାୟ କରିବି । ଯେତେବେଳେ ମୋତେ ନିଜକୁ ହିଁ ଆଳସ୍ୟ ଘୋଟିଯିବ ଏବଂ ଆପଣାର ଜୀବନାବିଷ୍କାର ପଥରେ ଯିବାଲାଗି ମୁଁ କୌଣସି ପ୍ରକାରେ କୁଣ୍ଠିତ ହୋଇପଡ଼ିବି, ହୁଏତ ସେତିକିବେଳେ ଏହିପରି ଏକ ସଙ୍କୋଚ ମୋତେ ସ୍ଵାଭାବିକ ବୋଲି ମନେ ହେବ । କୌଣସି କ୍ଷେତ୍ର ପ୍ରତି ମୋ’ର କୌଣସି ବିରୋଧ ନାହିଁ, ଆମେ ମଣିଷମାନେ ପ୍ରସ୍ତୁତ ହେଲେ ହୁଏତ ଯେକୌଣସି କ୍ଷେତ୍ରରେ ମଧ୍ୟ ମଣିଷ ପରି ବଞ୍ଚିବା ଲାଗି ଓ ମଣିଷ ପରି ଆପଣାର କର୍ତ୍ତବ୍ୟ କରିବା ଲାଗି ଆମେ ପର୍ଯ୍ୟାୟ ଅବସର ଅବଶ୍ୟ ସୃଷ୍ଟି କରି ପାରିବା । କିନ୍ତୁ ଯେତେବେଳେ ଆମେ ନିଜେ ପ୍ରସ୍ତୁତ ହୋଇ ରହି ନଥିବୁ ଓ ନାନାପ୍ରକାର ଅଶକ୍ତତାର ଛଳନା କରି ସମୟ ଟାଳିବାରେ ଲାଗିଥିବୁ, ସେତେବେଳେ ବଡ଼ କୋଠାଘର, ବେଶୀ ପଇସା ଓ ଅବ୍ୟାହତ ବାବୁଗିରି ଦେଖି ମୁଁ ତାହାକୁ ହିଁ ଶିକ୍ଷା ଓ ସମାଜ ନିର୍ମାଣର ସବୁକଥା ବୋଲି କହିପାରିବି କିପରି ? ଯଦି ମୁଁ ଏ ସଂସାରରେ ମୂଳତଃ ଆପଣାକୁ ନିଃସହାୟ ବୋଲି ମାନି ନେଉଥାନ୍ତି ଓ ଆପଣାର ସୁଖକୁ ନିରାପଦ ରଖିବାକୁ ହିଁ ଏକମାତ୍ର ସମ୍ଭାବନା ବୋଲି ଧରି ନେଉଥାଆନ୍ତି, ତେବେ ଯାହା ଯେଉଁଠି ରହିଚି, ତାହା ସେହିପରି ରହିଥାଉ ବୋଲି ହୁଏତ ମୁଁ ସୁପାରିଶ କରୁଥାନ୍ତି । କିନ୍ତୁ ମୁଁ ତ ଭାବୁଚି, ଆମେ ଇଚ୍ଛା କଲେ ଅନେକ କିଛି ସମ୍ଭବ କରିପାରିବା ।

 

୧୪ । ୦୩ । ୬୬

 

ଦିଆସିଲି ମୁଠା ଉପରେ ଦାମ୍ ଛଅ ପଇସା ବୋଲି ଲେଖାଯାଇଚି, କିନ୍ତୁ କିଣିଲାବେଳକୁ ଆଠ ପଇସା ଦେବାକୁ ପଡ଼ୁଚି । ଏହା ଗୁପ୍ତ ଭାବରେ ହେଉନାହିଁ । ବିକିଲା ଲୋକେ ଆଠପଇସା ମାଗୁଚନ୍ତି, ଖାଉଟିମାନେ ମଧ୍ୟ କୌଣସି ଆପତ୍ତି ନକରି ଆଠ ପଇସା ବଢ଼ାଇ ଦେଉଚନ୍ତି । ବଜାରରେ ଯେଉଁଠାକୁ ଯିବ, ସେଠି ମଧ୍ୟ ଆଠ ପଇସା ଦେବାକୁ ପଡ଼ିବ । ତେଣୁ ହୁଏତ ବାଧ୍ୟ ହୋଇ ଖାଉଟିମାନେ ଅଧିକା ଦୁଇ ପଇସା ଦେଉଚନ୍ତି । ତେବେ, ଛଅପଇସା ଜାଗାରେ ସେ ଆଠ ପଇସା ଦେବାକୁ ପଡ଼ୁଚି, ଏହାକୁ ଆମେ କ’ଣ ବିକିବା ବାଲାଙ୍କର ସଙ୍ଗଠନ ଜୋର୍ ବୋଲି କହିବା ? ଦୁଇଟା ପଇସା ଦେବାଲାଗି ହୁଏତ ଆମ ଭିତରୁ ଅନେକଙ୍କୁ ଆଦୌ ବାଧୁନାହିଁ । ଯେଉଁମାନଙ୍କୁ ବାଧିବା ଉଚିତ, ହୁଏତ ସେମାନେ ଆଠପଇସା ଦେବାରେ ଅଭ୍ୟସ୍ତ ହୋଇଗଲେଣି ଓ ପ୍ରକାରାନ୍ତରେ ତାହାକୁ ହିଁ ଉଚିତ ଦାମ୍ ବୋଲି ମାନି ନେଲେଣି । କିନ୍ତୁ ଏହାରି ପଛରେ ଆମର ସ୍ଵଭାବ ଆମର ନାଗରିକତା ଓ ଆମର ଶାସନ ବିଷୟରେ ଏକ ହୀନ ପରିଚୟ ମିଳି ଯାଉନାହିଁ କି ? ସରକାର, ଏପରିକି କୌଣସି ସହରର ସ୍ଥାନୀୟ ସରକାର ପ୍ରକୃତରେ ଇଚ୍ଛା କରୁଥିଲେ ଏହି ଆଚରଣକୁ ବନ୍ଦ କରି ପାରୁଥାନ୍ତେ କି ନାହିଁ, ମୁଁ ସେକଥା ଜାଣିନାହିଁ, କିନ୍ତୁ ସରକାର କେତେ କ୍ଷେତ୍ରରେ ଏହି ଇଚ୍ଛା କରୁଚନ୍ତି ଓ ସେହି ଇଚ୍ଛା ଅନୁସାରେ ଚେଷ୍ଟା ମଧ୍ୟ କରୁଚନ୍ତି ? ସରକାର ଏସବୁ ଦାୟିତ୍ଵ ପ୍ରତି ଉଦାସ ରହିବା ଦ୍ଵାରା ଲୋକମାନେ ମଧ୍ୟ ଏ ଦେଶରେ ସରକାର କହିଲେ କ’ଣ ବୁଝିବାକୁ ଆରମ୍ଭ କରୁଚନ୍ତି ? କୌଣସି ମନ୍ତ୍ରୀଙ୍କର ଏକଥା ବୁଝିବାକୁ କ’ଣ ପ୍ରକୃତରେ ବେଳ ନାହିଁ ?

 

୧୫ । ୦୩ । ୬୬

 

ସରକାରଙ୍କ ତରଫରୁ ଆମର ଅନୁଷ୍ଠାନକୁ ବିଶ୍ଵବିଦ୍ୟାଳୟରେ ରୂପାନ୍ତରିତ କରି ଦିଆଯିବ । କିନ୍ତୁ ଆମେ ଯଦି ନିଜେ ଶିକ୍ଷକ ନ ହୋଇଥିବୁ ବା ଶିକ୍ଷାରେ ଆଗ୍ରହ ନରଖୁଥିବୁ, ତେବେ ଆମଦ୍ଵାରା କେଉଁ କ୍ଷେତ୍ରରେ ରୂପାନ୍ତର ସମ୍ଭବ ହୋଇପାରିବ ? ଗତ ଦଶ ପନ୍ଦର ବର୍ଷ ଭିତରେ ଦେଶରେ କେତେ ବିଶ୍ଵବିଦ୍ୟାଳୟ ତିଆରି ହୋଇଚି, କିନ୍ତୁ ସେହି ବିଶ୍ଵ ବିଦ୍ୟାଳୟରେ ଆସନ ମାଡ଼ି ବସିଥିବା ଶାସକ ଓ ଶିକ୍ଷକ ସମସ୍ତେ କହୁଚନ୍ତି ଯେ, ଶିକ୍ଷାରେ ଏ ପର୍ଯ୍ୟନ୍ତ କୌଣସି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ହୋଇପାରିନାହିଁ । ଆମ ଦେଶରେ ବିଶ୍ଵବିଦ୍ୟାଳୟକୁ ଶିକ୍ଷାଗତ ଅନେକ ସ୍ଵତନ୍ତ୍ର୍ୟ ଦିଆଯାଇଚି । ତେବେ ବିଶ୍ଵବିଦ୍ୟାଳୟ ଦ୍ଵାରା ଆବଶ୍ୟକ ଓ ଅଭିଳଷିତ ପରିବର୍ତ୍ତନମାନ ସମ୍ଭବ ନହେଉଚି କାହିଁକି ? କାରଣ ହେଉଚି, ଏମାନଙ୍କ ଭିତରୁ ଅର୍ଥାତ୍ ବିଶ୍ଵବିଦ୍ୟାଳୟର ଡିହ ମାଡ଼ି ବସିଥିବା ଲୋକମାନଙ୍କ ଭିତରୁ ଅନେକେ ହୁଏତ ମୂଳତଃ ଶିକ୍ଷାରେ କୌଣସି ଆଗ୍ରହ ରଖନ୍ତିନାହିଁ । ଆପଣା ଲାଗି ଅଧିକ ସମ୍ମାନ ଓ ଅଧିକ କ୍ଷମତା ଲାଗି ସେମାନେ ଅଧିକ ଆଗ୍ରହ ରଖିଥାଆନ୍ତି । ପ୍ରତ୍ୟେକ ରାଜ୍ୟରେ ଅନ୍ତତଃ ଗୋଟାଏ କି ଦୁଇଟା ବିଶ୍ଵବିଦ୍ୟାଳୟ ବସୁ ବୋଲି ଚିତ୍କାର କଲାବେଳେ ଏମାନେ ପ୍ରଧାନତଃ ଆପଣା ସମ୍ମାନ ଓ କ୍ଷମତାର ଘିଅଠେକି ଉପରେ ନଜର ରଖିଥାଆନ୍ତି । ଏମାନେ କର୍ତ୍ତୃତ୍ଵ ବିସ୍ତାର କରି ରହିଥିବା ପର୍ଯ୍ୟନ୍ତ ଏ ଦେଶର ଶିକ୍ଷାରେ କି ପରିବର୍ତ୍ତନ ହୋଇପାରିବ ? ଏମାନଙ୍କର ଆପଣ ଲାଭ ଦୃଷ୍ଟିରୁ ଏମାନେ କାହିଁକି କି ପରିବର୍ତ୍ତନ ଚାହିଁବେ ? ବିଶ୍ଵବିଦ୍ୟାଳୟ ରୂପୀ ଚାହାଳୀରେ ଏମାନେ ଛାଟଧରି ଅବଧାନ ହୋଇ ବସି ନରହିବେ କାହିଁକି ?

 

୧୬ । ୦୩ । ୬୬

 

ସଜାଇ କରି ଆମେ ଏଡ଼େ ସୁନ୍ଦର ଭାବରେ ସବୁକଥା କହି ପାରୁଚୁ । ଯେଉଁଠି ଦୁଇପଦ କହିବା କଥା, ସେଠି ଆମେ ଦଶପଦ କହି ସାରିବା ପରେ ମଧ୍ୟ ତଥାପି ଆହୁରି କହିବାକୁ ଇଚ୍ଛା କରୁଚୁ । କିନ୍ତୁ କୌଣସି କାର୍ଯ୍ୟକୁ ସୁନ୍ଦର କରି କରିବାକୁ ଗଲାବେଳକୁ ଆମର ସକଳ ଉତ୍ସାହ ଏପରି ଶୁଖିଯାଉଚି କାହିଁକି ? ସେତେବେଳେ ଆମେ ଆଉ କାହା ଉପରେ ଯାବତୀୟ ଦୋଷ ଲଦି ଦେଇ ନିଶ୍ଚିନ୍ତ ହୋଇ ବସିଯିବାକୁ ଭଲ ପାଉଚୁ କିପରି ? ମୁଁ ଭାବେ, ମଣିଷକୁ ଆମ ଜୀବନଦୃଷ୍ଟିର କେନ୍ଦ୍ର, କରିପାରି ନଥିବାରୁ ବୋଧହୁଏ ଏପରି ହେଉଚି । ଆମେ ଅର୍ଥ ଚାହୁଚୁ, ନାମ ଚାହୁଚୁ, ଖ୍ୟାତି ଚାହୁଚୁ, କ୍ଷମତା ଚାହୁଚୁ । ଏପରିକି ମୋକ୍ଷ ମଧ୍ୟ ଚାହୁଚୁ, କିନ୍ତୁ ମଣିଷର ବୃଦ୍ଧି ଚାହୁନାହୁଁ । ଆମେ ପ୍ରତ୍ୟେକେ ଆପଣା ଭିତରେ ରହିଥିବା ମଣିଷର ଯଥାର୍ଥ ପରିଚୟ ପାଇ ପାରିନାହୁଁ ବୋଲି ଏପରି ହେଉଚି । ସଭାସମିତିରେ କେତେ କଥା କୁହାଯାଏ, କେତେକେତେ କଥାରେ ସମ୍ମିଳିତ ହେବାର ଅବସର ଗୁଡ଼ାକୁ ମୋଟା କରି ଦିଆଯାଏ, ଅପର କାହାକୁ ସ୍ଵର୍ଗକୁ ଟେକିଦେଇ ତାହାରି ଦ୍ଵାରା ଏକପ୍ରକାର ଆତ୍ମଗୌରବ ଓ ଆତ୍ମପ୍ରସନ୍ନତା ଲାଭ କରିବା ଲାଗି କେତେ ଚେଷ୍ଟା କରାଯାଏ । କିନ୍ତୁ ଏହି ଦରକାରି ଶ୍ରମରେ ଯେପରି ମଣିଷ ବିଦାୟ ହୋଇଯାଏ । ଅନ୍ୟାନ୍ୟ ନାନା ବିକୃତ ଲାଳସାର ଉଗ୍ର କୁଢ଼ ଭିତରେ ଭିତରର ମଣିଷ ସତେଅବା କେଉଁ ତଳେ ପୋତି ହୋଇପଡ଼େ ।

 

୧୭ । ୦୩ । ୬୬

 

ଭାରତବର୍ଷରେ ଏତେକଥା ହେବାର ଥିଲା, କିନ୍ତୁ ଗତ ଅଠର ବରଷ ଭିତରେ ତାହା ହୋଇ ପାରିଲାନାହିଁ । ଏକଥା ଶୁଣି, ପଢ଼ି, ଜାଣି, କିଏ, କେଉଁଠି ଖୁସୀ ଅନୁଭବ କରୁଥିବ କେଜାଣି, ମୁଁ କାହିଁକି ଭାରି ଦବି ଦବି ଯାଏ । ଆପଣାର ସାମନାକୁ ଆସି ଆପଣା କର୍ତ୍ତବ୍ୟର ଜବାବଦେହୀ ହୋଇ ପାରେନାହିଁ ବୋଲି ମନେ ହୁଏ । ଏ ଦେଶ ମୋ’ର ଦେଶ, ଏଠାରେ ମୋ’ର ମଧ୍ୟ ଅନେକ କିଛି କରିବାକୁ ରହିଥିଲା । ଦେଶ ନାମରେ ନିଶା ଖାଇ ବସିବାକୁ ନୁହେଁ, ଦେଶର ସବୁ ମଣିଷ ଯେପରି ମଣିଷ ଭାବରେ ବଞ୍ଚିବାର ସୁଯୋଗ ପାଇବେ, ସେ ବିଷୟରେ ମୋ’ର ଅନେକ କର୍ତ୍ତବ୍ୟ କରିବାର ଥିଲା । ଆମ ସମସ୍ତଙ୍କର ଏ ବିଷୟରେ ଅନେକ କର୍ତ୍ତବ୍ୟ କରିବାକୁ ରହିଚି । ମୁଁ ଶିକ୍ଷକ, ପିଲାଙ୍କୁ ପଢ଼ାଉଥିବା ବେଳେ ମଧ୍ୟ ମୁଁ ଏହି ଗୁରୁଦାୟିତ୍ଵର ଯଥେଷ୍ଟ ସଚେତନତା ଜାଗୃତ କରାଇ ପାରୁଥିଲେ ହୁଏତ ମୁଁ ଯଥେଷ୍ଟ ପରିମାଣରେ ମୋ’ର କର୍ତ୍ତବ୍ୟ କରି ପାରୁଥାନ୍ତି । କ୍ଲାସ୍‍ ଘରେ ମଧ୍ୟ ସମାଜ ପରିବର୍ତ୍ତନର, ମଣିଷକୁ ଅର୍ଥାତ୍ ଆପଣାର ଭାଗ୍ୟକୁ ସୁନ୍ଦର ଓ ଯୋଗ୍ୟ କରି ଗଢ଼ିବାର ଉପାୟ ବିଷୟରେ ପ୍ରେରଣା ଓ ମାର୍ଗ ଦୃଷ୍ଟିର ବିନିମୟ ହୋଇପାରନ୍ତା । ଆଉ କିଛି ନହେଲେ ମଧ୍ୟ ଶିକ୍ଷକ ଓ ଛାତ୍ର ଆମେ ସମସ୍ତେ ଏହି ଦେଶରେ ଓ ଏହି ଯୁଗରେ ଜଣେ ଜଣେ ମଣିଷ ହିସାବରେ ଆମ ନିଜ ନିଜର କର୍ତ୍ତବ୍ୟ ବିଷୟରେ ଯଥେଷ୍ଟ ଭାବରେ ସଚେତ ହୋଇପାରନ୍ତୁ । ଦେଶର ନେତାମାନେ ଠିକ୍ ନେତୃତ୍ଵ ଦେଇ ପାରୁନାହାନ୍ତି ବା ଦେଇ ପାରିନାହାନ୍ତି ବୋଲି ଦେଶର ଦଶା ଏପରି ହୋଇଚି, ଏକଥା ନିରାଟ ସତକଥା । କିନ୍ତୁ, ନେତାମାନଙ୍କର ଅଯୋଗ୍ୟତାରେ ଖୁସୀ ହେବାର ମୋଟା ଚମଡ଼ା ନେଇ ମୁଁ ସଂସାରରେ ଜନ୍ମ ନେଇନାହିଁ । ଏପରି ଅନୁଭବ କରି ପାରିବାକୁ ହେଲେ ଯେତିକି ବହିଃସ୍ଥ ଓ ତଟସ୍ଥ ହୋଇ ରହିପାରିବା ଉଚିତ, ସେତେଦୂର ତଟସ୍ଥ ହେବାର ଶକ୍ତି ଓ ଅନୁଦାରତା ମଧ୍ୟ ମୋ’ ଭିତରେ ନାହିଁ । ମୁଁ ଏପରି ହେବାକୁ ସ୍ଵାଭାବିକ ମଣିଷରୀତି ବୋଲି ବିଚାର ପାରେନାହିଁ । ତେଣୁ ସମସ୍ୟାଗୁଡ଼ାକୁ ମୁଁ ଆପଣା ଉପରକୁ ଟାଣିଆଣେ ।

 

୧୮ । ୦୩ । ୬୬

 

ସମସ୍ୟାଗୁଡ଼ାକୁ ମୁଁ ଆପଣା ଉପରକୁ ଟାଣିଆଣେ, ତେଣୁ ସମସ୍ୟାଗୁଡ଼ାକୁ ପାଖରୁ ପଳାଇଯିବାର ଦୁର୍ଭାଗ୍ୟ ମୋ’ର କେବେ ହୁଏନାହିଁ । ଏହି ସମସ୍ୟାଗୁଡ଼ାକୁ ମୁଁ ମୋ’ର ଲାଜ ବୋଲି ଗ୍ରହଣ କରେ, ତେଣୁ ଏଗୁଡ଼ିକୁ ଅସ୍ଵୀକାର କରି ମୁଁ ଆଉ କେଉଁ ଦେଶର କଳ୍ପିତ ସ୍ଵର୍ଗରାଜ୍ୟକୁ ଅଙ୍ଗୁଳି ଦେଖାଇ ଆପଣା ଦେଶର ନିନ୍ଦା କରିବାରେ ଆଦୌ ଆନନ୍ଦ ପାଏ ନାହିଁ । ହଁ ଦୁଃଖ ଲାଗେ, କାରଣ ଆମେ ଏତେବର୍ଷ ହେଲା ଏହିସବୁ ସମସ୍ୟାକୁ ସହି ସହି ଆସିଚୁ ଓ ଅନେକ ସମୟରେ ଏଗୁଡ଼ାକ ଆମର ଦେହସୁହା ହୋଇ ଗଲାଣି ଓ ତେଣୁ ଏସବୁ ଆମ ସହିତ ଅନେକ ଦିନ ପର୍ଯ୍ୟନ୍ତ ଘର କରି ରହିବେ ବୋଲି ମାନି ମଧ୍ୟ ନେଉଚୁ, —ଏହିପରି ମନୋବୃତ୍ତିକୁ ମୁଁ ଆଦୌ ସହ୍ୟ ବା ହଜମ କରି ପାରେନାହିଁ । ଏଦେଶରେ ଏପର୍ଯ୍ୟନ୍ତ ଯେ ମଣିଷକୁ ସବୁ ଜାତୀୟ ଉଦ୍ଦେଶ୍ୟ ଓ ଉଦ୍ୟମର ଉଚ୍ଚତମ ସିଂହାସନରେ ବସା ହୋଇନାହିଁ, ଏଥିରେ ମୁଁ ଦାୟୀ; କାରଣ ମୁଁ ଓ ମୋ’ରି ଭଳି ଅନେକ ମଣିଷ ଆପଣାକୁ ମଣିଷ ହିସାବରେ ଯଥେଷ୍ଟ ସମ୍ମାନିତ ବୋଲି ଅନୁଭବ କରିନାହୁଁ । ତେଣୁ ଅନ୍ୟ ମଣିଷଙ୍କୁ ମଧ୍ୟ ମଣିଷର ସମାନ ଦେବାଲାଗି ଓ ସେଥିଲାଗି ଏକ ଅନୁକୂଳ ସାମାଜିକ କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ଆମେ ଆମର ପ୍ରଧାନ କର୍ତ୍ତବ୍ୟ ବୋଲି ଗ୍ରହଣ କରିନାହୁଁ । ଫଳରେ, ନାନା ସମାରୋହରେ ଏ ଦେଶରେ ଆତ୍ମସ୍ଫୀତିତ ନାନା ବିପଣି ଚାଲିଚି, ମାତ୍ର ଆମ ସମସ୍ତଙ୍କ ଭିତରେ ମଣିଷ ପଛରେ ପଡ଼ି ରହିଚି, ଆମେ ତାକୁ ଅସ୍ଵୀକୃତ କରି ରଖିଚୁ ।

 

୧୯ । ୦୩ । ୬୬

 

ପଞ୍ଜାବୀ ସୁବା ଲାଗି ସରକାର ରାଜି ହୋଇନଥିଲେ ଯେତିକି ଦଙ୍ଗା ହୋଇଥାନ୍ତା, ପଞ୍ଜାବୀ ସୁବା ଲାଗି ରାଜି ହେବାରେ ମଧ୍ୟ ବର୍ତ୍ତମାନ ପ୍ରାୟ ସେହି ପରିମାଣରେ ଦଙ୍ଗା ହେଉଚି । ଦଙ୍ଗା କରି ଜନମତ ପ୍ରମାଣ କରିବାର ଏହି ଦେଶରେ କେଉଁଟା ଉଚିତ ବା କେଉଁଟା ଅନୁଚିତ, ସେକଥା ବିଚାର କରିବାକୁ ବେଳ କାହିଁ ? ଆମ କଥା ମାନ, ନାହିଁ ତ ଆମେ ନିଆଁ ଲଗାଇବାକୁ ବାହାରିଲେ, —ଏହିପରି ଏକ ନୀତି ଉପରେ ଆମ ଜାତୀୟ ଜୀବନର ଅନେକ ମୂର୍ଖତା ତିଷ୍ଟି ରହିଚି । ଏହିପରି ନୀତିକୁ ହିଁ ସରକାର ମାନିବେ, ଅର୍ଥାତ୍ ନିଆଁ ଲଗାଇବାର ନୀତି ନେଇ ବାହାରିଲେ ଯାଇ ସରକାର ଡରିକରି ମୁଣ୍ଡ ନୂଆଁଇବେ, —ଏ ଦେଶରେ ଅନେକ ତଥାକଥିତ ଶିକ୍ଷିତ ଲୋକ ଏପରି ବିଶ୍ଵାସ ମଧ୍ୟ କରିଥାନ୍ତି ଏବଂ ସେହି କାରଣରୁ ଦେଶରେ ଏପରି ନୀତିମାନ ଅନୁସୃତ ହେବାରେ ନେତୃତ୍ଵ ମଧ୍ୟ ଦେଇଥାନ୍ତି । ଏମାନେ ପାଠ ପଢ଼ିଛନ୍ତି, ସମ୍ବିଧାନ ବିଷୟରେ ଏମାନଙ୍କର ଜ୍ଞାନ ରହିଚି, ସମାଜକୁ ଅଧିକ ସୁନ୍ଦର କରି ଗଢ଼ିବାର ଉତ୍ସାହ ନେଇ ଏମାନେ ବିପ୍ଳବୀ ହୋଇ ବାହାରିଚନ୍ତି । ତଥାପି, ମଣିଷର ଅନ୍ତର ଭିତରେ ନିଆଁ ନଲଗାଇ ଗାଡ଼ି ମଟର ଓ ଦୋକାନ ବଜାରରେ ନିଆଁ ଲଗାଇ ଦେବାକୁ ଏମାନେ ବିପ୍ଳବର ଟାଣ ପଥ ବୋଲି ବିଚାରୁଛନ୍ତି । ଦେଶରେ ଏପରି ଅବସ୍ଥା ସୃଷ୍ଟି କରିବାରେ ବା ଏହି ନୀତି ସମ୍ବନ୍ଧରେ ଆମର ଆସ୍ଥା ବଢ଼ାଇବାରେ ସରକାରଙ୍କର ବି ଦାନ ରହିଚି । କାରଣ, ସରକାର ଭିତରେ ମଧ୍ୟ ତ ଏହି ଦେଶରେ ରାଜନୀତିକ ଲୋକେ ରହିଚନ୍ତି ! ତଥାପି କ’ଣ ଆମେ ଏହାକୁ ଠିକ୍ ବୋଲି କହିବା ?

 

୨୦ । ୦୩ । ୬୬

 

ସକାଳ ହେବା ଆଗରୁ ହିଁ ପୂର୍ବଦିଗର ଝରକାକୁ ଖୋଲି ରଖିବାକୁ ହୁଏ । ହୃଦୟର କୁହା ମାନୁଥିବା ଯାଏ ଏହି ସକାଳ ହେବା ଏହି ଝରକା ଖୋଲିଦେଇ ଅପେକ୍ଷା କରିବା ଅତ୍ୟାବଶ୍ୟକ ହୋଇପଡ଼େ । ସେଥିଲାଗି ବର୍ତ୍ତମାନ ଯେତେବେଳେ ବତୀ ଜଳାଇଦେଇ ଖାତା ଖୋଲି ମୋ’ର ବନ୍ଦ ଘରେ ମୁଁ ଲେଖି ବସିଲି, ହଠାତ୍ ମୋତେ ଭାରି ଅମୁହାଁ ଲାଗିଲା । କାହାର ଇଙ୍ଗିତକୁ ବୁଝି ପାରିଲା ପରି ମୁଁ ଯାଇ ପୂର୍ବଦିଗର ଝରକାଟି ଖୋଲିଦେଲି । ଏପର୍ଯ୍ୟନ୍ତ ଅନ୍ଧାର ରହିଚି । ତଥାପି ପୂର୍ବଦିଗଟି ଉପରେ ଉକୁଟି ରହିଥିବା ଗୋଟିଏ ଅପୂର୍ବ ପ୍ରସନ୍ନତା ଆଗାମୀ ଦିନଟି ବିଷୟରେ ସତେ ଅବା ଅଟଳ ନିର୍ଭର ହୋଇଯାଉଚି, ଆଗାମୀ ଅନେକ ସକାଳ ବିଷୟରେ affirmation ଦେଇଯାଉଚି । ଏହି ସକାଳ ଜୀବନରେ ହୁଏତ ପ୍ରତ୍ୟେକଟି ଖୋଜିବା ମୁହୂର୍ତ୍ତରେ ମଧ୍ୟ ଆସିପାରିବ-। କେବଳ ବେଳ ଜାଣି ତାକୁ ଡାକିଆଣିଲା ପରି ପ୍ରଶାନ୍ତି ମନରେ ଝରକା ଖୋଲି ବସିପାରିଲେ ହେଲା । ଯେତେବେଳେ ମୁଁ ଜୀବନର କଳା ପାଖଟାକୁ ହିଁ ଦେଖି ବଡ଼ ଉଚ୍ଛନ୍ନ ହୋଇପଡ଼େ, ସେତେବେଳେ ମୋ’ର ଏହି ବିଶ୍ଵାସୀ ମନ ଯାଏ କୁଆଡ଼େ ? ଯେତେବେଳେ ମୁଁ ଆପଣା ବିରୁଦ୍ଧରେ ମଧ୍ୟ ବିଦ୍ରୋହ କରିଉଠେ, ଛାଟ ଧରି ଆପଣା ପଛରେ ଗୋଡ଼ାଏ, ସେତେବେଳେ ସଂସାରକୁ ଓ ଜୀବନକୁ ଓ ଏହି ସକାଳକୁ ଭରି ବାଟ ଚାଲିବାର ମନ କୁଆଡ଼େ ଯାଏ-? ତଥାପି ବାରବାର ମୁଁ ଏହି ସକାଳ ପାଖକୁ ଫେରିଆସେ, ତାହାହିଁ ମୋ’ର ସୌଭାଗ୍ୟ ।

 

୨୧ । ୦୩ । ୬୬

 

ବିଚ୍ ପୁରୀରେ ବିଶ୍ଵବିଦ୍ୟାଳୟ ହେବ, ଏକଥା ସରକାରୀ ଭାବରେ ସ୍ଵୀକୃତ ହୋଇଗଲା-। ବିଶ୍ଵବିଦ୍ୟାଳୟର ସ୍ଵୀକୃତି ପାଇବାର ଅର୍ଥ ଶିକ୍ଷାଦାନ ଓ ଶିକ୍ଷାଯୋଜନାରେ ସ୍ଵାଧୀନତା ପାଇବା । ସ୍ଵାଧୀନତାକୁ ମୁଁ ପ୍ରଧାନତଃ ଦାୟିତ୍ଵ ବୋଲି ବୁଝେ । ଏହି ସ୍ଵାଧୀନତା ପାଇ ଶିକ୍ଷକ ଯୋଗ୍ୟତର ଶିକ୍ଷକ ହେବାକୁ ଚେଷ୍ଟା କରିବ, ଛାତ୍ର ଯୋଗ୍ୟତାର ଛାତ୍ର ହେବାକୁ ଚେଷ୍ଟା କରିବ । ଶିକ୍ଷାଦପ୍ତରର ଶାସକ ଗ୍ରାସକ ହେବାର ଲୋଭ ନକରି ପ୍ରଧାନତଃ ଶିକ୍ଷାର ଅଗ୍ରଗତି ଲାଗି ଶାସନକୁ ଅନୁରୂପ ଭାବରେ ମୁହାଁଇ ରଖିବାକୁ ଅଧିକ ଚେଷ୍ଟା କରିବ । ଏସବୁ କଥା ଲେଖିଦେବା ଯେଡ଼େ ସହଜ, କାର୍ଯ୍ୟରେ ପରିଣତ କରିବା ଆଦୌ ସେତେ ସହଜ ନୁହେଁ । କାରଣ, ସ୍ଵାଧୀନତା କହିଲେ ଆମେ ହୁଏତ ପ୍ରଧାନତଃ ଅଧିକ ସୁଯୋଗ ଓ ସୁବିଧା ପାଇବାକୁ ବୁଝିବା, ଏପରି ଆଶଙ୍କା ବି ରହିଚି-। ଅର୍ଥାତ୍, ଏଣିକି ହୁଏତ ଦରମା ବଢ଼ିବ, କ୍ଷମତା ବଢ଼ିବ, ବାହାର ଦେଶରେ ଆଖିରେ ଆମର ସ୍ତର ଓ ସମ୍ମାନ ବଢ଼ିବ, ଏବଂ ସେଥିଲାଗି ଆମେ ଆପଣାକୁ ବଡ଼ ବୋଲି ଆଡ଼ମ୍ବର ଓ ଅଭିନୟ କରିବାର ଅଧିକ ଔପଚାରିକ ଅବସରମାନ ପାଇବା, —ଏପରି ଚିନ୍ତା କରିବା ଆଦୌ ଅସ୍ଵାଭାବିକ ନୁହେଁ-। ଏପରି ଚିନ୍ତା ମାତ୍ରକେ ହିଁ ଆମେ ଆମ ସ୍ଵାଧୀନତାର ଅପଚୟ ଓ ଅପଳାପ କରୁଚୁ ବୋଲି କହିବା ମଧ୍ୟ ଆଦୌ ଅସ୍ଵାଭାବିକ ହେବନାହିଁ । ସେପରି ହେଲେ ଏଠି ଶିକ୍ଷା ପ୍ରଧାନତମ ବେଉସା ନହୋଇ ଏଦେଶର ଅଖ୍ୟାତ ଅନେକ ବିଶ୍ଵବିଦ୍ୟାଳୟ ପରି ଆଡ଼ମ୍ବର ଓ ଦୋକାନଟା ହିଁ ପ୍ରଧାନ ହୋଇ ରହିବ । —ଏହା ଫଳରେ ଆଡ଼ମ୍ବରଲାଳସୀ କେତେଜଣଙ୍କର ଦୈନ୍ୟଗ୍ରସ୍ତ ମନ ହୁଏତ ମୋଟା ହେବାର ଅବସର ଅନେକ ପାଇବ, କିନ୍ତୁ ଶିକ୍ଷା ଆଗେଇବ ନାହିଁ । ଶିକ୍ଷାକ୍ଷେତ୍ରରେ ଆଗରୁ ରହିଥିବା କୁସଂସ୍କାର ଓ କୁରୀତିମାନ ଆମକୁ ପଛକୁ ବାନ୍ଧିରଖିବ ।

 

୨୨ । ୦୩ । ୬୬

 

ଭାରତବର୍ଷର ସମାଜରେ ଓ ଜୀବନରେ ପରିବର୍ତ୍ତନ ଆଣିବା ଯଦି ଆମର ସର୍ବପ୍ରଧାନ କାର୍ଯ୍ୟ ହୁଏ, ତେବେ ବିଶ୍ଵବିଦ୍ୟାଳୟକୁ ହିଁ ମୁଁ ଏହି ପରିବର୍ତ୍ତନର ସବୁଠାରୁ ଅଧିକ ଉପଯୁକ୍ତ Agent ବୋଲି କହିବି । କାରଣ, ଆମେ ମଣିଷ ମାରି ପରିବର୍ତ୍ତନ ଆଣିବାକୁ ଯାଉନାହୁଁ, ମଣିଷକୁ ଶାସନସତ୍ତା ଓ ଶାସ୍ତିର ଭୟ ଦେଖାଇ ଆମେ ତାକୁ ବଦଳାଇବାକୁ ଚାହୁନାହୁଁ । ଆମେ ମଣିଷର ଦୃଷ୍ଟିକୋଣରେ ପରିବର୍ତ୍ତନ କରିବାକୁ ଚାହୁଚୁ, ଅର୍ଥାତ୍ ନୂତନ ଶିକ୍ଷାଦ୍ୱାରା ଆମେ ଏଦେଶର ମାନବିକ ଓ ସାମ୍ବନ୍ଧିକ ବାତାବରଣରେ ପରିବର୍ତ୍ତନ ଆଣିବାକୁ ଚାହୁଚୁ । ରାଜନୀତିକ ସତ୍ତାଧାରୀମାନେ ଆଜି ଆମ ଦେଶରେ ସକଳ ପରିବର୍ତ୍ତନର ପୁରୋଧା ହେବାର ଆଡ଼ମ୍ବର କରୁଚନ୍ତି ସତ, ମାତ୍ର ଦୃଷ୍ଟିକୋଣରେ ପରିବର୍ତ୍ତନ କରି ଦେଶକୁ ନୂତନ ଛାଞ୍ଚରେ ଗଢ଼ିବାକୁ ହେଲେ ପ୍ରଧାନତଃ ଯେକୌଣସି ବିଶ୍ଵବିଦ୍ୟାଳୟର ହିଁ ଏହି ପରିବର୍ତ୍ତନରେ ପୁରୋଧା ହେବା ଉଚିତ । ଆମେ ଏଠାରେ ମଧ୍ୟ ଗୋଟିଏ ବିଶ୍ଵବିଦ୍ୟାଳୟର ବିକାଶ କରିବାରେ ନିମିତ୍ତ ହେବାକୁ ଯାଉଚୁ । ଏଠାରେ ଆମେ ପ୍ରଧାନତଃ କେଉଁ ଉଦ୍ଦେଶ୍ୟ ଲାଗି ଆମ ଶିକ୍ଷାର ସକଳ ଉଦ୍ୟମକୁ ନିୟନ୍ତ୍ରିତ କରିବୁ ? ସମାଜର ପରିବର୍ତ୍ତନରେ ଶିକ୍ଷାଗତ ନେତୃତ୍ଵ ଦେବା କେତେଦୂର ଆମର ଧ୍ୟେୟ ହୋଇ ରହିବ ? କିନ୍ତୁ କେବଳ ଗୋଟାଏ ବଡ଼ କଥାକୁ ଧ୍ୟେୟ କରି ମାନିଲେ ତ ଚଳିବନାହିଁ, ଆମକୁ ସେହି ଅନୁସାରେ କାର୍ଯ୍ୟ କରିବାକୁ ହେବ, ଅର୍ଥାତ୍ ସେହି ଅନୁସାରେ ଆମ ନିଜକୁ ମଧ୍ୟ ବଦଳାଇବାକୁ ହେବ । ଏହି ସମାଜ ଉପରେ ସର ପରି ଭାସିବାକୁ ନୁହେଁ, ସମାଜ ସହିତ ଏକାତ୍ମ ହେବାକୁ ପଡ଼ିବ-

 

୨୩ । ୦୩ । ୬୬

 

କାଲି ମୁଁ ଶିକ୍ଷକ ଥିଲି, ଆସନ୍ତା କାଲି ମଧ୍ୟ ଶିକ୍ଷକ ରହିବି । ଆପଣାର ଜୀବନାଗ୍ରହକୁ ଏକଠୁଳ କରି ମୁଁ କାଲି ଯେପରି ଆପଣାକୁ ଛାତ୍ର ଓ ଶିକ୍ଷକ ରୂପରେ ପ୍ରସ୍ତୁତ କରୁଥିଲି, ଆସନ୍ତା କାଲି ମଧ୍ୟ ମୁଁ ଠିକ୍ ତାହାହିଁ କରିବି । ଏହି ଦୃଷ୍ଟିରୁ ଦେଖିଲେ ବିଶ୍ଵବିଦ୍ୟାଳୟ ହୋଇଗଲା ବୋଲି ଶିକ୍ଷକ ହିସାବରେ ମୋ’ର ଜୀବନରେ ବା ମୋ’ର କର୍ତ୍ତବ୍ୟରେ ଏକ ଭୟଙ୍କର ପରିବର୍ତ୍ତନ ହୋଇଗଲା ବୋଲି ମୁଁ ଭାବି ପାରୁନାହିଁ । ହଁ, ଏକଥା ଠିକ୍ ଯେ, ଜଣେ ଆହୁରି ଭଲ ଶିକ୍ଷକ ହେବା ଲାଗି ମୋତେ ଏଣିକି ଅଧିକତର ସୁଯୋଗ ମିଳିବ, ଆପଣାକୁ ଅଧିକ ପ୍ରସ୍ତୁତ ଓ ଅଧିକ ମଣ କରିବାଲାଗି ମୋତେ ଏଣିକି ଅଧିକତର ଅବସର ମଧ୍ୟ ମିଳିବ । କିନ୍ତୁ ଏଣିକି ମୋ’ର ଅଧିକତର ପରୀକ୍ଷା ମଧ୍ୟ ହୋଇ ଚାଲିବ । ବାହାରେ ଆଉ କାହାପାଖରେ ନହେଉ ପଛକେ, ଆପଣା ପାଖରେ ଅବଶ୍ୟ ହୋଇ ଚାଲିବ ଏବଂ ଶ୍ରଦ୍ଧାର ସହିତ ଆପଣାର ବାଟରେ ଚାଲିବା ଲାଗି ମୋତେ ବାରବାର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ୁଥିବ । ତାହାକୁ ହିଁ ମୁଁ ବିଶ୍ୱବିଦ୍ୟାଳୟର ସବୁଠାରୁ ବଡ଼ ଗୌରବ ବୋଲି ବୁଝିଥାଏ । ଯେଉଁ ବିଶ୍ଵାସର ଆଧାର ଉପରେ ଶିକ୍ଷକକୁ ଶିକ୍ଷାଦାନ ଓ ଅଧ୍ୟାପନର ସ୍ଵତନ୍ତ୍ରତା ଏହାଦ୍ୱାରା ମିଳିଥାଏ, ଆପଣାର ବାସନା ବଢ଼ାଇ ସେହି ସ୍ଵାଧୀନତାର ଯୋଗ୍ୟ ହେବାକୁ ପଡ଼ିବ ଏବଂ ଏହି ଯୋଗ୍ୟ ହେବାର ଯାତ୍ରାକ୍ରମରେ ମୋତେ ଆପଣାକୁ ନୂତନ ପରିଧି ଓ ପରିସୀମା ସହିତ ଆବିଷ୍କାର କରିବାକୁ ପଡ଼ୁଥିବ । ଶିକ୍ଷକ ହିଁ ଏହି ସୌଭାଗ୍ୟ ପ୍ରାପ୍ତ ହୋଇଥାଏ । ଜୀବନକୁ ସେ କେବଳ ଅର୍ଥ ଦେଇ ଭରଣ କରେନାହିଁ, ଶ୍ରଦ୍ଧା ଦେଇ, ଅଧିକ ଯୋଗ୍ୟ ହୋଇ ଓ ନିଜକୁ ଅଧିକ ଦେଇ ସେ ଜୀବନର ଭରଣ କରିଥାଏ ।

 

୨୪ । ୦୩ । ୬୬

 

କେହି କେହି କହନ୍ତି, ବିଜ୍ଞାନ ପଢ଼ିଲେ ମଣିଷର ମାନୁଷିକତା କମିଯାଏ, ମଣିଷର ସଂବେଦନଶୀଳତା ମରିଯାଏ ଏବଂ Arts ପଢ଼ିଲେ ମଣିଷ ଆପଣାର ହୃଦ୍‌ଗତ କ୍ଷେତ୍ରରେ ମାନୁଷିକତାର ପରିଧି ଭିତରେ ରହିବାକୁ ଅଧିକ ପ୍ରେରଣା ଓ ପରିସର ପାଇଥାଏ । ବିଜ୍ଞାନକ୍ଷେତ୍ରରେ ବିଶେଷଜ୍ଞ ହୋଇ ଆମେ କ୍ରମେ ପୃଥିବୀକୁ ଧ୍ଵଂସମୁଖକୁ ନେଇଯାଉଚୁ ବୋଲି ବିରକ୍ତ ଓ ବିବ୍ରତ ହୋଇ ଏବେ ଆମେରିକାରେ କୁଆଡ଼େ ବେଶୀ ଛାତ୍ର Arts ପଢ଼ିବାକୁ ଚାହୁଚନ୍ତି । ଧର୍ମ ଉପରେ ବିରକ୍ତ ହୋଇ ଇଉରୋପର ପଣ୍ଡିତମାନେ ପ୍ରାୟ ପାଞ୍ଚଶହ ବର୍ଷ ତଳେ ବିଜ୍ଞାନ ଚର୍ଚ୍ଚାକୁ ମନ କରିଥିଲେ । ଧର୍ମକ୍ଷେତ୍ରଗତ ଅତ୍ୟାଚାର ଓ ନିର୍ମମତାର ବ୍ୟଥିତ ହୋଇ ସେମାନେ ନୈବ୍ୟକ୍ତିକ ବିଜ୍ଞାନ ଗବେଷଣାରେ ଶାନ୍ତି ପାଇବେ ବୋଲି ଆଶା କରିଥିଲେ । ସେ ଯୁଗର ଧର୍ମ ଯେପରି ପ୍ରମାଦ ହୋଇଥିଲା, ବର୍ତ୍ତମାନ ଆଧୁନିକ ପୃଥିବୀରେ ବିଜ୍ଞାନକୁ ମଧ୍ୟ ଆମେ ସେହିପରି ଏକ ପ୍ରମାଦକରି ଥୋଇ ସାରିଲୁଣି । ବିଜ୍ଞାନ ଛାଡ଼ି Artsକୁ ପଳାଇଗଲେ, Physics ଓ Chemistry ଛାଡ଼ି Economics; History ବା Sociology ପଢ଼ିଲେ କ’ଣ ଆମର ବାସନା ଓ ମତିଗତି ବଳେବଳେ ମନୁଷ୍ୟପର ଓ ଜୀବନପର ହୋଇଯିବ ? ମୁଁ ତ ଭାବେ, ମୂଳତଃ ଜୀବନ ପ୍ରତି ଶ୍ରଦ୍ଧା ଓ ମନୁଷ୍ୟ ପ୍ରତି ଶ୍ରଦ୍ଧା ରଖି Arts ବା Science ଯାହା ପଢ଼ାଇଲେ ମଧ୍ୟ ସେହି ଅଧ୍ୟାପନ ଆମକୁ ଜୀବନ ଆଡ଼କୁ ହିଁ ଆକୃଷ୍ଟ କରାଇ ଆଣିବ, ଆମର ହୃଦୟକୁ ମଧ୍ୟ ଖାଦ୍ୟ ଯୋଗାଇବ, ସଂସାରଯାକ ଡୋର ବନ୍ଧାଇ ରଖିବାରେ ପ୍ରେରଣା ହେବ, ଆମକୁ ଜୀବନ ଲାଗି ବଳିଷ୍ଠ କରିବ ।

 

୨୫ । ୦୩ । ୬୬

 

ଧର୍ମ ବା ଦର୍ଶନ ପଢ଼ାଉଥିବା ବେଳେ ମଧ୍ୟ ଛାତ୍ରର ମନକୁ ସଂସାରରୁ ଓ ଜୀବନରୁ ବିରକ୍ତ କରିଦେବାର ଅଧ୍ୟାପକ ମୁଁ ଦେଖିଚି । ସାହିତ୍ୟ ପଢ଼ାଉଥିବାର ପଣ୍ଡିତ ହୃଦୟକୁ ଆନତ କରି ଆଣିବା ପରିବର୍ତ୍ତେ ଅଧିକ ଶକ୍ତ ଓ ନିର୍ମମ କରିଦେବାରେ ସାହାଯ୍ୟ କରିଥାନ୍ତି । ତେଣୁ Arts ପଢ଼ାଇଲେ ବା ପଢ଼ିଲେ ମନ ଯେ ଆପେ ଆପେ ମଣିଷ ଆଡ଼କୁ ଅର୍ଥାତ୍ ଜୀବନ ଆଡ଼କୁ ଆକୃଷ୍ଟ ହୋଇଆସିବ, ସେପରି କୌଣସି କାରଣ ନାହିଁ । ବା, ବିଜ୍ଞାନ ପଢ଼ିଲେ ବା ପଢ଼ାଇଲେ ଯେ ଆମେ ମଣିଷ ବ୍ୟକ୍ତ ବା ତା’ର ସଂସାର ବିଷୟରେ ଅଧିକ ଉଦାସ ହୋଇପଡ଼ିବା, ସେପରି କହିବାର ମଧ୍ୟ କୌଣସି ଅର୍ଥ ନାହିଁ । ବିଜ୍ଞାନର କେତେକେତେ ସାଧନ ଯୋଗାଇଦେଇ ଗୋଟିଏ ସ୍ଥାନକୁ ଆହୁରି କେତେକେତେ ସ୍ଥାନର ନିକଟବର୍ତ୍ତୀ କରିଦେଇଚି । ଜଣେ ମଣିଷକୁ ଆହୁରି କେତେକେତେ ମଣିଷଙ୍କର ସମୀପବର୍ତ୍ତୀ କରି ଆଣିଚି । ସମସ୍ତ ପୃଥିବୀ ଯେ ଗୋଟିଏ ପରିବାର ହିସାବରେ ବିକଶିତ ହୋଇପାରିବ, ହୁଏତ ବିଜ୍ଞାନର ପ୍ରେରଣା ପାଇ ହିଁ ମନୁଷ୍ୟ ଏକଥା ଭାବି ଶିଖିଚି । ସମସ୍ତ ଜୀବନକୁ ଯେ ଆମେ ସମଗ୍ର ରୂପେ ଧାରଣା କରିପାରିବା ଓ ଏହି ସମଗ୍ରତାର ପ୍ରାପ୍ତି ଲାଗି ଜୀବନରେ ଚେଷ୍ଟା କରିପାରିବା, ମୋ ମତରେ ବିଜ୍ଞାନର ଦୃଷ୍ଟି ହିଁ ମଣିଷକୁ ଏହି ମହାନ୍ ସାହସ ଯୋଗାଇ ଦେଇଚି । ବିଜ୍ଞାନର କେତେକେତେ ପ୍ରୟୋଗଶାଳାରେ ମଣିଷର ହୃଦୟ ଲାଗି ମଧ୍ୟ କେତେକେତେ ଖାଦ୍ୟ ମିଳିଚି । ତେଣୁ Scienceର ଅଧ୍ୟୟନ କମିଯାଉଚି ବା Arts ଅଧ୍ୟୟନ ବଢ଼ୁ, ଏପରି କହିବାରେ ବେଶୀ ଲାଭ ହେବନାହିଁ । ଭାରତର ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର Arts ଡିଗ୍ରୀ ନେଇ ବାହାରୁଚନ୍ତି, ସେମାନେ ଚତୁଷ୍ପାର୍ଶ୍ଵର ସମାଜବେଷ୍ଟନୀକୁ କେତେଦୂର ମାନୁଷିକ କରିବାର ସାହାଯ୍ୟ କରୁଚନ୍ତି ବା ନ କରୁଚନ୍ତି, ସେ ବିଷୟରେ ଠିକ୍ କରି କିଛି କହିବା ସହଜ ନୁହେଁ-। ପ୍ରଧାନତଃ ଏକ ମାନୁଷିକ ଦୃଷ୍ଟି ଓ ଜୀବନବାସନା ରଖିଥିଲେ ମଣିଷ ଯାହାପଢ଼ୁ ବା ପଢ଼ାଉ ପଛକେ, ସେ ସଂସାରରେ ମଣିଷପଣିଆ ବଢ଼ାଇବ, ସଂସାରରେ ନାନା ଦହନକୁ ସେ ଶୀତଳ କରାଇବ, Arts ଓ Science ଉଭୟକୁ ସେ ଅଧିକ ମନୁଷ୍ୟୋଚିତ କରାଇ ପାରିବ ।

 

୨୬ । ୦୩ । ୬୬

 

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ —ଏହି ଦୁଇଟି କ୍ଷଣ ମୋ’ର ଜୀବନରେ ଅନେକ ଦିନ ହେଲା ଗୋଟିଏ ଗୋଟିଏ ତୀର୍ଥକ୍ଷଣ ହୋଇ ରହି ଆସିଚନ୍ତି । ସମସ୍ତେ ତୀର୍ଥ କହିଲେ ପ୍ରଧାନତଃ ତୀର୍ଥସ୍ଥାନ ବୋଲି ବୁଝନ୍ତି । ଗୋଟିଏ ଗୋଟିର ସ୍ଥାନ ଯେପରି ମଣିଷର ଚେତନାକୁ ତା’ର ଅନ୍ତରତମ ସଖ୍ୟଭୂମିକୁ ନେଇଯାଏ, ଜୀବନର ଗୋଟିଏ ଗୋଟିଏ ମୁହୂର୍ତ୍ତ ମଧ୍ୟ ଠିକ୍ ସେହିପରି ଆପଣାକୁ ଆପଣାର ଅନ୍ତରତମ ଘରେ ନେଇ ପହୁଞ୍ଚାଇ ଦେଲାପରି ମନେହୁଏ । ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ମୋ’ର ଜୀବନରେ ଠିକ୍ ସେହିପରି ଦୁଇଟି ନିତ୍ୟ ପ୍ରୟୋଜନୀୟ ମୁହୂର୍ତ୍ତ ପରି କାର୍ଯ୍ୟ କରି ଆସୁଚି । ମୋ’ର ଅନେକ ଧର୍ମଚାରଣା ସତେଅବା ଏହି ଦୁଇଟି ମୁହୂର୍ତ୍ତ ପାଖରେ ଆସି ବଡ଼ ସ୍ଵାଭାବିକ ଭାବରେ ଠୁଳ ହୋଇ ରହିଚି । ଭାରତ, ୟୁରୋପ, ସ୍ଥଳଭାଗ ଓ ସମୁଦ୍ର ମୁଁ ଯେଉଁଠି ଯେତେବେଳେ ପାରିଚି, ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୁଇକ୍ଷଣକୁ ପ୍ରାଣ ଭରି ଅନୁଭବ କରିଚି । ଏହି ଦୁଇଟି ମୁହୂର୍ତ୍ତ ମୋତେ ଅନନ୍ତ ଜୀବନ, ଅନନ୍ତ ଉଦ୍ୟମ ଓ ଅନେକ ପ୍ରେରଣାର ସ୍ପନ୍ଦନ ଦେଇ ଯାଇଚନ୍ତି । ମୋ’ର ଏହି ଧର୍ମାନୁଦୂତିକୁ ହୁଏତ ଈଶ୍ଵରବାଦୀମାନେ ଏକ ଆଦିମ ବୃତ୍ତି କହିପାରନ୍ତି । ମୂଳତଃ ଧର୍ମବୃତ୍ତିକୁ ମୁଁ ମଣିଷର ସବୁଠାରୁ ଅଧିକ ଗଭୀର, ତେଣୁ ସବୁଠାରୁ ଅଧିକ ଆଦିମ ବୃତ୍ତି ବୋଲି ମଧ୍ୟ କହିବି । ଯେତେବେଳେ ସବୁ ବୃତ୍ତିକୁ ନିର୍ଭର ଖସିଯାଏ, ଏହି ଆଦିମ ବୃତ୍ତି ହିଁ ଆମକୁ ଘର ସହିତ, ଜୀବନ ସହିତ ସୂତ୍ରବଦ୍ଧ କରାଇ ରଖେ । ଅତି ସ୍ଵାଭାବିକ ଭାବରେ ଏକଥା ହୁଏ । ଭଗବାନ ନାମରେ କୌଣସି ଖେଳନାର ଆବଶ୍ୟକତା ରହେ ନାହିଁ, ମାର୍ଗ ନାମରେ କୌଣସି ଆୟୋଜନ ବା ଅହଂକାରର ଆଡ଼ମ୍ବର ରହେ ନାହିଁ । ଘରେ ପ୍ରବେଶାଧିକାର ମିଳେ, ଘରର ଚାରିକାନ୍ଥ ଭାଙ୍ଗି ପଡ଼ିଲାପରି ଲାଗେ ।

 

୨୭ । ୦୩ । ୬୬

 

କୌଣସି ଶିକ୍ଷାନୁଷ୍ଠାନକୁ ମୁଁ ଯଦି ଭଲପାଉ ଥାଏ, ଅର୍ଥାତ୍ ମୁଁ ଯଦି ଶିକ୍ଷାକ୍ଷେତ୍ରକୁ ଭଲପାଉ ଥାଏ ଓ ଶିକ୍ଷାର ଅଭିବୃଦ୍ଧି ଲାଗି ଆପଣାର ଭାର୍ବୋତ୍ତମ ଶ୍ରଦ୍ଧା ଓ କର୍ମପ୍ରେରଣାକୁ ସମର୍ପିତ କରି ରଖିଥାଏ, ତେବେ ସେହି ଶିକ୍ଷାନୁଷ୍ଠାନକୁ ନେଇ କର୍ତ୍ତାମାନେ ଖିଆଲଖେଳ ଖେଳିବା ସମୟରେ ସେସବୁ ଅପକର୍ମ ସହିତ ଅସହଯୋଗ କରିବା ମୋ’ର କର୍ତ୍ତବ୍ୟ ହେବନାହିଁ କି ? ଶିକ୍ଷା ସହିତ ସହଯୋଗ କରିବାର ଅର୍ଥ ହେଉଚି ଯାବତୀୟ ଅଶିକ୍ଷିତ ବ୍ୟବସ୍ଥା ଓ ଅଶିକ୍ଷିତ କର୍ତ୍ତୃତ୍ଵ ସହିତ ଅସହଯୋଗ କରିବା । ନ୍ୟାୟ ଲାଗି ନିଜକୁ ସମର୍ପଣ କରିବାର ଅର୍ଥ ହେଉଚି ଅନ୍ୟାୟକୁ ଅନ୍ୟାୟ ବୋଲି କହିବା ଓ ତା’ ସହିତ ଅସହଯୋଗ କରିବା । ବର୍ତ୍ତମାନ ମୋ’ର ସମାଜରେ ଅନ୍ୟାୟର ଦୌରାତ୍ମ୍ୟରେ ନ୍ୟାୟ ଲୁଚିଗଲା ପରି ମନେ ହେଉଚି । ଅଶିକ୍ଷାର ଦୌରାତ୍ମ୍ୟରେ ଶିକ୍ଷା ବି ଲୁଚି ଗଲାପରି ଲାଗୁଚି । କେବଳ ଖଣ୍ଡେ ଚାକିରି କରି ପଡ଼ିରହିବା ଲାଗି ମୁଁ ଯଦି ଶିକ୍ଷକ ହୋଇ ଆସିଥାନ୍ତି, ତେବେ ଚୁପ୍ କରି ପଡ଼ିରହିବା ବ୍ୟତୀତ ହୁଏତ ମୋ’ର କୌଣସି ଚାରା ନଥିଲା । ଆମ ସମାଜରେ ଏପରି ଶିକ୍ଷକ ରହିଚନ୍ତି, ଯେଉଁମାନେ ନାନା ତାତ୍କାଳିକ କାରଣରୁ ସକଳ ଅସନ୍ତୋଷ ସତ୍ତ୍ୱେ ଏହିପରି ପଡ଼ି ରହିବାକୁ ହିଁ ବାଧ୍ୟ ହେଉଚନ୍ତି । କିନ୍ତୁ ମୁଁ ତ ଏପର୍ଯ୍ୟନ୍ତ ସେପରି ଭାବିବାକୁ ଆରମ୍ଭ କରିନାହିଁ । ମୁଁ ତ ଶିକ୍ଷକ ହେବାକୁ ଶ୍ରଦ୍ଧାଚରଣ-ପଥ ବୋଲି ଗ୍ରହଣ କରି ନେଇଚି । ମୁଁ କ’ଣ କରିବି ? ଅଶିକ୍ଷାକୁ ସହିଗଲେ ମୁଁ ମୋ’ ଜୀବନର ସର୍ବପ୍ରଧାନ ଅନୁରକ୍ତିକୁ ଆଘାତ ଦେବିନାହିଁ କି ?

 

୨୮ । ୦୩ । ୬୬

 

ଚୁପ୍ ରହିଲେ ଅଥଚ ଜାଗ୍ରତ ରହିଲେ ସବୁଠାରୁ ଅଧିକ କାର୍ଯ୍ୟ କରିହୁଏ । ବକରବକର ହେଉଥିଲେ ଅନେକ ଆଗ୍ରହ ଓ ଶକ୍ତିର ଅପଚୟ ହୋଇ ଗଲାପରି ମନେହୁଏ । ଅନେକ ସମୟରେ ଯାହା କହିବାକୁ ନଥାଏ, କଥା କହିବାର ଓ ଅନ୍ୟାମାନଙ୍କୁ ଆପଣାର କଥା ଶୁଣାଇବାର ଉତ୍ସାହରେ ସେହିସବୁ କଥା କହି ହୋଇଯାଏ ଓ ପରେ ଆପଣା ପାଖରେ ଆପଣାକୁ ବଡ଼ ଲାଜରା ଲାଗେ । କାରଣ, ପ୍ରକୃତରେ ମୁଁ ଯାହା ନୁହେଁ, ମୋ’ର କଥାକୁ ଅନ୍ୟମାନେ ମୋତେ ତାହାହିଁ ବୋଲି ଭାବିବାକୁ ଆରମ୍ଭ କରନ୍ତି । ଫଳରେ ଏପକ୍ଷ ବା ସେପକ୍ଷ କାହାରି ଲାଭ ହୁଏ ନାହିଁ । ଚୁପ୍ ରହିବାର ଅର୍ଥ ମୁହଁ ବନ୍ଦ କରିବାକୁ ହେବ ବୋଲି ମୁଁ କହୁନାହିଁ । କିନ୍ତୁ ମୁହଁ ଖୋଲି ଯେକୌଣସି ଅବସରରେ ଗୁଡ଼ାଏ କହିଯିବାର ଅଭ୍ୟାସ ପଡ଼ିଗଲେ ଓ ସେଇଥିରୁ ଆନନ୍ଦ ଅନୁଭବ କରିବାର ବଦଭ୍ୟାସ ଆରମ୍ଭ ହେଲେ କୌଣସି ସାର୍ଥକ Dialoque ସମ୍ଭବ ହେବନାହିଁ । ଆପଣା ସହିତ ବା ଅନ୍ୟମାନଙ୍କ ସହିତ ସମ୍ଭବ ହୋଇ ପାରିବ ନାହିଁ । ତେଣୁ ଆଗ ଅନ୍ୟର କଥା ଶୁଣିବାକୁ ଅନ୍ୟର ବିଚାର କରି ପକାଇବାକୁ ନୁହେଁ, କାନ ଡେରି ଶିଖିବାକୁ ହେବ । ଆପଣା ଭିତରେ କୌଣସି ପ୍ରକାର ପ୍ରପୀଡ଼ତତାର ଭାବ ନରଖି ବିଚାରର ସମ୍ମୁଖୀନ ହେବାକୁ ହେବ, ମଣିଷର ସମ୍ମୁଖୀନ ହେବାକୁ ହେବ, ଜୀବନରୂପୀ Dialogueର ସାମନା କରିବାକୁ ପଡ଼ିବ । ତେବେ ଯାଇ କଥାରୁ ଶକ୍ତି ମିଳିବ, ଶକ୍ତିସଂଚାର ସମ୍ଭବ ହେବ ।

 

୨୯ । ୦୩ । ୬୬

 

ଅନେକ ଦିନ ପରେ କାଲି Ortega Y Gassetଙ୍କର The Revolt of the masses ଆଲୋଚନା କରିବାର ସୁଯୋଗ ମିଳିଲା । ପ୍ରାୟ ବାର ତେର ବର୍ଷ ତଳେ ମୁଁ ସେହି ବହି ପଢ଼ିଥିଲି । ସଂସାରଟାଯାକ ଅଧିକାଂଶ ମଣିଷ mass ହେବାର ବୃତ୍ତି ଧରିଚନ୍ତି ବୋଲି ମୋ ମନରେ ଯେତେ ବିରକ୍ତି ଆସି ନଥିଲା, ଆପଣାକୁ କିଛି ସୃଷ୍ଟି କରି ପାରିବାର ଯୋଗ୍ୟ କରିବାଲାଗି ମୁଁ ତା’ଠାରୁ ଅଧିକ ପ୍ରେରଣା ପାଇଥିଲି । ସଂସାରକୁ ଭର୍ତ୍ସନା କରିବାର କୌଣସି ପ୍ରଲୋଭନ ପଡ଼ିବା ଆଗରୁ ପ୍ରଥମେ ମୁଁ ଆପଣାକୁ ଗୋରବର ଆସ୍ପଦ ବୋଲି ଅନୁଭବ କରିବାକୁ ଶିଖିଥିଲି । ମୁଁ ସମାଜଠାରୁ ଯେତିକି ଚାହିବି, ସମାଜକୁ ତା’ ଅପେକ୍ଷା ଅଧିକ ଦେବାକୁ ଚେଷ୍ଟା କରୁଥିବି, —ଜୀବନରେ ମୁଖ୍ୟତଃ ଏହିପରି ଏକ ଦୃଷ୍ଟିକୋଣ ରଖି ପାରିବାକୁ ସେହି ଦିନଠାରୁ ମୋ’ର ଉଦ୍ୟମ ହୁଏତ ଅଧିକ ନିଷ୍ଠାପର ହେବାକୁ ଆରମ୍ଭ କଲା । ମୋ’ର ଜୀବନ ପ୍ରଧାନତଃ ସମ୍ଭୋଗର କ୍ଷେତ୍ର ନୁହେଁ; ଏହା ଏକ ସାଧନାର କ୍ଷେତ୍ର । ସାଧନାଜନିତ ଆନନ୍ଦ ହେଉଚି ଜୀବନର ସର୍ବଶ୍ରେଷ୍ଠ ଆନନ୍ଦ, ମୋ’ର ଜୀବନଦୃଷ୍ଟି ଭିତରେ ଏହି ବିଶ୍ଵାସ କ୍ରମେ ଦୃଢ଼ତର ହେବାକୁ ଆରମ୍ଭ କଲା । ସେହି ଦିନଠାରୁ ମୁଁ କେତେଥର ଖସିଚି, କେତେଥର ଆତ୍ମଦ୍ରେହୀ ହେଲାପରି ଅଧବାଟରେ ବସିଯିବାର ଫିକର କରିଚି, କେତେଥର ବଣା ହୋଇଚି, କେତେଥର ଜାଣିଶୁଣି ଆପଣାକୁ ଏକାକୀ କରି ରଖି ସନ୍ତପ୍ତ ହୋଇ ପଡ଼ିଚି; ତଥାପି ଆଜି ମଧ୍ୟ ଭିତର ଆଡ଼କୁ ଅନାଇ ମୁଁ ବେଶ୍ ଅନୁଭବ କରି ପାରୁଚି ଯେ, ମୁଁ ସମ୍ଭୋଗ ଚାହେନାହିଁ, ସାଧନା ଚାହେ । ସାଧନା ଜନିତ ଆନନ୍ଦକୁ ହିଁ ଜୀବନର ସର୍ବଶ୍ରେଷ୍ଠ ଆନନ୍ଦ ବୋଲି ସବୁବେଳେ ସ୍ଵୀକାର କରେ ।

 

୩୦ । ୦୩ । ୬୬

 

ସମାଜ ଭିତରେ ମୁଁ କେବେହେଲେ ବ୍ୟବସାୟ କରିବାର ପାଞ୍ଚ କରିନାହିଁ । ସମାଜ ପାଖରେ ମୁଁ ଯାହା ଦେବି, ସେଥିଲାଗି ମୋ’ର ସମାଜ ପାଖରେ ମୁଁ କୌଣସି ଦାବୀ କରିନାହିଁ ବା ଲାଭକ୍ଷତିର ହିସାବ ଦେଖାଇ କୌଣସି ପ୍ରକାର ଆତ୍ମପ୍ରସାଦ ଅନୁଭବ ବି କରିନାହିଁ । ମୁଁ ଗୋଟାଏ ସମାଜରେ ରହିଚି, ଗୋଟାଏ ଦେଶରେ ବା ଗୋଟାଏ ପୃଥିବୀରେ ବାସ କରୁଚି; ସେଇଥିରୁ ପ୍ରେରଣା ନେଇ ମୁଁ ବଞ୍ଚୁଚି, ଅଭିଭୂତ ହେଉଚି ଉଦ୍ୟତ ହେଉଚି । ମୋ ଜୀବନରେ ଏକ ଅନ୍ତର୍ଗତ ବେଗ ଅନୁଭବ କରିପାରୁଚି । ଏବଂ ସବୁଠାରୁ ବଡ଼ କଥା ହେଉଚି ଯେ, ଏହିସବୁ କରିବାକୁ ହିଁ ମୁଁ ଜୀବନ ବୋଲି ଅନୁଭବ କରୁଚି, ଏବଂ ଏଇଥିରୁ ହିଁ ଆନନ୍ଦ ଲାଭ କରୁଚି । ତେବେ, ଆଉ ଅଧିକ ପାଇବାକୁ ବା ଲାଭ ମିଳିବାକୁ ମୁଁ ଦାବି କ’ଣ କରିବି ? ଏ ଦେଶ ମୋତେ କିଛି ଦେଇ ପାରିଲାନାହିଁ, ଏ ପୃଥିବୀ ମୋତେ କିଛି ଦେଇ ପାରିଲାନାହିଁ, ସଂସାରରେ ମୋ’ଲାଗି ସମସ୍ତେ ପ୍ରଧାନତଃ କୃତଘ୍ନ ହୋଇ ବାହାରିଲେ, —ଏପରି କହିବାର ଦୁଃସମୟ ମୋ’ର ଜୀବନରେ ଏପର୍ଯ୍ୟନ୍ତ ଆସିନାହିଁ । ମୁଁ ନିତିଦିନର ଅନେକ ସଂତାପ ଓ ଅନେକ ନୀରସତାରୁ ଆପଣାକୁ ଅତି ସହଜରେ ରକ୍ଷା କରି ଆଣିପାରିଚି । କେଉଁ ଜୀବନ—ବ୍ୟବସାୟୀ ଯଦି ମୋତେ ଏଥିଲାଗି ନିର୍ବୋଧ ବୋଲି କହେ, ତେବେ ମୁଁ କହିବି, ମୋ’ର ଏହି ନିର୍ବୋଧ ଜୀବନର ଦୃଷ୍ଟିକୋଣଟା ହିଁ ଅଧିକ ଲୋଡ଼ା । କେବଳ ଲାଭ ପାଇବାର ଆଶା ରହିଥିଲେ ଯେ ମୁଁ ହିସାବ କରି ତା’ପରେ ଜୀବନରେ ପ୍ରବୃତ୍ତ ହେବି, ସେହି ବ୍ୟାପାର ଶିଖିବା ଲାଗି ମୋ’ର କୌଣସି ପ୍ରୟୋଜନ ନାହିଁ । ସଂସାରରେ ମୁଁ କାହାରି ପାଖରେ ହାରିବାର କୌଣସି ଗ୍ଳାନି ଅନୁଭବ କରିନାହିଁ । କାଳ ପାଖରେ ହାରିନାହିଁ, ଜୀବନ ବଞ୍ଚିବାର ପ୍ରେରଣା ପାଖରେ ବି ହାରିନାହିଁ ।

 

୩୧ । ୦୩ । ୬୬

 

ଏ କାମ ତାଙ୍କର କାମ, ଏହାପରେ ଯେଉଁ ଛୁଟି ଆସିବ, ତାହା ମଧ୍ୟ ତାଙ୍କର ଛୁଟି । ଏହି କାମକୁ ଭୟ ନାହିଁ, କାରଣ ସେହି ଛୁଟି ପ୍ରତି ମଧ୍ୟ ମୋ’ର ମୋହ ନାହିଁ । ଏ କାମ ମୋତେ କାତର କରି ଦେଉନାହିଁ, ତେଣୁ ଛୁଟି ମଧ୍ୟ ମୋତେ ବାଉଳା କରି ଦେବନାହିଁ । ପରିପୂର୍ଣ୍ଣ ହୃଦୟର ସମର୍ପଣ ଦେଇ ମୁଁ ଯେପରି ଏହି କାମକୁ ଗ୍ରହଣ କରିପାରୁଚି, ପରିପୂର୍ଣ୍ଣ ହୃଦୟର ସମ୍ମତି ଦେଇ ମୁଁ ସେହିପରି ମୋ’ର ଛୁଟିକୁ ମଧ୍ୟ ଗ୍ରହଣ କରିନେବି । ଏହି କାମ ମୋତେ କୌଣସି ପ୍ରକାରେ କୌଣସି ବନ୍ଦୀଶାଳାରେ ଫାଶ ବାନ୍ଧି ରଖି ପାରୁନାହିଁ, ମୋ’ର ଛୁଟି ମଧ୍ୟ ମୋତେ କୌଣସି ପ୍ରକାରେ ଆତ୍ମବିସ୍ମୃତ କରି ପକାଇବ ନାହିଁ । କାମ ଆଉ ଛୁଟି, —ଉଭୟେ ହେଉଚନ୍ତି ମୋ’ର ଜୀବନରେ ଅତ୍ୟାବଶ୍ୟକ ଅଂଶ, ଉଭୟେ ହେଉଚନ୍ତି ମୋ’ର ଜୀବନ । କାମ ଛାଡ଼ି ମୁଁ କଦାପି ଛୁଟି ଭିତରକୁ ଦଉଡ଼ି ପଳାଇବାକୁ ଚାହିଁନାହିଁ, କାରଣ କାମକୁ ମୁଁ ଆଉ କାହାରି ଜବରଦସ୍ତି ବୋଲି ଗ୍ରହଣ କରିନାହିଁ । କୌଣସି ନୈତିକତା, କୌଣସି ଲାଭ ପାଇବାର ବା ନାମ କମାଇବାର ପ୍ରମତ୍ତତା ମୋତେ କାମ ଭିତରେ ବାନ୍ଧି ରଖି ପାରିନାହିଁ । କୌଣସି ଭଗବାନର ଆକଟ ମାନି ମଧ୍ୟ ମୁଁ କାମ ପ୍ରତି ଆକୃଷ୍ଟ ହୋଇନାହିଁ । ମୁଁ ଖୁସୀ ହୋଇ କାମ କରିଚି, ତେଣୁ ଖୁସୀ ହୋଇ ଛୁଟି ଭିତରେ ମଧ୍ୟ ଆପଣାକୁ ପ୍ରସାରିତ କରିଦେଇ ପାରିଚି । କାମର ବାଧ୍ୟତା ବା ଛୁଟିର ଅନିତ୍ୟତା ମୋତେ କେବେହେଲେ ସନ୍ତପ୍ତ କରି ପାରିନାହିଁ । ଦୁହିଁଙ୍କୁ ମୁଁ ସହଜ ଭାବରେ ଗ୍ରହଣ କରିଚି । ଜୀବନ ପ୍ରତି ମୋ’ର ବିଶ୍ଵାସ ଏହା ସମ୍ଭବ କରାଇପାରିଚି ।

 

୧ । ୦୪ । ୬୬

 

ଜୀବନରେ ମୋ’ର ଏତିକି ଦରକାର ବୋଲି କହି ମୁଁ କେବେହେଲେ କେଉଁଠି ଅଟକି ଯାଇନାହିଁ । ଏପରିକି, ଏତିକି ଲକ୍ଷ୍ୟ ହାସଲ ହୋଇଗଲେ ତେଣିକି ମୋ’ ଲାଗି ହାସଲ କରିବାକୁ ଆଉ କିଛି ରହିବ ନାହିଁ, ଏପରି ବିଚାର କରି ମୋ’ର ଲକ୍ଷ୍ୟକୁ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶର ଆୟତନରେ ବାନ୍ଧିଦେବାର ସରାଗ ମଧ୍ୟ ମୁଁ କେବେହେଲେ ଦେଖାଇନାହିଁ । ମୁଁ ଯେତିକି ଯେତିକି ଆଗକୁ ଚାଲିଚି, ମୋ’ର ଚାଲିବାର ପରିଧି ସେତିକି ସେତିକି ବଢ଼ିବାରେ ଲାଗିଚି, ମୋ’ର ସମ୍ମିଳିତ ହେବାର ଇଚ୍ଛା ସେତିକି ସେତିକି ପ୍ରସାରିତ ହେବାରେ ଲାଗିଚି । ଅଧିକ ଚାହିବା ଓ ଅଟଳ ବିଶ୍ଵାସର ସହିତ ଆପଣାର କାର୍ଯ୍ୟ କରି ଚାଲିଯିବା, ମୁଁ ଏହାକୁ ହିଁ ମୋ’ର ସକଳ ପ୍ରେରଣାର ଆଧାର ବୋଲି ମାନିନେଇଚି । କୌଣସିଥିରୁ ମୋତେ ଏତେଗୁଡ଼ାଏ ମିଳିଯିବ ବୋଲି ମୁଁ କଦାପି କାହାରି ପଛରେ ଦଉଡ଼ିବାର ପ୍ରେରଣା ପାଇନାହିଁ । ତଥାପି ମୁଁ ଭଲକରି ଜାଣେ ଯେ, ଅଧିକରୁ ଅଧିକ ହେବା, ଅଧିକରୁ ଅଧିକ ଅନୁଭବ କରିବା ଓ ଅଧିକରୁ ଅଧିକ ଖିଅ ଯୋଡ଼ିବାକୁ ହିଁ ମୁଁ ଜୀବନରୂପୀ ସାହସଯାତ୍ରାରେ ମୋ’ର ଯୋଜନାର ମୂଳସୂତ୍ର ରୂପେ ଧରି ନେଇଚି । ପ୍ରତ୍ୟେକ ସକାଳ ଓ ପ୍ରତ୍ୟେକ ସନ୍ଧ୍ୟା ମୋତେ ଏହି ବିଷୟରେ ସଚେତ କରିଦେଇ ଯାଉଚି ଓ ସତେ ଅବା ମୋତେ ପୁଣି ଦିନେ ସାନ କରିଦେଇ ଯାଉଚି । ତେଣୁ, ବୟସ ବଢ଼ୁଚି, ଶରୀର ବୁଢ଼ା ହେଉଚି, ତଥାପି ଏ ମନଟାର ମାତଲାମି ଯାଉନାହିଁ, ଏହି ହୃଦୟର ଅଭିଳାଷ ଗୁଡ଼ାକ ତାତ୍କାଳିକ କୌଣସି ଧନଲାଭରେ ଶାନ୍ତ ହେଉନାହିଁ । କେଉଁ ସ୍ଵପ୍ନ ବିହ୍ଵଳ ତରୁଣ ପରି ସେଗୁଡ଼ାକ ମୋତେ କେତେ ତରୁଣ ଆଶା ଓ ଦୁରାଶାରେ ଭରି ରଖିଚି ।

 

୨ । ୦୪ । ୬୬

 

ସେଦିନ ଆମ ଛାତ୍ରାବାସରେ ଜଣେ ଛାତ୍ର ଜଣେ ଚାକର ପିଲାକୁ ଚଟକଣାଏ ପକାଇଲା । ସ୍ଵାଧୀନତା ପାଇବାର ଅଠର ବର୍ଷ ପରେ ଯେ ଏକଥା ସମ୍ଭବ ହେଉଚି, ଏହା ଆମ ସମସ୍ତଙ୍କର ଲଜ୍ଜାର କଥା । ଆର୍ଥିକ ସ୍ଵାଧୀନତା ନଆସିବା ପର୍ଯ୍ୟନ୍ତ ଯେ ନିମ୍ନସ୍ତରରେ ପଡ଼ିଥିବା ଅଭାଗ୍ୟ ମଣିଷ ରାଜନୀତିକ ସ୍ଵାଧୀନତାରୁ ମଧ୍ୟ କୌଣସି ଉପକାର ପାଇ ପାରିବନାହିଁ, ଏହା ସେକଥାକୁ ମଧ୍ୟ ପ୍ରମାଣ କରିଦେଉଚି । ଆମ ଦେଶର ଗୋଟାଏ ଶିକ୍ଷିତ ପିଲା ଯେ ଏପରି କରିପାରୁଚି, ତାହା ଆମେ ଏଠି ଚଲାଉଥିବା ଶିକ୍ଷାରୀତିର ହିଁ ଅପବାଦ କରାଉଚି । କିନ୍ତୁ ଗୋଟାଏ କଥା ମୋତେ ଭାରି ଆଶ୍ଚର୍ଯ୍ୟ ଲାଗିଲା । ଚାକରପିଲାକୁ ମାଡ଼ ଦେଲାବେଳେ ସେଠି ଆହୁରି ଦଶକୋଡ଼ିଏ ସରିକି ପିଲା ଖାଇ ବସିଥିଲେ । ସେହି ଛାତ୍ରାବାସରେ ପ୍ରାୟ ଦୁଇଶହ ପିଲା ରହିଚନ୍ତି-। ସେମାନଙ୍କ ଭିତରୁ କେହି ଜଣେ ହେଲେ ଏହି କୁକର୍ମର ପ୍ରତିବାଦ ମଧ୍ୟ କଲେନାହିଁ । ଆଗେ ଏପରି ହେଉନଥିଲା । ଗାଆଁରେ ଏବେମଧ୍ୟ ଏକଥା ହେବନାହିଁ । ଅର୍ଥାତ୍ ଅନ୍ୟାୟ ବୋଲି କହିବାକୁ ପଚାଶ ଜଣରେ ଅନ୍ତତଃ ଜଣେହେଲେ ମଣିଷ ବାହାରିବ । ନୃଶଂସତାକୁ ନୃଶଂସତା ବୋଲି କହିବା ଲାଗି ଅନ୍ତତଃ ଜଣକର ମଣିଷ ହୃଦୟ ଉପଯୁକ୍ତ ସାହସ ନେଇ ବାହାରି ଆସିବ-। କିନ୍ତୁ ଏ ଆଧୁନିକ ଯୁଗ ଓ ଆଧୁନିକ ଶିକ୍ଷା ଆମ ଭିତରେ ରହିଥିବା ମଣିଷଟାକୁ ଯେପରି ଭାରି ଶୀତଳ କରି ପକାଉଚି । ଆମ ଭିତରେ ଥିବା ହୃଦୟକୁ ଯେପରି ବଡ଼ ସ୍ନାୟୁହୀନ କରି ପକାଉଚି-। ପରେ ପଚାରି ବୁଝିଲି, ପ୍ରତିବାଦ କରିଥିଲେ ହୁଏତ ସେମାନଙ୍କ ଉପରେ ଗାଳିମାଡ଼ ହୋଇଥାନ୍ତା-। ଏଇଥିପାଇଁ କେହି କିଛି କହିଲେ ନାହିଁ । ମଣିଷ ଯେତେବେଳେ ଏଡ଼େ ଭୀରୁ ହୋଇଯାଏ, ତେବେ ଯେକୌଣସି କ୍ଷେତ୍ରରେ ତାହାକୁ ହିଁ ସବୁଠାରୁ ବେଶୀ ଡରିବା କଥା ।

 

୩ । ୦୪ । ୬୬

 

ହଁ, ଭୀରୁ ମଣିଷକୁ ହିଁ ଡରିବା କଥା । ବାହାରକୁ ସେ ଉଗ୍ର ହେଉ ବା ବାଧ୍ୟ ହେଉ, ସେଥିରେ ବେଶୀ କିଛି ଫରକ ହୁଏନାହିଁ । କିନ୍ତୁ ଭିତରେ ଯିଏ ଭୀରୁ ହୋଇ ବସିଥାଏ, ତାହାଦ୍ୱାରା କେଉଁ ସଂସାରରେ କ’ଣ ହୋଇପାରିବ ? ତା’ ଭିତରେ କେଉଁ ଶିକ୍ଷାର କି ଫଳ ଫଳିଚି ବୋଲି କୁହାଯାଇ ପାରିବ ? ଆଜି ସିଏ ଭୀରୁ ହୋଇ ଅନ୍ୟାୟ ସହିଯାଉଚି, ଅଶୋଭନୀୟ ଲାଗିଲେ ମଧ୍ୟ ତାକୁ ତାହା ଅସହ୍ୟ ଲାଗୁନାହିଁ । କାଲି ସେହି ଛାତ୍ର ବଡ଼ ହୋଇ ସଂସାରକୁ ଯିବ, ଅର୍ଥାତ୍ ଏହି ଦେଶ ବା ସମାଜରେ କୌଣସି ଦାୟିତ୍ଵ ସେ ବହନ କରିବ । ଉପରକୁ ଡରି ତଳକୁ ଡରାଇବା ହିଁ ତାର ଆଚରଣ ଧର୍ମ ହୋଇ ରହିବ । ସାମାଜିକ ବା ବ୍ୟକ୍ତିଗତ ଜୀବନରେ ସେ ନ୍ୟାୟଅନ୍ୟାୟ ଲାଗି ଖୁବ୍ ବେଶୀ ପରୁଆ କରିବ ନାହିଁ । ମଣିଷ ଦେଖି ସେ ନ୍ୟାୟଅନ୍ୟାୟର ବିବେଚନା କରିବ, ଲାଭ ଓ ନିରାପତ୍ତା ଦୃଷ୍ଟିରୁ ବିଚାର କରି ଧର୍ମ ଅଧର୍ମର ନିର୍ଣ୍ଣୟ କରିବ । ଯେଉଁଠି ବଳୁଆ ମଣିଷର ସମ୍ମୁଖୀନ ହେବାକୁ ପଡ଼ିବ, ସେଠି ସେ ଅନ୍ୟାୟକୁ ମଧ୍ୟ ନ୍ୟାୟ ବୋଲି କହିବ ଏବଂ ତଥାପି ସ୍ଵଚ୍ଛ ବିବେକର ସବୁ କରୁଚି ବୋଲି ସେ ଅନୁଭବ କରିବ । ଏପରି ଜୀବନରେ ସବୁପ୍ରକାର ଶିକ୍ଷା ଓ ଶିକ୍ଷିତତା ନିର୍ବାସିତ ହୋଇ ରହିବ । ଶିକ୍ଷା ବିନୟ ଦିଏ, କିନ୍ତୁ ସାହସ ମଧ୍ୟ ଦେଇଥାଏ । ମୁଁ ତ କହିବି, ସାହସର ଅଭାବ ରହିଥିଲେ ଜୀବନରେ ଯଥାର୍ଥ ବିନୟର ଅନୁଶୀଳନ କରିବା କରିବା ମଧ୍ୟ ସମ୍ଭବ ହୋଇ ପାରେନାହିଁ । ବିଜୟ ଭୀରୁ ହେବାକୁ ପ୍ରରୋଚନା ଦିଏ । କିନ୍ତୁ ସାହସ-ପରିପୁଷ୍ଟ ବିନୟ, ଗାନ୍ଧିଜୀ ବୋଧହୁଏ ଏହାକୁ ହିଁ ସକଳର ଅହିଂସା ବୋଲି କହିଚନ୍ତି, —ତାହା ମଣିଷର ଜୀବନର ସମ୍ପଦବାନ୍ କରେ, ତା’ର ସମାଜକୁ ମଣିଷଯୋଗ୍ୟ ଓ ଧର୍ମାନୁକୂଳ କରି ରଖେ ।

 

୪ । ୦୪ । ୬୬

 

ମୋ’ର ପଡ଼ୋଶୀ ନିଶ୍ଚୟ ଭାରି ଧର୍ମବିଶ୍ଵାସୀ । ପୂଜାପାଠ ଓ ମନ୍ତ୍ରରେ ନିଶ୍ଚୟ ଭାରି ବିଶ୍ଵାସ କରନ୍ତି । ପ୍ରତିଦିନ ପ୍ରାୟ ଦଶଟାବେଳକୁ ଗାଧୋଇବା ଘରକୁ ଯିବା ମାତ୍ରକେ ତାଙ୍କର ମନ ବଡ଼ ସ୍ଵାଭାବିକ ଭାବରେ ଭଗବାନଙ୍କ ପାଖକୁ ଚାଲିଯାଏ ଓ ଶରୀର ଉପରେ ପାଣି ଢାଳିବା ମାତ୍ରକେ ହିଁ ସେ ଚିତ୍କାର କଲାପରି ମନ୍ତ୍ରୋଚ୍ଚାରଣ କରିବାରେ ଲାଗନ୍ତି । ନଜାଣିଥିବା ଲୋକ ହଠାତ୍ ଶୁଣିଲେ ହୁଏତ ଟିକିଏ ତ୍ରାସ ବି ପାଇବ; ମନେହେବ, ଯେପରି କେହି ଯନ୍ତ୍ରଣାରେ ଚିତ୍କାର କରିବାରେ ଲାଗିଚି ବା ଶରୀର ଉପରେ ହେଉଥିବା ମାଡ଼ ସହି ନପାରି କେହି ଉଚ୍ଚ ଆର୍ତ୍ତନାଦ କରିବାରେ ଲାଗିଚି । ପ୍ରଥମେ ପ୍ରଥମେ ନଜାଣିଥିଲା ବେଳେ ମୁଁ ମଧ୍ୟ ଠିକ୍ ସେହିପରି ଭାବୁଥିଲି । ଶରୀର ଉପରେ ପାଣି ଢାଳିବା ବେଳକୁ ଯେଉଁ ଯନ୍ତ୍ରଣା ହେଉଥିବ, ପଡ଼ୋଶୀ ନିଶ୍ଚୟ ସେହି ଯନ୍ତ୍ରଣାରେ ହିଁ ଚିତ୍କାର କରୁଥିବେ । ବା ସ୍ନାନ ଘରକୁ ପଶିବା ମାତ୍ରକେ ଶରୀର ଉପରେ ପାଣି ପଡ଼ିବାର ଦୌରାତ୍ମ୍ୟକୁ କଳ୍ପନା କରି ତାଙ୍କ ମନରେ ଯେଉଁ ତ୍ରାସ ହେଉଥିବ, ସେ ସେହି ତ୍ରାସ ଭୁଲିବାକୁ ସବୁ ଭୟରେ ଦେଇ ପାରିବାବାଲା ଭଗବାନଙ୍କର ଶରଣ ନେଉଥିବେ । ଆମ ସଂସାରରେ ଆମମାନଙ୍କ ମଣିଷ ଜୀବନରେ ଏପରି ଅନେକ ଘଟଣା ଦେଖିବାକୁ ମିଳିବ । ଭଗବାନ କହିଲେ ଆମେ କୌଣସି ଉତ୍‌ପ୍ରେରକ ସାଥୀ ବୋଲି ନବିଚାରି ଗୋଟାଏ ପ୍ରକାର ମନ୍ତ୍ରସାଧିତ ଡେଉଁରିଆ ବୋଲି ହିଁ ବିଚାର କରିଥାଉ । ଭଗବାନଙ୍କୁ ଆମରି ଭିତରେ କଳ୍ପନା ନକରୁଥିବାରୁ ବିପଦବାରଣ ମନ୍ତ୍ରବାକ୍ୟ ଉଚ୍ଚାରଣ କରି ଆମେ ଭଗବାନଙ୍କ ସକାଶେ ଆଉ କେଉଁଠାକୁ ହକରା ପଠାଇବାର ବିଚାର କରିଥାଉ । ଏଥିରୁ ଆମକୁ ଅନେକ ବଳ ମିଳେ ।

 

୫ । ୦୪ । ୬୬

 

ଆମର ଏପରି ଭକ୍ତି ଦେଖି ଭଗବାନ୍ କ’ଣ ବିଚାରୁଥିବେ ? ଅର୍ଥାତ୍, ସମାହିତ ମନରେ ପରିପୂର୍ଣ୍ଣ ଶ୍ରଦ୍ଧା ଓ ପ୍ରଶାନ୍ତିର ଏକ ଜୀବନ ମୁଦ୍ରା ନେଇ ଆମେ ଆପଣା ଉପରେ ଅବଲୋକନ କଲାବେଳେ ଏ ବିଷୟରେ କ’ଣ କିପରି ଭାବୁଥିବୁ ? ଭଗବାନ ବୋଲି ଗୋଟାଏ ଦ୍ରବ୍ୟ ଯଦି କେଉଁଠି ରହିଥାଏ, ତେବେ ଗାଧୋଇବା ବେଳର ଶୀତକଷ୍ଟ ଛଡ଼ାଇବା ଲାଗି ସେହି ଦ୍ରବ୍ୟର ବ୍ୟବହାର କଲାବେଳେ ଆମେ କେତେଦୂର ମଣିଷ ପରି ବ୍ୟବହାର ବା କରୁଚୁ ? ଏହିସବୁ କଥା ଭାବିଲାବେଳେ କାହାରି ଉପରେ ହସିବାକୁ ଇଚ୍ଛା ହୁଏ ନାହିଁ; ମାତ୍ର, ଭଗବାନରୂପୀ ଅନୁଭୂତିର ହାତ ଧରି ଆମେ ଜୀବନର କେତେ ଘନିଷ୍ଠ ସ୍ତରରେ ଆପଣାର ଦିନଗୁଡ଼ିକ ବଞ୍ଚି ପାରୁଥାଆନ୍ତୁ ଏବଂ ପ୍ରଧାନତଃ ଏକ ପ୍ରୟୋଜନଦୂଷିତ ଜୀବନଦୃଷ୍ଟି ରଖିଥିବାରୁ କିପରି ଆମେ ସେଥିରୁ ବଞ୍ଚିତ ହୋଇ ରହିଚୁ, ମୁଁ ସେହିକଥା ହିଁ ଭାବିଥାଏ । ଭଗବାନଙ୍କୁ ଆପଣା ବାଟରେ ସାଥୀ କରି ପାଇବାକୁ ମୁଁ ଭଗବାନଙ୍କ ବିଷୟରେ ଶ୍ରେଷ୍ଠ ଅନୁଭୂତି ବୋଲି ବିଚାର କରିଥାଏ । ସେ କେବଳ ଆମର ଆତୁରତା ଗୁଡ଼ାକର ହରଣ କରିବାକୁ ଆସିବେ ନାହିଁ, ଆମ ଜୀବନର ଉତ୍ସବରେ, ସାହସର ସକଳ ଯାତ୍ରାରେ ସେ ଆମର ସଙ୍ଗେ ସଙ୍ଗେ ରହିବେ, ଆମକୁ ଅଭୟ ଦେବେ, ଆମକୁ ଏକାବେଳେକେ କେତେ ମୁହୂର୍ତ୍ତ ଭିତରେ ବ୍ୟାପ୍ତ ହୋଇ ରହିବାର ପ୍ରେରଣା ଦେବେ । ପରମ ବନ୍ଧୁ ଯାହା କରେ, ସେ ଆମ ଲାଗି ତାହାହିଁ କରି ପାରୁଥିବେ ।

 

୬ । ୦୪ । ୬୬

 

ସେଦିନ ଆଜିକୁ ଠିକ୍ ଛଅବର୍ଷ ପୂରିଯିବ । ଏଇ ଛଅବରଷ ଭିତରେ ମୁଁ କେତେଥର ପଛକୁ ଫେରି ଅନାଇଚି, ତଥାପି ଏପର୍ଯ୍ୟନ୍ତ ସେହି ଦିନର କ୍ରୂରତା ମୋ’ ପାଖରେ ଏକ ରହସ୍ୟ ହୋଇରହିଚି । ମଣିଷ ଯିଏ ଆପଣା ବଞ୍ଚିବାର କୌଣସି ଏକ ଅର୍ଥ ଆବିଷ୍କାର କରିଥିବ ସେ ଯେ କାହିଁକି ଆପେ ଆପେ ଏହି ସଂସାର ଛାଡ଼ି ଚାଲିଯିବାକୁ ମନ ବଳାଇବ, ସେକଥା ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରିନାହିଁ । ମୋ’ର ଜନ୍ମ ଉପରେ ମୋ’ର ଅଧିକାର ନାହିଁ, ମୋ’ର ମରଣ ଉପରେ ମଧ୍ୟ ମୋ’ର ଅଧିକାର ନାହିଁ । କିନ୍ତୁ ମୋ’ର କାର୍ଯ୍ୟ, ମୋ’ର ପ୍ରେମ ଓ ମୋ’ର ଶ୍ରଦ୍ଧାନ୍ଵିତ ସମର୍ପଣ ଦ୍ଵାରା ଏହି କେତେଟା ଦିନର ସୁଖଦୁଃଖକୁ ଅର୍ଥ ଓ ଅମରତ୍ଵରେ ଭରି ରଖିବାର ଅଧିକାର ମୋ’ର ଅବଶ୍ୟ ରହିଚି । ଏହି ଅଧିକାରକୁ ମୁଁ କଦାପି ଛାଡ଼ି ପାରିବିନାହିଁ । ଦରକାର ପଡ଼ିଲେ ଦୁଃଖକୁ ମୋ’ର ସାଥୀ କରିବି, ବିଫଳତା ସହିତ ଖିଅ ବାନ୍ଧିବି, ତଥାପି ଏହି ସଂସାରରେ ରହିବି । ସମସ୍ତ ସଂସାର ମୋ’ପାଇଁ ପର ହୋଇଗଲେ ମଧ୍ୟ ମୁଁ ସେହି ଅଧିକାରକୁ କଦାପି ଛାଡ଼ି ପାରିବି ନାହିଁ । ମୁଁ ଏହି ସଂସାରରେ ଅର୍ଥ ଖୋଜି ବୁଲିବି ଓ ଏହି ସଂସାର ଭିତରେ ହିଁ ଆପଣାକୁ ବାରବାର ସମର୍ପଣ କରିବା ଲାଗି ସଜ ହେଉଥିବି । ଏହି ଜୀବନର ରାଜଦରବାରରେ ଠିଆ ହୋଇ ଯିଏ ପ୍ରଧାନତଃ ମରଣର ପାଞ୍ଚ ପାଞ୍ଚେ, ମୁଁ ପ୍ରକୃତରେ ତାକୁ ବୁଝି ପାରେନାହିଁ । ମୋ’ର ଦଉଡ଼ି ପକାଇ ତା’ର ଭାବ ଓ ଭାବନାକୁ ମୁଁ ଆଦୌ ବୁଝି ପାରେନାହିଁ । ଯଦି ମୁଁ ଜୀବନଟାକୁ ଗୋଟାଏ ସର୍ତ୍ତଗତ ବ୍ୟବସାୟ ପରି ମନେ କରୁଥାନ୍ତି, ତେବେ ଜୀବନବଣିଜରେ ମୁଁ କେବଳ ସ୍ଵାର୍ଥସାଧନରୂପ ଲାଭ ହିଁ ଚାହୁଥାନ୍ତି, ତେବେ ହୁଏତ କ୍ଷତି ସହିଲେ ଦବି ଯାଉଥାନ୍ତି, ଗୁମାନ କରୁଥାନ୍ତି ଓ ରୁଷା ପିଲା ଖେଳନା ଭାଙ୍ଗିଦେଲା ପରି ମୁଁ ବି ମାରିବାର ବିଚାର କରୁଥାନ୍ତି ।

 

୭ । ୦୪ । ୬୬

Unknown

 

ସେଦିନ ଖବରକାଗଜରେ ପଢ଼ିଲି, ଜଣେ ବାପ ଆପଣାର ସାନ ସାନ ଦୁଇଟି ପିଲାଙ୍କୁ ନାଳପାଣିକୁ ଫୋପାଡ଼ି ମାରି ଦେଇଚି । ଆମର ସଂସ୍କୃତିରେ ସନ୍ତାନ ଜନ୍ମ କରିବାକୁ ଲକ୍ଷ୍ମୀମନ୍ତ ହେବା ବୋଲି କୁହା ଯାଇଆସିଚି । କେଡ଼େ ଲକ୍ଷ୍ମୀଛଡ଼ା ବା ସଂସ୍କୃତିଛଡ଼ା ହେଲେ ଯେ ଜଣେ ବାପ ଆପଣାର ସନ୍ତାନମାନଙ୍କୁ ପାଣିରେ ଫିଙ୍ଗି ମାରି ଦେଇପାରେ, ସେକଥା ମୁଁ କଳ୍ପନା ହିଁ କରି ପାରୁନାହିଁ । ବାପ ଅନେକ ଦିନରୁ ବେକାର ହୋଇବସିଥିଲା, ପିଲାମାନେ ଅନେକ ଦିନରୁ କିଛି ଖାଇବାକୁ ପାଇନଥିଲେ । ପିଲାଙ୍କର ଭୋକଜ୍ଵାଳାରେ ଜୀବନ ପ୍ରତି ବିରକ୍ତ ହୋଇ ବାପ ଏପରି କାଣ୍ଡ କରିବାକୁ ଗଲା । ବାପ ହିସାବରେ ସେ ସନ୍ତାନସମ୍ପତ୍ତିର ଯୋଗ୍ୟ ହୋଇ ପାରିଲାନାହିଁ ବୋଲି ବିଚାର ସେ ଆପଣାର ସେହି ସମ୍ପତ୍ତିରୁ ବଞ୍ଚିତ କଲା । ମଣିଷପ୍ରାଣର ହତ୍ୟା କରିବାର ପାପକୁ ଅଯୋଗ୍ୟ ବାପ ହେବାର ପାପଠାରୁ ସେ ଅଧିକ ଜଘନ୍ୟ ବୋଲି ଅନୁଭବ କରି ପାରିଲାନାହିଁ । ଏସବୁ ଏଦେଶରେ ସମ୍ଭବ ହୋଇପାରୁଚି ଏବଂ ଆମେ ତାକୁ ରାଜନୀତିକ ଆଡ଼ମ୍ବର ଓ ଆଳସ୍ୟଗୁଡ଼ିକର ପ୍ରଚାର କରୁଥିବା ସମ୍ବାଦ ଅପେକ୍ଷା କମ୍ ମହତ୍ତ୍ଵପୂର୍ଣ୍ଣ ବୋଲି ଅନୁଭବ କରୁଚୁ, ଏତିକିରେ ହିଁ ଆମର ଲଜ୍ଜା ଅନୁଭବ କରିବା ଉଚିତ । ଆମର ଦୁର୍ଭାଗ୍ୟ ଯେ, ଆମେ ଶିକ୍ଷିତମାନେ ଏ ସବୁକୁ ବଡ଼ ଚମତ୍କାର ଭାବରେ ସହି ଯାଉଚୁ । ଆମର ଶିକ୍ଷା ଆମର ହୃଦୟର ଗ୍ରହଣଶୀଳତାକୁ ମାରିଦେଉଚି । ମଣିଷ ପ୍ରତି ଯେଉଁ ସମ୍ମାନଦୃଷ୍ଟି ଆମ ପ୍ରତ୍ୟେକଙ୍କର ରହିବା କଥା, ଆମେ ତାହାକୁ ହରାଇ ବସିବାକୁ ହୁଏତ ନିରାପଦ ବୋଲି ମଣୁଚୁ ।

 

୮ । ୦୪ । ୬୬

 

ଖାଲି ଆମରି ଦେଶରେ ନୁହେ, ପୃଥିବୀର ଆହୁରି କେତେ ଦେଶରେ ବାପମାନ ହୁଏତ ଆପଣାର ପିଲାଙ୍କୁ ଖାଇବାକୁ ଦେଇ ପାରୁନାହାନ୍ତି । ଆଗେ ଆମ ଦେଶରେ ଅନେକ ଲୋକ ଏହାକୁ ଭାଗ୍ୟ ବୋଲି ମାନି ନେଉଥିଲେ, ଅନ୍ୟ କିଛି ଚିନ୍ତା କରିବାକୁ ପାପଚିନ୍ତା ବୋଲି ବୁଝୁଥିଲେ-। ପିଲାଏ ଭୋକିଲା ରହୁଥିଲେ, ତଥାପି ସମସ୍ତେ ସବୁ ସହୁଥିଲେ । ଏବେ ବାପ ଅନ୍ତତଃ ଏତିକି ବୁଝୁଚି ଯେ, ପିଲାମାନଙ୍କୁ ଖାଇବାକୁ ଦେଇ ମଣିଷ କରାଇବା ହେଉଚି ତା’ର ଦାୟିତ୍ଵ । ତାହା ଯଦି ସେ କରି ନପାରିଲା, ତେବେ ବାପ ହେବାର କୌଣସି ଅଧିକାର ତା’ର ନାହିଁ । ପିଲାମାନଙ୍କ ଉପରେ ରାଗି ସେମାନଙ୍କର ଜୀବନ ନଷ୍ଟ କରିବାକୁ କୌଣସି ବାପର ହୃଦୟ କହିବନାହିଁ-। ଆପଣାକୁ ପୁତ୍ରସୁଖରୁ ବଞ୍ଚିତ କରିବାକୁ ହିଁ ସେ ଏପରି କରୁଚି । ଆଉ ଗୋଟାଏ କଥା ବି ସମ୍ଭବ ହୋଇପାରେ । ଆପଣାର ଏହି ଅସମର୍ଥତା ପ୍ରତି ଆଜିର ଦରିଦ୍ର ବାପ ସମାଜରେ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଚି । ଆଗେ ଆପଣାର ଉପବାସରେ ସମାଜ କୌଣସି ପ୍ରକାରେ ଦାୟୀ ବୋଲି ସେ କଳ୍ପନା ହିଁ କରି ପାରୁନଥିଲା । ଭାଗ୍ୟ ଉପରେ ସବୁ କଥା ଉଜେଇଁ ଦେଇ ନୀରବ ହୋଇ ରହୁଥିଲା-। ଏବେ ସେ ଅନ୍ୟପ୍ରକାରେ ଭାବିବାକୁ ଆରମ୍ଭ କଲାଣି । ଏବେ ସେ ଆପଣାର ଅପରାଧରେ ସମାଜକୁ ମଧ୍ୟ ଦାୟୀ କରିବାକୁ ଇଚ୍ଛା କରୁଚି । ଯେଉଁ ସମାଜରେ ତାକୁ ଇଚ୍ଛା ଥିଲେ ମଧ୍ୟ କାମ ମିଳି ପାରୁନାହିଁ, ଯେଉଁ ଦେଶରେ ତା’ର ପିଲାଏ ପାଠ ପଢ଼ିବାକୁ ନଯାଇ ଭୋକରେ ଛଟପଟ ହୋଇ ଘରେ ରହୁଚନ୍ତି, ସେହି ଦେଶରେ ନିଦ ଭାଙ୍ଗିବାକୁ ବାପ ହୁଏତ ଆପଣା ହାତରେ ଏହି ନୃଶଂସ କାଣ୍ଡ କରିବାକୁ ଯାଉଚି । ଏ ସମାଜରେ ଏହି ହତ୍ୟା ବିଷୟରେ କେବେ ହୁରି ପଡ଼ିବ କେଜାଣି ? କେବେ ଆମର ବିବେକ ବିଦ୍ରୋହ କରିଉଠିବ କେଜାଣି ?

 

୯ । ୦୪ । ୬୬

 

ମୋ’ର ଲେଖା ସରି ଆସୁଚି । ଏହି ସରିବାର ଅର୍ଥ ଏହା ନୁହେଁ ଯେ, ଏହାପରେ ମୁଁ ବସିଯିବି । ମୋତେ ଡିଗ୍ରୀ ମିଳିଯିବ ଓ ମୁଁ ତା’ପରେ ବସି କେବଳ ଭୋଗ କରିବି । ମୁଁ ଆର ଜୀବନରେ କିପରି ହୋଇ ଜନ୍ମଗ୍ରହଣ କରିବି କେଜାଣି, ଅନ୍ତତଃ ଏ ଜୀବନରେ ଭୋଗର ପ୍ରଶ୍ନ ହିଁ ଉଠୁନାହିଁ । ଭୋଗକୁ ଚାହିବା ବା ନ ଚାହିବାର ପ୍ରଶ୍ନ ତ ପଛେ ଆସିବ, ସେ ଆଡ଼କୁ ମନ ବି ଯାଉନାହିଁ । ତେଣୁ, ଗୋଟାଏ କାମ ପରେ ମୋତେ ଛୁଟି ମିଳିବ ଓ ମୁଁ ଆରାମରେ ଆନନ୍ଦ କରିବି, ସେ ଭାଗ୍ୟ ବା ଦୁର୍ଭାଗ୍ୟ ମୋ’ କପାଳରେ ଲେଖାନାହିଁ । ଗୋଟାଏ କାମ ସରୁସରୁ ଆଉ ଗୋଟାଏ କାମ ଆସି ପହଞ୍ଚିଯିବ, ଗୋଟାଏ ଭୋଳ ହେବାର କର୍ତ୍ତବ୍ୟମାନ ପୁରା କରୁକରୁ ଆଉ ଗୋଟାଏ ଭୋଳ ହେବାର ପ୍ରେରଣାମୟ ଅବସର ଆସି ପହଞ୍ଚିଯିବ । ଗୋଟାଏ ତୀର୍ଥରୁ ବିଦାୟ ନେଇ ଯାଉଯାଉ ଆଉ ଗୋଟାଏ ତୀର୍ଥ ଦର୍ଶନର ଆକାଂକ୍ଷା ମୋ’ର ଆଖିକୁ ସକଳ ଘରର ଆୟତନ ଡିଆଁଇ ନେବାକୁ ଆସିବ । ଭଲ ମନ୍ଦ, ଲାଭ କ୍ଷତି ବିଚାର କରିବାର ବେଳନାହିଁ । ଯିଏ ମୋତେ ଏତେ ଆଗ୍ରହ ଓ ଏତେ ଶ୍ରଦ୍ଧା ଦେଇ ସଂସାରକୁ ପଠାଇଚି, ସିଏ ହୁଏତ ସେସବୁର ବିଚାର କରୁଥିବ-। କିନ୍ତୁ ମୁଁ ଏହି ଆଗ୍ରହ ଓ ଶ୍ରଦ୍ଧା ପ୍ରତି କଦାପି ଅବିଶ୍ଵାସୀ ହେବିନାହିଁ, ମୋ’ର ପୁତ୍ରତ୍ଵର ନିନ୍ଦା କରିବିନାହିଁ । ମୁଁ ସେହି ଗୁଡ଼ିକର ବୋଲ ମାନି ଜୀବନ ବଞ୍ଚିବି । ମୋ’ର ପ୍ରତ୍ୟେକଟି ମୁହୂର୍ତ୍ତରେ ମୁଁ କାମ କରିବି, ଛୁଟି ପାଳନ କରିବି; ନିର୍ଭର ପାଉଥିବି ଓ ମୋ’ର ବାଟ ଚାଲୁଥିବି ।

 

୧୦ । ୦୪ । ୬୬

 

ବିଶ୍ୱବିଦ୍ୟାଳୟର ଶିକ୍ଷକମାନେ ଆପଣାର ବେତନ ବୃଦ୍ଧି ଲାଗି ସଂଗ୍ରାମ କରୁଚନ୍ତି । ମୁଁ ସେମାନଙ୍କର ସଂଗ୍ରାମକୁ ଏକ ଶ୍ରମିକ ସଂଗଠନର ସଂଗ୍ରାମ ବୋଲି କହିବି । କିନ୍ତୁ ସେମାନେ ନ୍ୟାୟର ପ୍ରତିଷ୍ଠା ଲାଗି ସଂଗ୍ରାମ କରୁଚନ୍ତି ବୋଲି କହିଲେ ମୁଁ ତାକୁ ମାନି ପାରିବି ନାହିଁ । ଶ୍ରମିକ ସଂଗଠନକୁ ମୁଁ ଅସ୍ପୃହଣୀୟ ବୋଲି କଦାପି କହିବି ନାହିଁ । ଏହାର ଆବଶ୍ୟକତା ସବୁଠାରେ ରହିଚି-। ବିଶେଷତଃ ଯେଉଁ ଦେଶରେ କର୍ତ୍ତାମାନେ ଶିକ୍ଷକମାନଙ୍କୁ କେବଳ ଚାକିରିଆ ବା ଶ୍ରମିକ ପରି ଦେଖନ୍ତି, ସେ ଦେଶରେ ଶ୍ରମିକଙ୍କ ପରି ସଂଗଠିତ ହେବା ବ୍ୟତୀତ ଆପଣାର ବେତନ ବଢ଼ାଇବା ଲାଗି ହୁଏତ ଆଉ କୌଣସି ଉପାୟ ମଧ୍ୟ ନଥାଏ । ମୁଁ ମଧ୍ୟ ଜଣେ ଶିକ୍ଷକ ହିସାବରେ ଏହି ଶ୍ରମିକ-ସଂଗଠନ ଭିତରେ ରହିଚି । କିନ୍ତୁ ଏହି ଦାବୀ ଓ ସଂଗ୍ରାମକୁ ମୁଁ ନ୍ୟାୟ ପାଇଁ ସଂଗ୍ରାମ ବୋଲି କହି ମୋ’ର ଉଦ୍ଦେଶ୍ୟକୁ ଅସ୍ପଷ୍ଟ କରି ପକାଇବ କାହିଁକି ? ସାମାଜିକ ନ୍ୟାୟର କଳ୍ପନା କରିବାକୁ ହେଲେ ଏହି ଦେଶର ସମାଜ ଉପରେ ହିଁ ତାହାର କଳ୍ପନା କରିବାକୁ ହେବ । ସାମାଜିକ ନ୍ୟାୟରେ ଉଦ୍‌ବୁଦ୍ଧ ହୋଇ ଶିକ୍ଷକର ଦାବି ଉପସ୍ଥାପିତ କରିବାକୁ ବସିଲେ ବିଶ୍ଵବିଦ୍ୟାଳୟର ଶିକ୍ଷକ ଆଗ ପ୍ରାଇମେରି ସ୍କୁଲର ଶିକ୍ଷକର ଜୀବନ୍ୟାସ କରିବାକୁ ହିଁ ପଣ ନେଇ ବାହାରିବ । କେବଳ ତାହାର ବେତନରେ ବୃଦ୍ଧି କରିବାକୁ ନୁହେଁ, ତାକୁ ଶିକ୍ଷକର ଯୋଗ୍ୟ ଆସନରେ ପ୍ରତିଷ୍ଠିତ କରିବାକୁ ଏଦେଶରେ ଯେତେ ଯାହା କରିବାକୁ ବାକି ରହିଚି, ସେ ସେଥିଲାଗି ମଧ୍ୟ ନେତୃତ୍ଵ ଦେବ-। ପ୍ରାଇମେରି ସ୍କୁଲର ଶିକ୍ଷକ ଆମ ଦେଶର ଶିକ୍ଷକ ସମାଜରେ ଶୂଦ୍ର ହୋଇ ପଡ଼ିରହିଚି । ଏହି ସମାଜରେ ନ୍ୟାୟର କଥା ଉଠାଇବାକୁ ହେଲେ ପ୍ରଥମେ ସେହି ଶୂଦ୍ରତ୍ୱଜନିତ ଅପମାନ ଓ ଅକିଞ୍ଚନତା ଗୁଡ଼ାକୁ ହଟାଇବାକୁ ପଡ଼ିବ । କିନ୍ତୁ ତାହା ନକରି ଆମେ ଯଦି କେବଳ ଉପରମୁହାଁ ହୋଇ ଉପରସ୍ତରର ବାବୁର ସମକକ୍ଷ ହେବାଲାଗି ଆପଣାର ବେତନ ବଢ଼ାଇବାକୁ ଦାବୀ କରୁଥିବା, ତାହାକୁ ଶ୍ରମିକ-ସଂଗଠନର ସ୍ଵଭାବ ବୋଲି କୁହାନଯାଇ ଆଉ କ’ଣ କୁହାଯିବ ? ଏଠି ସାମାଜିକ ନ୍ୟାୟର ପ୍ରଶ୍ନ ବା କାହିଁକି ଉଠିବ ?

 

୧୧ । ୦୪ । ୬୬

 

କେବଳ ଆପଣାର ସ୍ଵାର୍ଥ ଲୋଡ଼ୁଥିଲେ ସାମାଜିକ ନ୍ୟାୟ କଦାପି ଆସିବ ନାହିଁ । ଏହାଦ୍ୱାରା ଯାହା ଆସିବ, ତାହାକୁ ସମାଜବାଦ କୁହାଗଲେ ମଧ୍ୟ ସେଥିରେ ନ୍ୟାୟ ଲାଗି କୌଣସି ସ୍ଥାନ ରହିବନାହିଁ । ଆମେ ସମସ୍ତେ ଖାଲି ଆପଣାର ବେତନ ବଢ଼ୁ, ଆପଣାର ଲାଭ ହେଉ ବୋଲି ରନ୍ଥାଳି ହେଉଥିଲେ ଏବଂ ତାହାକୁ ହିଁ ଆଦର୍ଶ ରୂପ ଦେଉଥିଲେ ଆମେ କେବଳ ପ୍ରତିଯୋଗିତା ହିଁ ବଢ଼ାଇବା, ଦ୍ଵେଷ ବିଦ୍ଵେଷ ବଢ଼ାଇବା, ଆମ ନିଜ ସ୍ତରରେ ଆପଣା କର୍ତ୍ତବ୍ୟକୁ ଏଡ଼ି ଅନ୍ୟ ଶ୍ରେଣୀଗତ ସଂଘର୍ଷମାନଙ୍କରେ ମାତି ରହିବା ଲାଗି ଅନେକ ସୁଯୋଗ ପାଇବା ସତ, କିନ୍ତୁ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାରେ ଆମେ ଖୁବ୍ ବେଶୀ ସାହାଯ୍ୟ କରି ପାରିବାନାହିଁ । ଆଗରୁ ମଧ୍ୟ ଅନେକ ବିପ୍ଳବୀ ଏହିପରି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ବାହାରିଚନ୍ତି ଏବଂ ସଫଳତା ମିଳିବା ମାତ୍ରକେ ଚୁପ୍ ହୋଇ କେବଳ ଲାଭ ପାଇ ବସିଚନ୍ତି । ଯେଉଁମାନେ ବର୍ତ୍ତମାନ ଆମ ଦେଶରେ ଚାଳକ ହୋଇ ବସିଚନ୍ତି, ସେମାନେ ବି ଦିନେ ସଂଗ୍ରାମ କରୁଥିଲେ ଓ ନ୍ୟାୟର ଦାବୀ କରୁଥିଲେ । ସେମାନଙ୍କର ଦାବୀ ହାସଲ ହେଲା, ଦେଶକୁ ସ୍ଵାଧୀନତା ମିଳିଲା । ତା’ପରେ ସେମାନେ ଦେଶର ଆଉ କୋଉଁଠି ଅନ୍ୟାୟ ରହିଲା କି ନାହିଁ, ତାହା ଦେଖିବାକୁ ସମୟ ମଧ୍ୟ ପାଇଲେ ନାହିଁ । ଆପଣାର ସଂଗ୍ରାମ ଜନିତ ଲାଭ ଖାଇବାରେ ସେମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ ଅନ୍ୟାୟକୁ ଘଣ୍ଟ ଘୋଡ଼ାଇ ରଖିଲେ । ସାମାଜିକ ନ୍ୟାୟ ଲୋଡ଼ୁଥିବା ବ୍ୟକ୍ତି ବା ନେତୃତ୍ଵ ଖାଲି ଉପର ଆଡ଼କୁ ଅନାଏ ନାହିଁ, ପ୍ରଧାନତଃ ତଳ ଆଡ଼କୁ ଅନାଏ । ତଳ ସ୍ତରରେ ଅଧମତର ହୋଇ ପଡ଼ି ରହିଥିବା ମଣିଷକୁ ଉଠାଏ, ତାକୁ ସାଙ୍ଗରେ ନେଇ ଆଗକୁ ବାହାରେ ।

 

୧୨ । ୦୪ । ୬୬

 

ଆପଣା ବାଟ ଚଲାର ହିସାବ ନିତି କରୁଥାଏ; ମାତ୍ର, ଯେତିକି ବାଟ ଚାଲିବାକୁ ଥିଲା, ବରାଦ ଅନୁସାରେ ସେତକ ଚାଲି ପାରିଲି ନାହିଁ ବୋଲି ଆପଣାକୁ ଗାଳି ଦେବାକୁ ମନ ହୁଏନାହିଁ । ଆପଣାର ଦୋଷ ଓ ଦୁର୍ବଳତା ଗୁଡ଼ାକୁ ମୁଁ ବେଶ୍ ଭଲ କରି ଜାଣେ, କିନ୍ତୁ ତା, ବୋଲି କୌଣସି ପ୍ରକାର ଆତ୍ମଗ୍ଳାନିରେ ବିବଶ ହୋଇ ସବୁ ଖିଅ କାଟି ବାହାରି ଯାଉଥିବା ପରି ମୁଁ ଆପଣାକୁ ଶାସ୍ତି ଦେଇ ବସେ ନାହିଁ । ଆପଣାର ମୂର୍ଖତା ଓ ମୂଢ଼ତାଗୁଡ଼ାକ ସକାଶେ ମୁଁ ଅବଶ୍ୟ ମନେ ମନେ ଲାଜ ପାଏ, କିନ୍ତୁ ସେଗୁଡ଼ାକ ସକାଶେ ଆପଣାର କ୍ଷୁଦ୍ରତାକୁ ନେଇ ମୁଁ ବାହୁନି ବସେ ନାହିଁ, ତେଣୁ ସେଗୁଡ଼ାକୁ ଘୋଡ଼ାଇ ରଖିବାର ମଧ୍ୟ କୌଣସି ଚେଷ୍ଟା କରେନାହିଁ । ମୋ’ର ସକଳ ଅପାରଗତା, ମୂର୍ଖତା ଓ ଦୁର୍ବଳତା ସତ୍ତ୍ୱେ ମୋତେ ତଥାପି ଆଗକୁ ଆଗକୁ ବାଟ ଦିଶିଯାଏ ଏବଂ ସେହି ଉତ୍ସାହରେ ଆଗଭର ହୋଇଯାଏ । ମୋ’ ଭିତରେ ଥିବା କାହାର ବରଦ ନିର୍ଭର ଯେପରି ମୋତେ ଅଟଳ ବିଶ୍ଵାସ ଦେଇଯାଏ । ସେହି ବିଶ୍ଵାସ ନେଇ ମୁଁ ଆଗକୁ ବାହାରିଯାଏ । ହିସାବଖାତାର କ୍ଷତିଗୁଡ଼ାକୁ ପୁଞ୍ଜି କରି ଜୀବନର ଅବ୍ୟାପାର ଗୁଡ଼ାକ କରି ବସିବାକୁ ମୋ’ର ବେଳ ନଥାଏ । ଏପରି କରିବା ଉଚିତ ବା ଅନୁଚିତ, ସେକଥା ମୁଁ କହିପାରିବିନାହିଁ । ସେବିଷୟରେ ମଣିଷ ମଣିଷ ଭିତରେ ଅବଶ୍ୟ ମତଭେଦ ରହିବ । ତଥାପି ଏହାହିଁ ମୋ’ର ସ୍ଵଭାବ ଓ ଏହି ସ୍ଵଭାବ ବଦଳାଇବା ଲାଗି ମୁଁ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଗତ ଆବଶ୍ୟକତା ଅନୁଭବ କରିନାହିଁ । ଯେଉଁ ସ୍ଵଭାବ ଜୀବନର ବିପୁଳତା ଆଡ଼କୁ ଟାଣି ନେଉଚି, ଯିଏ ମୋ’ ପାଖରୁ ଅବିରତ ବାଟ ଚାଲିବାର ପ୍ରତିଶ୍ରୁତି ମାଗୁଚି, ଯିଏ ମୋ’ର ଖିଅ ବିସ୍ତାରି ଚାଲିଚି, ତାକୁ ମୁଁ ବଦଳାଇବାକୁ ଯିବି ବା କାହିଁକି ?

 

୧୩ । ୦୪ । ୬୬

 

ଆମ ପୃଥିବୀର ନୀତି ପୃଥୁଳ ବାତାବରଣ ଆତ୍ମଗ୍ଳାନି ଲାଗି ଅନେକ ଉତ୍‌ପ୍ରେରକ ରହିଚି । କିନ୍ତୁ ମୁଁ ଆପଣାକୁ କେବେହେଲେ ଗୋଟାଏ ଅଖୁଣ ଦେବତା ପରି କଳ୍ପନା କରିନାହିଁ । ମଣିଷ ଯେ ସବୁବେଳେ ନାନା ଦୁର୍ବଳତାର ଗାତ ଭିତରେ ଅସହାୟ ଅଭିଶପ୍ତ କୀଟ ହୋଇ ପଡ଼ି ରହିଥିବ, ମୁଁ ସେକଥା ମଧ୍ୟ ମାନିନେଇ ପାରୁନାହିଁ । ମଣିଷଠାରେ ଯେଉଁସବୁ ଶୁଭ ଆକାଂକ୍ଷାମନ ରହିଚି, ସିଏ ସେହିସବୁର ପଛରେ ଯିବାକୁ ଚେଷ୍ଟା କରୁଥିବ, ସେହିସବୁର ଉପରେ ବିଶ୍ଵାସ ରଖିଥିବ ଓ ସେହିସବୁ ଆକାଂକ୍ଷାକୁ ଆପଣାର ସର୍ବୋତ୍ତମ ଅନୁରକ୍ତି ଦେଇ ପାରୁଥିବ । ତେବେ କୌଣସି ପ୍ରକାର ଆତ୍ମଦ୍ରୋହ ମୂଳକ ଗ୍ଳାନି ତାକୁ କଦାପି ଗ୍ରାସ କରିବାକୁ ଆସିବ ନାହିଁ, ସେ କଦାପି ଆପଣାକୁ ହୀନ ମନେ କରିବ ନାହିଁ । ମୁଁ ମୋର ନିତିଦିନର ଜୀବନ ପଥରେ ଏହାକୁ ହିଁ ସାର ବୋଲି ମାନିଚି । ସେଥିଲାଗି ଆପଣାର ଖୁଣ ଗୁଡ଼ାକୁ ଅନାଇ ବାହୁନିବାର ଦୁର୍ଯୋଗ ମୋ’ର ଏପର୍ଯ୍ୟନ୍ତ ହୋଇନାହିଁ । ସେହି ବାଟ ଧରିଥିଲେ ମୁଁ କେଉଁଦିନ ମରି ସାରିଥାନ୍ତି । ଅର୍ଥାତ୍, ସମସ୍ତଙ୍କର ସ୍ଵୀକୃତ ବାଟରେ ଆପଣାକୁ କେଉଁଦିନୁ ହରାଇ ସାରିଥାନ୍ତି; କେବଳ ମାନି ଚଳିବାଟା ହିଁ ମୋର ଧର୍ମ ହୋଇଥାନ୍ତା । ନୀତି ହିସାବରେ କେତେଟା ସୂତ୍ର ଓ କେତେଟା କ୍ରୂଦ୍ଧତାକୁ ମୁଁ ଜୀବନର ପରମ ସମ୍ପଦ ରୂପେ ଧରି ରଖିଥାନ୍ତି । ତା’ ଫଳରେ ବାହାରେ ଚଳିଯିବା ତ ଭାରି ସୁଖମୟ ହୋଇଥାନ୍ତା, କିନ୍ତୁ ମୁଁ ଭିତରେ ବଡ଼ ପୀଡ଼ା ପାଉଥାନ୍ତି । ଆପଣା ପାଖରେ ଆପଣାର କୈଫିୟତ୍ ଦେଇ ପାରୁନଥାନ୍ତି । ଆପଣା ପାଖରେ ଆପଣାକୁ ଘୋଡ଼ାଇ ରଖିବାର ନିତ୍ୟ ଚେଷ୍ଟା କରୁଥାନ୍ତି ।

 

୧୪ । ୦୪ । ୬୬

 

ଏପ୍ରିଲ ମାସ ହେବା ମାତ୍ରକେ ମନେ ମନେ ସତେ ଯେପରି ମୁଁ ଓଡ଼ିଶାକୁ ହିଁ ଚାଲିଯାଏ-। କାରଣ ବରଷକର ଥରେ ମଇ ମାସରେ ମୋ’ର ଓଡ଼ିଶା ଯିବାର ପାଳି ପଡ଼େ । ସେଠାରେ ବର୍ତ୍ତମାନ ଖାଦ୍ୟାଭାବ ପଡ଼ିଚି । ଫସଲ ନାହିଁ, ତେଣୁ ଚାରିଆଡ଼େ ହାହାକାର ପଡ଼ିଚି–ଓଡ଼ିଶାର ଏହି ଚିତ୍ରଟି ମୁଁ ଗୋପବନ୍ଧୁଙ୍କର ଲେଖାରୁ ହିଁ ଅନୁଭବ କରି ଶିଖିଥିଲି । ତା’ପରେ ମୋ’ର ଏହି ଅନୁଭୂତି କ୍ରମେ ବିଶ୍ଵବ୍ୟାପୀ ହୋଇଯାଇଚି । ସଂସାରରେ ଯେଉଁଠି ଯେତେ ଭୋକୀ ଓ ଅଭାବପୀଡ଼ିତ ମଣିଷ ଅଛନ୍ତି, ସେହିମାନଙ୍କର କ୍ଳେଶକୁ ଆପଣାର କ୍ଳେଶରୂପେ ଅନୁଭବ କରି ନପାରିଲେ ଆମେ ଆଧୁନିକ ପୃଥିବୀରେ ମଣିଷ ହୋଇପାରିବା ନାହିଁ । ଏହିପରି ଭାବରେ ମୋ’ର ଆପଣାର ଓଡ଼ିଶା ମୋତେ ସାରା ସଂସାରର ଭୋକ ଓ ଦୁଃଖକୁ ଅନୁଭବ କରି ଶିଖାଇଚି ଓ ସେହି ଅନୁଭୂତିକୁ ମୁଁ ମୋ’ର ଜୀବନରେ ସକଳ ପ୍ରକାର ସାଂସ୍କୃତିକ ମୂଲ୍ୟଗତ ଦୃଷ୍ଟିର ମୂଳ ବୋଲି ଗ୍ରହଣ କରିଚି । ଓଡ଼ିଶାର ରାଜନୀତି ମଣିଷର ଏହି ଭୋକକୁ ମୂଳ କରି ଗ୍ରହଣ କରି ପାରୁଥାନ୍ତା କି ! ଓଡ଼ିଶାର ସାହିତ୍ୟ ଏହି ଭୋକକୁ ତା’ର ସକଳ ମାନବିକ ପରିସୀମା ଦେଇ ଗ୍ରହଣ କରି ପାରୁଥାନ୍ତା କି ! ଓଡ଼ିଶାର ସାଂସ୍କୃତିକ ଉଦ୍ୟମମାନ ଏହି ଭୋକିଲା ମଣିଷକୁ ମଧ୍ୟ ଆପଣା ସାଙ୍ଗରେ ନେବାର ସମ୍ଭ୍ରମ ରଖିଥାନ୍ତା କି ! ବର୍ତ୍ତମାନ ରାଜନୀତି, ସାହିତ୍ୟ ଓ ସଂସ୍କୃତି ନାମରେ ସେଠି କେତେ ଲୋକଙ୍କର ଯେଉଁ ବିଳାସ ଚାଲିଚି, ତାହା ଯେପରି ଆମ ସମସ୍ତଙ୍କର ଭୋକ ଭୁଲାଇ ଦେବାର ଫନ୍ଦି କରୁଚି । କେବଳ ପେଟର ଭୋକ ନୁହେଁ, ମାନବିକ ଜୀବନର ଯାବତୀୟ ଭୋକକୁ ଭୁଲାଇ ଦେବାର ଫନ୍ଦି କରୁଚି, ଆମ ହୃଦୟକୁ ପଥର କରିଦେବାର ଚେଷ୍ଟା କରୁଚି । କାରଣ, ପେଟର ଭୋକକୁ ଯିଏ ଅନୁଭବ କରି ନପାରୁଚି, ସିଏ ମଣିଷ ଜୀବନର ଅନ୍ୟାନ୍ୟ ଭୋକକୁ ଚିହ୍ନୁଚି ବୋଲି କିପରି କୁହାଯାଇ ପାରିବ ? ମଣିଷ ସଂସାରରେ ସେ ପ୍ରାୟ ଏକଘରିଆ ହୋଇ ରହିଚି ।

 

୧୫ । ୦୪ । ୬୬

 

ଆମେରିକା ସରକାର କୁଆଡ଼େ ଦକ୍ଷିଣ ଭିଏତ୍‌ନାମ୍‌ରୁ ଫଉଜ ହଟାଇ ନେବାକୁ ବିଚାରୁଚନ୍ତି । ସେମାନଙ୍କ ଶିବିରରେ ତଥାପି କେତେଜଣ ଭାବୁଚନ୍ତି ଯେ, ଭିଏତ୍‌ନାମର ଆମେରିକା ରକ୍ଷିତ ସାମରିକ ସରକାର ଭାଙ୍ଗିଗଲେ ନୂତନ ଯେଉଁ ସରକାର ଗଢ଼ା ହେବ, ତାହା ଆମେରିକାକୁ ଦେଶରୁ ବାହାରି ଯିବାଲାଗି କହିବ । ସେହି ଦୃଷ୍ଟିରୁ ତାହା ପୂର୍ବରୁ ଭଦ୍ରଲୋକ ପରି ବାହାରି ଆସିବା ଉଚିତ ବୋଲି ସେମାନେ ଭାବୁଚନ୍ତି । ପୁଣି କେତେକ କହୁଚନ୍ତି, ନାଇ ନୂଆ ସରକାର ଆମକୁ ଦେଶରୁ ଚାଲି ଯିବାପାଇଁ ଅନୁରୋଧ କରିବ ତ ଆମେ ଯିବା, ନଚେତ୍ ଆମେ ହିଁ ଭିଏତ୍‌ନାମ ତରଫରୁ ଯୁଦ୍ଧ ଲଢ଼ିବା ଅର୍ଥାତ୍ ସରକାର ଆମେ ହିଁ ଚଳାଇବା । ବିଂଶ ଶତାବ୍ଦୀରେ ଯେ ଅନ୍ୟାନ୍ୟ ନାନାପ୍ରକାରେ ସଭ୍ୟ ହୋଇ ବସିଥିବା ମଣିଷ ଏପରି ଅସଭ୍ୟ ଓ ବର୍ବର ଭାବରେ ଭାବି ପାରୁଚି, ତାହାହିଁ ମୋତେ ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଚି । ଗତ ପ୍ରାୟ ଦଶବର୍ଷ ହେଲା ଏତେ ମଣିଷ ମାରି ତଥାପି ଅପମାନ ହୋଇନାହିଁ ଯେ, କୌଣସି ଦେଶର ସରକାର ତୁମକୁ ତା’ରାଜ୍ୟ ଛାଡ଼ି ଚାଲିଯିବାକୁ କହିଲେ ତୁମକୁ ଅପମାନ ଲାଗୁଚି, ଏବଂ ସେଥିପାଇଁ ତୁମେ ସମ୍ମାନରକ୍ଷା ଲାଗି ତା’ର ଅନୁରୋଧରେ ଅପେକ୍ଷା କରି ବସିଚ ! ଆନ୍ତର୍ଜାତିକ ସମ୍ବନ୍ଧରେ ଏପରି ବର୍ବର ନିର୍ବୋଧତାମାନ ଯଦି ମଣିଷ ଭାଗ୍ୟର ନିଷ୍ପତ୍ତି କରେ, ତେବେ ଆମ ପୃଥିବୀରେ ଯୁଦ୍ଧଲାଗି ହିଁ ମଣିଷର ହାତ କୁଣ୍ଡାଇ ହେବାରେ ଲାଗିଥିବ । ଟିକିଏ ଓର ପାଇଲେ ଗୋଟାଏ ରାଜ୍ୟ ଆଉଗୋଟାଏ ରାଜ୍ୟ ଉପରେ ଝାମ୍ପ ମାରିବାକୁ ଯାଉଥିବ । ସକଳ ପୃଥିବୀକୁ ଶତ୍ରୁ ବିପଦରୁ ରକ୍ଷା କରିବାର ଜବରଦସ୍ତି ନେଇ ସାରା ପୃଥିବୀକୁ ଉଚ୍ଛନ୍ନ କରିବାକୁ ଯାଉଥିବ । ତେବେ ଶାନ୍ତି ଆଣିବ କିଏ ? ମଣିଷର ଭାଗ୍ୟ ଓ ଅଭିଳାଷ ଅନୁସାରେ ରାଜନୀତିର ପୁନର୍ଗଠନ ଆଉ କେବେ ହେବ ?

 

୧୬ । ୦୪ । ୬୬

 

କାଲି ବହିଲେଖା ସରିଗଲା । ମନଟା ଭାରି ହାଲୁକା ଲାଗିଲା । ବହି ଲେଖିବାଟାକୁ ମୁଁ ବାହାରୁ କାହାର ଜବରଦସ୍ତି ବୋଲି ଭାବୁଥିଲି ବୋଲି ନୁହେଁ, ମାତ୍ର ଏଣିକି ମୁଁ ଅଧିକ ସ୍ଵାଧୀନତାର ସହିତ ପଢ଼ିପାରିବି ଓ ଚିନ୍ତା କରିପାରିବି ବୋଲିଏପରି ହାଲୁକା ଲାଗିଲା । ଗତ କେତେମାସ ହେବ ମୁଁ ଆପଣାକୁ ଏକପ୍ରକାର ଶୃଙ୍ଖଳା ସୀମାରେ ବାନ୍ଧି ରଖି ଆସିଥିଲି । ଫଳରେ କେବଳ କେତୋଟି ନିର୍ଦ୍ଦିଷ୍ଟ ବିଷୟରେ ବହି ପଢ଼ୁଥିଲି, କେବଳ କେତୋଟି ନିର୍ଦ୍ଦିଷ୍ଟ ଆୟତନ ଭିତରେ ହିଁ ଚିନ୍ତା କରୁଥିଲି-। ମୋ’ର ଲେଖା ଲାଗି ଯାହା ପ୍ରୟୋଜନ ହେଉଥିଲା, ପ୍ରାୟ ସେତିକି ପଢ଼ୁଥିଲି । ଆହୁରି ନାନାଠାରେ ନାନା କଥା ପଢ଼ିବାକୁ ରହିଥିଲେ ମଧ୍ୟ ମୁଁ ସତେ ଯେପରି କୌଣସି ଅନ୍ତର୍ମଣିଷର ଆଦେଶ ପାଇନଥିବା ପରି ସେଠାରୁ ଫେରି ଆସୁଥିଲି । ଜୀବନରେ ଏହି ଆତ୍ମଶୃଙ୍ଖଳା ଓ କର୍ତ୍ତବ୍ୟ ପାଖରେ ଆତ୍ମସମର୍ପଣର ଆବଶ୍ୟକତା ଅବଶ୍ୟ ରହିଚି, ମାତ୍ର ସ୍ଵାଧୀନତାର ବି ଆବଶ୍ୟକତା ରହିଚି । ମୁଁ ଜାଣେ ଏହିପରି ସ୍ଵାଧୀନ ଆହରଣ ଓ ବିଚାର ଓ ସମ୍ପର୍କର ରାଜ୍ୟରେ ସ୍ଵାଧୀନ ବିଚରଣ କରୁକରୁ ପୁଣି ମୋ’ର ମନ ଓ ହୃଦୟରେ ଦାନା ବାନ୍ଧିବାକୁ ଆରମ୍ଭ କରିବ ଓ ମୁଁ ପୁଣି କେଡ଼େ ଆଗ୍ରହର ସହିତ ସ୍ଵେଚ୍ଛାଶୃଙ୍ଖଳାରେ ଆପଣାକୁ ସମାହିତ କରି ଧରି ପୁଣି କିଛି ଲେଖିବା ଆରମ୍ଭ କରିଦେବି । ଜୀବନରେ ଏହି ରୀତିଟି ସହିତ ମୋ’ର ଖୁବ୍ ଭଲ ପରିଚୟ ରହିଚି । ତେଣୁ ଭ୍ରମରେ ପଡ଼ିଯିବାର ବା ବିଚଳିତ ହେବାର କୌଣସି ଭୟ ନାହିଁ । ମୋ’ର ଦଉଡ଼ା ମୋ’ରି ହାତରେ ଅଛି-। ଦଉଡ଼ି ଛାଡ଼ିବା ଓ ଦଉଡ଼ି ଗୁଡ଼ାଇ ଆଣିବାର ସ୍ଵାଧୀନତା ବି ମୋ’ର ଅଛି ।

 

୧୭ । ୦୪ । ୬୬

 

ଗୋଟାଏ ବହି ସରିବ, ଆଉ ଗୋଟାଏ ବହି ଲାଗି ମନ ଭିତରେ ବିଚାରର ଦାନା ବାନ୍ଧିବ । ତାହାର ଅର୍ଥ, ମୁଁ ପଛକୁ ପଛରେ ପକାଇଦେଇ ଯିବିନାହିଁ, ପଛକୁ ରାସ୍ତା ପରି ବ୍ୟବହାର କରି ବର୍ତ୍ତମାନ ଦେଉଳବେଢ଼ା ଭିତରେ ପ୍ରବେଶ କରୁଥିବି । କେବଳ ବହି ଲେଖିବାର କ୍ଷେତ୍ରରେ ନୁହେଁ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହାହିଁ ହୋଇଚି, ଜୀବନରୁ ପ୍ରଧାନତଃ ଏକ ଆବିଷ୍କାର ଯାତ୍ରା ବୋଲି ମାନି ନେଇଥିବା ପ୍ରତ୍ୟେକ ଲୋକର ଜୀବନରେ ସମ୍ଭବତଃ ଏହାହିଁ ହେଉଥିବ । କାଲିଠାରୁ ବହି ସରିଗଲାଣି, କାଲିଠାରୁ ଆଶ୍ଵସ୍ତି ଲାଗୁଚି । ତଥାପି କାଲିଠାରୁ ନୂଆ ଖୋଜା ମଧ୍ୟ ଆରମ୍ଭ ହୋଇ ଗଲାଣି । କେବଳ ଏକ ନୂଆ ବହି ଲେଖିବାର ଖୋଜା ନୁହେଁ, —ନୂଆ ବହିରୁ ନୂଆ ନୂଆ ବିଚାରର ଖୋଜା ମଧ୍ୟ ଆରମ୍ଭ ହୋଇଗଲାଣି । ଗତ କେତେ ବର୍ଷ ହେଲା ପ୍ରଧାନତଃ ମୁଁ ଏହାହିଁ କରିଚି । ରାସ୍ତାକଡ଼ରୁ ସାଉଁଟି ମୁଁ ରାସ୍ତାରେ ଚାଲିବାର ସର୍ବାଧିକ ପ୍ରେରଣା ପାଇଚି । ରାସ୍ତାରେ ଭେଟି ମୁଁ କେତେ ବିଚାର ଓ କେତେ ମଣିଷଙ୍କ ସହିତ ଜୀବନର ସର୍ବବଳିଷ୍ଠ ସଖ୍ୟମାନ ସ୍ଥାପନ କରି ପାରିଚି । ଏଗୁଡ଼ାକୁ ଛାଡ଼ିଦେଲେ ଜୀବନରେ ମୋ’ର ବୋଲି କହିବାର ଆଉ କ’ଣ ଥାଆନ୍ତା, ଯାହାକି ମୋ’ର ହୃଦୟକୁ ପରିପୂର୍ଣ୍ଣ କରିଦେଇ ପାରୁଥାନ୍ତା ? ମୋ’ର ଜୀବନ ଦେବତା ମୋ’ ଭିତରେ ଏହି ଚାଲିବାର ଓ ରାସ୍ତାକଡ଼ରେ ଏହିପରି ବାନ୍ଧିହୋଇ ପଡ଼ିବାର ନିତ୍ୟନୂତନ ଅବସରମାନ ସୃଷ୍ଟି କରି ରଖିଥାଉ । ତାହାକୁ ହିଁ ମୁଁ ସୌଭାଗ୍ୟ ବୋଲି ଗ୍ରହଣ କରୁଥିବି ।

 

୧୮ । ୦୪ । ୬୬

 

ମୋ’ର ଦେଶ କୁଆଡ଼କୁ ଯାଉଚି, ଏହାର ଉତ୍ତର ଖୋଜି ମୁଁ ଯଦି ମୋ’ର ଚାରିପାଖକୁ ଅନାଇବି, ତେବେ ମୁଁ ଅତ୍ୟନ୍ତ ନିରାଶ ହୋଇପଡ଼ିବ । ଦେଶର ପ୍ରଧାନ ପ୍ରଧାନ ସମସ୍ୟା ବିଷୟରେ ମୁଁ ଅବଶ୍ୟ ଅଧ୍ୟୟନ କରେ, ମାତ୍ର ସମସ୍ୟା କହିଲେ ମୁଁ ପ୍ରଧାନତଃ ଆମ ଦେଶର ମଣିଷଙ୍କୁ ବୁଝିଥାଏ, ଯେଉଁମାନେ କି ଏହି ସମସ୍ୟାର ବାହକ ହୋଇ ରହିଚୁ ଓ ଇଚ୍ଛା କରୁଥିଲେ ଆମେ ଏଗୁଡ଼ିକର ସମାଧାନ ମଧ୍ୟ କରି ପାରୁଥାନ୍ତୁ । ଆପଣାର ଚାରିପାଖରେ ରହିଥିବା ମୋ’ର କର୍ମକ୍ଷେତ୍ରଟିର ମଣିଷମାନଙ୍କୁ ଦେଖି ହିଁ ମୁଁ ଅନ୍ୟ ମଣିଷଙ୍କର ବିଚାର କରିଥାଏ । ଏଠାରେ ଆମେ ସମସ୍ତେ ମିଶି କି କି କାଣ୍ଡ ନକରୁଚୁ, ଯୋଉଥିଲାଗି ଆମକୁ ବେତନ ଦିଆଯାଉଚି, ସେଥିପ୍ରତି କି ଜଘନ୍ୟ ଉଦାସୀନତା ନ ଦେଖାଉଚୁ । ଆମେ ସମସ୍ତେ ଅବସର ପାଇଲେ ଦେଶଟାଯାକର ନିନ୍ଦା କରି ଆସୁଚୁ, ଆମର ଅବସରବିନୋଦନ କହିଲେ ହୁଏତ ପ୍ରଧାନତଃ ଏହି ନିନ୍ଦାକୀର୍ତ୍ତନକୁ ହିଁ ବୁଝାଉଚି । ମାତ୍ର, ଆମେ ପ୍ରତ୍ୟେକେ ଯେଉଁ ବିଶେଷ ବିଶେଷ କର୍ମଦାୟିତ୍ଵରେ ରହିଚୁ, ସେହି ବିଷୟରେ ଆମେ କେଡ଼େ ଅକର୍ମଣ୍ୟ, ତଥାପି କେଡ଼େ ବେପରୁଆ ହୋଇ ନରହିଚୁ ! ଆମ ଭିତରେ କୋଉଠି କେଉଁ ଶିକ୍ଷିତ ଦୃଷ୍ଟିକୋଣ ରହିଚି ବୋଲି ମନେ ହେଉନାହିଁ । ଶିକ୍ଷାର ଆଗ୍ରହର ରହିଥିବା ତ ପର କଥା, କୌଣସି ପ୍ରକାର ଶୁଭ ଓ ଅନ୍ତର୍ଗତ ଆଗ୍ରହ ନେଇ ଆମେ ଏହି କର୍ମକ୍ଷେତ୍ରରେ ପ୍ରବେଶ କରିଚୁ କି ନାହିଁ, ସେ କଥାର ଉତ୍ତର ଖୋଜିଲେ ଅନେକ ସମୟରେ ବିସ୍ମିତ ହେବାକୁ ପଡ଼ୁଚି । ଯେକୌଣସି ଜାଗାରେ ଆମେ କାମ କରୁଚୁ, ଯେତେ କମ୍ କାମ କରି ଯେତେ ବେଶୀ ନେଇ ପାରିବାର ଦୁଷ୍ଟ ବୁଦ୍ଧି ଧରି ଆମେ ଏଠାକୁ ଆସିଚୁ । ଆମ ସମାଜ ମଧ୍ୟ ବାବୁଗିରି ଗୁଡ଼ାକର ପ୍ରଶଂସା କରିବାରେ ଏତେଦୂର ଅଭ୍ୟସ୍ତ ହୋଇ ଯାଇଚି ଯେ, ଆମର ଅବହେଳା ଓ ଉଦାସୀନତାକୁ ଦେଖି ମଧ୍ୟ ଦେଖି ପାରୁନାହିଁ । ଏହାଠାରୁ ଅଧିକ ସୁଖ ଓ ଆରାମ ଆମେ କେଉଁଠି ଆଶା କରିଥାନ୍ତି ।

 

୧୯ । ୦୪ । ୬୬

 

I am my brother’s keeper, I am my own keeper, —ଦୁଇଟି ଉକ୍ତି ଭିତରେ କୌଣସି ଅନ୍ତର ରହିବା ଉଚିତ ନୁହେଁ । ମୋ’ର ପ୍ରତିବେଶୀକୁ ରକ୍ଷା କରିବାଲାଗି ମୋତେ ଯଦି ମୋ’ର ଅନ୍ତର୍ଗତ ଜୀବନପଥରୁ ବିଭ୍ରଷ୍ଟ ଓ ବିଚ୍ୟୁତ ହେବାକୁ ପଡ଼େ, ତେବେ ମୋ’ଦ୍ଵାରା ମୋ’ ପ୍ରତିବେଶୀର ବି ରକ୍ଷା ହୋଇ ପାରିବନାହିଁ । କିନ୍ତୁ ମୋ’ର ନିଜର ରକ୍ଷା ବା ସୁରକ୍ଷା ଲାଗି ଯଦି ମୁଁ ମୋ’ର ପ୍ରତିବେଶୀ ପ୍ରତି ଆଖି ବୁଜିଦିଏ, ତେବେ ମୋ’ ଭିତରେ ମୁଁ ଯାହାର ରକ୍ଷା କରୁଥିବାର ଭ୍ରମ କରୁଥିବି, ତାହା ପ୍ରକୃତରେ ମୋ’ର ଅନ୍ତର୍ଗତ ମୁଁ ନୁହେଁ, ଯାହାକୁ ଆଧୁନିକ ମନୋବିଜ୍ଞାନରେ Inner Self ବା Real Self ବୋଲି କୁହାଯାଇଚି । ମୋ’ଠାରୁ ପଳାଇ ଯିବାକୁ ବସିଲେ ହୁଏତ ମୁଁ ମୋତେ ଛାଡ଼ି ପ୍ରତିବେଶୀମାନଙ୍କର ରକ୍ଷା କରିବାର ବାହାନା କରୁଥିବି ବା କୌଣସି ସ୍ଵାର୍ଥ ବା ଅନ୍ଧତା ଭିତରେ ଆପଣାକୁ ଘୋଡ଼ାଇ ରଖିବାର ଧନ୍ଦାରେ ପଡ଼ି ଯାଇଥିବି । ମୋ’ର ଓ ମୋ’ର ପ୍ରତିବେଶ ଭିତରେ ଯେଉଁଠି ଅନ୍ତର ରହିଯିବ, ଏତେ ଅନ୍ତର ରହିଯିବ ଯେ ମୋତେ ଗୋଟାକୁ ଛାଡ଼ି ଆଉ ଗୋଟାକୁ ଧରିବାକୁ ବାଧ୍ୟ ହେବାକୁ ପଡ଼ିବ, ସେଠି ମୁଁ ପ୍ରକୃତରେ କାହାରି ସୁରକ୍ଷା କରି ପାରିବିନାହିଁ । କାରଣ ଅସଲ କଥା ହେଉଚି ମୁଁ ଆପଣା ଭିତରେ ଯାହାକୁ ହିଁ ସବୁଠାରୁ ଅଧିକ ମୂଲ୍ୟବାନ୍ ସମ୍ପଦ ବୋଲି ମଣୁଥିବି, ମୋ’ର ପ୍ରତିବେଶୀ ଭିତରେ ମୁଁ କେବଳ ତାହାରି ହିଁ ରକ୍ଷା କରି ପାରିବି ! ପୁଣି, ପ୍ରତିବେଶୀ ଭିତରେ ମୁଁ କେବଳ ତାହାରି ହିଁ ରକ୍ଷା କରି ପାରିବି ! ପୁଣି, ପ୍ରତିବେଶୀ ଭିତରେ ରକ୍ଷା କରିବାକୁ ଯାଉଥିବା ଜୀବନମୂଲ୍ୟକୁ ଯଦି ମୁଁ ମୋ’ର ଜୀବନରେ ଗ୍ରହଣୀୟ ବୋଲି ମାନୁନଥିବି, ତେବେ ମୋ’ର ସକଳ ରକ୍ଷାପ୍ରୟାସ କେବଳ ବିଡ଼ମ୍ବନା ହିଁ ହେବ । ମୋ’ ଜୀବନପ୍ରୟାସ ଖାଲି ଏକ ପ୍ରହସନ ହିଁ ହେବ ।

 

୨୦ । ୦୪ । ୬୬

 

ଅନେକ ସମୟରେ ମନ ଭିତରେ କେତେ ବିଚାର ପୂର୍ଣ୍ଣ ହୋଇ ରହିଥାଏ, ମାତ୍ର ଲେଖିବାର ସମୟ ନଥାଏ । ହୃଦୟର ପାତ୍ରଟି କେତେ କ’ଣ ଅଜାଡ଼ି ଦେବାକୁ ଅଣାଇ ହୋଇ ରହିଥାଏ, ତଥାପି ତର ନଥାଏ । ପୁଣି ଅନେକ ସମୟରେ କଲମ ଖାତା ସଜାଡ଼ି ବସିଲେ ମଧ୍ୟ ଶବ୍ଦ ଫୁରେ ନାହିଁ, ହାତ ଚାଲେନାହିଁ, ଘରଟାଯାକ ଖାଲି ଶୂନ୍ୟ ପଡ଼ିଥିଲା ପରି ମନେହୁଏ । ଆପଣା ଘରୁ ଫାଙ୍କି ଦେଲାପରି ଖାଲି ବାହାରେ ବାହାରେ ବୁଲିବା ପରି ମନେ ହୁଏ । ଏପରି କାହିଁକି ହୁଏ, ତାହାର କାରଣ ଖୋଜିଦେବାକୁ ବେଳ ନାହିଁ । ହୁଏତ ତା’ର ଅନେକ କାରଣ ରହିଚି । କିନ୍ତୁ ଅନୁଭୂତିରୁ ମୁଁ ଏତିକି କହିବି ଯେ, ପୁଣି ଖିଅ ଯୋଡ଼ିବାର ବ୍ୟାକୁଳତା ଉତ୍ପନ୍ନ କରିବା ଲାଗି ଖିଅ ଛିଡ଼ିଯିବାର ଶୂନ୍ୟ ମୁହୂର୍ତ୍ତ ଗୁଡ଼ିକ ଭାରି କାମରେ ଆସେ । ମଝିରେ ମଝିରେ ହାତ ଛାଡ଼ିଯାଏ, ଭୂଇଁ ତଳୁ ଆଶ୍ରା ଖସିଯାଏ; କିନ୍ତୁ ତା’ର ପରକ୍ଷଣରେ ସେହି ହାତର ଅନୁସନ୍ଧାନରେ ଓ ପାଦତଳେ ଭୂଇଁର ସନ୍ଧାନରେ ବିଶ୍ଵଭୁବନ ବୁଲି ନଆସିଲେ ତାର ସହେନାହିଁ । ତେଣୁ, ଦଣ୍ଡେ ବିସୁରିଗଲି ଆପଣାକୁ ନିନ୍ଦିବାକୁ ବା ଅଯୋଗ୍ୟ ବୋଲି କହିବାକୁ ବା ବେଳ କାହିଁ ? ଏହାକୁ ମୁଁ ପଥ ହୁଡ଼ିବା ବୋଲିବା କାହିଁକି କହିବି ? ପଥ ହୁଡ଼ିବାକୁ କେଉଁ ମଣିଷ ଚାହେ, ବେଳ ଜାଣି କେଉଁଠି ଆପଣାକୁ ଅଜାଡ଼ି ଦେବାର ମନ କରି କେଉଁ ହୃଦୟ ଅଣାଇ ହୋଇ ରହିନଥାଏ ? ଖିଅ ଛିଡ଼ାଇ ପଳାଇବାକୁ ଯିଏ ଚାହେଁ ? ଏହି ଜୀବନର ସଖ୍ୟ କାହାକୁ ପିତା ଲାଗେ ? ତେଣୁ ମୁଁ କାହାର ନିନ୍ଦା କରିବି ? ଶାସନ ବା କାହାର କରିବି ? ଦଣ୍ଡକରି ବ୍ୟତିକ୍ରମ ଲାଗି ମୁଁ ଆପଣା ଉପରେ ବିଶ୍ଵାସ କରି ବସିବି ବା କାହିଁ-?

 

୨୧ । ୦୪ । ୬୬

 

ମନ ଭିତରଟା ଭାରି ଖାଲି ଖାଲି ଲାଗୁଚି । ତା’ ବୋଲି ମନଟା ଯେ ଏକାବେଳେକେ ଖାଲି ହୋଇଗଲାଣି, ସେକଥା ଆଦୌ ନୁହେଁ । ମନ ଭିତରେ ହଠାତ୍ କୌଣସି ସନ୍ତାପ ନଥିଲା ପରି ଜଣାପଡ଼ୁଚି । କେତେ ଅପୂର୍ଣ୍ଣ ମନାସର ଜ୍ଵାଳାମାନ ଯେପରି ଅନେକ ସମୟରେ ମୋ’ର ମନକୁ ନାନାପ୍ରକାରେ କ୍ଷୁର୍ଣ୍ଣ ଓ ଅସନ୍ତୁଷ୍ଟ କରି ରଖିଥାଏ, ଭିତରକୁ ଅନାଇ ମୁଁ ବର୍ତ୍ତମାନ ସେପରି କୌଣସି ଅନୁଭୂତି ପାଉନାହିଁ । କେବଳ ବ୍ୟକ୍ତିଗତ ଜୀବନର ଅପୂର୍ଣ୍ଣତା ଗୁଡ଼ାକ ନୁହେଁ, ସାମାଜିକ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କେତେ ଅପୂର୍ଣ୍ଣତା ଗୁଡ଼ାକ ସକାଶେ ମୋ’ ଭିତରେ ସତେଅବା ରୁଷି କରି କେହି କେହି ବସିଥିବା ପରି ଲାଗୁଥାଏ । ସବୁଠାରେ ସବୁକଥା ଆଜି ବା ଏଇ ମୁହୂର୍ତ୍ତରେ ସଜାଡ଼ି ହୋଇ ନଗଲେ ତା’ର ରୁଷା ଭାଙ୍ଗିବ ନାହିଁ ବୋଲି ମନେ ହେଉଥାଏ । ସେତେବେଳେ ଗୋଟାଏ ପ୍ରକାରର ବିରକ୍ତିକର ବୈରାଗ୍ୟ ଦେଖାଇ ମୁଁ ଆପଣାର ତଟସ୍ଥତା ପ୍ରଚାର କରି ବୁଲୁଥାଏ । କିନ୍ତୁ ଆଉ ଗୋଟାଏ ଗୋଟାଏ ସମୟରେ ସମସ୍ୟା ଗୁଡ଼ାକ ବା ଅପୂର୍ଣ୍ଣତା ଗୁଡ଼ାକ ଏପରି ମାଡ଼ି ମାଡ଼ି ପଡ଼େନାହିଁ । ମୁଁ ନିଜକୁ ଏହି ସମସ୍ୟାକ୍ଷେତ୍ର ଗୁଡ଼ିକର ଅଂଶ ବୋଲି ବଡ଼ ସ୍ଵାଭାବିକ ଭାବରେ ଗ୍ରହଣ କରିନିଏ ଓ କୌଣସି ପ୍ରକାର କୋଳାହଳ ନକରି ଆପଣାର କାର୍ଯ୍ୟ କରି ଯାଉଥାଏ । ସମସ୍ୟା ଗୁଡ଼ିକର ସମାଧାନ କରି ଜୀବନ ବଞ୍ଚି ହୁଏନାହିଁ, ସ୍ଵାଭାବିକ ଭାବରେ ଜୀବନ ବଞ୍ଚିବାର ପ୍ରକ୍ରିୟାରେ ହିଁ ସମସ୍ୟା ଗୁଡ଼ିକର ସମାଧାନ ହୋଇ ଯାଉଥାଏ ।

 

୨୨ । ୦୪ । ୬୬

 

ଗତ ଚାରିମାସ ହେଲା ବହି ଲେଖିବାରେ ଏପରି ବ୍ୟସ୍ତ ରହିଥିଲି ଯେ, Manas ପଢ଼ିବାର କାର୍ଯ୍ୟକ୍ରମଟି ଏକାବେଳେ ବନ୍ଦ ହୋଇ ଯାଇଥିଲା । Manas ଆମେରିକାର ଏକ ସପ୍ତାହିକ ପତ୍ରିକା; ତଥାପି ଭାରତବର୍ଷରେ ବଞ୍ଚି ରହିବାକୁ ଚେଷ୍ଟା କରୁଥିବା ଏକ ତରୁଣ ମନ ଲାଗି ଏହାର ଅବଦାନ ମୁଁ ସବୁବେଳେ ସ୍ଵୀକାର କରୁଥିବି । ଏହି ପତ୍ରିକା ମୋତେ ଅନେକବାର ଆପଣା ପଥକୁ ଫେରାଇ ଆଣିଚି, ଆପଣା ଭିତରକୁ ଫେରାଇ ଆଣିଚି । ସଂସାରଟା ଯାକ ସମସ୍ତେ କାହିଁକି ଏକାବେଳେକେ ଭଲ ହୋଇ ସଂସାରଟାକୁ ଭଲ କରି ଦେଇନାହାନ୍ତି ବୋଲି ଯେତେବେଳେ ମୁଁ ବ୍ୟସ୍ତ ଓ ବିରକ୍ତ ହୋଇ ପଡ଼ିଚି, ସେତିକିବେଳେ ଏହି ପତ୍ରିକାର ଲେଖାଗୁଡ଼ିକ ମୋତେ ଆପଣା ଭିତରକୁ ନେଇ ଆସିଚି, ଓ ଆପଣାର କ୍ଷେତ୍ରରେ ରହି ସକଳ ଅଥଚ ବିଦ୍ଵେଷହୀନ ବିଶ୍ଵାସରେ ଏହି ଲକ୍ଷ୍ୟର ପ୍ରାପ୍ତି ଲାଗି ଆପଣାର କାର୍ଯ୍ୟ କରିବାଲାଗି ମୋତେ ଯଥେଷ୍ଟ ଶାନ୍ତ କରାଇ ଦେଇ ଯାଇଚି-। ଯେତେବେଳେ ମୁଁ ଆପଣା ଭିତରେ ବନ୍ଦ ହୋଇ ରହିବାର ଚକ୍ରାନ୍ତ କରିଚି, ଆପଣାର ବା ଆପଣା ଦେଶର ସ୍ଵାର୍ଥ ବ୍ୟତୀତ ଆଉ କେଉଁଠାରେ କିଛି ରହିଚି ବୋଲି ମୁଁ ସ୍ଵୀକାର କରିବାକୁ ବି ନାସ୍ତି କରିଦେଇଚି, ସେତେବେଳେ ଏହି ପତ୍ରିକାର ବିଚାରଗୁଡ଼ିକ ମୋ’ର ମନକୁ ଏକ ବିଶ୍ଵବ୍ୟାପୀ ପ୍ରସାର ଦେବାକୁ ଚେଷ୍ଟା କରିଚି; ଦେଶ ବା ଜାତିକୁ ନୁହେଁ, ମାତ୍ର ମଣିଷକୁ କେନ୍ଦ୍ର କରି ଆପଣାର ଦୃଷ୍ଟିପଥ ତିଆରି କରିବାଲାଗି ତାହା ମୋତେ ଉଦ୍‌ବୋଧନ ଦେଇଯାଇଚି । ସବୁଠାରୁ ବଡ଼ କଥା ହେଉଚି ଯେ, ଏହି ପତ୍ରିକା କୌଣସି ବିଚାରକୁ ଆଣି ମୋ’ ଉପରେ ଲଦି ଦେଇନାହିଁ ବା ମୋ’ ସଂସାରର ସମସ୍ୟାଜାଲରୁ ଆଉ କେଉଁ ଶାନ୍ତିମୟ ରାଜ୍ୟକୁ ପଳାଇ ଯିବାକୁ କୌଣସି ପ୍ରରୋଚନା ଦେଇନାହିଁ ।

 

୨୩ । ୦୪ । ୬୬

 

ବଞ୍ଚିବାକୁ ହିଁ ପଡ଼ିବ । କେବଳ ଯେକୌଣସି ପ୍ରକାରେ ଦିନ କାଟି ଆପଣାର କର୍ମକୁ କାଟିବାକୁ ନୁହେଁ, ଆପଣା ଭିତରର ସକଳ ଶୁଭବାସନାର ବୋଲି ମନି ବଞ୍ଚି ରହିବାକୁ ପଡ଼ିବ । ଏହିସବୁ ଶୁଭବାସନାକୁ ଯଦି ଏହି ସଂସାରରେ ଆଦର୍ଶ ବୋଲି କୁହାଯାଏ, ତେବେ ମୁଁ କହିବି, ଜୀବନର ପ୍ରତି ମୁହୂର୍ତ୍ତରେ ପାତ୍ରକୁ ଏହି ଆଦର୍ଶ ଦ୍ଵାରା ଭରାଇ ରଖିଥିଲେ ହିଁ ଜୀବନରେ ପରିପୂର୍ଣ୍ଣତାର ସ୍ଵାଦ ମିଳି ପାରିବ, ବିଶ୍ଵାସର ଚେର ଉପରେ ଜୀବନକୁ ଠିଆ କରାଇବା ସମ୍ଭବ ହୋଇପାରିବ । ଏହି ଆଦର୍ଶର ଅଭାବରେ କେବଳ କେତେଟା ପ୍ରକାରର ଅଫିମ ଖାଇ ଜୀବନରେ ସମ୍ମୋହିତ ହୋଇ ରହିବା ହିଁ ସାର ହେବ । ଅନେକ ଅଫିମ ଆମକୁ ଉତ୍ତେଜିତ କରି ରଖେ, ବାହାର ଭୂମି ବିଷୟରେ ଆମକୁ ଅନ୍ଧ କରି ରଖେ, ତେଣୁ ଆପଣାର ଭିତରଟାକୁ ମଧ୍ୟ ଭଲ କରି ଦେଖି ହୁଏ ନାହିଁ । ପୁଣି, ଆହୁରି କେତେପ୍ରକାର ଅଫିମ ରହିଚି, ଯାହାକୁ ଖାଇଲେ ଯାହା ଅଛି ତାହାକୁ ହିଁ ମାନିନେଇ ନିଷ୍କ୍ରିୟ ହୋଇ ବସି ରହିବାକୁ ଇଚ୍ଛା ହୁଏ, ଆପଣା ଭିତରକୁ ଅନାଇବାର ସବୁ ଗବାକ୍ଷ ବନ୍ଦ ହୋଇଯାଏ, —ଏବଂ ସେହି କାରଣରୁ ବାହାରି ଭୂମି ବିଷୟରେ ମଧ୍ୟ ଆଉ କୌଣସି ସଚେତନତା ରହେ ନାହିଁ । ମୋ’ର କୌଣସିଟି ହିଁ ଲୋଡ଼ାନାହିଁ । କାରଣ, ମୁଁ ଆପଣା ଶୁଭବାସନାର ଯାବତୀୟ କର୍ମପ୍ରେରଣା ଦ୍ଵାରା ମୋ’ର ଜୀବନକୁ ଭରାଇ ରଖିବାକୁ ଚାହେ । ମୋ’ ସହିତ କେହି ସାଥୀ ନମିଳିଲେ ମଧ୍ୟ ମୁଁ ଧଳାକୁ ଓ କଳାକୁ ବୋଲି କହିବାକୁ ଚାହେ । ଏହାହିଁ ମୋ’ର ବାଟ ।

 

୨୪ । ୦୪ । ୬୬

 

ଏହି ପୃଥିବୀରେ ଆଉ ବକ୍ତୃତା ଦେଲେ ଚାଳିବନାହିଁ । ପୃଥିବୀଟାକୁ ଏସା ବା ତେସା କରିଦେବେ ବୋଲି ଯେଉଁମାନେ ସବୁଠାରୁ ବେଶୀ ପାଟି କରୁଚନ୍ତି, ସେହିମାନେ ହିଁ ପୃଥିବୀଟାକୁ ପୁରୁଣା ଜଞ୍ଜିର ଗୁଡ଼ାକ ଭିତରେ ବାନ୍ଧି ହୋଇ ରହିବାଲାଗି ଅଧିକ ଫିକର କରୁଚନ୍ତି । ଶତ୍ରୁମାନଙ୍କ ହାତରୁ ପୃଥିବୀକୁ ବଞ୍ଚାଇବାକୁ ଯାଇ ସେହିମାନେ ହିଁ ଆପେ ପୃଥିବୀ ଓ ତା’ର ମଣିଷ ପ୍ରତି ଶତ୍ରୁତାଚରଣ କରୁଚନ୍ତି । ଏପରି ପରିସ୍ଥିତିରେ ଆମେ କେଉଁ ପତାକା ଉପରେ ଭରସା ରଖି ପାରିବା, କେଉଁ ଦେବତା ଉପରେ ବିଶ୍ଵାସ ରଖି ପାରିବା ? କଥାର ସମ୍ମାନ ଦିନେ ହୁଏତ ଅବଶ୍ୟ ରହିଥିଲା । ମାତ୍ର ଅଧିକ କଥା କହି ଆମେ ଆମ ସଂସାରରେ କଥାର ସମସ୍ତ ମୂଲ୍ୟକୁ ନଷ୍ଟ କରି ପକାଇଚୁ । ଆପଣା ବାଟରେ ଚାଲିବାଲାଗି ବା ଆପଣା ଆଡ଼କୁ ଅନାଇବା ଲାଗି ଯେତିକି ସାହସ ଦରକାର, ସେତିକି ସାହସର ଅଭାବ ରହିଥିବାରୁ ହିଁ ଆମେ କଥାର ସରଗରମ ତଳେ ଆମର ଜଡ଼ତା ଓ ଶୀତଳତା ଗୁଡ଼ାକୁ ଲୁଚାଇ ରଖିବାର ଚେଷ୍ଟା କରିଆସିଚୁ । ଅନେକ ସମୟରେ କ୍ଷମତାରେ ବସିବା ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଆମେ ମଣିଷ ହିସାବରେ ଆପଣାର କର୍ତ୍ତବ୍ୟ କରିବାକୁ ଭୁଲିଯାଇଚୁ । ଏତେ ସବୁ ହେବାପରେ ପୃଥିବୀର ମଣିଷ ଆମ କଥାରେ ଭୁଲିଯିବା ବୋଲି ଆମେ ତଥାପି କିପରି ବିଶ୍ଵାସ କରିବା ? ଆମ ନିଜ ଦେଶରେ ମଧ୍ୟ ଜାତୀୟତା ଓ ଜାତୀୟ ଏକତାର କଥା କହି ଆମେ କିପରି ମଣିଷକୁ ବୁହାଇ ଅର୍ଥାତ୍ ବୋକା ବନାଇଁ ରଖିପାରିବା ? ବାଣୀର ଏତେ ଅପମାନ ଏ ଯୁଗରେ ହୋଇଚି ଯେ, ଏ ଯୁଗରେ ମଣିଷ ପରି ବଞ୍ଚି ରହିବାକୁ ଇଚ୍ଛା କରୁଥିବା ମଣିଷ କେବଳ ସେହି ବିଷୟରେ କଥା କହିଲେ ଚଳିବନାହିଁ, ତାକୁ ସକଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେହିପରି ଜୀବନ ବଞ୍ଚିବାର ପ୍ରୟାସ କରିବାକୁ ହେବ, ସେଥିଲାଗି ତାକୁ ଯଥାର୍ଥ ଭାବରେ ନିର୍ଭୀକ ହେବାକୁ ହେବ ।

 

୨୫ । ୦୪ । ୬୬

 

ଭିତରଟା ଭାରି ଖାଲି ଖାଲି ଲାଗୁଚି । ଗହମ କଟାହେବା ପରେ ଏଇ ଖେତଗୁଡ଼ାକ ଯେପରି ଖାଲି ଖାଲି ଦେଖାଯାଉଚି, ପ୍ରାୟ ସେହିପରି । ବରଷକର କର୍ମପଥ ସାରିବା ପରେ ଆଉ କେତେଦିନ ଗଲେ ମୁଁ ଓଡ଼ିଶା ଯିବି, ଛୁଟିରେ କେତେ ଆପଣାର ଥାନ ଓ ଆପଣାର ମଣିଷଙ୍କ ସହିତ ଭେଟ ହେବି, କେତେ ଘରେ ଠିକ୍ ଆପଣାର ଘର ପରି ଲାଗିବ । ଏହିସବୁ କଳ୍ପନାରେ ଭିତରଟା କେଡ଼େ ହାଲୁକା ଲାଗୁଚି । ବହିଲେଖା ଚାଲିଥିବା ବେଳେ ମୋ’ ମୁଣ୍ଡ ଭିତରେ ସବୁବେଳେ କେତେ କ’ଣ ଭରତି ହୋଇ ରହିଗଲା ପରି ଲାଗୁଥିଲା । ପୃଥିବୀର ସବୁ ସମସ୍ୟା ଯେପରି ମୋ’ରି ମନନର ଭୂମି ଉପରେ ଖାଲି ଲହଡ଼ା ମାରିଦେଇ ଯାଉଥିଲା । ସମସ୍ୟା ଗୁଡ଼ାକର ସମାଧାନ ଖୋଜି ମୁଁ କେତେ ଗ୍ରନ୍ଥର କେତେ ଅନ୍ଦିକନ୍ଦିରେ ଯାଇ ପଶୁଥିଲି । ଗୋଟି ଗୋଟି କରି ସବୁ ରଖୁଥିଲି ଓ ସେଇଥିରେ ଆପଣାର ଭାଷା ଦେଇ ମୁଁ ସତେଅବା ଭାରି ଦୁଷ୍ଟ ହୋଇ ଉଠୁଥିଲି । ପ୍ରାୟ ଦଶଦିନ ହେବ ସେହି ବୋଝ ଉତୁରି ଗଲାଣି; ସେହି ଖେଳ ଶେଷ ହୋଇଗଲାଣି । ବର୍ତ୍ତମାନ ଦୁଇମାସ ମଣିଷଙ୍କ ସହିତ ମିଶିବା ଲାଗି ଛୁଟି ଦରକାର । ଗ୍ରନ୍ଥ ଦରକାର ନାହିଁ, ପାଣ୍ଡିତ୍ୟ ଦରକାର ନାହିଁ । ସମସ୍ୟାରୁ ଶିରା କାଢ଼ି ତାହାକୁ ହିଁ ସମାଧାନ ବୋଲି କହିବାର କୌଣସି ବାହାଦୂର ଦେଖାଇବାରେ ମଧ୍ୟ ଆଉ କୌଣସି ମନ ନାହିଁ ହୁଏତ ଦୁଇମାସ ପରେ ମୁଁ ପୁଣି ସେହି ମନ ନେଇ ମୁଁ ମୋ’ କାର୍ଯ୍ୟକ୍ଷେତ୍ରକୁ ଫେରି ଆସିବି । ମାତ୍ର ବର୍ତ୍ତମାନ ନୈବ ନୈବ ଚ ।

 

୨୬ । ୦୪ । ୬୬

 

ମଣିଷ ହିସାବରେ ବଞ୍ଚିବାକୁ ହେଲେ, ଅର୍ଥାତ୍ ଆପଣାର ମଣିଷପଣିଆକୁ ବଞ୍ଚାଇ ରଖିବାକୁ ହେଲେ ବ୍ୟକ୍ତି ହିସାବରେ ଆପଣାର ନିର୍ଭୀକତାକୁ ବଞ୍ଚାଇ ରଖିବାକୁ ହେବ । ବ୍ୟକ୍ତି ହିସାବରେ ବଞ୍ଚି ରହିବାକୁ ହେଲେ କୌଣସି ପ୍ରକାର ଉଗ୍ରତାର ଆବଶ୍ୟକତା ନାହିଁ, ନିର୍ଭୀକତାର ଆବଶ୍ୟକତା ରହିଛି । ପ୍ରଧାନତଃ ଭୟର କାରଣରୁ ଆମେ ମଣିଷର ଆତ୍ମପରିଚୟ ପାଇବା ଆଗରୁ ନାନପ୍ରକାର ସାମୂହିକତାର ଛାଞ୍ଚ ଭିତରେ ଆତ୍ମସମର୍ପଣ କରି ଦେଉଥାଉ । ଆପଣାର ଜାତି, ଆପଣାର ଜାତୀୟତା, ଆପଣାର ମତବାଦ ଓ ଏପରିକି ଦେହଟାର ରଙ୍ଗକୁ ନେଇ ଆମେ କୌଣସି ନା କୌଣସି ଅଫିମ ଖାଇ ବସିଥାଉ । ଏହିସବୁ ସାମୂହିକତାର ନ୍ୟାୟ ହିଁ ଆମ ଜୀବନର ନ୍ୟାୟ ହୁଏ, ଆଖି ବୁଜି ସେହି ସବୁର ବୋଲ ମାନି ଆପଣାର ଜୀବନ ବଞ୍ଚିବାର ଅର୍ଥାତ୍ ଜୀବନର ଗଢ଼ିବାର ଦାୟିତ୍ଵକୁ ସାରି ଦେଇଥାଉ । ଆମର ଆଉ ଅନ୍ୟ କୌଣସି ବିଚାର ରହେନାହିଁ । ସେହି ସାମୂହିକତାର ସର୍ବଯଥାର୍ଥତାରେ ମଙ୍ଗିଯିବାକୁ ହିଁ ଆମେ ଆମ ଜୀବନର ସବୁଠାରୁ ବଡ଼ ଆନନ୍ଦ ବୋଲି ବିଚାର କରିଥାଉ । ବର୍ତ୍ତମାନର ପୃଥିବୀ ଏହିପରି ନାନା ସାମୂହିକତାର ଆକ୍ରମଣ ଭିତରେ ଅବରୁଦ୍ଧ ହୋଇ ରହିଚି । ଏ ଗୁଡ଼ାକର ବଡ଼ ଡେଇଁ ଆମେ ନିଜକୁ ଜଣେ ଜଣେ ମଣିଷ ପରି ବିଚାର କରିବା ଲାଗି କ୍ରମେ ଅଧିକରୁ ଅଧିକ ଅଶକ୍ତ ହୋଇ ପଡ଼ୁଚୁ । ମଣିଷ ହିସାବରେ ବିଚାର କରିବାକୁ ଓ ଆପଣା ସମସ୍ୟାଗୁଡ଼ିକର ସମ୍ମୁଖୀନ ହୁଏତ ହେବାକୁ ଆମେ ଭୟ କରୁଚୁ । ମଣିଷର ଭଲ ଲାଗି ହୁଏତ ଦିନେ ଏହି ସାମୂହିକତା ଗୁଡ଼ିକର ଭିଆଣ ହୋଇଥିଲା । ମାତ୍ର ବର୍ତ୍ତମାନ ଏହି ସାମୂହିକତା ଗୁଡ଼ାକ ହିଁ ମଣିଷର ଜୀବନକାଳ ଗ୍ରାସ କରି ରହିଚି । ଏହି ଗ୍ରାସରୁ ବାହାରିବାକୁ ହେଲେ ଅନେକ ନିର୍ଭୀକତା ଦରକାର ।

 

୨୭ । ୦୪ । ୬୬

 

ଆପଣାର ଦୁଃଖ ସହିତ ବଞ୍ଚିବାକୁ ହେବ । ଦୁଃଖ ସବୁରି ଜୀବନରେ ଅଛି, ମୋ’ ଜୀବନରେ ମଧ୍ୟ ରହିଚି । ତେଣୁ ମୋ’ର ଦୁଃଖ ଗୁଡ଼ାକୁ ବିଜ୍ଞାପନ କରି ବୁଲିଲେ ସେଥିରେ ମୋ’ର ଦୁଃଖ ଊଣା ତ ହେବନାହିଁ, ଜୀବନର ସୁଖ ପାଇବା ବି ଦୁଷ୍କର ହୋଇ ପଡ଼ିବ । ମୋ’ ଜୀବନରେ ଦୁଃଖ ଯେମିତି ରହିଚି, ସମ୍ଭାବନା ମଧ୍ୟ ସେହିପରି ରହିଚି । ସେହି ସମ୍ଭାବନାଗୁଡ଼ିକୁ ବିକଶିତ କରାଇବା ହେଉଚି ମୋ’ର ଦାୟିତ୍ଵ । ଦୁଃଖ ଲାଗି ସଂସାରରେ ଅଭିଯୋଗ କରି ବୁଲିବା ମୋ’ର କାର୍ଯ୍ୟ କଦାପି ନୁହେଁ । ଯେତିକି ମୁଁ ଆପଣାର ଦୁଃଖଗୁଡ଼ାକୁ ତାଳ କରି ମୁଣ୍ଡରେ ବୋହୁଥିବି, ସେତିକି ମୁଁ ବିସ୍ତୃତ ଜୀବନସଂସାରର ହୃଦୟରୁ ଆପଣାକୁ ବିଚ୍ୟୁତ କରି ରଖିଥିବି, ଜୀବନକୁ ବି ସେତିକି ଅବିଶ୍ଵାସ କରୁଥିବି, କୋଉ ବଡ଼ ଜମିଦାରଙ୍କର ଅବୁଝା ଗେଲବସର ପୁଅ ପରି କେବଳ ଅଯୋଗ୍ୟ ହୋଇ ରହିଥିବି । ସଂସାରରେ ଯେଉଁସବୁ ସଙ୍ଗ, ସଖ୍ୟ ଓ ସମ୍ଭାବନା ମୋ’ ହାତପାଆନ୍ତାରେ ରହିଚି, ଆପଣା ଦୁଃଖଦାହର ବ୍ୟୁହ ଭିତରେ ରହି ମୁଁ ସେଗୁଡ଼ିକୁ ହାତ ବି ବଢ଼ାଇ ପାରିବିନାହିଁ । ଏହି ଦାହ ଲାଗି ରହିଥିବା ପର୍ଯ୍ୟନ୍ତ ଅଶାନ୍ତି ବି ଲାଗି ରହିଥିବ । ପୁଣି ଅଶାନ୍ତି ରହିଥିବା ପର୍ଯ୍ୟନ୍ତ ପରିପୂର୍ଣ୍ଣତାର ଅନୁଭୂତି, ପାଖରେ ବସିବାର ଓ ପୁତ୍ରତ୍ଵ ନେଇ ବିଚରଣ କରିବାର ଅନୁଭୂତି ବା ଆସିବ କୁଆଡ଼ୁ ? ପୁଣି ଏହି ଅନୁଭୂତି ନଥିଲେ ମୁଁ ବିଶ୍ଵାସର ସହିତ ମୋ’ର ଜୀବନ ବଞ୍ଚିପାରିବି ବା କିପରି ? ସଂସାରରେ କେଉଁଠି କାହାପାଖରେ ଆପଣାକୁ ଦେଇ ପାରିବି ବା କିପରି-? ତେଣୁ, ନିଜର ଦୁଃଖକୁ ନଦେଖି ଆପଣା ସମର୍ପଣ ଭୂମିର ସନ୍ଧାନରେ ବାହାରିବାକୁ ହେବ । ମନ ଚାହିଲେ ସମର୍ପଣ ଭୂମି ଅତି ପାଖରେ ମିଳିଯାଇ ପାରିବ । ଆପଣାକୁ ସମର୍ପଣ କରି ପାରିବାର ଯୋଗ୍ୟତା ଅର୍ଜନ କରିବା ସଙ୍ଗେ ସଙ୍ଗେ ଦୁଃଖକୁ ନେଇ ତଥାପି ଶାନ୍ତ, ପରିପୂର୍ଣ୍ଣ ଓ ସମ୍ପନ୍ନ ଭାବରେ ବଞ୍ଚି ପାରିବାର ଶକ୍ତି ବି ମୁଁ ଅର୍ଜନ କରୁଥିବି, ଏହି ସଂସାରକୁ ନିଜର ଘର ମନେ କରୁଥିବି-

 

୨୮ । ୦୪ । ୬୬

 

କାଲି ଓଡ଼ିଶା ଲାଗି ଟିକେଟ କିଣା ହୋଇଗଲା । ଏହି ସପ୍ତାହଟା ଏଠାରେ ମନ ଲାଗିବା କୌଣସି ପ୍ରକାରେ ସମ୍ଭବ ନୁହେଁ । ଏଠୁ ମନ ଛାଡ଼ିଯାଇଚି ବୋଲି ଏପରି ଲାଗୁଚି ତା’ ନୁହେଁ । ବରଷଟା ଯାକ ଓଡ଼ିଶା ଲାଗି ମୋ’ର ମନ କୌଣସି ପ୍ରକାରେ ଅସ୍ଥିର ହୁଏ ନାହିଁ । ଓଡ଼ିଶା କଥା ମନରେ ଥାଏ, ଓଡ଼ିଶାର ସମସ୍ୟା ଆପଣାର ସମସ୍ୟା ବୋଲି ମନେହୁଏ, କିନ୍ତୁ ସବୁ ଛାଡ଼ି ଓଡ଼ିଶା ପଳାଇଯିବାକୁ କେବେ ହେଲେ ଆତୁର ଲାଗେ ନାହିଁ । କିନ୍ତୁ ଓଡ଼ିଶା ଯିବାର ସମୟ ନିକଟ ହୋଇ ଆସିଲେ ଏହି ଆକୁଳତା ଆରମ୍ଭ ହୋଇଯାଏ । ଓଡ଼ିଶାର ସବୁକଥା ମନେପଡ଼େ, ସବୁ ମଣିଷ ମନେ ପଡ଼ନ୍ତି । ଓଡ଼ିଶାର ବାଟଘାଟରେ ଓ ବନ୍ଧୁମେଳରେ ମୁଁ ସତେଅବା ଓଡ଼ିଆ କଥାହିଁ ଶୁଣିବାକୁ ପାଏ । ବର୍ତ୍ତମାନ ମୁଁ ଦୁଇମାସ ଓଡ଼ିଶାରେ ରହିବି । ବରଷକର ଅବଶିଷ୍ଟ ସମୟ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ରହିବାର ଅଭାବଗୁଡ଼ାକୁ ପୂରଣ କରି ଆସିବି । କେତେ ପରିବାରରେ ଡୋର ଲଗାଇ ଆସିବି । ପୁଣି କେତେ ନୂଆ ମାୟା ଲାଗିଯିବ । ପୁରୁଣା ଚେରଗୁଡ଼ାକ କେତେପ୍ରକାରେ ଦମ୍ଭ ହୋଇଯିବ । ନୂତନ ଶକ୍ତି ନେଇ ଆସିଲା ପରି ମୁଁ ପୁଣି ଦୁଇମାସ ପରେ ଏଠାକୁ ଫେରିଆସିବି । ଶିକ୍ଷକ ହିସାବରେ ଆପଣାର କ୍ଷେତ୍ରରେ ମୁଁ ପୁଣି ଏଠାରେ ମୋ’ର କର୍ମରେ ନିମଗ୍ନ ହୋଇରହିବି । ଘରର ନିଶା ପରି ଏ ନିଶା ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ଘରୁ ଡୋର ଛିଡ଼ାଇ ଆସିଥିଲେ ଯେ ଏଠାରେ ମୁଁ ଅଧିକ ନିମଗ୍ନ ଭାବରେ କାମ କରି ପାରୁଥାନ୍ତି, ତାହା ନୁହେଁ । ବାହାରର ବାଟ ଚାଲିବା ଲାଗି ଘରର ନିଶା ମଧ୍ୟ ଅବଶ୍ୟ ରହିଥିବା ଦରକାର । ପୁଣି, ଆପଣାର ଘରକୁ ସମସ୍ତ ବୋଲି କହି ସେଇଠି ବାନ୍ଧିହୋଇ ନରହିବା ପାଇଁ ବାହାରର ନିଶା ମଧ୍ୟ ରହିଥିବା ଦରକାର ।

 

୩୦ । ୦୪ । ୬୬

 

ଦୁଇଟା ଦିନ ଆଗ୍ରା ଜିଲ୍ଲାର ଗୋଟିଏ ସାନ ଗାଆଁରେ କଟାଇ ଆସିଲି । ସେହି ଗାଆଁରେ ବ୍ରାହ୍ମଣମାନନଙ୍କର ପ୍ରଭାବ ସବୁଠାରୁ ଅଧିକ । କିନ୍ତୁ ସେମାନଙ୍କର ଦୁର୍ଭାଗ୍ୟକୁ ଗ୍ରାମସେବକ ହେଉଚି ଚମାର । ସେଥିଲାଗି ସେହି ଗାଆଁରେ ବିକାଶ ବିଭାଗ ତରଫରୁ ପ୍ରାୟ କୌଣସି ଉନ୍ନୟନମୂଳକ କାମ ହୋଇନାହିଁ । ମୋ’ର ଗ୍ରାମସେବକ ଜରିଆରେ ଗାଆଁରେ କୌଣସି ବିକାଶମୂଳକ କାର୍ଯ୍ୟ କରାଇବାକୁ ପ୍ରତିପତ୍ତି ରହିଥିବା ଜାତି ହୁଏତ ଅପମାନଜନକ ମନେ କରିଚି । କିନ୍ତୁ ତା’ ବୋଲି ଯେ ଗାଆଁର ଚମାର ବା ଅଚ୍ଛବମାନଙ୍କ ଲାଗି କୌଣସି କାର୍ଯ୍ୟ ହୋଇଚି ତାହା ମଧ୍ୟ ନୁହେଁ । କାଲି ସନ୍ଧ୍ୟାବେଳେ ଦେଖିଲି ଯେ, ନୀଚ କୂଳର ସ୍ତ୍ରୀଲୋକମାନେ ଗାଆଁଠାରୁ ପ୍ରାୟ ଅଧମାଇଲ ଦୂରରେ ଥିବା ଗୋଟାଏ ତୋଟାକୂଅରୁ ପାଣି ଆଣୁଚନ୍ତି । ଖରାବେଳେ ଜଣେ ବ୍ରାହ୍ମଣ ଗୁରୁଜନସ୍ଥାନୀୟ ବ୍ୟକ୍ତିଙ୍କଠାରୁ ଶୁଣିଥିଲି ଯେ ଗାଆଁରେ ଯଥେଷ୍ଟ ସଂଖ୍ୟାରେ କୂଅ ରହିଚି ଓ ପିଇବାପାଣି ଲାଗି କାହାର କୌଣସି ଅସୁବିଧା ହେଉନାହିଁ । ସାନ ଗାଆଁଟିଏ, ପରିବାର ସଂଖ୍ୟା ପଚାଶରୁ ଅଧିକ ହେବନାହିଁ । ତଥାପି ଏହାରି ଭିତରେ ମଧ୍ୟ ଜାତିଭେଦର ଅମଣିଷ ପରମ୍ପରା ମଣିଷକୁ ମଣିଷଠାରୁ କେତେ ଦୂରଛଡ଼ା କରି ରଖିଚି, ମଣିଷ ପ୍ରତି ମଣିଷକୁ କେତେ ଉଦାସ ଓ ନିର୍ମମ କରି ରଖିଚି ! ମୁଁ ଭାବୁଥାଏ, ସ୍ଵାଧୀନତା ଆସିବାର ଅଠର ବର୍ଷ ପରେ ବି ଯଦି ମୋ’ ଦେଶର ଗାଆଁରେ ଏହି ପରିସ୍ଥିତି ରହିଚି, ତେବେ ଏହି ଦେଶରେ ଜଣେ ମଣିଷ ହିସାବରେ ମୁଁ ବି ଏଥିଲାଗି କାହିଁକି ଦାୟୀ ନହେବି ?

 

୧ । ୦୫ । ୬୬

 

ପଅରଦିନ ସେଇ ଗାଆଁଟିରେ ବସି ଭାବୁଥିଲି, ଏହି ଗାଆଁକୁ କେନ୍ଦ୍ର କରି ମୁଁ ଚମତ୍କାର ସମାଜବୈଜ୍ଞାନିକ ଅଧ୍ୟୟନଟିଏ ପ୍ରସ୍ତୁତ କରିପାରନ୍ତି । ଶ୍ରୀ Oscar Lewis ମେକ୍‍ସିକୋର ଛଅଟି ପରିବାରକୁ ନେଇ ଏଡ଼େ ବଡ଼ ବହି ଲେଖିଚନ୍ତି, ଉପନ୍ୟାସ ଛଳରେ ଆମ ଆଗରେ ଏକ ନିର୍ଦ୍ଦିଷ୍ଟ ସମାଜର ପ୍ରାଞ୍ଜଳ ଓ ବାସ୍ତବିକ ଚିତ୍ର ଆଙ୍କି ଦେଇଚନ୍ତି । ଉତ୍ତରପ୍ରଦେଶର ଏହି ଗୋଟିଏ ଗାଆଁରୁ ଦଶୋଟି ପରିବାରର ବିଶେଷ ଅଧ୍ୟୟନ କରି ମଧ୍ୟ ଚମତ୍କାର ବହିଟିଏ ଲେଖି ହୁଅନ୍ତା ଓ ତାହାରି ଜରିଆରେ ଭାରତର ଗ୍ରାମଜୀବନ ଓ ଗ୍ରାମସମସ୍ୟା ବିଷୟରେ ଅନେକ ଆଲୋକପାତ କରିହୁଅନ୍ତା । ପରମୁହୂର୍ତ୍ତରେ ଭାବିଲି, ଗାଆଁ ବିଷୟରେ ଆମର ଜ୍ଞାନର ଅଭାବ କ’ଣ ଆମକୁ ଗ୍ରାମ ବିଷୟରେ ଉଦାସୀନ କରି ରଖିଚି ? ରସରସ କରି ଗୋଟାଏ ବହି ଲେଖିଦେଲେ କ’ଣ ତାହା ଏହି ଉଦାସୀନତାକୁ ଭାଙ୍ଗି ଦେବାରେ ସାହାଯ୍ୟ କରିପାରିବ ? ସେହି ଗାଆଁରେ ମଧ୍ୟ ତଥାକଥିତ ଶିକ୍ଷିତ ଲୋକ ବେଶ୍ କେତେଜଣ ରହିଚନ୍ତି । ମୁଁ ଶୁଣିଲି, ଗାଆଁରେ କଳହ ଜାରି କରି ରଖିବାରେ, ସାନଜାତିକୁ ସାନ କରି ରଖିବାକୁ ବଡ଼ ଜାତିର ଆତ୍ମରକ୍ଷାମୂଳକ କର୍ତ୍ତବ୍ୟ ବୋଲି ପ୍ରଚାର କରିବାରେ କୁଆଡ଼େ ଏହି ଶିକ୍ଷିତମାନଙ୍କ ମଧ୍ୟରୁ ହିଁ କେତେଜଣ ନେତୃତ୍ଵ ନେଉଚନ୍ତି । ସେମାନେ ନିଜ ଗାଆଁର ସବୁ ସମସ୍ୟାକୁ ଜାଣିଚନ୍ତି । କିନ୍ତୁ ଏହି ଜାଣିବାଦ୍ଵାରା ସେମାନେ ଗାଆଁକୁ ବଦଳାଇବା ଲାଗି କେତେଦୂର ଉତ୍ସାହୀ ହୋଇ ବାହାରୁଚନ୍ତି ? ତେଣୁ, କେବଳ ସମାଜକୁ ଜାଣିବା ଓ ସେଥିଲାଗି ଜ୍ଞାନର ଗଦାମାନ ତିଆରି କରିବା ଆମ ଦେଶର ସର୍ବପ୍ରଧାନ ଅଭାବ ନୁହେଁ । ଅଭାବ ହେଉଚି ସାହାସର । ମଣିଷକୁ ମଣିଷ ବୋଲି ସ୍ଵୀକାର କରି, ଗୋଷ୍ଠୀ ଭିତରରେ ଆପଣାକୁ ସମ୍ମିଳିତ କରି ରଖି ଗାଆଁରେ ପରିବର୍ତ୍ତନ ଲାଗି ଯେଉଁ ସାହାସ ଲୋଡ଼ା ସେହି ସାହସ ଦରକାର ।

 

୨ । ୦୫ । ୬୬

 

ଆଜି ଭଣ୍ଡାର ଘରେ କିଛି ନଥିଲା ପରି ମନେ ହେଉଚି । କେଉଁଦିନ ଏଠାରେ ଆସି ବସିଲା ବେଳକୁ ମୋ’ର ଟୋକେଇରେ କେତେ ଯତ୍ନରେ ସଂଗୃହୀତ କେତେ ଫୁଲ ଭରି ରହିଥିବା ପରି ଲାଗୁଥାଏ । ସେ ସମସ୍ତକୁ ଅର୍ପଣ କରି ନଦେବା ପର୍ଯ୍ୟନ୍ତ ମୋ’ର ଧୈର୍ଯ୍ୟ ରହେନାହିଁ । ସେଦିନ ଆପାଣାର ମଞ୍ଜୁରୀଗୁଡ଼ିକୁ ଗଦା କରିଦେଇ କେଉଁ ଅତି ପ୍ରିୟର ଦୁଇପାଦକୁ ପୋତିଦେବା ଲାଗି ମନେ ହେଉଚି । କେବଳ ପରିପୂର୍ଣ୍ଣ ସ୍ଵୀକୃତିମୂଳକ ଭକ୍ତି ହିଁ ମୋ’ର ଜୀବନର ଜଳବାୟୁ ପରି ହୋଇ ମୋତେ ଘେରି ରହିଚି । ଆଜି ଭାବୁଚି, ସେତିକି କହିଥିଲେ କ’ଣ ଯଥେଷ୍ଟ ନୁହେଁ । ମୁଁ କାହାରି ପାଦରେ ଫୁଲ ପତର କିଛି ଚଢ଼ାଇବି ନାହିଁ, କିଛି କହିବ ନାହିଁ, କିଛି ଅଭିଯୋଗ କରିବିନାହିଁ, କେବଳ ଗ୍ରହଣ ଓ ସ୍ଵୀକାର କରିନେବି, ଆଜିର ପୂଜାଲାଗି ଏତିକି ଯଥେଷ୍ଟ ହେଉ । ନିତି ଭୋଗଖିଆ ଜୀବନର ଠାକୁର ତଥାପି ଆଜି ବି ମୋ’ର ନିଜର ହୋଇ ନରହିବେ କାହିଁକି ? ତେଣୁ, ଆଜି ଭିତରଟା ଯଦି କେବଳ ଶୂନ୍ୟ ହୋଇଗଲା ପରି ଲାଗୁଚି, ତେବେ ମୁଁ କେବଳ ସେହି ଶୂନ୍ୟଟାକୁ ସାଙ୍ଗରେ ନେଇ ଦ୍ଵାରସ୍ଥ ହେବି । ଶୂନ୍ୟତାଟାକୁ ଲୁଚାଇ ରଖିବାଲାଗି କୌଣସି କୃତ୍ରିମ ଉପଚାରରେ କୌଣସି ପ୍ରକାର ତାମସିକତା ସୃଷ୍ଟି କରିବାରେ ଲାଳସା କରିବିନାହିଁ । ଭିତରେ କୌଣସି ପ୍ରକାରର ଆଳସ୍ୟ ନାହିଁ, କୌଣସି ଜଡ଼ତା ବା କୌଣସି ଅବିଶ୍ଵାସ ନାହିଁ । କେବଳ ମୁହଁ ଖୋଲିବାକୁ ଚାହୁନାହିଁ, ଚୁପ୍ ହୋଇ ସ୍ମରଣ କରିବାକୁ ଚାହୁଚି, ଶାନ୍ତ ପ୍ରସନ୍ନ ହୋଇ କେବଳ ଆଦେଶ ପାଳନ କରିବାକୁ ଚାହୁଚି । ତାହାହିଁ ହେଉ, ତାହାହିଁ ହେଉ ।

 

୩ । ୦୫ । ୬୬

 

ଜାଣିବାର ପରିମାଣ ତ ବେଶ୍ ବଢ଼ିବାରେ ଲାଗିଚି, କିନ୍ତୁ ଅନୁଭବ କରିବାର ଶକ୍ତି ଓ ଆକାଙ୍‍କ୍ଷା ଦିନକୁ ଦିନ କମି ଯାଉନାହିଁ କି ? ଯେଉଁ ବିଷୟରେ ଆଗେ ଦୁଇଟା କଥା ଜାଣିଥିଲି, ଏବେ ହୁଏତ ସେହି ବିଷୟରେ ଦୁଇପୁଞ୍ଜା କଥା ଜାଣିଲିଣି, ଆଉ ଦୁଇପୁଞ୍ଜା କଥା ଜାଣିବା ଲାଗି ଉନ୍ମୁଖ ହୋଇ ରହିଚି । କିନ୍ତୁ ଅନୁଭବ କରି ପାରିବାଲାଗି ଯେଉଁ ଆର୍ଦ୍ରତା ଓ ନମନୀୟତା ଦରକାର, ତାହା ଦିନକୁ ଦିନ ମରି ମରି ଯାଉନାହିଁ ତ ? ଜ୍ଞାନ ଅବଶ୍ୟ ଦରକାର, କିନ୍ତୁ ଜ୍ଞାନ ଯଦି ମୋତେ ଶକ୍ତ ପଥର କରିଦେଉଥାଏ, ତେବେ ତାହାଦ୍ୱାରା ମୋତେ କି ଶ୍ରେୟ ମିଳିବ ? ଜ୍ଞାନଦ୍ଵାରା ମୁଁ ଏକ ତଟସ୍ଥ ମନୋଦୃଷ୍ଟି ଅର୍ଜନ କରି ପାରିବି, ସେକଥା ସତ, କିନ୍ତୁ ଜ୍ଞାନଯଦି ମୋତେ ଜୀବନ ପ୍ରତି ଓ ମଣିଷ ପ୍ରତି ଗୋଟାସୁଦ୍ଧା ଉଦାସ କରି ଦେଇଯାଏ, ତେବେ ସେହି ଉଦାସୀନତା ନେଇ ମୁଁ କେଉଁ କ୍ଷେତ୍ରରେ ପ୍ରବେଶ କରି ପାରିବି ? ସେଥିଲାଗି ବେଳେ ବେଳେ ଏହି ପରିମାଣ ପ୍ରଧାନ ଜ୍ଞାନ ପ୍ରତି ଗୋଟାଏ ପ୍ରକାର ବୈରାଗ୍ୟ ମଧ୍ୟ ଜାତ ହେଉଚି । ଜ୍ଞାନଲାଭର ଛଳନା କରି ଆପେ ଆପଣାକୁ କେଉଁଠି ନିର୍ବାସିତ କରି ରଖିଥିବା ପରି ଲାଗୁଚି ଓ ତେଣୁ ସେହି ନିର୍ବାସନର ସକଳ ପ୍ରଲୁବ୍‍ଧକ ବାଡ଼ଗୁଡ଼ାକୁ ଭାଙ୍ଗିଦେଇ କୁଆଡ଼େ ବାହାରି ଯିବାକୁ ଇଚ୍ଛା ହେଉଚି । ଉଦାସ ଓ ନିର୍ବାସିତ ହୋଇ ରହିବାକୁ ଯଦି ଜ୍ଞାନ ବୋଲି ବୁଝାଏ ତେବେ ମୁଁ ଜ୍ଞାନୀ ଆଦୌ ନୁହେଁ । ମୋ’ର ଜ୍ଞାନ ମୋତେ ଅଧିକ ଭଲ ପାଇବାକୁ ଓ ଅଧିକ ପାଖରେ ଆସି ବସିବାକୁ ଶିଖାଉ, ମୁଁ ଏତିକି ଚାହେ । ବନ୍ଧ ତିଆରି କରିବାକୁ ନୁହେଁ, ବନ୍ଧ ଭାଙ୍ଗିବାକୁ ମୋ’ର ଜ୍ଞାନ ଦରକାର । ହୃଦୟକୁ ଅଧିକ ସଞ୍ଜୀବିତ କରିବାଲାଗି ହିଁ ମୋ’ର ଜ୍ଞାନ ଦରକାର, ବୁଦ୍ଧିର ଚାଷ ଦରକାର ।

 

୪ । ୦୫ । ୬୬

 

ଆପଣାର ଜ୍ଞାନ ବଢ଼ାଇ, ବୁଦ୍ଧି ଚାଷ ବଢ଼ାଇ ପାଞ୍ଚଜଣଙ୍କର ଅକ୍ଷରେ ମୁଁ ବଡ଼ ଦିଶିବାକୁ ବା ସମ୍ମାନ ଅର୍ଜନ କରିବାକୁ ଚାହେନା । କାରଣ ଜଣେ ମଣିଷ ହିସାବରେ ଆପଣାକୁ ମୁଁ ଯଥେଷ୍ଟ ସମ୍ମାନର ସହିତ ଦେଖିଥାଏ, ଏବଂ ସେଥିଲାଗି ଭିତରେ ସ୍ତୂପୀକୃତ କୌଣସି ଆତ୍ମଗ୍ଲାନିର କ୍ଷତିପୂରଣ କରିବାଲାଗି ମୁଁ ବାହାରେ ଅନ୍ୟମାନଙ୍କଠାରୁ ସମ୍ମାନ ପାଇବାର ଲାଳସାରେ ବୁଲେ ନାହିଁ । ମୁଁ ମଣିଷ ଖୋଜି ବୁଲେ, ଅର୍ଥାତ୍ ବନ୍ଧୁ ଖୋଜି ବୁଲେ । ଆପଣାକୁ ଅନ୍ୟର ଡୋରରେ ବାନ୍ଧି ଅନ୍ୟକୁ ଆପଣାର ଡୋରରେ ବାନ୍ଧିବା ଲାଗି ଅବସର ଖୋଜି ବୁଲେ । ମୋ’ର ସଞ୍ଚିତ ସକଳ ଜ୍ଞାନ ସତ୍ତ୍ୱେ ଯେ ମୁଁ ମଣିଷ, ମୁଁ କେବଳ ଗୋଟାଏ ଉଚ୍ଚ ପଥରଗଦା ନୁହେଁ, ସେହିକଥା ହିଁ ମୁଁ ବାରବାର ଅନୁଭବ କରିବାକୁ ଚାହେ । ମଣିଷ ସହିତ ନାନା ସଖ୍ୟରେ ସମ୍ମିଳିତ ହୋଇ ଓ ନାନା ଡୋରରେ ବନ୍ଧା ହୋଇ ମୁଁ ଠକ୍ ଏହି ଅନୁଭୂତି ଲାଭ କରିବାଲାଗି ଅଧିକ ବଳ ପାଇଥାଏ । ପ୍ରାୟ ଦଶମାସ ପରେ ଆଜି ମଣିଷ ଖୋଜି ଯିବାର ପର୍ଯ୍ୟାୟ ଆରମ୍ଭ ହେବ । ଜ୍ଞାନୀ ହିସାବରେ ବା ମାନୀ ହିସାବରେ ନୁହେଁ, ମଣିଷ ହିସାବରେ ମୁଁ ସବୁରି ଦ୍ଵାରସ୍ଥ ହେବି । ସ୍ନେହ ଦେବି ଓ ସ୍ନେହ ପାଇବି । ବିଶ୍ଵାସ ଦେବି ଓ ବିଶ୍ଵାସ ପାଇବି । ମୁଁ ଜାଣେ, ସମସ୍ତେ ଯାହାକୁ ମରସଂସାର ବୋଲି କହନ୍ତି, ମୁଁ ସେଇଥିରୁ ହିଁ ଏହିପରି କରି ଅମୃତତ୍ଵର ସ୍ଵାଦ ପାଇଥାଏ ।

 

୩ । ୦୮ । ୬୬

 

ଲାଜ ଅନେକ ପ୍ରକାରର ରହିଚି । ଦେଶ ଦେଶକେ ଲାଜଭେଦ ରହିଚି, ଯୁଗଯୁଗକେ ବି ଲାଜଭେଦ ରହିଚି । କେଉଁଥିରେ ଲାଜ ମାଡ଼ିବ ବା ନମାଡ଼ିବ, ଏହି ବିଷୟରେ ଆମର ବ୍ୟକ୍ତିଗତ ତଥା ସାଂସ୍କୃତିକ ସଂସ୍କାର ଆମକୁ ଶିକ୍ଷା ଦେଇ ରଖିଚି । ତେଣୁ, ଆଲୁଅ, ଅନ୍ଧାର, ଭଲ ବା ମନ୍ଦ ପରି ଲାଜକୁ ମଧ୍ୟ ମୁଁ ଏକ ଆପେକ୍ଷିକ ଶବ୍ଦ ବୋଲି କହିବ । କାହାକୁ ଭଲ ପୋଷାକ ନପିନ୍ଧିଲେ ଲାଜ ମାଡ଼େ, ପୁଣି ଅପର ପାଞ୍ଚଜଣଙ୍କ ତୁଳନାରେ ଅଧିକ ଆଡ଼ମ୍ବରପୂର୍ଣ୍ଣ ପୋଷାକ ପିନ୍ଧିଲେ ଆଉ କାହାକୁ ମଧ୍ୟ ଲାଜ ମାଡ଼ିଥାଏ । କାହାକୁ ନିଜର ମାଲପତ୍ର ନିଜେ ଧରିଯିବାକୁ ଲାଜ ମାଡ଼େ, ତେଣୁ ସେ କୁଲିର ଆଶ୍ରା ଧରେ; ପୁଣି ଆଉ କାହାକୁ ଅନ୍ୟମାନଙ୍କ ସହିତ ସମାନ ଆସନରେ ବସିବାକୁ ଲାଜ ମାଡ଼େ, ଆପଣାର ପଦବୀ ଓ ପାହିଆକୁ ଭୁଲିଯାଇ ମଣିଷ ସହିତ ମଣିଷ ହେବାକୁ ଲାଜ ମାଡ଼େ, ପୁଣି ଆଉ କାହାକୁ ମଣିଷ ପାଖରେ ଆପଣାର ଆସନ, ବେତନ ଓ ଆସ୍ଥାନର ବଡ଼େଇ କରିବାକୁ ମଧ୍ୟ ଲାଜ ଲାଗେ । କାହାକୁ ଚୋରି କରିବାକୁ ଲାଜ ଲାଗେ, ଠକିବାକୁ ଲାଜ ଲାଗେ, ଆପଣାର ଜୀବନକୁ ନେଇ ଆଉ କାହା ଉପରେ ଲଦିଦେବାକୁ ଲାଜ ଲାଗେ, ମିଛ କହିବାକୁ ଲାଜ ଲାଗେ । ଏସବୁ କରି ଜୀବନରେ ଅସଫଳ ହୋଇଯିବାକୁ ପୁଣି ଆଉ କାହାକୁ ବି ଲାଜ ଲାଗେ, ହାରିଯିବାକୁ ବା ହଟିଯିବାକୁ ଲାଜ ଲାଗେ ।

 

୪ । ୦୮ । ୬୬

 

ମନୋବୈଜ୍ଞାନିକମାନେ କହିଚନ୍ତି, ପିଲା ପଚାରୁଥିବା ପ୍ରଶ୍ନଗୁଡ଼ିକୁ ଦାବି ନଦେଇ ବା ଅବଜ୍ଞା ନକରି ସେଗୁଡ଼ିକର ଉତ୍ତରଦେବା ଉଚିତ । ଗୋଟିଏ ତିନି ବରଷର ପିଲା ସହିତ ଖେଳୁ ଖେଳୁ ସେଦିନ ହଠାତ୍ ଭାବି ବସିଲି, ବୟସ୍କ ମଣିଷ କେବଳ ପିଲାକୁ ଉତ୍ତର ଦେବାକୁ ପ୍ରସ୍ତୁତ ହୋଇରହିଥିଲେ ସବୁ ହୋଇ ଯିବନାହିଁ, କାରଣ ବୟସ୍କସୁଲଭ ଉତ୍ତର ଦେଇ ସେ ପିଲାକୁ ବିରକ୍ତ ବା ନିରାଶ କରିବାର ଭୟ ସର୍ବଦା ରହିଥିବ । ବୟସ୍କ ମଧ୍ୟ ପିଲାକୁ ପ୍ରଶ୍ନ ନପଚାରିବ କାହିଁକି ? ସେଦିନ ସେଇ ପିଲାଟି ମୋତେ ଡାକି ସତେଯେପରି କ’ଣ ଗୋଟାଏ ଆବିଷ୍କାର କରି ଥିବାପରି କହିଲା, “ବରଷା ଆସୁଚି ।” ମୁଁ ସଙ୍ଗେ ସଙ୍ଗେ ପ୍ରଶ୍ନ କଲି “ବରଷା କୋଉଠୁ ଆସୁଚି ।” ଏଡ଼େ ସାନ ପିଲାଟି ତା’ର କୌଣସି ଉତ୍ତର ଦେଇ ପାରିଲା ନାହିଁ, କିନ୍ତୁ ମୁଁ ବେଶ୍ ଲକ୍ଷ୍ୟ କରି ପାରିଲି ଯେ, ସେ ଏହି ଅସମର୍ଥତା ସକାଶେ କୌଣସି ପ୍ରକାରେ ବିଚଳିତ ବା ଲଜ୍ଜିତ ହେଲାନାହିଁ । ସତେ ଅବା ସେ ଆପଣାର ସକଳ ଜାଲ ପକାଇ ଅଭିଜ୍ଞତା ଓ ଅନଭିଜ୍ଞତାର ସମୁଦ୍ରରୁ ମୋ’ର ପଚାରିଥିବା ପ୍ରଶ୍ନଟିର ଉତ୍ତର ଖୋଜି ବୁଲୁଚି, ତା’ର ଜିଜ୍ଞାସାସନ୍ଦୀପ୍ତ ମୁଖମଣ୍ଡଳକୁ ଅନାଇ ମୁଁ ଏକଥା ବେଶ୍ ଲକ୍ଷ୍ୟ କରିଥିଲି । ପିଲାକୁ ଏହିପରି ଏକ ପରିସ୍ଥିତି ଭିତରକୁ ଆଣି ଛାଡ଼ିଦେବାର ଅର୍ଥ ହେଉଚି ପିଲାର ଆପଣା ଦ୍ଵାରା ଖୋଲିଦେବାରେ ସାହାଯ୍ୟ କରିବା,— ତେବେ ପିଲାକୁ ପ୍ରଶ୍ନ ପଚରା ନଯିବ କାହିଁକି ?

 

୫ । ୦୮ । ୬୬

 

ଅପରେଶନ୍ ହେବାର ଠିକ୍ ଦୁଇମାସ ହୋଇଗଲା, ତଥାପି ଆପଣାକୁ ଏପରି ରୋଗୀ ପରି ଲାଗୁଚି କାହିଁକି ? ବୋଧହୁଏ ସ୍ପିନୋଜା କହିଥିଲେ ଯେ ମୁକ୍ତି-ଅଭିଳାଷୀ ଅର୍ଥାତ୍ ପରିପୂର୍ଣ୍ଣ ଜୀବନର ଅଭିଳାଷୀ ମଣିଷ ଆପଣାର ଜୀବନକୁ ହାତପାପୁଲି ଉପରେ ରଖି ବାଟ ଚାଲିବ । ଉକ୍ତିଟିକୁ ମୋ’ର ବ୍ୟକ୍ତିଗତ ଭୂମି ଉପରକୁ ନେଇଆସି ମୁଁ କହିବି ଯେ ମୁକ୍ତିଅଭିଳାଷୀ ଆପଣା ଶରୀରକୁ ହାତପାପୁଲି ଉପରେ ରଖି ବାଟ ଚାଲିବ । ଅର୍ଥାତ୍ ଜୀବନାକାଙ୍‍କ୍ଷା ବା ଶୁଭବାସନା ଗୁଡ଼ିକର ମାଣ ପୂର୍ଣ୍ଣ କରିବାପାଇଁ ସେ ଶରୀରକୁ ପରିପୂର୍ଣ୍ଣ ଭାବରେ ବ୍ୟବହାର କରି ପାରୁଥିବ । ତା’ର ବାସନାର ଡେଣାଗୁଡ଼ିକ ସହିତ ତା’ର ଶରୀର ଓ ମନ ଭିତରୁ ଗୋଟାଏ ଅନ୍ୟଟାର ଦାସ ହୋଇ ରହିବ ବୋଲି ମୁଁ ମୋଟେ କହୁନାହିଁ । ଶରୀରକୁ ଅବହେଳା କରିବାର ପ୍ରଶ୍ନ ହିଁ ଉଠୁନାହିଁ । ଶରୀରକୁ ମୁଁ କେବଳ ମାଂସମେଦରେ ଗଢ଼ା ହୋଇଥିବା ଏକ ପ୍ରତିବନ୍ଧକ ବୋଲି ଆଦୌ ବିଚାରେ ନାହିଁ । ଶରୀରକୁ କୌଣସି ଅବଚେତନର ଗ୍ଲାନିମୁଣା ଭିତରେ ଲୁଚାଇ ରଖି ମୁଁ ଆତ୍ମୋପଲବଧିର ମିଛ ଅହଙ୍କାର କଦାପି କରିବିନାହିଁ । ମୋ’ ଶରୀରକୁ ମଧ୍ୟ ମୁଁ ସାଙ୍ଗରେ ନେଇ ଯିବି, ଶୁଭବାସନାର ପଛରେ ବାଟ ଚାଲିଲାବେଳେ ଏକ ସୁସ୍ଥ ଓ ସହଯୋଗୀ ଶରୀର ବି ମୋ’ ସହିତ ଯାଇଥିବ ।

 

୬ । ୦୮ । ୬୬

 

ରାତିର ସ୍ଵପ୍ନ ସକାଳର ମନ ଉପରେ ସିଠା ହୋଇ ଲାଗି ରହିଚି । ତେଣୁ ଆଜିକାର ସକାଳ ଭିତରେ ମୋ’ର ନୂତନ ଜନ୍ମଲାଭ କରିବାର ସୌଭାଗ୍ୟଟି ମଧ୍ୟ ମୋ ଲାଗି ବାରିତ ହୋଇରହିଚି । ମୁଁ ଜାଣେ ଏପରି ହେବା ଉଚିତ ନୁହେଁ । ତଥାପି ଆପଣା ଉପରେ ବିରକ୍ତ ହେବାକୁ ଇଚ୍ଛା ହୁଏନାହିଁ । ନୈତିକ ଭର୍ତ୍ସନାର ପାଞ୍ଚଣ ନେଇ ଆପଣା ଭିତରର ଦୁଷ୍ଟ ବା ଚୋରଟା ପଛରେ ଦଉଡ଼ିବାକୁ ଇଚ୍ଛା ହୁଏ ନାହିଁ । ଏହା କୌଣସି ପ୍ରକାର ଅନ୍ତର୍ଗତ ଆଳସ୍ୟର ପରିଚାୟକ ନୁହେଁ । ଆପଣାକୁ ନିନ୍ଦିବି ନାହିଁ ବା କୌଣସି ପ୍ରକାର ଆତ୍ମଗ୍ଲାନିରେ ଲୋସଡ଼ି ପଡ଼ିବିନାହିଁ ବୋଲି ମୁଁ କେଉଁଦିନୁ ଶପଥ ଗ୍ରହଣ କରି ଆସିଚି । ଜୀବନର ଯାବତୀୟ ବିଷଣ୍ଣ ମୁହୂର୍ତ୍ତ ସତ୍ତ୍ୱେ ମୁଁ ତଥାପି ଏକ ଅନ୍ତର୍ଗତ ଖୁସୀ ଓ ଅନ୍ତର୍ଗତ ସମ୍ମତିର ଜୀବନ ବଞ୍ଚିବା ବୋଲି ଆପଣାକୁ ମଣାଇବାର ଚେଷ୍ଟା କରିବି-। ସଂସାରକୁ ଯେମିତି ଗାଳି ଦେବିନାହିଁ, ଆପଣାକୁ ମଧ୍ୟ ସେମିତି ଗାଳି ଦେବିନାହିଁ । ତିଆରି ହୋଇ ରହିନଥିବା ମନ ସତ୍ତ୍ୱେ ମୁଁ ତଥାପି ସକାଳର ଉତ୍ସବ ଆଡ଼କୁ ହୃଦୟକୁ ଅଣାଇ ରଖିବାକୁ ଚେଷ୍ଟା କରିବି । ଆଖିର ସକାଳ ମଇଳା ପୋଛି ମୁଁ ତଥାପି ଆନନ୍ଦମୟ ଆକାଶ ଆଡ଼କୁ ଅନାଇବି-

 

୭ । ୦୮ । ୬୬

 

ସେଦିନ ରାତିରେ ସ୍ଵପ୍ନ ଦେଖିଲି, ଗୋଟିଏ ଅତି ସାନପିଲାକୁ ମୁଁ ବଡ଼ ନୃଶଂସ ଭାବରେ ମାରିବାରେ ଲାଗିଚି । ସାଧାରଣତଃ ମୋ’ର କୌଣସି ସ୍ଵପ୍ନ କଥା ସକାଳକୁ ମନେ ରହେନାହିଁ, କିନ୍ତୁ ସେଦିନ ସକାଳେ ମନେ ହେଲା ସତେ ଅବା ମୁଁ କାହାଠାରୁ ମାଡ଼ଖାଇ ଉଠିଚି । ସ୍ଵପ୍ନରେ ସାନପିଲାକୁ ମାରି ତୃପ୍ତି ଅନୁଭବ କରିବାର କାରଣ କ’ଣ ? ପିଲାକୁ ମୁଁ ଈର୍ଷା କରୁଚି କି ? ତେବେ ଏହି ଇର୍ଷାର ମଧ୍ୟ କାରଣ କ’ଣ ହୋଇପାରେ ? ମୁଁ ଦିନେ ପିଲା ଥିଲି, ବର୍ତ୍ତମାନ କ୍ରମେ ବୁଢ଼ା ହେବାକୁ ଯାଉଚି; ଆଉ ପିଲା ହୋଇ ରହିବାର ଦାୟିତ୍ଵହୀନତାକୁ ଉପଭୋଗ କରି ପାରୁନାହିଁ ବୋଲି କଣ ମୁଁ ପିଲାକୁ ଈର୍ଷା କରୁଚି କି ? ମୋ’ର ଆପଣାର ପିଲା ନାହାନ୍ତି, ସେଥିଲାଗି କଣ ଆଉ ସଂସାରର ପିଲାମାନଙ୍କୁ ଅପରର ପିଲା ଭାବି ଈର୍ଷା କରୁଚି କି ? ମୁଁ ଜାଣେ, ସଚେତନ ଜୀବନରେ ମୁଁ ଏହି ସ୍ତରକୁ ଅନେକ ଦିନରୁ ପାର ହୋଇ ଆସିଲାଣି । ତଥାପି ଅବଚେତନ ମନରେ ହୁଏତ ଈର୍ଷା କରିବାର ଗୋଟାଏ ଲାଳସା ମୋ ଭିତରେ ରହି ଯାଇଚି, ଯାହା ଫଳରେ ମୁଁ ନିର୍ମଳ ହୋଇ ପିଲାକୁ ଆପାଣା ଜୀବନରେ ସ୍ଵୀକାର କରି ପାରୁନାହିଁ । ପିଲାକୁ ଆହୁରି ଭଲ ପାଇ, ମନ ଓ ମନୋବାସନା ଗୁଡ଼ାକୁ ଆହୁରି ସହଜ କରି ଅବେଚେତନ ସ୍ତରରେ ମଧ୍ୟ ପିଲାକୁ ସ୍ଵୀକାର କରି ନେବାକୁ ପଡ଼ିବ । ଅପାଣାର ପିଲା ନଥିବାରୁ ପିଲାଙ୍କୁ ଭଲ ପାଇବା ନାଆଁରେ ସେମାନଙ୍କୁ Possess କରିବାର ପ୍ରମାଦରୁ ମୁଁ ଅନେକ ପରିମାଣରେ ରକ୍ଷା ପାଇଚି । ଜୀବନରେ ଈର୍ଷା ଓ ଗ୍ଲାନିର ଅବସର କ୍ରମେ ଊଣା ହୋଇ ଯାଉଥିଲେ ପିଲାଙ୍କୁ ଈର୍ଷା କରିବାର ଆବଶ୍ୟକତା ମଧ୍ୟ ରହିବନାହିଁ ।

 

୮ । ୦୮ । ୬୬

 

କାଲି ସକାଳୁ ଉଠି ହଠାତ୍ ସ୍ମରଣ ହେଲା ଯେ ଆଜି ରବୀନ୍ଦ୍ରନାଥଙ୍କର ଜନ୍ମଦିବସ । କ୍ଷଣକ ପରେ ବୁଦ୍ଧିଗିଳା ମନ ସଂଶୋଧନ କରି କହିଲା ଯେ, ଆଜି ତାଙ୍କର ଜନ୍ମଦିବସ ନୁହେଁ, ତାଙ୍କର ତିରୋଧାନ ଦିବସ । ତା’ପରେ ମୁଁ ଭାବିଲି, ଆଜି ତାଙ୍କ ଜନ୍ମଦିବସ ବା ତିରୋଧାନ ଦିବସ, ଏଥିରେ ମୋ’ ଲାଗି ଖୁବ୍ ବେଶୀ ପାର୍ଥକ୍ୟ ନାହିଁ । ମଣିଷ ମରିଯାଏ, କିନ୍ତୁ ପ୍ରତିଭା ଅମର ରହେ । ରବୀନ୍ଦ୍ରନାଥ ନାମରେ ଯେଉଁ ମର ମଣିଷ ଦିନେ ପୃଥିବୀ ଉପରେ ବିଚରଣ କରୁଥିଲେ, ସେ ଆଜି, ମରିଯାଇଚନ୍ତି, ଠିକ୍ ଯେପରି ମୁଁ ଓ ପ୍ରତ୍ୟେକ ଲୋକ ମରିବେ, ଓ ଧରାପୃଷ୍ଠରୁ ବିଦାୟ ନେଇ ଚାଲିଯିବେ । କିନ୍ତୁ ରବୀନ୍ଦ୍ରନାଥ କହିଲେ ସାହିତ୍ୟ, ଶିକ୍ଷା ଓ ସଂସ୍କୃତିର ଅନୁଷ୍ଠାନରେ ଯେଉଁ ପାହାଚଟିକୁ ବୁଝାଏ, ସେହି ପାହଚ ସବୁଦିନ ଯାଏ ରହିଥିବ । ବିଶେଷ କରି ମୋ ପରି ମଣିଷ, ଯେଉଁମାନେ କି ରବୀନ୍ଦ୍ରତୀର୍ଥର ଜରିଆରେ ଜୀବନତୀର୍ଥର ପରିଚୟ ପାଇଚନ୍ତି, ସେମାନଙ୍କ ଲାଗି ରବୀନ୍ଦ୍ରନାଥ ସବୁଦିନ ଲାଗି ଜୀଇ ରହିଥିବେ । ମୁଁ ତ ବେଳେବେଳେ ଭାବେ, ଜ୍ଞାନସଂଗ୍ରହର ଏକନ୍ଦି ସେକନ୍ଦି ନଦଉଡ଼ି ଯଦି ମୁଁ ମୋ’ର ସକଳ ଅବଗାହାନକୁ ରବୀନ୍ଦ୍ର ରଚିତ ମଧ୍ୟରେ ସୀମାବଦ୍ଧ ରଖିଥାନ୍ତି, ତେବେ ଜୀବନରେ ଜାଣିବାର ପରିମାଣ କମି ଯାଇଥାନ୍ତା ପଛକେ, ମାତ୍ର ଗୁଣାତ୍ମକ ଦୃଷ୍ଟିରୁ ହୁଏତ ମୁଁ ଆଦୌ ଖୁବ୍ ବେଶୀ ହରାଇ ନଥାନ୍ତି । ସେଥିଲାଗି ନୂତନତର ଜନ୍ମଲାଗି ମୋ’ର ଅନ୍ଵେଷଣ ଚାଲିଥିବା ଯାଏ ସବୁଦିନ ହିଁ ମୋତେ ରବୀନ୍ଦ୍ରନାଥଙ୍କର ଜନ୍ମଦିନ ପରି ଲାଗୁଥିବ ।

 

୯ । ୦୮ । ୬୬

 

ଚୋରି ହେବାର ଠିକ୍, ମାସେ ପୂରିଗଲା । ମାସକତଳେ ଠିକ୍ ଏହିପରି ଏକ ସକାଳ । ସମୟରେ ହାବଡ଼ା ଷ୍ଟେସନରେ ଭଦ୍ରଲୋକ ମୋ’ର ସୁଟକେଶ୍‍ଟି ନେଇ ଚମ୍ପଟ କଲେ । ତାଙ୍କର ପାଖରେ ଦୁଇଘଣ୍ଟା ବସି ମୁଁ କେତେ କଥାବାର୍ତ୍ତା ହୋଇଥିଲି, ସେ ମୋ’ଠାରୁ ଅନେକ ବୟସ୍କ ପରି ଦେଖା ଯାଉଥିଲେ । ସେଥିଲାଗି ତାଙ୍କୁ ଅବିଶ୍ଵାସ କରିବାକୁ ମନ ହେଲାନାହିଁ । ସମସ୍ତେ କହୁଚନ୍ତି, ମଣିଷକୁ ଏତେ ସହଜରେ ବିଶ୍ଵାସ କରିବା ଉଚିତ ନୁହେଁ । ସମସ୍ତେ ମଣିଷ, ଅଥଚ ସମସ୍ତେ ଠିକ୍ ଏହି କଥା କହୁଚନ୍ତି । କ୍ରମାଗତ କେତେଥର ଚୋରର କବଳରେ ପଡ଼ିବାରୁ ସାଧାରଣତଃ ସବୁ ମଣିଷ ପ୍ରତି ଏକ ଅବିଶ୍ଵାସ ମୂଳକ ଦୃଷ୍ଟିକୋଣ ପୋଷଣ କରିବା ମୋ’ ପକ୍ଷରେ କେତେଦୂର ଉଚିତ ହେବ, ମୁଁ ଏବେ ଅନେକ ସମୟରେ ସେଇକଥା ଭାବୁଚି । ବୁଦ୍ଧିଦ୍ଵାରା, ଯୁକ୍ତିଦ୍ଵାରା ଯଦି ମଣିଷ ଆପଣାର ଦୃଷ୍ଟିକୋଣ ତିଆରି କରି ପାରୁଥାନ୍ତା, ତା’ହେଲେ ଅବା ମୁଁ ବି ଇଚ୍ଛା କଲେ ଆଜିଯାଏ ପୋଷଣ କରି ଆସିଥିବା ଦୃଷ୍ଟିକୋଣଟିକୁ ବଦଳାଇ ଦେଇ ପାରନ୍ତି । କିନ୍ତୁ ଦୃଷ୍ଟିକୋଣ ତା’ର ବୁଦ୍ଧି ଓ ଯୁକ୍ତିକୁ ଅନୁରୂପ ପରିଚାଳିତ କରିଥାଏ । ଏପର୍ଯ୍ୟନ୍ତ ଜୀବନ, ସଂସାର ଓ ମଣିଷ ପ୍ରତି ଏକ ବିଶ୍ଵାସମୂଳକ ଦୃଷ୍ଟିକୋଣ ହିଁ ମୋତେ ଯାବତୀୟ କ୍ଷେତ୍ରରେ ପରିଚାଳିତ କରି ଆସିଚି । ତାକୁ ମୁଁ କିପରି ହଠାତ୍ ଛାଡ଼ିଦେଇ ପାରିବି ? ତେବେ ଜୀବନରେ ଆହୁରି ଅନେକ କିଛି ଛାଡ଼ିବାକୁ ପଡ଼ିବ ନାହିଁ କି ?

 

୧୦ । ୦୮ । ୬୬

 

ବଗିଚାର ଫୁଲରେ ଖାଲି ବଗିଚା ତୋରା ଦିଶୁନାହିଁ, ମୋ’ ଭିତରଟା ଯାକ ସତେଅବା କେଡ଼େ ତୋରା ଦିଶୁଛି । ଅପାଣାର ଗଭୀରତମ ହୃଦୟତଳ ଯାଏ କେତେ ପରିଷ୍କାର ଭାବରେ ବାଟ ଦିଶିଯାଉଚି ଏବଂ ସେଇଠି ମୁହୂର୍ତ୍ତେ ବସି ଯେପରି କେତେ ଭଲ ଲାଗୁଚି । ସେଠାରେ ଯାଇ ବସିବାର ଅଧିକାରକୁ ମୋ’ଠାରୁ କେହି କେବେ ଛଡ଼ାଇ ନେଇ ପାରିବ କି ? ତେବେ ବାହାରେ କେତେଟା ଜିନିଷ ଚୋରି ହୋଇଗଲା ବୋଲି ମୁଁ ମଣିଷକୁ ଅବିଶ୍ଵାସ କରିବି କାହିଁକି ? ଗତ ବର୍ଷେ ଦୁଇବର୍ଷ ହେଲା ଯେଉଁ କେତେଟା ଜିନିଷ ପ୍ରତି ମାୟା ଲାଗି ଯାଇଥିଲା, ସେଗୁଡ଼ାକ ସିନା ଚୋରି ହୋଇଗଲା ! କିନ୍ତୁ ଅତି ଅନ୍ତରତମ ଭାବରେ ଯାହାସବୁ ମୋ’ର ହୋଇ ରହିଚି, ସେଗୁଡ଼ାକ ସବୁଦିନ ଲାଗି ମୋ’ର ହୋଇ ରହିଥିବ, ମୋତେ ଜୀବନ କ୍ଷେତ୍ରରେ ପ୍ରେରିତ କରାଉଥିବ ଓ ଜୀବନ ସହିତ ନାନା ଆତ୍ମୀୟତାରେ ସମ୍ମିଳିତ କରାଉଥିବ । ଫୁଲ ମୋତେ ଆପାଣାର ନିବିଡ଼ତମ ସାନ୍ନିଧ୍ୟକୁ ନେଇ ଯାଇପାରିଲା, —ଏହା କଳ୍ପନା ନୁହେଁ, ଏହା ଭ୍ରମ ବା ଅବାସ୍ତବତା ନୁହେଁ । ନହେଲେ, ଆପଣର ଗଭୀରରେ ଏକ ଶାନ୍ତ ଅସଲ ମୁଁ ମଧ୍ୟ କେଉଁଠି ସଦାପ୍ରସନ୍ନ ଓ ସଦାଯୁକ୍ତ ହୋଇ ରହିବାର ସତ୍ୟଟାକୁ ମଧ୍ୟ ଓ ଭ୍ରମ ଅବାସ୍ତବ ବୋଲି କହିବାକୁ ହେବ । ତେବେ ଜୀବନର ବଣିଜରେ, ବାଟ ଚାଲିଯିବାର ବଣିଜରେ ବାସ୍ତବ ବା ସତ୍ୟ ବୋଲି ଆଉ କ’ଣ ରହିଲା ?

 

୧୧ । ୦୮ । ୬୬

 

ଖରାପ ଶିକ୍ଷକ ବୋଇଲେ ଆମ ଦେଶରେ ସାଧାରଣତଃ ଯାହା ବୁଝାଇ ଥାଏ, ସେପରି ଖରାପ ମୋ’ ଭାଗରେ କେବେହେଲେ ଜୁଟିନାହାନ୍ତି କହିଲେ ମୁଁ କଦାପି ମିଛକଥା କହିବିନାହିଁ । ବରଂ ମୁଁ ଏକଥା କହିବି ଯେ, ସେହି କେତେଜଣ ଶିକ୍ଷକ ମୋତେ ଆପଣାର ଜୀବନରେ ମଧ୍ୟ ଶିକ୍ଷକ ହେବାଲାଗି ଅନୁପ୍ରାଣିତ କରିଚନ୍ତି । ମୁଁ ପଢ଼ିଥିବା ମାଇନର ସ୍କୁଲର ହେଡ଼ମାଷ୍ଟରଙ୍କଠାରୁ ଆରମ୍ଭ କରି ଶାନ୍ତିନିକେତନ ଓ କୋପେନହେଗେନର ଅଧ୍ୟାପାକଙ୍କ ପର୍ଯ୍ୟନ୍ତ ସମସ୍ତେ ମୋ’ ଜୀବନରେ ଆଜି ମଧ୍ୟ ସ୍ମରଣୀୟ ହୋଇ ରହିଚନ୍ତି । ଖରାପ ଶିକ୍ଷକର କବଳରେ ପଡ଼ିବା ଯେ କାହାକୁ ବୁଝାଏ, ମୋ’ର ଅଙ୍ଗେ ନିଭାଇଥିବା ଜୀବନରୁ ସେକଥା ମୁଁ ଆଦୌ ଜାଣିନାହିଁ । ତେଣୁ ଜାଣିଶୁଣି ମୋ’ର ଶିକ୍ଷକ ବୃତ୍ତିରେ ଅବହେଳା କରିବା, ଅର୍ଥାତ୍ ଖରାପ ଶିକ୍ଷକ ହେବାକୁ ମଧ୍ୟ ମୁଁ କେବେହେଲେ ଏକ ଚତୁର ଫନ୍ଦା ବୋଲି ଅନୁଭବ କରିନାହିଁ । ଏବେ ମୁଁ ଆଖି ଆଗରେ ଦେଖୁଚି, ଛାତ୍ରମାନେ ଶିକ୍ଷକ ସମାଜ ଦ୍ଵାରା କିପରି ଅବିହେଳିତ ହେଉଚନ୍ତି । ଅଧିକାଂଶ ସ୍ଥାନରେ ସେମାନଙ୍କୁ ଶିକ୍ଷକମାନଙ୍କର ଅବଜ୍ଞା ହିଁ ମିଳୁଚି । ଅମାନ୍ୟତା ବା ଅବାଧ୍ୟତା ଦେଖାଇଲେ, ଶିକ୍ଷକକୁ ମିଛ ସତ ନାନା ପ୍ରକାରେ ତୁଷ୍ଟ କରି ନରଖିଲେ ଶିକ୍ଷକର ଅନୁଗ୍ରହ ମଧ୍ୟ ଅପସରି ଯାଉଚି । ଆମ ଦେଶର ପିଲା କେଡ଼େ ଭଲ ମନ ନେଇ ପାଠ ପଢ଼ିବାକୁ ଆସୁଚି, ମାତ୍ର ଶିକ୍ଷକକୁଳ ତାକୁ କେଡ଼େ ନିର୍ମମତାର ସହିତ ଜୀବନ ଓ ଜୀବନୋଦ୍ୟମରୁ ଖାଲି alienate କରି ଦେଉଚନ୍ତି । ମୋତେ ଏସବୁ ଆଶ୍ଚର୍ଯ୍ୟ ଲାଗୁଚି, କାରଣ ଜୀବନରେ ମୁଁ ଏହି ଅଭିଜ୍ଞତା ପାଇନାହିଁ ।

 

୧୨ । ୦୮ । ୬୬

 

ମୋ’ ଜୀବନରେ ମୁଁ କେବେ ଖରାପ ଶିକ୍ଷକ ପାଇନାହିଁ, ଏକଥା ସତ୍ୟ । ଭଲ ଶିକ୍ଷକ କହିଲେ ମୁଁ ପ୍ରକୃତରେ କ’ଣ ବୁଝୁଚି ? ଭଲ ଶିକ୍ଷକ ଭଲ କରି ପାଠ ପଢ଼ାଇବ, ଆପଣାର ଉପାର୍ଜିତ ଜ୍ଞାନ ଭଣ୍ଡାରକୁ ସେ ଛାତ୍ରଲାଗି ଖୋଲିଦେବ, ଜ୍ଞାନ ଦାନରେ କୌଣସି କୃପଣତା କରିବ ନାହିଁ । କିନ୍ତୁ କେବଳ ଭଲ ପଢ଼ାଇଲେ ବା ପ୍ରାଣ ଢାଳିଦେଇ ପଢ଼ାଇଲେ ଜଣେ ଶିକ୍ଷକକୁ ମୁଁ ସବୁବେଳେ ଭଲ ଶିକ୍ଷକ ବୋଲି କହି ପାରେନାହିଁ । ଭଲଶିକ୍ଷକ ଏସବୁ ଅବଶ୍ୟ କରିବ, କିନ୍ତୁ ସର୍ବୋପରି ସେ ଛାତ୍ରକୁ ଜଣେ ବ୍ୟକ୍ତି ବୋଲି ସ୍ଵୀକାର କରି ପାରୁଥିବ । ଅର୍ଥାତ୍, ଜଣେ ଜିଜ୍ଞାସୁ, ପିପାସୁ ଓ ବିକାଶାଭିଳାଷୀ ବ୍ୟକ୍ତି ଭାବରେ ସ୍ଵୀକାର କରିପାରୁଥିବ । ଆପଣାର ପାଣ୍ଡିତ୍ୟ ବା ଆଉ କୌଣସି ପରାକ୍ରମ ଦେଖାଇ ଶିକ୍ଷକ ଛାତ୍ରକୁ କେବଳ ତା’ର ଖର୍ବତା ବିଷୟରେ ଆଦୌ ସଚେତ କରି ଦେଉନଥିବ । ଶିକ୍ଷକ ଛାତ୍ରର ଦ୍ଵାର ଖୋଲିବାରେ ନିମିତ୍ତ ପରି କାର୍ଯ୍ୟ କରିବ । ଆପଣା ରାଜ୍ୟର ପ୍ରସାର ଦ୍ଵାରା ନୁହେଁ, ଛାତ୍ର ଦ୍ଵାର ଖୋଲିଦେବାରେ ହିଁ ଏକ ସ୍ଵାଭାବିକ ଆନନ୍ଦ ଲାଭ କରି ପାରୁଥିବ । ଉପଦେଶ ଦେଇ ନୁହେଁ, ଏହି ଦ୍ଵାରୋଦଘାଟନ ଲାଗି ଆପଣାକୁ ଦେଇ ସେ ଛାତ୍ରର ସ୍ଵକୀୟ ଆବିଷ୍କାର ଯାତ୍ରାରେ ସହଯୋଗୀ ସହଚାରୀ ହୋଇ ରହିଥିବ । ତା’ ଭିତରେ ଆହୁରି ଆଗକୁ ଅର୍ଥାତ ଆହୁରି ଗଭୀରକୁ ଯିବାର, ଆହୁରି ଚାହିଁବାର ଓ ଆହୁରି ହେବାରେ ଅସନ୍ତୋଷ ବା ଆକାଙ୍‍କ୍ଷା ଜାଗୃତ କରି ପାରୁଥିବ । ମୋ’ର ଭଲ ଶିକ୍ଷକମାନେ ମୋତେ କୌଣସି ପ୍ରକାରେ ଖର୍ବ କରି ହୋଇନାହାନ୍ତି, ମୋ’ର ବର୍ଦ୍ଧନମୁଖୀ ମନ ବା ହୃଦୟ ଉପରେ ସେମାନେ କୌଣସି ପ୍ରକାର ଡାଳ ବିସ୍ତାର କରିଦେବାକୁ କୌଣସି ଦେଖାଇ ନାହାନ୍ତି ।

 

୧୩ । ୦୮ । ୬୬

 

ବରଷଟା ଭିତରେ ଏହି ବରଷାଋତୁଟା ସମ୍ଭବତଃ ମୋତେ ସବୁଠାରୁ ଭଲ ଲାଗେ । କାଲି ସନ୍ଧ୍ୟାବେଳେ ମେଘ ବରଷା ମାଡ଼ି ଆସୁଥିଲା ବେଳେ ମୁଁ ବଗିଚାରେ କାମ କରୁଥିଲି । ସଞ୍ଜ ବୁଡ଼ି ନଥିଲେ ମଧ୍ୟ ବେଶ୍ ଅନ୍ଧାର ହୋଇ ଯାଇଥାଏ । ଦୂରରୁ ବରଷା ଆସୁଥିବାର ସୁ ସୁ ଶବ୍ଦ ଶୁଭୁଥାଏ । ସେତେବେଳେ ଏକ ଅପୂର୍ବ ପୁଲକରେ ହୃଦୟ ସମେତ ମୋ’ର ସକଳ ଦେହ ଫୁଲକିତ ହୋଇ ଉଠୁଥାଏ । ତାହାର ଅପମାନସ୍ପର୍ଶ ବାଜିବା ପରି ହୃଦୟ ସମେତ ମୋ’ର ସକଳ ଦେହି ପୁଲକିତ ହୋଇ ଉଠୁଥାଏ । କେଉଁ ପରମସରସର ଦୁଆରେ ଯାଇ ଠାବ ପାଇଥିବା ପରି ହୃଦୟ ସମେତ ମୋ’ର ସକଳ ଦେହ ଆପଣାଛାଏଁ ନତମସ୍ତକ ହୋଇ ପଡ଼ୁଥାଏ । ହଠାତ୍ ଭାବିଲି, ତୁଚ୍ଛା ଧର୍ମସାଧନାର ପଥରେ ଯାଇଥିଲେ ଓ କୌଣସି ଏକ ସାଧନାପଥକୁ ମୁଁ ଆଦରି ନେଇଥିଲେ ମୁଁ ହୁଏତ ତନ୍ତ୍ରମାର୍ଗକୁ ହିଁ ସବୁଠାରୁ ଅଧିକ ସ୍ଵାଭାବିକ ଭାବି ଗ୍ରହଣ କରିଥାନ୍ତି । ତନ୍ତ୍ରର ଦେବତା ରୁଦ୍ର, ଭୀଷଣ, —ପୁଣି ସେଇ ହେଉଚନ୍ତି ପ୍ରସନ୍ନ, ପ୍ରଶାନ୍ତ । ଚଞ୍ଚଳ କରିନ୍ତି ସେଇ, ଶାନ୍ତ ବି କରିଦିଅନ୍ତି ସେଇ । କେବଳ ଭୀଷଣର ପୂଜା କରି ମୁଁ ଡରିହରି ରହିବାକୁ ବା ଆଉ କାହାକୁ ଡରାଇବାକୁ ଚାହେନାହିଁ । ପୁଣି, କେବେଳ ଶାନ୍ତର ପୂଜା କରିବାର ବାହାନାରେ ମୁଁ ଭୀଷଣ ପାଖରୁ ଦଉଡ଼ି ପଳାଇବାକୁ ମଧ୍ୟ ଚାହେ ନାହିଁ । ମୁଁ ଉଭୟଟିର ଅଭିଳାଷ ଚାଖିଥାଏ । ଜୀବନର ସକଳ ଭୀଷଣତାର ସମ୍ମୁଖରେ ରହି ମଧ୍ୟ ମୁଁ ଶାନ୍ତ ହୋଇ ରହିବାକୁ ଚାହେ । ବରଷାର ଭୀଷଣ ତଥା ଶାନ୍ତରୂପୀ ସମନ୍ଵିତ ରୂପ ସେଥିଲାଗି ମୋତେ ଏପରି ଭଲ ଲାଗିଥାଏ ।

 

୧୪ । ୦୮ । ୬୬

 

ମୋ’ ଭିତରେ କୋଉଠି ଖୁଣ ଅଛି କେଜାଣି, ସେହି ଖୁଣଟା ହିଁ ଯେପରି ମୋତେ ସତେ ଖାଇ ଗୋଡ଼ାଉଚି । କେତେ ସଜ ହୋଇ ମୁଁ ଆଗକୁ ବାହାରୁଚି, ତଥାପି ସେଇ ଖୁଣଟା ହିଁ ମୋତେ ପଛକୁ ଟାଣୁଚି । ମୋ' ଚାରିପାଖର ପରିସ୍ଥିତିକୁ ମୁଁ ଖୁବ୍ ଭଲ କରି ବୁଝୁଚି, କିନ୍ତୁ ତଥାପି କିଛି କରି ନପାରି ଅସହାୟ ପରି ରହିଯାଉଚି । ଭାବୁଚି, ଏହିପରି ଏହି ଜନମଟା ଚାଲିଯିବ ଅଥଚ, ମୁଁ କିଛିହେଲେ କରି ପାରିବିନାହିଁ । ପିଲାଦିନେ କେଡ଼େ ସ୍ଵାଭାବିକ ଭାବରେ ଭାବି ପାରୁଥିଲି ମୋ'ର ଜୀବନ କାଳ ଭିତରେ ହିଁ ଆମ ଦେଶରେ ବା ଆମ ପୃଥିବୀରେ ସବୁ ବଦଳିଯିବ । କିନ୍ତୁ ମଣିଷ ଯେପରି ସେହି ପୁରୁଣାକୁ ନୂଆ ପ୍ରକୋପର ପୁଟ ଦେଇ ସଜାଇ ରଖିବାକୁ ଚାହୁଚି । ପୁରୁଣା ରହି ଗୌରବ ଅନୁଭବ କରୁଚି, ଅମଣିଷପଣିଆକୁ ହିଁ ସ୍ଵାଭାବିକ ବୋଲି ମନେ କରୁଚି । ଏଠି ମୁଁ କେଉଁ ବାଟରେ ଯିବି ? ସବୁ ଦେଖି କିଛି ନ ଦେଖିଲା ପରି ଯଦି ରହିଯିବାର ଚତୁରତା ମୁଁ ଶିଖି ପାରିଥାନ୍ତି, ତେବେ ଆପଣର ଭିତରେ ମୁଁ ଏତେ ଜ୍ଵାଳା ଅନୁଭବ କରି ପାରନ୍ତିନାହିଁ । କିନ୍ତୁ ଏ ବୁଢ଼ାଦିନରେ ନୂଆ କରି ଏହି ଚତୁରତା ଶିଖିବି ବା କାହିଁକି ? ସ୍ଵଭାବ ବିରୁଦ୍ଧରେ ଏହା ଶିଖି ପାରିବି ବା କିପରି ?

 

୧୫ । ୦୮ । ୬୬

 

ମେଘୁଆ ସକାଳର ଆଜି ଏହି ସ୍ଵାଧୀନତା ଦିବସ ଖାଲି ଏହି ଦେଶର ଭବିଷ୍ୟତ ବିଷୟରେ ମୋତେ ଏକ ଅସ୍ପଷ୍ଟତାର ଭିତରେ ବୁଡ଼ାଇଦେଇ ଯାଉଚି । ସାରା ପୃଥିବୀର ଭବିଷ୍ୟତ ଯେ ଅସ୍ପଷ୍ଟତା ଭିତରେ ବୁଡ଼ି ରହିଚି, ସେଥିରେ କୌଣସି ସନ୍ଦେହ ନାହିଁ । ତଥାପି ମୋ'ର ଆପଣା ଦେଶ ଅର୍ଥାତ୍ କ୍ଷେତ୍ରର ଅସ୍ପଷ୍ଟତା ଓ ଅନ୍ଧାରଗୁଡ଼ାକ ମୋତେ ଭାରି ବାଧୁଚି, ଭାରି ଅସହ୍ୟବୋଧ ହେଉଚି । ସ୍ଵାଧୀନତା ପାଇବାର କୋଡ଼ିଏ ବରଷ ପଶିଲା ବେଳକୁ ମୋତେ ଦେଶର ରାସ୍ତା, ଦେଶର ନେତୃତ୍ଵ ଓ ଦେଶର ଅଭିଳାଷଗୁଡ଼ାକ ଯେଡ଼େ ସ୍ପଷ୍ଟ ଭାବରେ ଦେଖା ଯାଉଥାନ୍ତି; ଆଜି ତାହା ଦେଖା ଯାଉନାହିଁ । କୋଡ଼ିଏବର୍ଷ ପୂର୍ବେ ଏହି ଦେଶକୁ ଆପଣା ସାଙ୍ଗରେ ନେଇ ଆଗକୁ ଯିବାଲାଗି ମୋ’ଠାରେ ଯେତେ ଉତ୍ସାହ ରହିଥିଲା ସେହି ଉତ୍ସାହ ମଧ୍ୟ ବର୍ତ୍ତମାନ ରହି ଥିଲାପରି ମନେ ହେଉନାହିଁ । ମୁଁ ଭାବୁଚି, ସ୍ଵାଧୀନ ଦେଶର ଜଣେ ମଣିଷ ଏହି ଦେଶର ନିର୍ମାଣ ଲାଗି ଆପଣାକୁ ଯେପରି ଦେଇପାରୁଥାନ୍ତା, ମୁଁ ତାହାର ଦଶଭାଗରୁ ଭାଗେ ମଧ୍ୟ ଦେଇ ପାରୁନାହିଁ । ମୁଁ ଜଣେ ଶିକ୍ଷକ ଶିକ୍ଷକ ଲାଗି ଏ ଦେଶରେ ଅନେକ କିଛି କରିବାର ରହିଥିଲା । ଜଣେ ଶିକ୍ଷକ ହେବାକୁ ଆପଣାର ଧର୍ମ ବୋଲି ବାଛିନେଇ ମୁଁ ଏହି କ୍ଷେତ୍ରରେ ନୂତନ ଭାରତବର୍ଷର ନିର୍ମାଣ ଲାଗି ଆପଣାକୁ ଯଥା ସମ୍ଭବ ସମର୍ପି ଦେବାକୁ ଆସିଥିଲି । କିନ୍ତୁ ସେହି ପୁରୁଣା କଳ, ସେହି ପୁରୁଣା ନେତୃତ୍ଵ ଓ ସେହି ବାବୁଗିରି ସହିତ ପ୍ରଧାନତଃ ଲଢ଼ିବାଟା ଯଦି ଶିକ୍ଷକର ସବୁଠାରୁ ବଡ଼ କାମ ହୁଏ ନ ହେଲେ ଯଦି ତା'ର ବାଟ ତାକୁ ଛାଡ଼ି ଦିଆନଯାଏ, ତେବେ ଦେଶ ଗଢ଼ିବାକୁ ବା ମଣିଷ ଗଢ଼ିବାକୁ ବେଳ କୁଆଡ଼ୁ ଆସିବ ?

 

୧୬ । ୦୮ । ୬୬

 

କାଲି ପାଖରେ ଗୋଟିଏ ଗାଆଁକୁ ମୋ'ର ଜଣେ ଛାତ୍ରଘରକୁ ବୁଲି ଯାଇଥିଲି । ଗାଆଁ ଦେଖିବା ମୋ' ପାଇଁ ନୂଆ କଥା ନୁହେଁ । ମୁଁ ଗାଆଁରେ ଜନ୍ମ ହୋଇଚି । ଦେଶକାମ ବୋଲି ଗାଆଁ କାମ କରିବାକୁ ହିଁ ଗ୍ରହଣ କରି ନେଇଚି; ତଥାପି, କାଲି ଗାଆଁର କାଦୁଅ ବାଟ, କଳା ମଇଁଷ ଓ ଲାଙ୍ଗଳା ଶିଶୁଙ୍କ ଭିତରେ ବାଟ କାଟି ଯିବାବେଳେ ମୁଁ ଯେପରି ତଥାପି ନୂଆ ହୋଇ ଗାଆଁ ଦେଖି ଆସିଲାଭଳି ଅନୁଭବ କରୁଥିଲି । ମୋ'ର ଆଶଙ୍କା ହେଉଚି, ମୁଁ କ୍ରମେ ଏଦେଶରେ ବାସ୍ତବ କ୍ଷେତ୍ରରେ ସାଆନ୍ତିଆ ହୋଇ ଅଲଗା ହୋଇ ଯାଉଚି କି ? ଏ ଦେଶର ଅର୍ଥାତ୍ ଏହି ପୃଥିବୀର ଅଧିକସଂଖ୍ୟକ ମଣିଷଙ୍କ ପାଇଁ ଯାହା ବା ଯେଉଁଗୁଡ଼ାକ ସର୍ବପ୍ରଧାନ ସମସ୍ୟା, ବାସ୍ତବ ଜୀବନ ବିଷୟରେ ମୋ'ର କଳ୍ପନା ଭିତରୁ ମୁଁ କ୍ରମେ ସେହି ସମସ୍ୟାଗୁଡ଼ିକୁ ବହିଷ୍କୃତ କରି ଦେଉଚି କି ? ପୁଣି, ସେମାନଙ୍କ ଲାଗି ଯାହା ମଧ୍ୟ କୌଣସି ସମସ୍ୟାରୂପେ ଦେଖା ଦେଇନାହିଁ, ସେହିଗୁଡ଼ାକୁ ହିଁ ମୁଁ ଭଦ୍ରମେଳରେ ବସି ବିଶ୍ଵର ସବୁଠାରୁ ବଡ଼ ସମସ୍ୟା ବୋଲି ଉଖାରିବାରେ ଲାଗିଚି କି ? ଏତିକି କରିବାକୁ ହିଁ ଯଦି ବୁଦ୍ଧିଜୀବୀ ବା Intellectual ହେବା ବୋଲି କୁହାଯାଏ, ତେବେ ବୁଦ୍ଧିକୁ ମୁଁ ଏକ ମଠ ସହଚାରୀ ବୋଲି କହିବି । ମଣିଷ ଯଦି ମଣିଷ ପାଖରେ ଯାଇ ବସି ନପାରିଲା, ତେବେ ତା’ ବୁଦ୍ଧିରେ ଆଉ କି ଲୋଡ଼ା ଅଛି ?

 

୧୭ । ୦୮ । ୬୬

 

ଆଜି ମୋ’ ପାଇଁ ନିଦା ଭଗବାନ ଦରକାର, ଦାରୁବ୍ରହ୍ମ ଦରକାର, ଯାହାକୁ ମୁଁ ଥରେ ଦେଖିଲେ କଦାପି ଛାଡ଼ି ପାରିବି ନାହିଁ, ହାତ ଆଗରେ ପାଇଲେ କୁଣ୍ଢାଇ ଧରିଥିବି । ଜଣେ ବ୍ୟକ୍ତି ଭାବରେ ଭଗବାନଙ୍କ କଳ୍ପନା କରିବାର ତତ୍ତ୍ଵଟି ସମ୍ଭବତଃ ମୋ'ର ଅବସ୍ଥାରେ ପଡ଼ିଥିବା ମଣିଷଙ୍କର ପୁନରୁଦୟ ଏବଂ ଗୃହପ୍ରତ୍ୟାବର୍ତ୍ତନ ଲାଗି ଉଦ୍‍ଭାବିତ ହୋଇଥିଲା । ମୁଁ ଆଖି ଆଗରେ ଜଣକୁ ବସାଇ ରଖିବାକୁ ଚାହେ । ମୁଁ ହାତରେ କୁଣ୍ଢାଇ ଧରିବାକୁ ଚାହେ, ପାଦତଳେ ପଡ଼ିଯିବାକୁ ଚାହେ । ତତ୍ତ୍ଵର ନିନ୍ଦା ବା ଜ୍ଞାନର ଅବଜ୍ଞା କରିବାକୁ ମୋ'ର କୌଣସି ଅଭିଳାଷ ନାହିଁ; କିନ୍ତୁ ମୋ' ଆଗରେ ମୁଁ ଜଣକୁ କୁଣ୍ଢାଇ ଧରି ପାରିବାଭଳି ବ୍ୟକ୍ତି ଚାହେ । ଏହି କେତେଦିନ ହେଲା ମୁଁ ଯେପରି ସେହିଭଳି ଏକ ଶ୍ରଦ୍ଧାସ୍ପଦକୁ ଖୋଜି ବୁଲୁଚି । ଯେତେ ଜାଗାରେ ହାତ ପତାଉଚି, ହାତ ତଳୁ ସବୁ ଖସି ପଳାଇଲା ପରି ମନେହେଉଚି । କେଉଁଠି ନିଦା ମାଟି ବୋଲି ଗୋଡ଼ ପକାଉଡ଼ି, କିନ୍ତୁ ଗୋଡ଼ତଳୁ ମାଟି ଖସିଯାଇ ମୋତେ ଶୂନ୍ୟଚାରୀ ହେବାର ହଟହଟାରେ ପକାଉଚି । ଏହି ଆକାଶ, ଫୁଲଗଛର ଫୁଲ, ସକାଳର ଆଲୁଅ ପରି ମୁଁ ଜଣେ ମଣିଷକୁ ମୋ'ର ଜୀବନ ସମ୍ମୁଖରେ ଧରି ରଖିବାକୁ ଚାହୁଚି, ତାହାକୁ ପାଇବାର ସନ୍ଧାନ ମୋତେ କିଏ ଦେଇ ପାରିବ ?

 

୧୮ । ୦୮ । ୬୬

 

ହାତରେ ପାଇଲାଭଳି ଠାକୁରଟିଏ ମୋତେ କିଏ ଆଣିଦେବ ? ଚାରିଆଡ଼ୁ ବିଶ୍ଵାସର ସ୍ତମ୍ଭମାନ ଭାଙ୍ଗି ପଡ଼ିବାବେଳେ ଯାହାକୁ ଦେଖି ମୁଁ ଆପଣାର ବିଶ୍ଵାସକୁ ବଞ୍ଚାଇ ରଖିପାରିବି ଓ ସେହି ବିଶ୍ଵାସ ଅନୁସାରେ ନିଜେ ବି ବଞ୍ଚି ପାରିବି । ଚାରିଆଡ଼ୁ ଘୃଣାର ଜୟଜୟକାର ଅର୍ଥାତ୍ ଭୟର ଜୟଜୟକାର ଶୁଣା ଗଲାବେଳେ ଯାହାକୁ ମୁଁ ଭଲ ପାଇପାରିବି ଓ ସେହି ଭଲ ପାଇବାକୁ ଆପଣା ବଞ୍ଚିବାର ମୂଳରସ ବୋଲି ମାନି ନେଇ ପାରିବି, ଯାହା ପାଖରେ ବା ଯାହାକୁ ଆଗରେ ରଖି ମୁଁ ନିର୍ଭୟ ହୋଇପାରିବି ଓ ଏକ ନିର୍ଭୟ ଭୂମି ଉପରେ ଆପଣାର ଜୀବନ ବଞ୍ଚିପାରିବି ! ଜୀବନର ଏହି ଘରେ ଏକାକୀ ଲାଗୁଥିବା ବେଳେ ଯିଏ ଆସି ପିଠିରେ ହାତ ବୁଲାଇ ମୋତେ ସାନ୍ତ୍ଵନା ଦେଇ ପାରିବ, ସଂସାରଯାକରେ ଆପଣାକୁ କେବଳ ବର୍ଜିତ ବୋଲି ମନେ ହେଉଥିବା ସମୟରେ ଯିଏ କି ମୋତେ ଆପଣାର ବୋଲି ଗ୍ରହଣ କରିନେଇ ପାରିବ, ଯାହା ଫଳରେ କି ମୁଁ ବି ଆପଣାକୁ ଆପଣାର ଗ୍ରହଣ କରିନେଇ ପାରିବି, ଆପଣାର କ୍ଷେତ୍ର ଓ ଆପଣାର ପଥକୁ ଭଲ ପାଇବି । ଦର୍ଶନ ବା ବିଚାର ମୋତେ ଆଦୌ ଯଥେଷ୍ଟ ବୋଲି ଲାଗୁନାହିଁ । ମୁଁ ଆଖିଆଗରେ ଦେଖିବାକୁ ଚାହେ, ଅନ୍ତର ଭିତରେ କାହାର ଉପସ୍ଥିତିକୁ ଅନୁଭବ କରିବାକୁ ଚାହେ ଓ ଜୀବନର ପଥଯାତ୍ରାରେ ତାକୁ ପଥସାଥୀ ରୂପେ ପାଇବାକୁ ଚାହେ । ମୋ' ଖୋଜିଲା ସମ୍ପଦକୁ ମୋତେ କିଏ ଆଣି ଦେଇପାରିବ-?

 

୧୯ । ୦୮ । ୬୬

 

ମୋ'ର ଭଦ୍ର ବ୍ୟବହାର ଅବଶ୍ୟ କରିବା ଉଚିତ । କିନ୍ତୁ, ଭଦ୍ରତା ସହିତ ଆଚରଣ କରିବାକୁ ହେବ ବୋଲି ସତ୍ୟକୁ ମଧ୍ୟ ଯେ ଛାଡ଼ିଦେବାକୁ ପଡ଼ିବ, ଏକଥା ଭାବିଲାବେଳକୁ ମୋତେ ବଡ଼ ଖଟକା ଲାଗୁଚି । ଭଦ୍ର ବ୍ୟବହାର କରିବାଟାକୁ ଆମ ତଥାକଥିତ ଭଦ୍ର ସମାଜରେ ସମସ୍ତଙ୍କୁ ଉପର ମୁହଁରେ ତୁଷ୍ଟ କରି ରଖିବା, ଏବଂ ସେଇଥି ସକାଶେ କଥା କହିଲାବେଳେ ସିଧା ନକହି ବଙ୍କା ବାଟରେ ଯିବାକୁ ବୁଝାଏ । ଆମ ସମାଜରେ ନାନାକ୍ଷେତ୍ରରେ ମଧୁର ତୁଣ୍ଡ ଉପରେ କ୍ରମେ ଅଧିକରୁ ଅଧିକ ଜୋର୍ ଦିଆଯାଉଚି । ମିଥ୍ୟାକୁ ପ୍ରଶ୍ରୟ ଦେଇ, ବା କିଛି ନହେଲେ ସତ୍ୟକୁ ଘୋଡ଼ାଇ ରଖି ତୁଣ୍ଡ ମଧୁର କରି ରଖିବାକୁ ଭଦ୍ର ବୋଲି ମାନି ନିଆଯାଉଚି । ମୋ’ର ଜୀବନବିଧାତା ପାଖରେ ମୁଁ କିନ୍ତୁ ମାନିନେଇଚି ଯେ, ମୁଁ ଏପରି ଭଦ୍ର ହୋଇ ପାରିବିନାହିଁ, ମୋ’ର ଅସାମର୍ଥ୍ୟଟା ଲାଗି ମୁଁ କ୍ଷମା ମାଗି ନେବାକୁ ବରଂ ପ୍ରସ୍ତୁତ ଅଛି, ମାତ୍ର ଚତୁର ହୋଇ ଅକର୍ମଣ୍ୟତାକୁ ଓ ମିଥ୍ୟାକୁ ପ୍ରଶ୍ରୟ ଦେଇ ମୁଁ କଦାପି ତୁଣ୍ଡ ମଧୁର କରି ମୋ’ର ଆପଣା କର୍ତ୍ତବ୍ୟ ପ୍ରତି ନ୍ୟାୟବିଚାର କରି ପାରିବିନାହିଁ । କାରଣ, ତୁଣ୍ଡ ମଧୁର କରିବାଦ୍ଵାରା ହୁଏତ ମୋ’ର ଭଦ୍ର ଦିଶିବାଟା କାଏମ୍ ରହିବ, ମାତ୍ର ଏହା ଦ୍ୱାରା ଆଉ ଅନ୍ୟମାନଙ୍କର ଅନେକ କ୍ଷତି ହେବାରେ ଲାଗିଥିବ । ଗତ ଅଠର ବର୍ଷ ହେଲା ଆମ ଦେଶର ନାନା ନିର୍ମାଣକ୍ଷେତ୍ରରେ ନେତୃତ୍ଵ ପ୍ରଧାନତଃ ତୁଣ୍ଡ ମଧୁର କରିବାକୁ ହିଁ ଆପଣାର ସର୍ବପ୍ରଥମ କର୍ତ୍ତବ୍ୟ ବୋଲି ମାନି ଆସିଚି । ତା’ଫଳରେ ସିଂହାସନ ଉପରେ ବସି ସିଠା ଲଗାଇ ତାହାରି ଉପରେ ଲାଖି ରହିପାରିବି ସତ, ମାତ୍ର ତାହାର ଦୂରବସ୍ଥା ଦେଶବାସୀ ଭୋଗିଚନ୍ତି । ଏହି ଦେଶର ବର୍ତ୍ତମାନ ବିପନ୍ନ ହୋଇଚି, ଭବିଷ୍ୟତ ମଧ୍ୟ ନାନା ମିଥ୍ୟା ଓ ଆଶଙ୍କାରେ ବଡ଼ ଅନିଶ୍ଚିତ ହୋଇ ରହିଚ ।

 

୨୦ । ୦୮ । ୬୬

 

ଶିକ୍ଷାକ୍ଷେତ୍ରରେ ବି ତୁଣ୍ଡମଧୁରିଆ କଥା ଏ ଦେଶରେ କମ୍ ଶୁଣିବାକୁ ମିଳେ ନାହିଁ । ଆଦର୍ଶ ଶିକ୍ଷା ସମ୍ବନ୍ଧରେ ତୁଣ୍ଡ-ଉଦ୍‍ଗାର କଲାବେଳେ ବଡ଼ ବଡ଼ ଶିକ୍ଷାନେତାମାନେ ଆଦର୍ଶ ସମାଜ ସହିତ ତାହାକୁ ନେଇ ଯୋଡ଼ିଦେବାର ଚେଷ୍ଟା କରିଥାନ୍ତି । ସମାଜ ବଦଳିବ, ସମାଜରେ ନ୍ୟାୟ ଓ ବ୍ୟକ୍ତସ୍ଵାତନ୍ତ୍ର୍ୟର ନୀତିମାନ ପ୍ରତିଷ୍ଠିତ ହେବ, ପିଲାମାନେ ସତ୍ୟବାନ୍ ଓ ଚରିତ୍ରବାନ୍ ହେବେ, —ଭାଷଣ-ଛଳରେ ସେମାନେ ଏପରି କେତେ ମିଠା ପ୍ରେରଣାର ବାଣ ମାରି ଚାଲିଥାନ୍ତି । ମାତ୍ର, କାର୍ଯ୍ୟକ୍ଷେତ୍ରରେ କେବଳ ମିଠା କଥା କହି, ଯେତିକି ଅଛି, ତାକୁ ସେହିପରି ଭାବରେ ରଖିବା ଓ ସୁଯୋଗ ପାଇଲେ ଆପଣା ଲାଗି ସବୁପ୍ରକାର ଆରାମ ଓ ଉପଭୋଗର ପୁଞ୍ଜିମାନ ସଂଗ୍ରହ କରିନେଇ ନିରାସକ୍ତ ଭାବରେ ତାହାକୁ ହିଁ ଆପଣାର ଶିକ୍ଷାଗତ ଠାରେ ଆଉ କିଛି ଦେଖିବାକୁ ମିଳେନାହିଁ । ପିଲାଙ୍କର କ୍ଷତି ହୁଏ, ମଣିଷପିଲା ପରି ବଢ଼ିବାର ଅଧିକାରୁର ସେମାନଙ୍କୁ ବଡ଼ କୌଶଳରେ ବଞ୍ଚିତ କରି ରଖାଯାଏ, ଉପର ସ୍ତରରେ ଆଳସ୍ୟ ଦେଖି ଦେଖି ସେମାନେ ମଧ୍ୟ ଆଳସ୍ୟକୁ ହିଁ ଜୀବନ ଉପଭୋଗ କରିବାର ପରମ ସରଣୀ ପରି ମାନିନିଅନ୍ତି । ପରିବର୍ତ୍ତନ ଅଟକି ରହେ, ସୃଷ୍ଟି କରିବାରେ ପ୍ରେରଣାମାନ ଅଟକି ରହେ, ଗୋଟାଏ କ୍ଷୟକାରୀ ବାସ୍ତବବାଦକୁ ହିଁ ଚରମ ଅବଲମ୍ବନ ରୂପେ ଗ୍ରହଣ କରି ନିଆଯାଏ ।

 

୨୧ । ୦୮ । ୬୬

 

ଏ ଦୁଆର ଅନେକ ଥର ଖୋଲିଚି, ଏଥର ମଧ୍ୟ ଖୋଲିବ । ଏତିକି ବିଶ୍ଵାସର ସହିତ ଯେପରି ଅନ୍ଧାରର ଏହି ପର୍ଯ୍ୟାୟଟା କଟିଯାଉ, ଭଗବାନଙ୍କଠାରେ ମୁଁ ସେତିକି ପ୍ରାର୍ଥନା କରୁଚି । ଆଜି ଅନ୍ଧାରଟାକୁ ହିଁ ଦୁନିଆ ମନେକରି ମୁଁ ଯେପରି ଏହି କିଳା ହୋଇଥିବା ଘର ଭିତରେ ଭାରି ଛଟପଟ ହେବାରେ ଲାଗିଚ । କିନ୍ତୁ ଏହି ଘର ସେ ପାଖରେ ମଧ୍ୟ ଯେ ସଂସାର ରହିଚି ଓ ଏହି ଅନ୍ଧାର ବ୍ୟତୀତ ଯେ ଜୀବନରେ ଠିଆ ହେବାଲାଗି ଓ ସ୍ଵପ୍ନ ଦେଖିବା ଲାଗି ନାନା କ୍ଷେତ୍ରରେ ରହିଚି, ଏକଥା ମୋତେ ବିଶ୍ଵାସ କରିବାକୁ ହେବ । ଆପଣା ଅଭିଜ୍ଞତାରୁ ମୁଁ ଏକଥା ଖୁବ୍ ଜାଣିଚି, ନିଜର ବୁଦ୍ଧି ଦେଇ ମୁଁ ତାହାକୁ ବେଶ୍ ବୁଝିପାରୁଚି; ମାତ୍ର ତଥାପି ତାହାକୁ ଅନୁଭବ କରି ପାରୁନାହିଁ । ଜୀବନର କ୍ଷେତ୍ର ଉପରେ ଏହି ଅନୁଭୂତିଟିକୁ ଜଳବାୟୁ ପରି ରଖିଥିବା ପର୍ଯ୍ୟନ୍ତ ଆଉ ଏପରି ଛଟପଟ ହେବାକୁ ପଡ଼ିବ ନାହିଁ । ଆପଣା ହସ୍ତସନ୍ତ ଓ କ୍ଷତ କାମନା ଗୁଡ଼ାକର ପରିଧି ଭିତରେ ପଡ଼ି ରହିଥିବା ପର୍ଯ୍ୟନ୍ତ କେବଳ ନିଜକୁ ଅମୁହାଁ କରି ରଖିବା ହିଁ ସାର ହେଉଥିବ । ତେଣୁ, ଆଜିର ଏହି ସକାଳ ପରି କେବେ ଭିତରର ଦିଗ୍‍ବଳୟ ଉପରେ ସକାଳ ହେବ । ଗ୍ଳାନିରେ ଉତ୍ତପ୍ତ ହେଲେ ସକାଳ ହେବନାହିଁ, ଆପଣାର ଦୁର୍ବଳତା ଉପରେ ଅଭିମାନ କାରି ଆତ୍ମପେଷଣ କରୁଥିବା ପର୍ଯ୍ୟନ୍ତ ଅନ୍ଧାରଟା ହିଁ ଆପଣା ଉପରକୁ ଅଧିକ ମାଡ଼ିମାଡ଼ି ପଡ଼ୁଥିବ । ମୁଁ ଭାବୁଚି, କେବଳ ଅପେକ୍ଷା କରି ଶିଖିବାକୁ ହେବ, କେବଳ ଶାନ୍ତ ହୋଇ ମୁହୂର୍ତ୍ତ ଗଣିବାକୁ ହେବ, ବେଳ ଜାଣି ଦିନେ ନିଶ୍ଚୟ ସକାଳ ହେବାର ବିଶ୍ଵାସକୁ ବଞ୍ଚାଇ ରଖିବା ସକାଶେ କେବଳ ନିଶ୍ଚଳ ହୋଇ ନିଜ ଆଡ଼କୁ ଅନାଇ ରହିବାକୁ ହେବ ।

 

୨୨ । ୦୮ । ୬୬

 

ନାନା ବାସନାର ପ୍ରବଳ ପ୍ରକୋପ ଦ୍ଵାରା ପ୍ରକୁପିତ ହୋଇ ବେଳେବେଳେ ମୁଁ ଅସଲ ବାସନାଟି ବିଷୟରେ ବଡ଼ ଅଳସ ହୋଇ ପଡ଼େନାହିଁ କି ? ଏହି ଜଗତର ନାନା ଜଳାଶୟର ତୁଠରେ ଯାଇ ଗୋଡ଼ ଖସାଇ ଦେବାର ଫାନ୍ଦରେ ପଡ଼ି ମୁଁ ଅନେକ ସମୟରେ ଆପଣା ଜୀବନସରସ ଉତ୍ସଟି ବିଷୟରେ ବିସ୍ମୃତ ହୋଇ ରହିଲା ପରି ରହେନାହିଁ କି ? ମୋ’ର ଅସଲ ବାସନା କ’ଣ ? ମୋ’ର ଆପଣା ଉତ୍ସ କେଉଁଠି ? ହୁଏତ ଭାଷାରେ ସଜାଇ ମୁଁ ଆଦୌ ସେକଥା କହି ପାରିବି ନାହିଁ । ମାତ୍ର, ଯେଉଁ ବାସନାର ଅନୁଗମନ କଲାବେଳେ ମୁଁ ଭିତରେ ବା ବାହାରେ କୌଣସି ଉଗ୍ରତା ବା ଆତୁରତା ଅନୁଭବ କରେ ନାହିଁ, ଭିତର ଓ ବାହାର ଭିତରେ କୌଣସି ପ୍ରକାର ବ୍ୟବଧାନ ଦେଖି ଉଚ୍ଛନ୍ନ ହୋଇ ଉଠେ ନାହିଁ, ଯେତେବେଳେ ଆପଣା ଘରେ ଆପଣା ସହିତ ସଖ୍ୟ କରି ରହିବା ପରି ଅନୁଭବ କରୁଥାଏ, କୌଣସି ପ୍ରକାର ମୋହକମ୍ପନ ନଥାଇ ତଥାପି ସମଗ୍ର ଜଗତ ଓ ସମସ୍ତ ଜୀବନର ସଙ୍ଗଲାଭର ଆନନ୍ଦରେ ମୋ’ର ଆପଣା ପାତ୍ରଟି କୃତାର୍ଥ ହେବାରେ ଲାଗିଥାଏ, ସେତିକିବେଳେ ହୁଏତ ମୁଁ ଅସଲ ବାସନାର ଅନୁଗମନ କରୁଥାଏ । ସେତିକିବେଳେ ଆପଣାର ଉତ୍ସକୁ ମୁଁ ଚିହ୍ନିପାରେ । ସେଇଠୁ ଦେଇ ପୁଣି ତାହାକୁ ହିଁ ଭାରଇନିଏ । ଖାଲି ହୋଇ ହେବାର ଯିବାର ଭୟ ନଥାଏ, ଲାଭକ୍ଷତିର ହିସାବ ସେତେବେଳେ ମୋତେ କୌଣସି ପ୍ରକାରେ ବିଚଳିତ କରିପାରେ ନାହିଁ ।

 

୨୩ । ୦୮ । ୬୬

 

ଆପଣା ମାନ ଓ ଅଭିମାନର ଗହ୍ଵର ଭିତରେ ନାନା ପ୍ରକାରେ କ୍ଷତିବିକ୍ଷତ ହୋଇ ସେଦିନ ମୁଁ ରାସ୍ତା ଉପରେ ପାଇ ଅପେକ୍ଷା କରିଥିଲି । ଏହି କ୍ଷତି ବିକ୍ଷତଗତ ରୋଦନ ବ୍ୟତୀତ ମୋ’ର ଭାବନା ଭିତରେ ସେତେବେଳେ ଯେପରି ଆଉ କିଛି ନଥିଲା । ଏହି ରୋଦନର ଜ୍ଵାଳାରେ ଆତଙ୍କିତ ହୋଇ ମୋ’ର ହୃଦୟଟା ମଧ୍ୟରେ ଯେପରି ସବୁ ଦୁଆର କିଳି ବସିଥିଲା । ସେତିକିବେଳେ ସେହି ପିଲାଟିକୁ ଶୋଇଥିବା ଅବସ୍ଥାରେ ଦେଖିଲି । କିରାସିନିର ବଡ଼ ବଡ଼ ଡ୍ରମ୍‍ର ଗଦା ଭିତରେ କେଉଁଠି ସାନ ପଟାଖଣ୍ଡେ ପଡ଼ିଥିଲେ, ପିଲାଟି ତାହାରି ଉପରେ ଶୋଇ ପଡ଼ିଥିଲା । ପିଲା ବୋଇଲେ ଅଢ଼େଇ ବରଷରୁ କଦାପି ଅଧିକ ହେବନାହିଁ । କଳା ମଚ ମଚ ଦେହ, ଦେହସାର ମାଛି ବେଢ଼ି ରହିଥାନ୍ତି, —କାଳ ଡ୍ରମ୍‍ର ଜଙ୍ଗଲ ଭିତରେ ହଠାତ୍ ଦେଖିଲେ ତା’ର ଜୀବନଟା ଖାଲି ଗୋଟାଏ କଳା ପିଣ୍ଡ ବ୍ୟତୀତ ଆଉ କିଛି ହୋଇଥିବ ବୋଲି ଆଦୌ ମନେ ହେଉନଥାଏ, ମୁଁ ପୁଣି ଅନ୍ୟମନସ୍କ ହୋଇ ମଟର ଆଡ଼େ ଅନାଇ ଦେଖିଲାବେଳେ ସେ ପିଲା କେତେବେଳେ ଉଠି ଆସି ରାସ୍ତାକଡ଼ରେ ବସିଲାଣି, ମୁଁ କଥା ଜାଣିନାହିଁ । ତା’ର ବାପା ସେଇଠି ବସି ମକ୍‍କା ବିକ୍ରୀ କରୁଥିଲା-। ରଡ଼ ନିଆଁରେ ମକାକୁ ପୋଡ଼ି ବିକ୍ରୀ କରୁଥିଲା ଗୋଟାଏ ଅଧିକ ପୋଡ଼ି ଯାଇଥିବା ପରିତ୍ୟକ୍ତ ମକାକୁ ଯାହାକୁ କେବେ କୌଣସି ଗରହାକ କଦାପି କିଣି ନେବେ ନାହିଁ, ପିଲାଟି ଅତି ସଉକରେ ଦାନ୍ତେଇବାରେ ଲାଗିଥାଏ, ସେଇ ପିଲାକୁ ଅନାଇ ଦେଇ ହଠାତ୍ ମୋ’ ଭିତରେ ମଧ୍ୟ ଗୋଟାଏ ହୃଦୟ ଅଛି ବୋଲି ଅନୁଭବ କଲି । ଆପଣାର କ୍ଷତବିକ୍ଷତ ଗୁଡ଼ାକୁ ହଠାତ୍ ଲୁଚାଇ ରଖିବାକୁ ହିଁ ମନ ହେଲା । ଏହି ସଂସାରରେ ମାନ ଅଭିମାନ ନେଇ କ୍ଷତକଳ୍ପନା କରିବାର ବେଳ ନାହିଁ, ସେଥିଲାଗି ଅଧିକାର ବା କାହିଁ ?

 

୨୪ । ୦୮ । ୬୬

 

କାଲି ମୁହାଁ ଅନ୍ଧାର ହୋଇଆସିଲାବେଳକୁ ମନକୁ ପୁଲକିତ କରି ଦେଉଥିଲା ପରି ପବନ ବହୁଥିଲା । ମୁଁ ସବୁ କାମ ସାରି ଘଡ଼ିଏ ଘର ପଛଆଡ଼ ବଗିଚାରେ ଯାଇ ବସିଥିଲା । ବରଷାକାଳର ହରିତୋଜ୍ଵଳ ପତ୍ରଗୁଚ୍ଛମାନ ପବନରେ ଲହରୀ ଖେଳୁଥିଲେ, ପବନର ହିଲ୍ଲୋଳରେ ଉଲୁସି ଉଠି ମୋତେ ଯେପରି ହୃଦୟ ପ୍ରାନ୍ତରେ ଆସି ଲାଗି ଯାଉଥିଲା । ସୂର୍ଯ୍ୟ ଅସ୍ତ ହୋଇ ଯାଇଥାନ୍ତି । ଦକ୍ଷିଣ ଦିଗର କେବଳ ଖଣ୍ଡେ ମେଘ ଉପରେ ତାଙ୍କର ବିଦାୟ ନେଇଥିବାର ସୂଚନା ମିଳୁଥାଏ । ଶୁକ୍ଳପକ୍ଷରେ ଜହ୍ନକୁ ମୁଁ ମୁଣ୍ଡଉପରେ ଦେଖିବାକୁ ପାଇଲି । ଏଡ଼େ ସରାଗରେ ସନ୍ଧ୍ୟାକାଳିନ ଏହି ଦୃଶ୍ୟଟିକୁ ମୁଁ ଉପଭୋଗ କରିବାକୁ ଯାଇଥିଲି, କିନ୍ତୁ ସେହି ଦୃଶ୍ୟ ଭିତରେ ଆପଣାକୁ ଅନୁଭବ କରିବାର କେତେ ମୁହୂର୍ତ୍ତ ଭିତରେ ହିଁ ମୋ’ର ଆଖି ବୁଜି ହୋଇଗଲା । ଆଖି ବୁଜି ଆପଣା ଚେତନାର ଆକାଶରେ ମୁଁ ଠିକ୍ ସେହି ଜହ୍ନକୁ ହିଁ ଦେଖିବାକୁ ପାଇଲି । ହୃଦୟବେଳାରେ ମୁଁ ଠିକ୍ ଏହି ସମଗ୍ର ଦୃଶ୍ୟଟିକୁ ସ୍ପର୍ଶ କରି ପାରିଲି । ମୁଁ ଭଲ କରି ଜାଣେ, ଏମିତି ମୁହୂର୍ତ୍ତମାନଙ୍କରେ ମୋ’ର ଆଖିବୁଜି ହୋଇଯାଏ । ଅନ୍ତର୍ମନର କେତେ ନାଡ଼ୀ ଯାଇ କେତେ କେଉଁଠାରେ ସଂଲଗ୍ନ ହୋଇଯାଏ । ମୁଁ ଆପଣାକୁ ଆୟତ୍ତରେ ରଖି ପାରେନାହିଁ । ଅନ୍ତର ଭିତରେ ପାଇଥିବାର ପୁଲକରେ ଜାଣିବାର ବା ବିଶ୍ଳେଷଣ କରିବାର ସବୁ ଲଗାମ ଅନାବଶ୍ୟକ ହୋଇଗଲା ପରି ପଡ଼ିରହେ । ଲାଭକ୍ଷତିର ବିଚାର କରିବାକୁ ବେଳ ନଥାଏ, ଅନାଇ ଦେଖିବାକୁ ବେଳ ନଥାଏ-

 

୨୫ । ୦୮ । ୬୬

 

ଆଜିକୁ ପଚିଶି ତିରିଶି ବର୍ଷ ତଳେ ମଧ୍ୟ ଏହି ଦେଶର ନେତା ଓ କର୍ମୀମାନେ ଗାଆଁକୁ ଯାଇ ଛୁଆଁ ଅଛୁଆଁ ରହିବା ଉଚିତ ନୁହେଁ ବୋଲି ଲୋକମାନଙ୍କୁ ବୁଝାଉଥିଲେ । ସେତେବେଳେ ଏ ସାହୀର ପାଣି ସେ ସାହୀବାଲା ପିଉନଥିଲେ, ଏ ସାହୀର ଠାକୁର ସେ ସାହୀକୁ ଯାଉନଥିଲେ । ପିଲା ବୟସରେ ସହଜ ପ୍ରେରିତ ହୋଇ ମୁଁ ଭାବୁଥିଲି, କର୍ମୀମାନେ କେବଳ ଏହିପରି କହିବାରେ ଲାଗିଥାନ୍ତି, ସ୍ଵାଧୀନତା ଆସିବା ମାତ୍ରକେ ଛୁଆଁ ଅଛୁଆଁ ଦିନକରେ ଉଠିଯିବ । ସ୍ଵାଧୀନତା ଆସିଲା ଛୁଆଁ, ଅଛୁଆଁ ଉଠିଗଲା, ବୋଲି ଆଇନ୍ ପାସ୍ ହେଲା । ଏହି ଆଇନ୍ ଭାଙ୍ଗିଲେ ଶାସ୍ତି ପାଇବାର ଧମକ ଦିଆଗଲା । ମାତ୍ର ତଥାପି ଛୁଆଁ ଅଛୁଆଁ ଗଲାନାହିଁ । ଓଲଟି ନାନା ପ୍ରକାର ବ୍ୟାବହାରିକ ଚତୁରତା ପଶି ଏହାର ଜାଲ ଅଧିକ ଜଟିଳ ହୋଇଗଲା । ଛୁଆଁ ଅଛୁଆଁ ଅର୍ଥନୀତି ଭିତରେ ପଶିଲା, ରାଜନୀତିରେ ପଶିଗଲା, ଶିକ୍ଷାରେ ପଶିଲା; ଏପରିକି ଆମ ଆଦର୍ଶ ମଧ୍ୟରେ ପଶିଲା । ସ୍ଵାଧୀନତା କୋଡ଼ିଏ ବରଷ ପରେ ମଧ୍ୟ ଆମେ ତିରିଶି ବର୍ଷର ସେହି ପୁରୁଣା ସୂତ୍ର ଅନୁସାରେ ଗାଆଁରେ ଲୋକଙ୍କୁ ସେହି ବିଷୟରେ ବୁଝାଇବାରେ ଲାଗିଚୁ । ତିରିଶି ବର୍ଷ ତଳେ ଯେଉଁମାନେ ପିଲା ଥିଲା ସେମାନେ ଆଜି ବୟସ୍କ ଗୃହସ୍ଥ ହୋଇଚନ୍ତି । ନୂଆ ମଣିଷ ଓ ନୂଆ ସମାଜର ଆଧାର ଉପରେ ଚିନ୍ତା କରିବାକୁ ଆମେ ସେମାନଙ୍କୁ କି ଶିକ୍ଷା ଦେଇଆସିଚୁ ?

 

୨୬ । ୦୮ । ୬୬

 

ନୂଆ ମଣିଷ ନୂଆ ସମାଜର ଆଧାର ଉପରେ ଚିନ୍ତା କରିବାକୁ ଓ ତାହାରି ଅନୁସାରେ ଆପଣା ଜୀବନର ଆଧାରଟିକୁ ବି ନିର୍ଣ୍ଣୟ କରିବାକୁ ଆମେ ନିଜେ ମଧ୍ୟ କି ଶିକ୍ଷା ପାଇଚୁ, ଅର୍ଥାତ୍ କିପରି ଭାବରେ ନିଜକୁ ଶିକ୍ଷିତ କରାଇ ଆସିଚୁ ? ଜୀବନନୀତିକୁ ଆଧାର କରି ଦିନେ ଏ ଦେଶର ରାଜନୀତି ଚଳୁଥିଲା, ଜୀବନନୀତି ଆଧାର ଉପରେ ଆମେ ଦେଶକୁ ନିର୍ମାଣ କରିବାର ସ୍ଵପ୍ନ ଦିନେ ଦେଖୁଥିଲୁ । ସେତେବେଳେ ଯାବତୀୟ କ୍ଷେତ୍ରରେ ନେତୃତ୍ଵ ମଧ୍ୟ ପ୍ରଧାନତଃ ଜୀବନ ଧର୍ମୀ ଥିଲା । କିନ୍ତୁ ବର୍ତ୍ତମାନ ଆମର ଯାବତୀୟ ପ୍ରୟାସ ମଧ୍ୟରେ ଏକ ଅତିଦୃଷ୍ଟ ଓ ଅତିକ୍ଷୟକାରୀ Careerism—ରୋଗ ପଶିଯାଇ ଆମ ପ୍ରୟାସଗୁଡ଼ିକୁ ପ୍ରଧାନତଃ ପ୍ରହସନରେ ପରିଣତ କରିଦେଇଚି । ମୁଁ ମୋ’ ନିଜର Career ଦୃଢ଼ କରିବାଲାଗି ଗାଆଁ ଲୋକଙ୍କୁ ଅସ୍ପୃଶ୍ୟତା ବିଷୟରେ ବକ୍ତୃତାଦେବାକୁ ଯାଉଚି, ଠିକ୍ ସେହିପରି ଏକ ମତଲବ ନେଇ ମୁଁ ମାଷ୍ଟର ହୋଇ ପିଲାଙ୍କୁ ପଢ଼ାଉଚି, ସେହି ଅନୁରକ୍ତିର ଅଠାରେ ପଡ଼ି, ମୁଁ ଆଦର୍ଶ କଥା କହୁଚି, ଦେଶ ବା ଆଦର୍ଶବାଦର ଚାଉଳ ଚୋବାଉଚି । ତେଣୁ ନେତୃତ୍ଵର ଅନ୍ତର୍ବାସନା ଅନୁସାରେ ସାରା ଦେଶଟାଯାକ ମଧ୍ୟ ଏହି careerism ବ୍ୟାଧି ମାଡ଼ିଯିବାରେ ଲାଗିଚି । ଆମେ ସମସ୍ତେ କଥା କହୁଚୁ, ସମସ୍ତେ ବଡ଼ ସ୍ଵପ୍ନ ଦେଖୁଚୁ ମାତ୍ର କେହି ବଦଳିବାକୁ ଚାହୁଁନାହୁଁ, ସଫଳ ହେବାର ରଣକ୍ଷେତ୍ରରେ ଆପଣା ଆସ୍ଥାନକୁ ମଜ୍‍ବୁତ କରି ରଖିବାକୁ ଚାହୁଚୁ ।

 

୨୭ । ୦୮ । ୬୬

 

କଳିଯୁଗରେ କେବଳ ନାମକୁ ଆଶ୍ରା କରି ରହିବା ଉଚିତ ବୋଲି କଳିଯୁଗରେ ଜନ୍ମ ହୋଇଥିବା ଧର୍ମାତ୍ମା ଓ ଧର୍ମନେତାମାନେ କହି ଯାଇଚନ୍ତି । ଯେଉଁ ଯୁଗରେ ମଣିଷକୁ ପଛରେ ପକାଇରଖି ଅନ୍ୟାନ୍ୟ ନାନା ଅପମୂଲ୍ୟକୁ ବଡ଼ତି ଦିଆଯାଏ, ମୋ’ର ବ୍ୟାଖ୍ୟାରେ ସେହି ଯୁଗରେ ହିଁ ମୁଁ କଳିଯୁଗ ବୋଲି କହିବି । ବର୍ତ୍ତମାନ ଆମ ପୃଥିବୀରେ ସେହିପରି ଏକ ଯୁଗ ଚାଲିଚି । ଆପଣା କ୍ଷେତ୍ର ଅର୍ଥାତ୍ ଆପଣା ଦେଶରେ ମଧ୍ୟ ସେହି ଯୁଗର ପ୍ରକୋପ ଓ ପରାକ୍ରମ ଗୁଡ଼ାକ ମଣିଷର ଜୀବନକୁ ରୁନ୍ଧିଦେଇ ଥିବାପରି ଲାଗୁଚି । ଏହି କଳିଯୁଗରେ ମଧ୍ୟ ଅନ୍ତତଃ ନାମକୁ ଆଶ୍ରା କରି ଯେ ଅପେକ୍ଷା କରି ରହିବାକୁ ହେବ, ମୁଁ ସେଦିନ ବନ୍ଧୁମେଳରେ ଅତି ଏକୁଟିଆ ବସି ଏହାହିଁ ଭାବୁଥିଲି । କୌଣସି ଭଗବାନ ବା ଇଷ୍ଟ ମନ୍ତ୍ରର ନାମ ନେବା କଥା ନୁହେଁ, ଆପଣା ବିଶ୍ୱାସ ଉପରେ ହିଁ ଆଶ୍ରୟ କରି ରହିବା କଥା ଭାବୁଥିଲି । ମୋ’ ଚାରିପାଖରେ ବିଶ୍ଵଜୀବନକୁ ସଂକ୍ରାମିତ କରି ରଖିଥିବା ଅନ୍ଧାର ସତ୍ତ୍ୱେ ତଥାପି ଆଲୁଅ ଉପରେ ବିଶ୍ଵାସ ରଖିବାକୁ ହେବ, ମଣିଷର ମଣିଷପଣିଆକୁ ବ୍ୟାବହାରିକ ଯୁକ୍ତି ଓ ପ୍ରୟୋଜନୀୟତାର ଷଡ଼ଯନ୍ତ୍ର ବସାଇ ହତ୍ୟା କରିବାର ଯାବତୀୟ ଚେଷ୍ଟା କରା ଯାଉଥିଲା ବେଳେ ତଥାପି ଆପଣା ଭିତରେ ରହିଥିବା ମଣିଷ ଓ ମଣିଷର ବାସନା ଉପରେ ବିଶ୍ଵାସ କରିବାକୁ ହେବ । ସବୁ ଆଡ଼ମ୍ବର ଓ ସବୁ ଆସ୍ଫାଳନ ସତ୍ତ୍ୱେ ସଂସାରରେ ଅସଲ କ୍ଷେତ୍ର କିଛି ବଦଳୁଥିବା ପରି ଦେଖା ଯାଉନଥିଲେ ମଧ୍ୟ ତଥାପି ପରିବର୍ତ୍ତନ ଉପରେ ବିଶ୍ଵାସ ରଖିବାକୁ ହେବ, ଆପଣାର ପରିବର୍ତ୍ତନ ଉପରେ ମଧ୍ୟ ବିଶ୍ଵାସ କରିବାକୁ ହେବ ଓ ଏହି ବିଶ୍ଵାସର ସହିତ ହିଁ ଅପେକ୍ଷା କରି ରହିବାକୁ ପଡ଼ିବ ।

 

୨୮ । ୦୮ । ୬୬

 

ସେମାନେ କହିବେ, ଚମ୍ପତିମୁଣ୍ଡା ଚାଲିଚି; ମୁଁ କହିବି ଯେ ଚମ୍ପତିମୁଣ୍ଡା ଉଜୁଡ଼ି ଯାଇଚି ଓ ମୋ’ର ଏହି ହୃଦୟ ଭିତରେ ମୁଁ ଆଜି ମଧ୍ୟ ସେହି ଉଜୁଡ଼ି ଯିବାର ଜ୍ଵାଳା ନେଇ ବୁଲୁଚି । ସେଠି କୁଆଡ଼େ ଆଜି ଅଧିକ ଓ ଅଧିକ ଭଲ ଭଲ ଘର ତିଆରି ହେଲାଣି, ଭଲ ପାଣି ମିଳିଲାଣି, ପାଠ ଓ ଜୀବନଯାପନକୁ ଅଧିକ ଆରାମଦାୟକ କରି ପାରିବା ଲାଗି କୁଆଡ଼େ ଅଧିକ ଆୟୋଜନ ହେଲାଣି-। କିନ୍ତୁ ତଥାପି ମୁଁ କହିବି ଯେ, ଚମ୍ପତିମୁଣ୍ଡା କହିଲେ ମୁଁ ଯାହା ବୁଝିଥିଲି, ତାହା ଆଜି ସେଠାରେ ନାହିଁ । ଘର ଉଜୁଡ଼ି ଯାଇଥିବା ଜଣେ ଦୁଃଖୀ ମଣିଷ ପରି ମୁଁ ଆଜି ସଂସାରଯାକ ସେହିପରି ଏକ ଘର ଖୋଜି ବୁଲୁଚି । ମୋ’ ଭିତରେ ଆସ୍ଥାନ ଖୋଜୁଥିବା ଶିକ୍ଷକ ଲାଗି ମୁଁ ଏକ ଘର ଖୋଜି ବୁଲୁଚି-। ସବୁଠାରୁ ମୋତେ ପ୍ରଧାନତଃ ଅବଜ୍ଞା ହିଁ ମିଳୁଚି, ବାସ୍ତବବାଦୀମାନେ ସବୁଠାରୁ କେବଳ ପୁରୁଣାର ପୁନରାବୃତ୍ତି ହିଁ କରୁଚନ୍ତି, ନୂଆର ପ୍ରଶଂସା କରୁଚନ୍ତି, ମାତ୍ର ତଥାପି ନୂଆ ହେବାକୁ ଆଦର୍ଶବାଦୀ ମାର୍ଗ ବୋଲି କହି ଭୟ କରୁଚନ୍ତି । ଚମ୍ପତିମୁଣ୍ଡା ଛାଡ଼ିବା କ୍ରମେ ଆଠ ନଅବର୍ଷ ହେବାକୁ ଯାଉଚି; ମୁଁ ଏପର୍ଯ୍ୟନ୍ତ ଯେଉଁଠାରେ ଯାଇଚି, ସେଠି ମଧ୍ୟ ନୂତନର ଅର୍ଥାତ୍ ନୂତନ ମଣିଷର ନିର୍ମାଣରେ ସହଯୋଗ କରିବାକୁ ହିଁ ମୋ’ର ସର୍ବପ୍ରଧାନ ଧର୍ମ ବୋଲି ଗ୍ରହଣ କରି ନେଇଚି । ଆପଣା ଭିତରେ ତଥା ମୋ’ର ଛାତ୍ରମାନଙ୍କ ଭିତରେ ମୁଁ ନାନା ନୂତନ ସମ୍ଭାବନାର ଅନ୍ଵେଷଣ କରି ବୁଲୁଚି । ଏହି ଅନ୍ଵେଷଣ ଲାଗି ଯେମିତି ସାହସ ଦରକାର, ଆପଣାର ଭିତରେ ଓ ମୋ’ର ଛାତ୍ରମାନଙ୍କ ଭିତରେ ମୁଁ ସେହି ସାହସରେ ଉଦବୋଧନ ଲାଗି କେବେହେଲେ କୌଣସି ତ୍ରୁଟି ଦେଖାଇନାହିଁ ।

 

୨୯ । ୦୮ । ୬୬

 

କଳିଯୁଗରେ ସବୁ ଛାଡ଼ିବ ପଛକେ, ନାମକ ଆଶ୍ରାକୁ କଦାପି ଛାଡ଼ିବ ନାହିଁ । ବର୍ତ୍ତମାନର ଏହି ଅନ୍ୟାୟପୂର୍ଣ୍ଣ କ୍ଷୟିଷ୍ଣୁ ଯୁଗରେ ସବୁ ଛାଡ଼ିବ ପଛକେ, ତଥାପି ମଣିଷ ଭିତରେ ରହିଥିବା ଭଲ ଉପରେ ହିଁ ବିଶ୍ଵାସ ରଖିବାକୁ ପଡ଼ିବ । ସେପରି କରିପାରିଲେ ପରିବର୍ତ୍ତନ ଉପରେ ମଧ୍ୟ ବିଶ୍ଵାସ ଆସିବାକୁ ଆରମ୍ଭ କରିବ । ଶିକ୍ଷକ ଭାବରେ ଯଦି ମୁଁ ମୋ’ର ଛାତ୍ରରୂପୀ ମଣିଷମାନଙ୍କ ଭିତରେ ରହିଥିବା ଭଲ ଉପରେ ହିଁ ବିଶ୍ଵାସ କରେ, ତେବେ ଶିକ୍ଷକ ହିସାବରେ ଅର୍ଥାତ୍ ଶିକ୍ଷକରୂପୀ ଜଣେ ମଣିଷ ହିସାବରେ ମଧ୍ୟ ମୁଁ ଆପଣାର ବିକାଶ ଲାଗି ବାଟ ଫିଟାଇଦେବି-। ଛାତ୍ରମାନଙ୍କୁ ପ୍ରଧାନତଃ ମଣିଷ ହିସାବରେ ଦେଖିବାକୁ ଆରମ୍ଭ କଲେ ଶିକ୍ଷା ବିଷୟରେ ଓ ତଜ୍ଜନିତ ମୋ’ର କର୍ତ୍ତବ୍ୟ ବିଷୟରେ ମଧ୍ୟ ମୋ’ର ମୌଳିକ ଦୃଷ୍ଟିଭଙ୍ଗୀ ଗୁଡ଼ାକ କ୍ରମେ ବଦଳିଯିବ-। ମୋ’ର ଆପଣା ଅଭିଜ୍ଞତାରୁ ମୁଁ ଏକଥା କହୁଚି । ଶ୍ରମିକ କାରଖାନାକୁ ଯାଇ ମଲା ମେସିନ୍ ଚଳାଇବା ପରି ଯଦି ମୁଁ କ୍ଳାସ୍‍କୁ ଯାଇ ମଣିଷର ପିଲାକୁ ମୂଳତଃ ଗୋଡ଼ ମାଟି ବା ମୂଳତଃ ମନ୍ଦ ବୋଲି ଭାବି ବ୍ୟବହାର କରେ, ତେବେ ମୋ’ର ଛାତ୍ରମାନଙ୍କର ଜୀବନବିଶ୍ଵାସ ମଧ୍ୟ କ୍ରମେ ମରି ମରି ଯାଏ । ବାହାରେ ମୋ’ର ବେତନ ଓ ସ୍ଵୀକୃତି ବଢ଼ୁଥିଲେ ମଧ୍ୟ ମୁଁ ତଥାପି ଭିତରେ ମରି ମରି ଯାଏ । ଏହି ଦେଶରେ ବା ଏହି ପୃଥିବୀରେ କିଛି ହୋଇ ପାରିବନାହିଁ ବୋଲି ମୁଁ ବି ସିଦ୍ଧାନ୍ତ କରିନିଏ । ଜୀବନ ଉପରେ ପ୍ରତିଶୋଧ ନେଲା ପରି ଜୀବନରୁ ଅପସରି ଯିବାଟା ହିଁ ମୋ’ର ସର୍ବପ୍ରଧାନ ଧର୍ମ ହୋଇରହେ । ଅର୍ଥାତ୍, ମୁଁ ମରିଯାଏ ।

 

୩୦ । ୦୮ । ୬୬

 

ଏହି ଜୀବନରେ ମୁଁ ଯାହାରି ଆଶ୍ରୟ ଖୋଜି ବୁଲୁଚି, ଆଜି ତାହାରି ହାତରେ ହିଁ ରାଖି ବାନ୍ଧିବି । ମୋ’ର ଭଗବାନ୍, ଅର୍ଥାତ୍ ମୋ’ ଭିତରେ ରହି ମୋତେ ସନ୍ଦୀପ୍ତ ଓ ପ୍ରେରିତ କରୁଥିବା ଭଲର ହାତରେ ହିଁ ରାଖି ବାନ୍ଧିବି । ଅନେକ ଅନେକ ଆଶ୍ରୟ ଖୋଜି ଖୋଜି ଯେତେବେଳେ ବାଟବଣା ହୋଇ ଘରକୁ ଫେରିଆସେ, ମୁଁ ସେତେବେଳେ ମୋ’ ଭିତରର ଶୁଭବାସନା ଗୁଡ଼ିକର ହିଁ ଆଶ୍ରୟ ପାଇଥାଏ, ସେହିଗୁଡ଼ିକ ଲାଗି ହିଁ ମୁଁ ବଞ୍ଚି ରହେ, ଏହି ଗୁଡ଼ିକ ଲାଗି ହିଁ ମୋ’ର ରାତି ପାହେ, ବାରବାର ସୂର୍ଯ୍ୟୋଦୟ ହୁଏ । ଆପଣାକୁ ଘୃଣା କରିବା ବା ଆପଣା ଗ୍ଲାନିରେ ଦହିହୋଇ ମାରିବାଲାଗି ମୋ’ର ଯେଉଁ ବାସନା ଗୁଡ଼ିକ ମୋତେ ପରାମର୍ଶ ଦେଇଥାନ୍ତି, ସେମାନେ ମୋତେ ବେଶୀଦୂର ସାହାଯ୍ୟ କରିପାରନ୍ତି ନାହିଁ । ନିଜକୁ ଘୃଣା କରୁଥିବା ପର୍ଯ୍ୟନ୍ତ ମଣିଷକୁ ମଧ୍ୟ ମୁଁ ପ୍ରଧାନତଃ ଘୃଣା ହିଁ କରୁଥାଏ । ଭଗବାନଙ୍କୁ ଭୟ ହିଁ କରୁଥାଏ । ଆଜି ରକ୍ଷାବନ୍ଧନର ଦିନରେ ମୋ’ର ସେସବୁ କିଛି ଲୋଡ଼ାନାହିଁ । ମୁଁ ଆଜି ଆପଣାର ଆଶ୍ରୟ ଲୋଡ଼ିବି, ଆପଣା ଭିତରେ ରହିଥିବା ଶୁଭବାସନା ଗୁଡ଼ିକର ହିଁ ଆଶ୍ରୟ ଲୋଡ଼ିବି, ମୋ ଭିତରର ମଣିଷର ହିଁ ଆଶ୍ରୟ ଲୋଡ଼ିବି-। ତେବେ ମୁଁ ଅତି ସ୍ଵାଭାବିକ ସଖ୍ୟ ଭାବନାରେ ସଂସାର ସହିତ ସମ୍ମିଳିତ ହୋଇପାରିବି, ସବୁ ମଣିଷ ସହିତ ସମବେତ ହୋଇ ପାରିବି । ତେବେ ଆଉ କେବେହେଲେ ଏକା ବା ନୀଡ଼ଛଡ଼ା ହୋଇଯିବାର ପ୍ରମାଦ ରହିବ ନାହିଁ ।

 

୩୧ । ୦୮ । ୬୬

 

I am a best with a purpose—ଆମ ସମାଜ ଅନେକ କଥା ମୋତେ ଭଲ ଲାଗେନାହିଁ, ଆମ ଦେଶରେ ଅନେକ କଥା ମୁଁ ସହ୍ୟ କରି ପାରେନାହିଁ । ମୋର ଚାରିପାଖରେ ଆସନ ମାଡ଼ି ବସିଥିବା ଅନେକ ସଂସ୍କାର ବିରୁଦ୍ଧରେ ମୁଁ କେବଳ ବିଦ୍ରୋହ ଘୋଷଣା କରିବାକୁ ହିଁ ମୋ’ର କର୍ତ୍ତବ୍ୟ ବୋଲି ମନେକର । ଭଦ୍ର ସଭାରେ ଆତ୍ମ ସମ୍ମାନର ମିଠାପାଣି ପିଇ ବସିଥିବା ମଣିଷମାନେ ଯାହାକୁ କାମ୍ୟ ବୋଲି କହନ୍ତି, ଅନେକ ସମୟରେ ମୁଁ ତାହାକୁ ଅବଜ୍ଞା ହିଁ ଦେଖାଇଥାଏ ଓ ଭଦ୍ରଲୋକମାନଙ୍କର ବିସ୍ମୟଭାଜନ ହୋଇଥାଏ । ଯେଉଁ ଦେଶରେ ଅନେକ ମଣିଷ ଦେହର ଲାଜ ଲୁଚାଇବାକୁ ସମର୍ଥ ହୋଇପାରନ୍ତି ନାହିଁ ସେ ଦେଶରେ ମୁଁ ଆପଣାର ପୋଷାକପତ୍ର ବିଷୟରେ ଖୁବବେଶୀ ଯତ୍ନଶୀଳ ହୋଇପାରେନାହିଁ । ଯେଉଁ ପୃଥିବୀରେ ଏକ ମଣିଷ ସକଳ ପ୍ରକାର ଔପଚାରିକ ଜ୍ଞାନଲାଭରୁ ବଞ୍ଚିତ ହୋଇ ରହିଚନ୍ତି, ସେହି ପୃଥିବୀରେ ଆପଣାର ଯତକିଞ୍ଚିତ୍ ଜ୍ଞାନର ଔପଚାରିକ ଦମ୍ଭ ଦେଖାଇବାକୁ ମୋତେ ଲାଜ ଲାଗେ । ତେଣୁ ଅନେକ ସମୟରେ ଏହି ସମାଜରେ ମୁଁ ଆପଣାକୁ ଗୋଟାଏ Beat ବୋଲି ଭାବି ନେଇଥାଏ । ଏହି ସମାଜର ଅନେକ ସ୍ଵୀକୃତ ଆସ୍ଥାନ ମୋତେ ମଧ୍ୟ ଗୋଟାଏ Best ବୋଲି ଧରିନିଏ । କିନ୍ତୁ ମୁଁ ଭଲ କରି ଜାଣେ, ମୁଁ କେବଳ ବିଦ୍ରୋହ କରିବା ଲାଗି ବିଦ୍ରୋହ କରେନାହିଁ, ଖାଲି ଖାପଛଡ଼ା ଦିଶିବ ବୋଲି ଖାପରୁ ଛାଡ଼ି ଯାଏନାହିଁ । ଅନ୍ୟମାନଙ୍କଠାରୁ ଅଲଗା ହୋଇ ରହିବାକୁ ବା ଅଲଗା ଦିଶିବାକୁ ମୋ’ର ଏତେଟିକିଏ ସରାଗ ନାହିଁ । ମୁଁ ମଣିଷକୁ ଆଉ ପ୍ରକାରେ ଦେଖିବାକୁ ଚାହେ, ସମାଜକୁ ଓ ଜିନ ଦେଶକୁ ଆଉ ପ୍ରକାରେ ଗଢ଼ି ହେବାକୁ ଚାହେ ଓ ସେଇଥିଲାଗି ବର୍ତ୍ତମାନକୁ ପବିତ୍ର ଓ ବିଧିନିର୍ଦ୍ଦିଷ୍ଟ ବୋଲି ମାନି ନେଇ ପାରେନାହିଁ ।

 

୧ । ୦୯ । ୬୬

 

ଏହି ପୃଥିବୀରେ କୌଣସି ବାବୁଗିରି ଅର୍ଥାତ୍ କୃତ୍ରିମତା ରହିବନାହିଁ । ଜାତୀୟତା, ଦେଶପ୍ରେମ ଓ ଧର୍ମାନୁରକ୍ତି ନେଇ ଅନେକ ଦିନରୁ ଯେଉଁସବୁ କୃତ୍ରିମତାକୁ ଆଦର୍ଶ ସ୍ଥାନୀୟ କରି ରଖାଯାଇଚି ଓ ଯାହାକୁ କାଳକ୍ରମେ ସ୍ଵାଭାବିକତା ବୋଲି ମାନି ନିଆଯାଇଚି, ସେଗୁଡ଼ାକୁ କୌଣସି ମହତ୍ତ୍ଵ ଦିଆଯିବ ନାହିଁ ବା ସେଗୁଡ଼ାକର ପୂଜା ହେବ ନାହିଁ । ମଣିଷକୁ ଆଣି ପୁଣି ତା’ର ଆସ୍ଥାନ ଉପରେ ବସାଯିବ । ଦେଶ ଓ ଜାତି ପ୍ରଭୃତି କାଳ୍ପନିକ ସାମୂହିକତାର ଅପମାନ ହେବ ପଛକେ, ମଣିଷର କଦାପି ଅପମାନ ହେବନାହିଁ । ଜଣେ ମଣିଷ ଆଉ ଜଣେ ମଣିଷକୁ ଅକିଞ୍ଚିନ, ଦାସ ବା ମାଟିଗୋଡ଼ି ପଥର ପରି କଦାପି ବ୍ୟବହାର କରିବନାହିଁ । ଏହିପରି ଏକ ଜୀବନମୂଳ ଦୃଷ୍ଟିକୋଣ ଅର୍ଜନ କରିବାଲାଗି ସଂସାରରେ ଯେଉଁପରି ଶିକ୍ଷାର ପ୍ରଚଳନବିଧି ରହିବା ଉଚିତ, ସାଧୁ ଭାବରେ ସେହି ବିଧିର ହିଁ ପ୍ରଚଳନ କରାଯିବ । ଏହି ଦୃଷ୍ଟକୋଣଟି ଜୀବନ ବଞ୍ଚିବାର ଓ ସଂସାରସହିତ ଆପଣାର ଖିଅ ଯୋଡ଼ିବାର ଆଧାର ହୋଇ ରହିଥିଲେ ଆମର ଜାତି, ଦେଶ ଓ ଧର୍ମଗତ ସକଳ ଭାବନା ଓ ସକଳ ଆଦର୍ଶର ସୁସ୍ଥ ବିକାଶ ହୋଇପାରିବ । ସଂସାରକୁ ମୁଁ ଏହିପରି ହେବାକୁ ଚାହେ-। ସଂସାରରେ ଏ ଦିଗରେ ଯେ ଯଥେଷ୍ଟ ଉଦ୍ୟମ ହେଉନାହିଁ, ମୋ’ ଚାରିପାଖରେ ଅନାଇ ମୁଁ ଏହାହିଁ ଦେଖିବାକୁ ପାଉଚି । ତେଣୁ ସଂସାରରେ ଦାଣ୍ଡରେ ତଥାପି ମୁଁ ପ୍ରଧାନତଃ ଏକ Beat ହୋଇ ବାହାରିଚି । ବର୍ତ୍ତମାନ ସ୍ଵାଭାବିକତା ନାମରେ ଯେଉଁସବୁ ଅସ୍ଵାଭାବିକତାକୁ ପ୍ରଶ୍ରୟ ଦିଆଯାଉଚି, ମୁଁ ତାହାରି ବିରୁଦ୍ଧରେ ଘୋଷଣା କରିଚି ।

 

୨ । ୦୯ । ୬୬

 

ଆମେରିକାର ଜଣେ ଲେଖକ ଏବେ ତାଙ୍କ ଦେଶର ସଭାପତିଙ୍କ ପାଖକୁ ଲେଖିଥିବା ଏକ ଖୋଲି ଚିଠିରେ ଭିଏତ୍‍ନାମ ଯୁଦ୍ଧର ଗୋଟିଏ ସହଜ ସମାଧାନ ବତାଇଚନ୍ତି । ତାଙ୍କ ମାତ୍ରେ ଉତ୍ତର ଭିଏତ୍‍ନାମର ଏକ ବଡ଼ ବନ୍ଦର ଉପରେ ଗୋଟାଏ ବା ଦୁଇଟି ଉଦଯାନ ବୋମା ପକାଇଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ । ଭିଏତ୍‍ନାମର ଯୁଦ୍ଧ ଶେଷ ହେବ । ତଦ୍ଦ୍ଵାରା ଆମେରିକା ଫୌଜରେ ଖୁବ୍ ବେଶୀ ଜୀବନ ହାନି ଘଟିବାରେ ଭୟ ନଥିବ ଏବଂ ଏସିଆ ଖଣ୍ଡରେ ଆମେରିକାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବ । ଉତ୍ସାହିତ ହୋଇ ସେ ଏକଥା ମଧ୍ୟ କହିଚନ୍ତି ଯେ, ଏପରି କରିବା ଦ୍ଵାରା ଆମେରିକାର ସମ୍ମାନ ମଧ୍ୟ ବହୁ ପରିମାଣରେ ବଢ଼ିଯିବ । ଏହାଦ୍ୱାରା ଆମେରିକାର ପାଖରେ ରହିଥିବା ପ୍ରଭୂତ ସାମରିକ ଶକ୍ତିର ଯେ ପ୍ରମାଣ ମିଳିଯିବ । କେବଳ ତାହା ନୁହେଁ, ମାନବିକ ଅଧିକାର ରକ୍ଷା ଲାଗି ଆମେରିକାର ପ୍ରକୃତରେ କେଡ଼େ ସମ୍ମାନ ଦେଖାଉଚି, ପୃଥିବୀ ଆଗରେ ତାହାର ପ୍ରମାଣ ବି ମିଳିଯିବ । ସଭାପତି ଜନସନ୍‍ଙ୍କ ସମରଦମ୍ଭକୁ ଏଥିରୁ ନିଶ୍ଚୟ ଅନେକ ଖୋରାକ ମିଳିବ । ଆସନ୍ତା ନିର୍ବାଚନରେ ଜିତିବା ଲାଗି ଭିଏତନାମ୍ ଯୁଦ୍ଧକୁ ଜାରି କରି ରଖିବାର ଯେଉଁ ପ୍ରୟୋଜନୀୟତା ସେ ହୃଦୟଙ୍ଗମ କରୁଚନ୍ତି, ସେହି ପ୍ରୟୋଜନୀୟତାକୁ ମଧ୍ୟ ବେଶ୍ ପ୍ରୋତ୍ସାହନ ମିଳିଯିବ । ଆମେରିକାର ସମ୍ମାନ ବଢ଼ୁ, ଜନସନ ଯୁଦ୍ଧ ଜାରି ରଖି ନିର୍ବାଚନ ଜିତନ୍ତୁ, —ପୃଥିବୀରେ ମଣିଷର ଭାଗ୍ୟ ଦୃଷ୍ଟିର ସେସବୁର କୌଣସି ମହତ୍ତ୍ଵ ନାହିଁ । ମାତ୍ର, ଯେଉଁସବୁ, ଲେଖକର ଊନବଂଶ ଶତାବ୍ଦୀରୁ ବିଦାୟ ନେଇ ଯିବା ଉଚିତ ଥିଲା, ସେମାନେ ଆମ ଏ ଯୁଗରେ ମଧ୍ୟ ଲେଖକର ପ୍ରତିନିଧିତ୍ଵ କରୁଚନ୍ତି, ତାହାହିଁ ଏକ ବଡ଼ ଦୁର୍ଭାଗ୍ୟର ବିଷୟ ।

 

୩ । ୦୯ । ୬୬

 

ଆଜିକୁ ସତେଇଶି ବର୍ଷ ତଳେ ଯେତେବେଳେ ଦ୍ଵିତୀୟ ମହାଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କଅଁଳ ମନରେ ମୁଁ ଭାବୁଥିଲି ଯେ ପୃଥିବୀର କେତେଟା ଦେଶ, କେତେଟା ସରକାର ବା କେତେଜଣ ଶାସକ ଯୁଦ୍ଧ ଚାହୁଚନ୍ତି ବୋଲି ଯୁଦ୍ଧ ହେଉଚି । ତେଣୁ ଏହି କେତେଜଣଙ୍କର ମନ ବଦଳିଗଲେ ପୃଥିବୀରୁ ଅତି ସହଜରେ ଯୁଦ୍ଧ ଲୋପ ହୋଇଯିବ ବୋଲି ମଧ୍ୟ ମୁଁ ସେତେବେଳେ ଏକ ସହଜ ସମାଧାନ କରି ପକାଉଥିଲି । ବର୍ତ୍ତମାନ ମୁଁ ଭାବୁଚି, ଆମେ ସମସ୍ତେ ଯେତେବେଳେ ଯୁଦ୍ଧ ଚାହୁଚୁ, ସେତେବେଳେ ଯୁଦ୍ଧ ନହେବ ବା କିପରି ? ଲେଖକଠାରୁ ଆରମ୍ଭ କରି ରାଜନୀତିକ ନେତା ପର୍ଯ୍ୟନ୍ତ ସମସ୍ତେ ଆଜି ଶକ୍ତି କହିଲେ ପ୍ରଧାନତଃ ସାମରିକ ଶକ୍ତିକୁ ବୁଝୁଚନ୍ତି, ସମ୍ମାନ କହିଲେ ପ୍ରଧାନତଃ ସମରବିଜେତାର ସମ୍ମାନକୁ ହିଁ ବୁଝୁଚନ୍ତି । ପିଲାମାନେ ମଧ୍ୟ ଅତି ସାନ ବୟସକୁ ଏହି ଶକ୍ତି ଓ ଏହି ସମ୍ମାନର ଉପାସନା କରି ଶିଖୁଚନ୍ତି । ତଥାପି ସଂସାରରୁ ଯୁଦ୍ଧ ଯିବ କିପରି ? ତଥାପି ଦୁର୍ବଳ ସାଧାରଣ ମଣିଷ ଅପ୍ରମତ୍ତ ହୋଇ ତା’ର ଜୀବନ ବଞ୍ଚିବାର ସ୍ଵାଧୀନତା ପାଇବ ବା କିପରି ? ଯୁଦ୍ଧ ଦ୍ଵାରା ହିଁ ସଂସାରରେ ସବୁ କଳହର ନିଷ୍ପତ୍ତି ହୋଇଯିବ, ମୋ’ର ପିଲାଦିନେ ଯେତେ ମଣିଷ ଏହିପରି ବିଶ୍ଵାସ କରୁଥିଲେ, ବର୍ତ୍ତମାନ ତା’ଠାରୁ ଅଧିକ ଅନୁପାତରେ ମଣିଷ ହୁଏତ ସେପରି ବିଶ୍ଵାସ କରୁଚନ୍ତି । ସେତେବେଳେ ଶକ୍ତି ଓ ସମର କହିଲେ ଅଧିକାଂଶତଃ ଇଉରୋପ ଓ ଆମେରିକାକୁ ବୁଝାଉଥିଲା ବର୍ତ୍ତମାନ ଏସିଆ, ଆଫ୍ରିକା ସମେତ ସମସ୍ତେ ଏହି ଯୁଦ୍ଧକୀର୍ତ୍ତନର ମଣ୍ଡଳ ଭିତରେ ସାମିଲ ହୋଇ ସାରିଲେଣି । ବାହାରେ ଶୀତଳ ଯୁଦ୍ଧ କହି ଆମେ ସମସ୍ତେ ସଂସାରରେ ଯୁଦ୍ଧରେ ଉତ୍ତାପଟାକୁ ହିଁ ବଢ଼ାଇବାରେ ଲାଗିଚୁ ।

 

୪ । ୦୯ । ୬୬

 

ସବୁଦିନ ସକାଳେ ସୂର୍ଯ୍ୟ ଉଦୟ ହୁଏ । କେତେଦିନ ପୂର୍ବ ଆକାଶର ସୂର୍ଯ୍ୟ ତୋରଣରେ ମେଘ ବିଛାଇ ହୋଇ ରହିଥାଏ । କିନ୍ତୁ ଆଜି ସକାଳ ପରି ମେଘ ଓ ଆଗମନପ୍ରସନ୍ନ ସୂର୍ଯ୍ୟରଶ୍ମିର ଏହି ଖେଳ କ୍ଵଚିତ୍ ଦେଖିବାକୁ ମିଳେ । ସେହିପରି ମୋ’ର ହୃଦୟ ଭିତରେ ଓ ମୋ’ର ମନର ଆକାଶରେ କେତେଥର କେତେ ଖୁସୀର ସୂର୍ଯ୍ୟୋଦୟ ଉଛୁଳି ପଡ଼ି ମୋ’ର ଜୀବନଓ ଜଗତର ପାତ୍ରଗୁଡ଼ିକୁ ଉଛୁଳାଇ ଦେଲାପରି ମନେହୁଏ । କେତେଥର ଅନ୍ତର୍ଗତ ଜୀବନର ସେହି ସୁପରିଚିତ ବେଳାଟିକୁ କେତେପ୍ରକାର ମେଘଖଣ୍ଡ ଆଚ୍ଛନ୍ନ କରି ରଖିଥାଏ । ମାତ୍ର ଆଜି ସକାଳ ପରି ହୃଦୟର ସ୍ପନ୍ଦନବେଳା ଉପରେ ସୂର୍ଯ୍ୟରଶ୍ମି ଓ ମେଘଖଣ୍ଡର ଏହି ଉଦ୍ଦୀପନା ମୟ ଅଥଚ କୋଳାହଳରହିତ ଖେଳ କ୍ଵଚିତ୍ ଅନୁଭବ କରିବାକୁ ମିଳେ । ଦିନ ଥିଲା, ମୁଁ ଯେତେବେଳେ ଧଳା ଓ କଳାକୁ ପରସ୍ପର ଓଲଟା ବୋଲି ଜାଣିଥିଲି ଆଲୁଅ ଆଉ ଅନ୍ଧାରକୁ ପରସ୍ପରକୁ ଶତ୍ରୁ ବୋଲି ମନେ କରୁଥିଲି । କ୍ରମେ ଜାଣୁଚି, ହୃଦୟ ପ୍ରସ୍ତୁତ ଥିଲେ ଓ ମନୋନେତ୍ରର ଅସଲ ଦୁଆରଟି ହୃଦୟ ଆଡ଼କୁ ଉନ୍ମୁକ୍ତ କରି ରଖି ପାରିଥିଲେ କଳାରେ ଉଦ୍‍ବିଗ୍ନ ହେବାକୁ ପଡ଼ିବନାହିଁ, ବା ଧଳାର ଅହଂକାରରେ ମୁଗଧ ହୋଇ ରହିବାକୁ ମଧ୍ୟ ପଡ଼ିବନାହିଁ । ଏହି ଜୀବନରେ ଭିତର ଓ ବାହାର ଉଭୟ ଦିଗକୁ ବାଟ କଢ଼ାଇନେବା ସକାଶେ ଧଳା ଓ କଳା, ଆଲୁଅ ଓ ଅନ୍ଧାର ଯେପରି ଉଭୟେ ପରସ୍ପର ପରିପୂରକ ଭାବରେ ଜୀବନବାଟର ବନ୍ଧୁ ରୂପରେ କାର୍ଯ୍ୟ କରିବାକୁ ଆସନ୍ତି । ଆଜି ପାହାନ୍ତାର ଅନ୍ଧାର ତଥାପି ଯାଇନଥିଲ, ଗଛ, ପତର, ଘର ଦୁଆର ଆଦୌ ସ୍ପଷ୍ଟ ହୋଇନଥିଲେ, ସମସ୍ତ ଆକାଶକୁ ମେଘ ଆଚ୍ଛନ୍ନ କରି ରଖିଥିଲା । କିନ୍ତୁ ପୂର୍ବ ଦିଗ୍‍ବଳୟର ଦାଢ଼ ଉପରେ ଆଲୋକର ଏତେ ଉଦଭାସ ଦେଖି ମୁଁ ଯେପରି ଆପଣାର ସବୁ ଅନ୍ଧାର ଓ ଅବଗୁଣ୍ଠିତତାକୁ ମୁହୂର୍ତ୍ତକରେ ଉଦ୍‍ଭାସିତ ରୂପେ ଅନୁଭବ କରି ପାରିଲି । ରାତ୍ରିର ବନ୍ଧୁ ଦିବସର ନବାଗତ ମିତ୍ର ଲାଗି ବାଟ ଛାଡ଼ି ଦେଲା, ମୋ’ର ସବୁ ବିରୋଧ ଅନ୍ତର୍ହିତ ହୋଇଗଲା ।

 

୫ । ୦୯ । ୬୬

 

ଭାରତର ଗୁରୁଦିବସ ଗୁରୁର ହିଁ ସର୍ବାପେକ୍ଷା ଅଧିକ ପାଳନ କରିବା ଉଚିତ । ମୁଁ ତ ଅନୁଭବ କରୁଚି ଯେ ଏହି, ଦେଶର ଶିକ୍ଷକ କ୍ରମେ ଆପଣାର ଶିକ୍ଷକତ୍ଵକୁ ଭୁଲିଯିବାକୁ ହିଁ ଚେଷ୍ଟା କରୁଚି । ଆଗେ ବଙ୍ଗାଳିଙ୍କ ମେଳରେ ଆପଣାକୁ ଓଡ଼ିଶା ବୋଲି ପରିଚୟ ଦେବାକୁ ଅନେକ ଓଡ଼ିଆଙ୍କୁ ଲାଜ ଲାଗୁଥିଲା । ସେହିପରି ଆଜି ସଫଳ ମଣିଷଙ୍କ ମେଳରେ ଏହି ଦେଶର ଶିକ୍ଷକଙ୍କୁ ହୁଏତ ଆପଣାକୁ ଶିକ୍ଷକ ବୋଲି ପରିଚିତ କରାଇବାକୁ ଲାଜ ମାଡ଼ୁଚି । ଅନେକ ସ୍ଥଳରେ ଶିକ୍ଷକ କହିଲେ ଶିକ୍ଷକ ଓ ଅଣଶିକ୍ଷକ ଅନେକଙ୍କର ମନରେ ଏକ ଅସଫଳ ମଣିଷକୁ ହିଁ ବୁଝାଉଚି । ଯେଉଁପରି ଏକ ସମାଜ ଓ ସାମାଜିକ ଅନୁରକ୍ତି ଭିତରେ ଶିକ୍ଷକକୁ ଆପଣାର କାର୍ଯ୍ୟ କରିବାକୁ ପଡ଼ୁଚି, ସେହି ସମାଜରେ ଅନେକ ସମୟରେ ଶିକ୍ଷକ ଆପଣାକୁ ଶିକ୍ଷକ ବୋଲି କହିବାର ସାହସ ହିଁ ପାଉନାହିଁ । ଆପଣା କାତର ମନର ପ୍ରରୋଚନାରେ ପଡ଼ି ସେ ଆପଣାର ଶିକ୍ଷକତ୍ଵକୁ ଭୁଲିଯିବାକୁ ଓ ଅସ୍ଵୀକାର କରିବାକୁ ଯଥାସମ୍ଭବ ଚେଷ୍ଟା କରୁଚି । ଶିକ୍ଷକତା କରିବା ଯେପରି ତା’ର ପୋଷାକୀ ଜୀବନର ଏକ ଅସ୍ଥାୟୀ ଆଭରଣ ହୋଇ ରହିଲାଣି । ଆଠପହରୀ ଜୀବନରେ ଶିକ୍ଷକ ଅନ୍ୟ ଚିନ୍ତା କରୁଚି, —ଏହାକୁ ହିଁ ଅନ୍ନଚିନ୍ତା ବୋଲି କହି ସେ ଆପଣାର ଅନେକ ଅପ୍ରସ୍ତୁତପଣିଆ ଓ ଅପବାସନାର ମାର୍ଜନା ହିଁ କରିବାରେ ଲାଗିଚି । ଏହି ଶିକ୍ଷତ ଆଜି ଆପଣାର ସ୍ଵଧର୍ମ ବିଷୟରେ ଚିନ୍ତା କରୁ । ଅନ୍ତତଃ ଆପଣାର ଭେକ ବିଷୟରେ ଚିନ୍ତା କରୁ । ବାହାର ସଂସାରରେ ନହେଲେ ନାହିଁ ପଛକେ, ଆପଣା ଅନ୍ତରରେ ସେ ଆପଣାର ପରିଚୟଟିକୁ ଫେରିପାଉ ।

 

୬ । ୦୯ । ୬୬

 

ଆଗକାଳେ କୁଆଡ଼େ ଆମ ଦେଶର ଗୁରୁମାନଙ୍କୁ ଦେବତାର ସମ୍ମାନ ଦିଆ ଯାଉଥିଲା, ଦେବତା ପରି ମନେ କରା ଯାଉଥିଲା । ଭାରତର ଶାସ୍ତ୍ରମାନଙ୍କରେ ସେହି କଥା ଉଲ୍ଲେଖ ରହିଚି । ମୁଁ ଗୁରୁମାନେ ଦେବତା ହୋଇଯାଆନ୍ତୁ ବୋଲି ଦାବୀ କରୁନାହିଁ । ଶିକ୍ଷକ ହିସାବରେ ଅନ୍ୟର ଆଖିରେ ଦେବତା ପରି ଦିଶିବାକୁ ମୁଁ କେବେହେଲେ ଅଭିଳାଷ ରଖିନାହିଁ ବା ଉଦ୍ୟମ କରିନାହିଁ । ଆମର ସମାଜ ହୁଏତ ଶାସ୍ତ୍ରରୁ ଶିଖିଶିକ୍ଷକ ଓ ଅଧ୍ୟାପକଠାରୁ ଦେବତାର ପରିଚୟ ଓ ଦେବତ୍ଵର ପ୍ରମାଣ ପାଇବ ବୋଲି ଆଶା ରଖିଥିବାରୁ ହୁଏତ ଅନେକ ସମୟରେ ହତାଶ ହୋଇପଡ଼ିଚି । ଆମ ଦେଶରେ ଅଧ୍ୟାପକ ମଧ୍ୟ ଆପଣା ଦେବତ୍ଵ ପ୍ରତିଷ୍ଠାର ଆକାଂକ୍ଷା ହେଉ ହେଉ ମଣିଷ ହେବାକୁ ମଧ୍ୟ ଭୁଲି ଯାଇଚି, ଜଣେ ଯୋଗ୍ୟ ଅଧ୍ୟାପକ ହେବାର ସାମାନ୍ୟ କର୍ତ୍ତବ୍ୟକୁ ମଧ୍ୟ ପାଶୋରି ପକାଇଚି । ମୁଁ କହିବି ଯେ, ଜଣେ ଅଧ୍ୟାପକ ଯେକୌଣସି ସମାଜରେ ଏକ ବିଶେଷସ୍ତରୀୟ କର୍ତ୍ତବ୍ୟ ରହିଚି । ଚାଷୀ, ଶ୍ରମିକ ଡାକ୍ତର ଓ ଇଞ୍ଜିନିଅରଙ୍କର ଯେପରି କର୍ତ୍ତବ୍ୟ ରହିଚି । ଜଣେ ଅଧ୍ୟାପକର ମଧ୍ୟ ସେହିପରି ଏକ କର୍ତ୍ତବ୍ୟ ରହିଚି । ଆପେ ସେ ଏହି କର୍ତ୍ତବ୍ୟ କରିବାର ହିଁ ଯୋଗ୍ୟ ହେଉ । ସେ ଆପଣାର ଜୀବନରେ ଏକ ଶିକ୍ଷାମୂଳକ ଦୃଷ୍ଟି ରଖୁ, ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଏକ ଦୃଷ୍ଟି ରଖିବା ଲାଗି ପ୍ରେରିତ କରୁ । ସେ ଅଳପ ଜାଣି, ଅଳପ ଅନୁଭବ କରି ସନ୍ତୁଷ୍ଟ ହୋଇନଯାଉ; ଏହିପରି କରି ସେ ଅନ୍ୟମାନଙ୍କ ମଧ୍ୟରେ ମଧ୍ୟ ନାନା ଦ୍ଵାରାକୁ ଖୋଲି ରଖିବାର ଆଗ୍ରହ ସୃଷ୍ଟି କରୁ-। କେବଳ ଏକ ଅଭିଧାନ ବା ଜ୍ଞାନକୋଷ ପରି ଜ୍ଞାନ ଯୋଗାଇଦେବା ତା’ର କାର୍ଯ୍ୟ ହୋଇ ନରହୁ-। ଆପଣାର ଜ୍ଞାନ ଦ୍ଵାରା ସେ ଆପଣାକୁ ଦୀପ୍ତ କରୁ; ଏହି ଦୀପ୍ତ ହୋଇ ରହିବାକୁ, ଜୀବନର ସମୀକ୍ଷକ ହୋଇ ରହିବାକୁ ଆପଣାର ସ୍ଵଧର୍ମ ବୋଲି ଗ୍ରହଣ କରିନେଉ ।

 

୭ । ୦୯ । ୬୬

 

ଶିକ୍ଷକ ଆପଣାକୁ ଶିକ୍ଷକ ବୋଲି ଅନୁଭବ କରି ଶିଖିଲେ ଓ ଶିକ୍ଷକ ହିସାବରେ ଆପଣାକୁ ସମ୍ମାନ କରି ଶିଖିଲେ ଛାତ୍ରକୁଳର କି କଲ୍ୟାଣ ହେବ, ସେକଥା ତ ଛାତ୍ରମାନେ କହିବେ, ମାତ୍ର ମୁଁ କହିବି, ଯେ ଏହାଦ୍ୱାରା ଶିକ୍ଷକ ଭିତରେ ଉନ୍ମୋଚନ—ଅଭିଳାଷୀ ମଣିଷର ମଧ୍ୟ ଉଦୟ ହେବ, ତା’ର ଦୁଆର ଫିଟିଯିବ । ବର୍ତ୍ତମାନ ଅଧିକାଂଶତଃ ଏହି ଦୁଆର ବନ୍ଦ ହୋଇରହିଚି । ଶିକ୍ଷକର ଧନ୍ଦାରେ ରହି ସମାଜର ଜଣେ ମଣିଷ ହିସାବରେ ସଫଳ ଅର୍ଥାତ୍ ଲାଭବାନ୍ ହେବାକୁ ହେଲେ ଏବେ ଏହି ଦୁଆରର ଯଥାସମ୍ଭବ ବନ୍ଦ କରି ରଖିବାକୁ ବୁଝାଉଚି । ଅର୍ଥାତ୍ ମଣିଷ ହିସାବରେ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଦେଇ ପାରିବାକୁ ନୁହେଁ, ମାତ୍ର ବ୍ୟାପାରୀ ହିସାବରେ ଅପରକୁ ଲୁଟି ସଫଳ ହେବାକୁ ହିଁ ଶିକ୍ଷକ ପରମ ପ୍ରେୟ ବୋଲି ମନେକରୁଚି । ସେ ଛାତ୍ରମାନଙ୍କୁ ପ୍ରଧାନତଃ ଗୋଡ଼ିପଥର ବା ଦୁଷ୍ଟତାର ଠୁଳରୂପ ବୋଲି ଦେଖୁଚି । ଅର୍ଥାତ୍ ଆପଣାକୁ ମଧ୍ୟ ମଧ୍ୟ ସଫଳତାର ପ୍ରତିଯୋଗିତା ବ୍ୟାପାରରେ ସେ ପ୍ରାୟ ଗୋଡ଼ି ପଥର ବୋଲି ଭାବିବାକୁ ଆରମ୍ଭ କଲାଣି । ଶିକ୍ଷକ ଦିବସରେ ଆଜି ଏହିସବୁ କଥା ଭାବିଲାବେଳକୁ ପ୍ରଧାନତଃ ଆପଣା ଆଡ଼କୁ ଅନାଇବାକୁ ଇଚ୍ଛା ହେଉଚି । ଆପଣା ଆଡ଼କୁ ଯଥାର୍ଥ ଭାବରେ ଅନାଇ ପାରିଲେ ଜଗତ ଆଡ଼କୁ ମଧ୍ୟ ଯଥାର୍ଥ ଭାବରେ ଅନାଇ ପାରିବା ସମ୍ଭବ ହୁଏ । କାରଣ, ଏହି ଯଥାର୍ଥ ଅନାଇବା ବେଳେ ଆପଣା ଓ ଜଗତ ଦୁଇଖଣ୍ଡ ହୋଇଯାଏ ନାହିଁ ।

 

୮ । ୦୯ । ୬୬

 

ସଂସାରରେ ମୁଁ ସମସ୍ତଙ୍କ ସହିତ ସମ୍ମିଳିତ ହୋଇ ରହିବି, କିନ୍ତୁ ତା’ ବୋଲି ମୁଁ କାହାରି କାନ୍ଧି ଉପରେ ଯାଇ ବସିବାକୁ ମୋ’ର ଧ୍ୟେୟ ବୋଲି ଗ୍ରହଣ କରିବିନାହିଁ । ମୋ’ର ସଙ୍ଗ ଦରକାର, ସଖ୍ୟ ଦରକାର, ସାନ୍ନିଧ୍ୟ ଦରକାର କିନ୍ତୁ, ପ୍ରଧାନତଃ ମୋତେ ହିଁ ସଙ୍ଗ, ସଖ୍ୟ ଓ ସାନ୍ନିଧ୍ୟ ଦେବାକୁ ସଂସାରର ମଣିଷମାନେ ଜନ୍ମ ହୋଇଚନ୍ତି ବୋଲି ଯଦି ମୁଁ ଧରିନିଏ ଓ ସେହି ଅନୁସାରେ ଅପର ସମସ୍ତଙ୍କୁ ଯଦି ମୁଁ ପ୍ରଧାନତଃ ମୋ ଜୀବନ ଭୋଗର ନିମିତ୍ତ ରୂପେ ବ୍ୟବହାର କରେ, ତେବେ ମଣିଷ ବିରୁଦ୍ଧରେ ମୁଁ ବଡ଼ ବିଦ୍ରୋହ କରିବି, ମୋ’ ଭିତରେ ରହିଥିବା ମଣିଷ ପ୍ରତି ମୁଁ ଘାତକତା କରିବି । ବେଳେ ବେଳେ ପଛକୁ ଅନାଇ ମୁଁ ଶଙ୍କିତ ମନରେ ଭାବିବାକୁ ଆରମ୍ଭ କରେ, ଆପଣା ଜୀବନର ସ୍ଵାଦ ଚାଖିବା ଲାଗି ମୁଁ କାହାରି ଜୀବନ ଉପରକୁ ମୋ’ର ଛାଇ ମଡ଼ାଇ ନେଉନାହିଁ ତ ? ମୋ’ର ପାତ୍ରଟିକୁ ଭରିବାକୁ ଓ ମୋ’ର ଆକାଂକ୍ଷା ଗୁଡ଼ିକରେ ଡେଣା ଲଗାଇବାକୁ ମୁଁ ଆଉ କାହାରି ପାତ୍ରକୁ ଶୂନ୍ୟ କରି ଦେଉନାହିଁ ତ ? ଆଉ କାହାରି ଡେଣାକୁ କାଟି ପକାଉନାହିଁ ତ ? ସେତିକିବେଳେ ମୋତେ କେହି ନଦେଖୁ ଥିଲେ ମଧ୍ୟ ନିଜକୁ ମୁଁ ଅପରାଧୀ ପରି ଅନୁଭବ କରେ, ମୋ’ ପଛରେ ଗୋଡ଼ାଉ ନଥିଲେ ମଧ୍ୟ ମୁଁ ନିଜକୁ ସତେଅବା ଚୋର ପରି ଭାବି ସଂସାରର ସବୁ ଦାଣ୍ଡରୁ ଲାଜରା ହୋଇ ପଳାଇ ଯିବାକୁ ଚେଷ୍ଟା କରୁଥାଏ । ଏହି ଲାଜରା ମନର ଦହନରେ ଦିଗଧ ହେଉଥିଲା ବେଳେ ସକଳ ପ୍ରକାର ଭଗବଦ୍ ନିର୍ଭର ଠାରୁ ଯେପରି ମୋ’ର ଖିଅ ଛିଡ଼ିଯାଏ, ସତେ ଯେପରି ଏହି ସଂସାରର ସକଳ ସମ୍ପଦ ସତ୍ତ୍ୱେ ଆପଣାର ଏହି ଘରେ ମୁଁ ସକଳ ପୁତ୍ରତ୍ଵକୁ ହରାଇ ବସେ ।

 

୯ । ୦୯ । ୬୬

 

ବୟସ ବଢ଼ିବା ସଙ୍ଗେ ସଙ୍ଗେ ସଂସାରରୁ ଆସକ୍ତି କମି ଯାଉଥିଲେ ହୁଏତ ଆପଣା ଜୀବନର ନିର୍ମଳ ସ୍ଵାଦଗୁଡ଼ିକୁ ଅନୁଭବ କରିବା ସହଜ ହୋଇ ପାରୁଥାନ୍ତା । ସେପରି ହେଉଥିଲେ ମଣିଷ ନିର୍ମଳ ଭାବରେ ଆପଣାକୁ ସଂସାର ଲାଗି ଉଦ୍ୟତ କରିବାକୁ ପ୍ରସ୍ତୁତ ହୋଇ ପାରୁଥାନ୍ତ ଓ ତଦ୍ଦ୍ଵାରା ଆପଣାର ଜୀବନକୁ ପରିପୂର୍ଣ୍ଣତା ଭାବରେ ଅନୁଭବ କରି ପାରୁଥାନ୍ତା । କିନ୍ତୁ ବେଳେବେଳେ ମୋ’ ଚାରିପାଖରେ ସଂସାରରେ ଏକ ଓଲଟା ପ୍ରୟାସ ଚାଲି ଥିବାପରି ମନେ ହୁଏ-। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏବେ ମଣିଷ ଯେପରି ଅଧିକ ସତର୍କ ଓ ଅଧିକ ସ୍ଵାର୍ଥସଚେତ ହୋଇଯାଉଚି । ଆପଣାର ଲାଭ, ଆପଣାର ଯଶ ଓ ଆପଣାର ସ୍ଵାର୍ଥ ଭିତରେ ବାନ୍ଧିହୋଇ ରହିବା ଉଦ୍ଦେଶ୍ୟରେ ସେ ଯେପରି ଆପଣାକୁ ସଂସାରରୁ ଆଉ ଯାବତୀୟ ବିଚରଣକ୍ଷେତ୍ରରୁ ଅପସରାଇ ଆଣୁଚି ଓ ଗୋଟାଏ ଖୋସା ଭିତରେ ବନ୍ଦ ହୋଇ ରହିବାକୁ ହିଁ ନିରାପଦ ମଣୁଚି । ଅଳପ ବୟସ ହେଉଚି ଅର୍ଜନ କରିବାରେ ବୟସ । ସେତେବେଳେ ମଣିଷ ଶିଖିବ, ଭଣ୍ଡାର ପୂରାଇବ, ଶତଦ୍ୱାର ହୋଇ ଜଗତରୁ ଗ୍ରହଣ କରିବ । ସେତେବେଳେ ଆମ ଅନେକଙ୍କୁଠାରେ ଅନେକ ପ୍ରକାର ଆଦର୍ଶବାଦ ଦେଖା ଯାଇଥାଏ । ସେତେବେଳେ ଆପଣାକୁ ଦେବାର କୌଣସି ଆହ୍ଵାନ ଆସିନଥାଏ, ତଥାପି ଆମେ ସମସ୍ତେ ଦେଶ ଲାଗି ବା ଅମୂକ ଯୋଜନା ଓ ଆଦର୍ଶ ଅନୁସାରେ ମଣିଷସଂସାରର ଗଠନଗୁଡ଼ାକ ବଦଳାଇ ଦେବାକୁ ହକହକ ହେଉଥାଉ । ମାତ୍ର, ସଂଗ୍ରହ ଓ ଅର୍ଜନର ପର୍ଯ୍ୟାୟ ପରେ ଯେତେବେଳେ ଦେବାର ସମୟ ଆସି ପହଞ୍ଚେ, ଯେତେବେଳେ ହୃଦୟର ସବୁ ଦ୍ଵାର ଖୋଲି ସଂସାର ଲାଗି ବଞ୍ଚିବାର ଆହ୍ଵାନ ଆସେ, ଭୟଭୀତ ଓ ଦାୟିତ୍ଵକାତର ସାନ ପିଲାଙ୍କ ପରି ଆମେ ସମସ୍ତେ କ୍ଷୁଦ୍ରରୁ କ୍ଷୁଦ୍ରତର କଣ ଭିତରେ ଲୁଚି ରହିବାରେ ଫିକର କରୁ କାହିଁକି-?

 

୧୦।୯।୬୬

 

ଧର୍ମ ମଧ୍ୟ ଆମକୁ ଏହି ଲୁଚି ରହିବାର ପ୍ରମାଦରୁ ବଞ୍ଚାଇବାରେ ଆଦୌ ସାହାଯ୍ୟ କରି ପାରେନାହିଁ । ଧର୍ମ କହିଲେ ମୁଁ ଏଠାରେ କେବଳ ଧାର୍ମିକ ଆଚାର ବା ଧର୍ମୀଚାର ଗୁଡ଼ାକର କଥାହିଁ କହୁଚି । ଏପରି ଅନେକ ମଣିଷ ମୁଁ ଦେଖିଚି ଯେଉଁମାନେ କି ଧର୍ମୀଚାରରେ ରୁଟିନରେ କୌଣସି ତ୍ରୁଟି କରନ୍ତିନାହିଁ, ଅଥଚ ଏଣେ ଆପଣା ପ୍ରୟୋଜନସିଦ୍ଧ ଜୀବନ ଭିତରେ ହିଁ ଲୁଚି ବସିଥାନ୍ତି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅନେକ ଲୋକଙ୍କର ଜୀବନରେ ଆଦର୍ଶ କମିଯାଏ, ଅନ୍ଵେଷଣ କମିଯାଏ, ମାତ୍ର ଧର୍ମାଚାର ବଢ଼େ । ଏହି ଧର୍ମୀଚାର ସେମାନଙ୍କୁ ବୁଢ଼ା ହୋଇ ବସିବାରେ ବେଶ୍ ସାହାଯ୍ୟ କରେ । ଆପଣାକୁ ନେଇ କିଛି କରିବାର ଜୀବନଧର୍ମ ବିସ୍ମୃତ ହୋଇରହେ । ଭଗବତ୍-ଆରାଧନା ସତେଅବା ମଣିଷକୁ ଅଧିକ ଚତୁର କରି ଦେଇଯାଏ, ଅଧିକ ସ୍ଵାର୍ଥସତର୍କ କରିଦେଇ ଯାଏ । ଆମ ଦେଶରେ ବର୍ତ୍ତମାନ ଏହି ପ୍ରବୃତ୍ତିଟା ହିଁ ବେଶୀ ହୋଇପଡ଼ୁଥିବା ପରି ମନେହେଉଚି । ଆଦର୍ଶକୁ ଅର୍ଥାତ୍ ଆପଣାର ଅସଲ ଶୁଭାବାସନା ଗୁଡ଼ିକର ସନ୍ଧାନ କରି ସେହି ବାସନା ଅନୁସାରେ ବାଟ ଚାଲିବାକୁ ପ୍ରଧାନତଃ ପିଲାଦିନର ଅବାସ୍ତବ ବିନୋଦର ବା କଞ୍ଚା ବୟସରେ ଏକ ଅସ୍ଥାୟୀ ସ୍ଵପ୍ନବିଳାସ ବୋଲି ବିଚାର କରାଯାଉଚି । ସଂସାରରେ ପ୍ରବେଶ କଲେ ଅର୍ଥାତ୍ ସଂସାରକୁ ଦେବାର ସମୟ ଆସି ପହଞ୍ଚିଲେ ଆମେ ନିରାପଦ ରହିବାକୁ ହିଁ ଆମର ସକଳ ଅନୁଧାବନର ସର୍ବପ୍ରଧାନ ଅଭୀପ୍‍ସା ରୂପେ ଗ୍ରହଣ କରିନେଉଚୁ । ଆମ କଳ୍ପନାର ସଫଳତା ହୁଏତ ବେଶ୍ ମିଳୁଚି, ମାତ୍ର ତଦ୍ଦ୍ଵାରା ଆମର ଜୀବନ ମରିଯାଉଚି,—ଆମର ଜୀବନଧର୍ମ ନାରଖାର ହୋଇଯାଉଚି, ଅପର ମଣିଷ ଓ ମଣିଷସଂସାର ସହିତ ଆମର ସମ୍ବଦ୍ଧ ମଧ୍ୟ ବଡ଼ ଅସୁନ୍ଦର ହୋଇପଡ଼ୁଚି । ଏହି ପ୍ରୟାସରେ କିଏ ହାରୁଚି, କିଏ ଜିତୁଚି, ଏକଥା ବିଚାର କରିବାକୁ ମଧ୍ୟ ଆମର ବେଳ କାହିଁ ?

 

୧୫ । ୦୯ । ୬୬

 

ଅସନ୍ତୋଷ ତ ରହିବ ହିଁ ରହିବ, କିନ୍ତୁ ଯେପରି ମୋ’ ଜୀବନର ଦିଗ୍‍ବଳୟ ଉପରେ ସୂର୍ଯ୍ୟୋଦୟପୂର୍ବର ଏହି ରକ୍ତିମ ଅସନ୍ତୋଷ ହୋଇ ରହିଥାଉ । ସୂର୍ଯ୍ୟ ଉଠିବାକୁ ବର୍ତ୍ତମାନ ବେଶ୍ କେତେ ମୁହୂର୍ତ୍ତ ବାକୀ ରହିଚି । ତଥାପି ପୂର୍ବ ଆକାଶକୁ ଅନାଇ ମୁଁ ବେଶ୍ ଦେଖିପାରୁଚି ଯେପରି ସେଠି କେତେ ଅପେକ୍ଷାର କେତେ ଅସନ୍ତୋଷ କେଉଁ ଅଭିଳଷିତର ଆଗମନ ଲାଗି କେବଳ ଏକ ସକାରାତ୍ମକ ଓ ସ୍ଵୀକୃତିମୂଳକ ପ୍ରସନ୍ନତାରେ ପ୍ରସ୍ଫୁଟିତ ହୋଇଉଠୁଚି । ମୋ’ ଭିତରେ ଅପେକ୍ଷା କରି ରହିବାର ଅସନ୍ତୋଷ ରହିଥାଉ, ସେଥିରେ ମୋ’ର ଦ୍ଵିଧା ନାହିଁ; କିନ୍ତୁ ଅଭିଳଷିତର ଆଗମନ ଓ ମୋ’ର ଦ୍ଵାରୋଦଘାଟନ ଉପରେ ବିଶ୍ଵାସ ମଧ୍ୟ ରହିଥାଉ । ମୁଁ ଭଲ କରି ଜାଣେ, ଏହି ଦ୍ଵାର କେତେଥର ଉନ୍ମୋଚିତ ହୋଇ ଥାଏ, ପୁଣି କେତେଥର ବନ୍ଦ ହୋଇଯାଏ । କେତେବେଳେ ସଖ୍ୟସୂତ୍ରରେ ବାନ୍ଧିହୋଇ ରହିବା ଛଡ଼ା ଜୀବନର ଆଉ କୌଣସି ଧର୍ମ ଅଛି ବୋଲି ମୁଁ କଳ୍ପନା ମଧ୍ୟ କରି ପାରେନାହିଁ । ସଂସାରଟା ଯାକ ଆପଣାର ଘର ପରି ଲାଗେ । ତଥାପି ମୁଁ ଯେପରି ପ୍ରଧାନତଃ ଅପେକ୍ଷା କରିବାକୁ ହିଁ ଶିଖେ, ପ୍ରଧାନତଃ ବିଶ୍ଵାସ କରି ହିଁ ଶିଖେ । ମୋ’ ଉପରେ, ମଣିଷ ଉପରେ, ପ୍ରେମ ଉପରେ ଓ ସର୍ବୋପରି ଏହି ଉଦ୍‍ଘାଟନ ଉପରେ ବିଶ୍ଵାସ କରି ଶିଖେ ।

 

୧୬ । ୦୯ । ୬୬

 

ପିଲାଏ କେବଳ ପରୀକ୍ଷାରେ ପାସ୍ କରିବାଲାଗି ବାଧ୍ୟ ହୋଇ ପାଠ ପଢ଼ୁଥିବେ, ଶିକ୍ଷକମାନେ କେବଳ ପାଉଛନ୍ତି ବୋଲି ବାଧ୍ୟ ହୋଇ ପାଠ ପଢ଼ାଉଥିବେ,—ଏପରି ଏକ ଅସମ୍ମାନଜନକ ବ୍ୟୁହ ଭିତରେ ଶିକ୍ଷା ସମ୍ଭବ ହେବ କିପରି ? ଯେତେଯାଏ ପାଠ ନପଢ଼ିଲେ ନଚଳିବ, ଅର୍ଥାତ୍ ପରୀକ୍ଷାରେ ପାସ୍‍ କରିବା ସମ୍ଭବ ନହେବ, ପିଲାଏ ଖାଲି ସେତିକି କରିବାକୁ ରାଜି ଥିବେ; ଯେତେ ଯାଏ ପାଠ ନପଢ଼ାଇଲେ ନଚଳିବ, ଶିକ୍ଷକମାନେ ମଧ୍ୟ କେବଳ ସେତିକି କରୁଥିବେ, ତେବେ ଏହି ଶିକ୍ଷାତୁଠରେ ମଣିଷ ସହିତ ମଣିଷ ଭେଟ ହେବ କିପରି ? ଏହି ତଥାକଥିତ ଶିକ୍ଷାୟତନର ବାହାରେ ଯେ ଗୋଟିଏ ସମାଜ, ଦେଶ ବା ପୃଥିବୀ ରହିଚି, ପରୀକ୍ଷାରେ ପାସ୍ କରିବା ଓ ଜୀବିକାର୍ଜନ ଲାଗି ବେତନ ଭୋଗିବା ବ୍ୟତୀତ ଜୀବନରେ ଯେ ଆହୁରି ମଧ୍ୟ ଅନେକ ଆଗ୍ରହ ରହିଚି, ସେକଥା ଅନୁଭବ କରି ପାରୁନଥିଲା ପର୍ଯ୍ୟନ୍ତ ଆମେ ଶିକ୍ଷକ ଓ ଛାତ୍ର କେଉଁ ସମାଜର ଗଢ଼ା ହେବାରେ ସହଯୋଗ କରିପାରିବୁ, ବା ଏଠି କିପରି ଧରଣର ସାମାଜିକ ଜୀବନ ବଞ୍ଚିପାରିବୁ ? ଆପଣାକୁ ଯେତେବେଳେ ମୁଁ ଜଣେ ଶିକ୍ଷକ ହିସାବରେ ଅନୁଭବ କରେ, ସେତିକିବେଳେ ଆପଣାର ଚାରିପାଖକୁ ଅନାଇ ମୁଁ ଏହାହିଁ ଭାବିଥାଏ । ହୁଏତ ଆମ ଛାତ୍ରମାନଙ୍କ ଭିତରୁ ଏପରି କେତେଜଣ ଅବଶ୍ୟ ରହିଥିବେ, ଯେଉଁମାନେ କି ବେଳେବେଳେ ଛାତ୍ର ହିସାବରେ ଆପଣା ଆଡ଼କୁ ଅନାଉଥିବେ ଓ ଶିକ୍ଷାନୁଷ୍ଠାନ ବୋଲି କୁହାଯାଉଥିବା ଏହି ବାତାବରଣରେ ଏକ ଅତି ଯନ୍ତ୍ରଣାଦାୟକ ଶୂନ୍ୟତା ଅନୁଭବ କରୁଥିବେ । ଏହି ଶୂନ୍ୟତାକୁ ମାନି ନେଇ ସେମାନେ ସଂସାରରେ କି ମଣିଷ ହୋଇ ବାହାରିବେ, ଏହି ଶୂନ୍ୟତାକୁ ଶିକ୍ଷକ ମାନିନେଇ ମଧ୍ୟ କି ମଣିଷଭାବେ ନିଜର କର୍ତ୍ତବ୍ୟ କରିପାରିବ ?

 

୧୭ । ୦୯ । ୬୬

 

ମୁଁ ଯେଉଁସବୁ ଜିନିଷକୁ ବ୍ୟବାହର କରୁଚି, ସେହିସବୁ ଜିନିଷକୁ ମୁଁ କ୍ରମେ ଆପଣାକୁ ବୋଲି କହି ଶିଖିଚି, ଅର୍ଥାତ୍ ସେହି ଜିନିଷଗୁଡ଼ିକୁ ମୁଁ କ୍ରମେ ମୋ’ ଜୀବନର ଅଙ୍ଗରୂପେ ଅନୁଭବ କରିବାରେ ଅଭ୍ୟସ୍ତ ହୋଇଯାଇଚି । କୌଣସି ଜିନିଷ ସହିତ ମଣିଷର ମାୟା ଲାଗିଯାଏ ବୋଲି କହିଲେ ସାଧାରଣତଃ ଯାହା ବୁଝାଏ, ଏହା ହେଉଚି ତାହାହିଁ । ମୋ’ର କ୍ୟାମେରା ଥିଲା କେଡ଼େ ଖୁସୀରେ ମୁଁ କେତେ ମଣିଷଙ୍କର ଫଟୋ ଉଠାଉଥିଲି ଏବଂ ଏହି କ୍ୟାମେରାଟା ଯେପରି ମୋ, ଜୀବନର ଗୋଟାଏ କଣରୁ ବେଶ୍ ଫୁଲାଇ ରଖିଥିଲା ଅନ୍ୟାନ୍ୟ ଅନେକଙ୍କର ଯାହା ନାହିଁ, ମୋ ପାଖରେ ତାହା ଅଛି,—ଏହିପରି ଏକ ଗର୍ବ ମଧ୍ୟ ବେଳେବେଳେ ରହିଥିଲା ଓ ଆପଣା ପାଖରେ ଆପଣାକୁ ପ୍ରଫୁଲ୍ଲ କରି ରଖିବାକୁ ତାହା ହୁଏତ ମୋତେ କେତେକ ଦୃଷ୍ଟିରୁ ସାହାଯ୍ୟ ବି କରୁଥିଲେ-। ସେଥିଲାଗି କ୍ୟାମେରାଟା ଚୋରି ଗଲାପରେ ଆପଣା ଜୀବନରୁ ଅରାଏ ଭିଷୁଡ଼ି ପଡ଼ିଲାପରି ଲାଗିଲା । କ୍ୟାମେରା ଜରିଆରେ ଯେଉଁଠାରେ ଯେତେ ସମ୍ବନ୍ଧ ଯୋଡ଼ି ହୋଇ ରହିଥିଲା, ସେସବୁ ହଠାତ୍ ଛାଡ଼ି ପଡ଼ିଲା ପରି ମନେହେଲା । ହୁଏତ ଜୀବନରେ ଆଉ ଅନେକ ଖିଅ ଲଗାଇବା ଏଣିକି ସମ୍ଭବ ହୋଇ ପାରିବନାହିଁ, କ୍ଷତିକାତର ମନରେ ମୁଁ ଏକଥା ମଧ୍ୟ ଚିନ୍ତା କରୁଥିଲି । କିନ୍ତୁ ସମୟ ଅନୁସାରେ ଏହିସବୁ ଜ୍ଵାଳା ସମୟ ଅନୁସାରେ ଏହିସବୁ ଜ୍ଵାଳା କ୍ରମେ ନିଭି ନିଭି ଯାଉଚି-। କ୍ୟାମେରା କୌଣସି ଖିଅ ଲଗାଉ ନଥିଲା ଓ ଖିଅ ଲଗାଇ ପାରିବାର କୌଣସି ସମ୍ପଦକୁ କୌଣସି ଚୋର କଦାପି ଚୋରି କରି ପାରିବନାହିଁ କ୍ରମେ ଏହି ଅନୁଭବ ଦ୍ଵାରା ମୋ କ୍ଷତିର ଖାଲିଯାଗା ଗୁଡ଼ାକ ସତେଅବା ଭରିଭରି ଯାଉଚି । ଦିନେ କ୍ୟାମେରା ବା ସେପରି ଦ୍ରବ୍ୟଗୁଡ଼ିକ ସହିତ ମୋ’ର ଯେତେ ମାୟା ଲାଗିଥାଉ ପଛକେ, ଏଗୁଡ଼ିକ ସହିତ ଯେ ମୋ’ର ବନ୍ଧନ ଅସଲ ବନ୍ଧନ ନୁହେଁ ଆଜି ଶାନ୍ତ ପରିପୂର୍ଣ୍ଣ ହୃଦୟରେ ମୁଁ କ୍ରମେ ଏକଥା ମଧ୍ୟ ଅନୁଭବ କରୁଚି ।

 

୧୮ । ୦୯ । ୬୬

 

ଏସବୁ କେତେ ଯିବ, କେତେ ଆସିବ, ଏସବୁ ସହିତ କେତେ ଅସ୍ଥାୟୀ ବନ୍ଧନ ଯୋଡ଼ି ହୋଇଯିବ, ଭୋଳ ହୋଇ ଏଗୁଡ଼ିକୁ ମୁଁ କେତେ ମୋ’ର ବୋଲି କହି ବୁଲିବି,—ତଥାପି ଏଗୁଡ଼ିକୁ ମୋତେ ଛାଡ଼ି ଚାଲି ଯାଉଥିବ । ମାତ୍ର ତଥାପି ଏଗୁଡ଼ିକ ମୋତେ ନିଃସ୍ଵ କରିଦେଇ ଯିବନାହିଁ । କାରଣ, ମୋ’ର ନିଃସ୍ଵତାକୁ ଭୁଲାଇ ଯେଉଁ ସମ୍ପଦ ଓ ଯେଉଁ ଧନମାନ ମୋତେ ଏହି ସଂସାରକୁ ଓ ଏହି ଜୀବନକୁ ମୋ’ର ଆପଣାର ବୋଲି ଅନୁଭବ କରି ଶିଖାଇଚି, ମୋ’ର ସେହି ସମ୍ପଦକୁ କେହି ଚୋର କରି ନେଇଯାଇ ପାରିବନାହିଁ । ମୋ’ର ସମ୍ପତ୍ତିଗୁଡ଼ାକ ମୋ’ର ଅସଲ ପରିଚୟ ନୁହେଁ । ଅନ୍ୟମାନଙ୍କ ଠାରୁ ଆପଣାକୁ ଅଧିକ କରି ଦେଖାଇ ହେବାକୁ ମୁଁ ଯେତେବେଳେ ଯେଉଁସବୁ ସମ୍ପତ୍ତି ଜମାକରି ରଖିଚି, ସେଗୁଡ଼ାକ ଯେତେ ନିଷ୍ଠାପର ମୋହ ସହିତ ମୋତେ ଗୁଡ଼ାଇ ହୋଇ ରହିଥିଲେ ମଧ୍ୟ ସେଗୁଡ଼ାକ ମୋ’ର ଅସଲ-ପରିଚୟ ନୁହନ୍ତି । କାରଣ, ସେହି ଭାଙ୍ଗିଗଲେ ସେଗୁଡ଼ାକୁ ସହିତ ଲାଗିଥିବା ମୋ’ର ସିଠା ମଧ୍ୟ ଛାଡ଼ିଯିବ । ଏହାଦ୍ୱାରା ପରାସ ନିଶ୍ଚୟ ଲାଗିବ, ଅନ୍ତତଃ କେତେ ମୁହୂର୍ତ୍ତ ସକାଶେ ଆପଣାକୁ ଲାଠି ହଜାଇ ପକାଇଥିବା ଅସହାୟ ଅନ୍ଧ ପରି ମନେ ହେବ । ତଥାପି ଏସବୁ କ୍ଷତି ଓ କ୍ଷତ ମୋତେ ଘରଛଡ଼ା ବା ଖିଅଛିଣ୍ଡା କରି ପାରିବନାହିଁ । ମଣିଷ ସହିତ, ନିତିଦିନର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସହିତ ଅର୍ଥାତ୍ ଆପଣାର ନୂତନ ହେବା ଓ ଆପଣାକୁ ନିଃଶେଷିତ ଭାବରେ ସମର୍ପିତ କରିଦେବାର ଜୀବନବିଧି ସହିତ ମୋ’ର ଯେଉଁ ଖିଅ ଲାଗିଚି, ତାହା ଚିରଦିନ ଲାଗି ରହିଥିବ । ବେଳେବେଳେ ବାଉଳା ହୋଇ ଯାଉ ଥିଲେ ମଧ୍ୟ ମୁଁ ବାରବାର ଏହି ଖିଅର ଅନ୍ଵେଷଣରେ ପୁଣି ବାଟକୁ ଫେରି ଆସୁଥିବି, ପୁଣି ଆପଣାକୁ ଖୋଜି ବାହାରୁଥିବି ଓ ଆପଣାକୁ ଖୋଜି ପାଉଥିବ ।

 

୧୯ । ୦୯ । ୬୬

 

ବିନୋବାଙ୍କର ଜନ୍ମ ସପ୍ତାହରେ ମୁଁ ପ୍ରଧାନତଃ ବିନୋବାଙ୍କର କଥା ହିଁ ଭାବିଚି । ମୋ’ର ସନ୍ଦେହ ହେଉଚି, ଯେପରି ବିନୋବା ଦେଶର ଆହ୍ଵାନ କ୍ଷେତ୍ରରୁ ଆପଣାକୁ ହୁଏତ ଆପଣାକୁ ପ୍ରତ୍ୟାହାର କରିନେବାରେ ଲାଗିଚନ୍ତି । ବିନୋବାଙ୍କର ଶାରୀରକ ଅସୁସ୍ଥତା ହୁଏତ ଆପଣାକୁ ପ୍ରତ୍ୟାହାର କରିନେବା ଇଚ୍ଛାର ଏକ ପରିଣାମ ବି ହୋଇପାରେ । ନହେଲେ ତାଙ୍କର ଶରୀର ଏପରି ଭାଙ୍ଗି ପଡ଼ିଥାନ୍ତି ବୋଲି ମୁଁ କଳ୍ପନା ମଧ୍ୟ ପାରୁନାହିଁ । କିନ୍ତୁ ବିନୋବା ଅପସରି ଗଲେ କେବଳ ସର୍ବୋଦୟ ମତବାଦର ନୁହେଁ, ସମଗ୍ର ଦେଶର ଅନେକ କ୍ଷତି ହେବ । ଗାନ୍ଧୀ ନାମରେ ଅର୍ଥାତ୍ ମଣିଷକୁ ମୂଳରେ ରଖି ଜାତି ବା ସମାଜର ଯାବତୀୟ ଯୋଜନ ବନାଇବାରେ ଯେଉଁ dissentor’s opinion ର ପରମ୍ପରାଟି ଆମ ଦେଶରେ ଆପଣାର ଅସ୍ତିତ୍ଵକୁ ଅନୁଭୂତ କରାଇ ଆସୁଥିଲା; ସେହି ପରମ୍ପରା ଉଆପରେ ବଡ଼ ଆଘାତ ଆସିବ । ଏପରି ହେବାକୁ ମୁଁ ମୋ’ ଦେଶ ପକ୍ଷରେ ଏକ ଘୋର ଦୁର୍ଗତ ବୋଲି କହିବି । ସବୁ ନିର୍ମାଣ ତୁଳନାରେ ମଣିଷର ନିର୍ମାଣ କରିବା ଲାଗି ହିଁ ଯେଉଁ ଦେଶରେ ସବୁଠାରୁ ଅଧିକ ଆବଶ୍ୟକତା ରହିଚି, ସେଠି ମଣିଷକୁ ଆମ ଯୋଜନାକୁ ହଟାଇଦେଲେ ଏ ଦେଶକୁ କି ଦୁର୍ଦ୍ଦଶା ଭୋଗିବାକୁ ନହେବ । ଆଶାବାଦୀ ମନରେ ମୁଁ ତ ଆଶା କରୁଚି ଯେ, ବିନୋବା ଏକ ଅଧିକ ଶକ୍ତିମାନ୍ ପ୍ରତ୍ୟାବର୍ତ୍ତନ ଲାଗି ହିଁ ଆପାତତଃ ବର୍ତ୍ତମାନ ପାଇଁ ଅପସରି ଯାଇଚନ୍ତି । ସେ ପଥ ଖୋଜୁଚନ୍ତି, ନିର୍ଦ୍ଦେଶ ଲାଗି ଅପେକ୍ଷା କରି ରହିଚନ୍ତି । ତାଙ୍କର ଶରୀର ମଧ୍ୟ ସେହି କାରଣରୁ ପରିପୂର୍ଣ୍ଣ ଭାବରେ କାମରେ ଲାଗୁନଥିଲା ପରି ମନେହେଉଚି ।

 

୨୦ । ୦୯ । ୬୬

 

ପ୍ରାଚୀନ ଗ୍ରୀସ୍‍ର ପ୍ଳୋଟୋ ଓ ଆରିଷ୍ଟଟ୍‍ଲ ଯୁଦ୍ଧଭୂମିରେ ପ୍ରଦର୍ଶିତ ହେଉଥିବା ସାହସକୁ ସର୍ବଶ୍ରେଷ୍ଠ ସାହସ ବୋଲି କହିଚନ୍ତି । ଭାରତବର୍ଷ ଓ ପାକିସ୍ତାନରେ ଯେଉଁମାନେ ଯୁଦ୍ଧରେ ଜୟଲାଭ କରିବାକୁ ସମ୍ମାନରକ୍ଷାର ପ୍ରତୀକ ବୋଲି ଗ୍ରହଣ କରିଥାନ୍ତି, ସେମାନେ ହୁଏତ ଏପରି ଏକ ସମର୍ଥନବାକ୍ୟ ଦ୍ଵାରା ଭାରି ହୃଷ୍ଟ ଅନୁଭବ କରିପାରନ୍ତି । ପ୍ରାଚୀନ ଗ୍ରୀସରେ ଯୁଦ୍ଧରେ କହିଲେ ହୁଏତ କେତେ ପରିମାଣରେ ସାହସ ଦେଖାଇବାକୁ ବୁଝାଉଥିଲା । ବର୍ତ୍ତମାନ ଯୁଗରେ ଯୁଦ୍ଧ ନାମରେ ଯେଉଁ ପାଶବିକ ବିଚାରାନ୍ଧତା ଓ ଧୃଷ୍ଟତାର ପ୍ରଦର୍ଶନ କରାଯାଉଚି, ତାହାର ପଛରେ କୌଣସି ପ୍ରକାର ସାହସ ଅପେକ୍ଷା ଭୀରୁତା ହିଁ ଅଧିକ ପରିମାଣରେ ପ୍ରଚ୍ଛନ୍ନ ହୋଇ ରହିଥିଲାପରି ମନେହୁଏ । ବର୍ତ୍ତମାନ ଯୁଗରେ ଯେତେପ୍ରକାର ଅତ୍ୟାବଶ୍ୟକତାର ଯୁକ୍ତି ଦର୍ଶାଇ ଯୁଦ୍ଧକୁ ଗ୍ରହଣୀୟ ସାହସ ବୋଲି କୁହାଗଲେ ମଧ୍ୟ ତଥାପି ମୁଁ ଯୁଦ୍ଧ କ୍ଷେତ୍ରର ସାହସକୁ ସର୍ବଶ୍ରେଷ୍ଠ ସାହସ ବୋଲି କହିବିନାହିଁ । ମଣିଷର ଯନ୍ତ୍ର ହେବାର ସାହସର ପୁଣି କି ଅବକାଶ ରହିଚି ? ମଣିଷକୁ ନାନା ଉପାୟରେ ଯନ୍ତ୍ରବତ୍ କରି ଦିଆନଗଲେ ତାହାକୁ ଯୁଦ୍ଧକ୍ଷେତ୍ରରେ କଦାପି ବ୍ୟବହାର କରାଯାଇ ପାରିବନାହିଁ ମୁଁ ତ କହିବି, ମଣିଷକୁ ମାରିବାରେ ବା ମଣିଷକୁ ଶତ୍ରୁ କହି ଘୃଣା କରିବାରେ କୌଣସି ସାହସ ଲୋଡ଼ାନାହିଁ । ଭଲ ପାଇବାରେ ସାହସର ଆବଶ୍ୟକତା ରହିଚି, ଆପଣାର ଆଦର୍ଶ ଅନୁସାରେ ଜୀବନରେ ଅଭିବୃଦ୍ଧି ଲାଗି ଆପଣାର ଜୀବନ ବଞ୍ଚିବାରେ ସାହସର ଆବଶ୍ୟକତା ରହିଚି । ଭୟର ବଶ ହୋଇ ଆପଣାକୁ କୌଣସି ଗୋଟାଏ ବ୍ୟୂହ ଭିତରେ ଭର୍ତ୍ତି କରିଦେଇ ସେହି ବ୍ୟୂହକୁ ଅନ୍ୟାନ୍ୟ ବ୍ୟୂହର ଗ୍ରାସରୁ ରକ୍ଷା କରିବାଲାଗି ନିଜର ସର୍ବଶ୍ରେଷ୍ଠ ଆଗ୍ରହକୁ ଦେଇଦେବାରେ ସାହସ ନୁହେଁ, ପ୍ରଧାନତଃ ଅଜ୍ଞତା ହିଁ ରହିଚି ।

 

୨୧ । ୦୯ । ୬୬

 

ମୁଁ ଏହି ସକାଳକୁ ଭଲ ପାଉଚି, ଏହି ଫୁଲକୁ ଭଲ ପାଉଚି, ମୁଁ ମଣିଷକୁ ଭଲ ପାଉଚି; ତଥାପି ମଝିରେ ମଝିରେ କେଉଁ ଦୁର୍ଭାବନାମାନ ଆସି ମୋତେ ଏପରି ଘରଛଡ଼ା କରିଦେଇ ଯାଉଚି, ମୋ’ର ଭୂମି ଓ ମୋ’ର ଅଭିଳଷିତ ସହିତ ମୋ’ର ଖିଅ ଛିଡ଼ାଇଦେଇ ଯାଉଚି, ଏହି ସଂସାରରେ ମୋତେ ଶଙ୍କିତ, ପ୍ରପୀଡ଼ିତ ଓ କ୍ଷତବିକ୍ଷତ ମଣିଷ ପରି ଅଭିନୟ କରିବାକୁ ପ୍ରବୃତ୍ତି କରାଉଚି ? ମୋ’ ଭିତରେ ଅନେକ ସମୟରେ ଯେଉଁ ଜ୍ଵାଳା ମୋତେ ଆଲୋକିତ ପଥ ଦେଖାଇବା ଅପେକ୍ଷା ମୋତେ ଅଧିକରୁ ଅଧୁଇକ ଦହନ କରିବାରେ ଲାଗିଚି, ସେହି ଜ୍ଵାଳାକୁ ବା ମୁଁ କିପରି ଏକ ସତ୍ୟ ବୋଲି ମାନିନେବି ? କେଉଁଠି ମୋ’ର ଯେଉଁ ସେରମାଣ ଅପୂରା ହୋଇ ପଡ଼େରହିଚି, ମୁଁ କେଉଁଠି କାହାକୁ ଝୁରିବାରେ ଲାଗିଚି, କାହାର ସନ୍ନିଧାନ ଲାଳସାରେ ଏପରି ସନ୍ତପ୍ତ ହୋଇରହିଚି; କେଉଁ ଅବିଶ୍ଵାସ ମୋତେ ଏପରି ଭୀରୁ କଣ୍ଢେଇଟି ପରି ଏପାଖ ସେପଖା ନଚାଇବାରେ ଲାଗିଚି ? ମୁଁ ମୋ’ର ପରିପୂର୍ଣ୍ଣ ଜୀବନଗ୍ରହକୁ ଅନୁଭବ କରିପାରିବା ଲାଗି ଯେଉଁ ପରି କ୍ଷେତ୍ରଟିଏ ଲୋଡ଼ୁଚି ଆପଣାଲାଗି ମୁଁ ସେପରି କ୍ଷେତ୍ରଟିଏ ଗଢ଼ି ପାରୁନାହିଁ କି ? ବ ସେହି, କ୍ଷେତ୍ର ଗଢ଼ିବାରେ ମୋ’ର ଉଦ୍ୟମରେ ମୁଁ ଚାରିପାଖରୁ ଅତିରିକ୍ତ ବାଧା ପାଉଚି କି ? ଆପଣା ଅନ୍ତର୍ଗତ ବିଶ୍ଵାସଗୁଡ଼ିକୁ ମୋ’ ଚାରିପାଖରେ ଆଉ କେତେଜଣ ଗ୍ରହଣ କଲେ ବା ନକଲେ, ଏହି ବିଷୟରେ ଅତିରିକ୍ତ ଭାବି କ୍ରମେ ମୁଁ ଅଧିକରୁ ଅଧିକ ବିରକ୍ତ ଓ ମ୍ରିୟମାଣ ହୋଇପଡ଼ୁଚି କି ? ତେବେ ଓ କ୍ଷତଚିନ୍ତା କାହିଁକି ? ମୁଁ ଜୀବନରେ ଏହି ଫୁଲ, ଏହି ସକାଳ ଓ ସବୁଟିକୁ ଜଡ଼ାଇ ଧରିଥିବା ଜୀବନବିଶ୍ଵାସ ମୋତେ ମୋ’ର ଶୁଭବାସନାଗୁଡ଼ିକ ବିଷୟରେ ଅଧିକ ପ୍ରବୃତ୍ତି କରି ରଖିଥାଉ । ମୋ’ର ସକଳ ଅନୁଧାବନ ଆତଯାତ କରୁଥିବା ଜୀବନବିଧାତା ତଥାପି ମୋ’ର ହୃଦୟ–ସିଂହାସନରେ ବସିଥାଆନ୍ତୁ ଓ ଏହିପରି ଏକ ପ୍ରାର୍ଥନା କରି ପାରିବାର ଅଧିକାର ମୋ’ର ସବୁଦିନେ ହିଁ ରହିଥାଉ ।

 

୨୨ । ୦୯ । ୬୬

 

ଚଳଚିତ୍ରର ଗୀତ ଶୁଣିଆସିଲି ଯାଓରେ ଯୋଗୀ ଯାଓରେ, ୟହ ପ୍ରେମିଓଁକୀ ନଗରୀ । କିନ୍ତୁ ଯୋଗ ନହେଲେ ପ୍ରେମ ନହେଲେ ପ୍ରେମ ବା କିପରି ସମ୍ଭବ ହେବ, ଆଶା ମନଭିତରେ ମୁଁ ବାରବାର ସେହିକଥା ଭାବୁଥିଲା । ଖିଅ ଛାଡ଼ିଇଲେ କୌଣସି ଯୋଗ ଯେ କେବେ ସମ୍ଭବ ହୋଇପାରେ, ବହିପାଠ ବା ଶାସ୍ତ୍ରବାକ୍ୟ ଏହି ବିଷୟରେ ଯାହା କହିଥାଉ ବା କହୁଥାଉ ପଛକେ, ଆପଣାର ଅଭିଜ୍ଞତାରୁ ମୁଁ କେବେହେଲେ ଏପରି ଏକ ସିଦ୍ଧାନ୍ତରେ ଆସି ପହଞ୍ଚିବାର ଅବସର ପାଇନାହିଁ । ପୁଣି ପ୍ରେମ ନଥିଲେ ଯୋଗ ବା କିପରି ସମ୍ଭବ ହେବ ? ସଂସାରଠାରୁ ଓ ଜୀବନଠାରୁ ଖିଅ ଛିଡ଼ାଇ ମୁଁ ଆପଣାର ବନ୍ଦ ଗମ୍ଭୀର ଭିତରେ ବସି କେଉଁ ଯୋଗକୁ ସିଦ୍ଧ କରିବି, ଅର୍ଥାତ୍ କେଉଁ ଯୋଗରେ ଆପଣାକୁ ସିଝାଇକରି ରଖିବ ଯୋଗକୁ ଯେଉଁମାନେ ଭଗବାନଙ୍କୁ ଜିତିବାର ଗୋଟାଏ କସରତ ବୋଲି ବିଚାରନ୍ତି, ହୁଏତ ସେମାନେ ପୂର୍ଣ୍ଣ ବିବେକର ସହିତ ଉଯୋଗ ଓ ପ୍ରେମ ଭିତରେ ଏକ ବିରୋଧରେ ବାସନାକୁ ବାରିପାରନ୍ତି, ଓ ଫାନ୍ଦରେ ନପଡ଼ିବାର କସରତରେ ଜୀବନସାରା କାଟିଦିଅନ୍ତି, ମୁଁ ଭଲ କରି ଜାଣେ ଯେ ମୁଁ ସେହି ଧାତୁରେ ଗଢ଼ା ହୋଇନାହିଁ । ମୁଁ କୌଣସି କସରତ କରିବାଲାଗି ଏହି ସଂସାରକୁ ଆସିନାହିଁ । ମୁଁ ଭଲ ପାଇବାକୁ ଆସିଚି, ଦୃଶ୍ୟର ଜରିଆରେ ଅଦୃଶ୍ୟର ସ୍ପର୍ଶାନୁଭୂତି ଲାଭ କରିବାକୁ ଆସିଚି । ମୁଁ ସଂଯୁକ୍ତ ହେବାକୁ ଆସିଚି, ଏଡେ ବଡ଼ ସଂସାର ସହିତ ନାନା ନାଡ଼ୀରେ ଛନ୍ଦାହୋଇ ମୁଁ ପୁତ୍ରତ୍ଵର ଉପଲବ୍‍ଧି କରି ଆସିଚି ।

 

୨୩ । ୦୯ । ୬୬

 

କେଉଁଠି କାହାରି ଘର ଆଗରେ ବିଗିଚା ଖଣ୍ଡେ ଦେଖିଲେ ମୋ’ର ମନ ଉଲ୍ଲସିତ ହୋଇଉଠେ, ସେହିପରି କେଉଁଠି କିଏ ଚାକର ହାତରେ ବଗିଚା କରାଉ ଥିବାର ଦେଖିଲେ ମୋ’ ଭିତରେ ରହିଥିବା ସଖ୍ୟଲୋଭୀ ମଣିଷମାନ ଏକାବେଳେକେ ଭାଙ୍ଗି ପଡ଼ିବା ପରି ମନେହୁଏ । ଏପରି କରିବା ପଛରେ ଯେଉଁ ସାମାଜିକ ଶୋଷଣ ଓ ସମାଜରେ ଭୋଗୀବର୍ଗର ଅନ୍ତର୍ଭୁକ୍ତ ହୋଇ ରହିବାରେ ଯେଉଁ ଧୃଷ୍ଟତା ନିହିତ ରହିଚି, ତାହାକୁ ମଧ୍ୟ ମୁଁ ଏକ ଅପ୍ରଧାନ ଯଥା ବୋଲି ମନେ କରିଥାଏ । ମୁଁ ଭାବେ, ଆପଣା ହାତରେ ଗଛଟିଏ ବଢ଼ାଇବାକୁ, ଫୁଲଟିଏ ଫୁଟାଇବାକୁ ବା ଫଳଟିଏ ଫଳାଇବାକୁ ଯିଏ ଲଜ୍ଜା ଅନୁଭବ କରୁଚି, ସଂସାରରେ ସେ ପ୍ରକୃତରେ ଆଉ କ’ଣ ସୃଷ୍ଟି କରିବାଲାଗି ସମର୍ଥ ହୋଇ ପାରିବ ? କେବଳ ଜୀବନ ଓ ସୃଷ୍ଟିର ଆନନ୍ଦ ପାଇବାଲାଗି ସେ ଆଉ କେଉଁ କାର୍ଯ୍ୟରେ ପ୍ରବୃତ୍ତ ହୋଇପାରିବ ? ଆପଣାର ସୃଷ୍ଟିଦ୍ଵାର ଗୁଡ଼ିକୁ ବନ୍ଦ କରି ରଖି ସାମାଜିକ ବ୍ୟାଧିଗୁଡ଼ାକୁରୁ ଫାଇଦା ଉଠାଇବାର ଚତୁରପାଣିଆକୁ ମୁଁ ଜୀବନବାସନା ବୋଲି କଦାପି କହିବିନାହିଁ । ଏହା ଅନେକ ପରିମାଣରେ ଫ୍ରଏଡ଼୍‍ଙ୍କର ମୃତ୍ୟୁବାସନା ସହିତ ସମତୁଲ ହୋଇପାରିବ । ସବୁ ସ୍ଵାଭାବିକ ହାତ କାମ କରିବାକୁ ଚାହେ, ସବୁ ସ୍ଵାଭାବିକ ମନ ସୃଷ୍ଟି କରିବାକୁ ଚାହେ, ସବୁ ସ୍ଵାଭାବିକ ହୃଦୟ ନାନାକ୍ଷେତ୍ରରେ ନିଜକୁ ସମର୍ପଣ କରିଦେବାକୁ ଚାହେ । ତେଣୁ, ପୋଷାକୀ ଚତୁରତାର ଭୂଷଣ ପିନ୍ଧି ବସିଥିବା ବାବୁମନକୁ ମୁଁ କେବଳ ଏକ ଅସ୍ଵାଭାବିକ ମନ ବୋଲି କହିବି, ତା’ର ଦୃଷ୍ଟିକୁ ଅସ୍ଵାଭାବିକ ଦୃଷ୍ଟି ବୋଲି ହିଁ କହିଚି ।

 

୨୪ । ୦୯ । ୬୬

 

ଆଦର୍ଶ ବୋଲି କହି ଆମେ ଆମ ଜୀବନର ଭୂମି ଉପରେ କେତେ ବାସ୍ତବକୁ ଛାଡ଼ି ନଦେଉଚୁ । ଦୁରୂହ ବୋଲି କହି ଆମେ କେତେ କର୍ତ୍ତବ୍ୟକୁ ଛାଡ଼ି ନଆସୁଚୁ ! ମୁଁ ବେଳେବେଳେ ଭାବେ, ଯେତିକି ଅଛି ବା ଯେତିକି ହୋଇ ପାରୁଛି; ତାହାକୁ ହିଁ ସକଳ ସମ୍ଭାବନା ବୋଲି କହି ତାହାକୁ ହିଁ ଘୋଡ଼ାଇ ରଖିବାଲାଗି ଆମେ ଗୋଟାଏ କୌଶଳ ଯୁକ୍ତିର ଆଳସ୍ୟ ଓ ଅନିଚ୍ଛା ଭିତରେ ବାନ୍ଧି ରଖିନାହୁଁ ତ ? ଅଧ୍ୟାପକ ଯେତିକି କରୁଚି, ସେତିକି କର୍ତ୍ତବ୍ୟକୁ ସେ ବାସ୍ତବ ବୋଲି କହୁଚି, ଶିକ୍ଷାନୁଷ୍ଠାର ବ୍ୟବସ୍ଥାପକମାନେ ଯେତିକି କରୁଥାନ୍ତି, ସେତିକିକୁ ହିଁ ସେମାନେ ବାସ୍ତବ ବୋଲି କହୁଚନ୍ତି । ରାଜନୀତିକ ନେତାମାନେ ଯେତିକି କରୁଚନ୍ତି, ସେତିକିକୁ ହିଁ ସେମାନେ ବାସ୍ତବ ବୋଲି କହୁଚନ୍ତି ଓ ଆଉ ଯାବତୀୟ ସକଳ କଥାକୁ ସେମାନେ ଆଦର୍ଶ ବୋଲି କହି ଦୂରରେ ରଖିଚନ୍ତି । ମୁଁ ଯେତିକି କରି ପାରୁଚି, ଅଥବା କରିବାକୁ ଇଚ୍ଛା କରୁଚି, କେବଳ ସେତିକି ଯେ ସମ୍ଭବ ଓ ଏତିକିର ସୀମା ଡେଇଁ ଆଉ ବାହାରକୁ ଯିବା ଆଦୌ ସମ୍ଭବ ହେବନାହିଁ, ଏପରି ଯୁକ୍ତି କରିବା ପଛରେ ଗୋଟାଏ ପ୍ରକାର ଆଳସ୍ୟ ଓ ଅନିଚ୍ଛାର ନିର୍ମମ ଉଗ୍ରତା ଲୁଚି ରହିଥିବା ପରି ମନେ ହୋଇଥାଏ ଓ ଏହା ଉଗ୍ରତା ପଛରେ ଗୋଟାଏ ପ୍ରକାର ତ୍ରାସଭାବନା ମଧ୍ୟ ପ୍ରଚ୍ଛନ୍ନ ହୋଇ ରହିଥାଏ । ଏହି ତ୍ରାସପୀଡ଼ିତ ଉଗ୍ରତା ହେତୁ ଆମେ କେବଳ ସମୟରେ ନାନା ସମ୍ଭାବନାର ଉଦ୍‍ଘାଟନ ଓ ଆବିଷ୍କାର କରିବା ଲାଗି ମଧ୍ୟ ପରାଙ୍‍ନ୍ମୁଖୀ ହୋଇପଡ଼ୁ । ଆମେ ଇଚ୍ଛା କଲେ, ଆମେ ସାହସ କଲେ ଆମ ଚାରିପାଖରେ ରହିଥିବା ପରିସ୍ଥିତିରୁ ଆହୁରି ଅନେକ ସମ୍ଭାବନା ଉଦ୍‍ଘାଟିତ ହୋଇପାରନ୍ତା, ଆମ କର୍ତ୍ତବ୍ୟ ଓ ଆମ ସାଧ୍ୟର ପରିସର ଅନେକ ଅଧିକ ସଂପ୍ରସାରିତ ହୋଇ ପାରନ୍ତା, କିନ୍ତୁ ଆମେ ଚାହୁଁଲେ ସିନା ଏହା ସମ୍ଭବ ହୋଇପାରିବ ।

 

୨୫ । ୦୯ । ୬୬

 

ପ୍ରାୟ ପଚାଶବର୍ଷ ତଳେ ଗାନ୍ଧୀ ଆମ ଦେଶଲାଗି ଯେଉଁସବୁ କଥା ଲେଖିଥିଲେ ବା କହିଥିଲେ, ଆଜି ସେପରି କଥା କେହି କହୁନାହିଁ । ଗାନ୍ଧୀକଥା ଠିକ୍ ବା ଭୁଲ, ସେକଥା ବାଛି ଆପଣାର ପଥ ଠିକ୍ କରିବାର ଅଧିକାର ଦେଶବାସୀ ଓ ଦେଶନେତୃତ୍ଵର ଅବଶ୍ୟ ରହିଚି । ମାତ୍ର ତଥାପି ଜୀବନର ନାନା ଯୋଜନା ଓ ନିର୍ମାଣର ଗାନ୍ଧୀ ଯେପରି ଆପଣାର ଏକ ବିଶେଷ ପଥ ଓ ବିଶେଷ ଦୃଷ୍ଟିଭଙ୍ଗୀର ସୂଚନା ଦେଇପାରୁଥିଲେ, ଆଜି ଆଉ କେହି ସେପରି କରୁନାହାନ୍ତି । ଆମ ଦେଶର ଗାନ୍ଧୀବାଦୀଙ୍କର ଅଭାବ ରହିଚି ବୋଲି ଯେ ଏପରି ହେଉଚି, ତାହା ନୁହେଁ । ବର୍ତ୍ତମାନର ଚାଳକ ନେତାଠାରୁ ଆରମ୍ଭ କରି ପାଳକ ବା ଶାସକ ବା ସରକାର ପର୍ଯ୍ୟନ୍ତ ସମସ୍ତେ ହୁଏତ ଆପଣାକୁ ଗାନ୍ଧୀବାଦୀ କହି ଗୌରବ ମଧ୍ୟ ଅନୁଭବ କରୁଚନ୍ତି । କିନ୍ତୁ ଗାନ୍ଧୀ ଭିତରେ ଆପଣାର କଥା କହିବାର ଓ ଆପଣା ବାଟରେ ଉଦ୍‍ବୁଦ୍ଧ ହୋଇ ବାଟ ଚାଲିବାରେ ଯେଉଁ ଅସୂୟାବର୍ଜିତ ସାହସ ରହିଥିଲା, ବର୍ତ୍ତମାନ ଗାନ୍ଧୀବାଦୀମାନଙ୍କ ଭିତରେ ମଧ୍ୟ ଯେ ସେହି ସାହସ ଅବଶ୍ୟ ରହିବ, ସେପରି ଭାବିବା ଲାଗି ପାଖରେ କୌଣସି କାରଣ ନାହିଁ । ଆପଣା ବାଟରେ ଯିବାଲାଗି ଏକ ଅନ୍ତର୍ଗତ ଶ୍ରଦ୍ଧା ରହିଥିଲେ ହୁଏତ ଏହି ସାହସ ମଧ୍ୟ ସମ୍ଭବ ହୋଇଥାଏ । ଆମ ଗାନ୍ଧୀବାଦୀମାନନଙ୍କ ମଧ୍ୟରୁ କେହି ହୁଏତ ଆତୁର ଭାବରେ ଓ ଆଉ କେହି ହୁଏତ ବୁଦ୍ଧିଗତ ଭାବରେ ଗାନ୍ଧୀବାଟକୁ ବାଟ ବୋଲି ଧରିଚନ୍ତି, କିନ୍ତୁ ଗାନ୍ଧୀ ଭଳି ଆପଣାର କଥା କହିବାର ସାହସ ସେମାନଙ୍କ ଭିତରେ ନାହିଁ ତେଣୁ ବୌଦ୍ଧିକ ଚର୍ଚ୍ଚା ଓ କୌଳିକ ଗୁଣକୀର୍ତ୍ତନ ବଢ଼ିବାରେ ଲାଗିଥିଲେ ମଧ୍ୟ ଗାନ୍ଧୀଶିବିର ଭିତରୁ ତଥାପି ଆଜି କୌଣସି ସାହସର କଥା ଶୁଣିବାକୁ ମିଳୁନାହିଁ ବା ଦେଶଲାଗି କୌଣସି ପ୍ରକାର ସାହସୀ ନେତୃତ୍ଵ ସମ୍ଭବ ହେଉନାହିଁ ।

 

୨୬ । ୦୯ । ୬୬

 

ଦିନ ପରେ ଦିନ ଏମିତି ଚାଲ ଯାଉଥିବ, ପାହାଚ ପରେ ପାହାଚ ଉଠିହୋଇ ଯାଉଥିବ, କାହାର ମନ୍ଦିର ଚୂଡ଼ା ଦିଶିଯିବା ପରି ଓ କାହାର ସନ୍ନିଧାନରେ ଯାଇ ବସିଯିବା ପରି ଲାଗୁଥିବ, ଆପଣା ଭିତରେ ଆପଣା ପାଖକୁ ହାତ ପାଇଗଲା ପରି ମନେ ହେଉଥିବ । ମୁଁ ଏହାକୁ ହିଁ ଜୀବନର ସବୁଠାରୁ ବଡ଼ ଗୌରବ ବୋଲି ଜାଣିବି, ବାଟ ଚାଲିବାର ସବୁଠାରୁ ବଡ଼ ଶ୍ରେୟଃ ବୋଲି ଜାଣିବି । ହେତୁ ହେବା ଦିନଠାରୁ ମୁଁ ଆପଣା ଲାଭକ୍ଷତିର କୌଣସି ହିସାବ ଖାତା ରଖି ଶିଖିନାହିଁ, ଏପରି ଶିକ୍ଷାର କଦାପି ମନ ବଳାଇନାହିଁ; ଲାଭରେ ପ୍ରମତ୍ତ ହୋଇ କାହାରିଠାରୁ କୌଣସି ଖିଅ ଛିଡ଼ାଇବାକୁ ଯାଇନାହିଁ ବା କ୍ଷତିରେ ଆହତ ହୋଇ ଆପଣା କବାଟ କିଳି ବସିବାକୁ କୌଣସି ଲାଜରେ ମୁଁ କେବେହେଲେ ପଳାଇ ଯାଇନାହିଁ । ଜୀବନର ଆଦର୍ଶ କେଡ଼େ ଓଜନଦାର ହେବା ଉଚିତ, ଜୀବନରେ ଆଚରିତ ସକଳ ପ୍ରକାର ଅନୁଧାବନ ଫଳରେ ପରିଶେଷରେ ମୋତେ କେଡେ ବଡ଼ ଲାଭ ବା ଯଶ ମିଳିବା ଉଚିତ, କେବେ ଥିର ମନରେ ଏସବୁ ଭାବିବାକୁ ବି ମୋ’ର ସରାଗ ହୋଇନାହିଁ । ହିଁ, ଏହାକୁ ମଧ୍ୟ ଗୋଟିଏ ପ୍ରକାର ମୋହ କହିବି । ଏହାକୁ ମୁଁ ଜୀବନର ମୋହ କହିବି, ପାଖକୁ ଆସିବାର ମୋହ ଓ ସବୁ ଅଲୋଡ଼ାକୁ ଲେଡ଼ି ବସିବାର ମୋହ ବୋଲି କହିବି । ସେହି ମୋହ ହେଉଚି ମୋ’ର ସର୍ବଶ୍ରେଷ୍ଠ ସମ୍ପଦ, ସର୍ବଶ୍ରେଷ୍ଠ ଲାଭ, ମୋ’ ଜୀବନକୁ ସଂଯୁକ୍ତ କରି ରଖିବାର ସର୍ବଶ୍ରେଷ୍ଠ ସୂତ୍ର କୌଣସି ବୀତରାଗୀ ବୈରାଗୀ ମଧ୍ୟ ମୋହ ଛାଡ଼ିବାର ଅଭିଯାନରେ ବାହାରି ଯଦି ମୋତେ ଏହି ମୋହଟିକୁ ଛାଡ଼ିବାକୁ ଉପଦେଶ ଦିଏ, ତେବେ ସେପରି ବୈରାଗ୍ୟକୁ ମୁଁ ମୋ’ର ପୂରୁ ହେବାକୁ ସିଧା ମନା କରିଦେବି । ଅସଲ ମୋହରେ ପଶିବାକୁ ହିଁ ସବୁ ମୋହକୁ ତୁଟାଇ ଆସିବାକୁ ହୁଏ, ଅସଲ ଆସକ୍ତି ଲାଗି ପ୍ରସ୍ତୁତ ହେବା ଲାଗି ଅନାସକ୍ତିର ଉପନୟନ ଦରକାର ହୋଇଥାଏ ।

 

୨୭ । ୦୯ । ୬୬

 

ଶତର ସକାଳର ଏଇ ଗଙ୍ଗଶିଉଳଁ ଫୁଲ, —ଆଜିକାଲି ସକାଳ ମୁହୂର୍ତ୍ତଟା ସତେଅବା କେବଳ ତାହାରି ମୁହୂର୍ତ୍ତ ପରି ମନେହେଉଚି । କାକର ଦ୍ଵାରା ଅନୁସକ୍ତି ହୋଇଥିବା ଘାସଉପରେ ଝରି ପଡ଼ିଥିବା ଗଙ୍ଗଶିଉଳି ଫୁଲକୁ ଦେଖିଲାବେଳକୁ ଓ ପ୍ରଭାତ ସମୟର ଶାନ୍ତ ପବନ ଭିତରେ ତାହାରି ସୁବାସକୁ ଅନୁଭବ କଲାବେଳକୁ ଏହି ସମସ୍ତ ବାତାବରଣ ସତେଅବା କେଉଁ ସ୍ଵାଭାବିକ ପୂଜାର୍ଚ୍ଚନାର ବାତାବରଣ ପରି ମନେହେଉଚି । ଏହି ବାତାବରଣ ଉପରେ ଶୀତସକାଳର ସୂର୍ଯ୍ୟଟି ଉଠିଲାବେଳକୁ ଆଉ କେଉଁଠାରେ ବି କିଛି ଅପୂରା ରହିଗଲା ବୋଲି ଆଦୌ ଲାଗୁନାହିଁ ଏବଂ ବାହାରେ ଏହି ପୂର୍ଣ୍ଣତାର ଅନୁଭୂତି ଆସିବା ସଙ୍ଗେ ସଙ୍ଗେ ଏଣେ ଅନ୍ତର ଭିତରଟା ମଧ୍ୟ ପୂର୍ଣ୍ଣ ହୋଇଗଲା ପରି ମନେ ହେଉଚି । ସଂସାରରେ ନୂତନ ଏକ ଦିନର ଜୀବନ ଆରମ୍ଭ କଲାବେଳକୁ ଏହାଠାରୁ ବଳି ଅଧିକ ପରିପୂର୍ଣ୍ଣ ସ୍ଵାଗତ ଆଉ କ’ଣ ହୋଇପାରେ ? ଏହି ସଂସାରରେ ଭୟ କରିବାଲଗି ମୋ’ର କୌଣସି ଅଧିକାର ନାହିଁ, କେବଳ ଆପଣାକୁ ସମର୍ପଣ କରିଦେବାର ଅର୍ଥାତ୍ ନାନାକ୍ଷେତ୍ରରେ ଆପଣାକୁ ନିୟୋଜିତ କରିଦେଇ ଶାନ୍ତ ଭାବରେ ଏହି ଗଙ୍ଗଶିଉଳି ଫୁଲଟି ପରି କେବଳ ଆପଣାର ସୁଗନ୍ଧକୁ ଖେଳାଇ ଦେବାର ହିଁ ଅଧିକାର ରହିଚି । ଅନ୍ତରର ସକାଳ କ୍ଷତ ପୂରି ପୂରି ଆସୁଚି । ଏହି ପରିପୂର୍ଣ୍ଣ ମନ ହୃଦୟ ନେଇ ମୁଁ ସମ୍ପୂର୍ଣ୍ଣ ଭିନ୍ନ ଏକ ମନୋଦୃଷ୍ଟିରେ ସଂସାରରେ ମୋ’ର ତଥାକଥିତ କ୍ଷତି ଓ ବିଚ୍ଛିନ୍ନତାଗୁଡ଼ାକୁ ଦେଖିବାକୁ ଆରମ୍ଭ କରୁଚି । ଏହାକୁ ହିଁ ନୂତନ ଜନ୍ମ ବୋଲି କୁହାଯିବ ।

Image